05 मई 2015

ଅପରାଧର ନାଟ୍ୟ ରୂପାନ୍ତର

ଟିଭି ଚ୍ୟାନେଲକୁ କିଛି ପ୍ରସଙ୍ଗ ନମିଳିଲା ଭଳି କଥା ଇଏ। କାରଣ କେତେକ ଅଧଘଣ୍ଟିଆ ଅଥବା ଘଣ୍ଟିକିଆ କାର୍ଯ୍ୟକ୍ରମ ବିଭିନ୍ନ ଚ୍ୟାନେଲରେ ପ୍ରଦର୍ଶିତ ହେଉଛି, ଯେଉଁଥିରେ ରହିଛି - ଅପରାଧର ନାଟ୍ୟ ରୂପାନ୍ତର। ମୁଖ୍ୟତଃ ହତ୍ୟାକାଣ୍ଡର କାରଣ ଦର୍ଶାଇବାକୁ ଯାଇ ତାହାର ଆଉ ଥରେ ନାଟକୀୟ ଦୃଶ୍ୟାୟନକୁ ଭିଡ଼ିଓ ରେକଡିଂ କରି ଦର୍ଶକଙ୍କୁ ଦେଖାଇ ଦିଆଯାଉଛି। ଯିଏ ଉପସ୍ଥାପକ ହେଉଛନ୍ତି, ସେ ବି ଜଣେ ଖଳନାୟକ ଭଳି ସଂଳାପ ଝାଡ଼ୁଛନ୍ତି, ସେଭଳି ନାନାଦି ଭଙ୍ଗୀ ଦେଖାଉଛନ୍ତି। ହୁସିଆର ହେବା ପାଇଁ ଭୟ ଦେଖାଉଛନ୍ତି। ତେବେ ହତ୍ୟାକାଣ୍ଡ କାହିଁକି ହେଲା, କେମିତି ହେଲା, ତାହା ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଦାଲତକୁ ଯଥା ସମୟରେ ବିବରଣୀ ଦେବା କଥା। କିନ୍ତୁ ତାହାକୁ ଟେଲିଭିଜନରେ ଦେଖି ଲୋକମାନେ ଉଲ୍ଲସିତ ହେବା କ’ଣ ଜରୁରୀ କି? ବରଂ ସେଭଳି ଦୃଶ୍ୟ ଦେଖି ଦର୍ଶକମାନେ ନିଜ ନିଜ ଜୀବନରେ କୌଣସି ସମପ୍ରକାରର ସମସ୍ୟା ଥିଲେ, ସେହି ପ୍ରଦର୍ଶିତ ଢଙ୍ଗରେ ଘଟଣାକୁ ଚୂଡ଼ାନ୍ତ ରୂପ ଦେବାକୁ ଦୁଃସାହସ କରୁଛନ୍ତି। ଅର୍ଥାତ୍‌ ମଣିଷମରା ପାଲଟୁଛନ୍ତି ଅଥବା ସମପ୍ରକାରର ଅପରାଧ ଘଟାଇବାକୁ ଉତ୍ସାହିତ ହେଉଛନ୍ତି। ଆମ୍ଭେ କିଛି ନୂଆ କଥା କହୁ ନାହୁଁ। କାରଣ ଏହାକୁ ବହୁତ ମନିଷୀ ବହୁ ବର୍ଷ ଆଗରୁ ପରୀକ୍ଷାନିରୀକ୍ଷା କରି କହି ସାରିଛନ୍ତି।

ଓଡ଼ିଆରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ୨୪-ଘଣ୍ଟିଆ ଇନ୍‌ଫୋଟେନ୍‌ମେଣ୍ଟ୍‌ ଚ୍ୟାନେଲ ଇଟିଭି (ଓଡ଼ିଆ) ପ୍ରଦର୍ଶିତ କରିଥିଲା। ୪ ମେ ୨୦୧୫ ସୋମବାର ଠାରୁ ଇଟିଭି-ନ୍ୟୁଜ୍‌ (ଓଡ଼ିଆ) ନାମରେ ଏକ ୨୪-ଘଣ୍ଟିଆ ଖବର ଚ୍ୟାନେଲ ରୂପେ ଆତ୍ମପ୍ରକାଶ କରିବା ପରେ  ବି ହୁଏତ ଅପରାଧର ନାଟ୍ୟ ରୂପାନ୍ତର ପ୍ରଦର୍ଶନ କରିବାର ମୋହ ଛାଡ଼ି ପାରିବ ନାହିଁ। ଏହି ବ୍ଲଗ୍‌ ମାଧ୍ୟମରେ ଆମ୍ଭେ ନିବେଦନ କରୁଛୁ କି ଏକ ସଭ୍ୟ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ମୁଖ୍ୟସ୍ରୋତ ଗଣମାଧ୍ୟମ ନିଜନିଜ ଦାୟିତ୍ଵ ଓ ଭୂମିକା ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ଏକ ଅଗ୍ରଣୀ ଗଣମାଧ୍ୟମ ରୂପେ ଇଟିଭି-ନ୍ୟୁଜ୍‌(ଓଡ଼ିଆ), ଅପରାଧର ନାଟ୍ୟରୂପାନ୍ତର କରିବାର ମୋହ ସମ୍ବରଣ କରୁ। ପରେ ଅନ୍ୟ ଅନୁଗାମୀ ଚ୍ୟାନେଲମାନେ ପନ୍ଥା ଅନୁସରଣ ପାଇଁ ଉତ୍ସାହିତ ହେବେ।

କେହି କେହି ଏହା ପଢ଼ିଲା ପରେ ନମ୍ର ହେବା ପରିବର୍ତେ ଯୁକ୍ତି ବାଢ଼ି ପାରନ୍ତି ଯେ ଅମୁକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଦେଖାଉଛି, ସମୁକ ମନୋରଂଜନଧର୍ମୀ ଚ୍ୟାନେଲ ଏଭଳି କାର୍ଯ୍ୟକ୍ରମ ଦେଖାଉଛି, ଆମେ କାହିଁକି ଦେଖାଇବୁ ନାହିଁ? ତେବେ ଅନ୍ୟ ସବୁକ୍ଷେତ୍ରରେ ସେହି ଚ୍ୟାନେଲ୍‌ ସହ ତୁଳନା କରି ନିଜକୁ ପରଖି ପାରିଲେ, ସେହି ଯୁକ୍ତିର କିଛି ମୂଲ୍ୟ ରହିବ।

ଅନ୍ୟ କୌଣସି ଚ୍ୟାନେଲର ନାମ ଧରିବାକୁ ଆମ୍ଭେ ଏଠାରେ ଚାହୁ ନାହୁଁ। କିନ୍ତୁ ଓଡ଼ିଶାର ପ୍ରାୟ ୧୫ ବର୍ଷର ଇତିହାସ, ରାଜନୀତି, ସମାଜ, ଦର୍ଶନ ଓ ଭାବପ୍ରବଣତା ସହ ଇଟିଭି(ଓଡ଼ିଆ) ପ୍ରତ୍ୟକ୍ଷ ଭାବରେ ଗୁନ୍ଥି ହୋଇ ରହିଛି। ତେଣୁ ଖୋଲାଖୋଲି ଭାବେ ଆମ୍ଭେ ଇଟିଭି-ନ୍ୟୁଜ୍‌(ଓଡ଼ିଆ) ଚ୍ୟାନେଲ ଠାରୁ ନୈତିକତା ଆଶା କରୁଛୁ। ଏହା ନୂଆ ଚ୍ୟାନେଲ ଭାବେ ପୁନଃଆତ୍ମପ୍ରକାଶ କରିଥିଲେ ବି ଅନ୍ୟ ଚ୍ୟାନେଲଗୁଡ଼ିକ ପାଇଁ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ ହୋଇପାରିବ। ଯଦିବି ଏଭଳି କାର୍ଯ୍ୟକ୍ରମ, ପ୍ରସାରଣ ପାଇଁ ପୁଞ୍ଜିନିବେଶ ହୋଇସାରିଥାଏ, ଏବଂ ପଂଝାଏ ପେସାଦାର ସେଥିପାଇଁ ନିଯୁକ୍ତ ହୋଇସାରି ଥାଆନ୍ତି, ତଥାପି ସେହି ମୋହ ତ୍ୟାଗ କରିବାକୁ ପଡ଼ିବ ବୋଲି ଆମ୍ଭେ ଦୃଢ଼ ଆଶାବାଦୀ। 

ବିମଳପ୍ରସାଦ, ୯୯୩୭୩୫୩୨୯୩

2 टिप्‍पणियां: