24 सितंबर 2015

ହାତୀ-ମଣିଷ ଲଢ଼େଇ !

ମରିଛନ୍ତି ୬୮୫, ମାରିଛନ୍ତି ୬୬୦
ଓଡ଼ିଶାରେ ହାତୀ ସଂଖ୍ୟା ବଢ଼ୁଛି। ସେହି ଅନୁପାତରେ ଜଙ୍ଗଲ ବଢୁନାହିଁ। ବରଂ ବିଭିନ୍ନ କାରଣରୁ କ୍ଷୟ ଘଟୁଛି। ହାତୀମାନଙ୍କ ବାସୋପଯୋଗୀ ଜଙ୍ଗଲର ଆୟତନ ହ୍ରାସ ପାଉଛି। ଏଣୁ ସେହି ହାତୀ ଜନବସତିମୁହାଁ ହେଉଛନ୍ତି । ଏହା ମଣିଷ ପାଇଁ ଯେତେ ବିପଦ ସୃଷ୍ଟି କରୁଛି, ହାତୀ ପାଇଁ ସେତେ ବିପଦ। ଏହି କାରଣରୁ ଗତ ୧୦ ବର୍ଷ ମଧ୍ୟରେ ଯେତେ ସଂଖ୍ୟକ ହାତୀ ମରିଛନ୍ତି, ସମାନ ସଂଖ୍ୟକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି।

୨୦୧୫ ହାତୀ ଗଣନା ଅନୁସାରେ ହାତୀ ସଂଖ୍ୟା ୧୯୩୦ରୁ ୧୯୫୪କୁ ବଢିଛି । ସେହିପରି ହାତୀଙ୍କ ମୃତ୍ୟୁହାର ବି ବୃଦ୍ଧି ପାଇଛି। ଗତ ୧୦ ବର୍ଷ ଭିତରେ ୬୮୫ଟି ହାତୀ ମରିଛନ୍ତି । ଏଥିମଧ୍ୟରୁ ୨୭୨ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଛି । ୮୯ ହାତୀ ଶିକାରୀଙ୍କ ହାତରେ ମରିଥିବା ବେଳେ ୫୦ଟି ହାତୀଙ୍କର ଯୋଜନାବଦ୍ଧ ଭାବେ ବିଦୁ୍ୟତ୍ ଆଘାତ ଓ ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣାରେ ରେଳପଥରେ ମରିଛନ୍ତି ଆହୁରି ୧୬ଟି ହାତୀ । ତେବେ ବନ ବିଭାଗ ଅନ୍ୟ ୧୨୧ଟି ହାତୀର ମୃତ୍ୟୁର କାରଣ ଜାଣିବାରେ ସକ୍ଷମ ହୋଇପାରିନାହିଁ । ବିସ୍ମୟକର ତଥ୍ୟ ହେଉଛି ଯେ ୭୧ଟି ହାତୀ ପାଣିରେ ବୁଡ଼ି ଓ ପାହାଡ଼ରୁ ଗଡ଼ି ଗର୍ତରେ ପଡ଼ି ପ୍ରାଣ ହରାଇଛନ୍ତି। ୨୦୧୧-୧୨ ତୁଳନାରେ ହାତୀ ମୃତୁ୍ୟ ହାର ବଢ଼ିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ ବନ୍ୟପ୍ରାଣୀ ଯୋଜନାର ଉଲ୍ଲଂଘନ କରି ବ୍ୟାପକ ଖଣି ଖନନ, ଶିଳ୍ପାୟନ ବିଶେଷ କରି ଶହ ଶହ ବର୍ଷ ପୁରୁଣା ହାତୀ କରିଡ଼ର ଗୁଡିକର ଅବକ୍ଷୟ ଘଟୁଛି। ଏହି ପରିପ୍ରେକ୍ଷୀରେ ହାତୀ ଆକ୍ରମଣରେ ୬୬୦ ଲୋକ ମରିଥିବା ବିଭାଗୀୟ ରିପୋର୍ଟରୁ ଜଣାଯାଇଛି । ରାଜ୍ୟ ସରକାର ହାତୀ ଆକ୍ରମଣରେ ମୃତକ, ଆହତ ତଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଇତିମଧ୍ୟରେ ସରକାର ମୃତକ ଓ ଶସ୍ୟହାନି ପାଇଁ ୪୩.୪୫ କୋଟି ଟଙ୍କାର କ୍ଷତିପୂରଣ ଦେଲେଣି। ତେବେ ମୃତ୍ୟୁ ଘଟଣାମାନ ନବୀନ ସରକାରଙ୍କ ପାଇଁ ଦେହସୁହା ହେଲାଣି। ଏହି ଲଢ଼େଇକୁ କିପରି ରୋକାଯାଇପାରିବ ସେଥି ନେଇ କିଛି ପଦକ୍ଷେପ ଘୋଷଣା କରି ଶୋଇପଡ଼ିଛନ୍ତି ସରକାର ।

ରାଜ୍ୟରେ ହାତୀ ସୁରକ୍ଷା ଓ ସେମାନଙ୍କର ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲରୁ ସୁରକ୍ଷିତ ଭାବେ ଯାତାୟାତ କରିବା ପାଇଁ ୧୪ଟି କରିଡ଼ର ଚିହ୍ନଟ ହୋଇଛି । ତେବେ ହାତୀ କରିଡ଼ର ନିମନ୍ତେ ୫ ବର୍ଷିଆ ଯୋଜନା କରାଯିବା ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାହା ଆଦୌ ସ୍ପଷ୍ଟ ନୁହେଁ। ଜଙ୍ଗଲ ଓ ପରିବେଶ ବିଭାଗର ପତ୍ର ସଂଖ୍ୟା ୧୨୭/୦୫-୨୨୨୯୫/ଏଫ୍ଇ, ୩୦.୧୨.୨୦୦୫ ଅନୁଯାୟୀ ୧୦-ବର୍ଷିଆ କେନ୍ଦୁଝର-ବଣାଇ ଆଂଚଳିକ ପରିଚାଳନା ଯୋଜନାକୁ ଅନୁମୋଦନ ଦିଆଯାଇଥିଲା। ଏ ବାବଦରେ ବିଭିନ୍ନ ଖଣି ପଟ୍ଟାଦାରଙ୍କ ଠାରୁ କେନ୍ଦୁଝର ବନଖଣ୍ଡରେ ୨୩ କୋଟି ଓ ବଣାଇ ବନଖଣ୍ଡରେ ପ୍ରାୟ ୧୪ କୋଟି ଟଙ୍କା, ଏହି ଭଳି ପ୍ରାୟ ୩୭ କୋଟି ଟଙ୍କା ଆଦାୟ ହୋଇଥିଲା। କେନ୍ଦୁଝର ବନଖଣ୍ଡରେ ୨ଟି ହାତୀ କରିଡ଼ର ଥିବା ବେଳେ ବଣାଇ ବନଖଣ୍ଡରେ କୌଣସି ହାତୀ କରିଡ଼ର ଚିହ୍ନଟ ହୋଇ ନଥିବା ବିଭାଗ କହୁଛି। ଏଠାରେ ପ୍ରଶ୍ନ ଉଠୁଛି କରିଡ଼ର ନାଁରେ ପୂର୍ବରୁ ଖଣି ପଟ୍ଟାଦାରମାନଙ୍କ ଠାରୁ ଆଦାୟ ପ୍ରାୟ ୩୭ କୋଟି ଏବଂ ଗତ ୪ ବର୍ଷ ଧରି ସରକାରଙ୍କ ନିଜସ୍ୱ ସମ୍ବଳରୁ ବ୍ୟୟ ହୋଇଥିବା ୨୦ କୋଟି ଟଙ୍କା କିପରି ଭାବେ ଉପଯୋଗ ହୋଇଛି । ତେବେ ଆଦାୟ ଟଙ୍କା କିଭଳି ବନ୍ୟପ୍ରାଣୀ ବିଶେଷ କରି ହାତୀଙ୍କ ସୁରକ୍ଷା ନିମନ୍ତେ ବ୍ୟୟ ହୋଇଛି, ଏହାର ଉତ୍ତର ବନବିଭାଗ ପାଖରେ ନାହିଁ । ଯଦି ଟଙ୍କାର ଉଚିତ ବିନିଯୋଗ ହୋଇଛି, ତେବେ ହାତୀ-ମଣିଷ ଲଢ଼େଇ କମିବା ପରିବର୍ତେ ବଢ଼ିଲା କେମିତି?

ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସୂଚନା ଅନୁସାରେ ୨୦୦୫-୦୬ରେ ୮ଟି ହାତୀ କରିଡ଼ର ଚିହ୍ନଟ ହୋଇଥିବା ବେଳେ ୨୦୦୯-୧୦ରେ ଆଉ ୬ଟି ଚିହ୍ନଟ ହୋଇଛି । ତଦନୁଯାୟୀ ରାଜ୍ୟ ସରକାର କରିଡ଼ର ବିକାଶ ଓ ପରିଚାଳନା ଯୋଜନା ଅନୁମୋଦନ କରିଥିଲେ ୨୦୧୨ରେ । ୨୦୧୨-୧୩ରେ ସେହି ୫ ବର୍ଷିଆ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ୨୦୧୬-୧୭ ପର୍ଯ୍ୟନ୍ତ ଚାଲିବ। ଏ ବାବଦରେ ସରକାର ପ୍ରତ୍ୟେକ ବର୍ଷ ୫ କୋଟି ଲେଖାଏଁ ଖର୍ଚ୍ଚ କରୁଛନ୍ତି । ବର୍ତମାନର ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଯୋଜନା କାର୍ଯ୍ୟକାରୀ ହେବା ପରେ ପୁନର୍ବାର ମ୍ୟାନେଜ୍ମେଣ୍ଟ ଆକ୍ସନ ପ୍ଲାନ ୨୦୧୬-୧୭ ପରେ କାର୍ଯ୍ୟକାରୀ କରାଯିବ । 

ହାତୀ-ମଣିଷ ଲଢ଼େଇର ଅନ୍ୟ ଏକ ଦିଗ ରହିଛି । ତାହା ହେଉଛି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟରେ ବାଧା । ଏହାର ନମୁନା ରୂପେ ଅନୁଗୁଳ-କାମାକ୍ଷାନଗର-ସୁକିନ୍ଦା ରୋଡ଼୍‌ ରେଳପଥ ପ୍ରକଳ୍ପକୁ ନିଆଯାଉ । ୧୯୯୭-୯୮ ମସିହାର ପ୍ରସ୍ତାବିତ ୯୦ କି.ମି. ରେଳପଥ ରାଜ୍ୟର ଆର୍ଥିକ ତଥା ସାମାଜିକ ବିକାଶ ପାଇଁ ଏକ ପ୍ରମୁଖ ପ୍ରକଳ୍ପ ଭାବେ ବିବେଚନା କରାଯାଉଛି । କିନ୍ତୁ ସେହି ପ୍ରକଳ୍ପକୁ ହାତୀ ବାଟ ଓଗାଳିଛି ବୋଲି ସରକାର ସଫେଇ ଦେଇ ଚୁପ୍‍ ବସିଛନ୍ତି । ହାତୀର ସୁରକ୍ଷା ସହିତ ଏହି ଅଞ୍ଚଳର ବିକାଶ କିପରି ହେବ, ସେଥି ନେଇ ଠୋସ୍‍ ଯୋଜନା ନାହିଁ ।

ସୌଜନ୍ୟ: ସମ୍ବାଦ, ୨୩ ସେପ୍‍ଟେମ୍ବର ୨୦୧୫, ବୁଧବାର