11 दिसंबर 2015

ଅସହିଷ୍ଣୁତା ବନାମ ବିଶାଳ ଜନଶୁଣାଣି

‘ଅସହିଷ୍ଣୁତା’ ପ୍ରସଙ୍ଗକୁ ନେଇ ଦେଶରେ ବିଭିନ୍ନ ହଟଚମଟ ହେବା ପରେ ଆମ୍ଭେ କହିବାକୁ ଚାହୁ ଯେ ଓଡ଼ିଶାରେ କାଳେକାଳେ ଅସହିଷ୍ଣୁତା ଥିଲା ଏବଂ ରହିଛି। ‘ବଳାତ୍କାର’ ଓ ‘ଧର୍ଷଣ’ ଶବ୍ଦ ବଦଳରେ ‘ଦୁଷ୍କର୍ମ’ ଶବ୍ଦ ବ୍ୟବହାର ହେବା ଭଳି ଆମ୍ଭେ ମଧ୍ୟ କେତେକ ଶବ୍ଦ ବ୍ୟବହାରକୁ ବଦଳ କରିଦେଇଛୁ। ‘ପରଶ୍ରୀକାତରତା’, ‘ଇର୍ଷାପରାୟଣତା’, ‘ଅହଂକାର’, ‘ଆତ୍ମବଡ଼ିମା’ ଏ ସବୁ ଶବ୍ଦଗୁଡ଼ିକ ବଦଳରେ କେବଳ ‘ଅସହିଷ୍ଣୁତା’ ଶବ୍ଦକୁ ପ୍ରୟୋଗ କରୁଛୁ। ‘ଓଡ଼ିଆ କଙ୍କଡ଼ା’ ଉପାଖ୍ୟାନ ଯେମିତି ଅସହିଷ୍ଣୁତାର ଏକ ଉଦାହରଣ। ସେହିଭଳି ‘‘ଶାଗଖିଆକୁ ପେଜଖିଆ ସହିପାରେନି!’’, ‘‘ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ’’ ମଧ୍ୟ ଅସହିଷ୍ଣୁତାର ଉଦାହରଣ। ଯେଉଁଗୁଡ଼ିକ ଉତ୍କଳୀୟ ପୃଷ୍ଠଭୂମିରେ ପ୍ରସ୍ତୁତ ଓ ପ୍ରଚାରିତ।

ଏବେ ଆମ ଶାସନ ବ୍ୟବସ୍ଥାରେ ଖୋଜିବା ‘ଅସହିଷ୍ଣୁତା’ର ସ୍ଵରୂପ କେମିତି ଅଛି? ଗଣତନ୍ତ୍ରରେ ସବୁ ନାଗରିକଙ୍କର ସମାନ ହକ୍‌ ଥିଲେ ସୁଦ୍ଧା ଅମଲାତନ୍ତ୍ର ମାଡ଼ି ବସିଥାଏ ସିଂହଭାଗ। ଯେତେ ଯାହା ଆଇନ ତିଆରି ହେଉ ଅବା ସଂବିଧାନ କେତେ ଶହ ଥର ସଂଶୋଧନ ହେଉ, ଅଥବା ସୁପ୍ରିମ୍‌କୋର୍ଟଙ୍କ ମାନ୍ୟବର ଖଣ୍ଡପୀଠ କିଛି ଐତିହାସିକ ନିଷ୍ପତ୍ତି ଶୁଣାନ୍ତୁ; ଅମଲାତନ୍ତ୍ରୀମାନେ ହିଁ ସବୁ କ୍ଷମତା ଭୋଗ କରିଚାଲିଥିବେ, ସବୁ ଗାଦିରେ ସେଇମାନେ ହିଁ ବସିଥିବେ। ସେ ସେବାରେ ଥାଆନ୍ତୁ ଅବା ସେବାନିବୃତ୍ତ ହୋଇଥାଆନ୍ତୁ। ଉଦାହରଣ ହେଲା, ଓଡ଼ିଶାର ମୁଖ୍ୟ ସୂଚନା ଆୟୁକ୍ତ (Chief Information Commissioner) କେବେ ହେଲେ ଜଣେ ଅଣ-ଅମଲାତନ୍ତ୍ରୀ (non-bureaucrat) ହୋଇପାରିବେ ନାହିଁ ! ଏଥିପାଇଁ କ୍ଷମତାରେ ଥିବା ଅମଲାତନ୍ତ୍ରୀମାନେ ଯେଭଳି ଭାବେ ବିକଳିଆ ହୋଇ ଚକ୍ରାନ୍ତ କରନ୍ତି ଏବଂ କରି ଚାଲିଛନ୍ତି, ତାହାକୁ କ’ଣ କୁହାଯିବ? ‘ଅସହିଷ୍ଣୁତା’ କି ଆଉ କ’ଣ?

ଓଡ଼ିଶା ସୂଚନା ଆୟୋଗରେ ଆୟୁକ୍ତ ପଦବୀ ପାଇଁ ସରକାର ବିଜ୍ଞାପନ ଦେଉଛନ୍ତି। କିନ୍ତୁ ସୂଚନା ଅଧିକାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଥିବା ବ୍ୟକ୍ତିତ୍ଵ ଓ ନେତୃତ୍ଵମାନେ ଆବେଦନ କଲେ ବି ସେମାନଙ୍କ ଆବେଦନକୁ ବଛାବଛି ତାଲିକାକୁ ନିଆଯାଉ ନାହିଁ। ସୂଚନା ଅଧିକାର ଅଭିଯାନ କେବଳ ଏକ ବ୍ୟାନର ହୋଇ ରହିନାହିଁ, ବରଂ ଏହା ୨୦ରୁ ବେଶି ରାଜ୍ୟସ୍ତରୀୟ ସ୍ଵାର୍ଥଗୋଷ୍ଠୀ (interest group)ର ଏକ ମିଳିତ-ମଞ୍ଚରେ ପରିଣତ ହୋଇସାରିଛି। ତେବେ ସାଧାରଣ ଲୋକେ ଯେତେ ସୂଚନାବନ୍ତ, ସଶକ୍ତ ହେଉଛନ୍ତି, ଅମଲାତନ୍ତ୍ରୀମାନେ ସେତିକି ଅସୁରକ୍ଷିତ ମଣୁଛନ୍ତି ଓ ଅସହିଷ୍ଣୁ ହୋଇପଡୁଛନ୍ତି। ସାଧାରଣ ନାଗରିକଙ୍କୁ ଶାସନ(Rule) କରିବା ପାଇଁ ସେମାନେ ତାଲିମପ୍ରାପ୍ତ। କୌଣସି ପରିସ୍ଥିତିରେ ବି ସାଧାରଣ ନାଗରିକ, ସେମାନଙ୍କୁ ଶାସନ କଲା ଭଳି ପଦପଦବୀରେ ରହିବାଟା ସେମାନେ ସହି ପାରୁ ନାହାନ୍ତି। ଅର୍ଥାତ୍‌ ଅସହିଷ୍ଣୁ ହୋଇ ପଡୁଛନ୍ତି। 

ସବୁଠୁ ମଜାଦାର କଥା ହେଲା, ଏହି ମିଳିତ-ମଞ୍ଚରେ ସାମିଲ ଥିବା ଓଡ଼ିଶାର ଦଳିତ୍‌ ସଂଗଠନମାନେ ମଧ୍ୟ ଚାହାନ୍ତି ଏକ ସଶକ୍ତ ଗଣତନ୍ତ୍ର; ଆଉ ଏଥିପାଇଁ ସେମାନେ କ୍ଷମତା ହାସଲର କୌଣସି ମୋହ ରଖିନାହାନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ଆରକ୍ଷୀ ଅଧୀକ୍ଷକ ସତୀଶଚନ୍ଦ୍ର ଗଜଭିୟେ ନିଜର ବିବାଦୀୟ ବ୍ୟକ୍ତିତ୍ଵକୁ ଢାଲ କରିବାକୁ ଯାଇ ଦଳିତ୍‌ କାର୍ଡ଼ ଖେଳିବାକୁ ଚେଷ୍ଟା କରିଥିଲେ। ଓଡ଼ିଶାର ଦଳିତ୍‌ ନେତାଏ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ପଷ୍ଟ କଲେ ଯେ ଗଜଭିୟେଙ୍କ ବିବୃତିରେ ସତ୍ୟତା ନାହିଁ କି ସେହି ବିବୃତି ପଛରେ ଓଡ଼ିଶାର ଦଳିତ୍‌ ସଂଘମାନଙ୍କର ସମର୍ଥନ ନାହିଁ। ଓଡ଼ିଶାର ଆରକ୍ଷୀ ମହାନିର୍ଦେଶକ ମଧ୍ୟ ଥିଲେ ଦଳିତ୍‌ ବର୍ଗର। କିନ୍ତୁ ସେ ବାରମ୍ବାର ନିନ୍ଦିତ ହେବା ପରେ କେବେ ବି ଓଡ଼ିଶାର ଦଳିତ୍‌ ସଂଘମାନେ ଜାତି କାର୍ଡ଼ ଖେଳିବାର ସୁଯୋଗ ନେଇ ନାହାନ୍ତି। ଏପରିକି ନିକଟରେ ଜଣେ ବରିଷ୍ଠ IAS ଅଧିକାରୀ ଓଡ଼ିଶାର ପ୍ରଥମ ଦଳିତ୍‌ ଅଧିକାରୀ ଭାବେ ମୁଖ୍ୟଶାସନସଚିବ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ସେ ହେଲେ ନାହିଁ। ଏଥିରେ ଦଳିତ୍‌ ସଂଘମାନେ ମଧ୍ୟ ମୁଣ୍ଡ ପୂରାଇ ନାହାନ୍ତି। ଅନ୍ୟ ପକ୍ଷରେ ଦେଖିଲେ ସେହିଭଳି କ୍ଷମତାରେ ଥିବା କିଛି ଅଧିକାରୀ, ଚୟନ ପ୍ରକ୍ରିୟା ଉପରେ ନିଜର ଅବାଂଛିତ କ୍ଷମତା ପ୍ରୟୋଗ କରି ଲୋକପ୍ରିୟ ଜନନେତାମାନଙ୍କୁ ମୂଳରୁ ସଫା କରି ଦେଉଛନ୍ତି। ଏହି କ୍ରମରେ ସୂଚନାଅଧିକାର ଆନ୍ଦୋଳନର ଛାମୁଆ ନେତା ପ୍ରଦୀପ ପ୍ରଧାନଙ୍କୁ କୌଣସି ପ୍ରକାର କ୍ଷମତାରୁ ଦୂରେଇରଖିବା ସତେ ଯେମିତି ସେମାନଙ୍କ ପାଇଁ ଏକ ଆବଶ୍ୟକତା ହୋଇଯାଇଛି !

ପ୍ରଦୀପ ପ୍ରଧାନଙ୍କ ନେତୃତ୍ଵରେ ଏଇ ୨୦୧୫ ଡିସେମ୍ବର ୧୩ ତାରିଖ ରବିବାର ସକାଳ ୧୦ଟାରେ ଆହୂତ ବିଶାଳ ଜନଶୁଣାଣିର ପ୍ରସଙ୍ଗ ରହିଛି ‘‘ଚାଷୀ ମୃତ୍ୟୁ’’। କିନ୍ତୁ ଏ ଜନଶୁଣାଣିକୁ ଯଦି ସମସ୍ତ ନିମନ୍ତ୍ରିତ ପ୍ରାଶାସନିକ ଅଧିକାରୀ ନଆସିବେ, ତେବେ ବୁଝାପଡ଼ିବ ଯେ ଖୋଦ୍‌ ରାଜ୍ୟ ପ୍ରଶାସନରେ ପ୍ରବଳ ଅସହିଷ୍ଣୁତା ଅଛି। କାରଣ ବିପର୍ଯ୍ୟୟ ବେଳାରେ ବି ସେମାନେ ରବିବାର ଛୁଟିଦିନର ବାହାନା କରିବେ। ପୂର୍ବନିର୍ଧାରିତ ବିବାହ ଉତ୍ସବ କାର୍ଯ୍ୟକ୍ରମର ଆଳ ଦେଖାଇବେ। ଅନ୍ୟ ପକ୍ଷରେ ଏହା ରାଜ୍ୟର ଶାସକଦଳ ପାଇଁ ଏକ ବଡ଼ ଆହ୍ଵାନ । 

ରାଜ୍ୟର ବିଜୁ ଜନତା ଦଳ ସରକାର ଲୋକପ୍ରିୟ ସରକାର ରୂପେ କ୍ଷମତାରେ ୧୬ ବର୍ଷ ଧରି ରହିଲାଣି। ତେବେ ଦେଖିବାକୁ ରହିଲା, ଏହି ଜନଶୁଣାଣିକୁ ଏହି ସରକାର ସମର୍ଥନ କରୁଛି କି ଏଡାଇ ଯାଇ ନିଜ ଗୋଡ଼ରେ କୁରାଢ଼ି ମାରୁଛି?