08 जुलाई 2015

ରଙ୍ଗବତୀର ବିକୃତୀକରଣ ଅକ୍ଷମଣୀୟ

ଓଡ଼ିଶାର ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’ର ରିମିକ୍ସ ଏଇ ଜୁଲାଇ ୨୦୧୫ରେ ବିଶେଷ ଭାବେ MTV ଚ୍ୟାନେଲରେ ଏବଂ YouTube ୱେବ୍‌ ଚ୍ୟାନେଲରେ ମଧ୍ୟ ବ୍ୟାପକ ଭାବେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଏଥିରେ ମୂଳଗୀତକୁ ବିକୃତ କରାଯିବା ସହ ସେଥିରେ ଓଡ଼ିଶାର ସମ୍ମାନସୂଚକ ପ୍ରାଦେଶିକ ସଂଗୀତ ‘ବଂଦେ ଉତ୍କଳ ଜନନୀ’କୁ ମଧ୍ୟ ଫେଣ୍ଟା ଯାଇଥିବାରୁ ଅନେକ ସ୍ଵାଭିମାନୀ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଏପରିକି ମୂଳ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ସଂଗୀତକାର ପ୍ରଭୁଦତ୍ତ ପ୍ରଧାନ ଓ କଣ୍ଠଶିଳ୍ପୀ ଜିତେନ୍ଦ୍ରିୟ ହରିପାଲ ପ୍ରମୁଖ ଅପମାନିତ ହୋଇଥିବା ଅନୁଭବ କରି କୋଟିଏ ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି।

ଏଭଳି ରିମିକ୍ସ ଦ୍ଵାରା ଓଡ଼ିଶାର ସଂଗୀତ ବିଶ୍ଵବ୍ୟାପୀ ହୋଇପାରିଛି ବୋଲି କେତେକ ବ୍ୟକ୍ତି ଯୁକ୍ତି କରୁଛନ୍ତି। କିନ୍ତୁ ସ୍ଵାଭିମାନୀ ବ୍ୟକ୍ତିମାନେ ଏହାକୁ ଗ୍ରହଣ କରୁନାହାନ୍ତି। ଗ୍ରହଣ ନକରିବା ମଧ୍ୟ ସ୍ଵାଭାବିକ କଥା। ଆଶ୍ଚର୍ଯ୍ୟର କଥା ଯେ ମୁମ୍ବାଇର କୋକ୍ ଷ୍ଟୁଡ଼ିଓରେ ରେକଡିଂ ହୋଇଥିବା ରିମିକ୍ସ ଗୀତକୁ ଦୁଇ ଜଣ ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ସୋନା ମହାପାତ୍ର ଗାଇଛନ୍ତି।

(ବାମରୁ) ଜିତେନ୍ଦ୍ରିୟ ହରିପାଲ, କ୍ରିଷ୍ଣା ପଟେଲ,
ମିତ୍ରଭାନୁ ଗୌନ୍ତିଆ, ପ୍ରଭୁଦତ୍ତ ପ୍ରଧାନ
ଓଡ଼ିଶାରେ ଓଡ଼ିଆ ଗୀତରେ ଅଶ୍ଳୀଳତା ଓ ବିକୃତିକୁ ନେଇ ବହୁବାର ସ୍ଵର ଉଠିଛି। ସିନେମା ଭଳି ସଂଗୀତ ପାଇଁ ମଧ୍ୟ ସେନସର ବୋର୍ଡ଼ ବସୁ ବୋଲି ଜନସାଧାରଣ ଦାବି କରିଛନ୍ତି। ଅବଶ୍ୟ ଓଡ଼ିଶାରେ ସଂସ୍କୃତିର କୌଣସି ଦାପ୍ତରିକ(Official) ପରିଭାଷା ନଥିବାରୁ ସମସ୍ୟା ଉପୁଜୁଛି। ଅଥଚ ଓଡ଼ିଶାରେ ଏକ ସଂସ୍କୃତି ବିଭାଗ ରହିଛି!

ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ପ୍ରାର୍ଥନା ଗୀତ ‘‘ଆହେ ଦୟାମୟ ବିଶ୍ଵବିହାରୀ’’ (ଶିକ୍ଷକ ରାମକୃଷ୍ଣ ନନ୍ଦଙ୍କ ରଚିତ)କୁ ବିକୃତ କରି ‘‘ଆହେ ଦୟାମୟ ବିଶ୍ଵବିହାରୀ, ମତେ କିଆଁ କଲ ଏତେ ସୁନ୍ଦରୀ...’’ ମୁଖଡ଼ାରେ କଟକର ବାପୁ ଗୋସ୍ଵାମୀ ଲେଖିଥିବା ଗୀତକୁ ସ୍ଵର ଓ ସଂଗୀତରେ ସଜେଇଥିଲେ ଗୁଡ଼୍‌ଲି ରଥ। ୨୦୧୦ରେ ଏହା ଯେତେବେଳେ ବଜାରକୁ ଆସିଲା କୌଣସି ଲୋକ ଏହାକୁ ବରଦାସ୍ତ କଲେ ନାହିଁ। କାରଣ ସେହି ଗୀତଟି ଥିଲା ଓଡ଼ିଶାର ସବୁ ପ୍ରକାର ବିଦ୍ୟାଳୟର ଏକ ସାଧାରଣ ପ୍ରାର୍ଥନା ଗୀତ। ବହୁ ଆନ୍ଦୋଳନ ହେବା ପରେ ସେହି ଆଲ୍‌ବମ୍‌ ମୁକ୍ତିଲାଭ କରିବାର ୧ ମାସ ମଧ୍ୟରେ ଶ୍ରୀ ରଥ ଭୁବନେଶ୍ଵରରେ ଆଉ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଇ ସର୍ବସାଧାରଣରେ କ୍ଷମା ମାଗିବା ସହ ବଜାରରୁ ସମସ୍ତ ସିଡ଼ି ଫେରାଇ ନେବାର ପ୍ରତିଶ୍ରୁତି ଦେବା ପରେ ସବୁ ସମସ୍ୟାର ଅନ୍ତ ଘଟିଥିଲା। ଏହା ଥିଲା ଓଡ଼ିଶାର ସଂଗୀତ ଇତିହାସରେ ଏକ ବଡ଼ ଧରଣର ସ୍ଵାଭିମାନ ଓ ସଂସ୍କୃତି ସୁରକ୍ଷାର ଲଢ଼େଇ।

ରଙ୍ଗବତୀ ରିଟର୍ନସ୍‌ ଆଲ୍‌ବମ୍‌ରେ ‘‘ବନ୍ଦେ ଉତ୍କଳ ଜନନୀ’’କୁ ମିକ୍ସ କରାଯିବା ଏକ ପାଗଳାମି। ଅଥଚ ଏହାକୁ ଉଭୟ ଋତୁରାଜ ଓ ସୋନା ଗ୍ରହଣ କରିବା ପରିବର୍ତେ ବିତଣ୍ଡା ଯୁକ୍ତି କରିବାରେ ଲାଗିଛନ୍ତି। କାରଣ ଉଭୟେ ଜାଣନ୍ତି ନାହିଁ ‘ସଂସ୍କୃତି’ ଗୋଟାଏ କ’ଣ ଚିଜ! ଆଉ ୩୬ ବର୍ଷ ଧରି ପ୍ରତ୍ୟେକ ସଂଗୀତପ୍ରେମୀ ଓଡ଼ିଶାବାସୀଙ୍କ ମନରେ ଛାଇରହିଥିବା ରଙ୍ଗବତୀକୁ ଅସମ୍ମାନ କରିବା ଏକ ଅପରାଧ ନିଶ୍ଚୟ।

ସଂଗୀତକୁ ନେଇ ବିବାଦ, ଓଡ଼ିଶାରେ ନୂଆ ନୁହେଁ। ଲୋକପ୍ରିୟ କଣ୍ଠଶିଳ୍ପୀ ବାଦଲ କୁମାର ଓରଫ ବାଦଲ ଆଚାର୍ଯ୍ୟ ମଧ୍ୟ ପ୍ରାୟ ୨୧ ବର୍ଷ ତଳେ ବିକାଶ ଶୁକ୍ଳଙ୍କ ସଂଗୀତ ନିର୍ଦେଶନାରେ ଏକ ଭଜନ ଗାଇଥିଲେ ‘‘ନାନୀ ବଡ଼ଦାଣ୍ଡେ ଭିଡ଼ ଭାରୀ, ଟିକେ ହାଉଲେ ଯିବୁ...’’। ସେତେ ବେଳେ ଓଡ଼ିଶାରେ ଟିଭି ଚ୍ୟାନେଲର ପ୍ରଭାବ ନଥିଲା। କେବଳ ଥିଲା ଦୂରଦର୍ଶନରେ କିଛି ଓଡ଼ିଆ କାର୍ଯ୍ୟକ୍ରମ। ତେଣୁ କେବଳ ଖବରକାଗଜ ଜରିଆରେ କମ୍‌ ପ୍ରତିବାଦ ପ୍ରକାଶ ପାଇଥିଲା। ବାଦଲ ଆଚାର୍ଯ୍ୟ ତ୍ରୁଟି ସ୍ଵୀକାର କରିଥିଲେ ମଧ୍ୟ ବଜାରରୁ ତହିଁର କ୍ୟାସେଟ୍‌ ହଟି ନଥିଲା। (ସେତେବେଳେ ସିଡ଼ି ଯୁଗ ବି ଜୋର୍‌ ଧରି ନଥିଲା।)

୧୯୯୦ ମସିହା ପୂର୍ବରୁ ବିପୁଳ ସଂଖ୍ୟାରେ ଦ୍ଵିଅର୍ଥବୋଧକ ଲଘୁସଂଗୀତ (ଆଧୁନିକ ଗୀତ ନାମରେ)ର କ୍ୟାସେଟ୍‌ ଓ ଏଲ୍.ପି. ରେକର୍ଡ଼ ମୁକ୍ତିଲାଭ କରୁଥିଲା କଟକ ସହରରୁ। ଏଭଳି ଗୀତର କଣ୍ଠଶିଳ୍ପୀ ଭାବରେ ଜଣାଶୁଣା ଥିଲେ ମହମ୍ମଦ ସାଜିଦ୍‌, ମମତା ସାହୁ ଓ ଗୀତା ଦାଶ। କ୍ରମେ ଓଡ଼ିଆ କମର୍ସିଆଲ୍‌ ଆଧୁନିକ ଗୀତର ଶ୍ରୋତା ବଢ଼ିବାରୁ ଆପତ୍ତିଜନକ ପଦ ଓ ପଙ୍‌କ୍ତି ଥିବା ଗୀତଗୁଡ଼ିକର ସଂଖ୍ୟା କମିବାର ଧାରା ଆରମ୍ଭ ହୋଇଥିଲା। ସଂଗୀତ ଜଗତର ପ୍ରବାଦପୁରୁଷ ଅକ୍ଷୟ ମହାନ୍ତିଙ୍କ ନାମରେ ମଧ୍ୟ ଅଶ୍ଳୀଳତାର ଅଭିଯୋଗ ଉଠିଛି। ହେଲେ ସେ ଜଣେ ପୂରାକାଳୀନ ସଂଗୀତଜ୍ଞ ତଥା ଗୀତିକାର ଭାବରେ ନିଜ ପଂକ୍ତିକୁ ସାବ୍ୟସ୍ତ କରିପାରୁଥିଲେ। କାରଣ ତାଙ୍କର ସାରସ୍ଵତ ପ୍ରତିଭା ଓ ସାମାଜିକ ଗବେଷଣା ବଳରେ ସ୍ଵରଚିତ ଗୀତରେ ରଖିପାରୁଥିଲେ ଶାଣିତ ଟିପ୍ପଣୀ। ତାଙ୍କର ଏକ ଲୋକପ୍ରିୟ ଗୀତରେ ଗଡ଼ଗଡ଼ିଆଘାଟର ଯୁବତୀର ଜବାବ ଥିଲା- ‘‘ତୋ ବାପାର ଯାଉଛି କିସ, ହେଲି ନହେଲି ମୁଁ ବାହା...?’’ ଏହି ଗୀତରେ ସେ ମହାନଦୀକୂଳିଆ ଅଞ୍ଚଳର ବିବାହ ସମସ୍ୟା ଓ ଯୁବତୀମାନଙ୍କ ଆଚରଣ ଉପରେ ଇଙ୍ଗିତ କରିଛନ୍ତି।

ହେଲେ ଏଇ ଶତାବ୍ଦୀରେ ବିଭୁକିଶୋର ଗାଇଥିବା ‘‘ନବମ ଶ୍ରେଣୀ ଝିଅଟା ଛାତିକୁ ମୋ’ ହଟ୍‌ କରୁଛି’’ ଗୀତଟି ଯେତିକି ଶସ୍ତା ଲୋକପ୍ରିୟତା ଗୋଟାଇଛି, ସେତିକି ନିନ୍ଦିତ ହୋଇଛି। ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗୀତ ଗାୟନ ପାଇଁ ପସନ୍ଦ କରିଥିବାରୁ ଗାୟକ ବିଭୁକିଶୋର କେବେ ବି କୌଣସି ସାମ୍ବାଦିକଙ୍କୁ ସାମ୍ନା କରି ଅନୁତପ୍ତ ହୋଇ ନାହାନ୍ତି। 

ତେବେ ଏତେ ଇତିହାସ ବଖାଣିବାର ଗୋଟିଏ ଉଦ୍ଦେଶ୍ୟ ହେଲା କଣ୍ଠଶିଳ୍ପୀ ଶ୍ରୀମତୀ ସୋନା ମହାପାତ୍ର ଓ ସଂଗୀତ ନିର୍ଦେଶକ ରାମ୍‌ ସଂପତ୍‌ ନିଶ୍ଚିତ ରୂପେ ଅନୁତପ୍ତ ହେବା ସହ ସର୍ବସାଧାରଣରେ କ୍ଷମା ମାଗିବା ଦରକାର ଏବଂ ‘ରଙ୍ଗବତୀ ଟିଟର୍ନସ୍‌’ର ପ୍ରସାରଣ MTV ସମେତ ବିଭିନ୍ନ ଚ୍ୟାନେଲ୍‌ରୁ ବନ୍ଦ ହେବା ସହ ଇଣ୍ଟରନେଟ୍‌ରୁ ତାହାକୁ ହଟାଯିବା ଜରୁରୀ।

ବିମଳ ପ୍ରସାଦ, bimal.odisha@yahoo.in

कोई टिप्पणी नहीं:

एक टिप्पणी भेजें