28 अप्रैल 2015

ନେପାଳର ଦୁଃଖମୋଚନ ପାଇଁ...

ଗତ ସାତ ଦିନ ଭିତରେ ପଡ଼ୋଶୀ ରାଷ୍ଟ୍ର ନେପାଳରେ ୫୮ ଥର ଭୂମିକମ୍ପ ହେବା ଏକ ଭୟଙ୍କର ଖବର ସମସ୍ତଙ୍କ ପାଇଁ। ଏଣେ ମୃତ୍ୟୁସଂଖ୍ୟା ୧୦ହଜାର ଟପିବ ବୋଲି ଖୋଦ୍‌ ନେପାଳ ପ୍ରଧାନମନ୍ତ୍ରୀ କହିଲେଣି। ନେପାଳବାସୀଙ୍କ ଦୁଃଖମୋଚନ ପାଇଁ କେବଳ ପ୍ରାର୍ଥନା କଲେ ହେବ ନାହିଁ। ଏଥିପାଇଁ ସତତ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ହେବା ଦରକାର। ଆଉ ଏ ସବୁ ଭାରତ ପକ୍ଷରୁ ନିହାତି ହେବା ଉଚିତ। 

ମାନନୀୟ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଭୁଟାନ୍‌ ଗସ୍ତ କରିଥିଲେ। ଯଦିଓ ନେପାଳ ଥିଲା ତାଙ୍କର ପ୍ରଧାନ ଟାର୍ଗେଟ୍‌। ଏବଂ ପରେ ସେ ନେପାଳ ଗସ୍ତ କରିଥିଲେ। କାରଣ ନେପାଳ ଆମର ପ୍ରଧାନ ବନ୍ଧୁ ବୋଲି ଦାପ୍ତରିକ ଭାବେ ବିବେଚନା କରି ନେପାଳବାସୀଙ୍କ ଭାରତ ପ୍ରବେଶ ଉପରେ କୌଣସି କଟକଣା ରଖାଯାଇ ନାହିଁ। ଯାହାର ସୁଯୋଗ ଉଣ୍ଡି ଉଗ୍ରପନ୍ଥୀମାନେ ନେପାଳ ପଟୁ ଭାରତକୁ ପଶୁଛନ୍ତି ଏବଂ ଭାରତରେ ଆତଙ୍କର କାରଣ ପାଲଟୁଛନ୍ତି। ଅନ୍ୟ ପକ୍ଷରେ ନେପାଳରେ ବିଭିନ୍ନ ଆତଙ୍କବାଦୀ ସଂଗଠନର ଗୁପ୍ତ ଆଡ଼୍ଡ଼ାମାନ ରହିଛି। ଆଉ ଭାରତକୁ ଚୀନୀ ହସ୍ତଶିଳ୍ପ ସାମଗ୍ରୀର ଚାଲାଣ ପଥ ହେଉଛି ନେପାଳ। ଶହ ଶହ ସାମଗ୍ରୀ ଏବେ ଭାରତକୁ ଚୀନ୍‌ରୁ ଆସୁଛି, ଯେଉଁଗୁଡ଼ିକ ବଜାରରେ ନମିଳିଲେ ଭାରତରେ ଜୀବନଯାପନ ମଧ୍ୟ ପ୍ରଭାବିତ ହେବ। ତାହା ଖେଳଣା ହେଉ ଅବା ଚୀନି କାର୍ଟୁନ୍‌ ଫିଲ୍ମ ଅବା ମଶାମରା ରାକେଟ୍‌।

ଏବେ ସିଧାସଳଖ ତଳଲିଖିତ ବିନ୍ଦୁଗୁଡ଼ିକ ଉପରେ ଚର୍ଚ୍ଚା କଲେ ସବୁ କଥା ସହଜ ହୋଇଯିବ:
(୧) ନେପାଳ-ଭାରତ ବନ୍ଧୁ ରାଷ୍ଟ୍ର କେବଳ ଭାଷଣରେ। କାରଣ ନେପାଳୀମାନେ ଭାରତକୁ ହିଁ ବେଶି ଘୃଣା କରନ୍ତି। ଯଦିଓ ୩୦ ପ୍ରତିଶତ ନେପାଳୀ ପରିବାର ଗୋଟାପଣେ ନିଜନିଜର ପେଟପାଟଣା ପାଇଁ ଭାରତ ଉପରେ ନିର୍ଭରଶୀଳ। ତେବେ ଏହି ଘୃଣାକୁ ପ୍ରେମରେ ପରିଣତ କରିବାର ଏକ ପ୍ରକୃଷ୍ଟ ସୁଯୋଗ ହେଉଛି ଏହି ବିପର୍ଯ୍ୟୟ ବେଳରେ ଠିଆ ହେବା। ଚାଣକ୍ୟ ନୀତି ଅନୁସାରେ ଭାରତ ଏହି କାମ ନିଷ୍ଠାର ସହ କରିବା ଦରକାର।

(୨) ଦକ୍ଷିଣ ଏସିଆରେ ଚୀନ୍‌ ନିଜର ଆଧିପତ୍ୟ ବିସ୍ତାର କରି ପାକିସ୍ତାନ, ମାଲଡିଭିସ୍‌, ଶ୍ରୀଲଙ୍କା, ବାଙ୍ଗଲାଦେଶ ପ୍ରଭୃତି ଦେଶକୁ ନିଜ ଆଡ଼କୁ ଢଳାଇବାରେ ସମର୍ଥ ହୋଇଥିବା ବେଳେ ଆମ ଦେଶର କୂଟନୀତିଜ୍ଞମାନେ ଆପାତତଃ ଚୁପ୍‌ ବସିଛନ୍ତି। ତେଣୁ ତିବ୍ବତ ରାଷ୍ଟ୍ର ଚୀନ୍‌କୁ ଚାଲିଯିବା ଭଳି କେବେ ନେପାଳ ଯେ ଚୀନ୍‌ ଅଧୀନକୁ ଚାଲି ନଯିବ, ଏହା କହି ହେବ ନାହିଁ। 

(୩) ଆମ ଦେଶରେ ମଧ୍ୟ ବୁଲେଟ୍‌ ଟ୍ରେନ୍‌ ପ୍ରଚଳନ, ବହୁତଳ ପ୍ରାସାଦ ନିର୍ମାଣ, ବନ୍ଦର ନିର୍ମାଣ ଭଳି ବିଭିନ୍ନ ଇନ୍‌ଫ୍ରାଷ୍ଟ୍ରକ୍‌ଚର କାମ କରିବାକୁ ବିକଳ ହେଉଥିବା ଚୀନ୍‌ ଶେଷରେ ନେପାଳକୁ ସେହି ସହଯୋଗ ଦେଇ ନେପାଳର ମନ ସହଜରେ ଜିଣି ଯାଇ ପାରିବ। ତେଣୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସରିବା ପରେ ନେପାଳର ପୁନଃନିର୍ମାଣ କାମ ଭାରତ ହିଁ କରିବା ଦରକାର। କାରଣ ଯିଏ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ନିର୍ମାଣ କରିବ, ତାହାଙ୍କୁ ନେପାଳବାସୀ ବେଶି ମନେ ରଖିବେ। କିଏ ରିଲିଫ୍‌ ଖାଇବାକୁ ଦେଇଥିଲା ବା ଘାଆରେ ମଲମ ବୋଳି ଥିଲା, ତାହା ଭୁଲି ଯାଇଥିବେ। ଏହା ଭୁଲିଯିବାର ଏକ ସାଧାରଣ ମନୋବିଜ୍ଞାନ।

(୪) ଯୁକ୍ତରାଷ୍ଟ୍ର ଆମେରିକାକୁ ଟେଲିଫୋନ୍‌ କଲ୍‌ ମିନିଟ୍‌ ପିଛା ଅଢେଇ ଟଙ୍କା ପଡୁଥିବା ବେଳେ ନେପାଳକୁ ପଡୁଛି ୧୨ ଟଙ୍କାରୁ ବେଶି। ଏହା ଭାରତ ଭଳି ଏକ ବଡ଼ଭାଇ ରାଷ୍ଟ୍ର ପାଇଁ ଲଜ୍ଜାଜନକ କଥା। ମିନିଟ୍‌ ପିଛା ଯେପରିକି ଟଙ୍କାଏ ବା ଦେଢ଼ଟଙ୍କାରେ ଭାରତରୁ ନେପାଳକୁ ଓ ନେପାଳରୁ ଭାରତକୁ ଟେଲିଫୋନ୍‌ କଲ୍‌ ହୋଇପାରିବ, ତାହା ଉପରେ ଧ୍ୟାନ ଦେବା ଦରକାର। 

(୫) ଅନ୍ୟ ପକ୍ଷରେ ନେପାଳରେ ସଡ଼କଗୁଡ଼ିକର ଅବସ୍ଥା ମଧ୍ୟ ଭାରୀ ଖରାପ। ତେଣୁ ସବୁ ସତର୍କତା ଅବଲମ୍ବନ କରି ସୁଦ୍ଧା ସଡ଼କ ଦୁର୍ଘଟଣା ଏକ ସାଧାରଣ ଘଟଣା। ଏପରିକି ଭୂମିକମ୍ପ ପୂର୍ବରୁ ମଧ୍ୟ ୩୦ ଜଣ ଭାରତୀୟ ପର୍ଯ୍ୟଟକ ଏଭଳି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଟେଲିଯୋଗାଯୋଗ ଓ ସଡ଼କ ଯୋଗାଯୋଗ ପାଇଁ ଭାରତ ପୂରା ଦମ୍‌ରେ କାମ କରିବା ଦରକାର।  ଏଥି ପାଇଁ ଆବଶ୍ୟକ ରାଜିନାମା ମଧ୍ୟ ତୁରନ୍ତ ପ୍ରସ୍ତୁତ ହେବା ଦରକାର। 

(୬) ରାଜପଥ ଓ ସଡ଼କ ନିର୍ମାଣ କାମ ଭାରତୀୟ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀମାନଙ୍କୁ ମିଳିବା ଦରକାର। ଦେଶର ସରକାରୀ ନିର୍ମାଣ ସଂସ୍ଥା Boarder Roads Organisation (BRO) ଏକ ନିକମା ସଂସ୍ଥା ରୂପେ ପ୍ରମାଣିତ ହୋଇଥିବାରୁ ତାହାକୁ ବିଦେଶରେ କାମ ଦେଇ ଭାରତ ନିନ୍ଦିତ ହେବା ଅନୁଚିତ।

(୭) ସେହିପରି ରେଳପଥ ସଂପ୍ରସାରଣରେ ମଧ୍ୟ ଭାରତୀୟ ରେଳବାଇ କାର୍ଯ୍ୟ କରିବା ଦରକାର।

(୮) ଏ ସବୁ ପଛରେ ଗୋଟିଏ ପ୍ରସଙ୍ଗ ଚିନ୍ତାର ପ୍ରସଙ୍ଗ, ତାହା ହେଉଛି ଆତଙ୍କବାଦର ନିରାକରଣ। ନେପାଳ ଜନସଂଖ୍ୟାର ଏକ ପୂର୍ଣାଙ୍ଗ ଅନ୍‌ଲାଇନ୍‌ ଡାଟାବେସ୍‌ ପ୍ରସ୍ତୁତ ହୋଇପାରିଲେ, ତାହାକୁ କୌଣସି ଚେକ୍‌ପୋଷ୍ଟ୍‌ରେ ଯାଞ୍ଚ କରାଯାଇପାରିବ। ଆମ ଦେଶ ଭାରତ ନିଜକୁ ସଫ୍ଟୱେର ମହାଶକ୍ତି ରୂପେ ବିବେଚନା କରୁଥିବାରୁ, ଏହା ନିହାତି ହେବା ଦରକାର। ଆଧାର କାର୍ଡ଼ ଓ ଭୋଟର ପରିଚୟ ପତ୍ର ଇତ୍ୟାଦି ଆମ ଦେଶରେ ଏବେ ସୁଦ୍ଧା ବିଫଳ ହୋଇଥିବାରୁ ସେଭଳି ପ୍ରକଳ୍ପକୁ କ୍ଷୁଦ୍ର ରାଷ୍ଟ୍ର ନେପାଳରେ ପାଇଲଟ୍‌ ଭିତ୍ତିରେ ଭାରତ ଗୋଟାପଣେ ମାଗଣାରେ କରୁ।

(୯) ନେପାଳର ସାର୍ବଭୌମତ୍ଵ ଉପରେ ହସ୍ତକ୍ଷେପ ନକରି ବିଭିନ୍ନ ବିକାଶମୂଳକ କାର୍ଯ୍ୟଗୁଡ଼ିକରେ ହସ୍ତକ୍ଷେପ କରିବାର ଅଧିକାର ଭାରତ ନିଜ ପାଖରେ ରଖିବା ଦରକାର। IIMର ଉତ୍ତୀର୍ଣ ବିଦ୍ୟାର୍ଥୀମାନଙ୍କୁ ନେଇ ଦୀର୍ଘମିଆଦୀ ବିଜିନେସ୍‌ ପ୍ଲାନ୍‌ ପ୍ରସ୍ତୁତ ହେବା ଦରକାର। 

(୧୦) ପରିସ୍ଥିତି ଏପରି ହେଉ କି ଦିନେ ନା ଦିନେ ନେପାଳ, ଭାରତର ଏକ ରାଜ୍ୟ ହୋଇଯିବା ପାଇଁ ସିକିମ୍‌ ଭଳି ନିଜ ଆଡୁ ପ୍ରସ୍ତାବ ଦେଉ। 

ମୌଳିକ ଭାବେ ଆମ୍ଭେ ଏସବୁ ଓଡ଼ିଆରେ ଲେଖିଥିବାରୁ ହୁଏତ ଏହା ଆମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ତେଣୁ ଇଂଲିଶ୍‌ ସାମ୍ବାଦିକମାନେ ଏହାକୁ ନିଜନିଜ ବାଗରେ ରିପୋର୍ଟ କରିବେ ବୋଲି ଆମ୍ଭେ ଆଶା କରୁଛୁ। ଆଉ ନିଜକୁ ବୈଦେଶିକ ବ୍ୟାପାର ବିଶେଷଜ୍ଞ ବୋଲି ଦାବି କରୁଥିବା ବ୍ୟକ୍ତିମାନେ ଏହି ବେଳାରେ ରାଷ୍ଟ୍ରନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ପାଇଁ ସକ୍ରିୟ ହୋଇ ଉଠିବେ ବୋଲି ଆମ୍ଭର ବିଶ୍ଵାସ।