15 अक्तूबर 2015

ନିଜସ୍ୱ ଯୋଜନା ନିଜକୁ ଅସମ୍ଭାଳ

ହିସାବ କହୁଛି କେବିକେ ଓ ପଶ୍ଚିମ ଓଡ଼ିଶାକୁ ସରକାରୀ ଅବହେଳା
କେନ୍ଦ୍ରୀୟ ଯୋଜନା ସହ ସମାନ୍ତରାଳ ଭାବେ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ୮ଟି ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାର ଅନୁଦାନ କାଟଛାଣ୍ଟ କରିବାକୁ ବସିଛନ୍ତି । କିନ୍ତୁ ନବୀନ ସରକାର ଦୃପ୍ତ ସ୍ୱରରେ କହିଛନ୍ତି ଯେ ବନ୍ଦ ଯୋଜନା ଗୁଡିକୁ ନିଜେ ନିଜସ୍ୱ ସମ୍ବଳରୁ ଚଳାଇବେ । କିନ୍ତୁ କେନ୍ଦ୍ରୀୟ ଯୋଜନା ଗୁଡିକ ପଛେ ଥାଉ, ରାଜ୍ୟର ନିଜସ୍ୱ ଯୋଜନା ବିଶେଷ କରି ପଶ୍ଚିମ ଓଡ଼ିଶା ଓ କେବିକେ ଜିଲ୍ଲା ଗୁଡିକ ପାଇଁ ଉଦ୍ଦିଷ୍ଟ କେତେକ ରାଜ୍ୟ ଯୋଜନାର ଅବସ୍ଥା ଶୋଚନୀୟ ଥିବା ବେଳେ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର କିପରି ଚଳାଇବେ ବୋଲି ପ୍ରଶ୍ନ ଉଠିଲାଣି ।  

ଗାନ୍ଧୀ ଜୟନ୍ତୀ ଦିନ ଠାରୁ ନବୀନ ସରକାରଙ୍କ କେନ୍ଦ୍ର ଅବହେଳା ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ବିହାର, ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ପ୍ୟାକେଜ୍ କେନ୍ଦ୍ର ଘୋଷଣା କରିଥିବା ବେଳେ ଓଡ଼ିଶା ପ୍ରତି ପାତରଅନ୍ତର ନୀତି! ୮ଟି କେନ୍ଦ୍ରୀୟ ଯୋଜନା ସମୂଳେ ବନ୍ଦ, ୩୩ଟି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାର ଅନୁଦାନ ପ୍ରଦାନରେ କେନ୍ଦ୍ର-ରାଜ୍ୟ ଅଂଶଧନ କାଟଛାଣ୍ଟ ଆଦିକୁ ବିରୋଧ ସମେତ ବିଭିନ୍ନ ପ୍ରସଙ୍ଗ କ୍ଷମତାସୀନ ବିଜେଡି ଉଠାଇଛି । କେନ୍ଦ୍ର ବିରୋଧୀ ଏଭଳି ପୁରୁଣା ରଣକୌଶଳକୁ ଦୋହରାଇଛିି । ତେବେ ଏସବୁ ପ୍ରସଙ୍ଗ ଗୁଡିକ କେତେଦୂର ଦାନା ବାନ୍ଧିବ ତାହା ଆଗାମୀ ଦିନରେ ଜଣାପଡ଼ିବ । ତେବେ ଏଥର ବିଜେଡିର ଅଭିଯାନକୁ ପ୍ରତିହତ କରିବାକୁ ବିଜେପି ସମାନ୍ତରାଳ ଭାବେ ରାଜ୍ୟ ବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଦେଇଛି ।

ଏଥର ଦେଖିବା କେନ୍ଦ୍ର ବିରୋଧୀ ଅଭିଯାନ ପଛରେ ରହିଥିବା ଯୁକ୍ତିର ଦମ୍ କେତେ ଏବଂ ନିଜସ୍ୱ ଯୋଜନା ଗୁଡିକୁ ଚଳାଇବା ଦିଗରେ ରାଜ୍ୟ ସରକାର କେତେ ପାରଦର୍ଶୀ । କେବଳ ଗୋଟିଏ ବର୍ଷ (ଗତବର୍ଷର) ଖର୍ଚ୍ଚ ରାଶିର ହିସାବନିକାଶ କଲେ ପ୍ରମାଣିତ ହେଉଛି ଯେ କେନ୍ଦ୍ର ନୁହେଁ ରାଜ୍ୟ ସରକାର ହିଁ ପଶ୍ଚିମ ଓଡ଼ିଶା ଓ କେବିକେ ଜିଲ୍ଲାଗୁଡିକ ପ୍ରତି ଅବହେଳା କରିଛନ୍ତି । କିନ୍ତୁ କେବିକେ ଓ ପଶ୍ଚିମ ଓଡ଼ିଶା ପ୍ରୀତି ଦେଖାଇ ଯେଉଁ ନିର୍ବାଚନୀ ସଫଳତା ପାଇଛନ୍ତି, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ସେସବୁର ପ୍ରତିଫଳନ ହେଉନାହିଁ ।
ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟାବଳୀରୁ ଜଣାଯାଏ ଯେ ୨୦୧୪-୧୫ରେ ରାଜ୍ୟର ନିଜସ୍ୱ ଯୋଜନା ବିଜୁ କେବିକେ ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତହିଁରୁ ମାତ୍ର ୫.୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥାତ୍ ଖର୍ଚ୍ଚ ହାର ୪.୩୦ ପ୍ରତିଶତ । ଏହି ବର୍ଷରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲା ଗୁଡିକୁ ଟଙ୍କାଏ ବି ଅନୁଦାନ ଦିଆଯାଇନାହିଁ। ସେହିଭଳି ୨୪୪୨ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ବେଳେ ମାତ୍ର ୮୨ଟି କାର୍ଯ୍ୟ ସଂପୂର୍ଣ ହୋଇଛି । ଏତେ ସ୍ୱଳ୍ପ ରାଶିର ଅନୁଦାନ ମଞ୍ଜୁରୀର ରହସ୍ୟ ଜଣାପଡ଼ିଛି ଯେ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଗୁଡିକର ତାଲିକା ସହିତ ଅନୁଦାନ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ୍ ଯାଇଥିଲା । କିନ୍ତୁ ଫାଇଲ ଗଦା ଭିତରେ ଏହି ପ୍ରକଳ୍ପ ପ୍ରସ୍ତାବ ଥିବା ଫାଇଲ ବହୁଦିିନ ଧରି ଅନୁମୋଦନ ଅପେକ୍ଷାରେ ପଡ଼ିରହିଲା । ଶେଷରେ ସ୍ୱଳ୍ପ ଅନୁଦାନ ରାଶି ମଞ୍ଜୁର କରିବାକୁ ବାଧ୍ୟ ହେଲେ ସରକାର । ବାସ୍ତବ ପକ୍ଷେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଲୋକବଳ, ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି ଏବଂ ଭିତ୍ତିଭୂମି ଦରକାର, ସରକାର ସେତିକି ବ୍ୟବସ୍ଥା କରିବାରେ ଢିଲା । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଚଳିତବର୍ଷ ଠାରୁ କେବିକେ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରେ ୧୯୯୫ରୁ ଚାଲିଥିବା ପରିବର୍ଦ୍ଧିତ ଦୀର୍ଘସୂତ୍ରୀ କାର୍ଯ୍ୟ ଯୋଜନା (RLTAP) ବନ୍ଦ କରିଦେଇଛନ୍ତି । ଫଳରେ ଓଡ଼ିଶା ବାର୍ଷିକ ୨୫୦ କୋଟି ଟଙ୍କା ହରାଇଛି । ତେବେ ସରକାର ଦୀର୍ଘ ଦେଢ଼ବର୍ଷ କାଳ ନୀରବ ରହିବା ପରେ ଏବେ ସେହି ଯୋଜନାକୁ ବିଜୁ କେବିକେ ଯୋଜନାରେ ସାମିଲ କରି ଅଧିକ ୧୩୦ କୋଟି ଟଙ୍କା ନିବେଶ କରି କେବିକେ ଜିଲ୍ଲା ଗୁଡିକରେ ବିକାଶ ପ୍ରକ୍ରିୟା ଜାରି ରଖିବାକୁ ଘୋଷଣା କରିଛନ୍ତି ।

ସେହିପରି ବିଜୁ କନ୍ଧମାଳ ଓ ବିଜୁ ଗଜପତି ଯୋଜନା । ୨୦୦୯-୧୦ରେ ଆରମ୍ଭ ହୋଇଥିବା କନ୍ଧମାଳ ଯୋଜନାରେ କେବଳ ପ୍ରଥମ ବର୍ଷରେ ସଂପୂର୍ଣ ଅନୁଦାନ ମୋଟ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପରବର୍ତୀ କୌଣସି ବର୍ଷରେ ସଂପୂର୍ଣ ଅର୍ଥ ରାଶି ଖର୍ଚ୍ଚ ହୋଇପାରିନାହିଁ । ୨୦୧୪-୧୫ରେ ୧୮ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଥିଲା ମାତ୍ର ୬.୮୮ କୋଟି । ବିଜୁ ଗଜପତି ଯୋଜନା ପାଇଁ ପ୍ରତି ବର୍ଷ ୧୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଥାଏ । କିନ୍ତୁ ସେହି ଅର୍ଥ ଖର୍ଚ୍ଚ ହୋଇପାରେ ନାହିଁ । ୨୦୧୪-୧୫ରେ ମାତ୍ର ୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଅର୍ଥାତ୍ ଖର୍ଚ୍ଚ ହାର ୩୮ ପ୍ରତିଶତ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକାରିତା ମଧ୍ୟ ସନ୍ତୋଷଜନକ ନୁହେଁ। ଏହି ପରିଷଦକୁ ସରକାର ବର୍ଷକୁ ୧୦୦ କୋଟି ଟଙ୍କା ମଂଜୁର କରିଥାନ୍ତି । ସେହି ଅର୍ଥ ପୁନର୍ବାର ପରିଷଦ ଏହା ଅଧୀନ ୧୧ଟି ଜିଲ୍ଲାକୁ ପ୍ରକଳ୍ପ ପ୍ରସ୍ତାବ ହିସାବରେ ଆବଣ୍ଟନ କରିଥାନ୍ତି । ୨୦୧୪-୧୫ରେ ପରିଷଦ ମଞ୍ଜୁର କରିଥିବା ୯୩.୨୬ କୋଟି ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୩୧.୪୨ କୋଟି ଟଙ୍କା । ତହିଁରୁ ମାତ୍ର ୬.୮୪ କୋଟି ଟଙ୍କାର ବିନିଯୋଗପତ୍ର ମିଳିଛି । ସେହିପରି ରହିଛି ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟ ରାଜ୍ୟ ଯୋଜନା ଗୁଡିକର ସ୍ଥିିତିି । ଅପରପକ୍ଷରେ ୨୦୧୪-୧୫ରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଗୁଡିକର କାର୍ଯ୍ୟକାରିତା କଥା ଦେଖାଯାଉ । ପଛୁଆ ଅଂଚଳ ଅନୁଦାନ ପାଣ୍ଠି (BRGF, ଏବେ ବନ୍ଦ)ରେ ମିଳିଥିଲା ୩୯୬.୮୩ କୋଟି । କିନ୍ତୁ ଖର୍ଚ୍ଚ ହୋଇଛି ୧୭୯.୪୬ କୋଟି ଟଙ୍କା । ଆଦିବାସୀ ଉପଯୋଜନା ବାବଦରେ ମିଳିଥିବା ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ୨୦୦ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୧୨୯.୪୮ କୋଟି । 

ସେହିପରି ସମନ୍ୱିତ କାର୍ଯ୍ୟ ଯୋଜନା (IAP, ଏବେ ବନ୍ଦ)ରେ ୫୪୦ କୋଟିରୁ ଖର୍ଚ୍ଚ ହୋଇଛି ୩୬୦ କୋଟି । ଜାତୀୟ ସହରାଞ୍ଚଳ ନବୀକରଣ ମିଶନ (NURM)ରେ ୬୦୦.୭୧ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୩୦୦.୩୫ କୋଟି ଟଙ୍କା । କାଳେ କେନ୍ଦ୍ରୀୟ ଯୋଜନା ଅନୁଦାନ ଖର୍ଚ ନକଲେ ଏବଂ ବିନିଯୋଗ ପତ୍ର ଦାଖଲ ନକଲେ, ତାହା ଫେରିଯିବ, ତାକୁ ଦୃଷ୍ଟିରେ ରଖି ତ୍ୱରିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ । କିନ୍ତୁ ରାଜ୍ୟ ଯୋଜନାଗୁଡ଼ିକ ଉପରେ ସରକାର ସେଭଳି ଗୁରୁତ୍ୱ ଦେଉ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ନିଜର ଯୋଜନାଗୁଡ଼ିକ ତୁଲାଇବା, ଖୋଦ୍‍ ସରକାରଙ୍କୁ ଅସମ୍ଭାଳ । କେବଳ ଆତ୍ମରକ୍ଷା ପାଇଁ ଆକ୍ରମଣ ନ୍ୟାୟରେ ନବୀନ ସରକାର ଯେଉଁଭଳି କେନ୍ଦ୍ର ଅବହେଳା ପ୍ରସଙ୍ଗର ଦୋହରା ଅଭିଯାନ ଆରମ୍ଭ କରିଛନ୍ତି, ତାହା ମୁହଁ ଭୁରୁଡ଼ି ଭଳି ମନେ ହେଉଛି ।

କେବିକେ ମୁଖ୍ୟଙ୍କ ଜିଲ୍ଲା ଗସ୍ତ ଉପରଠାଉରିଆ 
କେବିକେ ଅଧୀନ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ାରେ ଦାରିଦ୍ର୍ୟ ଦୂରୀକରଣ, ଭିତ୍ତିଭୂମି ବିକାଶ, ଲୋକଙ୍କ ଜୀବନ ଜୀବିକା, ମୌଳିକ ସେବା ସୁବିଧା ଆଦିର ସମୀକ୍ଷା ନିମନ୍ତେ ମୁଖ୍ୟ ପ୍ରଶାସକ ସଂପୃକ୍ତ ଜିଲ୍ଲାଗୁଡିକ ଗସ୍ତ କରିଥାନ୍ତି । କିନ୍ତୁ ଏହି ଗସ୍ତ ଲୋକଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂକ୍ରାନ୍ତରେ ଅବଗତ ହେବା କିମ୍ବା ସମସ୍ୟା ଗୁଡିକର ବାସ୍ତବ ଚିତ୍ର ଉପଲବ୍ଧ କରି ବାସ୍ତବଧର୍ମୀ ସମାଧାନ ସୂତ୍ର ବାହାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ୨୦୧୪-୧୫ରେ କେବିକେ ମୁଖ୍ୟ ପ୍ରଶାସକଙ୍କ ଗସ୍ତ ସୂଚୀକୁ ଦେଖିଲେ ଯେ କେହି ଏହା ଜାଣିପାରିବେ । ୨୦୧୪ ମେ, ଅଗଷ୍ଟ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ଏବଂ ୨୦୧୫ ଜାନୁଆରି ମାସରେ ମୁଖ୍ୟ ପ୍ରଶାସକ ୮ଟି କେବିକେ ଜିଲ୍ଲା ଗସ୍ତ କରିଥିଲେ । ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଗୋଟିଏ ବି ଜିଲ୍ଲାରେ ଏକାଧିକ ଦିନ ବିତାଇ ନାହାନ୍ତି । ବରଂ କଳାହାଣ୍ଡି ଓ ନୂଆପଡ଼ା ଭଳି ଦାଦନ ପ୍ରବଣ ୨ଟି ଜିଲ୍ଲା ଏବଂ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଗୋଟିଏ ଦିନରେ ପରିଦର୍ଶନ କରି ସେ ନିଜ କର୍ତବ୍ୟ ସଂପାଦନ କରି ଦେଇଛନ୍ତି ।

ସୌଜନ୍ୟ: ସମ୍ବାଦ, ୧୩ ଅକ୍ଟୋବର ୨୦୧୫