10 जुलाई 2015

ଇଚ୍ଛାଧୀନ କୋଟା ବନାମ ଟ୍ରାନ୍ସପାରେନ୍ସି ପୋର୍ଟାଲ

ଏଇ କିଛି ବର୍ଷ ହେଲା ଇଚ୍ଛାଧୀନ କୋଟା ପଦଟି ଓଡ଼ିଶା ଗଣମାଧ୍ୟମର ଏକ ବହୁ ଉଚ୍ଚାରିତ ପଦ ହୋଇଯାଇଛି । ଯଦିଓ ଏହା ଏକ ଅନୁଦିତ ଶବ୍ଦ, ତେବେ ଓଡ଼ିଆ ଗଣମାଧ୍ୟମ ଏହାକୁ ଅନୁବାଦ କରି ନାହିଁ; ବରଂ ସମାଲୋଚନା କରି ଏଭଳି ଶବ୍ଦ ପ୍ରୟୋଗ କରିଛି। ବୁଝିବାକୁ ହେବ ଯେ ମୂଳ ଶବ୍ଦ ଡିସ୍‌କ୍ରେସ୍‌ନାରି କୋଟା(Discretionary Quota)ର ଅର୍ଥ ହେଉଛି ବିବେକାଧିକାର ଭାଗ। ଅର୍ଥାତ୍‍ ସଂପୃକ୍ତ ଅଧିକାରୀ ଓ ମନ୍ତ୍ରୀଙ୍କର ବିବେକାଧିକାର ବଳରେ ନିଜ ପାଇଁ ଅଥବା ଅନ୍ୟ ପାଇଁ  ପ୍ଳଟ୍‍(ଘରଡିହ), ଫ୍ଲାଟ୍‍(କୋଠା) ରଖିବାର ବିଧି । କିନ୍ତୁ ସେହି ନେତା ଓ ବାବୁମାନେ ନିଜ ବିବେକ ଅପେକ୍ଷା ନିଜ ଇଚ୍ଛାକୁ ହିଁ ପ୍ରୟୋଗ କରିଛନ୍ତି । ଫଳତଃ ଓଡ଼ିଆ ଗଣମାଧ୍ୟମ ଯଥାର୍ଥରେ ତାହାକୁ ଇଚ୍ଛାଧୀନ କୋଟା ବୋଲି ଲେଖୁଛି - କହୁଛି। ନଚେତ୍‍ ଗୋଟିଏ ଗୋଟିଏ ପରିବାର ଭାଗରେ ଏକାଧିକ ପ୍ଳଟ୍‍ ବା ଫ୍ଲାଟ୍‍ କେମିତି ପଡ଼ି ଥାଆନ୍ତା!

ଏହି ଚର୍ଚ୍ଚାରେ ଆମ୍ଭେ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ୱର ଉପରେ ବେଶି ଧ୍ୟାନ ଦେଇଛୁ । ରାଜ୍ୟର ବେଶି ଲୋକ ଏହି ଦୁଇ ସହରକୁ ନିଜର ସ୍ଥାୟୀ ଠିକଣା କରିବାକୁ ଚାହୁଛନ୍ତି । ଅର୍ଥାତ୍‍ କୋଠାଘରଟିଏ ହେଲେ ସେଇଠି ମୁଣ୍ଡ ଗୁଂଜିବେ ବା ବାସ କରିବେ । କିନ୍ତୁ ବାସସ୍ଥାନ ଏବେ ବ୍ୟବସାୟ ଓ ଆୟପନ୍ଥାରେ ପରିଣତ ହୋଇଯିବାଟା ସଚେତନ ନାଗରିକଙ୍କୁ ଅସୁବିଧାରେ ପକାଇଛି । ଯେଉଁମାନେ ଆଶାୟୀ ରହିଥିଲେ ଖଣ୍ଡେ ଡିହ ବା ଗୋଟାଏ ଘର ପାଇବା ପାଇଁ, ସେମାନେ ସେମିତି ବର୍ଷ ବର୍ଷ ଧରି ଆଶାୟୀ ହୋଇ ରହିଯାଉଥିବା ବେଳେ କ୍ଷମତାରେ ଥିବା ଥୋକେ ବ୍ୟକ୍ତି ଏକାଧିକ ଡିହ ଓ ପ୍ଳଟ୍‍ ହାତେଇଛନ୍ତି । ଏସବୁର ପୁଷ୍ଟି ହୋଇସାରିଥିଲେ ସୁଦ୍ଧା ଏଭଳି ଧନ୍ଦା ବହୁ ବର୍ଷ ଧରି ଚାଲିଛି ବୋଲି କଥା ଉଠିଛି । ଯାହାକୁ ସରକାର ଗ୍ରହଣ କରି ତଦନ୍ତ ନିର୍ଦେଶକ ଦେଇଛନ୍ତି । ଆଉ ଏହି ତଦନ୍ତ ସତରେ ହେବ କି? ଯଦି ତଦନ୍ତ ହୁଏ, ତଦନ୍ତ ସରିବ କି? ଯଦି ତଦନ୍ତ ସରେ ରିପୋର୍ଟ ବାହାରିବ କି? ରିପୋର୍ଟ ପାଇଲା ପରେ ରାଜ୍ୟ ସରକାର ତାହାକୁ ସର୍ବସାଧାରଣରେ ପ୍ରକାଶ କରିବେ କି, ଗତାନୁଗତିକ ଭାବେ ଶୀତଳଭଣ୍ଡାରରେ ପକାଇ ରଖିବେ? ଏମିତି ଅନେକ ପ୍ରଶ୍ନ ଓ ସଂଶୟରେ ଛନ୍ଦି ହୋଇ ପଡ଼ିଛି ସଭ୍ୟସମାଜ । 

ଏଠାରେ ଆମେ ଯେଉଁ ଟ୍ରାନ୍ସପାରେନ୍ସି ପୋର୍ଟାଲ କଥା କହୁଛୁ, ତାହା ପ୍ରଥମେ ରନ୍ଧନ ଗ୍ୟାସ୍‍ ବଣ୍ଟନ ପ୍ରସଙ୍ଗରେ ଆସିଥିଲା । ଅର୍ଥାତ୍‍ କେଉଁମାନଙ୍କ ନାମରେ ରନ୍ଧନ ଗ୍ୟାସ୍‍(ଏଲ୍‍.ପି.ଜି.)ର ଖାଉଟିକାର୍ଡ଼ ଅଛି, ତାହା ୱେବ୍‍ସାଇଟ୍‍ରେ ପ୍ରକାଶ ପାଉ ବୋଲି ଦାବି ହୋଇଥିଲା । ପୋର୍ଟାଲ ଅର୍ଥ ଯେଉଁ ୱେବ୍‍ସାଇଟ୍‍ରେ ବିଭିନ୍ନ ଡାଟାବେସ୍‍ ସଂଲଗ୍ନ ରହିଥାଏ ଏବଂ ଯହିଁରୁ ଇଣ୍ଟରନେଟ୍‍ ବ୍ୟବହାରକାରୀ ଖୋଜି ପାଇବାର ସୁବିଧା ରହିଥାଏ । ଏଲ୍‍.ପି.ଜି. ସିଲିଣ୍ଡରର ହଠାତ୍‍ ଗୁରୁତର ଅଭାବ ଦେଖାଦେବାରୁ ଏଭଳି ବ୍ୟବସ୍ଥା କିଛି ମାତ୍ରାରେ କରାଯାଇ ନକଲି ଗ୍ରାହକଙ୍କୁ ବାଦ୍‍ ଦିଆଯାଇଥିଲା । ତିନିଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀ ଟ୍ରାନ୍ସପାରେନ୍ସି ପୋର୍ଟାଲ କରି ସ୍ୱଚ୍ଛତା ଦେଖାଇବାକୁ ପ୍ରୟାସ କରିଥିଲେ । କହିବା ବାହୁଲ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ଳଟ୍‍ ଓ ଫ୍ଲାଟ୍‍ ଯୋଗାଉଥିବା ବିଭିନ୍ନ ବିଭାଗ ଓ ସ୍ୱୟଂଶାସିତ ସଂସ୍ଥାର ଯଦି ସ୍ୱଚ୍ଛତା (Transparency) ପୋର୍ଟାଲ ରହିଥାଆନ୍ତା, ତେବେ ସେହି ଭାଷା ଜାଣିଥିବା ଦେଶର କୌଣସି ବି ନାଗରିକ ସହଜରେ ସେହି ଅସଲ ସୂଚନା ପାଇପାରନ୍ତେ । ଅର୍ଥାତ୍‍ କେଉଁମାନେ ପ୍ଳଟ୍‍ ବା ଫ୍ଲାଟ୍‍ ନେଇଛନ୍ତି, ତାହା ନିଜ ଘରେ ବସି ମଧ୍ୟ ଜାଣି ହୁଅନ୍ତା । ଏହା ହେଉଛି ସୂଚନା ପ୍ରଯୁକ୍ତିର ଶକ୍ତି ।

ଗୋଟିଏ ଆପ୍ତବାକ୍ୟ ଅଛି - ସୂଚନା ହିଁ ଶକ୍ତି । କିନ୍ତୁ ସଂପୃକ୍ତ ଦପ୍ତରଗୁଡ଼ିକ ଏବେ ବି ସେଇ ପୁରୁଣା କାଳିଆ କାଗଜ ଫାଇଲରେ ଚାଲୁ ଥିବାରୁ ବ୍ୟାପକ ଦୁର୍ନୀତି ହୋଇ ପାରୁଛି । ଆଉ କୌଣସି ଗୁମର ଭେଦ କରିବାକୁ ହେଲେ ଟାସ୍କଫୋର୍ସ ବା ତଦନ୍ତ କମିଶନ ବସାଇବାକୁ ପଡୁଛି । ଅର୍ଥାତ୍‍ ଆଙ୍ଗୁଠି ଟିପରେ ଯାହା ହୋଇପାରନ୍ତା, ସେଥିପାଇଁ ବାହୁବଳ ଓ କରତ ଲୋଡ଼ା ପଡୁଛି । ସୂଚନା ପ୍ରଯୁକ୍ତି ବା ସୂଚନା-ସଂଚାର-ପ୍ରଯୁକ୍ତିକୁ ଏବେ ବି ଗଣତନ୍ତ୍ରର ଖୁମ୍ବମାନେ ଜୋର୍‍ ଦେଇ ନାହାନ୍ତି। ଏବେ ଚିଟ୍‌ଫଣ୍ଡ୍‍ ମହାଠକେଇ ପରେ ସତ୍ୟପାଠ ଦାଖଲକାରୀମାନଙ୍କର ଯେଉଁ ଡାଟାବେସ୍‍ ତିଆରି ଚାଲିଛି, ତାହା କରାଯିବା ପାଇଁ ମଧ୍ୟ ଆମ୍ଭେ ବ୍ୟକ୍ତିଗତ ଭାବେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲୁ । ଯଦି ସଂପୃକ୍ତ ଚିଟ୍‍ଫଣ୍ଡ୍‍ କମ୍ପାନୀମାନେ ଇଣ୍ଟରନେଟ୍‍ରେ ଜମାକାରୀଙ୍କ ସବିଶେଷ ତଥ୍ୟ ରଖିଥାଆନ୍ତେ, ତେବେ ସମାଧାନ କରିବା ପାଇଁ ଏତେ ହଟହଟା ହେବାକୁ ପଡ଼ନ୍ତା ନାହିଁ କି କମିଶନ ବସେଇକି ଅର୍ଥଶ୍ରାଦ୍ଧ କରିବାକୁ ପଡ଼ନ୍ତା ନାହିଁ । ଏଠାରେ ମନେ ପକାଇଦେବା ଉଚିତ ହେବ ଯେ ଜାତୀୟ ସ୍ତରର ସବୁ ବ୍ୟାଙ୍କ୍‍ ଓ ବୀମା କମ୍ପାନୀ ସେମାନଙ୍କ ଉପଭୋକ୍ତାମାନଙ୍କ ତଥ୍ୟକୁ ପୋର୍ଟାଲରେ ବା ଇଣ୍ଟରନେଟ୍‍ରେ ରଖିଛନ୍ତି । ତାହାକୁ ପ୍ରତି ମୁହୂର୍ତ୍ତରେ ଉପଭୋକ୍ତାମାନେ ମଧ୍ୟ ବ୍ୟବହାର କରିପାରୁଛନ୍ତି । ଯାହାକୁ କୁହାଯାଉଛି ଅନ୍‍ଲାଇନ୍‍ ସେବା କିନ୍ତୁ ବିଡ଼ିଏ, ସିଡ଼ିଏ, ଇଡ଼୍‍କୋ ଓ ସାଧାରଣ ପ୍ରଶାସନ ବିଭାଗର କୌଣସି ଅନ୍‍ଲାଇନ୍‍ ସୁବିଧା ବା ସ୍ୱଚ୍ଛତା ପୋର୍ଟାଲ ନାହିଁ । ତେଣୁ କେଉଁଠି ହରିଲୁଟ୍‍ କି ଦୁର୍ନୀତିର ଅଭିଯୋଗ ଉଠିଲେ ପୁରୁଣାକାଳିଆ ଢାଞ୍ଚାରେ କମିଟି, କମିଶନ ଅଥବା ଟାସ୍କଫୋର୍ସ ବସାଇବାକୁ ପଡୁଛି ।

ବାସ୍ତବରେ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଚାହାନ୍ତି ଯେ ଶାସନ କେବଳ ଫାଇଲ୍‍ରେ ଚାଲୁ । ଯାହା ଫଳରେ ସେମାନେ ଗୋଳିଆପାଣିର ଫାଇଦା ନେଇ ଉପୁରି ଆୟ କରିପାରିବେ । କାଗଜରେ ବା ଏ ଟେବୁଲ ସେ ଟେବୁଲ ହୋଇ ଫାଇଲ ଘୂରିବା ବଦଳରେ ସବୁ ଯେମିତି ବିନା କାଗଜରେ ଓ ଇଣ୍ଟରନେଟ୍‍ ଜରିଆରେ ହୋଇପାରିବ, ସେଥିପାଇଁ ବିଗତ କେନ୍ଦ୍ର ସରକାରମାନେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏବେର ଏନ୍‍ଡିଏ ସରକାର ମଧ୍ୟ ଅଧିକ ଗୁରୁତ୍ୱ ଦେଉଛି । ହେଲେ ଆମ ରାଜ୍ୟ ଓଡ଼ିଶାରେ ତାହାର ପ୍ରଭାବ ପଡୁ ନାହିଁ । ତେବେ ସମାଧାନ ପନ୍ଥା ହେଉଛି ଯେ ୧୯୯୫ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଜମି ଆବଣ୍ଟନ ତଥ୍ୟକୁ ଯଦି ଅନ୍‍ଲାଇନ୍‍ ଡାଟାବେସ୍‍ରେ ରଖାଯିବ, ତେବେ ଅଭିଯୋଗକାରୀ ନାଗରିକମାନଙ୍କୁ ସମ୍ଭାଳିବା ସହଜ ହେବ । ତେଣୁ ଚିଟ୍‍ଫଣ୍ଡ୍‍ ଡାଟାବେସ୍‍ ଭଳି ଏକ ଡାଟାବେସ୍‍ ପ୍ରସ୍ତୁତ ହେବା ଦରକାର। ତେବେ ଏହି କାର୍ଯ୍ୟରେ ଟାଇପିଷ୍ଟ୍‍ମାନଙ୍କୁ ଲଗାଇ ଦେଇ ସୂଚନାପ୍ରଯୁକ୍ତି ପେସାଦାରମାନେ ଅନ୍ୟ ଧନ୍ଦାରେ ମାତିଲେ, ଏହା ମଧ୍ୟ ବେଙ୍ଗା ହୋଇଯିବ।

ବିମଳ ପ୍ରସାଦ, bimal.odisha@yahoo.in