15 मई 2015

କେତେ ସୁରକ୍ଷିତ ସୁଷୁରିବଜାଳି ସୁରକ୍ଷା ଆଇନ

ସୂଚନା  ଅଧିକାର ଆଇନ କାର୍ଯ୍ୟକାରିତାକୁ ୧୦ ବର୍ଷ ପୂରିଛି । ଠିକ୍‍ ୧୦ ବର୍ଷ ଆଗରୁ ଏହା ବିଧେୟକ ରୂପେ ରାଜ୍ୟସଭାର ଅନୁମୋଦନ ପାଇଥିଲା । ସାରା ଦେଶରେ ଶାସକୀୟ ସ୍ୱଚ୍ଛତା ପ୍ରତିଷ୍ଠା, ଦୁର୍ନୀତିର ପର୍ଦାଫାଶ ଏବଂ ଶାସନକୁ ଉତ୍ତରଦାୟୀ କରିବା କ୍ଷେତ୍ରରେ ଏହା ଏକ ନୂଆ ପଦକ୍ଷେପ ଥିଲା । ପରେ ଅବଶ୍ୟ ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଏବଂ ୨୦୧୪ରେ ସୁଷୁରିବଜାଳି ସୁରକ୍ଷା ଆଇନ(Whistleblower Protection Act) ଲାଗୁ ହୋଇଛି । ଯାହାକି ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଅଧିକ ବଳ ଓ ସାହସ ଯୋଗାଇଛି । ଏହା ସହ ୨୦୧୧ରେ ମିଳିତ ଜାତିସଂଘର ଦୁର୍ନୀତି ସଂକ୍ରାନ୍ତ ଘୋଷଣାନାମାକୁ ଭାରତ ସ୍ୱୀକାର କରିଛି । ତେବେ ଏହାର ୪ ବର୍ଷ ପରେ ମଧ୍ୟ ୟୁପିଏ ବା ଏନ୍‍ଡିଏ ସରକାର କେହି ବି ଏହାର କାର୍ଯ୍ୟକାରିତା ଉପରେ ମନ ଦେଉ ନାହାନ୍ତି ।

ଛକ ଉପରେ ଟ୍ରାଫିକ୍‍ ୱାର୍ଡ଼େନ୍‍ ବା ନିଶାର୍ଦ୍ଧରେ ରାତ୍ରିଜଗୁଆଳି ହୁଇସିଲ୍‍ ବା ସୁଷୁରି ବଜାଇଲେ ଆମ୍ଭେ ସତର୍କ ହେଉ ଅଥବା ଆମ୍ଭର ଧ୍ୟାନ ଆକର୍ଷିତ ହୋଇଥାଏ । ସେହିଭଳି ଶାସନ-ପ୍ରଶାସନରେ ହେଉଥିବା ତ୍ରୁଟି ଉପରେ ଧ୍ୟାନ ଆକର୍ଷଣ କରିବା ବା ସତର୍କ କରାଇଦେବା କାମଟି ଯେଉଁମାନେ କରନ୍ତି ସେଇମାନଙ୍କୁ କୁହାଯାଉଛି ସୁଷୁରିବଜାଳି । ଆଉ ସେଇ ମାନଙ୍କ ସୁରକ୍ଷା ପାଇଁ ବାସ୍ତବରେ ଏହି ଆଇନ ଉଦ୍ଦିଷ୍ଟ ଥିଲେ ସୁଦ୍ଧା କ'ଣ ରହିଛି ଏବେର ଆଇନରେ, ତାହା ଏଠାରେ ଆଲୋଚ୍ୟ ।

୨୦୧୦ରେ ଯେତେବେଳେ ସଂସଦରେ ଏହା ବିଧେୟକ ରୂପେ ଉପସ୍ଥାପିତ ହେଲା, ତାହାର ଏକ ଲମ୍ବା ନାମ ଥିଲା:- Public Interest Disclosure & Protection for Persons Making the Disclosures Bill। ଅର୍ଥାତ୍‍ ଜନସ୍ୱାର୍ଥ ପ୍ରକଟନ ଏବଂ ପ୍ରକଟନକାରୀ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ବିଧେୟକକେବଳ ଏହି ନାମକରଣରୁ ବୁଝା ପଡ଼ିଯାଉଥିଲା ଏହି ବିଧେୟକର ଉଦ୍ଦେଶ୍ୟ ଓ ବିଷୟବସ୍ତୁ । ଅତଏବ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ଯିଏ ଯାହାବି ଖୋଳତାଡ଼ କରି ତାହାକୁ କୌଣସି ସର୍ବସାଧାରଣ ସଂଚାର ମାଧ୍ୟମରେ ପ୍ରକଟନ କରନ୍ତି, ସେ କାହାର ନା କାହାର ଆକ୍ରୋଶ ଓ କ୍ରୋଧର ଶିକାର ହେବା ନିଶ୍ଚିତ । ସେହି ଦାଉରୁ ସୁରକ୍ଷା ପାଇବାକୁ ସଂପୃକ୍ତ କୌଣସି ନାଗରିକ ବା ବେସରକାରୀ ସଂଗଠନ ହକ୍‍ଦାର ଅଟନ୍ତି । କେବଳ ଭାରତରେ ହିଁ ସରକାର ବାହାରେ କୌଣସି ସୁଷୁରିବଜାଳିଙ୍କୁ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ଦିଆଯାଇଛି ।

ଅନ୍ୟ ପକ୍ଷରେ ସୂଚନା ଅଧିକାର ଆଇନରେ ଆବଶ୍ୟକ ସଂଶୋଧନ ନହେଲେ ଉଭୟ ଆଇନ ମଧ୍ୟରେ ସଂଗତି ପ୍ରତିଷ୍ଠା ହୋଇ ପାରିବ ନାହିଁ । ୟୁପିଏ ସରକାର ଏହା କରିବାରେ ବିଫଳ ହୋଇଥିଲା । ଏବେର ଏନ୍‍ଡିଏ ସରକାର ମଧ୍ୟ ସେ କ୍ଷେତ୍ରରେ କିଛି ଭିନ୍ନ ନୁହେଁ । ସତ୍ୟେନ୍ଦ୍ର ଦୁବେ, ଗଣେଶ ପଣ୍ଡା(ବୁବୁ), ମଂଜୁନାଥ, ଓ କୃପାସିନ୍ଧୁ ସାହୁଙ୍କ ବଳିଦାନ ପରେ ମଧ୍ୟ ସରକାରଙ୍କ ଚେତା ପଶି ନାହିଁ । ଏବେର ପ୍ରସ୍ତାବିତ ଆଇନଗତ ବ୍ୟବସ୍ଥା ଲାଗୁ ହେଲେ, ପ୍ରତ୍ୟେକ ସୁଷୁରିବଜାଳି ଅଭିଯୋଗର ୩୨ଟି ଯାଞ୍ଚ ହୋଇ ସାରିବା ପରେ ହିଁ ତାହାର ତଦନ୍ତ ଆରମ୍ଭ ହେବ । ଧାରା-୪ ଅଧୀନରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ(ସିଭିସି) ପରଖି ଦେଖିବ ଯେ ଧାରା ୪(୧)(କ) ଠାରୁ ୪(୧)(ଝ) ପର୍ଯ୍ୟନ୍ତ ୩୨ଟି ଯାଞ୍ଚକୁ ସନ୍ତୁଷ୍ଟ କରୁଛି ତ? ସନ୍ତୁଷ୍ଟ କଲେ ହିଁ ସିଭିସି ତହିଁର ତଦନ୍ତ ଆରମ୍ଭ କରିବ । ଅଥଚ ଏଭଳି କ୍ଷେତ୍ରରେ ରୋଟାରିଆନ୍‍ମାନଙ୍କୁ କେବଳ ୪ଟି ଯାଞ୍ଚରେ ଉତ୍ତୀର୍ଣ ହେବାକୁ ପଡ଼ିବ ।

ବାଙ୍ଗ୍‌ଲାଦେଶରେ ୨୦୧୧ରେ ପ୍ରଣୀତ ସୁଷୁରିବଜାଳି ସୁରକ୍ଷା ଆଇନରେ ଅନେକ ଆନ୍ତର୍ଜାତୀୟ ସର୍ତର ଅଭାବ ଥାଇ ସୁଦ୍ଧା ତାହା ଭାରତର ଆଇନ ତୁଳନାରେ ଅଧିକ ଜନବାଦୀ ହୋଇପାରିଛି । ଆମ ଦେଶର ଆଇନରେ ଅଛି ଯେ (୧)କୌଣସି ସୁଷୁରିବଜାଳି, ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବ ନାହିଁ; ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରି ଅଭିଯୋଗ ବାଢ଼ି ପାରିବେ ନାହିଁ । (୨)ଅଥଚ ଲୋକପାଳ ଆଇନ ଅଧୀନରେ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ନାମରେ ଲୋକପାଳଙ୍କ ଠାରେ ଦୁର୍ନୀତି ଅଭିଯୋଗ ଆଣିପାରିବେ । ତେବେ ସୁଷୁରିବଜାଳି ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଆୟୋଗ କ'ଣ କରିବ, ସେ ବିଷୟରେ କିଛି ନିର୍ଦେଶ ନାହିଁ । (୩) ତିନିଟି ସର୍ବଭାରତୀୟ ସମ୍ଭ୍ରାନ୍ତ ସେବା ଶ୍ରେଣୀର ଅଧିକାରୀମାନଙ୍କ ବିରୋଧରେ ଅଭିଯୋଗ ହେଲେ, ସେଥିପାଇଁ ଲୋକପାଳଙ୍କ ନିର୍ଦେଶ ମିଳିଲେ ହିଁ ସିଭିସି ତଦନ୍ତ କରିପାରିବ। (୪) ମାନବାଧିକାର ଉଲ୍ଲଂଘନ ବା କୌଣସି ବେନିୟମ କାର୍ଯ୍ୟକଳାପ ଦ୍ୱାରା ପରିବେଶ, ଜନସ୍ୱାସ୍ଥ୍ୟ ଓ ଜନସୁରକ୍ଷା ପ୍ରଭାବିତ ହେବା ବିରୋଧରେ ସୁଷୁରିବଜାଳି ସୁରକ୍ଷା ଆଇନ ନିରବ ରହିଛି । ନାଗରିକ ସଂଗଠନମାନେ ବହୁ ଦାବି କରି ସୁଦ୍ଧା ଏହି ଅସଲ ମୁଦ୍ଦାଟି ଆଇନରେ ସାମିଲ ହୋଇପାରି ନାହିଁ । (୫) କୌଣସି ନିମ୍ନ ଅଦାଲତର ମନ୍‍ମାନି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ରାଜ୍ୟ ହାଇକୋର୍ଟର ଅନୁମତି ଲୋଡ଼ା । (୬) ଅନେକ ରାଜ୍ୟରେ ଆଜି ସୁଦ୍ଧା ଲୋକପାଳ ଓ ଲୋକାୟୁକ୍ତ ବା ରାଜ୍ୟ ଭିଜିଲାନ୍ସ ଆୟୋଗ ଗଢ଼ା ଯାଇ ନାହିଁ । ଫଳରେ ସୁଷୁରିବଜାଳି ସୁରକ୍ଷା ଆଇନ ଅଧୀନରେ କୌଣସି ମୋକଦ୍ଦମାର ବିଚାରଣାକୁ ରାଜ୍ୟ ସରକାର ଇଚ୍ଛା ମୁତାବକ କୌଣସି ସଂସ୍ଥାକୁ ନ୍ୟସ୍ତ କରିପାରିବେ । ଏହା ଏକ ଏକଚାଟିଆ ବ୍ୟାପାର । (୭) କୌଣସି ସୁଷୁରିବଜାଳି ଅଭିଯୋଗର ତଦନ୍ତ ଯଦି ଧାର୍ଯ୍ୟ ୩ମାସ ମଧ୍ୟରେ ନସରିଲା, ତାହେଲେ କ'ଣ ହେବ, ଏହା ଉପରେ କିଛି ଉଲ୍ଲେଖ ନାହିଁ । (୮) ସଂସଦୀୟ କମିଟି ଓ ଲ କମିଶନ(୨୦୦୬ରେ)ଙ୍କ ସୁପାରିଶ ସତ୍ତ୍ୱେ ମଧ୍ୟ ସୁଷୁରିବଜାଳି ସୁରକ୍ଷା ଆଇନରେ ସୁଷୁରିବଜାଳିଙ୍କ Victimizationର ସଂଜ୍ଞା ଦିଆଯାଇ ନାହିଁ । (୯) ଯଦିଓ ସଂସଦୀୟ କମିଟି ସୁପାରିଶ କରିଥିଲେ, ତଥାପି ସୂଚନା ଅଧିକାର ବ୍ୟବହାରକାରୀ, ଯିଏକି ପ୍ରକୃତରେ ଜଣେ ସୁଷୁରିବଜାଳିରେ ରୂପାନ୍ତରିତ ହୋଇଥାନ୍ତି, ତାଙ୍କର ସୁରକ୍ଷା ପାଇଁ ସୁଷୁରିବଜାଳି ସୁରକ୍ଷା ଆଇନରେ କିଛି ବ୍ୟବସ୍ଥା ନାହିଁ । (୧୦) ସେହି ଭଳି ସୁଷୁରିବଜାଳିଙ୍କୁ ସ୍ୱେଚ୍ଛାକୃତ ଭାବେ ଅତିରିକ୍ତ ସୂଚନା ଯୋଗାଉଥିବା ବ୍ୟକ୍ତି, ଜଣେ ସାକ୍ଷୀ ରୂପେ ବିବେଚିତ ହେବା ପୂର୍ବରୁ କୌଣସି ସୁରକ୍ଷା ପାଇବ ନାହିଁ । (୧୧) ପ୍ରାଇଭେଟ୍‍ କ୍ଷେତ୍ରର କୌଣସି ଅପକର୍ମ ଉପରେ ପଦକ୍ଷେପ ପାଇଁ ଏହି ଆଇନରେ କିଛି ବି ପ୍ରାବଧାନ ନାହିଁ । ଯଦିଓ ଦ୍ୱିତୀୟ ପ୍ରାଶାସନିକ ସଂସ୍କାର ଆୟୋଗ ଏହାକୁ ସାମିଲ କରିବାକୁ ସୁପାରିଶ କରିଥିଲେ । ଏପରିକି ବିଧେୟକ ଉପସ୍ଥାପନ କରିଥିବା ସାଂସଦମାନେ ମଧ୍ୟ ଆଇନକୁ ସଂପ୍ରସାରିତ କରିବାକୁ ପାଟି କରିଥିଲେ । (୧୨) କୌଣସି ଅଭିଯୋଗ ସଂକ୍ରାନ୍ତ ସୂଚନାକୁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମଧ୍ୟ ସଂପୃକ୍ତ ସୁଷୁରିବଜାଳିଙ୍କୁ ଅନୁମତି ନାହିଁ ।

ନିକଟରେ ସୁପ୍ରିମ୍‍କୋର୍ଟଙ୍କ ଏକ ରାୟ ଅନୁସାରେ ନିଜ ନାମ ଗୋପନ ରଖି ମଧ୍ୟ କେହି ସୁଷୁରିବଜାଳି ବୋଲାଇ ପାରିବେ ନାହିଁ । ଏବେ ଏହି ଆଇନରେ କିକି ସଂଶୋଧନ କରିବାର ପ୍ରସ୍ତାବ ରହିଛି, ତାହାକୁ ପ୍ରକାଶ କରିବାକୁ ଏହି ଆଇନ ପ୍ରସ୍ତୁତକାରୀ ନୋଡ଼ାଲ ବିଭାଗ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବାରଣ କରିଥିବାରୁ ଆଇନର ପରବର୍ତ୍ତୀ ରୂପରେଖ ଜାଣିବା କଷ୍ଟକର ହୋଇପଡୁଛି ।

(ଏହି ଲେଖାଟି ମେ ୨୦୧୫ରେ ତିନିଟି ଖବରକାଗଜ ଯଥା: ‘ସମାଜ’, ‘ସର୍ବସାଧାରଣ’ ଓ ‘ଜାଗ୍ରତଓଡ଼ିଶା’ର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ। ସଂପୃକ୍ତ ଗଣମାଧ୍ୟମଗୁଡ଼ିକର ସଂପାଦକୀୟ ବିଭାଗ ପାଖରେ ଆମ୍ଭେ କୃତଜ୍ଞ।)

ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩