27 अप्रैल 2015

ବାଳିକାଏ ଗର୍ଭବତୀ କାହିଁକି ହେଲେ?

ଏହି ପ୍ରସଙ୍ଗରେ କିଛି ସପ୍ତାହ ତଳେ ପ୍ରଥମ କରି ନକ୍ଷତ୍ର ନ୍ୟୁଜ୍‌ର କନ୍ଧମାଳ ପ୍ରତିନିଧି ରାଧାମୋହନ ମହାପାତ୍ର ରିପୋର୍ଟ କରି ନଥିଲେ ହୁଏତ, ରାଜ୍ୟ ଯାକର ଏତେ ଏତେ ଘଟଣା ଲୁଚି ଯାଇଥାଆନ୍ତା। ଯେଉଁ ଘଟଣାକୁ ପରବର୍ତ୍ତୀ ସମୟରେ ବିଭିନ୍ନ ମୁଦ୍ରଣ ଗଣମାଧ୍ୟମ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ। ତେବେ କାହିଁକି ଏଭଳି ହେଉଛି, ତାହାର କିଛି କାରଣ ଅନୁସନ୍ଧାନ କରି ଆମ୍ଭେ ଏହି ରିପୋର୍ଟ ଲେଖୁଛୁ।

(୧) ୧୯୮୦-୮୨ ମସିହା ବେଳକୁ ଏକ ଆଶ୍ରମ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲି। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ୍‌ର ତାରେଣୀପଶି ଆଶ୍ରମ ବିଦ୍ୟାଳୟ, ବାଟଗାଁରେ। ସେତେବେଳକୁ ଅଳ୍ପ ସଂଖ୍ୟାରେ ବାଳିକା ପଢୁଥିଲେ। ଶତକଡ଼ାରେ ହିସାବ କଲେ ତାହା ମାତ୍ର ୧୦ରୁ ୧୫ ପ୍ରତିଶତ ହେବ। ଅର୍ଥାତ୍‌ ୧୦୦ ଜଣ ବାଳକକୁ ମାତ୍ର ୧୫ ଜଣ ବାଳିକା। ଆମେ କେତେଜଣ ଅଣଆଦିବାସୀ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ  ଛାଡ଼ିଲେ ଅନ୍ୟ ସମସ୍ତେ ଥିଲେ ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରଛାତ୍ରୀ। ତେଣୁ ସେଦିନର କଥାକୁ ମନେ ପକାଇ କିଛି ବିବୃତି ରଖିବୁ।


(୨) କଲେଜ ପଢ଼ା ସରିବା ପରେ ୧୯୯୧ ଡିସେମ୍ବରରୁ ଅନୁଗୁଳ ଜିଲ୍ଲାର ଆଦିବାସୀ ବହୁଳ ପାଳଲହଡ଼ା ତହସିଲର ସଇଡ଼ା ଓ ନଗିରା ପଞ୍ଚାୟତରେ ସମାଜସେବା ଆରମ୍ଭ କଲୁ। ପରେ ଅଗ୍ରଗାମୀ, ସି.ୱାଇ.ଏସ୍‌.ଡି., ଗ୍ରାମବିକାଶ ଭଳି ସଂଗଠନରେ ନିଯୁକ୍ତ ହୋଇ ଆଦିବାସୀମାନଙ୍କ ଗହଣରେ ଓ ଆଦିବାସୀ ବହୁଳ ଅଞ୍ଚଳରେ ୧୫ ବର୍ଷ କାମ କରିଛୁ। ତେଣୁ ଏଠାରେ ମୂଳ ପ୍ରସଙ୍ଗର ଅସଲ କାରଣ ଖୋଜି ପାଇବାର ଅନେକ ସୁଯୋଗ ପାଇଛୁ। 


(୩) ଯେବେଠୁ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ଶିକ୍ଷାସେବକ, ଶିକ୍ଷାସହାୟକ, ଶିକ୍ଷାକର୍ମୀ ଇତ୍ୟାଦି ପଦରେ ଶିକ୍ଷାଦାନ ପାଇଁ ଆଦିବାସୀ ଅଞ୍ଚଳରେ ନିଯୁକ୍ତି ମିଳିଲାଣି, ସେବେଠୁ ଆଦିବାସୀ ବାଳକ, ବାଳିକା ସମସ୍ତଙ୍କର ସୁଅ ଛୁଟୁଛି ବିଦ୍ୟାଳୟକୁ। କାରଣ ଶିକ୍ଷାଦାନ କରୁଥିବା ସେହି ଯୁବକ ଯୁବତୀମାନେ ସ୍ଥାନୀୟ ଭାଷା ଜାଣିଥିବା ସହ ପାଖଆଖ ଗାଆଁର ହୋଇଥିବାରୁ ନିୟମିତ ବିଦ୍ୟାଳୟକୁ ଆସନ୍ତି ଏବଂ ଅଭିଭାବକମାନଙ୍କ ଆସ୍ଥା ଭାଜନ ହୋଇଛନ୍ତି। ପ୍ରଶାସନର ଜାଣତରେ ହେଉ ଅବା ଅଜାଣତରେ ଏହି ନିଷ୍ପତ୍ତି ବେଶ୍‌ ସଫଳ ହୋଇଛି ଆଦିବାସୀବହୁଳ ଅଞ୍ଚଳରେ। ତେଣୁ ଉପର ଶ୍ରେଣୀରେ ପଢ଼ିବା ପାଇଁ ଅନେକ ସଂଖ୍ୟାରେ ବାଳକବାଳିକା ଉତ୍ପନ୍ନ ହୋଇଛନ୍ତି ଏବଂ ଆଗ୍ରହର ସହ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ଭର୍ତି ହୋଇଛନ୍ତି।


(୪) ୧୦ ବର୍ଷ ବୟସରେ ବାଳିକାମାନେ ପୁଷ୍ପବତୀ ହେବା ପରେ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଆଶ୍ରମ ବିଦ୍ୟାଳୟ ବା ସ୍ଵତନ୍ତ୍ର ଭାବେ ନିର୍ମିତ ହଷ୍ଟେଲରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ହେଲେ, ୧୪ ବର୍ଷରୁ ବେଶି ବୟସର ପୁଅ ଓ ୧୦ ବର୍ଷରୁ ବେଶି ବୟସର ଝିଅମାନଙ୍କୁ କୁହାଯାଏ ଧାଂଡ଼ା ଧାଂଡ଼ୀ। ଗାଆଁର ଏକ ଧାଂଡ଼ାଘରେ ସେହି ଧାଂଡ଼ାଧାଂଡ଼ୀମାନେ ରାତିରେ ମିଶିବାର ସୁଯୋଗ ପାଇଥାଆନ୍ତି। ଏହା ଓଡ଼ିଶାର ପ୍ରାୟତଃ ସବୁ ଆଦିବାସୀ ଜାତି କୁଟୁମ୍ବର ଏକ ସାଧାରଣ ପରମ୍ପରା। କିନ୍ତୁ ଏବେର ପ୍ରଚଳିତ ବିଦ୍ୟାଳୟ ଶିକ୍ଷା ହିଁ ସେମାନଙ୍କ ପାରମ୍ପରିକ ଜୀବନଧାରା ଉପରେ ଆଞ୍ଚ ଆଣିଛି। ଫଳରେ ସେମାନେ ସ୍ଵାଧୀନ ଜୀବନଯାପନ କରି ପାରୁ ନାହାନ୍ତି।


(୫) ଗାଆଁରେ ଥିବା ବେଳେ ସେହି ଧାଂଡ଼ୀଙ୍କ ମାଆବାପାମାନେ ଦେଶୀ ଚିକିତ୍ସା ଜରିଆରେ ହେଉ ଅବା ଡାକ୍ତରୀ ଚିକିତ୍ସା ଜରିଆରେ ସେମାନଙ୍କର ସମସ୍ୟାର ସମାଧାନ କରି ପାରୁଥିଲେ। କିନ୍ତୁ ଆଶ୍ରମ ବା ଛାତ୍ରୀନିବାସରେ ରହିବା ଦ୍ଵାରା ନିଜନିଜ ଛୁଆମାନଙ୍କର ସ୍ଥିତି ଉପରୁ ସଂପୂର୍ଣ ନିୟନ୍ତ୍ରଣ ହରାଇଛନ୍ତି ମାଆବାପାମାନେ। ଅଥଚ ଆଦିବାସୀ ଅଞ୍ଚଳରେ ସବୁ ମାଆବାପା ଚାହୁଛନ୍ତି, ତାଙ୍କ ଛୁଆ ଦିଅକ୍ଷର ପାଠ ପଢ଼ିଲେ ମଣିଷ ହେବ। ଅତି କମ୍‌ରେ ଛୋଟ ଚାକିରିଟେ ବି କରି ପାରିବ।


(୬) ଗତ ୧୫ ବର୍ଷ ମଧ୍ୟରେ ବାଳିକାମାନେ ଗର୍ଭବତୀ ହେବା ଏବଂ ସନ୍ତାନ ପ୍ରସବ କରିବା ଘଟଣା ବଢ଼ିବାରେ ଲାଗିଛି। କାରଣ ବାଳିକାମାନେ ଅଧିକ ସଂଖ୍ୟାରେ ବିଦ୍ୟାଳୟମୁହାଁ ହୋଇଛନ୍ତି। ଏହାର ଅସଲ କାରଣ ବିନ୍ଦୁ-୩ରେ ଆମ୍ଭେ କହିଛୁ। କିନ୍ତୁ ଆଦିବାସୀମାନଙ୍କ ପରମ୍ପରାକୁ ମର୍ଯ୍ୟାଦା ଦେବା ପାଇଁ ସରକାରୀ ଶିକ୍ଷାରେ କିଛି ବିଧିବିଧାନ ବା ବ୍ୟବସ୍ଥା ନାହିଁ। 


(୭) ଅନ୍ୟ ପକ୍ଷରେ ଆଶ୍ରମ ବିଦ୍ୟାଳୟ ବା ଛାତ୍ରୀନିବାସର ଶିକ୍ଷକ/ ଅଧୀକ୍ଷକମାନେ ସମସ୍ତେ ଅଣଆଦିବାସୀ ବା ବିଦେଶୀ। ‘ବିଦେଶୀ’ ଅର୍ଥ ସେମାନେ ସେହି ଅଞ୍ଚଳର ନୁହଁନ୍ତି। ତେଣୁ ସେମାନେ ଏତେ ନିଘା ବି ରଖନ୍ତି ନାହିଁ ବା ରଖି ପାରନ୍ତି ନାହିଁ।


(୮) ଆଦିବାସୀ ବାଳକବାଳିକା ମାସରେ ଅନ୍ୟୂନ ୨ ଥର ନିଶ୍ଚୟ ଗାଆଁକୁ ଯାଇଥାଆନ୍ତି। ଆଶ୍ରମ ବା ଛାତ୍ରୀନିବାସର ଗୁରୁ ଯେତେ ବାରଣ କଲେ ବି ଏଥିରୁ ସେମାନଙ୍କୁ ରୋକି ହୁଏ ନାହିଁ। ସମସ୍ତେ ଯେମିତି କିଛି ପରମ୍ପରା ଓ ସଂସ୍କୃତିରେ ବନ୍ଧା, ଆଦିବାସୀ ଶିଶୁମାନେ ସେଥିରୁ ବାଦ୍‌ ଯାଆନ୍ତେ କିପରି?


(୯) ଅନ୍ୟ ପକ୍ଷରେ ଆଦିବାସୀ ଧାଂଡ଼ୀମାନେ ସଫାସୁତରା ପୋଷାକରେ ଅଣଆଦିବାସୀମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବା ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି।


ଏଠାରେ ଆମ୍ଭେ ପ୍ରସ୍ତାବ ରଖିବାକୁ ଚାହୁଛୁ ଯେ ଆଦିବାସୀବହୁଳ ଅଞ୍ଚଳରେ ପରମ୍ପରାକୁ ଧ୍ୟାନ ଦେଇ ଶିକ୍ଷା ବ୍ୟବସ୍ଥା କରାଯାଉ ଏବଂ ୬୦ ପ୍ରତିଶତ ଶିକ୍ଷକ ଆଦିବାସୀ ଜାତିର ହେବା ଉପରେ ଗୁରୁତ୍ଵ ଦିଆଯାଉ। ପୃଥିବୀର ସବୁ ଆଦିବାସୀ ଜାତିରେ ସ୍ଵାଧୀନ ଯୌନଜୀବନ ଅତିବାହିତ କରିବାର ପରମ୍ପରା ରହିଛି। ଏହି ସାଧାରଣ କଥାଟିକୁ ନଜର ଦେଇ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର କରାଯାଇପାରିଲେ ଆଉ ବାଳିକାମାନେ ସନ୍ତାନ ପ୍ରସବ କରିବା ଭଳି ଲଜ୍ଜାଜନକ ଘଟଣା ହେବ ନାହିଁ।



ଯୋଜନା ପ୍ରସ୍ତୁତି ପାଇଁ ପ୍ରସ୍ତୁତ: ବିମଳ ପ୍ରସାଦ, ୯୯୩୭୩୫୩୨୯୩