08 अक्तूबर 2015

ମରୁଡ଼ି କ୍ଷତି ଆକଳନରେ ଝୁଣ୍ଟିବ ଓଡ଼ିଶା ସରକାର

ବୃଷ୍ଟିହୀନତା କାରଣରୁ ଚଳିତ ବର୍ଷ (୨୦୧୫ରେ) ଓଡ଼ିଶାରେ ମରୁଡ଼ି ହୋଇଛି। ଅର୍ଥାତ୍‍ ଖରିଫ୍‍ ଫସଲ ହାନି ହୋଇଛି। ହେଲେ କ୍ଷତି ଆକଳନ କରିବା ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ଦେବାରେ ପ୍ରଶାସନ ଅତୀତରେ ଦକ୍ଷତା ଦେଖାଇ ନଥିବାରୁ ଚଳିତ ବର୍ଷର ମରୁଡ଼ି ସମସ୍ୟା ମଧ୍ୟ ଚାଷୀକୁଳକୁ ଚିନ୍ତାରେ ପକାଇବ ବୋଲି ଆଶଙ୍କା କରା ଯାଉଛି। ବିପର୍ଯୟ ପରିଚାଳନାରେ ସଫଳତା ପାଇଁ ଓଡ଼ିଶା ପ୍ରଶାସନ ପୁରସ୍କୃତ ହୋଇଥିଲେ ସୁଦ୍ଧା ମରୁଡ଼ି ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୃଷକ ସଂଗଠନମାନଙ୍କ ଆହ୍ୱାନକୁ ସାମ୍ନା କରିବାକୁ ପଡ଼ୁଛି। ଚଳିତ ବର୍ଷ ବର୍ଷାଋତୁରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ କମ୍‍ ବର୍ଷିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଥିଲା । ଏପରିକି ଚଳିତ ବର୍ଷ ଜୁନ୍‍ ମାସରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ରଜଛୁଟି ମଧ୍ୟ ବାତିଲ କରାଯାଇଥିଲା । ଏଣେ କେନ୍ଦ୍ର ସରକାର ମଧ୍ୟ ମରୁଡ଼ି ପରିସ୍ଥିତି ପ୍ରତି ସଜାଗ ରହିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ଆଗୁଆ ସତର୍କ କରାଇଛି । ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ମରୁଡ଼ି-ଭଳି ପରିସ୍ଥିତି ରହିଛି ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଖରିଫ୍‍ ଫସଲର କ୍ଷତି ଆକଳନ ପାଇଁ ତଳସ୍ତରର ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି । ତେବେ ଖରିଫ୍‍ ଫସଲ ପାଇଁ ଉଦ୍ଦିଷ୍ଟ ଜଳସେଚନ ବ୍ୟବସ୍ଥା କାହିଁକି ଦକ୍ଷତାର ସହ କାମ କଲା ନାହିଁ ତାହା ଉପରେ କୌଣସି ସଫେଇ ଦେଇ ନାହାନ୍ତି । ଜଳସମ୍ପଦ ବିଭାଗ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ଏହା ଉପରେ ବିରୋଧୀ ଦଳ ଓ ନାଗରିକ ସଂଗଠନମାନେ ପ୍ରଶ୍ନବାଣ ଛାଡ଼ିବା ଥୟ।

ଗତାନୁଗତିକ ଧାରାରେ ରାଜସ୍ୱ ନିରୀକ୍ଷକ(ଆର୍‍.ଆଇ.)ମାନଙ୍କ ରିପୋର୍ଟ ଆଧାରରେ ଯେଉଁ ରିପୋର୍ଟ ରାଜ୍ୟ ରାଜଧାନୀକୁ ଆସେ ସେହି ପ୍ରକ୍ରିୟାରେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀର କୌଣସି ଭୂମିକା ନଥାଏ । ତେଣୁ ଏହା ଏକ ତ୍ରୁଟିପୂର୍ଣ ପ୍ରକ୍ରିୟା ବୋଲି ଅଭିଯୋଗ ହୁଏ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର କୌଣସି ମରୁଡ଼ି ସହାୟତା ରାଶି ଖଲାସ କରିବା ପୂର୍ବରୁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପଠାଇବାର ପରମ୍ପରା ରହିଛି । ଯେହେତୁ କ୍ଷତି ଆକଳନ ପ୍ରକ୍ରିୟା କୌଣସି ବୈଜ୍ଞାନିକ ପଦ୍ଧତିି ଉପରେ ଆଧାରିତ ନୁହେଁ, ତେଣୁ ଏଥର ରାଜ୍ୟ ପ୍ରଶାସନ ଅଡ଼ୁଆରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ମରୁଡ଼ି ମୁକାବିଲା ବା ମରୁଡ଼ି ପରିଚାଳନା ମୁଖ୍ୟତଃ ଜାତୀୟ ମରୁଡ଼ି ପରିଚାଳନା ମାର୍ଗଦର୍ଶିକା ଅନୁସାରେ ହେବ। ଯାହାକି ଜାତୀୟ ମରୁଡ଼ି ପରିଚାଳନା କର୍ତ୍ତୃପକ୍ଷ (NDMA)ଙ୍କ ଅଧୀନରେ ପରିଚାଳିତ । NDMA ତଥ୍ୟ ଅନୁସାରେ ଚଳିତ ଶତାବ୍ଦୀରେ ୨୦୦୨ ଓ ୨୦୦୯ରେ ମରୁଡ଼ି ହୋଇଥିଲା। ଏବେ ୨୦୧୫ରେ ଓଡ଼ିଶାରେ ମରୁଡ଼ି ହୋଇଛି। NDMAର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ରାଜ୍ୟ ସ୍ତରରେ ଗଢ଼ା ହେଉଥିବା SDMAର ମୁଖିଆ ମୁଖ୍ୟମନ୍ତ୍ରୀ। ଆଉ ଜିଲ୍ଲା ସ୍ତରରେ DDMA, ଯାହାର ମୁଖ୍ୟ କାମ ହେଲା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।

ଗତ ୧୭ ବର୍ଷ ଧରି ଲକ୍ଷ୍ୟ କରାଯାଉଛି ଯେ ଓଡ଼ିଶାରେ ଅକ୍ଟୋବର ମାସରେ ହିଁ ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଭଳି ବିତ୍ପାତ ହେଉଛି। ତେଣୁ ଅକ୍ଟୋବର ୩୧ ତାରିଖ ପରେ ହିଁ ଓଡ଼ିଶାର ସାଂପ୍ରତିକ ଦୁର୍ବିପାକ ତଥା ମରୁଡ଼ିର ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଇ ପାରେ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ଉପଯୁକ୍ତ ବାର୍ତାବିନିମୟ ହୋଇ ନଥିଲେ ତାହାର ପରିଣାମ ନିରୀହ ଚାଷୀଙ୍କୁ ହିଁ ଭୋଗିବାକୁ ପଡ଼ିବ । ଚଳିତ ବର୍ଷ ଓଡ଼ିଶାର ବଜେଟ୍‍ ଅଧିବେଶନ ପରେ ‘‘୧୪ଶ ଅର୍ଥ ଆୟୋଗଙ୍କ ସୁପାରିଶ’’ ପ୍ରକାଶ ପାଇବା ସମେତ କେନ୍ଦ୍ରୀୟ ଅନୁଦାନ ସଂକୋଚନ କାରଣରୁ ୨୦୧୫-୧୬ ରାଜ୍ୟ ବଜେଟ୍‍ ଚୁଡ଼ାନ୍ତ ନୁହେଁ। ତେଣୁ ଆଗାମୀ ନଭେମ୍ବର-ଡିସେମ୍ବରର ବିଧାନସଭା ଶୀତ ଅଧିବେଶନରେ ହିଁ ଅତିରିକ୍ତ ବଜେଟ୍‍ ଉପସ୍ଥାପିତ ହେବ । ଆଉ ସେତିକି ବେଳକୁ ଚାଷୀ ଜାଣିପାରିବ ତାର ଫସଲ କେତେ ମାତ୍ରାରେ ଉଜୁଡ଼ିଛି । ୨୦୧୩ର ଫାଇଲିନ୍‍ କ୍ଷତିପୂରଣ ଓ ୨୦୧୪ର ହୁଡ଼୍‍ହୁଡ଼୍‍ କ୍ଷତିପୂରଣ ହାସଲର ଅସୁବିଧାକୁ କେହି ଭୁଲି ନାହାନ୍ତି। କ୍ଷତିପୂରଣ ରାଶିକୁ ବ୍ୟାଙ୍କ୍‍ଚେକ୍‍ରେ ଦିଆଯାଇଥିଲା ଏବଂ ତାହାକୁ ପ୍ରଶାସନ ବାଣ୍ଟୁବାଣ୍ଟୁ ୩ ମାସ ଟପି ଗଲା । ବ୍ୟାଙ୍କିଙ୍ଗ୍‍ କଟକଣା ଅନୁସାରେ ୯୦ ଦିନ (୩ ମାସ) ପରେ ସେହି ଚେକ୍‍ ଅକାମୀ ହୋଇଯାଏ । ଅତଏବ ଏଭଳି କ୍ଷତିପୂରଣ ରାଶି ହସ୍ତାନ୍ତର ଧାରାରେ ପାରଦର୍ଶିତା ଆସିବାର ଆବଶ୍ୟକତା ରହିଛି । ସମୟଚକ୍ରରେ ଜନଧନ ଯୋଜନା ଅଧୀନରେ ପ୍ରତି ପରିବାର ମୁଖ୍ୟଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ୍‍ ସୁନିଶ୍ଚିତ ହୋଇଥିବାରୁ, ଅନ୍‍ଲାଇନ୍‍ ପୈଠ ଆକାରେ ମଧ୍ୟ କ୍ଷତିପୂରଣ ଭରିହେବ। କିନ୍ତୁ କ୍ଷତି ଆକଳନ ପ୍ରକ୍ରିୟାରେ ଆକାଉଣ୍ଟ୍‍ ନମ୍ବର ଡାଟାବେସ୍‍ ପ୍ରସ୍ତୁତ ହେଉ ନଥିବାରୁ ଏହା ଅସମ୍ଭବ ମନେ ହୁଏ । ବିଶେଷଜ୍ଞ ମତ ଦିଅନ୍ତି ଯେ ତାରିଖ ଉଲ୍ଲେଖ ନକରି ଚେକ୍‍ ବାଣ୍ଟିବା ସବୁଠୁ ସରଳ ସମାଧାନ । ତେଣେ ଦାବି ହେଉଛି ଯେ ଯେଉଁମାନେ କ୍ଷତିପୂରଣ ପାଉଛନ୍ତି, ସେମାନେ ସମସ୍ତେ ଚାଷୀ ନୁହଁନ୍ତି, ସେମାନଙ୍କ ମଧ୍ୟରୁ ଅର୍ଧାଧିକ ହେଉଛନ୍ତି ଜମି ମାଲିକ (ରୟତ) । ଫଳରେ ପ୍ରକୃତ ଚାଷୀ, ଯିଏକି ଭାଗଚାଷୀ ରୂପେ ଶ୍ରମ ଓ ସମ୍ବଳ ଖଟାଉଛନ୍ତି, ସେ କିଛି ପାଉ ନାହାନ୍ତି ।

କମ୍ରେଡ଼୍‌ମାନେ କହିବେ, ମରୁଡ଼ି କେବଳ ଫସଲହାନିରେ ସୀମିତ ନୁହେଁ। ମରୁଡ଼ି ଦ୍ଵାରା କୃଷକ ପରିବାରଗୁଡ଼ିକର ମେରୁଦଣ୍ଡ ଦୋହଲିଯାଏ। ଯେମିତିକି ସେମାନଙ୍କ ଛୁଆମାନେ ସ୍କୁଲରେ ପାଠ ପଢ଼ିବାରେ ଆର୍ଥିକ ଅଭାବରେ ପଡ଼ନ୍ତି । ୨୦୧୪ରେ ଏକାଧିକ ଛାତ୍ରୀ ଓ ଛାତ୍ର, ଖାତା-ବହି-ପେନ୍‌ସିଲ୍‌ ଅଭାବରୁ ଆତ୍ମହତ୍ୟା କରିଥିବା ହୁଏତ ଆପଣଙ୍କର ମନେ ଥିବ। ଏଥରର ମରୁଡ଼ି ହୁଏତ ହଜାର ହଜାର ଛାତ୍ରଛାତ୍ରୀଙ୍କର ଆଖିର ଲୁହ ପାଲଟିବ! କିଏ ରି-ଆଡ଼ମିସନ କରି ନପାରି ଅବା କିଏ ପରୀକ୍ଷା ପାଇଁ ଫର୍ମପୂରଣ କରି ନପାରି ମୃତ୍ୟୁପଥକୁ ଶ୍ରେୟସ୍କର ମଣିବେ। ଆପଣ କ’ଣ ସେଇ ଦୁଃଖ ଦେଖି କବିତା ଲେଖିବାକୁ ଅପେକ୍ଷା କରିବେ?

ଓଡ଼ିଶା ସରକାର କେବଳ ମହାତ୍ମାଗାନ୍ଧୀ ନରେଗା ଅଧୀନରେ ପ୍ରତ୍ୟେକ ଜବ୍‍କାର୍ଡ଼ଧାରୀଙ୍କ ପାଇଁ ମୋଟ କାର୍ଯ୍ୟଦିବସ ଅଧିକାର ୧୫୦ ଦିନରୁ ୨୦୦ ଦିନକୁ ବଢ଼ାଇଥିବା ଘୋଷଣା କରିଛନ୍ତି । ତାହା କ'ଣ ନୂଆଁଖାଇ ଠାରୁ ଦୀପାବଳୀ ମଧ୍ୟରେ ଅନ୍ୟ ରାଜ୍ୟକୁ ହେଉଥିବା ଦାଦନ ଚାଲାଣକୁ ରୋକିପାରିବ? ତେବେ ମରୁଡ଼ି ପରବର୍ତ୍ତୀ ସ୍ଥିତିରେ ସରକାର ହରଡ଼ଘଣାରେ ପଡ଼ିବାଟା ନିଶ୍ଚିତ ଜାଣି ଦୁଇଟି ସୂତ୍ର ଆପଣାଇଲେଣି । ପ୍ରଥମତଃ କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ଦ୍ୱିତୀୟତଃ ଜନତାଙ୍କ ଆସ୍ଥାକୁ କାୟମ ରଖି ପ୍ରଥମ ଯୁକ୍ତି ସପକ୍ଷରେ ଜନମତ ବଢ଼ାଇବା। ହେଲେ, ଏଥିପାଇଁ ରାଜ୍ୟ ଶାସକଦଳ କରୁଥିବା ଜନସଂପର୍କ ଯାତ୍ରା, ଯେମିତି ଫସଲ ଉଜୁଡିଥିବା ହଜାର ହଜାର କୃଷକଙ୍କ ମହାଯାତ୍ରାର କାରଣ ନହେଉ, ଏହା ଆମ୍ଭର କାମନା।

(ବି.ଦ୍ର. ଏହି ବିଷୟବସ୍ତୁକୁ ଜନସ୍ଵାର୍ଥ ଉଦ୍ଦେଶ୍ୟରେ ଯେକୌଣସି ଗଣମାଧ୍ୟମ ପ୍ରୟୋଗ ଓ ପ୍ରସାର କରିପାରିବେ। ସୌଜନ୍ୟ ଦୃଷ୍ଟିରୁ ଅବଗତ କଲେ, କୃତଜ୍ଞ ହେବୁ) 

ବିମଳ ପ୍ରସାଦ, ୯୯୩୭୩୫୩୨୯୩