08 मई 2015

ସୋସିଆଲ ମିଡ଼ିଆର କାୟା

ସୁରମା ମିଶ୍ର, ସଂପାଦିକା, ‘ପଶ୍ଚିମାଞ୍ଚଳ’, ରାଉରକେଲା
ସୋସିଆଲ ମିଡ଼ିଆ ହେଉଛି ଏକ ବିଜ୍ଞାପନ ପ୍ରଚାରକ ମାଧ୍ୟମ। ଇଣ୍ଟରନେଟ୍‌ ଦ୍ଵାରା ପରିଚାଳିତ ବାର୍ତା ପ୍ରସାରଣର ଏକ ତ୍ଵରିତ ବ୍ୟବସ୍ଥା। ଏହା ଦ୍ରୁତଗାମୀ ଓ ଦୃଶ୍ୟମାନ ହେଉଥିବାରୁ ବେଳେବେଳେ ଏହାର କିଛିଟା ଖବର, ଜୀବନକୁ ହଲଚଲ କରିଦିଏ। ସମ୍ବାଦର ସତ୍ୟତା ଖୋଜିବା ପୂର୍ବରୁ ଅନେକ ଦୁର୍ଘଟଣା ଘଟିଯାଏ। ସମ୍ବେଦନଶୀଳ ସମ୍ବାଦ ଯଦି ଶୀଘ୍ର ଏବଂ ବ୍ୟାପକ ହୁଏ, ତା’ହେଲେ ସମାଜ ଦୋହଲି ଉଠିବା ସ୍ଵାଭାବିକ। ଗଣମାଧ୍ୟମ କୌଣସି ଘୋଡ଼ାଦୌଡ଼ ପ୍ରତିଯୋଗିତା ନୁହେଁ। ଏହା ସମାଜର ସବୁଠାରୁ ବିଶ୍ଵସନୀୟ ସ୍ତମ୍ଭ। ସେଥିପାଇଁ ପ୍ରିଣ୍ଟ୍‌ ମିଡ଼ିଆ ଓ ଇଲେକ୍‌ଟ୍ରୋନିକ୍‌ ମିଡ଼ିଆଗୁଡ଼ିକ ଉପରେ କଟକଣା ରହିଛି। କିଛି ସମ୍ବାଦ ସତ୍ୟ ହେଲେ ମଧ୍ୟ ଯାହା ସମାଜକୁ କ୍ଷତି ଘଟାଏ, ତାହା ଉପରେ ଅଙ୍କୁଶ ଲାଗିଛି। ସମ୍ବାଦ ପରିବେଷଣ ନିମନ୍ତେ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ। ଏହା ବ୍ୟତୀତ ସମ୍ବାଦ ନିରୀକ୍ଷଣ ନିମନ୍ତେ ସଂପାଦକ ନିଯୁକ୍ତି ହେଉଥିବାରୁ ଏହି ସଂସ୍ଥାଗୁଡ଼ିକର ଦୁର୍ଘଟଣା ସମ୍ଭାବନା ଖୁବ୍‌ କମ୍‌।

ତେବେ ସୋସିଆଲ ମିଡ଼ିଆକୁ ବିଜ୍ଞାପନ ବ୍ୟବସାୟର ମାଧ୍ୟମ କରାଯାଉଥିବାରୁ ନିଜର ଲାଭକୁ ଦୃଷ୍ଟିରେ ରଖି ପ୍ରଚାର ପ୍ରସାର ପାଇଁ ତା’ର ସବୁ ଦ୍ଵାରା ଉନ୍ମୁକ୍ତ ରଖିଛି।ଏହା ବ୍ୟତୀତ ସମ୍ବାଦ, ପ୍ରବେଶର କୌଣସି ନିଷିଦ୍ଧ ପଥ ନଥିବା କିଂବା ସମ୍ବାଦ ନିରୀକ୍ଷକ ବା ସଂପାଦକ ନିଯୁକ୍ତି କରୁ ନଥିବାରୁ କିଛିଟା ସମ୍ବାଦ ସାମାଜିକ ଦୃଷ୍ଟିରେ ହୀନ ମନେ ହେଉଛି। ସେହିଭଳି ଆଜିର ସମାଜ ମଧ୍ୟ ପ୍ରଚାର ପ୍ରସାର ଉପରେ ଅଧିକ ବିଶ୍ଵାସ ରଖୁଥିବାରୁ ଏହି ମିଡ଼ିଆଟି ଦାମ୍ଭିକ ହୋଇ ଚାଲିଛି ଏବଂ ସୋସିଆଲ ନେଟ୍‌ଓ୍ବର୍କିଂର ସହଯୋଗୀ ହୋଇ ଆଗକୁ ମାଡ଼ି ଚାଲିଛି। ଇଣ୍ଟରନେଟ୍‌ ହେଉଛି ସାଂପ୍ରତିକ ସମାଜର ହୃତ୍‌ପିଣ୍ଡ ଭଳି ଏକ କ୍ରିୟାଶୀଳ ଅଙ୍ଗ। ଏହାକୁ ନେଇ ସଭ୍ୟ ସମାଜ ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଏହା ବିନା ସତେ ଯେମିତି ସମୟ ସ୍ତବ୍ଧ ହୋଇଯିବ।

ଫେସ୍‌ବୁକ୍‌, ହ୍ବାଟ୍‌ସ୍‌ଆପ୍‌, ଟୁଇଟର - ସୋସିଆଲ ମିଡିଆର ଏହିଭଳି ଅନେକ ଅଙ୍ଗ ଥିବା ବେଳେ ‘ଫେସ୍‌ବୁକ୍‌’ ଆଜି ବନ୍ଧୁତାର ହାତ ମିଳାଇ ଶତାବ୍ଦୀର ସମ୍ରାଟ ହେବାକୁ ଯାଉଛି।

ଫେସ୍‌ବୁକ୍‌ ଫର୍ଦରେ ଯୋଡ଼ିହେବା କୌଣସି ଅପରାଧ ନୁହେଁ। ତାରି ଭିତରେ ଅନେକ କିଛି ସମ୍ଭାବନା ଲୁଚି ରହିଛି।ନିଃସଙ୍ଗତାର ଏହି ସାଥୀଟି ଅନେକ ସାଥୀ ସଂଗଠନ କରିବା ସହିତ ସାଂପ୍ରତିକ ବିଷୟକୁ ନେଇ ଆଲୋଚନା, ତର୍କବିତର୍କ ଆଦି ପାଇଁ ସୁଯୋଗ ସୃଷ୍ଟି କରୁଛି। ଭାବର ଆଦାନପ୍ରଦାନ ସହ ନିଜର କଳାକୃତି, ଚିନ୍ତାଧାରା ଓ ଫଟୋଚିତ୍ରକୁ ପ୍ରେରଣ କରିପାରୁଥିବାରୁ ଦୂରରେ ରହୁଥିବା ଆତ୍ମୀୟ ସ୍ଵଜନ ଓ ବଂଧୁଙ୍କର ନିକଟତର ହୋଇପାରୁଛି। ବିନାମୂଲ୍ୟରେ ଫେସ୍‌ବୁକ୍‌ରେ ଯୋଡ଼ିହେବା ସହ କଂପ୍ୟୁଟର ଓ ମୋବାଇଲ ଫୋନ୍‌ ଭିତରେ ଏହାର ସୁବିଧା ଥିବାରୁ ଏହି ମାଧ୍ୟମଟି ଅଧିକ ଆକର୍ଷଣୀୟ ହୋଇଯାଇଛି। ଏହାର ଚାହିଦା ଆଜି ସର୍ବାଧିକ। ଏହା ପ୍ରଚାର ପ୍ରସାରର ଏକ ବୃହତ୍ତମ ମାଧ୍ୟମରେ ପରିଣତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ଏହି ସୋସିଆଲ ମିଡ଼ିଆ ସହିତ ଯୋଡ଼ି ହୋଇ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି।

ଅତୀତରେ ମଣିଷର ଶୁଭସକାଳ କପେ ଚାହା, ଖଂଡ଼େ ଖବରକାଗଜରୁ ଆରଂଭ ହେଉଥିଲା। ଆଜି କିନ୍ତୁ ଶୁଭସକାଳ ଆରମ୍ଭ​‌‌ ହେଉଛି ଫେସ୍‌ବୁକ୍‌ ବାର୍ତାରୁ। ଅଧୁଆ ମୁହଁରୁ ନିଜ ମୋବାଇଲଫୋନ୍‌କୁ ଅଣ୍ଡାଳି ହେଉଛି ମଣିଷ। ମୋବାଇଲ ଫୋନ୍‌ର ବୋତାମ ଉପରେ ବାରଂବାର ଅଙ୍ଗୁଳି ଟିପି ଉତ୍କଣ୍ଠାର ସହ ଫେସ୍‌ବୁକ୍‌ ପୃଷ୍ଠା ଓଲଟାଉଛି। ସତେ ଯେମିତି ତା’ରି ଭିତ​‌ରେ ତା’ ପାଇଁ ଅନେକ କିଛି ସାଇତା ରହିଛି। ଖାଲି ସେତିକି ନୁହେଁ, ଗୁଡ଼୍‌ମର୍ନିଙ୍ଗ୍‌ ଠାରୁ ଆରମ୍ଭ କରି ଗୁଡ଼୍‌ନାଇଟ୍‌ ପର୍ଯ୍ୟନ୍ତ ତା’ ସାଥୀରେ ଛାଇ ଭଳି ଲାଗିଛି। କେତେ ଜଣ ତାକୁ ଲାଇକ୍‌ କଲେଣି, କି କମେଣ୍ଟ୍‌ ଆସିଛି, ତା’ ରୂପଚର୍ଯ୍ୟାର କେତେ ପ୍ରଶଂସକ ଅଛନ୍ତି, ଏହାକୁ ନେଇ ସେ ଖୁବ୍‌ ବ୍ୟସ୍ତ।ଏଣେ ଫେସ୍‌ବୁକ୍‌ ସଭ୍ୟସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ ଏହାର ବ୍ୟବହାର ଜାଣୁ ନଥିବା ବ୍ୟକ୍ତି ଦୁର୍ଘଟଣାର ସମ୍ବାଦଟିଏ ଦେଖିଲେ ମଧ୍ୟ ଲାଇକ୍‌ ବୋତାମ ଟିପି ଦେଉଛନ୍ତି; ଯାହାକି ହାସ୍ୟାସ୍ପଦ।

ଲାଇକ୍‌, କମେଣ୍ଟ୍‌, ସେୟାର ତିନୋଟି ଅପ୍ସନ୍‌ ରଖି ଫେସ୍‌ବୁକ୍‌ ଆଜି ତା’ର କାୟା ବିସ୍ତାର କରିବାକୁ ଲାଗିଛି। ତେବେ ତା’ର କିଛି ଉଚ୍ଛୃଙ୍ଖଳ ଘଟଣା ସମାଜର ଯେଉଁଭଳି କ୍ଷତି ଘଟାଉଛି,ତାହା ନିଶ୍ଚିତ ରୂପେ ଅକ୍ଷମଣୀୟ। ଫେସ୍‌ବୁକ୍‌ ଫାସରେ ଛନ୍ଦି ହୋଇ ଯାଉଛି କିଶୋର ବୟସ। ନିଜର ପାଠ୍ୟପୁସ୍ତକ ଭୁଲି ଫେସ୍‌ବୁକ୍‌ ପୃଷ୍ଠା ଭିତରେ ଘାଣ୍ଟି ହେଉଛି। ସେ ଏତେ ଉଦ୍‌ବିଗ୍ନ ଯେ ସାମ୍ନାରେ ବସିଥିବା ଗୁରୁଜନଙ୍କ ପ୍ରତି ମଧ୍ୟ ତା’ର ହିତାହିତ ଜ୍ଞାନ ରହୁ ନାହିଁ। ତରୁଣୀଟିଏ ଶ୍ରୀରାମଚନ୍ଦ୍ରଙ୍କ ଭଳି ବରପାତ୍ରଟିଏ ଖୋଜୁ ଖୋଜୁ ରାବଣ ହାବୁଡ଼ରେ ପଡ଼ିଯାଉଛି। ସେହିଭଳି ଫେସ୍‌ବୁକ୍‌ ଚାଟିଂ, ପୋଖରୀ ତୁଠର ଚୁଗୁଲି ବୁଢ଼ୀକୁ ବି ଟପିଗଲାଣି। ସବୁଠାରୁ ଦୁଃଖଦ ଓ ଲଜ୍ଜାର ବିଷୟ ହେଉଛି ନାରୀର ଅଶ୍ଳୀଳ ଚିତ୍ରକୁ ପ୍ରଦର୍ଶନ କରିବା। ଯଦି ଏହି ଉନ୍ମାଦନାର ପକ୍ଷ ଛେଦନ କରା ନଯାଏ, ତା’ହେଲେ ସମୟକୁ ସଂଭାଳିବା କଷ୍ଟସାଧ୍ୟ ହୋଇଯିବ। କୋଟିକୋଟି ଲୋକ ବ୍ୟବହାର କରୁଥିବା ମିଡ଼ିଆ ଉପରେ ଆଇନର ମଧ୍ୟ କଡ଼ା ଦୃଷ୍ଟି ରହୁ। ସେହିଭଳି ଏହି ମାଧ୍ୟମକୁ ପ୍ରବେଶ କରୁଥିବା ଜନତା ମଧ୍ୟ ସଜାଗ ରୁହନ୍ତୁ। ଡ୍ରାଇଭରଟିଏ ଗାଡ଼ି ଚଳାଇବାରେ ଯେତେ ଦକ୍ଷ ହେଲେ ମଧ୍ୟ ସେ ଯଦି ସତର୍କ ନହୁଏ, ତା’ହେଲେ ଦୁର୍ଘଟଣା ସୁନିଶ୍ଚିତ।


ଆଜିର ସୁପର ବ୍ରେନ୍‌ ଯୁବସମାଜ ଲ୍ୟାପ୍‌ଟପ୍‌, ଟେବ୍‌ଲେଟ୍‌ ଓ ବିଭିନ୍ନ ପ୍ରକାର ମୋବାଇଲ ଧରି ଯେଉଁ ମେଣ୍ଢାପଲ ଭଳି ହେଲେଣି, ତାହାର କୁପ୍ରଭାବର ଆକଳନ ହେବା ଦରକାର। ପ୍ରାକୃତିକ ବ୍ୟବସ୍ଥା ଠାରୁ ଦୂରେଇ ରହି ଯୁବସମାଜ ପାଇଁ କୃତ୍ରିମ ପୃଥିବୀର ଅଭିଯାନ ହିଁ ସମାଜକୁ ଶାସ୍ତି ଦେଉଛି ଏବଂ ବିଜ୍ଞାପନ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଯୋଗାଉଛି। ସେହିଭଳି ଏହି ମାଧ୍ୟମକୁ ଏତେ ମାତ୍ରାରେ ଆବର୍ଜନା ପ୍ରବେଶ କଲାଣି ଯେ ଏହାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ ଫେସ୍‌ବୁକ୍‌ ବଂଦ ହୋଇଯିବାର ଆଶଂକା ଦେଖା ଦେଲାଣି। ଫେସ୍‌ବୁକ୍‌ ଖୋଲିବା ପାଇଁ କୌଣସି ଆଇଡେଣ୍ଟିଫିକେସନ୍ ଲୋଡ଼ା ହେଉ ନଥିବାରୁ ଅପରାଧୀକୁ ଧରିବା ଅସହଜ ହେଉଛି। କିଛି ନହେଲେ ମଧ୍ୟ ଫୋନ୍‌ ନଂବର ରେଜିଷ୍ଟ୍ରେସନ ଲାଗୁ କରାଗଲେ ଜନତା ସାବଧାନ ହୁଅନ୍ତେ ଏବଂ କିଛି ମାତ୍ରାରେ ଏହାର ଅପବ୍ୟବହାର କମି ପାରନ୍ତା।

(ଏହି ନିବଂଧଟି ୧ ମେ ୨୦୧୫ରେ ଭୁବନେଶ୍ଵରରେ ଅନୁଷ୍ଠିତ 
State level Seminar on DIGITAL ODISHA: Challenges & Opportunitiesରେ ଉପସ୍ଥାପିତ)