13 जुलाई 2015

ନବକଳେବର ରଥଯାତ୍ରା ୨୦୧୫

ଚଳିତ ବର୍ଷ (୨୦୧୫) ଜୁଲାଇ ୧୮ ତାରିଖ ଶନିବାରେ ହେବ ନବକଳେବର ରଥଯାତ୍ରା। ଯାହା ଯାହା ସବୁ ଘଟିଯାଇଛି, ତାହାକୁ ଉଖାରିବାକୁ ଚାହୁନାହୁଁ। ତେବେ ତଳ ବିନ୍ଦୁଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ନିବେଦନ:-

୧. ଇଂଲିଶ୍‌ ସାମ୍ବାଦିକମାନେ ରଥଯାତ୍ରାକୁ Car Festival ଲେଖିବେ ନାହିଁ। କିହୋ, କମକୁଟା ରଙ୍ଗୀନ୍‌ କପଡ଼ା ବେଷ୍ଟିତ ପ୍ରାୟ ୪୦ ଫୁଟ ଉଂଚା କାଠନିର୍ମିତ ଯାନସବୁ କ’ଣ ଆପଣଙ୍କୁ Car ଭଳି ଦେଖାଯାଉଛି?? ଓଡ଼ିଆ ଭାଷାଗତ ଉଚ୍ଚାରଣ ଅନୁସାରେ ରୋମାନ ଲିପିରେ ଏହା ହେବ Rathajatra କିଂବା ସର୍ବଭାରତୀୟ ବା ହିନ୍ଦୀ ଉଚ୍ଚାରଣ ଅନୁସାରେ ଲେଖାଯାଇପାରିବ Rathyatra। ଏଣୁ ଠିକ୍‌ ଲେଖିବେ ଏବଂ ପାଠକେ ଠିକ୍‌ ପଢ଼ିବାକୁ ସହଯୋଗ କରିବେ। ଅନୁଗ୍ରହ କରି ଆମ ସଂସ୍କୃତି ଓ ଭାଷାକୁ ବିକୃତ କରିବେ ନାହିଁ?

୨. ସେହିଭଳି ସିଂହଦ୍ଵାରକୁ Lion's Gate, ବଡ଼ଦାଣ୍ଡକୁ Big Street ଭଳି ଅନୁବାଦ କରି ରିପୋର୍ଟ କରିବେ ନାହିଁ କି କଥାବାର୍ତା ହେବେ ନାହିଁ। ଦୁଃଖର କଥା ଯେ ସିଂହଦ୍ଵାର ପାଖରେ ଥିବା ଶତାଧିକ ଦୋକାନରେ Lion's Gate ଠିକଣା ଲେଖା ରହିଛି।  ଇଂଲିଶ୍‌ ଭାଷାର ଗୋଲାମ ହେବାର ପରମ୍ପରା ପରିହାର କରିବା ପ୍ରତି ସମସ୍ତେ ଧ୍ୟାନ ଦେବେ। ଏହା ପ୍ରତି ଧ୍ୟାନ ନଦେଇ ଗୋପବଂଧୁଙ୍କ ପ୍ରତିମୂର୍ତି କାହିଁକି ସ୍ଥାନାନ୍ତରିତ ହେଲା? ଭଳି ହୀନ ରାଜନୀତିରେ ମାତିବା ଆଦୌ ଶୁଭଙ୍କର ନୁହେଁ।  

୩. ସେହି ଭଳି ଅନେକ ଜ୍ଞାନୀଗୁଣୀ ଲୋକ ସ୍ଵର ଉତ୍ତୋଳନ କରିଛନ୍ତି ଯେ ଠାକୁରଙ୍କ ନାମ ପୂର୍ବରୁ Lord ଶବ୍ଦ ବ୍ୟବହାର ଅପମାନସୂଚକ। କାରଣ ବ୍ରିଟିଶ ଶାସନରେ ଭାଇସ୍‌ରୟମାନଙ୍କ ନାମ ପୂର୍ବରୁ ଏହି Lord ଶବ୍ଦ ଲାଗୁଥିଲା।  ତେଣୁ ଏହାକୁ God କହିବା ଓ ଲେଖିବା ଉଚିତ।

୪. ଏମିତି ଏକାଧିକ ପଦ ବା ଶବ୍ଦକୁ ଅନ୍ୟ ଭାଷାରେ ପ୍ରକାଶ କଲା ବେଳେ ଆମ ଜଗନ୍ନାଥ ସଂସ୍କୃତିର ମୌଳିକତା ପ୍ରତି ଧ୍ୟାନ ଦେବେ। ଓଡ଼ିଶାର ଲୋକସଂସ୍କୃତିର ପରିଚୟ ପାଲଟିଥିବା ରଙ୍ଗବତୀ ଗୀତକୁ ବିକୃତ କରାଯାଇଥିବାରୁ ଏବେ ବି ବିବାଦ ଥମି ନଥିବା ବେଳେ ଅତୀତରେ ଜଗନ୍ନାଥ ସଂସ୍କୃତିକୁ ନେଇ ଯେଉଁଭଳି ଭୁଲ୍‌ ପାଇଁ ରାଜରାସ୍ତାକୁ ସଂସ୍କୃତିପ୍ରେମୀମାନେ ଆସି ନାହାନ୍ତି, ଏଥର ରଥଯାତ୍ରା ଅବସରରେ ମଧ୍ୟ କୌଣସି ସ୍ଵର ଉଠିବ ନାହିଁ ବୋଲି ଭାବି ବେଫିକର ହେବେ ନାହିଁ ।

୫. ରଥଯାତ୍ରାରେ କେତେ ଦର୍ଶନାର୍ଥୀ ବା ଭକ୍ତ ସମାଗମ ହେଲା, ତାହା ଉପରେ ଆଦୌ ମନଗଢ଼ା ସଂଖ୍ୟା ନଦେଇ ଆପଣଙ୍କ ଅଙ୍କକଷାର ବାସ୍ତବ ନମୁନା ଦର୍ଶାଇବେ। ଗୋଟିଏ ଖବରକାଗଜ ଲେଖିଥିବ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ତ ଆଉ ଗୋଟିଏ ଲେଖିଥିବ ୧୪ ଲକ୍ଷ, ଅନ୍ୟ ଗୋଟିଏରେ ବାହାରିଥିବ ୧୯ ଲକ୍ଷ, ଆଉ ଗୋଟିଏ ଲେଖିଥିବ ୨୩ ଲକ୍ଷ। ହିସାବରେ ଏତେ ବଡ଼ ବଡ଼ ଅନ୍ତର କାହିଁକି? ଏହା କ’ଣ ଗଣମାଧ୍ୟମର ମିଛ କହିବାର ଏକ ସର୍ବକ୍ଷମଣୀୟ ଧାରା? କେଉଁ ଆଧାରରେ ଏମିତି ଭଳିକି ଭଳି ସଂଖ୍ୟା ପ୍ରକାଶ ପାଏ? ରିପୋର୍ଟରମାନଙ୍କ ମଧ୍ୟରେ ହୁଏତ ସମନ୍ଵୟର ଅଭାବ ଥାଇ ପାରେ, କିନ୍ତୁ ଖବରଡେସ୍କରେ ଯେଉଁମାନେ କାମ କରନ୍ତି, ସେମାନେ ସଚେତନ ରହିବା ଦରକାର। ନଚେତ୍ ଗଣମାଧ୍ୟମ ସାମୂହିକ ଭାବେ ନିଷ୍ପତ୍ତି ନେଉ, କେତେ ସଂଖ୍ୟକ ଭକ୍ତ ସମାଗମ ହୋଇଛନ୍ତି ତାହାର ହିସାବ ଦେବାକୁ। (ଦ୍ରଷ୍ଟବ୍ୟ: ଉକ୍ତ ହାସ୍ୟାସ୍ପଦ ବିବରଣୀର ଉଦାହରଣ ପାଇଁ ବିଗତ ବର୍ଷଗୁଡ଼ିକର ରଥଯାତ୍ରା ବାସି ଦିନର ଖବରକାଗଜ ରିପୋର୍ଟ)

୬. ପ୍ରତି ବର୍ଗଫୁଟରେ କେତେ ଜଣ ଠିଆ ହୋଇପାରିବେ ଏବଂ ବଡ଼ଦାଣ୍ଡ ବା ଏହାର ଅଂଶବିଶେଷ କେତେ ବର୍ଗଫୁଟ, ଏଭଳି ହିସାବ କରି ମଧ୍ୟ ଭକ୍ତମାନଙ୍କ ଆକଳନ କରାଯାଇପାରିବ। ତେଣୁ ଆଜିର ବିଜ୍ଞାନ ଯୁଗରେ ପାଠକ ବା ଦର୍ଶକମାନଙ୍କ ଆବେଗ ସହ ଖେଳିବା ଭଳି ମିଛ ସୂଚନା ଦେବାରୁ ବିରତ ରୁହନ୍ତୁ।

୭. ରଥଯାତ୍ରାର ଟିଭି ଧାରାବିବରଣୀ ଦେଉଥିବା ପଣ୍ଡିତମାନେ ଅନାବଶ୍ୟକ ଶ୍ଳୋକ ଆବୃତ୍ତି ଅପେକ୍ଷା ବାସ୍ତବ ଘଟଣାବଳୀର ତଥ୍ୟଗତ ଓ ତତ୍ତ୍ଵଗତ ବର୍ଣନାରେ ମନ ଦେବାକୁ ଅନୁରୋଧ। ନିର୍ଧାରିତ ସମୟ ଠାରୁ ବିଭିନ୍ନ ରୀତିଗୁଡ଼ିକ ସମାପନରେ କେତେ କ’ଣ ବିଳମ୍ବ ଘଟୁଛି, ବା ଆଗୁଆ ହୋଇଯାଉଛି ତାହାର ସୂଚନା ଦେବା ଦରକାର। କେଉଁ କେଉଁ ରେଳଗାଡ଼ି ବିଳମ୍ବ ହୋଇଯାଇଛି, ତାହାର ସୂଚନା ଦେବା ଦରକାର।

୮. ରଥଯାତ୍ରା ସଂଧ୍ୟାରେ ଫେରିବା ବେଳେ ବସ୍‌ବାଲାଏ ଯାତ୍ରୀମାନଙ୍କୁ ଯେମିତି ମାଲ୍‌ ଭଳି ଖୁନ୍ଦିଖାନ୍ଦି ଆଣନ୍ତି, ତାହା କେବଳ ଅନୁଭବୀ ହିଁ ଜାଣିପାରିବ। ବାହାସ୍ପୋଟ ମାରୁଥିବା ସରକାରୀ କମିଟିମାନେ ଏହାର ସମାଧାନ ପାଇଁ ହୁଏତ କିଛି ବି କରି ନଥିବେ, ଏହାର ସ୍ପଷ୍ଟ ଚିତ୍ର ବି ଗଣମାଧ୍ୟମରେ ଆସିବା ଦରକାର। ସେଇ ନିକମା କମିଟିମାନଙ୍କୁ ଏଠାରେ ଆଗୁଆ ସତର୍କ କରାଇବାର କୌଣସି ମୂଲ୍ୟ ନାହିଁ। 


୯. ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କିଭଳି ପ୍ରତି ୨୦ ମିନିଟ୍‌ରେ ଗୋଟିଏ ଲେଖାଏଁ ଟ୍ରେନ୍‌ ପୁରୀରୁ ଭୁବନେଶ୍ଵର ଓ ବ୍ରହ୍ମପୁର ଆଡ଼କୁ ଦୌଡ଼ିବ, ତାହାର ସ୍ଥିତି ଯାଞ୍ଚ ପ୍ରତି ଗଣମାଧ୍ୟମ ସତର୍କ ଧ୍ୟାନ ଦେଲେ, ରଥଯାତ୍ରା ଉତ୍ସବର ସାମଗ୍ରିକ ଆୟୋଜନ ସୁଚାରୁ ହୋଇପାରିବ।