11 सितंबर 2015

ଆଇଆଇଏମ୍ ସମ୍ବଲପୁର ସମସ୍ୟାର ସମାଧାନ

ଓଡ଼ିଶାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମ୍ ଅବସ୍ଥିତିକୁ ନେଇ କିଛି ମାସ ଧରି ହଟଚମଟ ଲାଗିବା ପରେ ସମ୍ବଲପୁରରେ ହିଁ ଏହି ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ୨୪ ଜୁନ୍ ୨୦୧୫ରେ ନିର୍ଦେଶ ଦେଲେ। ହେଲେ ଏବେ ସାନି ସମସ୍ୟା ଉପୁଜିଛି, ଯେମିତି ଉପୁଜିଥିଲା କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ । କୋରାପୁଟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ୟା ୪ ବର୍ଷ ପରେ ବି ଟଳି ନଥିବା ବେଳେ ସମ୍ବଲପୁରରେ ଆଇଆଇଏମକୁ କେନ୍ଦ୍ର କରି ଏବେ ସମସ୍ୟା ତା'ର ଖିଅ ଲମ୍ବାଉଛି।

ଏବେ ଆସନ୍ତୁ ସିଧା ଯିବା ସେହି ସମସ୍ୟା ଓ ତହିଁର ସମାଧାନ ଚର୍ଚାକୁ:- ପ୍ରଥମ କଥା ହେଲା ଏହି ନବଜାତ ଅନୁଷ୍ଠାନଟିକୁ ଅଭିଭାବକତ୍ୱ ପ୍ରଦାନ କରି ଏହାକୁ ଲାଳନପାଳନ କରିବାକୁ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦେଇଛି ଆଇଆଇଏମ୍-ଇନ୍ଦୋରକୁ । କିନ୍ତୁ ଆଇଆଇଏମ୍-ଇନ୍ଦୋରରୁ କେହି ପ୍ରଫେସର ବା ପ୍ରାଶାସନିକ ଅଧିକାରୀ ବିଭିନ୍ନ ବାହାନାରେ ସମ୍ବଲପୁର ଆସିବାକୁ ମଙ୍ଗୁ ନାହାନ୍ତି । ଏହି ଅନୁଚ୍ଛେଦର ପ୍ରଥମ ବାକ୍ୟକୁ ସମସ୍ୟା ରୂପେ ଏବେ ସୁଦ୍ଧା କେହି ଚିହ୍ନଟ କରି ନାହାନ୍ତି । କିନ୍ତୁ ଅସଲ ସମସ୍ୟା ସେଇଠି । ବାସ୍ତବରେ ଇନ୍ଦୋର ନଗର ସହ ଓଡ଼ିଶାର ବା ଓଡ଼ିଶାର କୌଣସି ସହରର ସାମାଜିକ ବା ସାଂସ୍କୃତିକ ସଂପର୍କ କେବେ ନଥିଲା କି ଏବେ ମଧ୍ୟ ନାହିଁ। ଏପରିକି ଆମ ଦେଶରେ ସଂପର୍କର ସୂତ୍ରପାତକାରୀ ଭାରତୀୟ ରେଳବାଇ ମଧ୍ୟ କୌଣସି ରେଳ ସଂପର୍କ ଆଜି ସୁଦ୍ଧା ପ୍ରତିଷ୍ଠା କରି ନାହିଁ । ସିଧାକଥାଟି ହେଲା, ଇନ୍ଦୋର ସହ ଓଡ଼ିଶାର ପ୍ରତ୍ୟକ୍ଷ ରେଳ ସଂପର୍କ କେବେ ନଥିଲା କି ଏବେ ମଧ୍ୟ ନାହିଁ । ଏଣୁ ଲୋଭନୀୟ ଦରମା, ସରକାରୀ ବାସଭବନ, ସୁବିଧାସୁଯୋଗ ଭିତରେ ଏକ ମର୍ଯ୍ୟାଦାବନ୍ତ ଜୀବନଯାପନ କରୁଥିବା ପ୍ରଫେସର ଓ ଅଧିକାରୀମାନେ କ'ଣ ଗାଡ଼ି ବଦଳ କରି ସମ୍ବଲପୁରକୁ ଆସିବେ? ଏପରିକି ଇନ୍ଦୋର ସହିତ ଓଡ଼ିଶାର କୌଣସି ସହରର ଦୂରଗାମୀ ବସ୍ ଯାତାୟତର ସଂପର୍କ ନାହିଁ କି ଭବିଷ୍ୟତରେ ହେବାର ପ୍ରଶ୍ନ ମଧ୍ୟ ଉଠୁ ନାହିଁ । ଏହା ଏକ ମୌଳିକ ପ୍ରଶ୍ନ, ଯାହାକୁ କେନ୍ଦ୍ରୀୟ ଅବହେଳା ବୋଲି ନିଃସଙ୍କୋଚରେ କହିହେବ।

ମାନବ ସମ୍ବଳ ମନ୍ତ୍ରାଳୟ କେଉଁ ଆଧାରରେ ଇନ୍ଦୋରକୁ ଅଭିଭାବକ କଲେ? ବୋଧ ହୁଏ ଭୌଗୋଳିକ ମାନଚିତ୍ର ଦେଖି କରି ପକାଇଲେ!।  କିନ୍ତୁ ଆମ୍ଭ ମତରେ ଆଇଆଇଏମ୍-କୋଲକାତା ହିଁ ଆଇଆଇଏମ୍-ସମ୍ବଲପୁରକୁ ଅଭିଭାବକତ୍ୱ ଦେବା କଥା । ଏହା ଉପରେ ମନ୍ତ୍ରାଳୟ ତୁରନ୍ତ ପୁନର୍ବିଚାର କରୁ । ଓଡ଼ିଶା ସହ କୋଲକାତା ମହାନଗରୀର ସଂପର୍କ ବିଷୟରେ କୌଣସି ଓଡ଼ିଆଙ୍କୁ କିଛି ବର୍ଣନା କରିବା ଅନାବଶ୍ୟକ । ଓଡ଼ିଶା ସହିତ କୋଲକାତାର ବସ୍ ଓ ରେଳ ସଂପର୍କ ଶତାଧିକ ବର୍ଷର ପୁରୁଣା । ସେହିଭଳି ଐତିହାସିକ, ସାମାଜିକ, ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କ ବିଷୟରେ ବର୍ଣନା କରିବା ମଧ୍ୟ ପାଠକଙ୍କ ପାଖରେ ଆମ୍ଭର ଅତିରଂଜନ ହେବ । ରାଉରକେଲା-ଟାଟାନଗର ରୁଟରେ   ହାଓଡ଼ା ଜଙ୍କ୍ସନ୍ (କୋଲକାତାର ସର୍ବପୁରାତନ ଓ ଦେଶର ସର୍ବବୃହତ୍ ରେଳ ଜଙ୍କ୍ସନ୍) ଓ ସମ୍ବଲପୁର ଜଙ୍କସନ୍ ମଧ୍ୟରେ ୧୨୮୭୧/୧୨୮୭୨ ଇସ୍ପାତ ଏକ୍ସପ୍ରେସ୍ ଏବଂ ୧୮୦୦୫/୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୈନିକ ଚଳାଚଳ କରୁଛି । ଏହା ବ୍ୟତୀତ ଅନୁଗୁଳ-ନିର୍ଗୁଣ୍ଡି ରୁଟ୍ ରେ  ୨୨୮୦୩/୨୨୮୦୪ ସାପ୍ତାହିକ ସୁପରଫାଷ୍ଟ୍ ଚଳାଚଳ କରୁଛି । ଏହି ସମସ୍ତ ଗାଡ଼ିରେ ଏସି ବଗି ରହିଛି । ସବୁଠୁ ମଜା କଥା ହେଲା ଇସ୍ପାତ ଏକ୍ସପ୍ରେସ୍ ଦିନବେଳେ ଯାତାୟତ କରୁଥିବାରୁ ଏହା ଚେୟାରକାର୍ ବିଶିଷ୍ଟ ଗାଡ଼ି । ଯାହାକି ଭିଆଇପିମାନଙ୍କର ସବୁଠୁ ପସନ୍ଦଯୋଗ୍ୟ ସ୍ମାର୍ଟ ଗାଡ଼ି ।

ଏବେ ଆସିବା ବିଦ୍ୟାୟତନ ଓ ବିଦ୍ୟାର୍ଥୀ ପ୍ରସଙ୍ଗକୁ । ବିଦ୍ୟାୟତନ ବା କ୍ୟାମ୍ପସ୍ ପାଇଁ ସମ୍ବଲପୁର ଉପକଣ୍ଠ ଶାସନ ଠାରେ ଥିବା ସିଲିକନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(ଏସ୍ଆଇଟି)କୁ ବଛା ଯାଇଛି । ଗମନାଗମନ ଦୃଷ୍ଟିରୁ ଏହା ବେଶ୍ ବଢ଼ିଆ ଜାଗା। ସେଇଥି ପାଇଁ ଏହାକୁ ବିଶେଷଜ୍ଞମାନେ ବାଛିଛନ୍ତି। ଚୁକ୍ତି ଅନୁସାରେ ୨୦୧୯ ପର୍ଯ୍ୟନ୍ତ ଏଠାରେ ଆଇଆଇଏମ୍ ଚାଲି ପାରିବ। ପ୍ରଥମ ସମସ୍ୟାର ସମାଧାନ ଆମ୍ଭେ କହି ସାରିଥିବାରୁ ଏହା ଆଉ ସମସ୍ୟା ଭଳି ଆଦୌ ଦେଖାଯିବ ନାହିଁ। ଏବେ ଆସିବା ବିଦ୍ୟାର୍ଥୀ ପ୍ରସଙ୍ଗକୁ। ଏକକାଳୀନ ୬ଟି ଆଇଆଇଏମ୍ ଦେଶରେ ଖୋଲିଥିବାରୁ ବିଦ୍ୟାର୍ଥୀମାନଙ୍କର ପସନ୍ଦ କରିବାର ସ୍ୱାଧୀନତା ବଢ଼ି ଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶା ପ୍ରତି ଭଲ ଧାରଣା ନଥିବା ବେଳେ ଆଜିକାଲିର ସ୍ମାର୍ଟଫୋନ୍ ଯୁଗରେ ଗାଣତନ୍ତ୍ରିକ ଦେଶର ସେହି ସ୍ମାର୍ଟ ବିଦ୍ୟାର୍ଥୀମାନେ ବହୁତ ଖବର ଓ ସୂଚନା ଜାଣିବା ସହ ନିଜର ମତ ମଧ୍ୟ ବଦଳାଇ ପାରୁଛନ୍ତି । ଏଠାରେ ଆମ୍ଭେ ପ୍ରଶ୍ନ କରୁଛୁ ଯେ ଦେଶରେ ଯେତିକି ଆଇଆଇଏମ୍ ଆସନ ଅଛି, ସେତିକି ଆସନ ପୂରଣ ପାଇଁ ପ୍ରବେଶିକା ପରୀକ୍ଷାରୁ ବିଦ୍ୟାର୍ଥୀ ବଛା ଯାଇଛି କି? ଏହି ପ୍ରଶ୍ନର ଜବାବରେ ହିଁ ପୂରା ସମସ୍ୟାର ସମାଧାନ ରହିଛି। ଯଦି ମୂଳ ତାଲିକାର ବିଦ୍ୟାର୍ଥୀମାନେ ନାମଲେଖାଇବାକୁ ଚାହୁ ନାହାନ୍ତି, ତେବେ ପ୍ରତୀକ୍ଷାସୂଚୀରେ ଥିବା ପ୍ରାର୍ଥୀମାନଙ୍କୁ ନାମଲେଖାଇବା ପାଇଁ ସୁଯୋଗ ଉନ୍ମୁକ୍ତ ରଖାଯାଉ।

ନଚେତ୍ ନିଜ ରାଜ୍ୟର ମେଧାବୀ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେବା ପାଇଁ ମାନବ ସମ୍ବଳ ମନ୍ତ୍ରାଳୟ ସ୍ୱତନ୍ତ୍ର ଆଦେଶନାମା ଜାରି କରୁ। ଓଡ଼ିଶାରେ ଶିକ୍ଷାନୁଷ୍ଠାନଟିଏ ଖୋଲୁଛି ଯେତେବେଳେ ସଂପୃକ୍ତ ରାଜ୍ୟ ହିଁ ସ୍ୱାଭାବିକ ଭାବେ ବଡ଼ ହିତାଧିକାରୀ ହେବା କଥା। ସ୍ଥାନୀୟ ବିଦ୍ୟାର୍ଥୀଙ୍କ ପାଇଁ ପ୍ରବେଶିକା ପରୀକ୍ଷାରେ ବା ଅନ୍ୟ ମାଧ୍ୟମରେ କୋଟା ବ୍ୟବସ୍ଥା ରହିବା ଦରକାର। ଏଭଳି ହେଲେ ହିଁ ପାରସ୍ପରିକ ବିଶ୍ୱାସର ବାତାବରଣ ସୃଷ୍ଟି ହେବ ଏବଂ ସମୟକ୍ରମେ ଶିକ୍ଷାନୁଷ୍ଠାନଟିଏ ରାଷ୍ଟ୍ରନିର୍ମାଣରେ ସମର୍ଥ ହୋଇପାରିବ।
('ସମାଜ', ୧୧ ସେପ୍ଟେମ୍ବର ୨୦୧୫ ଶୁକ୍ରବାର ସଂଖ୍ୟାରେ ପ୍ରକାଶିତ) 

ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩