27 अगस्त 2015

ଅନୁଗୁଳ-ସୁକିନ୍ଦା ରେଳ ଲିଂକକୁ ହାତୀ ବାଧକ !

ହାତୀ ପଲ ଓଗାଳିଛନ୍ତି ଅନୁଗୁଳ-କାମାକ୍ଷାନଗର-ସୁକିନ୍ଦା ରେଳ ପ୍ରକଳ୍ପର ବାଟ ! କୌତୁକିଆ ଲାଗୁଥିଲେ ବି ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ଦାପ୍ତରିକ ବିବୃତିରୁ ଏହା ସ୍ପଷ୍ଟ ହୋଇଛି । ୧୯୯୮-୯୯ରେ ମଞ୍ଜୁରୀ ପାଇଥିବା ୨୪୫.୨୨ କୋଟି ଟଙ୍କାର ଏହି ୯୮.୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ପ୍ରକଳ୍ପର ମୂଲ୍ୟ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇ ୧୨୦୨.୭୦ କୋଟି ଟଙ୍କାରେ ପହଞ୍ଚିଲାଣି। ଏହା ପାଇଁ ଜମି ଅଧିଗ୍ରହଣ ବି ସରିଛି ବୋଲି ଏକ ସମୀକ୍ଷାରେ ଦର୍ଶାଯାଇଛି। ହେଲେ ଅଧିଗୃହିତ ୧୪୧.୮୭୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତନ (ଡାଇଭର୍ସନ) ହୋଇ ପାରୁନି। ସଂପୃକ୍ତ ଜଙ୍ଗଲ ହାତୀମାନଙ୍କ ବିଚରଣସ୍ଥଳୀ ହୋଇଥିବାରୁ ରେଳପଥ ଦ୍ୱାରା ହାତୀଙ୍କ ଚଳପ୍ରଚଳରେ ବାଧା ଉପୁଜିବ ବୋଲି ବନ ବିଭାଗ ଦର୍ଶାଉଥିବାରୁ ପ୍ରକଳ୍ପ ଆଗେଇ ପାରୁନି ।

ଅନୁଗୁଳ-ସୁକିନ୍ଦା ରୋଡ଼୍‍ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯୋଡା-ବଡବିଲ ଲୁହାଖଣି ଓ ଅନୁଗୁଳ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିବା ଅନୁଗୁଳ ଅଞ୍ଚଳ ମଧ୍ୟରେ ସିଧାସଳଖ ଯୋଗାଯୋଗ ସମ୍ଭବ ହେବା ସହ ୫୨ କି.ମି. ଦୂରତ୍ୱ କମିଯିବ। ଏହା ବ୍ୟତୀତ ତାଳଚେର କୋଇଲା ଖଣି ବଳୟ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ, ରାଉରକେଲା- ଧାମରା ବନ୍ଦର ଓ ପାରାଦୀପ ବନ୍ଦରକୁ ସଂଯୋଗ ସ୍ଥାପନ ହୋଇପାରିବ । ସେହିପରି ରେଳ ପ୍ରକଳ୍ପ ପୂର୍ଣାଙ୍ଗ ହେଲେ ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାବାସୀ ରେଳଯାତ୍ରାର ସୁବିଧା ପାଇ ପାରିବେ । ମଲ୍ଟି-ମୋଡାଲ ଲଜିଷ୍ଟିକପାର୍କ ପ୍ରତିଷ୍ଠା ସହିତ ରାଜ୍ୟରେ କଣ୍ଟେନର ଯାତ୍ରା ସମ୍ପ୍ରସାରିତ ହୋଇପାରିବ।

କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ତାହା ଜଣାପଡ଼ିଯାଇଛି ୧୪ ଅଗଷ୍ଟ ୨୦୧୫ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ କାର୍ଯ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରୁ । ସମୀକ୍ଷା ବିବରଣୀରେ ରହିଛି ୯୮.୭ କି.ମି. ବିଶିଷ୍ଟ ଏହି ପ୍ରକଳ୍ପର ୬୨.୭୪୦ କି.ମି. ଢେଙ୍କାନାଳ ଜିଲ୍ଲାରେ, ୨୯.୫୪୭ କି.ମି. ଯାଜପୁର ଜିଲ୍ଲାରେ ଏବଂ ୬.୪୧୩ କି.ମି. ଅନୁଗୁଳ ଜିଲ୍ଲାରେ ରହିଛି । ପ୍ରକଳ୍ପର କାର୍ଯ୍ୟକାରିତାକୁ ସୁଗମ କରିବା ଉଦ୍ଦେଶ୍ୟରେ ସର୍ବନିମ୍ନ ଜଙ୍ଗଲ ଜମିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ଚୂଡାନ୍ତ କରାଯାଇଛି । ଏହି ଜଙ୍ଗଲରେ ବିରଳ ତଥା ଲୁପ୍ତପ୍ରାୟ ପ୍ରଜାତିର ପଶୁପକ୍ଷୀ ନାହାନ୍ତି ବା ସୁରକ୍ଷିତ ପ୍ରତ୍ନତତ୍ତ୍ଵ ବା ଐତିହ୍ୟସ୍ଥଳୀ ନଥିବା ବେଳେ ୧୪୧.୮୭୨ ହେକ୍ଟର ଜଙ୍ଗଲ କିସମ ଜମିର ଡାଇଭର୍ସନ ଅଟକି ରହିଛି। ଯାହାକି ସଂରକ୍ଷିତ ଓ ରାଜସ୍ୱ କିସମର ଜଙ୍ଗଲ ଜମି । ପ୍ରକଳ୍ପ ପାଇଁ ଏଠାରୁ ମାତ୍ର ୨୧୦୦ ଗଛ କାଟିବା ଲୋଡ଼ା ହେଉଥିବା ବେଳେ ପ୍ରକଳ୍ପ ପରିସୀମାରେ କୌଣସି ବନ୍ୟପ୍ରାଣୀ ଅଭୟାରଣ୍ୟ ନାହିଁ । ହେଲେ ପ୍ରକଳ୍ପ ପଥରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ଢେଙ୍କାନାଳ ଡିଏଫ୍ଓଙ୍କ ରିପୋର୍ଟ। ତହିଁରେ ଦର୍ଶାଯାଇଛି ଯେ ପ୍ରସ୍ତାବିତ ରେଳପଥ, ହାତୀମାନଙ୍କ ମୁକ୍ତ ବିଚରଣ କ୍ଷେତ୍ରରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ । ଏଣୁ ରାଜ୍ୟ ସରକାର ହାତୀମାନଙ୍କ ପାଇଁ ଗଳାପଥ ଭଳି ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ଉପରେ ବିଚାର କରନ୍ତୁ। ଏଣୁ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡ଼େନ୍‍ଙ୍କ ଅନୁମୋଦନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ତେବେ ଡିଏଫ୍ଓଙ୍କ ରିପୋର୍ଟ ଯୋଗୁ ଯେଉଁ ପ୍ରତିକୂଳ ପରିସ୍ଥିତି ଉପୁଜିଛିି, ତାହା ଦୂର ହେବା ସହଜ ଲାଗୁ ନାହିଁ ।

ଅନ୍ୟ କିଛି ରେଳ ପ୍ରକଳ୍ପର କାର୍ଯ୍ୟକାରିତାରେ ମୁଖ୍ୟ ଗତିରୋଧକ ହେଉଛି ଜମି ଅଧିଗ୍ରହଣ । ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ୨୮୯ କି.ମି. ମଧ୍ୟରୁ ମାତ୍ର ୩୨ କି.ମି. ଗତ ଜୁନ ମାସ ସୁଦ୍ଧା ସଂପୂର୍ଣ ହୋଇଛି । ବେଗୁନିଆ ପର୍ଯ୍ୟନ୍ତ ରେଳପଥର ଉଦ୍ଘାଟନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖୁସି ହୋଇଯାଇଛନ୍ତି । ୧୯୯୪-୯୫ରେ ଅନୁମୋଦିତ ୩୫୩.୩୮ କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ୪୭୦.୨୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୧୯୬୦ ଦଶକର ଦାବି ଓ ୨୦୦୩-୦୪ ବର୍ଷରେ ମଞ୍ଜୁରୀ ପାଇଥିବା ୧୫୪ କି.ମି. ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ମୂଲ୍ୟ ୭୨୬.୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୧୦.୭୮ କୋଟି ଟଙ୍କା ହେଲାଣି। ହେଲେ କାମ ଆଗେଇବାରେ କଣ୍ଟା ସାଜିଛି ଜମି ଅଧିଗ୍ରହଣ । ତେବେ ୧୯୯୬-୯୭ ମସିହାର ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଥିଲେ ବି କାମ ଆଗଉ ନାହିଁ। ଏଣେ ପ୍ରକଳ୍ପ ମୂଲ୍ୟ ଦୁଇଗୁଣ ବଢିସାରିଛି ।

କେନ୍ଦ୍ରୀୟ ଅବହେଳା ଦର୍ଶାଇ ରାଜ୍ୟ ସରକାର ପ୍ରତିବର୍ଷ ରେଳ ବଜେଟରେ ଅଧିକ ଅର୍ଥ ଦାବି କରୁଥିଲେ ବି ନିଜ ଦାୟିତ୍ୱ ସଂପାଦନରେ ଅଧିକ ଅବହେଳା କରୁଛନ୍ତି । ତାହା ହେଉଛି ଜମି ଅଧିଗ୍ରହଣ। ଅଧିକାଂଶ କ୍ଷେତ୍ରରେ ଭୂ-ଅର୍ଜନ ଅଧିକାରୀ (ଏଲ୍.ଏ.ଓ.) ବା ସ୍ୱତନ୍ତ୍ର ଏଲ୍.ଏ.ଓ. ନାହାନ୍ତି । କାମଚଳା ଭାବରେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀମାନଙ୍କୁ ଏହି ପଦରେ ରଖାଯାଉଛି । ହେଲେ ସେମାନେ ଆଇନଗତ ସମସ୍ୟାର ସମାଧାନ କରିବାରେ ସମର୍ଥ ହେଉନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଜମି ଅଧିଗ୍ରହଣ ଜନିତ ବିଳମ୍ବ କାରଣରୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପ ସରିବାକୁ ୧୪ ବର୍ଷ ଲାଗିଥିଲା । ଆଉ ଏହାର ମୂଳ ବ୍ୟୟ ବରାଦ ୭୨୩ ଶତକଡ଼ା ବଢିଥିଲା । ଏ କ୍ଷେତ୍ରରେ ଅତୁଟ ରେକର୍ଡ଼ ରହିଛି ଲାଞ୍ଜିଗଡ଼-ଜୁନାଗଡ଼ ପ୍ରକଳ୍ପର । ଯାହାକି ୨୦ ବର୍ଷ ପରେ ୨୦୧୪ରେ ସଂପୂର୍ଣ ହୋଇଥିଲା ଏବଂ ଏହାର ପ୍ରକଳ୍ପ ମୂଲ୍ୟ ୨୩୧.୨୬ ଶତକଡ଼ା ବଢ଼ିଥିଲା ।

ଚିନ୍ତା କରନ୍ତୁ, ଏହି ଗତିରେ ଯଦି ଜମି ଅଧିଗ୍ରହଣ ଚାଲେ, ତେବେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡିକ କେବେ ସରିବ ଏବଂ ଓଡ଼ିଶାର ଆର୍ଥନୀତିକ ବିକାଶ କିପରି ହେବ ?


ସୌଜନ୍ୟ: ସମ୍ବାଦ, ୨୭ ଅଗଷ୍ଟ ୨୦୧୫