05 मई 2015

ଓଡ଼ିଆ ଭାଷା- ଆଜି ଓ ଆସନ୍ତାକାଲି

ଡକ୍ଟର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ
(୨୯ ଏପ୍ରିଲ୍‌ ୨୦୧୫ରେ ଇଡ଼କଲ ପ୍ରେକ୍ଷାଳୟ-ଭୁବନେଶ୍ଵରରେ ୧୩ଶ ‘ଆମ ଓଡ଼ିଶା’ ବକ୍ତୃତାମାଳାର ସଂପାଦିତ ଅଂଶ)

ଭାରତ ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦ ଓ ଗୌରବର କଥା। କିନ୍ତୁ ଅଣଓଡ଼ିଆ ଲୋକେ ଆମ ଭାଷାର ପ୍ରାଚୀନତା ସଂପର୍କରେ, ଏହାର ଆଦି ଓ ମଧ୍ୟଯୁଗୀୟ ସାହିତ୍ୟ ସଂପର୍କରେ କିଛି ବି ଜାଣନ୍ତି ନାହିଁ। ଓଡ଼ିଶାରେ ଆମମାନଙ୍କ ମଧ୍ୟରୁ ଅନେକେ ଏ ସଂପର୍କରେ କିଛି ଜାଣିଛନ୍ତି କି ନାହିଁ, ସେ ସଂପର୍କରେ ମଧ୍ୟ ମୁଁ ନିଶ୍ଚିତ ନୁହେଁ। ଦେଖାଯାଏ ଯେ ସରକାରଙ୍କ ଦ୍ଵାରା ଯେଉଁ ନିଷ୍ପତ୍ତି ନିଆଯାଏ, ତାହାକୁ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଯଥେଷ୍ଟ ବୋଲି ମନେ କରନ୍ତି ନାହିଁ। ଏଣୁ ଆମ ଭାଷା ଓ ସାହିତ୍ୟ ଯେ କେତେ ସମୃଦ୍ଧ ତାହା ବିଶ୍ଵବାସୀଙ୍କୁ ଜଣାଇ ଦେବା ଆମ ପାଇଁ ଏକ ଗୌରବାବହ ବିଷୟ ହେବ।

ଆମ ଭିତରୁ ଅନେକେ କ’ଣ ସତରେ ଜାଣନ୍ତି ଯେ ଆମ ଭାଷାର ଏକ ସୁଦୀର୍ଘ ଇତିହାସ ଅଛି ଏବଂ ଆମର ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ? ଏପରିକି ସାସ୍କୃତିକ ପରିଚିତି ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଯେଉଁ ସବୁ କାମ କରାଯିବା ଉଚିତ ଥିଲା, ତାହା କରାଯାଇ ନାହିଁ। ମହାଭାରତକୁ ନେଇ ଆମର ଯେଉଁ ଧାରଣା ରହିଛି, ତାହା ବ୍ୟାସଦେବଙ୍କ ମହାଭାରତକୁ ନେଇ; ସାରଳା ମହାଭାରତକୁ ନେଇ ନୁହେଁ। ସାରଳା ମହାଭାରତ ଆଧାରରେ ଲୋକପ୍ରିୟ ପ୍ରବଚନ କାର୍ଯ୍ୟକ୍ରମ କ’ଣ କେବେ କେଉଁଠି ହୋଇଛି କି?

ଆମେ ଧ୍ରୁପଦୀ (ଓ ମଧ୍ୟଯୁଗୀୟ) ଓଡ଼ିଆର ଅଧ୍ୟୟନ ପାଇଁ ଏକ ‘ଉତ୍କର୍ଷ କେନ୍ଦ୍ର’ ସେଣ୍ଟର ଅଫ୍ ଏକ୍ସଲେନ୍ସ) ପ୍ରତିଷ୍ଠା କରିବା କଥା ଚିନ୍ତା କରିପାରିବା। ଏହା ମୁଖ୍ୟତଃ ଏକ ଗବେଷଣା ପ୍ରତିଷ୍ଠାନ ହେବ ଏବଂ ଉଚ୍ଚକୋଟୀର ଗବେଷଣା ନିମନ୍ତେ ଏକ ସାଧନ କେନ୍ଦ୍ର ଭାବରେ କାମ କରିବ। ଏହାର ଢାଞ୍ଚା ଶିମଳାର ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ଼୍ଭାନ୍ସ୍ଡ଼୍ ଷ୍ଟଡ଼ିଜ୍’ ପରି ହେବ। ଏହାର ଏକ ସମୃଦ୍ଧ ଗ୍ରନ୍ଥାଗାର ରହିବ ଏବଂ ତାହା ଧ୍ରୁପଦୀ ଓ ମଧ୍ୟଯୁଗୀୟ ଓଡ଼ିଆ ଓ ଲୋକସାହିତ୍ୟ ପାଇଁ ଉତ୍ସର୍ଗୀକୃତ ହେବ। ଏହି ପ୍ରତିଷ୍ଠାନ ଫେଲୋସିପ୍ ଦେବା ସହିତ ବିଭିନ୍ନ ଅଭିନବ ବିଷୟରେ ଗବେଷଣା ପ୍ରକଳ୍ପ ପାଇଁ ସହଯୋଗ କରିବ। ଏଥିରେ ‘‘ଇଣ୍ଟର-ଡିସିପ୍ଲିନାରୀ ରିସର୍ଚ’’ ବା ଆନ୍ତର୍ବିଦ୍ୟା ଭିତ୍ତିକ ଗବେଷଣା ସୁବିଧା ଉପଲବ୍ଧ ହେବ। ଗବେଷକମାନେ ଯେପରି ସେଠାରେ ରହି, ଉତ୍ତମ ବାତାବରଣ ମଧ୍ୟରେ ସେହି ଅଧ୍ୟୟନ ଓ ଗବେଷଣାର ସୁବିଧା ପାଇ ପାରିବେ, ତାହାର ବ୍ୟବସ୍ଥା କରିବାକୁ ହେବ। ଏହାର ସହାୟକ କାର୍ଯ୍ୟକ୍ରମ ଭାବରେ ନିୟମିତ ବିରତିରେ ଧ୍ରୁପଦୀ ଓଡ଼ିଆ ବାବଦରେ ସ୍ଵତନ୍ତ୍ର ଓ ସ୍ଵଳ୍ପମିଆଦୀ ପାଠ୍ୟକ୍ରମର ପ୍ରବର୍ତନ ମଧ୍ୟ କରାଯାଇପାରିବ। ଏଥିରେ କୌଣସି ନିୟମିତ ନିଯୁକ୍ତିରେ ଅଧ୍ୟାପକ ରହିବେ ନାହିଁ। ଏହି ପ୍ରତିଷ୍ଠାନର ନିର୍ଦେଶକ ଜଣେ ଉଚ୍ଚକୋଟୀର ବିଦ୍ଵାନ ହୋଇଥିବେ, ଯାହାଙ୍କର ପ୍ରତିଷ୍ଠାନ ପରିଚାଳନା ଓ ବିକାଶ ପାଇଁ ଦକ୍ଷତା ଓ ଦୂରଦୃଷ୍ଟି ଥିବ। ଏହି ପ୍ରତିଷ୍ଠାନ ସଂପୂର୍ଣ ସ୍ଵୟଂଶାସିତ ହେବା ଏକ ଗୁରୁତ୍ଵପୂର୍ଣ ଆବଶ୍ୟକତା।

ଏବେ ବିଭିନ୍ନ କ୍ଷେତ୍ରରେ ଓଡ଼ିଆର ବ୍ୟବହାର ହେଉ ନାହିଁ ବା ଖୁବ୍ କମ୍ ବ୍ୟବହାର ହେଉଛି। ଅନ୍ୟ ଭାଷାରେ କହିଲେ, ଓଡ଼ିଆ ଅବଧାରତ ଭାବରେ ଆଧୁନିକ ଜ୍ଞାନ ଓ ତାହାର ପ୍ରୟୋଗ ଯଥା: ବିଜ୍ଞାନ ଓ କାରିଗରୀ କୌଶଳ, ସୂଚନା ପ୍ରଯୁକ୍ତି ଓ ମାନବ ବିଜ୍ଞାନର ଭାଷା ହେବା ଆବଶ୍ୟକ। ଏହାକୁ ବିଶ୍ଵର ଆନ୍ତର୍ଜାତିକ ଯୋଗାଯୋଗର ଭାଷା କରିବା ଆମ କ୍ଷମତା ଓ ଶକ୍ତିର ବହିର୍ଭୂତ। ଯଦି ବି ପୂର୍ବସୂଚିତ ଭିତ୍ତିରେ ଆମ ଭାଷା ଏକ ଜ୍ଞାନ ଅର୍ଜନର ଭାଷା ହୁଏ, ତଥାପି ମଧ୍ୟଆଜିର ବିଶ୍ଵାୟିତ ବିଶ୍ଵରେ ଏହା ଅର୍ଥନୈତିକ ଦୃଷ୍ଟିରୁ ସୀମିତ ସୁବିଧା, ସୁଯୋଗର ଏକ ଭାଷା ହୋଇ ରହିବ।

ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ମୋର ଚିନ୍ତା ଓ ଭାବନାର ନିର୍ଦିଷ୍ଟ କେତୋଟି ଆଧାର ଅଛି:

କ) ଓଡ଼ିଆ ଭାଷା ପାଇଁ ଇଂରାଜୀ ଭାଷା ଏକ ବିପଦ ନୁହେଁ। କାରଣ କୌଣସି ଭାଷା ଅନ୍ୟ ଏକ ଭାଷା ପାଇଁ ବିପଦ ନୁହେଁ। ‘ବିପଦ’ ବା ‘ଥ୍ରେଟ୍’ ଏହି ପରିପ୍ରେକ୍ଷୀରେ ଏ ବିଭ୍ରାନ୍ତକାରୀ ଆଖ୍ୟା। ଆମେ କେବେ ବି ଇଂରାଜୀକୁ ଏଡ଼େଇ ଯାଇ ପାରିବା ନାହିଁ। ଏବେ ଆମର ଆବଶ୍ୟକ ଅନେକ ଦକ୍ଷ ଅନୁବାଦକ।

ଖ) ସାଧାରଣତଃ ଦେଖାଯାଉଛି ଯେ ଆମେ ଓଡ଼ିଆ କହିଲା ବେଳେ ତା’ ଭିତରକୁ ଅନେକ ଇଂରାଜୀ ଶବ୍ଦ ପଶି ଆସୁଛି। ବିଶେଷ କରି ଯେଉଁ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ନାହିଁ, ସେଠି ଏହା ବେଶି ହେଉଛି। ଅନ୍ୟ ଭାରତୀୟ ଭାଷାରେ ବି ଏପରି ହେଉଛି। ଓଡ଼ିଆ ଭାଷା ନିଜ ଭାଷାଭଣ୍ଡାରରେ ଯେପରି ଅନେକ ବୈଦେଶିକ ଶବ୍ଦକୁ ଗ୍ରହଣ କରିଛି, ଇଂରାଜୀ ଭାଷାରେ ବି ଠିକ୍ ସେଇ କଥା ହୋଇଛି। ଭାଷା ସମୃଦ୍ଧିର ଏହା ଏକ ସ୍ଵାଭାବିକ ପ୍ରକ୍ରିୟା।

ଗ) ନିଜ ପିଲାଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷା ପାଇଁ ପଠାଉଥିବା ଲୋକେ ଓଡ଼ିଆ ସଂସ୍କୃତିର ଶତ୍ରୁ ନୁହନ୍ତି। ଯେଉଁ ଓଡ଼ିଆମାନେ ଉଚ୍ଚଶିକ୍ଷା ଗବେଷଣା ପାଇଁ ଆମେରିକା ବା ଇଂଲଣ୍ଡ ଯାଉଛନ୍ତି, ସେମାନେ ବି ଓଡ଼ିଶାର ଶତ୍ରୁ ନୁହନ୍ତି। କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନାହିଁ। କିନ୍ତୁ ଓଡ଼ିଶାରେ ନିଜ ପିଲାଙ୍କୁ ଅନେକେ ଇଂରାଜୀ ମାଧ୍ୟମ ସ୍କୁଲକୁ ପଠାଇବାର କାରଣ ହେଉଛି, ସେମାନଙ୍କର ଧାରଣା ରହିଛି ଯେ ଓଡ଼ିଆ ମାଧ୍ୟମ ସ୍କୁଲ ଠାରୁ ତାହା ଭଲ। ଏଣୁ ଏବେର ସମୟକୁ ଚାହି ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକୁ ଉନ୍ନତ କରିବା ସହିତ, ତାହାର ପାଠ୍ୟକ୍ରମର ଆଧୁନିକୀକରଣ କରିବା। ଫଳରେ ଆମ ପିଲାମାନେ କଂପ୍ୟୁଟର, ପରିବେଶବିଜ୍ଞାନ ଇତ୍ୟାଦି ସହିତ କମ୍ ବୟସରୁ ପରିଚିତ ହୋଇପାରିବେ।

କମ୍ ବୟସରୁ ଇଂରାଜୀ ପଢ଼ିବାର ପକ୍ଷପାତୀ ମୁଁ ନୁହେଁ। ମୋ ବିଚାରରେ ମୁଖ୍ୟ ସମସ୍ୟା ହେଉଛି, ଆମର ଭଲ ଇଂରାଜୀ ଶିକ୍ଷକ ନାହାନ୍ତି। ଫଳରେ ଆମ ପିଲାଏ ଯେଉଁ ଇଂରାଜୀ ସହିତ ପରିଚିତ ହେଉଛନ୍ତି, ତାହା ଏତେ ଦୁର୍ବଳ ଯେ ସେହି ଅଶୁଦ୍ଧ ଓ ଅଗ୍ରହଣୀୟ ଇଂରାଜୀ ଯୋଗୁ ସେମାନେ ଇଂରାଜୀ ଭାଷା ମାଧ୍ୟମରେ ମିଳୁଥିବା ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ଅପାଂକ୍ତେୟ ଲୋକଙ୍କ ଭିତରେ ହିଁ ଇଂରାଜୀର ଚାହିଦା ଅଧିକ ବୃଦ୍ଧି ପାଇଛି। ତେଣୁ ଆମକୁ ଇଂରାଜୀ ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ, ଯେମିତିକି ସବୁ ପିଲା ତାହା ଦ୍ଵାରା ଉପକୃତ ହୋଇପାରିବେ।

ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ପ୍ରସଙ୍ଗର ଭାଷା ବିକାଶ ସହିତ କିଛି ସଂପର୍କ ନାହିଁ। ଯେଉଁ ଭାଷା ଅତି ମାତ୍ରାରେ ବିପନ୍ନ ବା ଯେଉଁ ଭାଷାରେ ଲିପି ନାହିଁ, ସେସବୁ ପାଇଁ ଏ ପଦକ୍ଷେପଟି ଗୁରୁତ୍ଵପୂର୍ଣ। ଯଦି ଆଇନ ଅଦାଲତର ଭାଷା, ଓଡ଼ିଆ ହେବ, ତେବେ ନିଶ୍ଚିତ ଭାବରେ ଏହା ଆଧୁନିକ ବ୍ୟାଖ୍ୟାନର ଭାଷା ହୋଇପାରିବ। କିନ୍ତୁ ଆଶଙ୍କା ହେଉଛି ଯେ ଅନେକଙ୍କ ପାଇଁ ଅନେକ ଦିନ ଧରି ଏଥିରେ ବାଞ୍ଛିତ ଗୁଣମାନ ନରହି ପାରେ। ଆଜି ତୀବ୍ର ପ୍ରତିଯୋଗିତାପୂର୍ଣ ସମୟରେ, ଯେଉଁଠି ଜ୍ଞାନ ହିଁ ଶକ୍ତି, ସେହି ସ୍ଥଳେ ଛାତ୍ରଛାତ୍ରୀମାନେ ହୁଏତ ‘ହାରି ଯାଇଥିବା ପିଢ଼ି’ ହୋଇ ଯାଇ ପାରନ୍ତି। ଏଥିରେ ଆମର ହିଁ ଅନେକ ବେଶି କ୍ଷତି ହେବ।

ଏଣୁ ମୋ ମତରେ ପ୍ରଥମେ ଆମ ଭାଷାରେ ସାଧନଗୁଡ଼ିକ ସୃଷ୍ଟି କରାଯାଉ। ତା’ପରେ କ୍ରମେ ଆମେ ଆମ ପିଲାଙ୍କୁ ଆମ ଭାଷା ମାଧ୍ୟମରେ ଶିକ୍ଷା ଦେବା। ହୁଏତ ‘ମିଡ଼ିଆ ଷ୍ଟଡ଼ିଜ୍’ ଭଳି ନୂଆ କ୍ଷେତ୍ରରେ ଏପରି ସାଧନ ସୃଷ୍ଟି କରାଯାଇ ପାରିବ। ଏଥିରେ ଆଞ୍ଚଳିକ ଭାଷାର ମିଡ଼ିଆ, ପାରିବେଶିକ ଅଧ୍ୟୟନ, ସର୍ଜନଶୀଳ ରଚନା, ଭାଷାଶିକ୍ଷା, କଂପ୍ୟୁଟରର ପ୍ରୟୋଗ ଆଦିକୁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଇପାରିବ। ଓଡ଼ିଆ ଭାଷା ଓ ସଂସ୍କୃତି - ଯେଉଁଥିରେ ଆମର ଏକ ଦୃଢ଼ ଭିତ୍ତି ଅଛି, ତାହାର ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରିବ। ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ଓଡ଼ିଆରେ ଅନେକ ଭଲ କୃତି ଥିବା ବେଳେ, ଆମର ଉଚ୍ଚତର ଶିକ୍ଷାକ୍ଷେତ୍ରର ଅନୁଷ୍ଠାନମାନେ ଓଡ଼ିଆ ଭାଷା ଶିକ୍ଷାକୁ ସେମାନଙ୍କର ପାଠ୍ୟକ୍ରମରେ ସ୍ଥାନିତ କରି ନାହାନ୍ତି। ଆମ ବିଶ୍ଵବିଦ୍ୟାଳୟଗୁଡ଼ିକର ଓଡ଼ିଆ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଭାବରେ ନାମିତ ହେଲେ ମଧ୍ୟ ସେସବୁରେ ଓଡ଼ିଆ ଭାଷା ପ୍ରତି ସର୍ବନିମ୍ନ ଧ୍ୟାନ ଦିଆଯାଉ ନଥିବା ଦେଖାଯାଉଛି।

ପ୍ରାରମ୍ଭିକ ଭାବେ ଆମକୁ ବଛାବଛା, ପ୍ରସିଦ୍ଧ ପାଠ୍ୟପୁସ୍ତକ ଓ ବିବିଧ ବିଷୟକ ଜ୍ଞାନଗ୍ରନ୍ଥଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିବାକୁ ପଡ଼ିବ। ବୈଷୟିକ ଶବ୍ଦାବଳୀର ଶବ୍ଦାର୍ଥ ସୂଚୀ ପ୍ରସ୍ତୁତ କରିବାକୁ ପଡ଼ିବ। କିନ୍ତୁ କେବଳ ଅନୁବାଦ ଦ୍ଵାରା ଗୋଟିଏ ଭାଷାରେ ଜ୍ଞାନର ଭଣ୍ଡାର ସୃଷ୍ଟି କରାଯାଇପାରିବ ନାହିଁ। ଏଣୁ ଆମ ଭାଷାରେ ଜ୍ଞାନସର୍ଜନର ମୌଳିକ ସାହିତ୍ୟ ଆମକୁ ସୃଷ୍ଟି କରିବାକୁ ପଡ଼ିବ। ସାମାଜିକ ବିଜ୍ଞାନ ଓ ମାନବ ବିଜ୍ଞାନର କ୍ଷେତ୍ରକୁ ଆମକୁ ଗୁରୁତ୍ଵ ଦେବାକୁ ହେବ। ଯେଉଁସବୁ ତଥ୍ୟ ଅଛି, ତାକୁ ଆଧୁନିକ ପରିପ୍ରେକ୍ଷୀରେ ଉପସ୍ଥାପିତ କରିବା। ଉଦାହରଣ ସ୍ଵରୂପ ଆମ ଇତିହାସରେ ବିଜେତାଙ୍କୁ ମହିମାନ୍ୱିତ ଓ ବିଜିତଙ୍କୁ ନ୍ୟୂନ କରି ଦେଖାଇବାର ପ୍ରବଣତା ଅଧିକ। ସେହିପରି ବିଜ୍ଞାନ କ୍ଷେତ୍ରରେ ଆମେ ବୈଜ୍ଞାନିକ ତତ୍ତ୍ଵ ବା ବୈଷୟିକ ବିଜ୍ଞାନରୁ ଆରମ୍ଭ ନକରି ମହାନ୍ ବୈଜ୍ଞାନିକ ଚିନ୍ତା ଭାବନା, ଇତିହାସର ଅମଳିନ ଅଧ୍ୟାୟ, ବିଜ୍ଞାନର ସମାଜତତ୍ତ୍ଵ ଓ ବିଜ୍ଞାନର ଦର୍ଶନ ଆଦି ସଂପର୍କରେ ଲେଖାମାନ ପ୍ରସ୍ତୁତ କରିପାରିବା। The Structure of Scientific Revolution, Against Method, The Act of Creation, The Sociology of Science ଏହାର କେତୋଟି ଉଦାହରଣ। ଏପରିକି ଆମକୁ A Peoples History of Science ପରି କୃତିକୁ ବାଛିବାକୁ ପଡ଼ିବ। ଏହା ଓଡ଼ିଆରେ ବିଜ୍ଞାନର ଆଲୋଚନା ପାଇଁ ଏକ ଗୁରୁତ୍ଵପୂର୍ଣ ପରିବେଶ ପ୍ରସ୍ତୁତ କରିପାରିବ। ଆମ ଭାଷାରେ ବିଜ୍ଞାନକୁ ନେଇ ଆଗାମୀ ଦିନରେ ବୈଷୟିକ ଆଲୋଚନା ପାଇଁ ପଥ ପ୍ରଶସ୍ତ ହୋଇ ପାରିବ। ଆମ ଭିତରୁ ଅନେକେ ଗୁରୁତ୍ଵପୂର୍ଣ ଜ୍ଞାନଗ୍ରନ୍ଥଗୁଡ଼ିକୁ ସେମାନଙ୍କର ମୂଳ ଭାଷାରେ ପଢ଼ିବାକୁ ନଚାହିଁ ଓଡ଼ିଆରେ ହିଁ ପଢ଼ିବାକୁ ଚାହିଁବେ। ଆମର ପରିଣତ ବୟସର ବିଦ୍ଵାନମାନେ ଏ କ୍ଷେତ୍ରରେ ଅନେକ ଅମୂଲ୍ୟ ଅବଦାନ ଦେଇ ପାରିବେ। 

ଆମର ଲେଖକମାନେ ସେମାନଙ୍କର ଗବେଷଣାର ନିଷ୍କର୍ଷ, ସନ୍ଦର୍ଭର ସଂକ୍ଷିପ୍ତ ସାର ସମାନ୍ତରାଳ ଭାବରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରସ୍ତୁତ କରିବା ଦରକାର। ଏହା ଏକ ସହଜ କଥା ନୁହେଁ। କାରଣ ଏହା ଅନେକ ତ୍ୟାଗର ଅପେକ୍ଷା ରଖେ। ଫଳରେ ଲେଖକଟି ଓଡ଼ିଆରେ ଉଚ୍ଚଗୁଣାତ୍ମକ ମାନର ଜ୍ଞାନ ସର୍ଜନ ନିମନ୍ତେ ନିଜର ଅବଦାନ ଦେଇପାରିବ। ଯଦି ଗୋଟିଏ ବା ଦୁଇଟି ପିଢ଼ି ଏହା କରିପାରିବେ, ତେବେ ଅନେକ କିଛି ସମ୍ଭବ ହୋଇପାରିବ।

ଆମ ଭାଷାକୁ ସୂଚନାପ୍ରଯୁକ୍ତିରେ ଉପଯୋଗ ହୋଇପାରିବା ପରି ଅନୁକୂଳ କରିବାକୁ ହେବ। ଆଜି ସୁଦ୍ଧା ଆମ ପାଖରେ ଓଡ଼ିଆ ପାଇଁ ଏକ ସର୍ଚ ଇଂଜିନ୍ ନାହିଁ। ଆମ ଭାଷାରେ ବୈଷୟିକ ଭିତ୍ତିରେ ବନାନ ବା ବ୍ୟାକରଣଗତ ଅଶୁଦ୍ଧି ସୁଧାରିବାର ବ୍ୟବସ୍ଥା ତଥାପି ପ୍ରସ୍ତୁତ ହୋଇନାହିଁ। ଆମ ଭାଷାରେ ଏକ ଅନ୍ଲାଇନ୍ ଅଭିଧାନ ମଧ୍ୟ ନାହିଁ। ଅତ୍ୟନ୍ତ ସୀମିତ କ୍ଷେତ୍ରରେ ଖୁବ୍ ସାଧାରଣ ମାନର ଯାନ୍ତ୍ରିକ ଅନୁବାଦ ବ୍ୟବସ୍ଥା କାମ କରୁଛି। ଆମ ଭାଷାରେ ଆମେ ଯଦି ସେଲ୍ଫୋନ୍ରେ ବାର୍ତା ଆଦାନପ୍ରଦାନ କରିପାରିବା, ତେବେ ଏହା ଆମର କେତେ ସହାୟକ ହେବ, ତାହା ସହଜରେ କଳ୍ପନା କରାଯାଇପାରେ। ହିନ୍ଦୀ ଓ ତେଲୁଗୁ ପରି ଭାଷା ଏ କ୍ଷେତ୍ରରେ ଆମର ଅନେକ ଆଗରେ ଅଛନ୍ତି।

ସେଲ୍‌ଫୋନ୍‌ ମାଧ୍ୟମରେ ଉପଯୋଗୀ ସୂଚନାଗୁଡ଼ିକ ଉପଲବ୍ଧ ହେଲେ, ତାହା ଜନସାଧାରଣଙ୍କ ସଶକ୍ତିକରଣର ସହାୟକ ହେବ। ଭାଷା ଓ ମୁଦ୍ରଣ କୌଶଳର ସଂପର୍କ ଯାହା, ଆଜି ଭାଷା ଓ ସୂଚନା ପ୍ରଯୁକ୍ତିର ସଂପର୍କ ତାହା। ଯେଉଁ ଭାଷାରେ ମୁତ୍ରଣ ବିପ୍ଳବ ସଂଘଟିତ ହୋଇ ନାହିଁ, ସେ ଭାଷା ହାରି ଯାଇଛି। ଏଣୁ ଭାଷା ଓ କଂପ୍ୟୁଟର ଟେକ୍ନୋଲୋଜିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡ଼ିବ। ଓଡ଼ିଶାରେ ଏଥିପାଇଁ ଅନେକ ବୌଦ୍ଧିକ ସାଧନ ଅଛି।

ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ଏବେ ଆମପାଇଁ ଏକ ଉତ୍ସବରେ ପରିଣତ ହୋଇଛି। ଆମ ଭିତରେ ଅନେକ ଆଶାବାଦିତା ସୃଷ୍ଟି ହୋଇଛି। ତେଣୁ ସମୟ ଅପଚୟ ନକରି ଆମର ଅନେକ କାମ କରିବାର ଅଛି।

(ଲେଖକ ପରିଚୟ: ଡକ୍ଟର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ୧୯୪୨ ମସିହାରେ କଟକ ଜିଲ୍ଲା ମହାନଦୀ କୂଳିଆ ଗାଆଁ ସୁବର୍ଣପୁରରେ ଜନ୍ମିତ। ଉତ୍କଳ ବିଶ୍ଵବିଦ୍ୟାଳୟରୁ ଇଂଲିଶ୍‌ରେ ସ୍ନାତକୋତ୍ତର ସାରିବା ପରେ ହାଇଦ୍ରାବାଦର English & Foreign Languages University [ସେବର C.I.E.F.L.]ରୁ ଭାଷାତତ୍ତ୍ଵରେ ପିଏଚ୍‌ଡି କରିଛନ୍ତି। ୧୯୭୮ରୁ ୨୬ ବର୍ଷ ଧରି ସେ IIT, କାନପୁରରେ ଇଂଲିଶ୍‌ ଓ ଭାଷାତତ୍ତ୍ଵର ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ଭାଷାର ଜେନେରେଟିଭ୍‌ ଗ୍ରାମାରକୁ ନେଇ ସେ ପ୍ରଥମ ବହି ଲେଖିଛନ୍ତି। ପିଅରସନ୍‌ସ୍‌ ‘‘ଇଂଲିଶ୍‌-ଇଂଲିଶ୍‌-ଓଡ଼ିଆ ବ୍ୟାକରଣ’’ର ସେ ଜଣେ ସହଯୋଗୀ ସଂପାଦକ ଏବଂ ନୋଆମ ଚୋମ୍‌ସ୍କିଙ୍କ The Architecture of Languageର ଯୁଗ୍ମସଂପାଦକ। ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ, IIT ଗାନ୍ଧୀନଗର, ଶିମଳାସ୍ଥିତ Indian Institute of Advanced Studiesରେ ସେ ବିଭିନ୍ନ ସମୟରେ ପରିଦର୍ଶୀ ପ୍ରାଧ୍ୟାପକ ଭାବେ ଯୋଗ ଦେଇଛନ୍ତି। ଯାଦପପୁର ବିଶ୍ଵବିଦ୍ୟାଳୟ ତୁଳନାତ୍ମକ ସାହିତ୍ୟ ବିଭାଗ ଏବଂ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ-ମହୀଶୂରର ପରିଦର୍ଶୀ ଫେଲୋ ଭାବରେ କାର୍ଯ୍ୟ କରିଛନ୍ତି। Introducing Sarala Mahabharat ଓ Interpreting Sarala Mahabharat ନାମକ ଗବେଷଣା ପୁସ୍ତକ ପ୍ରକାଶ କରିଛନ୍ତି। ୨୦୧୦-୧୨ରେ ସେ ଭାରତ ସରକାରଙ୍କ ଭାଷା ବିକାଶ କମିଟିର ସଦସ୍ୟ ଏବଂ UGC ଦେଶୀୟ ଭାଷା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସଂପ୍ରତି ସେ ଭାରତ ସରକାରଙ୍କ ଶାସ୍ତ୍ରୀୟ ମାନ୍ୟତା କମିଟିର ଭାଷା ବିଶେଷଜ୍ଞ ସଦସ୍ୟ ରୂପେ ଅବସ୍ଥାପିତ ଅଛନ୍ତି।)