28 अप्रैल 2015

ଆଦିବାସୀ ଝିଅଟିର ପରିସର

ପରଂପରା ଓ ମୁଖ୍ୟସ୍ରୋତ: ଆଦିବାସୀ ଝିଅଟିର ପରିସର
ବିଦୁଲତା ହୁଇକା, ବାରିଝୋଲା, ରାୟଗଡ଼, ଓଡ଼ିଶା
(ଏହି ଲେଖାଟି ‘ସମାଜ’ ୨୬.୦୪.୨୦୧୫ ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ)

ମୋର ସେତେବେଳର ବୟସ ଊଣେଇଶ। ସ୍ନାତକ ସାରିଥାଏ। ୧୯୮୪ ମସିହାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ନିଲାବାଡ଼ି ସରକାରୀ କନ୍ୟାଶ୍ରମରେ ଯୋଗ ଦିଏ ଶିକ୍ଷୟିତ୍ରୀ ଭାବରେ। ଏହା ପୂର୍ବରୁ ପୁଲିସ ସବ୍‌ଇନିସ୍ପେକ୍ଟର ପଦରେ ସୁଯୋଗ ମିଳିଥିଲେ ବି ମୋର ଶିକ୍ଷକ ବାପା, ନିରକ୍ଷରା ମାଆ ଓ ଆଦିବାସୀ ଗାଆଁ ସମାଜର ଚାପରେ (‘‘ୟେ ପୁଲିସ୍‌ ହବ, ଆମକୁ ପିଟିବ...’’) ଇଚ୍ଛା ଥିଲେ ବି ଯୋଗ ଦେଇ ପାରେ ନାହିଁ। କିଛି ଦିନ ସକେଇ ହେବା, ରାଗିବା, ଖିଆପିଆ ଛାଡ଼ିଦେବା ଦେଖି ମାଆବାପା ଓ ସମାଜ ସ୍ଵୀକୃତି ଦିଅନ୍ତି ଶିକ୍ଷୟିତ୍ରୀ ରୂପେ ଯୋଗ ଦେବା ପାଇଁ।

ରାୟଗଡ଼ର ଠକ୍କରବାପା ଆଶ୍ରମରୁ ମାଟ୍ରିକ୍‌ ପାସ୍‌ କରିବା ପରେ କଲେଜ ନପଢ଼ିବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। ସେତେବେଳେ ବି ରାଗୀ, ରୁଷି, ନଖାଇ ଜିତି ଥିଲି। ଗୁଣପୁର ମହାବିଦ୍ୟାଳୟରେ ପାଠ ପଢ଼ିଥିଲି। ସେଠାରେ ସ୍ପୋର୍ଟସ ଚାମ୍ପିଅନ୍‌ ମଧ୍ୟ ହୋଇଥିଲି। ସେ ସମୟରେ ଗୁଣପୁର କଲେଜରେ ମୋ ଛଡ଼ା ପ୍ରାୟତଃ ଆଉ କେହିଆଦିବାସୀ ଛାତ୍ରୀ ନଥିଲେ। ରାୟଗଡ଼ ଜିଲ୍ଲାର ଏକ ଅଗମ୍ୟ ବଣଜଙ୍ଗଲଘେରା ‘ରଢ଼ାଙ୍ଗି’ ଗାଆଁରୁ ଗୁଣପୁର କଲେଜ ପର୍ଯ୍ୟନ୍ତ ଏକ ସଂଘର୍ଷମୟ ଯାତ୍ରା ବଖାଣିବା ଏ ଲେଖାର ଉଦ୍ଦେଶ୍ୟ ନୁହେଁ। ଚାକିରି ଜୀବନ ମଧ୍ୟରେ ସ୍ନାତକୋତ୍ତର ଓ ଆଇନ ଡିଗ୍ରୀ ହାସଲ କରିଛି। ୧୦ ବର୍ଷର ଚାକିରି ପରେ ଚାକିରି ଛାଡ଼ି ସମାଜସେବା ଭଳି ଏକ ଅନିଶ୍ଚିତତାପୂର୍ଣ କାର୍ଯ୍ୟରେ ଯୋଗ ଦେଇଛି । ଗତ ୩୦ ବର୍ଷର ଯାତ୍ରା କେବଳ ସମ୍ଭବ ହୋଇଛି ମାଆବାପାଙ୍କ ଆଶିର୍ବାଦ ଓ ଗାନ୍ଧିବାଦୀ ବିଶ୍ଵନାଥ ପଟ୍ଟନାୟକ (ସମ୍ମାନୀୟ ‘ଆଜ୍ଞା’), ଡକ୍ଟର ରତନ ଦାସ, ମଧୁସୂଦନ ସାହୁ ଓ ଯମୁନାଲାଲ ବଜାଜ ପୁରସ୍କାରପ୍ରାପ୍ତ ଶ୍ରୀମତୀ ଶାନ୍ତି ଦେବୀଙ୍କ ଦିଗ୍‌ଦର୍ଶନ ଏବଂ ମୋର ଜୀବନସାଥୀ ବାଦଲ କୁମାରଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ।

ଏ ସବୁ ଲେଖିବାର କାରଣ ହେଉଛି ଯେ କିପରି ମୋ’ ପରି ଏକ ଆଦିବାସୀ ଝିଅ ସେକାଳରେ ପରମ୍ପରାକୁ ସମ୍ମାନ ଦେଇଛି ଏବଂ ତା’ର ଅଦମ୍ୟ ଇଚ୍ଛା ବଳରେ ମୁଖ୍ୟସ୍ରୋତରେ ମଧ୍ୟ ସାମିଲ ହୋଇଛି। ମୋ ଭଳି କେତେକ ମଧ୍ୟ ଏଭଳି ପଥ ଅନୁସରଣ କରିଥିବେ। ଏକ ଅନୁକୁଳ ତଥା ଆବାସିକ ପରିବେଶରେ ପରମ୍ପରା ଓ ମୁଖ୍ୟସ୍ରୋତର ସଂଗମ ଘଟେ ବୋଲି ମୋର ଅନେକ ସମୟରେ ପ୍ରତ୍ୟୟ ହୋଇଛି। ତେଣୁ ସରକାରଙ୍କ ଦ୍ଵାରା ପରିଚାଳିତ ଆଦିବାସୀମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ​‌ରେ ଏହି ପ୍ରକ୍ରିୟା ସମ୍ଭବ ବୋଲି ମୋର ଏହି ଉକ୍ତିକୁ ବାରମ୍ବାର ଦୋହରାଇବାକୁ ମୁଁ କୁଣ୍ଠାବୋଧ କରିବି ନାହିଁ। ତେବେ ନିକଟ ଅତୀତରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଯେଭଳି ଭାବେ ନାବାଳିକା ଆଦିବାସୀ ଛାତ୍ରୀମାନେ ଅନ୍ତଃସତ୍ତ୍ଵା ହେଉଛନ୍ତି, ପ୍ରସବ କରୁଛନ୍ତି, ତାହା ମୋ’ ବିଶ୍ଵାସର ଏରୁଣ୍ଡିବନ୍ଧ ଡେଇଁ ହୃଦୟକୁ ଆନ୍ଦୋଳିତ କରୁଛି। କେଉଁଠି ଭୁଲ୍‌ ରହିଛି? କେଉଁଠି କଳୁଷତା ଗ୍ରାସ କରୁଛି? ପରମ୍ପରାରେ ନା ମୁଖ୍ୟସ୍ରୋତରେ? ଆଦିବାସୀ ପରମ୍ପରାରେ ମୋର ପ୍ରଗାଢ଼ ବିଶ୍ଵାସ। ସେଠାରେ ଧର୍ଷଣ ହୁଏ ନାହିଁ। ଲୁଚାଛପାରେ ଝିଅଟି ଅନ୍ତଃସତ୍ତ୍ଵା ହୁଏ ନାହିଁ। ପରକୀୟା ପ୍ରୀତି ହୁଏ ନାହିଁ। ଯୌତୁକ ଜନିତ ନିର୍ଯାତନା ବା ହତ୍ୟା ହୁଏ ନାହିଁ। ଆମ ସମାଜ ଝିଅ ଓ ପୁଅର ପ୍ରେମକୁ ସ୍ଵୀକୃତି ଦିଏ ଏବଂ ସେମାନଙ୍କର ବିବାହକୁ ପୂରା ଗାଆଁ ଉପଭୋଗ କରେ, ବିଭୋର ହୁଏ। ଛାଡ଼ପତ୍ର ବ୍ୟବସ୍ଥା ଓ ବିଧବା ବିବାହ ପ୍ରଥା ଅତି ସରଳ। କନ୍ୟାଭ୍ରୂଣ ହତ୍ୟା ହୁଏ ନାହିଁ। ଝିଅ ଜନ୍ମ ହେଲେ ଅଫୁରନ୍ତ ଆନନ୍ଦରେ ମାତି ଯାଆନ୍ତି ମାଆବାପା, ପରିବାର ଓ ସମାଜ। ତେଣୁ ତଥାକଥିତ ‘ମୁଖ୍ୟସ୍ରୋତ’ ସହ ଆମ ପରମ୍ପରାର ତୁଳନା କରିବା ମୋର ଧୃଷ୍ଟତା ହେବ। ଆମ ପରମ୍ପରାରେ କିଛି କଳୁଷତା ନାହିଁ। କହିଲେ ମଧ୍ୟ ଭୁଲ୍‌ ହୋଇଯିବ। ଉଦାହରଣ ସ୍ଵରୂପ ଝିଅଟି ରଜବତୀ ହେଲେ ଏବେ ବି ବିବାହ ହୋଇଯାଏ। ତେଣୁ ଅନେକ ଜାଗାରେ ବାଲ୍ୟ ବିବାହ ପ୍ରଚଳିତ। ଆଦିବାସୀଟିଏ ଆନନ୍ଦରେ କୁରୁଳି ଉଠିଲେ ସେ ତା’ର ସାଙ୍ଗସାଥୀ ଓ ଗୋଷ୍ଠୀକୁ ସାମିଲ କରି ମଦ୍ୟପାନ କରିଥାଏ। ଏକ ସାମାଜିକ କର୍ମୀ ହିସାବରେ ବାଲ୍ୟବିବାହ ପ୍ରଥା ଓ ମଦ ବିରୋଧରେ ଆଦିବାସୀଙ୍କୁ ସଚେତନ କରାଇ ସୁଦ୍ଧା ଏତେଟା ସଫଳତା ପାଇପାରି ନାହିଁ।

ପ୍ରଶ୍ନ ଉଠେ, ମୁଖ୍ୟ ସ୍ରୋତର ମୂଲ୍ୟବୋଧରେ ଏତେଟା ବିଶ୍ଵାସ କରୁ ନଥିବା ମୋଭଳି ଆଦିବାସୀ ଝିଅଟିଏ କାହିଁକି ଉଚ୍ଚଶିକ୍ଷିତା ହେଲା ଓ ଶିକ୍ଷକତାକୁ ଆଦରି ନେଲା। ମୁଁ ଆଗରୁ କହି ରଖିଛି, ମୁଁ ଯେଉଁଠାରେ ରହି ପଢ଼ୁଥିଲି ସେଠାକାର ପରିବେଶକୁ ସୌନ୍ଦର୍ଯ୍ୟମୟ କରିଥିଲେ ମଧୁ ଆଜ୍ଞା ଓ ବିଶ୍ଵନାଥ ଆଜ୍ଞାଙ୍କ ଭଳି ଆଦିବାସୀ ପରମ୍ପରାକୁ ସମ୍ମାନ ଦେଉଥିବା ମୁଖ୍ୟସ୍ରୋତୀ ବିଶିଷ୍ଟ ବ୍ୟକ୍ତିମାନେ। ସେମାନେ ଆମ ଭିତରେ ବିତରଣ କରୁଥିଲେ ସ୍ନେହ, ଶ୍ରଦ୍ଧା ଓ ଆନନ୍ଦ। ସେମାନଙ୍କର ଜୀବନଧାରଣର ମାନ ଓ ମୂଲ୍ୟବୋଧଗୁଡ଼ିକ ଦ୍ଵାରା ଆମେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲୁ।

ସେତେବେଳେ ବି ପୋକରା ପାଣିଆ ଡାଲି ଓ ଗୋଡ଼ିମିଶା ଭାତ ଥିଲା। ବିଦ୍ୟାଳୟରେ ପାଚେରୀ ନଥିଲା। ପାଚେରି କାନ୍ଥରେ ଶିଶୁଅଧିକାର ଟୋଲ୍‌ ଫ୍ରି ନମ୍ବର ନଥିଲା। ଆଜି ଭଳି ଭିତ୍ତିଭୂମି ବି ନଥିଲା। ତଥାପି ଥିଲା ମନ ଭିତରେ ଶିଖିବାର ଏକ ଅଫୁରନ୍ତ ଇଚ୍ଛା। ଗୁଣପୁର ସହରର ମୁଖ୍ୟ ରାସ୍ତାରେ ସାଇକେଲ ଚଢ଼ି ଗଲା ବେଳେ ମୋତେ କେତେକ ରୁଢ଼ିବାଦୀ ଲୋକ ବିରୋଧ କରିଥିଲେ। ଆଜି ସେପରି ନାହିଁ। ଝିଅଙ୍କ ପାଇଁ ସ୍କୁଲ କଲେଜରେ ମାଳମାଳ ସାଇକେଲ। ପିଲାଙ୍କ ପାଇଁ ମାଗଣା ଜାମା, ପ୍ୟାଣ୍ଟ୍‌, ଲ୍ୟାପ୍‌ଟପ୍‌ ଇତ୍ୟାଦି। ଆଦିବାସୀ ବାଳିକାମାନଙ୍କୁ ଯୌନନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଆଦିବାସୀ ମନ୍ତ୍ରାଳୟରୁ ମାଳମାଳ ନିୟମ ଲାଗୁ ହୋଇଛି। ତଥାପି ମୁଖ୍ୟସ୍ରୋତରେ ଏ କଳୁଷତା କାହିଁକି?

ନିକଟରେ ରାୟଗଡ଼ ସହର ଉପକଣ୍ଠରେ ଥିବା ଏକଲବ୍ୟ ଆଦିବାସୀ ଆବାସିକ ବିଦ୍ୟାଳୟ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ବିଷୟରେ ଗୁରୁତର ଅଭିଯୋଗ ଆଣିବାରୁ ପ୍ରଧାନଶିକ୍ଷକ ତାଙ୍କର ଇସ୍ତଫାପତ୍ର ଉପରିସ୍ଥ ଅଧିକାରୀଙ୍କୁ ଲେଖି ଦେଇ ଲୁଚି ପଳାଇଲେ। ସେମାନେ ମଧ୍ୟ ଆଉ ଏକ ଅଭିଯୋଗ ଆଣିଥିଲେ ଯେ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନୈତିକ ସଂପର୍କ ବଢୁଛି। କିଛି ଦିନ ତଳେ ନିକଟସ୍ଥ ଭାକୁରଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଲୋକଲୋଚନକୁ ଆସିବା ପରେ ପ୍ରଧାନଶିକ୍ଷକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା। ରାୟଗଡ଼ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂର ଜପାଖାଲ ବିଦ୍ୟାଳୟର ​‌ପ୍ରଧାନଶିକ୍ଷକଙ୍କୁ ଠିକ୍‌ ଏଭଳି ଘଟଣାରେ ବଦଳି କରି ଦିଆଯାଇଛି। ଗାଡ଼ିଶେଷଖାଲ ବିଦ୍ୟାଳୟର ଚାରି ଜଣ ଚତୁର୍ଥ ଶ୍ରେଣୀ ଆଦିବାସୀ ଝିଅଙ୍କୁ ବାରଂବାର ଧର୍ଷଣ କରିଥିଲେ ଉକ୍ତ ବିଦ୍ୟାଳୟର ଜଣେ ଆଦିବାସୀ ଶିକ୍ଷକ ଓ ପିଅନ। ଜାତୀୟ ମାନବିକ ଅଧିକାର ଆୟୋଗ ଉକ୍ତ ପୀଡ଼ିତାମାନଙ୍କୁ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶକ ଦେଇଥିଲେ ବି ତତ୍କାଳୀନ ଜିଲ୍ଲାପାଳ ଯେପରି ଉକ୍ତ ଶିକ୍ଷକଙ୍କୁ ଘଣ୍ଟଘୋଡ଼ାଇ ଚପାଇଦେଲେ ତାହା ଅତ୍ୟନ୍ତ ନିନ୍ଦନୀୟ। କଲ୍ୟାଣସିଂହପୁର ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ଵା ହେବା ପାଇଁ କାହାକୁ ଦାୟୀ କରିବା? ଏହି ଭଳି ଗତ ପାଞ୍ଚ ବର୍ଷ​‌ରେ ୧୬ ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଖୋଦ୍‌ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ସ୍ଵୀକାର କରିଛନ୍ତି। ପୂର୍ବ ବର୍ଷଗୁଡ଼ିକର ହିସାବ ନାହିଁ। ସରକାରୀ ଖାତାକୁ ଯାଇ ନଥିବା ଏଭଳି ଝିଅଙ୍କ ହିସାବ ଶହେଗୁଣରୁ ବି ଅଧିକ ହେବ।

ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ଆଦର୍ଶ ହେବା କଥା ସେଠି ଯଦି ସେମାନଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢ଼ି ଉଠେ ଓ କୋମଳମତି ଶିଶୁମାନେ ଏସବୁ ଦେଖନ୍ତି, ତେବେ ସେମାନେ ପ୍ରଭାବିତ ହେବା ସ୍ଵାଭାବିକ। ଯେଉଁଠି ଶିକ୍ଷକଟି ଛାତ୍ରୀମାନଙ୍କୁ ଯୌନନିର୍ଯାତନା ଦିଏ, ସେଠାରେ ଅନ୍ୟାନ୍ୟ ଛାତ୍ରଙ୍କ ଉପରେ ପ୍ରଭାବ ଅନୁମେୟ। ଯେଉଁଠି ଉପରିସ୍ଥ ଅଧିକାରୀମାନେ ଯୌନନିର୍ଯାତନାକାରୀଙ୍କୁ ଘଣ୍ଟ ଘୋଡ଼ାନ୍ତି ବା ସସ୍‌ପେଣ୍ଡ୍‌ କରି ଦେଇ ନିଜର ଦାୟିତ୍ଵ ସାରିଦେବାର ବାହାବା ନିଅନ୍ତି, ସେଠାରେ ଆଉ କ’ଣ ଆଶା କରିବା? ପରୋକ୍ଷ ଭାବେ ଦାୟୀ ମେସ୍‌ ବା ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କୁ ସସ୍‌ପେଣ୍ଡ୍‌ କରିବାଟା ‘‘କାଣୀ ବିରାଡ଼ିର କୁଜି ଅସରପା ଉପରେ ରାଗ’’ ଭଳି। ନିର୍ଯାତନାକାରୀ ଶିକ୍ଷକଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଟିଏ ପୁଲିସ କେସ୍‌ ଦେଇ ଗିରଫ କରାଇବାର ନଜିର କ୍ଵଚିତ୍‌। ଏଭଳି ଘଟଣା ଘଟିଚାଲିଥିବା ବେଳେ ସ୍ଥାନୀୟ ଏମ୍‌.ଏଲ୍‌.ଏ. ଓ ମନ୍ତ୍ରୀଙ୍କ ନୈତିକ ଦାୟିତ୍ଵ କ’ଣ? ସେମାନଙ୍କୁ ଓ ଜିଲ୍ଲାପାଳଙ୍କୁ କାହିଁକି ବରଖାସ୍ତ କରା ନଯିବ, ଏହା ବିଚାର୍ଯ୍ୟ। ଅନ୍ତଃସତ୍ତ୍ଵା ଥିବା ସମୟରେ ଝିଅଟିଏ ଯେତେବେଳେ ଘରେ ରହୁଛି ତା’ର ମାଆବାପା ଏ ବିଷୟରେ ଜାଣି ତତ୍କାଳ ପଦକ୍ଷେପ ନେବା ଉଚିତ ନୁହେଁ କି? ପରମ୍ପରା ଉପରେ ମୁଖ୍ୟସ୍ରୋତର ଆକ୍ରମଣ ପାଇଁ ଦାୟୀ କିଏ?

ମୋର ଅନେକ ଶୁଭେଚ୍ଛୁ ମୋତେ ଏବେ ବି ପ୍ରଶ୍ନ କରନ୍ତି ଯେ ଏସବୁର ସମାଧାନ କ’ଣ? ଏ ବିଷୟରେ ଆଗରୁ ଅନେକ ମତାମତ ଦେଇଛି, ଲେଖିଛି। ହେଲେ ଶୁଣୁଛି, ପଢୁଛି ଓ କାର୍ଯ୍ୟକାରୀ କରୁଛି କିଏ? ମୁଁ ଓ ଆମେମାନେ ଉଠାଉଥିବା ପ୍ରଶ୍ନଗୁଡ଼ିକ ମଧ୍ୟରେ କିଛି କିଛି ସମାହିତ। ଆମେ ପରଂପରାର ଦ୍ଵାହି ଦେଇ ଏକ ଦ୍ଵୀପ ହୋଇ ବଞ୍ଚିବାକୁ ଚାହୁନା। ମୁଖ୍ୟସ୍ରୋତରେ ସାମିଲ ହୋଇ ଆମେ ବି ଏହାର ସାତ୍ତ୍ଵିକ ଆନନ୍ଦ ନେବାକୁ ଆଗଭର। ମୁଖ୍ୟସ୍ରୋତର ନାୟକମାନେ ଆମ ପରମ୍ପରାକୁ ସମ୍ମାନ ଦେବେ ଏବଂ ପରମ୍ପରା ଓ ମୂଲ୍ୟବୋଧର ଏକ ସମନ୍ୱୟ ଆଣିବେ, ଏ ବିଷୟରେ ମୁଁ ଆଶାବାଦୀ। ନଚେତ୍ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏକ ନରପିଶାଚ, ରାଜନୈତିକ ନେତାର ଭାଷଣ ଭଳି ହେବ।