15 जून 2015

ବିଏସ୍‌ଏନ୍‌ଏଲ୍‌ ରୋମିଂଫ୍ରିର ଗପ

ଆଜି (୧୫ ଜୁନ୍‌ ୨୦୧୫) ଠାରୁ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଫୋନ୍‌ ଉପଭୋକ୍ତାମାନେ ରୋମିଂରେ ଥିବା ବେଳେ କଲ୍‌ ଗ୍ରହଣ କରିବା ପାଇଁ କୌଣସି ଦେୟ ଦେବେ ନାହିଁ। କିନ୍ତୁ ଏହି ନିଷ୍ପତ୍ତି ସବୁ ଟେଲିକମ୍‌ ଅପରେଟରମାନଙ୍କ ପାଇଁ ଲାଗୁ ହେବା ଦରକାର। ତଥାପି ସରକାରୀ ସମ୍ବାଦ ସରବରାହ ସଂସ୍ଥାର ଖବରକୁ ଉଦ୍ଧାର କରି ସବୁ ଗଣମାଧ୍ୟମ ପ୍ରକାଶ କରିଛନ୍ତି ଯେ ଏହା ଦ୍ଵାରା ଗୋଟିଏ ରାଷ୍ଟ୍ର, ଗୋଟିଏ ନମ୍ବର ସ୍ଵପ୍ନ ପୂରଣ ହୋଇଛି। କିନ୍ତୁ ବାସ୍ତବରେ କଥାଟା ସେୟା ନୁହଁ। ତେବେ ରଜସଂକ୍ରାନ୍ତି କାରଣରୁ ଏହି ତାରିଖଟି ଅର୍ଧେକ ଓଡ଼ିଶା ଅଧିବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ଟ୍ରାଇ (TRAI - Telecom Regulatory Authority of India)ର ବିନା ଅନୁମୋଦନରେ ଏହା ଲାଗୁ ହୋଇଛି।  ଏଣେ BSNL କହିଛି ଯେ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ୨ ଜୁନ୍‌ ୨୦୧୫ର ଘୋଷଣା ଅନୁସାରେ ଏହି ନୂଆ ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି। ତେବେ ‘ଟ୍ରାଇ’ ଏଭଳି ନିଷ୍ପତ୍ତିକୁ ପ୍ରତିବାଦ ମଧ୍ୟ କରି ନାହିଁ। 

୨୦୧୫ ମାର୍ଚ ମାସ ସୁଦ୍ଧା BSNLର ୭ କୋଟି ୭୨ ଲକ୍ଷ ଗ୍ରାହକ ଅଛନ୍ତି ବୋଲି କଂପାନୀ ଦାବି କରିଛି। ଇନ୍‌କମିଂ କଲ୍‌ ରୋମିଂ ଫ୍ରି ହେବା ଦ୍ଵାରା ସର୍କଲ ବାହାରେ ଥିବା ଉପଭୋକ୍ତାମାନେ ଏଣିକି ଆଉ ଏକାଧିକ ସିମ୍‌ ଓ ହ୍ୟାଣ୍ଡ୍‌ସେଟ୍‌ ଧରି ଘୂରି ବୁଲିବେ ନାହିଁ ବୋଲି ଯାହା କୁହାଯାଉଛି, ତାହା ମିଛ। କାରଣ ରାଜ୍ୟ ବାହାରେ ଥାଇ ବି.ଏସ୍‌.ଏନ୍‌.ଏଲ୍‌. ନମ୍ବରରେ କଲ୍‌ ରିସିଭ୍‌ କରି ହେବ, କିନ୍ତୁ କଲ୍‌ କଲେ ବହୁତ ମହଙ୍ଗା ପଡ଼ିବ। ଏପରିକି SMS ମଧ୍ୟ। କାରଣ ତାହା NSD* ଦରରେ କଟିବ। ଅର୍ଥାତ୍‌ ପ୍ରତି ମିନିଟ୍‌ ବା ତହିଁର ଅଂଶ ପିଛା  ୧ଟଙ୍କା ୫୦ ବା ଅଧିକ ଟଙ୍କା କଟିଯିବ ଆଉଟ୍‌ଗୋଇଂରେ। ତେଣୁ ଆପଣ ରୋମିଂରେ ଥିବା ସର୍କଲର କୌଣସି ସିମ୍‌ ରଖିଥିଲେ ସେଇଥିରୁ କଲ୍‌ କରିବାକୁ ପଡ଼ିବ, ଯଦି ଖର୍ଚ କମ୍‌ କରିବାକୁ ଚାହୁଥାଆନ୍ତି।

ଦେଶର କୋଟି କୋଟି ଉପଭୋକ୍ତା ବି.ଏସ୍‌.ଏନ୍‌.ଏଲ୍‌. ଉପରୁ ମୁହଁ ଫେରାଇ ନେଇଥିବା ବେଳେ ପୁଣି ସେମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ଏକ ରଣନୀତି। ତେବେ ଏକଥା ସତ ଯେ ମୁଖ୍ୟତଃ ଥିଲାବାଲା ପରିବାରର ସଦସ୍ୟମାନେ ଦେଖେଇ ହେବାକୁ ବିଏସ୍‌ଏନ୍‌ଏଲ୍‌ ଉପଭୋକ୍ତା ହୋଇ ତାହାକୁ ଆଭିଜାତ୍ୟର ଏକ ପ୍ରତୀକ ବନେଇ ଦେଇଛନ୍ତି। ଆଉ ସେଇମାନଙ୍କ ଭିତରୁ ଯେଉଁମାନେ ରୋମିଂରେ ଥିବା ବେଳେ କଲ୍‌ ଗ୍ରହଣ କରୁ ନଥିଲେ ଅଥବା ରୋମିଂରେ ଅଛି କହି ତୁରନ୍ତ କଲ୍‌ କାଟି ଦେଉଥିଲେ, ସେମାନେ ଏବେ ଅନ୍ୟ କିଛି ବାହାନା ଖୋଜିବେ; ନଚେତ୍‌ ଭଦ୍ରଲୋକ ହୋଇଥିଲେ, କଲ୍‌ ଗ୍ରହଣ କରିବେ ଏବଂ ନିଜ ଆତ୍ମୀୟ ଓ ପରିଚିତଙ୍କ ସହ କଥାବାର୍ତା କରିବେ।

ପ୍ରଥମେ ଯେବେ ଓଡ଼ିଶାକୁ ରିଲାଏନ୍‌ସ୍‌ ମୋବାଇଲ୍‌ ୧୯୯୮ ମସିହାରେ ଆସିଲା, ସେତେବେଳେ ଯେକୌଣସି ଇନ୍‌କମିଂ କଲ୍‌ ପାଇଁ ପ୍ରାୟ ୫ଟଙ୍କା ଖର୍ଚ କରିବାକୁ ପଡୁଥିଲା। ତେଣୁ ସେହି ଉପଭୋକ୍ତାମାନେ ଅଧିକ ଟଙ୍କା ଖର୍ଚ ହୋଇଯିବ ବୋଲି ସେତେବେଳେ ଇନ୍‌କମିଂ କଲ୍‌ ଗ୍ରହଣ କରିବାକୁ ଡରୁଥିଲେ। ପରବର୍ତୀ କାଳରେ ସେହି ଡର ରୋମିଂରେ ଲାଗି ରହିଥିଲା। ଦେଖାଯାଉ ଏବେ ସେଭଳି ମଣିଷଙ୍କ ଆଚରଣରେ ପରିବର୍ତନ ହେବାଟା ସହଜ ହେଉଛି କି ସେହି ପୁରୁଣା ଭୂତ ସେମାନଙ୍କୁ ଗ୍ରାସ କରି ରଖୁଛି ?

*(STD ବୋଲି ଯାହାକୁ ଲୋକେ ବୁଝନ୍ତି ବା ଆଜି ସୁଦ୍ଧା କହି ଆସୁଛନ୍ତି) NSD = National Subscribers' Dialing 

कोई टिप्पणी नहीं:

एक टिप्पणी भेजें