17 सितंबर 2015

କଂପ୍ୟୁଟର ଶିକ୍ଷା ବନାମ ଚାକିରି

(ଏହି ନିବନ୍ଧଟି ‘ସମ୍ବାଦ’ର ୪ ଜାନୁଆରି ୧୯୯୯, ସୋମବାର ସଂଖ୍ୟାରେ ପ୍ରକାଶିତ)

ଦେଶରେ ଲୋକସଂଖ୍ୟା ଯେଉଁ ହାରରେ ବଢୁଛି, ସମସ୍ୟାଗୁଡ଼ିକ ତା'ଠାରୁ ୫ ଗୁଣ ଅଧିକ ହାରରେ ବଢୁଛି । ଭାରତ ପରି ଦେଶରେ ସମସ୍ତଙ୍କ ପାଇଁ କର୍ମସଂସ୍ଥାନ ଯୋଗାଡ଼ ହେବା ଏକ ବଡ଼ ଆବଶ୍ୟକତା । ଯନ୍ତ୍ର ଦୁନିଆର ସାମ୍ରାଜ୍ୟ ବିସ୍ତାର ଫଳରେ କର୍ମସଂସ୍ଥାନଗୁଡ଼ିକର ରୂପ ବଦଳିବାରେ ଲାଗିଛି । ଏଠାରେ ପୃଥିବୀର ବା ଭାରତର ପ୍ରସଙ୍ଗକୁ ଆଲୋଚନା କଲେ, ଓଡ଼ିଶା କଥା ବୁଝିବାଟା ଜଟିଳ ହେବ । ତେଣୁ ପ୍ରସଙ୍ଗକୁ ଓଡ଼ିଶା ପରିପ୍ରେକ୍ଷୀରେ ଆଲୋଚନା କରିବା ।

ଆମ ରାଜ୍ୟ ଓଡ଼ିଶାରେ କର୍ମସଂସ୍ଥାନ କହିଲେ ବେଶି ସଂଖ୍ୟକ ପାଠୁଆ ଚାକିରିକୁ ବୁଝନ୍ତି । ଆତ୍ମନିଯୁକ୍ତି କଥାକୁ ଯେତେ ଜୋରରେ ପ୍ରଚାର କଲେ ବି ରାଜ୍ୟର ସର୍ବାଧିକ୍ ଅଧିବାସୀଙ୍କର ଚାକିରି ପ୍ରତି ମୋହ ରହିଛି । ପୁଣି ସରକାରୀ ଚାକିରି ହିଁ ଏଠି ଲୋକଙ୍କର ପ୍ରଥମ ପସନ୍ଦ । ରାଜ୍ୟବାସୀଙ୍କର ସରକାରୀ ଚାକିରିସରକାରୀ ଚାକିରିଆଙ୍କ ପ୍ରତି ଯେଭଳି ଶ୍ରଦ୍ଧା ରହିଛି, ଅନ୍ୟମାନଙ୍କ ପ୍ରତି ସେପରି ନାହିଁ । ଚାକିରି ସ୍ୱପ୍ନରେ ଜର୍ଜରିତ ଶିକ୍ଷିତ ବେକାରମାନେ ଅଳ୍ପ କେଇଟା ସରକାରୀ ଚାକିରି ପାଇଁ କେତେ ବା ଅପେକ୍ଷା କରିବେ ! ଯେନତେନ ପ୍ରକାରେ ଅଣ-ସରକାରୀ ଚାକିରିରେ ଭର୍ତି ହେଉଛନ୍ତି କିଂବା ଅଣ-ସରକାରୀ ଧନ୍ଦାରେ ଆୟପନ୍ଥା ଖୋଜୁଛନ୍ତି ଅଥବା ଆତ୍ମନିଯୁକ୍ତି ପାଇଁ ନିଜକୁ ବାଧ୍ୟ କରୁଛନ୍ତି । ପେଟ ପୋଷିବା ପାଇଁ ବା କୌଣସି ମତେ ବଂଚିବା ପାଇଁ କରାଯାଉଥିବା କେତେକ ଧନ୍ଦା, ସମାଜ ଆଖିରେ ଅପକର୍ମ ବୋଲି ପ୍ରତିପାଦିତ ହୋଇଛି । ସେହି ଅପକର୍ମଗୁଡ଼ିକ ଏଠାରେ ଆଲୋଚ୍ୟ ନୁହେଁ ।

ଏଇ ୧୦ ବର୍ଷ ହେଲା, ଓଡ଼ିଶାରେ କଂପ୍ୟୁଟର ଶିକ୍ଷାର ବ୍ୟାପକ ପ୍ରସାର ହୋଇଛି । କଂପ୍ୟୁଟର ଶିକ୍ଷା ହାସଲ କଲେ ଚାକିରି ମିଳିଯିବ ବୋଲି ଏକ ବଦ୍ଧମୂଳ ଧାରଣା ଏବର ଶିକ୍ଷିତ ଯୁବକଯୁବତୀ, ସେମାନଙ୍କ ପିତାମାତା-ଅଭିଭାବକ-ବଂଧୁବାଂଧବ ଓ ଶୁଭଚିନ୍ତକମାନଙ୍କୁ ଘାରିଛି । କିଛି ବର୍ଷ ଆଗରୁ କଲେଜ୍ ଗୁଡ଼ିକ ଗାଁଗୁଡ଼ିକରେ ଛତୁ ଫୁଟିଲା ଭଳି ଖୋଲିବାରୁ ବୁଦ୍ଧିଜୀବୀମାନେ ଯେତିକି ବିବ୍ରତ ହେଲେ, ତାହାଠୁ ବେଶି ପରିମାଣରେ ଛାନିଆ ହେଲେ ସରକାର ଓ ପ୍ରଶାସନ । ଏବେ ଗାଆଁରେ ନୁହେଁ/ ଛୋଟବଡ଼ ସବୁ ସହରରେ/ ମାଳମାଳ କଂପ୍ୟୁଟର ଶିକ୍ଷାକେନ୍ଦ୍ର । ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା ଏତେ ମାତ୍ରାରେ ବଢ଼ିଗଲାଣି ଯେ କେହି କେହି ଏପରି କେନ୍ଦ୍ର ସବୁକୁ ଦୋକାନ କହିଲେଣି ।

ଦିନ ଥିଲା, ଶିକ୍ଷିତମାନଙ୍କର ଆନୁଷଙ୍ଗିକ ଯୋଗ୍ୟତା ରୂପେ ଟାଇପରାଇଟିଂ, ସର୍ଟହ୍ୟାଣ୍ଡ୍, ବି.ଏଡ଼୍., ଏଲ୍.ଏଲ୍.ବି., ମ୍ୟାନେଜ୍‌ମେଣ୍ଟ, ସି.ଟି. ଇତ୍ୟାଦି ପ୍ରମାଣପତ୍ର ପ୍ରତି ମୋହ ଖୁବ୍ ଜୋରଦାର ଥିଲା । ହେଲେ ଏବେ କଂପ୍ୟୁଟର ଶିକ୍ଷାର ପ୍ରମାଣପତ୍ର ପ୍ରତି ଯେଉଁ ହାରରେ ମୋହ ବଢୁଛି, ତାହା ଅନ୍ୟ କୌଣସି ଶିକ୍ଷା ପ୍ରମାଣପତ୍ରର ମୋହ ଠାରୁ ଯଥେଷ୍ଟ ବେଶି । ଶତାବ୍ଦୀର ଶେଷ ଦଶକରେ କଂପ୍ୟୁଟର ଶିକ୍ଷାର ହଇଚଇ ହିଁ ଓଡ଼ିଶା ଇତିହାସର ପ୍ରଥମ ପୃଷ୍ଠାରେ ଶବ୍ଦାୟିତ ହେବ। ଗଣ୍ଡାଗଣ୍ଡା କଂପ୍ୟୁଟର ଶିକ୍ଷାକେନ୍ଦ୍ର ଏବେ ସହରମାନଙ୍କରେ ଟାକି ବସିଛନ୍ତି ବିଦ୍ୟାର୍ଥୀ ଗ୍ରହଣ ପାଇଁ। ବାଃ କି ଚମତ୍କାର ବିଜ୍ଞାପନ ! କୌଣସି ବ୍ୟାବସାୟିକ ପ୍ରତିଷ୍ଠାନର ବିଜ୍ଞାପନ ବି ଏହା ଆଗରେ ଫିକା ପଡ଼ିଯିବ। ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଯେତେ ବଢୁଛି, ତାହାଠୁ ବେଶି ସଂଖ୍ୟାରେ ଶିକ୍ଷାକେନ୍ଦ୍ରମାନ ଖୋଲିବାରେ ଲାଗିଛି। ଗାଆଁରେ କଲେଜଟିଏ ଖୋଲିବା ପାଇଁ ଅନୁମୋଦନ ଠାରୁ ଅନୁଦାନ ପାଇବା ପର୍ଯନ୍ତ ଯେତେ ପ୍ରକାର ଧରାଧରି କରିବାକୁ ପଡ଼େ, କଂପ୍ୟୁଟର ଶିକ୍ଷାକେନ୍ଦ୍ର ପାଇଁ ସେପରି କିଛି କଷ୍ଟ କରିବା ଦରକାର ହୁଏ ନାହିଁ । ପକ୍କାଘର, ମୁନିବଙ୍କ ମୂଳଧନ, ଚତୁରତା ଓ ବ୍ୟବସାୟ କରିବାର ଦମ୍ଭ ହିଁ ଶିକ୍ଷାକେନ୍ଦ୍ର ଖୋଲିବାର ପ୍ରାଥମିକ ପ୍ରସ୍ତୁତି ରୂପେ ବିଚାରକୁ ନିଆଯାଉଛି ।

ଓଡ଼ିଶାରେ କଂପ୍ୟୁଟର ଶିକ୍ଷାକୁ ବ୍ୟବସାୟ କରି ପ୍ରତିଷ୍ଠିତ ହୋଇଥିବା ସଂସ୍ଥା ବା ଅନୁଷ୍ଠାନର ସଂଖ୍ୟା ଖୁବ୍ ନଗଣ୍ୟ । ଏଣୁ କଂପ୍ୟୁଟର ଶିକ୍ଷା କେନ୍ଦ୍ରର ଉଦ୍ୟୋକ୍ତାମାନେ ଓଡ଼ିଶା ବାହାରର ପ୍ରତିଷ୍ଠିତ କଂପ୍ୟୁଟର ଶିକ୍ଷା ସଂସ୍ଥାର ଶାଖା ରୂପେ ଶିକ୍ଷାକେନ୍ଦ୍ର ଆରଂଭ କରୁଛନ୍ତି । ଯେଉଁମାନେ ପ୍ରଶିକ୍ଷକ ରୂପେ ନିଯୁକ୍ତି ପାଉଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ପୂରାପୂରି ସ୍ଥାନୀୟ ବ୍ୟକ୍ତି, ଯେଉଁମାନଙ୍କର ଜାତୀୟ ସ୍ତରରେ ଶିକ୍ଷାଦାନର ଅଭିଜ୍ଞତା ନାହିଁ କିଂବା ଜାତୀୟ ସ୍ତରର ଶିକ୍ଷାଦାନର ଦକ୍ଷତା ନାହିଁ । ଏକଥା କହିଲା ବେଳେ ସବୁଠୁ ବେଶି ଚର୍ଚାର ବିଷୟ ହେଉଛି - ପ୍ରବେଶ ଆଶାୟୀ ଛାତ୍ରଛାତ୍ରୀଙ୍କୁ ନିଦ୍ୱର୍ନ୍ଦ୍ୱରେ ଗ୍ରହଣ । କେତେକ ଶିକ୍ଷାକେନ୍ଦ୍ର ଏବେ ଚତୁରତା ଅବଲମ୍ବନ କରି ପ୍ରବେଶିକା ପରୀକ୍ଷାର ପ୍ରଚଳନ କଲେଣି । ବ୍ୟାବସାୟିକ ଫାଇଦା ପାଇଁ ପାଠ୍ୟକ୍ରମ ଟଙ୍କା ଗ୍ରହଣ ପରେ ଛାତ୍ରଛାତ୍ରୀଙ୍କ ମେଧା ସ୍ତରକୁ ବିଚାରକୁ ନନେଇ ସେମାନଙ୍କୁ ଗ୍ରହଣ କରିନେବା ଏକ ତରବରିଆ କାଇଦା ଭାବେ ଚାଲୁ ରହିଛି । ପ୍ରାୟ ୯୦ ଭାଗ ଏପରି ଶିକ୍ଷାନୁଷ୍ଠାନ ନିଜନିଜର ନିଯୁକ୍ତି କକ୍ଷ (Placement Cell) ଅଛି ବୋଲି ବିଜ୍ଞାପିତ କରି ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରୁଛନ୍ତି । କେତେକ ଶିକ୍ଷାନୁଷ୍ଠାନ ମେଧାବୀମାନଙ୍କ ପାଇଁ/ ଭାଗ୍ୟ ପରୀକ୍ଷାରେ ଉତ୍ତୀର୍ଣମାନଙ୍କ ପାଇଁ/ ପ୍ରବେଶିକା ପରୀକ୍ଷାରେ ସର୍ବାଧିକ ଲବ୍‍ଧାଙ୍କ ହାସଲକାରୀଙ୍କ ପାଇଁ ପୂରାପୂରି ମାଗଣା ଶିକ୍ଷାଗ୍ରହଣ ବ୍ୟବସ୍ଥା ଲାଗୁ କରୁଛନ୍ତି । ଜଣେ ଉଚ୍ଚ ମେଧାସଂପନ୍ନ ବିଦ୍ୟାର୍ଥୀ ଶିକ୍ଷା ସମାପ୍ତ ପରେ ଜଣେ ଭଲ କଂପ୍ୟୁଟର ପେସାଦାର ହୋଇ ବାହାରିବେ - ଏଥିରେ ସଂଦେହ କମ୍‍ । ଏଣୁ ଏହାକୁ ବ୍ୟବସାୟ ପ୍ରସାରର ସୂତ୍ର କରି କେତେକ ଶିକ୍ଷାନୁଷ୍ଠାନ ଖ୍ୟାତି ଅର୍ଜିବାକୁ ପଣ କରିଛନ୍ତି । କଂପ୍ୟୁଟର ଶିକ୍ଷା କିଛି ମହାଜନମାନଙ୍କ ଆଦବ ବ୍ୟବସାୟ ରୂପେ ଚାଲିଥିବାରୁ ବ୍ୟାବସାୟିକ ଉନ୍ନତି ପାଇଁ ସମସ୍ତ ପ୍ରକାର ସୂତ୍ର ପ୍ରୟୋଗ ନିର୍ବିବାଦରେ ଚାଲିଛି ।

ଆଗାମୀ ଦଶକରେ ଏତେ ଲକ୍ଷ କଂପ୍ୟୁଟର ପେସାଦାର ଦରକାର ହେବେ, ସେତେ ଲକ୍ଷ କଂପ୍ୟୁଟର ସହାୟକ ଦରକାର ହେବେ ବୋଲି ପ୍ରଚାର କରାଯାଉଛି । ଏଥିରେ ଉଦ୍‍ବୃତ୍ତ ବିଦ୍ୟାର୍ଥୀମାନେ ଆକର୍ଷିତ ହେବା ସ୍ୱାଭାବିକ । ଭଲ ପ୍ରତିଶତ ଲବ୍ଧାଙ୍କ ଥିବା ବିଦ୍ୟାର୍ଥୀଙ୍କୁ ହିଁ ବିଭିନ୍ନ ସଂଗଠନ/ ବାଣିଜ୍ୟିକ ଦଳ, କଂପାନୀ, ଉଦ୍ୟୋଗ ଓ ସରକାରୀ କ୍ଷେତ୍ର ନିଜର ଶ୍ରମଶକ୍ତି ରୂପେ ଗ୍ରହଣ କରି ନେଇଥାଆନ୍ତି । ଯେଉଁମାନେ କମ୍‍ ପ୍ରତିଶତ ଲବ୍‍ଧାଙ୍କ ହାସଲ କରିଥାଆନ୍ତି, ସେମାନେ ବେକାର ହୁଅନ୍ତି ଅଥବା ନିରୁପାୟ ହୋଇ କମ୍‍ ପାଉଣା ମିଳୁଥିବା କର୍ମସଂସ୍ଥାନକୁ ଆଦରି ନିଅନ୍ତି । କଂପ୍ୟୁଟରକୁ ଜୀବନଜୀବିକା ରୂପେ ଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ଓଡ଼ିଶାରେ ଏଯାଏଁ ଧରାପଡ଼ି ନାହିଁ କି ଏ ଦିଗରେ କୌଣସି ସରକାରୀ ଗଣନା କାର୍ଯ୍ୟ ମଧ୍ୟ ହୋଇ ନାହିଁ । କଂପ୍ୟୁଟର ଶିକ୍ଷା ସମାପ୍ତ କରି ବହୁଦିନ ଧରି ବେକାର ବସିଥିବା ଯୁବକଯୁବତୀମାନଙ୍କର କୌଣସି ରାଜ୍ୟସ୍ତରୀୟ ସଂଘ ନଥିବାରୁ ସଂପୃକ୍ତ ବେକାରମାନଙ୍କର ସଂଖ୍ୟା ଜାଣିବା କଷ୍ଟକର ହୋଇପଡ଼ିଛି । ଏ ଦିଗରେ ଗଣମାଧ୍ୟମର ଗୁଇନ୍ଦା ନଜର ହାଲୁକା ଥିବାରୁ ସମସ୍ୟାଟା ଗମ୍ଭିରି ଭିତରେ ରହିଯାଇଛି ।

କଂପ୍ୟୁଟର ଶିକ୍ଷା ଉପରେ ନିୟନ୍ତ୍ରଣ ପାଇଁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ଭାରତ ସରକାରଙ୍କ ଇଲେକ୍‍ଟ୍ରୋନିକ୍ସ ବିଭାଗର କଂପ୍ୟୁଟର ଶିକ୍ଷା ସ୍ୱୀକୃତି ପ୍ରଦାନ ପରିଷଦ, ଜାତୀୟ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ ଓ ଦେଶର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ଶିକ୍ଷାୟତନଗୁଡ଼ିକ କାର୍ଯ୍ୟ କରୁଥିଲେ ସୁଦ୍ଧା ଅନୁମତି ଓ ସ୍ୱୀକୃତି ପାଇ ନଥିବା ଅଜସ୍ର ଶିକ୍ଷାକେନ୍ଦ୍ର ଓ ପାଠ୍ୟକ୍ରମ ଓଡ଼ିଶାରେ ଚାଲିଛି । କଂପ୍ୟୁଟର ଓ କଂପ୍ୟୁଟର ଶିକ୍ଷା ବ୍ୟବସାୟର ଇନ୍ଦ୍ରଜାଲ ପ୍ରତି ଅନଭିଜ୍ଞ ଥିବାରୁ ସଂପୃକ୍ତ ଶିକ୍ଷାକେନ୍ଦ୍ରଗୁଡ଼ିକ ପ୍ରତି କୌଣସି ରହିତାଦେଶ ବା କଟକଣା ଲାଗୁ ହେବାର ଭୟ ନାହିଁ । ସରକାରୀ ଆଇନାନୁମୋଦିତ ପାଠ୍ୟକ୍ରମର ପ୍ରମାଣପତ୍ର ନଥିବା ବିଦ୍ୟାର୍ଥୀଙ୍କୁ ସରକାରୀ କ୍ଷେତ୍ରରେ ଏଣିକି କର୍ମସଂସ୍ଥାନ ଦିଆଯାଉ ନାହିଁ । ଦିନକୁ ଦିନ ଅଧିକରୁ ଅଧିକ ଅଣସରକାରୀ କ୍ଷେତ୍ରରେ ନିଯୁକ୍ତିଦାତାମାନେ ସରକାରୀ ଆଇନାନୁମୋଦିତ ପ୍ରମାଣପତ୍ରଧାରୀମାନଙ୍କୁ ନିଯୁକ୍ତି ଦେବାକୁ ଶ୍ରେୟ ମଣୁଛନ୍ତି । ଫଳରେ ସରକାରୀ ସ୍ୱୀକୃତି ନଥିବା ପ୍ରମାଣପତ୍ରଧାରୀମାନେ ବହୁ ସଂଖ୍ୟକ କର୍ମସଂସ୍ଥାନ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଅଥବା ବେକାର ହେବାକୁ ବାଧ୍ୟ ହେଉଛନ୍ତି । ବିଶ୍ୱବିଦ୍ୟାଳୟରେ ଏମ୍‍.ସି.ଏ., ବି.ସି.ଏ., ପି.ଜି.ଡି.ସି.ଏ., ଡି.ସି.ଏ., ଡି.ସି.ଓ. ଇତ୍ୟାଦି ପାଠ୍ୟକ୍ରମରେ ବହୁସଂଖ୍ୟକ ବିଦ୍ୟାର୍ଥୀ ଥିବାରୁ ସେମାନଙ୍କ ପାଇଁ କର୍ମସଂସ୍ଥାନ ସୁଯୋଗ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଅତ୍ୟାବଶ୍ୟକ ହୋଇ ପଡ଼ିଛି । ବିଦେଶ ଯିବା ଓ ବିଦେଶୀ ମୁଦ୍ରା ଆୟ କରିବାର ନିଶାରେ ଅନେକ ବିଦ୍ୟାର୍ଥୀ କଂପ୍ୟୁଟର ଶିକ୍ଷାକୁ ଆଦରୁଛନ୍ତି । ବିଦେଶୀ ନିୟୋଜକଙ୍କ ହିସାବ ଅନୁସାରେ ଭାରତୀୟ ଶ୍ରମଶକ୍ତି ଶସ୍ତାରେ ମିଳୁଥିବାରୁ ଏହି କ୍ରମରେ ଓଡ଼ିଶାର କିଛି ପେସାଦାର ନିଯୁକ୍ତି ପାଇଲେଣି ।

ଜଲ୍‍ଦି କଂପ୍ୟୁଟର ପେସାଦାର ହେବା ପାଇଁ କେତେକ ଯୁବକଯୁବତୀ ଡି.ଟି.ପି. ଅପରେଟର ବା ଡାଟା ଏଣ୍ଟ୍ରି ଅପରେଟର ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଓଡ଼ିଶାରେ ଏପରି ପଦରେ ଅବସ୍ଥାପିତ ଯୁବକଯୁବତୀମାନେ ଚାକିରି ସର୍ତାବଳୀରେ ନାନାଦି ଶୋଷଣର ଶିକାର ହେଉଛନ୍ତି । ଏମାନଙ୍କୁ ପ୍ରଥମ ୪ ବର୍ଷ ଯାଏଁ ୭୦୦ରୁ ୧୫୦୦ ଟଙ୍କା ଯାଏଁ ମାସିକ ବେତନ ମିଳୁଛି । ଆଇନାନୁମୋଦିତ ଅନ୍ୟାନ୍ୟ ସୁବିଧାସୁଯୋଗ ତ ଆଦୌ ନାହିଁ । 

ସାଧାରଣ ଟାଇପ୍‍ ମେସିନ୍‍, ଇଲେକ୍‍ଟ୍ରୋନିକ୍‍ ଟାଇପ୍‍ ମେସିନ୍‍ ଓ ଲେଟର ପ୍ରେସ୍‍ଗୁଡ଼ିକ ପ୍ରତି ଲୋକଙ୍କର ଚାହିଦା କମୁଥିବାରୁ ଏବଂ କଂପ୍ୟୁଟର-ଛପା ଅକ୍ଷର ଓ ଅଫ୍‍ସେଟ୍‍ ପ୍ରେସ୍‍ର ଚାହିଦା ଖୁବ୍‍ ଜୋର୍‍ରେ ବଢୁଥିବାରୁ ଏପରି ଶ୍ରମଶକ୍ତି ପ୍ରତି ସମାଜର ନିର୍ଭରଶୀଳତା ବଢ଼ିବାକୁ ଲାଗିଛି । ବିଡ଼ମ୍ବନା ଏହିକି ଯେ ଏପରି ଶ୍ରମଶକ୍ତିର କୌଣସି ସଂଘ (ସହରସ୍ତରୀୟ, ଜିଲ୍ଲାସ୍ତରୀୟ ବା ରାଜ୍ୟ ସ୍ତରୀୟ) ନାହିଁ । ଏମାନଙ୍କୁ ନେଇ ସଂଘ ଗଢ଼ିବାକୁ ଶ୍ରମିକ ନେତାମାନଙ୍କର ଜ୍ଞାନୋଦୟ ନହେବା ଆଉ ଏକ ବିଡ଼ମ୍ବନା ।

ସବୁଠୁ ବେଶି ଅନଭିଜ୍ଞତାର ପରିଚୟ ଦେଉଛନ୍ତି ଚୟନ ପରିଷଦଗୁଡ଼ିକର ସଦସ୍ୟମାନେ ଓ ବିଜ୍ଞାପକମାନେ । ଆଜିକାଲି ବ୍ୟୟବହୁଳ ଓ ବ୍ୟସ୍ତବହୁଳ ସେବା ଯୋଗାଣକୁ ସୁଲଭ ଓ ସୁଗମ କରିବା ପାଇଁ ସବୁ କ୍ଷେତ୍ରରେ କଂପ୍ୟୁଟରର ପତିଆରା ବଢ଼ିବାରେ ଲାଗିଛି । ଅର୍ଥାତ୍‍ କଂପ୍ୟୁଟର ପ୍ରୟୋଗ ବଢୁଛି । ଏଣୁ ନିଯୁକ୍ତ କର୍ମଚାରୀଙ୍କୁ କଂପ୍ୟୁଟରରେ କାର୍ଯ୍ୟଦକ୍ଷ କରିବା ପାଇଁ ରାଜକୋଷରୁ ଅର୍ଥଶ୍ରାଦ୍ଧ କରି ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ବିଜ୍ଞାପନ ଜରିଆରେ ସମାନ୍ତରାଳ ଯେ କୌଣସି ପଦ ପାଇଁ ଉପଯୁକ୍ତ କଂପ୍ୟୁଟର ସାକ୍ଷରମାନଙ୍କ ଆବେଦନ ଆହ୍ୱାନ କରାଗଲେ, ଉପଯୁକ୍ତ କର୍ମଚାରୀ ଚୟନ ହେବା ସହ ରାଜକୋଷର ବ୍ୟୟ ରୋକାଯାଇପାରନ୍ତା ।

ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବେ କଂପ୍ୟୁଟର ଶିକ୍ଷା ଓ କଂପ୍ୟୁଟର ପ୍ରୟୋଗ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି । ଏବେ ବି ପରୀକ୍ଷାଫଳ ପ୍ରକାଶନ ପାଇଁ ଓଡ଼ିଶାର ଅନେକ ଶିକ୍ଷା ପରିଷଦ ଓ ବିଶ୍ୱବିଦ୍ୟାଳୟ, ଆନ୍ଧ୍ରର ରାଜଧାନୀ ହାଇଦ୍ରାବାଦ ଉପରେ ନିର୍ଭର କରୁଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂପ୍ୟୁଟର ପ୍ରୟୋଗ କରି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାରୁ ପଡ଼ୋଶୀ ମୁଖ୍ୟମନ୍ତ୍ରୀମାନେ ଏ ଦିଗରେ ଉତ୍‍ସାହିତ ହୋଇପଡ଼ିବା ସ୍ୱାଭାବିକ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଏକ ଇଲେକ୍‍ଟ୍ରୋନିକ୍‍ସ ଓ କଂପ୍ୟୁଟର ଭିତ୍ତିକ ଶିଳ୍ପ/ବାଣିଜ୍ୟ ନଗରୀ କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ବାରଂବାର ଘୋଷଣା କରିବା ସହ ଏଥି ନେଇ କେତେଥର ବିଦେଶ ଗସ୍ତ କରିସାରିଥିବାରୁ, ରାଜ୍ୟରେ କେତେକ ଶିକ୍ଷିତ ଯୁବକଯୁବତୀ ଆଶାବାଦୀ ହୋଇ ପଡ଼ିଛନ୍ତି । କିନ୍ତୁ ସେଇ ଅନୁସାରେ ସୁଯୋଗ କାହିଁ?

ଓଡ଼ିଶାର କିଛି ପ୍ରାନ୍ତରେ ଅଙ୍କ-ଅକ୍ଷରଗତ ସାକ୍ଷରତା ପାଇଁ ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜ୍ୟର ଅନ୍ୟ ପ୍ରାନ୍ତରେ/ ସହରାଞ୍ଚଳରେ/ ସହରାଭିମୁଖୀ ଅଧିବାସୀଙ୍କ ମଧ୍ୟରେ କଂପ୍ୟୁଟର ସାକ୍ଷରତା ପ୍ରତି ଅତ୍ୟାଗ୍ରହର ଅନ୍ତଃସ୍ରୋତ ବହିବାରେ ଲାଗିଛି । କଂପ୍ୟୁଟର ସାକ୍ଷରତା ପାଇଁ କାଁଭାଁ କେତୋଟି ଅନୁଷ୍ଠାନ/ ସଂଗଠନ ଉଦ୍ୟମ କରୁଥିଲେ ସୁଦ୍ଧା ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ସେଗୁଡ଼ିକ ବ୍ୟାପକ ହେଉ ନାହିଁ । ଆଗାମୀ ୧୦ ବର୍ଷ ମଧ୍ୟରେ ସାରା ତାମିଲନାଡୁକୁ ୧୦୦ ପ୍ରତିଶତ କଂପ୍ୟୁଟର ସାକ୍ଷର କରିବେ ବୋଲି ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କଲେଣି। ଏଭଳି ସ୍ଥିତି ପାଇଁ ଆମ ରାଜ୍ୟର ଶାସକ-ପ୍ରଶାସକମାନଙ୍କର ଚେତନା କେତେ ଏବଂ ରାଜ୍ୟର ଚିନ୍ତାଶୀଳ ନାଗରିକମାନଙ୍କର କଳ୍ପନା କେତେ, ଏହା ଜାଣିବା ଅବଶ୍ୟ ଜରୁରୀ।

ବିମଳ ପ୍ରସାଦ, bimal.odisha@yahoo.in