02 अक्तूबर 2015

ଶାସ୍ତ୍ରୀ ଜୟନ୍ତୀର ସତ୍ୟତା

ଜଣେ ସଚ୍ଚୋଟ ଓ ନୀତିବାଦୀ ପ୍ରଧାନମନ୍ତ୍ରୀ ରୂପେ ଲାଲବାହାଦୂର ଶାସ୍ତ୍ରୀଙ୍କର ବେଶ୍‌ ଲୋକପ୍ରିୟତା ରହିଛି। ୯ ଜୁନ୍‌ ୧୯୬୪ରୁ ୧୧ ଜାନୁଆରି ୧୯୬୬ ପର୍ଯ୍ୟନ୍ତ ଅର୍ଥାତ୍‌ ରହସ୍ୟଜନକ ମୃତ୍ୟୁବରଣ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ ଶାସ୍ତ୍ରୀଜୀ। ମୋଟ ୧ ବର୍ଷ ୨୧୬ ଦିନ ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇ ସୁଦ୍ଧା ପ୍ରତିଟି ଭାରତୀୟଙ୍କ ହୃଦୟରେ ସ୍ଥାନ ଦଖଲ କରିଥିଲେ। ଅବଶ୍ୟ ସେ ପ୍ରକୃତ ଲୋକପ୍ରିୟତା ସାଉଁଟି ଥିଲେ, ଯେତେବେଳେ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳ ମନ୍ତ୍ରୀ ଥିବା ବେଳେ ଏକ ରେଳ ଦୁର୍ଘଟଣାକୁ ନିଜର ନୈତିକ ତୃଟି ବିବେଚନା କରି  ଇସ୍ତଫା ଦେଇଥିଲେ।

୯ ଜୁନ୍‌ ୧୯୬୪ରେ ତାଙ୍କୁ  ପ୍ରଧାନମନ୍ତ୍ରୀ ରୂପେ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ଶପଥପାଠ କରାଇବା ପରେ ଶାସ୍ତ୍ରୀଜୀଙ୍କ ସମର୍ଥକଙ୍କ ସଂଖ୍ୟା ବହୁଗୁଣିତ ହୋଇଯାଇଥିଲା। କେତେକ ସ୍ତାବକ ଦିନେ ଶାସ୍ତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମ ତାରିଖ ପଚାରିଲେ। କାରଣ ଥିଲା, ସବୁ ବଡ଼ବଡ଼ ଲୋକଙ୍କର ଜନ୍ମଦିନ ପାଳନ କରାଯାଇଥାଏ, ତେଣୁ ଶାସ୍ତ୍ରୀଜୀଙ୍କର ମଧ୍ୟ ଜନ୍ମଦିନକୁ ସରକାରୀ ଭାବେ ପାଳନ କରାଯିବା ଦରକାର। ଏୟା ଧାରଣା ରଖି ସେହି ସ୍ତାବକମାନେ ଯାଇଥିଲେ। କିନ୍ତୁ ଶାସ୍ତ୍ରୀଜୀ ଉତ୍ତର ଦେଲେ, ‘‘ମୋର ଜାତକ ନାହିଁ। ତେଣୁ ଜନ୍ମ ତାରିଖ ଜାଣିବା କଷ୍ଟକର। ଯେଉଁ ତାରିଖ ସ୍କୁଲ ପ୍ରମାଣପତ୍ରରେ ଅଛି, ତାହାକୁ ନାମଲେଖା ବେଳେ ଗୁରୁଜୀ ହିସାବ କରି ହୁଏତ କ’ଣ ଗୋଟେ ତାରିଖ ପକାଇ ଦେଇଛନ୍ତି।’’

ସ୍ତାବକମାନେ ଏଭଳି ଉତ୍ତରକୁ ଆଦୌ ହଜମ କରି ପାରିଲେ ନାହିଁ ବା ଗ୍ରହଣ କରି ନିରବ ରହି ପାରିଲେ ନାହିଁ। ତେଣୁ ବାରମ୍ବାର ପଚାରିଲେ। କିନ୍ତୁ ଶାସ୍ତ୍ରୀଜୀ ନିଜକୁ ଜଣେ ସାଧାରଣ କଂଗ୍ରେସ କର୍ମୀ ବା ଭାରତର ନାଗରିକ ରୂପେ ବିବେଚନା କରୁଥିଲେ। ନିଜକୁ ଆଦୌ ମହାପୁରୁଷ ମଣୁ ନଥିଲେ। କିନ୍ତୁ ସ୍ତାବକ ଗୋଷ୍ଠୀ ଏଣେ ନଛୋଡ଼ବନ୍ଧା। ହେଲେ ବାପା ତ ଟିପଣା ରଖି ନାହାନ୍ତି କି କୌଣସି ଜାତକ କରି ନାହାନ୍ତି, ତେଣୁ ଜନ୍ମ ତାରିଖ କେମିତି ଜଣା ପଡ଼ିବ ! ଶେଷକୁ ଏହି ଅକଳିଆ ପରିସ୍ଥିତିରୁ ମୁକୁଳିବା ପାଇଁ ଶାସ୍ତ୍ରୀଜୀ ଉତ୍ତର ଦେବାକୁ ମନ କଲେ ଏବଂ ଉତ୍ତର ଦେଲେ - ‘‘ଅକ୍ଟୋବର ୨।’’

ଏହି ଉତ୍ତର ଶୁଣି ସ୍ତାବକମାନେ ଆଚମ୍ବିତ ହୋଇ ପଡ଼ିଲେ ଏବଂ ଉତ୍ସୁକତାର ସହ ପଚାରିଲେ, ‘‘ଏବେ ତ ମନା କରୁଥିଲେ, ପୁଣି ଜନ୍ମ ତାରିଖ କୋଉଠୁ ପାଇଲେ?’’ ଶାସ୍ତ୍ରୀଜୀ ବେଶ୍‌ ସଚ୍ଚୋଟ ସ୍ଵରରେ ଉତ୍ତର ଦେଲେ, ‘‘ସେଦିନ ପରା ଗାନ୍ଧିଜୀଙ୍କ ଜନ୍ମଦିବସ।’’ ଏବେ ସ୍ତାବକମାନଙ୍କର ଚେତା ପଶିଲା ଯେ ଶାସ୍ତ୍ରୀଜୀଙ୍କର କୌଣସି ଅହଂକାର ନାହିଁ ବା ସେ ନିଜକୁ ଆଦୌ ମହାପୁରୁଷ ବୋଲି ବିବେଚନା କରୁ ନାହାନ୍ତି।  ଆଉ ଏ ଦେଶର ପ୍ରଧାନମନ୍ତ୍ରୀ ହେବାଟାକୁ ସେ ଏକ କ୍ଷମତା ଅପେକ୍ଷା ଏକ କର୍ତ୍ତବ୍ୟ ବୋଲି ବିବେଚନା କରୁଛନ୍ତି। ତେଣୁ ତାଙ୍କର ଜୟନ୍ତୀ ପାଳନ ନୁହେଁ, ବରଂ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହେବା ଉଚିତ।

ଏହା ଗପ ହେଲେ ବି ସତ କଥା। ସେଇଥି ପାଇଁ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିଲେ ବି ଶାସ୍ତ୍ରୀ ଜୟନ୍ତୀ କେବଳ ପ୍ରତୀକାତ୍ମକ ଭାବେ କାଁ ଭାଁ ପାଳିତ ହୁଏ। ଅବଶ୍ୟ କ୍ୟାଲେଣ୍ଡରରେ ‘ଶାସ୍ତ୍ରୀ ଜୟନ୍ତୀ’ ଲେଖା ହୋଇଥିବା ଦେଖିବାକୁ ମିଳେ। ଆପଣ ଏବେ ବିଚାର କରନ୍ତୁ ଏବଂ ନିଜର ଚେତନାକୁ ମାର୍ଗଦର୍ଶନ ଦିଅନ୍ତୁ।