18 जून 2015

ଦୁଗ୍‌ଧ ସମବାୟରେ ଆଦିବାସୀ ମହିଳା, ଅଜବ ଚିଂତା

ଓଡ଼ିଶାର ଆଦିବାସୀ ମହିଳାଙ୍କୁ ଦୁଗ୍‌ଧ ସମବାୟ ଜରିଆରେ ସଶକ୍ତୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନ ଖବରକୁ Odisha Suntimes (୧୭ ଜୁନ୍‌ ୨୦୧୫) ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ  ଦ୍ଵାରା ଚାଲିଥିବା ଓମ୍‌ଫେଡ଼୍‌(OMFED- Odisha State Coopearative Milk Producers' Federation Limited) ଏଥିପାଇଁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରୁ ୪୬.୪୫ କୋଟି ଟଙ୍କାର ଅନୁଦାନ ପାଇଛି ବୋଲି ଏହାର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ(ଭା.ପ୍ର.ସେ.) କହିଛନ୍ତି। ଏଥିପାଇଁ ମହିଳାମାନଙ୍କୁ ତାଲିମ ଦିଆଯିବ ଏବଂ ୯,୦୦୦ ସଦସ୍ୟଙ୍କୁ ସାମିଲ କରି ୩୦୦ଟି ନୂଆ ମହିଳା ଆଦିବାସୀ ସମବାୟ ସମିତି ଗଢ଼ିବାକୁ ଯୋଜନା କରାଯାଇଛି। ଏହା ସହିତ ଆବଶ୍ୟକ ସଂରଚନା (Infrastructure) ବିକାଶରେ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ସେହିଭଳି tathya.in ରିପୋର୍ଟ କରିଛି ଯେ ଏହି ପ୍ରକଳ୍ପଟି କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବାଲେଶ୍ଵର, ଓ ମୟୂରଭଂଜ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେବ।

କିନ୍ତୁ ଜଣେ ବରିଷ୍ଠ ଅଧିକାରୀ କ’ଣ ଜାଣନ୍ତି ନାହିଁ ଯେ ଓଡ଼ିଶାର ଆଦିବାସୀମାନେ ଗାଈ ପାଳନ୍ତି ନାହିଁ କି ଗାଈ ଠାରୁ କ୍ଷୀର ଦୁହଁନ୍ତି ନାହିଁ। କାରଣ ଆଦିବାସୀମାନେ ବିଶ୍ଵାସ କରନ୍ତି ଯେ ଗାଈର କ୍ଷୀର ହେଉଛି ବାଛୁରୀର ଖାଦ୍ୟ। ତେଣୁ ମଣିଷ ତାହାକୁ ଦୁହିଁ ଖାଇଲେ ପାପ ହେବ। ୧୯୫୨ ମସିହା ପରଠୁ  ଅନେକ ପ୍ରାଶାସନିକ ଅଧିକାରୀ, ସଂଗଠନ ଓ ସଂଗଠକ ଉଦ୍ୟମ କରିଛନ୍ତି ଆଦିବାସୀ ଲୋକଙ୍କ ଦ୍ଵାରା ଦୁଧିଆଳୀ ଗାଈ ପାଳନ କରାଇବା ପାଇଁ । କିନ୍ତୁ ସବୁକିଛି ବିଫଳ ହୋଇଛି, କେବଳ ଏଇ ବିଶ୍ଵାସ ଟିକକ ପାଇଁ। ଅନ୍ୟ ପକ୍ଷରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉପରେ କେହି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ୧୯୯୬ ମସିହାରେ ପେସା ଆଇନ (PESA- Panchayat Extension to Scheduled Areas Act, 1996) ଲାଗୁ ହୋଇଛି, ଯାହାର ପରିସୀମାରେ ଓଡ଼ିଶା ରାଜ୍ୟ ରହିଛି।

ଶ୍ରୀ ସେଠୀ ନିଜ ଚାକିରି ଜୀବନ ଆରମ୍ଭ ପୂର୍ବରୁ ଶିକ୍ଷାନବୀଶ ଭାବେ ଆଦିବାସୀ ବିକାଶ ଉପରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବାକୁ ୧୯୯୩-୯୪ରେ ‘ଅଗ୍ରଗାମୀ’-କାଶୀପୁରରେ କିଛି ଦିନ ପାଇଁ ଅବସ୍ଥାପିତ ହୋଇଥିଲେ। ଆଉ, ତାଙ୍କ ଦଳକୁ ବିଭିନ୍ନ ଗାଆଁକୁ ବୁଲାଇବାରେ ଏହି ଲେଖକ ମଧ୍ୟ ସାମିଲ ଥିବାରୁ ଆଜି ଲଜ୍ଜିତ। ହୁଏତ ସେଠୀବାବୁ ଗୋଟାପଣେ  ପାଶୋରି ଦେଇଛନ୍ତି, ଆମେ ବତାଇଥିବା ପାଠ। କାରଣ ସେତେବେଳକୁ ତାଙ୍କର ଥିଲା କନକନିଆ ଯୁବ ବୟସ। 

ଓଡ଼ିଶାର ଆଦିବାସୀମାନଙ୍କର ଗୋପାଳନ ସଂସ୍କୃତି ନାହିଁ।  ନଚେତ୍‌ ଆମେ ତ ଗୁଜୁରାଟର ଅମୂଲକୁ ଟପିଯାଇ ଥାଆନ୍ତୁ ! ଅନ୍ୟ ପକ୍ଷରେ ଧର୍ମାନ୍ତରିତ ହେବା ପରେ ସୁଦ୍ଧା ଲକ୍ଷଲକ୍ଷ ଆଦିବାସୀ ପରିବାର, ଏଭଳି ବିଶ୍ଵାସରୁ ନିଜକୁ ମୁକ୍ତ କରି ପାରି ନାହାନ୍ତି। ତେବେ ଯଦି ପାରୁଛନ୍ତି ସରକାର ଏଭଳି ଯୋଜନାକୁ କନ୍ଧମାଳ, ଗଜପତି ଓ ସୁନ୍ଦରଗଡ଼ ଭଳି କ୍ରିଷ୍ଟିଆନ୍‌ବହୁଳ ଜିଲ୍ଲାରେ ଚେଷ୍ଟା କରିକି ଦେଖନ୍ତୁ। 

ଶୁଣାଯାଉଛି ଯେ କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବ ଥିବା ବେଳେ ବରିଷ୍ଠ ଭା.ପ୍ର.ସେ. ଅଧିକାରୀ ଡ. ହୃଷିକେଶ ପଣ୍ଡା ଏହି ପ୍ରକଳ୍ପକୁ ମଂଜୁର କରିଛନ୍ତି, ଯିଏକି ନିଜେ ମଧ୍ୟ ଅତୀତରେ ଓମ୍‌ଫେଡ଼୍‌ର ପରିଚାଳନା ନିର୍ଦେଶକ ଥିଲେ। ତାଲିମକୁ ଅଗ୍ରାଧିକାର ଦିଆଯାଇଥିବାରୁ, ହୁଏତ ଡ. ପଣ୍ଡା ମଧ୍ୟ ଆଦିବାସୀ ସଂସ୍କୃତି ପ୍ରତି ସଚେତନ ଅଛନ୍ତି ବୋଲି ବୁଝା ପଡୁଛି। କିନ୍ତୁ କାର୍ଯ୍ୟକାରିତା କିଭଳି ହେଉଛି ଏବଂ ତାଲିମ୍‌ ଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଓମ୍‌ଫେଡ଼୍‌ କିଭଳି ପରିଚାଳନା କରୁଛି, ଦେଖିବାକୁ ରହିଲା।


ବନ୍ଦେ ଉତ୍କଳ ଜନନୀ।

ବିମଳ ପ୍ରସାଦ, ୯୯୩୭୩୫୩୨୯୩