26 सितंबर 2015

କୋମଳ ଶିଶୁଙ୍କ ଉପରେ ବସ୍ତାନି ବୋଝ

ପ୍ରାଥମିକ ଶିକ୍ଷା ଆନନ୍ଦଦାୟକ ହୋଇ ପାରୁ ନାହିଁ। କାରଣ ଶିଶୁମାନଙ୍କ ପିଠିରେ ଲଦି ଦିଆଯାଉଛି ବହିବସ୍ତାନିର ବୋଝ। ଶିଶୁଙ୍କ ଶିକ୍ଷାକୁ ବୋଝମୁକ୍ତ ତଥା ଆନନ୍ଦଦାୟକ କରିବାକୁ ୨୨ ବର୍ଷ ତଳେ କେନ୍ଦ୍ର ସରକାର ନୀତି ପ୍ରଣୟନ କରିଥିଲେ। କହିଥିଲେ ରାଜ୍ୟ ସ୍ତରରେ ସରକାର  ଆବଶ୍ୟକ ପରିବର୍ତନ କରି ତାହାର ଅନୁପାଳନ କରିବେ। କିନ୍ତୁ ଓଡ଼ିଶା ସରକାରଙ୍କ ନିର୍ଦିଷ୍ଟ  ଶିକ୍ଷାନୀତି ନାହିଁ। ଫଳରେ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ବୋଝମୁକ୍ତ ଶିକ୍ଷା ସଂକ୍ରାନ୍ତ ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ବସ୍ତାନି (ସ୍କୁଲ୍‌ ବ୍ୟାଗ୍‌)ର ଓଜନ କମି ପାରିବ। ଓଡ଼ିଶା ସରକାର ଏବେ ବି ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ କାଗଜ ଯୋଗାଇ ଦେଉଛନ୍ତି। ଯେଉଁଥିପାଇଁ କାଗଜର ଜିଏସ୍‌ଏମ୍‌ (ବର୍ଗମିଟର ପ୍ରତି ଓଜନ) ବା ମୋଟାପଣ ଉପରେ ଧ୍ୟାନ ଦେଉଛନ୍ତି। ହେଲେ ହାଲୁକା, ମଜବୁତ ଓ ସ୍ଥାୟିତ୍ଵ ପ୍ରତି ଧ୍ୟାନ ଦେଉ ନାହାନ୍ତି। ମୁଦ୍ରଣ ଶିଳ୍ପ ସହ ୩୦ ବର୍ଷ ଧରି ସଂପୃକ୍ତ ଥିବା ଲୋକେ କହନ୍ତି, କିଛି ମ୍ୟାପ୍‌ଲିଥୋ କାଗଜ ଅଛି, ଯାହା ହାତକୁ ମୋଟା ଲାଗେ, ଅଥଚ ଓଜନ ଖୁବ୍‌ କମ୍‌ ଓ ତାହା ଅଧିକ ମଜବୁତ୍‌। ଅଧିକ ଦୀର୍ଘସ୍ଥାୟୀ ମଧ୍ୟ। ତେଣୁ ବର୍ଷ ପରେ ବର୍ଷ ଅନେକ ବିଦ୍ୟାର୍ଥୀ ଏହି ବହି ପଢ଼ି ପାରିବେ। ତେଣୁ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଏଭଳି କାଗଜ ବ୍ୟବହାର କରିବା ଲାଗି କାଗଜ କମ୍ପାନୀମାନଙ୍କ ସହ ଚୁକ୍ତି କରାଯିବା ଆବଶ୍ୟକ। ସେମିତି ବିଦ୍ୟାଳୟରେ ବ୍ୟବହୃତ ଖାତାଗୁଡ଼ିକ ପାଇଁ ସମାନ ଚିନ୍ତନ ଓ ବ୍ୟବସ୍ଥା କରାଯିବା ଦରକାର। ସେହି ଭଳି ବହି ଓ ଖାତାର ମଲାଟକୁ ମଧ୍ୟ ହାଲୁକା କରାଯାଇପାରିବ। ହିସାବ କରାଯାଇଛି ଯେ ଏହା ଦ୍ଵାରା ବହି ବସ୍ତାନିର  ଓଜନ ପ୍ରାୟ ୪୫ରୁ ୬୦ ପ୍ରତିଶତ କମିଯିବ। ଏଣୁ ବହିଖାତାର ଓଜନ କମ୍‌ କରିବା ଲାଗି ପାଠ୍ୟପୁସ୍ତକ ମୁଦ୍ରଣ ନୀତି ଧାର୍ଯ୍ୟ ହେବା ଦରକାର। ମନେ ପକାଇ ଦିଆଯାଇପାରେ ଯେ ପ୍ରାକ୍‌-ପ୍ରାଥମିକ (ପ୍ରାକ୍‌-ବିଦ୍ୟାଳୟ) ଓ ପ୍ରାଥମିକ ଶିକ୍ଷା ସ୍ତରରେ ବୋଝମୁକ୍ତ ଓ ଆନନ୍ଦଦାୟକ ଶିକ୍ଷା ଉପରେ ଜୁଲାଇ ୧୯୯୩ରେ ପ୍ରଫେସର ଯଶପାଲ କମିଟି ରିପୋର୍ଟ ଦାଖଲ କରିଥିଲେ।

ସେହି ରିପୋର୍ଟର କାର୍ଯ୍ୟକାରିତା ଉପରେ ୨୫ ଅଗଷ୍ଟ ୧୯୯୩ରେ  କେନ୍ଦ୍ର ଶିକ୍ଷା ବିଭାଗର ଅତିରିକ୍ତ ସଚିବ ୱାଇ.ଏନ୍‌. ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ  ଗଠିତ ଏକ ଗ୍ରୁପ୍‌ ତା’ର ରିପୋର୍ଟ ୫ ଅକ୍ଟୋବର ୧୯୯୩ରେ ଦେଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ ନର୍ସରୀ ସ୍ତରରେ ନାମଲେଖା ଲାଗି ପ୍ରବେଶିକା ସାକ୍ଷାତକାର ବା ଆଡ଼ମିଶନ ଟେଷ୍ଟ ରହିବ ନାହିଁ, ହୋମ୍‌ୱାର୍କ ଓ ପ୍ରୋଜେକ୍ଟ ୱାର୍କ ବ୍ୟବସ୍ଥା ଉଠିଯିବ, ପରୀକ୍ଷା ବ୍ୟବସ୍ଥାକୁ କୋହଳ କରାଯିବ, ପାଠ୍ୟଖସଡ଼ା ପ୍ରସ୍ତୁତି ଓ ପୁସ୍ତକ ପ୍ରଣୟନ କେନ୍ଦ୍ରିତ ଢାଞ୍ଚାରେ ନହୋଇ ବିଭିନ୍ନ ରାଜ୍ୟ ସ୍ତରରେ ହେବ ଏବଂ ସେଥିରେ ଶିକ୍ଷକମାନେ ସାମିଲ ହେବେ। ଏସବୁ ସହ ବସ୍ତାନିର ବୋଝ କମ୍‌ କରିବାକୁ ଗୁରୁତ୍ଵ ଦିଆଯାଇଥିଲା। ସେଥିରେ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ବିନା ବହିଖାତାରେ ଶିଶୁମାନେ ବିଦ୍ୟାଳୟକୁ ଆସିବା ନେଇ ପରାମର୍ଶ ଦିଆଯାଇଥିଲା।

ଏବେ  ପ୍ରାଥମିକ ଶିକ୍ଷାକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି। ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ବସ୍ତାନିର ଭାର ଏକ ମାନସିକ ଓ ଶାରୀରିକ ଅବସାଦର କାରଣ ହୋଇ ରହିଛି। ସେଥିଲାଗି ପିଲାମାନଙ୍କ ସକାଶେ ଉଦ୍ଦିଷ୍ଟ ବିଭିନ୍ନ ‘ଏନେର୍ଜୀ ଡ୍ରିଙ୍କସ୍‌’ର ବିଜ୍ଞାପନରେ ବସ୍ତାନିର ଓଜନ ବୋହିବା ପ୍ରସଙ୍ଗ ମଧ୍ୟ ଆସୁଛି। ଅନେକ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିଲେ ସୁଦ୍ଧା ପ୍ରାୟ ସମସ୍ତ ପିଲା ବସ୍ତାନିରେ ଘରୁ ପାଣି ବୋତଲ ବୋହୁଛନ୍ତି। ଏହାର ସମାଧାନ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ କରିପାରିବେ।

ବସ୍ତାନିର ଓଜନ କମାଇବାର ଆଉ ଏକ ବାଟ ହେଲା, ବହିଗୁଡ଼ିକୁ ବିଦ୍ୟାଳୟରେ ରଖିବା। ଶିଶୁମାନେ ବିଦ୍ୟାଳୟରେ ଯେ ଯାହାର ବହି ପଢ଼ିବେ ଓ ଘରକୁ ଫେରିବେ। କିନ୍ତୁ ଏଭଳି ବୋଝମୁକ୍ତ ଶିକ୍ଷାର ପ୍ରଚଳନ ହୋଇ ନାହିଁ। ଅନେକ ବିଶେଷଜ୍ଞଙ୍କ ମତରେ ପ୍ରାଥମିକ ଶିକ୍ଷା ସ୍ତରରେ ଅନେକ ବହିର ଆଦୌ ଆବଶ୍ୟକତା ନାହିଁ। କେବଳ ଅଭ୍ୟାସ କରାଇ ଶିଶୁମାନଙ୍କୁ ପୁସ୍ତକମୁକ୍ତ ଶିକ୍ଷା ଦିଆଯାଇପାରିବ।

ଏହା ସତଯେ ଶିଶୁମାନଙ୍କ ପିଠିରୁ ବହିର ଓଜନ କମିଲେ, ଏହା ଅନେକାଂଶରେ ଆନନ୍ଦମୟ ଶିକ୍ଷା ଲାଗି ବାଟ ଫିଟାଇବ। ତେଣୁ ଶୈଶବର କୋମଳତାକୁ ସୁରକ୍ଷା ଦେବା ଲାଗି ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।

(ସମ୍ବାଦ, ୨୬ ସେପ୍ଟେମ୍ବର ୨୦୧୫, ଶନିବାର, ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ)


ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩