23 जून 2015

ଡାଲି ମିଶନ କେବେ?

ଡାଲି ଦର ଶହେ ଟଙ୍କା  ଟପିଲା ପରେ  ବି ବିଶେଷ ପ୍ରତିକ୍ରିୟା ଜଣାପଡୁନି। ଅଥଚ ଆଳୁ ଦର ଯେବେ ଅଶୀ ଛୁଇଁଥିଲା, ସେବେ ଏକାଧିକ ସହରରେ ଖାଉଟି ତାତିଥିଲେ।  ଏଥିରୁ ଜଣାପଡୁଛି କି ରାଜ୍ୟ ଯାକ ଲୋକଙ୍କର ପସନ୍ଦିଆ ଖାଦ୍ୟରେ ଡାଲି ନାହିଁ। ବରଂ ଆଳୁ ରହିଛି। କିନ୍ତୁ ଆଳୁ ଅପେକ୍ଷା ଡାଲି ଯେ ଅଧିକ ପୁଷ୍ଟିକର, ଏକଥା ଆଉ ଆମେ ଲୋକଙ୍କୁ ପଢ଼ାଇବୁ ନାହିଁ।  କିନ୍ତୁ ବିଦ୍ୟାଳୟର ମଧ୍ୟାହ୍ଣ ଭୋଜନ, ସହରର ‘ଆହାର’ ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ରର ରନ୍ଧାଖାଦ୍ୟ, ବିଭିନ୍ନ ସରକାରୀ ଛାତ୍ରାବାସ, ଛାତ୍ରୀନିବାସ, ପୁଲିସ୍‌ ବାରାକ୍‌, ତାଲିମ କେନ୍ଦ୍ରର ଖାଦ୍ୟରେ ଡାଲି ଜରୁରୀ। ଯାହାର କୌଣସି ବିକଳ୍ପ ନାହିଁ।  

ଡାଲି କହିଲେ ସାଧାରଣତଃ ଆଜିକାଲି ହରଡ଼ ଓ ମୁଗ ଡାଲିକୁ ବୁଝାଉଛି। ଖେସାରିଚଣାକୁ କେଉଁ କାଳରୁ ସରକାର ଅଖାଦ୍ୟ ଘୋଷଣା କରି, ତାହାର ଉତ୍ପାଦନ ଓ ଖାଦ୍ୟ ରୂପେ ଗ୍ରହଣକୁ  ନିଷେଧ କରିଛନ୍ତି। ଗଂଜାମ ଜିଲ୍ଲାରେ ବହୁଳ ଉତ୍ପାଦିତ ଏହି ଡାଲିଜାତୀୟ ଫସଲକୁ ବିଲଚଣା ବୋଲି କହନ୍ତି, ଯାହାକୁ ପୂର୍ବ ଓଡ଼ିଶାରେ କେବଳ ଚଣା କହିଲେ ବୁଝାପଡ଼େ। ତେଣେ ମସୁରିଡାଲି ଉପରେ ମଧ୍ୟ ସମାନ ପ୍ରକାର ବୈଜ୍ଞାନିକ କଟକଣା ରହିଛି। ଆଉ ଉପକାରୀ ସାବ୍ୟସ୍ତ ହୋଇଥିବା କୋଳଥ ଡାଲି, ବଜାରରେ ସ୍ଵପ୍ନ ହୋଇଯାଇଛି। ଦିନ ଥିଲା ଓଡ଼ିଶାରେ ଲୋକେ ବିରି ଡାଲି ବି ଖାଉଥିଲେ। ହେଲେ ଆଜିକାଲି ଆଉ ଦେଶୀ ବିରି କିସମ ଘରେ କି ବଜାରରେ କେଉଁଠି ନାହିଁ। ଅନ୍ୟ କଥାଟି ହେଲା, ଆଜିର ଭେଜାଲ ଯୁଗରେ ପ୍ରାୟ ୯୦ ଭାଗ ଲୋକଙ୍କର ଯାବତୀୟ ପେଟ ଗୋଳମାଳ ସମସ୍ୟା ରହୁଛି। ଯାହାର ମୂଳ କାରଣ  ହେଉଛି - ନାଳ (Mucus), ଆଉ ଏହାକୁ ବଢାଇ ଦିଏ ଏବେର ସଙ୍କର କିସମ ବିରି ଡାଲି। ତେଣୁ ସେଇଥିପାଇଁ ବିନା ସରକାରୀ ଘୋଷଣାରେ ମଧ୍ୟ ଲୋକମାନଙ୍କ ଭିତରେ ଏହା ଏକ ଗର୍ହିତ ଡାଲି ପାଲଟି ଯାଇଛି। ସେହିପରି ବୁଟଡାଲି ମଧ୍ୟ ରାସ୍ତାକଡ଼ ହୋଟେଲରେ ଡାଲ୍‌ ଫ୍ରାଏ ବା ତଡ଼କା ନାମରେ ବିକ୍ରି ହେଉଛି। ହରଡ଼ ଡାଲି ଦାମିକା ହୋଇଥିବାରୁ ଶସ୍ତା ବୁଟଡାଲି ମଧ୍ୟ ସରକାରୀ ଖାଦ୍ୟ କାର୍ଯ୍ୟକ୍ରମରେ ପ୍ରୟୋଗ ହେଉଥିବା ଜଣାପଡ଼ିଲାଣି। କିନ୍ତୁ ବୁଟଡାଲି ମଧ୍ୟ ସମସ୍ତଙ୍କ ପାଇଁ ସବୁଦୃଷ୍ଟିରୁ ସ୍ଵାସ୍ଥ୍ୟକର ନୁହେଁ।

ଅର୍ଥାତ୍‌ ଆମର ଟାର୍ଗେଟ୍‌ ହେଉଛି - ହରଡ଼, ମୁଗ ଓ କୋଳଥ ଡାଲିର ଉତ୍ପାଦନ ବୃଦ୍ଧି ତଥା ସଂଗ୍ରହ ଓ ବିତରଣକୁ ସୁସଂଗତ କରିବା। ଏଠାରେ ମନେ ପକାଇଦେବାକୁ ଚାହୁ ଯେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଗୋଟିଏ ଉଲ୍ଲେଖନୀୟ ଘଟଣା ଥିଲା, ପଂଜାବ-ହରିଆନାର ଚାଷୀମାନଙ୍କ ଦ୍ଵାରା ଧାନଚାଷ କରାଇବା। ସେତେବେଳେ ଦେଶରେ ଶସ୍ୟର ଅଭାବ ପୂରଣ ପାଇଁ କେବଳ ଆହ୍ୱାନ ଜରିଆରେ ସେହି ରାଜ୍ୟର ଚାଷୀମାନଙ୍କୁ ମତେଇ ଦେଇଥିଲେ ଅଟଳଜୀ। ଆଉ ଫସଲ ଉତ୍ପାଦନ ପରେ ଯାହା ହେଲା, ତାହା ଦେଶରେ ଖାଦ୍ୟ-ଅଧିକାର କର୍ମୀମାନଙ୍କୁ ବିରକ୍ତ କଲା। କାରଣ ଏମିତି ପରିସ୍ଥିତି ହେଲା ଯେ ବିଭିନ୍ନ ସରକାରୀ ଗୋଦାମରୁ ଚାଉଳ ନେଇ ଗରିବ ଲୋକଙ୍କୁ ମାଗଣାରେ ବାଂଟିବା ପର୍ଯନ୍ତ କଥା ଗଲା।

ଓଡ଼ିଶା ସରକାର ସେମିତି କରନ୍ତୁ। ମୁଖ୍ୟତଃ ଓଡ଼ିଶାର ଚାଷୀମାନଙ୍କୁ ଡାଲି ଚାଷ ପାଇଁ ଉସୁକାନ୍ତୁ। ଠିକ୍‌ ଆଳୁଚାଷ ଭଳି ଆମ ଚାଷୀଏ ବିପୁଳ ପରିମାଣରେ ଉତ୍ପାଦନ କରି ଗଦା କରିଦେବେ। ତା’ପରେ ସରକାର ଚିନ୍ତା କରନ୍ତୁ କେମିତି ସଂଗ୍ରହ, ମହଜୁଦ୍‌ ଓ ବିତରଣ କରିବେ। କେବଳ ଦକ୍ଷିଣ ଓଡ଼ିଶାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଲେ, ତାହା ହିଁ ସାରା ରାଜ୍ୟ ପାଇଁ ବଳକା ଉତ୍ପାଦନ ସୁନିଶ୍ଚିତ କରିବାକୁ ଯଥେଷ୍ଟ ହେବ। ପୂର୍ବ ଓଡ଼ିଶାର ହରଡ଼କୁ ଦକ୍ଷିଣ ଓଡ଼ିଶା (କୋରାପୁଟ ଅଞ୍ଚଳରେ)ରେ କହନ୍ତି ଛୋଟ କାନ୍ଦୁଲ। ଆଉ ସେମାନେ ଯାହାକୁ ଉତ୍ପାଦନ କରନ୍ତି, ତାହା ହେଉଛି ବଡ଼ କାନ୍ଦୁଲ। ଯାହାକୁ ପୂର୍ବ ଓଡ଼ିଶାରେ କେବଳ କାନ୍ଦୁଲ କୁହାଯାଏ। ଏହି କାନ୍ଦୁଲ ହେଉଛି ଗୋଟାପଣେ ଜୈବିକ (Organic) ସାମଗ୍ରୀ। ଅର୍ଥାତ୍‌ ରାସାୟନିକର ପ୍ରୟୋଗ ହୁଏ ନାହିଁ କି ତାହା ସଙ୍କରଜାତୀୟ ନୁହେଁ। କୃଷି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବାରମ୍ବାର ପ୍ରଚାର ଓ ଘୋଷଣା କରିକି ମୁଖ୍ୟତଃ ଆଦିବାସୀ ଚାଷୀମାନଙ୍କ ଧ୍ୟାନ ଆକର୍ଷଣ କରିପାରିବେ।

ଏକଥା ସର୍ବଜନବିଦିତ ଯେ ଦକ୍ଷିଣ ଓଡ଼ିଶାର ବିପୁଳ ପରିମାଣରେ ଜୈବିକ ଉତ୍ପାଦ ପ୍ରତିବର୍ଷ ଆନ୍ଧ୍ର-ଛତିଶଗଡ଼ର ମହାଜନମାନେ ସଂଗ୍ରହ କରି ନିଅନ୍ତି। ଫଳରେ ପ୍ରକ୍ରିୟାକରଣ ପରେ ବି ସେହି ଉତ୍ପାଦଗୁଡ଼ିକ ଓଡ଼ିଶାବାସୀଙ୍କୁ  ପ୍ରାୟତଃ ମିଳେ ନାହିଁ।  ସେହି ପରି ମୁଗ ଓ କୋଳଥ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରସାରିତ ହୋଇପାରିବ। ରାଜ୍ୟ ସ୍ଵାସ୍ଥ୍ୟ-ଶିକ୍ଷା (Healh Education) ବିଭାଗ କୋଳଥର ପ୍ରଚାର କରିବା ଦରକାର। କାରଣ କୋଳଥ ଏକ ଔଷଧୀୟ ଡାଲି। 

ରାଜ୍ୟର ପ୍ରଶାସକ, ଲୋକପ୍ରତିନିଧି ଓ ବିଶେଷଜ୍ଞମାନଙ୍କ ମାନସମଂଥନ (brainstorming) ପାଇଁ ଏତିକି ଯଥେଷ୍ଟ। ସରକାର ଯଦି ଅବହେଳା କରିବେ, ତେବେ ରାଜ୍ୟରେ ଡାଲି ଅଭାବରୁ ରାଜ୍ୟବାସୀଙ୍କ ମଧ୍ୟରେ ପୁଷ୍ଟିହୀନତା ବଢ଼ିଯିବ। ଆମ୍ଭେ ଆଶାବାଦୀ ଯେ ସରକାର କେବଳ ନବକଳେବର ବିଭ୍ରାଟ ପଛରେ ସବୁ ସମୟ ବରବାଦ ନକରି ଖୁବ୍‌ଶିଘ୍ର ଡାଲି ସଂକଟ ଉପରେ ପଦକ୍ଷେପ ନେବେ।

ସହଯୋଗ ପାଇଁ ସଦାପ୍ରସ୍ତୁତ: ବିମଳ ପ୍ରସାଦ, ୯୯୩୭୩୫୩୨୯୩