13 अगस्त 2015

ଓଡ଼ିଆ ଭାଷାର ଆୟୁଷ ହାନି!

ସାପ୍ତାହିକ ସାହିତ୍ୟ ଆଲୋଚନା
- ପଣ୍ଡିତ ନୀଳକଂଠ ଦାସଙ୍କ ପ୍ରତିଷ୍ଠିତ ‘ନବଭାରତ’ର ନୂତନ ପ୍ରସ୍ଥ -
[‘ସମାଜ’ ୨୩ ଜୁଲାଇ ୨୦୦୦ ରବିବାରର ମୁଖ୍ୟ ପ୍ରସଙ୍ଗ]

ଏଥିରେ ଦ୍ଵିରୁକ୍ତି ନାହିଁ ଯେ ‘ଓଡ଼ିଆ’ କେବଳ ଓଡ଼ିଶାର ଭାଷା ହୋଇ ରହିଛି। ଭାଷାକୁ ‘ଭାବ ପ୍ରକାଶ’ର ମାଧ୍ୟମ ବୋଲି କହିଲେ, ଭାଷାର ସଂଜ୍ଞା ସଂକୁଚିତ ହୋଇଯାଉଛି। ‘ଓଡ଼ିଆଭାଷା’କୁ ଆମେ ଭାବପ୍ରକାଶର ମାଧ୍ୟମ ରୂପେ ମଧ୍ୟ ପ୍ରତିଷ୍ଠିତ କରି ପାରି ନାହୁଁ। ଏବେ ଆସନ୍ତୁ ଏକ ବିନ୍ଦୁୱାରୀ ଚର୍ଚା କରିବା, ଓଡ଼ିଆ ଭାଷାର ଆୟୁଷ ହାନି ହେଉଛି କିପରି ଏବଂ ତହିଁରେ ପ୍ରତିକାର ଓ ନିରାକରଣ କ’ଣ?

(୧) ବିଜ୍ଞାନର ଜୟଯାତ୍ରା ଯୋଗୁ ଧର୍ମ, ଭାଷା, ସାହିତ୍ୟ ଏବଂ ମଣିଷ ମଣିଷ ଓ ଦେଶ ଦେଶ ମଧ୍ୟରେ ଭିନ୍ନତା ସୂଚାଉଥିବା ସମସ୍ତ ଉପାଦାନ ଗୌଣ ହୋଇ ପଡୁଛି। ଅର୍ଥାତ୍‌ ବିଜ୍ଞାନର ଉପନିବେଶରେ ଅଣବିଜ୍ଞାନୀ ସାଆନ୍ତ ଓ ରାଜାମାନେ ପରାକ୍ରମହୀନ ହେଉଛନ୍ତି। ଯାହା ବିଜ୍ଞାନର ସହାୟକ ନୁହେଁ। ତାହା ତିଷ୍ଠିବ କିପରି? ଓଡ଼ିଆ ଭାଷା ବିଜ୍ଞାନର ସହାୟକ ନୁହେଁ ବୋଲି ଆମେ ଚୁପ୍‌ ରହିବାକୁ ଚାହୁନାହୁଁ। ଯେଉଁ ଓଡ଼ିଆମାନେ ଗବେଷଣାରେ ଲିପ୍ତ ଅଛନ୍ତି, ସେମାନେ ଆପଣାର ଭାଷାକୁ କିପରି ଉପଯୋଗ କରିଥାଆନ୍ତି ଓ ଉପଯୋଗୀ ମଣିଥାଆନ୍ତି, ତାହା ଏହି ପ୍ରଶ୍ନର ଉତ୍ତର ହେବ।

(୨) ପ୍ରଥମରୁ ଏକଥା କହି ରଖିବା ଉଚିତ ହେବ ଯେ ଓଡ଼ିଶାରେ ସରକାର ଓ ଶିକ୍ଷାବିଭାଗ ରହିଛି ବୋଲି ଓଡ଼ିଆ ଭାଷା ତିଷ୍ଠିଛି ଏବଂ ସେହି ସରକାର ଓ ଶିକ୍ଷା ବିଭାଗ ଯୋଗୁ ଏବେ ଓଡ଼ିଆ ଭାଷା ବିଲୟମୁଖୀ ହୋଇଅଛି। ସରକାରୀ ବିଦ୍ୟାଳୟ ଓ ସରକାରଙ୍କ ଅନୁମୋଦନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ହିଁ ଓଡ଼ିଆ ପଢ଼ାଯାଉଛି। କେଉଁ ସଭ୍ୟ ରାଷ୍ଟ୍ର ପରି ଏଠାରେ ଶିକ୍ଷାର ଘରୋଇକରଣ ହୋଇଥିଲେ, ସମ୍ଭବତଃ ଓଡ଼ିଆ ଭାଷା ଆହୁରି ପତନମୁଖୀ ହୋଇଥାଆନ୍ତା। ଭାରତ ଏକ ବହୁଭାଷୀ ଦେଶ ହୋଇଥିବାରୁ ଏକାଧିକ ଭାଷା ଶିଖିବା ଏକ ସାଧାରଣ ଆବଶ୍ୟକତା। କିନ୍ତୁ କେନ୍ଦ୍ର ସରକାରଙ୍କ ଶିକ୍ଷା ନିୟନ୍ତ୍ରକ ପରିଷଦଗୁଡ଼ିକ କେବଳ ଇଂଲିଶ୍‌ ଶିକ୍ଷା ଉପରେ ଗୁରୁତ୍ଵ ଦେଉଥିବାରୁ ତାହାର ଅନୁମୋଦିତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଓଡ଼ିଆ ଭାଷା ପ୍ରତି ଅବଦାନ ଆଶା କରିବା ବୃଥା। ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗ ଦ୍ଵାରା ନିୟନ୍ତ୍ରିତ ଶିକ୍ଷାନୁଷ୍ଠାନ ବା ବିଦ୍ୟାଳୟଗୁଡ଼ିକରେ ଅତି ବେଶିରେ ଦଶମ ବା +୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଛି। ହେଲେ ସେତିକି ପାଠପଢ଼ା ମଧ୍ୟରେ ସଂପୃକ୍ତ ବିଦ୍ୟାର୍ଥୀମାନଙ୍କ ଠାରେ ଓଡ଼ିଆ ଭାଷା ପ୍ରତି ଆଦରଭାବ ସୃଷ୍ଟି କରାଯାଇପାରୁ ନାହିଁ। ଏପରିକି ଓଡ଼ିଆ ଲିପିମାଳାର ଅକ୍ଷର, ଫଳା, ’କାର, ମାତ୍ରା ଓ ଯୁକ୍ତାକ୍ଷର ସଂଖ୍ୟା ଉପରେ କୌଣସି ଶ୍ରେଣୀରେ ବା କୌଣସି ପାଠ୍ୟପୁସ୍ତକରେ ସ୍ପଷ୍ଟ ଉଲ୍ଲେଖ ନାହିଁ। ଭାଷାର ପ୍ରଗତିଶୀଳ ପରିପ୍ରକାଶ ପାଇଁ ମଧ୍ୟ ସ୍ଵତନ୍ତ୍ର ସୁଯୋଗ ନାହିଁ। ଯଦିଓ ଇଂଲିଶ୍‌ ଓ ହିନ୍ଦୀ ଭାଷାର ସୃଜନାତ୍ମକ ରଚନାଶୈଳୀ ଉପରେ ପାଠ୍ୟକ୍ରମ ପ୍ରଚଳିତ ହେଲାଣି।

(୩) ଆମ ସମସ୍ତଙ୍କୁ ଅତ୍ୟନ୍ତ ସଚେତନ ଓ ସହୃଦୟତାର ସହ ଗ୍ରହଣଶୀଳ ହୋଇ ରହିବାକୁ ପଡ଼ିବ ଯେ, ସମଗ୍ର ପୃଥିବୀର ଗୋଟିଏ ଭାଷା, ଗୋଟିଏ ଅର୍ଥନୀତି, ଗୋଟିଏ ପ୍ରକାର ଈଶ୍ଵରବିଶ୍ଵାସ ପ୍ରତିଷ୍ଠିତ ହେବ। ଏହି କ୍ରମରେ ସାରା ପୃଥିବୀରେ ଗୋଟିଏ ଲିପି ହେବ ବୋଲି ମଧ୍ୟ କହି ହେବ। ଇଂଲିଶ୍‌ ସମେତ ପୃଥିବୀରେ ପ୍ରାୟ ୩୦ଟି ଭାଷା ରୋମାନ୍‌ ଲିପି ସଂପନ୍ନ ଅନ୍ୟ ଭାଷାଗୁଡ଼ିକୁ ସହଜରେ ଶିଖି ପାରୁଛନ୍ତି। ଆମ ଦେଶରେ ରାଷ୍ଟ୍ରଲିପି (ଅର୍ଥାତ୍‌ ସାରା ଦେଶରେ ଗୋଟିଏ ଲିପି) ପ୍ରଚଳନ ପ୍ରସ୍ତାବ କେତେ ଦଶନ୍ଧି ତଳୁ ଉଠିଥିଲେ ସୁଦ୍ଧା ସଂଖ୍ୟାଗରିଷ୍ଠ ନାଗରିକଙ୍କ ନିମ୍ନତର ଚେତନା ଯୋଗୁ ବାସ୍ତବତାରେ ରୂପାନ୍ତରିତ ହୋଇ ପାରି ନାହିଁ। ଓଡ଼ିଶାର ଜଣେ ସଂସ୍କାରବାଦୀ ନାଗରିକ ପ୍ରସ୍ତାବ ଉଠାଇଥିଲେ, ‘‘ଓଡ଼ିଆ ଭାଷା ପାଇଁ ମଧ୍ୟ ରୋମାନ୍‌ ଲିପିର ପ୍ରୟୋଗ କରାଯାଉ’’। କିନ୍ତୁ ଓଡ଼ିଶାର କିଛି ଭାଷା ପ୍ରବର ତାଙ୍କୁ ମସି ଧରି ଗୋଡ଼ାଇଲେ। ଆମେ ଏକଥା ଜାଣୁ ଯେ ବ୍ୟାବସାୟିକ ଫାୟଦା ପାଇଁ ହିନ୍ଦୀରେ ଅନେକ କ୍ଷେତ୍ରରେ ରୋମାନ୍‌ ଲିପିରେ ଲେଖା ଯାଉଛି। ବିଜ୍ଞାପନ, କ୍ୟାସେଟ୍‌ ଆଦିରେ ହିନ୍ଦୀ ଭାଷା ପାଇଁ ରୋମାନ୍‌ ଲିପିର ବହୁଳ ବ୍ୟବହାର ହେଉଛି। ଓଡ଼ିଆ ଲିପିକୁ ସମୂଳେ ଧ୍ବଂସ ନକରାଗଲେ ସୁଦ୍ଧା ସାର୍ବଜନୀନତା ଦୃଷ୍ଟିରୁ ଓଡ଼ିଆ ଭାଷା ପାଇଁ ରୋମାନ ଲିପିର ପ୍ରୟୋଗ ନିମିତ୍ତ ଆମ୍ଭମାନଙ୍କ ମଧ୍ୟରେ ସ୍ଥାନ ରହିବା ଉଚିତ। ଏହା ସହ ସଠିକ୍‌ ଉଚ୍ଚାରଣ ପାଇଁ କେତେଗୁଡ଼ିଏ ‘ମାତ୍ରା’ ନିର୍ଧାରିତ ହୋଇ ପ୍ରୟୋଗ ହେବା ଆବଶ୍ୟକ। ଯାହାକି ଶ୍ରେଣୀ ପାଠ୍ୟ ଓ ପାଠ୍ୟଖସଡ଼ାର ପ୍ରସଙ୍ଗ ମଧ୍ୟ ହୋଇ ପାରିବ। ରୋମାନ୍‌ ଲିପି କଂପ୍ୟୁଟର ପାଇଁ ବେଶ୍‌ ସହଜ ହେଉଥିବାରୁ ଓଡ଼ିଆ ଭାଷାର ସେହି ଲିପି ପ୍ରତି ଆବେଦନ ରହିବା ଆବଶ୍ୟକ। ଇମେଲ୍‌ କଂପ୍ୟୁଟର ବିଜ୍ଞାନର ଏକ ଅବଦାନ। ଇମେଲ ଯୋଗେ ବାର୍ତା ପ୍ରେରଣରେ ଓଡ଼ିଆ ଭାଷାର ପ୍ରୟୋଗ କରାଯାଇପାରି ନାହିଁ। କିନ୍ତୁ ଜଣେ ଭଲ ଓଡ଼ିଆ କହି ଜାଣୁଥିବା ଝିଅ ଆମେରିକାରେ ଥାଇ ମଧ୍ୟ ଓଡ଼ିଆ ଭାଷା ପାଇଁ ରୋମାନ ଲିପି ବ୍ୟବହାର କରି ଚକ୍‌ମା ଦେଖାଇବା ସହ ବେଶ୍‌ ସହଜରେ ଇମେଲ ପଠାଇବା ସହ ଇମେଲ୍‌ରେ ଗୋପନୀୟତା ରକ୍ଷା କରି ପାରୁଛନ୍ତି।

(୪) ଆମ ଦେଶର ପ୍ରାୟ ସବୁଯାକ ଶାସ୍ତ୍ର ସଂସ୍କୃତରେ ଲେଖାଯାଇଛି। ଆମ ଦେଶରେ ଶିକ୍ଷା କେବେ ସାର୍ବଜନୀନ ହୋଇ ନାହିଁ। ଅର୍ଥାତ୍‌, ସଂଖ୍ୟାଧିକ ଲୋକଙ୍କ ପାଇଁ ଶିକ୍ଷାକୁ ଅଚ୍ଛବ କରି ରଖାଯାଇଛି। ଦେଶରେ ବ୍ରାହ୍ମଣ୍ୟବାଦୀ ପରମ୍ପରା ଯୋଗୁ ଶାସ୍ତ୍ରଗୁଡ଼ିକ ଅନେକଙ୍କ ପାଇଁ ଅବୋଧ୍ୟ ଓ ଅଭେଦ୍ୟ ହୋଇ ରହିଛି ଏବଂ କିଛି ଲୋକ ବ୍ୟାଖ୍ୟାକାର, ପ୍ରବଚକ ଓ ପ୍ରବକ୍ତା ହୋଇ ରହିଛନ୍ତି। ଓଡ଼ିଶାରେ ଏବେ ମଧ୍ୟ ସେୟା ହେଉଛି। କାରଣ ଓଡ଼ିଶାରେ ସଂପ୍ରତି ସବୁ କାନୁନ୍‌ କଟକଣା ଓ କାଗଜପତ୍ର ଇଂଲିଶ୍‌ରେ ଲେଖାଯାଇଛି। ଏଣୁ ସଂଖ୍ୟାଧିକ ଜନସାଧାରଣ ଏସବୁର ବ୍ୟାଖ୍ୟା ଓ ସରଳୀକରଣ ପ୍ରତୀକ୍ଷାରେ ଭକୁଆ ହୋଇ ରହିଛନ୍ତି। ଆମ ଦେଶର ସାମାଜିକ ବ୍ୟବସ୍ଥାରେ ଯେପରି କିଛି ବର୍ଗର ଲୋକ ପାରମ୍ପରିକ ଭାବେ ନ୍ୟାୟଦାତା, ବ୍ୟାଖ୍ୟାକାର ଓ ପାରିଷଦ ହୋଇ ଆସିଛନ୍ତି; ସଂପ୍ରତି ଆଧୁନିକ ଯୁଗରେ ଓ ଗାଣତନ୍ତ୍ରିକ ରାଜ୍ୟରେ ମଧ୍ୟ ସେହି ବ୍ୟବସ୍ଥାର ତିଳେ ମାତ୍ର ପରିବର୍ତନ ହୋଇ ନାହିଁ। ଯେଉଁ ଭାଷାରେ ଆଇନ ପ୍ରଣୟନ ହୋଇ ପାରିବନି, ସେହି ଭାଷା ତିଷ୍ଠିବ କାହିଁକି? ଏହାର ଉତ୍ତର ଓ ପ୍ରତିକାର  ଆପଣଙ୍କ ପାଖରେ।

(୫) ଦୁନିଆରେ କୌଣସିଟି ସ୍ଥାୟୀ ନୁହେଁ। ପ୍ରତ୍ୟେକଟି ପ୍ରଗତିଶୀଳ ଏବଂ କ୍ଷୟଶୀଳ। ଯୁଗୋପଯୋଗୀ ଆବେଦନ ନରହିଲେ, ଏପରିକି ପ୍ରତ୍ୟେକଟି ରକମ ବର୍ଜ୍ୟ ହୋଇଯିବ। ସଂସ୍କୃତ ପରି ଆମ ଦେଶରେ ଅନେକ ଭାଷା ମୃତ ପାଲଟିଛି। ସାମ୍ରାଜ୍ୟବାଦୀ ଆକ୍ରମଣରେ ଆମେ ହରାଇଛେ ଯେତିକି, ପାଇଛେ ମଧ୍ୟ ସେତିକି। କିନ୍ତୁ ପାଇଥିବା ସାମଗ୍ରୀ ଓ ତହିଁର ପ୍ରୟୋଗଶୀଳତାର ଦୃଢ଼ୀକରଣ ନିଶ୍ଚେ ଆବଶ୍ୟକ। ଓଡ଼ିଆ ଭାଷାରେ ଯେପରି ପ୍ରଚୁର ଆରବୀ, ପାର୍ଶୀ, ହିନ୍ଦୀ, ସଂସ୍କୃତ ଶବ୍ଦ ଓ ଶୈଳୀକୁ ଗ୍ରହଣ କରି ନେଇଛେ; ସେହିପରି ଇଂଲିଶ୍‌ ଓ ଅନ୍ୟ ଭାଷାର ଶବ୍ଦ ଓ ଶୈଳୀ ମଧ୍ୟ ଓଡ଼ିଆରେ ପ୍ରବେଶ କରିବାରେ ଦ୍ଵିଧା ରହିବା କଥା ନୁହେ:। ସାର୍ବଜନୀନ ଚିନ୍ତନ ଓ ମୂଲ୍ୟବୋଧର ପରିପ୍ରକାଶ ପାଇଁ ଓଡ଼ିଆରେ କିଛି ନୂଆ ଶବ୍ଦ ଗ୍ରହଣ ଓ ନୂଆ ଶବ୍ଦ ସୃଷ୍ଟି ନହେଲେ, ଓଡ଼ିଆ ପରିପ୍ରକାଶ ସର୍ବଦା ହାସ୍ୟାସ୍ପଦର ଖୋରାକ ହୋଇ ଆମକୁ ଲଜ୍ଜା ଦେଉଥିବ। ଯେଉଁମାନେ ସବୁବେଳେ ସରଳ ଓଡ଼ିଆ ନାମରେ ଓଡ଼ିଆ ପଢୁଆମାନଙ୍କୁ ଭୁନ୍ଦୁ ବୋଲି ଭାବନ୍ତି ଏବଂ ଓଡ଼ିଆ ଲେଖିଥିବା ମଣିଷମାନଙ୍କୁ ‘‘ସରଳ ଲେଖ, ସରଳ ଲେଖ’’ ବୋଲି ଜୋର୍‌ କରି ପରାମର୍ଶ ଦେଉଥାଆନ୍ତି, ସେଇମାନଙ୍କ ପ୍ରତି ସତର୍କ ରହି ସେମାନଙ୍କୁ ସଚେତନ କରାଇ ପାରିଲେ, ଓଡ଼ିଆ ଭାଷାର ପରିସର ବ୍ୟାପକ ହୋଇପାରନ୍ତା। ଓଡ଼ିଶାରେ ଭାଷା ଏକାଡ଼େମୀ ନଥିବାରୁ କିଏ କେତେ ନୂଆ ଶବ୍ଦ ସୃଷ୍ଟି/ପ୍ରଚଳନ କରୁଛନ୍ତି ବା ଅଣଓଡ଼ିଆ ଶବ୍ଦକୁ ଓଡ଼ିଆ ମଧ୍ୟରେ ଖୋପେଇ ପାରୁଛନ୍ତି, ତାହାର ତଥ୍ୟ ଓ ଦଲିଲ୍‌ ରକ୍ଷା କରାଯାଇପାରୁ ନାହିଁ କି ତାହାର ପ୍ରଚାର ମଧ୍ୟ ହୋଇ ପାରୁ ନାହିଁ।

(୬) ସାରା ବିଶ୍ଵରେ ଏହା ଲକ୍ଷ୍ୟ କରାଯାଇପାରୁଛି ଯେ କୌଣସି ବାଣିଜ୍ୟ, ପ୍ରଯୁକ୍ତି, ପରମ୍ପରା ବା ଭାଷାର ଦୀର୍ଘସ୍ଥାୟିତ୍ଵ ପାଇଁ ଯଥେଷ୍ଟ ଗବେଷଣା ଓ ସର୍ବେକ୍ଷଣ ଆବଶ୍ୟକ। ଇଂଲିଶ୍‌ ଆମ ଦେଶର ଭାଷା ନହୋଇ ସୁଦ୍ଧା ଆମ ଦେଶରେ ଏକାଧିକ ଇଂଲିଶ୍‌ ଭାଷା ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ରହିଛି। ଅଥଚ ଓଡ଼ିଆ ଭାଷାର ସ୍ଥାୟିତ୍ଵ ପାଇଁ ମୁଣ୍ଡ ପିଟୁଥିବା ଲୋକମାନେ କ୍ଷମତାରେ ଥାଇ ସୁଦ୍ଧା ଓଡ଼ିଆ ଭାଷା ଉପରେ ଗବେଷଣା ପାଇଁ କୌଣସି ଅନୁଷ୍ଠାନ ଗଢ଼ି ପାରି ନାହାନ୍ତି। ଏପରିକି ବ୍ୟକ୍ତିଗତ ସ୍ତରରେ ଯେଉଁ ଗବେଷଣା ସବୁ ହୋଇଛି, ସେଗୁଡ଼ିକର ସଂକଳନ ମଧ୍ୟ କରାଯାଇପାରି ନାହିଁ।  ଉଚ୍ଚଶିକ୍ଷା ନାମରେ ଯେଉଁମାନେ ବିଶ୍ଵବିଦ୍ୟାଳୟରେ ଗବେଷଣା କରୁଛନ୍ତି, ତାହା କୌଣସି କାମରେ ଲାଗୁ ନାହିଁ। ଏପରି କିଛି ବ୍ୟକ୍ତିଙ୍କୁ ସେମାନଙ୍କ ଗବେଷଣାର ଉଦ୍ଦେଶ୍ୟ ସଂପର୍କରେ ପଚାରିଥିଲୁ। ଉତ୍ତର ମିଳିଥିଲା ଚାକିରି ପାଇବାକୁ, ପଦୋନ୍ନତି ପାଇବାକୁ, ଡିଗ୍ରୀ ପାଇବାକୁ। କେହି ବି କହିଲେନି, ଭାଷାର ବିକାଶ ପାଇଁ ଗବେଷଣା କରୁଛି ବୋଲି।

(୭)  ପ୍ରେମ ବିନା ଦାମ୍ପତ୍ୟ ଉଜୁଡ଼ି ଯାଉଛି। ପ୍ରେମ ବିନା ସଂପର୍କ ତୁଟି ଯାଉଛି। ପ୍ରେମ ବିନା ପୋଷା ଶାରୀ ଆତ୍ମହତ୍ୟା କରୁଛି। ପ୍ରେମ ବିନା ଭାଷା ତିଷ୍ଠିବ ବୋଲି କେମିତି ଆଶା କରିବା? ଭାଷା ପ୍ରେମ ପାକିସ୍ତାନ ଦୁଇ ଖଣ୍ଡ ହେଲା। ବାଙ୍ଗଲାଦେଶରେ ବାଙ୍ଗଲା ଗୀତ ହିଁ ରାଷ୍ଟ୍ରଗାନ୍‌ ହେଲା ଏବଂ ବାଙ୍ଗ୍‌ଲା ଭାଷା ସର୍ବସାଧାରଣଙ୍କ ଭାଷା ହେତୁ ରାଷ୍ଟ୍ରଭାଷା ହେଲା। ଆମ ରାଜ୍ୟ ଓଡ଼ିଶା ବି ଦିନେ କିଛି ଓଡ଼ିଆ ପ୍ରେମୀଙ୍କ ବିପ୍ଳବ ଯୋଗୁ ସୃଷ୍ଟି ହୋଇ ପାରିଥିଲା। କିନ୍ତୁ ଓଡ଼ିଆ ଭାଷାର ପ୍ରତାରକମାନଙ୍କ ସଂଖ୍ୟା ବଢ଼ିଛି। ଘରେ ଘରେ ଏକାଧିକ ଇଂଲିଶ୍‌ ଅଭିଧାନ ରହିଛି। ଅଥଚ ଓଡ଼ିଆ ଅଭିଧାନ ବା ଶବ୍ଦକୋଷର ଦେଖା ନାହିଁ। ଚିଠିଟିଏ ଲେଖିଲେ ଠିକଣାକୁ ଇଂଲିଶ୍‌ରେ ଲେଖିବା ଆମ ଲୋକଙ୍କର ଧରାବନ୍ଧା ପରମ୍ପରା ହୋଇଯାଇଛି। ଓଡ଼ିଶା ଭିତରେ ଚିଠି ରହୁଥିଲେ ସୁଦ୍ଧା ପୂରା ଚିଠିଟି ଇଂଲିଶ୍‌ରେ ଲେଖାଯାଉଛି। ନାମଫଳକ ଓ ନିମନ୍ତ୍ରଣପତ୍ର ବିଷୟରେ ଆମେ ଚର୍ଚା କଲେ ଅଯଥା ପୁନରାବୃତ୍ତି ହେବ। ଅନେକଙ୍କ ଘରକୁ ଇଂଲିଶ୍‌ ଖବରକାଗଜ ଆସୁଥିଲେ ସୁଦ୍ଧା ଓଡ଼ିଆ ଖବରକାଗଜର ଦେଖା ନାହିଁ। ଏପରିକି ଘରେ ଖଣ୍ଡେ ଦିଖଣ୍ଡ ଓଡ଼ିଆ ବହି ଥିବା ବେଳେ ବହୁସଂଖ୍ୟକ ଇଂଲିଶ୍‌ ବା ଅନ୍ୟ ଭାଷାର ବହି ରହିଥାଏ। କହିବା ବାହୁଲ୍ୟ, ଆପଣଙ୍କର ଭାଷା ପ୍ରେମ ନରହିଲେ ଭାଷା ବଂଚିବ କେମତି?

(୮) କେତେ ଦଶନ୍ଧି ଧରି ରାଜ୍ୟରେ ନର୍ସରୀ, ମଣ୍ଟେସୋରୀ ଓ କିଣ୍ଡରଗାର୍ଟେନ ଶିକ୍ଷା ପ୍ରତି ଅଭିଭାବକମାନେ ସ୍ଵାଭାବିକ ଭାବେ ଆଗ୍ରହୀ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏପରି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କୁ ମୂଳରୁ ଇଂଲିଶ୍‌ ଶିଖାଯାଉଛି। ଅର୍ଥାତ୍‌ ଓଡ଼ିଆ ମୂଳଦୁଆ ପଡ଼ିପାରୁ ନାହିଁ। ଅଭିଭାବକମାନଙ୍କ ଆଗ୍ରହ ପ୍ରତି ସଚେତନ ହୋଇ ପ୍ରାକ୍‌ବିଦ୍ୟାଳୟ, ଶିଶୁଶ୍ରେଣୀ ଇତ୍ୟାଦି ପରିକଳ୍ପନା କରିଥିଲେ ସୁଦ୍ଧା ତାହାକୁ ବ୍ୟାପକ ଭାବେ ପ୍ରୟୋଗ କରି ନାହାନ୍ତି। ଯେଉଁ ପ୍ରାକ୍‌ବିଦ୍ୟାଳୟ ଶିକ୍ଷାଦାନ ସୁବିଧା ସରକାରୀ ସ୍ତରରେ ଅଛି ବୋଲି କୁହାଯାଇଛି, ତାହା ନର୍ସରୀ ବା କିଣ୍ଡରଗାର୍ଟେନ୍‌ର ଗୁଣବତ୍ତାକୁ ଛୁଇଁ ପାରୁ ନାହିଁ। ତହିଁରେ ଆକାଶ ପାତାଳ ପ୍ରଭେଦ। ସୁତରାଂ ନର୍ସରୀ ଓ କିଣ୍ଡରଗାର୍ଟେନ୍‌ ପ୍ରଭୃତି ଇଂଲିଶ୍‌ ମାଧ୍ୟମ ପ୍ରାକ୍‌ବିଦ୍ୟାଳୟ ଶିକ୍ଷାର ସାର୍ବଜନୀନ ଆବେଦନ ଓ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଭାରତୀୟ ପୃଷ୍ଠଭୂମିରେ ତାହାକୁ ରୂପ ଦେଇ ପାରିଲେ, ଅନ୍ତତଃ ଆମେ ମମି, ଡାଡ଼ି ପରିବର୍ତେ ମାଆ, ବାପା ହେବାର ପରମ୍ପରାକୁ ବଜାୟ ରଖି ପାରନ୍ତେ। ଏ କ୍ଷେତ୍ରରେ ଶିଶୁମନ୍ଦିର, ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକୁ ନମୁନା ରୂପେ ନେଇ ହୁଅନ୍ତା।

(୯) ଓଡ଼ିଆ ଭାଷା ସପକ୍ଷରେ ମସି ଧରି ଓକିଲାତି କରୁଥିବା ମଣିଷମାନେ ମଧ୍ୟ ପ୍ରକାରାନ୍ତରେ ଅଭିଭାବକ ବା ବରିଷ୍ଠ ଅଭିଭାବକ। ଆମେ ସେହି ମହାମାନବମାନଙ୍କ କନିଷ୍ଠ ଦାୟାଦ (ପୁଅ, ଝିଅ, ନାତି, ନାତୁଣୀ)ମାନଙ୍କ ସଂପର୍କରେ ଏକ ଅଘୋଷିତ ଗୁଇନ୍ଦା ସର୍ବେକ୍ଷଣରୁ ଜାଣିଲୁ ଯେ ସମସ୍ତେ ଇଂଲିଶ୍‌ ମାଧ୍ୟମ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି। ଯେଉଁମାନଙ୍କୁ ଏ ବିଷୟରେ ପଚାରି ସାରିଛୁ, ସେମାନଙ୍କ ମଧ୍ୟରୁ କେହି କେହି ଉତ୍ତର ଦେଇଛନ୍ତି - ମୁଁ ତାକୁ ଘରେ ଓଡ଼ିଆ ପଢ଼େଇ ଦେଉଛି। ପୁନଶ୍ଚ ଯେଉଁମାନେ ସ୍ଵାସ୍ଥ୍ୟର ମହତ୍ତ୍ଵ ବୁଝନ୍ତି ଓ ସ୍ଵାସ୍ଥ୍ୟରକ୍ଷାକୁ ମର୍ମେ ମର୍ମେ ବୁଝନ୍ତି, ସେମାନଙ୍କର ପିଲାଏ ଓଡ଼ିଆ ବିଦ୍ୟାଳୟରେ ପଢ଼ନ୍ତି ନାହିଁ। ସଂଖ୍ୟାଧିକ ରୁଗ୍‌ଣ ଓ ପୁଷ୍ଟିହୀନ ବିଦ୍ୟାର୍ଥୀଙ୍କୁ ନେଇ ଓଡ଼ିଆ ଭାଷା ଆଉ କେତେ ସୁସ୍ଥ ଓ ବଳବାନ୍‌ ହୋଇପାରନ୍ତା? ଏତେ ସଂଖ୍ୟାରେ ନିମ୍ନ ମେଧା ସଂପନ୍ନ ଶିଶୁ ଓଡ଼ିଆ ବିଦ୍ୟାଳୟରେ ପଢ଼ନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକେ ଓଡ଼ିଆରେ ଫେଲ୍‌ ମଧ୍ୟ ହୁଅନ୍ତି। ଏସବୁର ନିରାକରଣ ଉପରେ ଆଉ କିଛି କହିବାକୁ ଚାହୁନୁ।

(୧୦) ଓଡ଼ିଶାର ସ୍ନାତକ ଓ ସ୍ନାତକୋତ୍ତର ପାଠଗୁଡ଼ିକ ଅନେକ କେବଳ ଇଂଲିଶ୍‌ରେ ପଢ଼ାଯାଏ। ଅର୍ଥାତ୍‌ ସେଗୁଡ଼ିକ କେବଳ ଇଂଲିଶ୍‌ ମାଧ୍ୟମ ହୋଇ ରହିଅଛି। ସେଗୁଡ଼ିକୁ ଓଡ଼ିଆ ମାଧ୍ୟମ କରାଯାଇନାହିଁ କିଂବା ଓଡ଼ିଆ ମାଧ୍ୟମ କରିବା ପାଇଁ ଏଯାଏଁ ଆଭିମୁଖ୍ୟ ମଧ୍ୟ ପ୍ରସ୍ତୁତ କରାଯାଇ ପାରିନାହିଁ। କେବଳ +୨ କଳା ଓ +୩ କଳା ଶ୍ରେଣୀଗୁଡ଼ିକରେ କେତୋଟି ବିଷୟରେ ଓଡ଼ିଆ ମାଧ୍ୟମ ପାଇଁ ସୁଯୋଗ ଅଛି। +୨ ବିଜ୍ଞାନରେ କେବଳ ୧୦୦ ମାର୍କ ଓଡ଼ିଆ ଅଛି। ବାଣିଜ୍ୟ ଶ୍ରେଣୀ (+୨ରୁ ତେଣିକି)ଗୁଡ଼ିକରେ ଓଡ଼ିଆ ନାହିଁ କି ଓଡ଼ିଆ ମାଧ୍ୟମ ମଧ୍ୟ ନାହିଁ। ଅର୍ଥାତ୍‌ ‘ବାଣିଜ୍ୟ’ ପାଇଁ ‘ଓଡ଼ିଆ ଭାଷା’ ଅନୁପଯୋଗୀ ଓ ଅଦରକାରୀ। ଧନ୍ୟ ଆମ ଓଡ଼ିଆ ସ୍ଵାଭିମାନ! ଯୁବ ବୟସରେ କ୍ରମାଗତ ଇଂଲିଶ୍‌ ପଢ଼ିବା ଲେଖିବା ଯୋଗୁ ଅନେକ ଛାତ୍ରଛାତ୍ରୀ ଆଉ ଓଡ଼ିଆ ବାକ୍ୟଟିଏ ମଧ୍ୟ ଲେଖି ପାରନ୍ତିନି। ବିଜ୍ଞାନ ପାଠ କ୍ଷେତ୍ରରେ ପ୍ରାୟ ସମଦଶା। ଡାକ୍ତରୀ, ଇଂଜିନିୟରିଂ, ଏମ୍‌.ବି.ଏ. ପାଠ ମଧ୍ୟ କେବଳ ଇଂଲିଶ୍‌ରେ ପଢ଼ା ଯାଉଛି କାହିଁକି ବୋଲି ପ୍ରଶ୍ନ କଲେ ହୁଏତ ଆପଣ ତରକି ଯିବେ ଏବଂ ଓଲଟା ପ୍ରଶ୍ନ କରିବାକୁ ବାହାରି ପଡ଼ିବେ! ଚୀନ୍‌, ଜାପାନ, ଫ୍ରାନ୍ସ ଓ ଆମ ପଡ଼ୋଶୀ ପାକିସ୍ତାନ ଓ ଶ୍ରୀଲଙ୍କାରେ ମଧ୍ୟ ପ୍ରାୟ ସବୁ ପାଠ ସେହି ଦେଶର ଭାଷାରେ ପଢ଼ା ଯାଇ ପାରୁଛି। ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏବଂ ମହାରାଷ୍ଟ୍ର, କର୍ଣାଟକ ଓ ପଶ୍ଚିମବଂଗରେ ମଧ୍ୟ ଅନେକ ପାଠ ପ୍ରାଦେଶିକ ଭାଷାରେ ପଢ଼ାଯାଇ ପାରୁଛି। କିନ୍ତୁ ଓଡ଼ିଶାରେ କାହିଁକି ତାହା ଅସମ୍ଭବ ହୋଇ ରହିଛି? ଇଂଲିଶ୍‌ରେ ପଢ଼ିଲେ ଓ ଇଂଲିଶ୍‌କୁ ଅଧିକ ପଢ଼ିଲେ ବୁଦ୍ଧି ଓ ଜ୍ଞାନ ପରିପକ୍ଵ ହୁଏ ବୋଲି ଧାରଣା ରହିଥିବା ଯାଏଁ, ଆମେ ଉଠାଇଥିବା ମୁଦ୍ଦା ନିରର୍ଥକ ବୋଧ ହେବ।

(୧୧) ଓଡ଼ିଶା ସରକାର ‘ଓଡ଼ିଆ’କୁ ଦାପ୍ତରିକ ଭାଷା କରିବା ପାଇଁ ଏକଦା ଖୁବ୍‌ ତୁମ୍ବିତୋଫାନ କରୁଥିଲେ। ଅଥଚ ସବୁ ହାକିମ ଇଂଲିଶ୍‌ରେ ଚିଠି କରୁଥିଲେ। ଏ କ୍ଷେତ୍ରରେ କେବଳ ହାକିମମାନଙ୍କୁ ଦୋଷ ଦେଇ ଆମେ ଚୁପ୍‌ ରହିଯିବାକୁ ପସନ୍ଦ କରୁନୁ। ଅନେକ ଦପ୍ତରରେ ଓଡ଼ିଆ ଟାଇପ୍‌ ମେସିନ୍‌ ନଥିଲା ଏବଂ ଓଡ଼ିଆ ଟାଇପ୍‌ ଜାଣିଥିବା କିରାଣି ମଧ୍ୟ ନଥିଲେ। ପୁନଶ୍ଚ ହାତଗଣତି କେତେ ଜଣ କିରାଣି ଓଡ଼ିଆ ଷ୍ଟେନୋଗ୍ରାଫି ଜାଣିଥିଲେ ଏବଂ କମ୍ପ୍ୟୁଟରରେ ଓଡ଼ିଆ ଚିଠିପତ୍ର ବେଶ୍‌ ସହଜରେ କରାଯାଇପାରିବ ବୋଲି ଜାଣିବା ପରେ ମଧ୍ୟ ଆଜି ସୁଦ୍ଧା ପକ୍କା ବ୍ୟବସ୍ଥା ସବୁ କାର୍ଯ୍ୟାଳୟରେ ହୋଇ ନାହିଁ। ଏଣୁ ଓଡ଼ିଆରେ ଚିଠି ଆଦାନପ୍ରଦାନ ହୋଇ ପାରିଲା ନାହିଁ। ତଥାପି ଯେତିକି ହେଉଥିଲା, ତାହାକୁ ସ୍ଥାୟୀ କରିବାକୁ ବ୍ୟବସ୍ଥା ହେଲା ନାହିଁ। ପରିତାପର ବିଷୟ ଯେ ଗୁରୁତ୍ଵପୂର୍ଣ ନିଷ୍ପତ୍ତି, ନୀତି, ନିୟମ ଓ ନିର୍ଦେଶନାମାଗୁଡ଼ିକ ସେତେବେଳେ ଇଂଲିଶ୍‌ରେ ପ୍ରକାଶ ପାଏ। ସେସବୁ ବ୍ରିଟିଶ ଶାସନ ଅମଳରୁ ରହିଥିବା ପରଂପରା ଅନୁସାରେ ‘ଓଡ଼ିଶା ଗେଜେଟ୍‌’ (ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ଇଂଲିଶ୍‌ ମୁଖପତ୍ର)ରେ ହିଁ ପ୍ରକାଶ ପାଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଓଡ଼ିଶା ଗେଜେଟ୍‌’ର କୌଣସି ଓଡ଼ିଆ ରୂପାନ୍ତର ପ୍ରକାଶ ପାଏ ନାହିଁ।

(୧୨) ଓଡ଼ିଶା ସରକାର ବିଭିନ୍ନ ବିଭାଗ, ନିଗମ ଓ ସ୍ଵାୟତ୍ତାଧୀନ ସଂସ୍ଥାଗୁଡ଼ିକର ନାମକରଣ କାହିଁକି ଇଂଲିଶ୍‌ରେ କରିଛନ୍ତି କହିବେ କି? ଅଣଇଂଲିଶ୍‌ ସଭ୍ୟ ଦେଶଗୁଡ଼ିକରେ ଏପରି ବିକୃତି ଦେଖାଯାଏ ନାହିଁ। ଏପରିକି ଆମ ଦେଶରେ ମଧ୍ୟ ଭାରତୀୟ ଭାଷାରେ ନାମକରଣ କରାଯାଉଛି କିମ୍ବା ଭାରତୀୟ ଶବ୍ଦର ବିନ୍ୟାସ କରାଯାଉଛି, ଯଥା: ବିଦେଶ ସଂଚାର ନିଗମ ଲିମିଟେଡ଼୍‌, ଭାରତ ସଂଚାର ନିଗମ ଲିମିଟେଡ଼୍‌, ଦିଲ୍ଲୀ ବିଦ୍ୟୁତ୍‌ ବୋର୍ଡ଼, ବିହାର ପୁଲ ନିର୍ମାଣ ନିଗମ ଇତ୍ୟାଦି। ଓଡ଼ିଶାରେ ଚାକିରିରେ ପଦପଦବୀଗୁଡ଼ିକ ମଧ୍ୟ ମୌଳିକ ଭାବେ ଇଂଲିଶ୍‌ରେ କରାଯାଇଛି। ଥରେ ଆମର ଏକ ବୌଦ୍ଧିକ ଖଟି ଚାଲିଥିବା ବେଳେ ଜଣେ ବନ୍ଧୁ ୟା ଉପରେ ଟିପ୍ପଣୀ ଦେଇ କହିଥିଲେ, ରାଜ୍ୟ ସରକାରଙ୍କ ପାଖରେ ଦରମା ଦେବାକୁ ଟଙ୍କା ନାହିଁ, ଏଣୁ ଋଣ କରିବା ପାଇଁ ବିଶ୍ଵବ୍ୟାଙ୍କ୍‌କୁ ବୁଝାଇବା ସକାଶେ ଏହା ସିଧାସଳଖ ସୁବିଧା ହେଉଛି। ପଦପଦବୀଗୁଡ଼ିକୁ ମୌଳିକ ଭାବରେ ଇଂଲିଶ୍‌ରେ ରଖାଯାଇଥିବାରୁ ତାହାର ଓଡ଼ିଆ ରୂପଗୁଡ଼ିକ ସବୁ କ୍ଷେତ୍ରରେ ଗ୍ରହଣୀୟ ହେଉ ନାହିଁ କିମ୍ବା ଲୋକହସା ହେଉଛି। ମୋଟାମୋଟି ଭାବେ ଏହା ଜାଣି ପାରୁଛେ ଯେ ଓଡ଼ିଶା ପ୍ରଶାସନରେ ଓଡ଼ିଆ ଭାଷା ସ୍ଥାନ ନାହିଁ।

(୧୩) ବ୍ୟବସାୟ ପ୍ରତିଷ୍ଠାନର ବିଲ୍‌ ବହି ବା ରସିଦ୍‌ ବହି ଓଡ଼ିଆରେ ଛପା ଯାଇଥିବାର ଆମେ ଦେଖି ନାହୁଁ। ସରକାରୀ କଳରେ ମଧ୍ୟ ହିସାବ, କାଗଜପତ୍ର ସବୁ ଇଂଲିଶ୍‌ରେ ହୁଏ। ଶୁଣିବାକୁ ମିଳେ ଯେ ହିସାବକିତାବ ଓଡ଼ିଆରେ ହୋଇ ପାରିବ ନାହିଁ। ହେବ ବା କେମତି! ସେମାନେ ତ ବାଣିଜ୍ୟ ପାଠ/ ହିସାବକିତାବ ପାଠ ଇଂଲିଶ୍‌ରେ ହିଁ ପଢ଼ିଛନ୍ତି। ଏପରିକି ଓଡ଼ିଆରେ ଦସ୍ତଖତ ମଧ୍ୟ କରାଯାଇପାରିବ ନାହିଁ ବୋଲି କେତେକ ଲେଖାପାଳଙ୍କ ଠାରୁ ତାଗିଦ୍‌ ଶୁଣିବାକୁ ମିଳେ।

(୧୪) ରାଜ୍ୟ ସରକାର ଯେତେ ଟେଣ୍ଡର ଡକାନ୍ତି, ପ୍ରାୟ ଶତ ପ୍ରତିଶତ ଇଂଲିଶ୍‌ରେ ପ୍ରକାଶ ପାଏ। ଏପରିକି ବହୁ ସଂଖ୍ୟକ ବିଭାଗୀୟ ବିଜ୍ଞାପନ ମଧ୍ୟ ଓଡ଼ିଆ ଖବରକାଗଜରେ ଇଂଲିଶ୍‌ରେ ପ୍ରକାଶ ପାଇଥାଏ। ଏଣୁ କେଉଁ ସରାଗରେ ଆପଣ ଓଡ଼ିଆ ଭାଷାର ଦୀର୍ଘ ଜୀବନ କାମନା କରିବେ?

bimal.odisha@yahoo.in ,Cell: 9937353293