09 दिसंबर 2015

ନୀଳାଚଳ ଇସ୍ପାତ ନିଗମ ବନ୍ଦ ହେବ ନା ବିକ୍ରୀ?

ନୀଳାଚଳ ଇସ୍ପାତ ନିଗମ ବନ୍ଦ ହେବ ନା ବିକ୍ରୀ?
ମାଆ ନୁହେଁ, ଡାହାଣୀ ସାଜିଛି ଏମ୍.ଏମ୍‌.ଟି.ସି.

(ସୌଜନ୍ୟ: ସମ୍ବାଦ, ୯ ଡିସେମ୍ବର ୨୦୧୫, ମଙ୍ଗଳବାର)
ମା’ ଡାହାଣୀ ହେଲେ ନିଜ ଶିଶୁ ଶରୀରରୁ ରକ୍ତ ଶୋଷିବାକୁ ବି ପଛେଇ ନଥାଏ। ବାହାନା କିନ୍ତୁ ଭଲ ପାଇବା। ସେହିପରି ଆଚରଣ ପ୍ରଦର୍ଶନ କରୁଛି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଯୌଥ ଉଦ୍ୟୋଗର ମୁଖ୍ୟ ପ୍ରୋମୋଟର MMTC। ଏହାର କର୍ତୃପକ୍ଷ ଗତ ଚାରିବର୍ଷ ହେଲା ପୁଞ୍ଜିନିବେଶ, ସମ୍ପ୍ରସାରଣ ନେଇ ବଡ଼ ବଡ଼ କଥା କହୁଛନ୍ତି ସିନା, ଫଳ ଶୂନ। ବରଂ ସଂପ୍ରସାରଣ ବିନା, ନୀଳାଚଳ ଇସ୍ପାତ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି । ଫଳରେ ଏହି ରାଷ୍ଟ୍ରାୟତ୍ତ ଶିଳ୍ପ ବନ୍ଦ ହେବ କି ଶାଗମୁଗ ଦରରେ ଘରୋଇ ସଂସ୍ଥା ହାତରେ ଟେକି ଦିଆଯିବ, ସେହି ଆଶଙ୍କା ଘାରୁଛି ନିଗମର ଶ୍ରମିକମାନଙ୍କୁ ।

୧୯୮୨ ମସିହାରେ କଳିଙ୍ଗନଗରରେ ପ୍ରତିଷ୍ଠିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (NINL)ର ମୁଖ୍ୟ ପ୍ରୋମୋଟର Metals & Minerals Trading Corporation (MMTC)। ଏହା ହାତରେ ସର୍ବାଧିକ ୪୯.୭୮ ପ୍ରତିଶତ ଅଂଶଧନ ରହିଛି ଯାହାର ମୋଟ କ୍ୟାପିଟାଲ୍ ସେୟାର୍‍ ପ୍ରିମିୟମ୍‍ ୩୭୯.୬୮ କୋଟି ଟଙ୍କା। ସେହିପରି ରାଜ୍ୟ ସରକାରଙ୍କ ଉଦ୍ୟୋଗ IPICOLର ୧୫.୨୯% ଅର୍ଥାତ୍
୮୮.୮୭ କୋଟି ଟଙ୍କା ଓ OMC  ୧୨.୩୨% ଅର୍ଥାତ୍ ୧୨୬.୯୫ କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି। ଏହା ସହିତ ରହିଛି ‘‘ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ’’(NMDC) ଓ
ଅନ୍ୟାନ୍ୟ ସଂସ୍ଥାଗୁଡିକର ଅଂଶଧନ। ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ନୀଳାଚଳ ଇସ୍ପାତ ୧୧୩୫.୪୬ କୋଟି ଟଙ୍କାର କ୍ଷତି ସହିଲାଣି। ବିଭିନ୍ନ ବ୍ୟାଙ୍କରେ ଏହାର ବକେୟା ଋଣ ପରିମାଣ ବୃଦ୍ଧି ପାଇ ୧୮୪୭ କୋଟି ଟଙ୍କାରେ ପହଞ୍ଚିଲାଣି। ବର୍ତମାନ ନୀଳାଚଳ ଇସ୍ପାତରେ ନଗଦ ଅର୍ଥ ସଂକଟ ଦେଖାଦେଇଛି। ଏହା ସତ୍ତ୍ୱେ MMTC, କାରଖାନାର କଂଚାମାଲ ଖର୍ଦିବିକ୍ରି ବାବଦରେ ୩ ପ୍ରତିଶତ କମିଶନ ନୀଳାଚଳ ଇସ୍ପାତରୁ ଅଦ୍ୟାବଧି ୭୯୨ କୋଟି ଟଙ୍କା ନେଇ ସାରିଲାଣି । ସେହିପରି ପୁଞ୍ଜିନିବେଶ ରାଶିକୁ ଋଣ ଦର୍ଶାଇ ସେ ବାବଦରେ ୧୧.୫ ପ୍ରତିଶତ ସୁଧ ହାରରେ ଟଙ୍କା ଆଦାୟ କରିଚାଲିଛି MMTC କାରଖାନା ଚାଲୁ ବା ବନ୍ଦ ହେଉ, ସୁଧ ଆଦାୟ ଚାଲିଛି । କିନ୍ତୁ ଏଭଳି ମହାଜନୀ କାରବାର ସୁଯୋଗ ଅନ୍ୟ କେଉଁ ଅଂଶଧନକାରୀଙ୍କୁ ମିଳୁନାହିଁ । ଏହା ମା’ ହୋଇ ଡାହାଣୀ ଭଳି ନିଜ ଶିଶୁ ଦେହରୁ ରକ୍ତ
ଶୋଷିବା ନୁହେଁ କି? ଅନ୍ୟପକ୍ଷରେ 
OMC ହେଉ ବା IPICOL ନିଜସ୍ୱ ପୁଞ୍ଜି ବିନିଯୋଗ ବାବଦରେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ନେଇନାହାନ୍ତି ବୋଲି ଗତ ୪ ତାରିଖରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାରେ କହିଛନ୍ତି । ବରଂ OMC ଏହି ସେପ୍ଟେମ୍ବରରେ ଏହି ସଂସ୍ଥାକୁ ୧୭୦ କୋଟି ଟଙ୍କାର ସ୍ୱଳ୍ପମିଆଦୀ କର୍ପୋରେଟ ଋଣ ପ୍ରଦାନ କରିଥିବା ସେ କହିଛନ୍ତି ।

ନୀଳାଚଳ ଇସ୍ପାତକୁ ସାମ୍ପ୍ରତିକ ଜଟିଳ ସ୍ଥିତିରୁ ରକ୍ଷା କରିବା ପାଇଁ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ଼୍‌ (SAIL) ସହିତ ଏହାର ମିଶ୍ରଣ ପ୍ରସଙ୍ଗ ବହୁତ ଦିନରୁ ମୁଣ୍ଡ ଟେକିଲାଣି । ଖୋଦ୍ ସେଲ୍ ଅଧ୍ୟକ୍ଷ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ଅନୁକୂଳ କାରଣ ହେଉଛି ନୀଳାଚଳ ଇସ୍ପାତ ନିଗମ ଅଧୀନରେ ୨୫୦୦ ଏକର ଜମି ରହିଛି । ଫଳରେ ନୂଆ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଭଳି ଜଟିଳ ସମସ୍ୟା ରହିବ ନାହିଁ। ଦ୍ୱିତୀୟରେ, ନିଗମ ହାତରେ କୋଇଡ଼ାଠାରେ ୧୧୦ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ୮୭୪.୨୯ ହେକ୍ଟର ପରିମିତ ଖଣି ରହିଛି। ଏହାବ୍ୟତୀତ ଭିତ୍ତିଭୂମି, ଜାତୀୟ ରାଜପଥ ଓ ବନ୍ଦରକୁ ଯୋଗାଯୋଗ ଆଦି ସୁବିଧା ଉପଲବ୍ଧ । ନିଶ୍ଚିତ ମୃତ୍ୟୁମୁଖକୁ ଗତି କରୁଥିବା ସଂସ୍ଥା ସକାଶେ ସେଲ୍ ହିଁ ମୃତ୍ୟୁସଂଜୀବନୀ କହିଲେ ଭୁଲ ହେବ ନାହିଁ । କାରଣ SAIL ନବରତ୍ନ ମାନ୍ୟତାପ୍ରାପ୍ତ ଏବଂ ଇସ୍ପାତ ନିର୍ମାଣରେ ଏହାର ଅନ୍ୟୂନ ୫୦ ବର୍ଷର ଅଭିଜ୍ଞତା ରହିଛି। ନୀଳାଚଳ ଇସ୍ପାତରେ ଆବଶ୍ୟକ ପୁଞ୍ଜିନିବେଶ ପାଇଁ ଆର୍ଥିକ ଓ ବୈଷୟିକ ସାମର୍ଥ୍ୟ ରହିଛି। କିନ୍ତୁ SAIL ପ୍ରସ୍ତାବକୁ କାହିଁକ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି ଏବଂ ରାଜ୍ୟ ସରକାର କେଉଁ କାରଣ ପାଇଁ ଚାପ ପ୍ରୟୋଗ କରିବାରେ ବିଫଳ ହୋଇଛନ୍ତି, ତାହା ବୁଝାପଡ଼ୁନାହିଁ। ଅବଶ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଧାନସଭାରେ କହିଛନ୍ତି SAIL ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦତ୍ତ ମିଶ୍ରଣ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ସହମତି ରହିଛି। କିନ୍ତୁ ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଥରେ ହେଲେ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିନାହାନ୍ତି। ମୁଖ୍ୟ ସଚିବ କି ସଂପୃକ୍ତ ବିଭାଗୀୟ ସଚିବ ଏହି ପ୍ରସଙ୍ଗରେ ଉପଯୁକ୍ତ ସମୀକ୍ଷା କି ତଦାରଖ କରୁନାହାନ୍ତି । ନିକଟରେ ଅନୁଷ୍ଠିତ ନୀଳାଚଳ ଇସ୍ପାତ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ ବୈଠକରେ ରାଜ୍ୟ ସରକାରଙ୍କ ଶିଳ୍ପ କି ଇସ୍ପାତ ବିଭାଗ ସଚିବଙ୍କ ପରିବର୍ତେ ଜଣେ କନିଷ୍ଠ ଅଧିକାରୀଙ୍କ ଯୋଗଦାନକୁ ଅବହେଳାର ନମୁନା କୁହାଯାଇପାରେ ।
  
ମୁଖ୍ୟ ପ୍ରୋମୋଟର MMTC କର୍ତୃପକ୍ଷ ବିଭିନ୍ନ ସମୟରେ ନୀଳାଚଳ ଇସ୍ପାତ ଶିଳ୍ପର ସମ୍ପ୍ରସାରଣ କରାଯିବା ସହିତ ୨୨ହଜାରରୁ ୩୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କହୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ବେଦପ୍ରକାଶ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି କରିଥିଲେ ନୀଳାଚଳ ଇସ୍ପାତ କାରଖାନାର ଷ୍ଟିଲ୍ ମେଲ୍ଟିଂ ସପ୍(SMS୧୫ ଅକ୍ଟୋବର ୨୦୧୫ରୁ ପୂର୍ଣ କାର୍ଯ୍ୟକ୍ଷମ ହେବ। କିନ୍ତୁ ହେଲା ନାହିଁ। ଗତ ନଭେମ୍ବର ୩୦ ତାରିଖରେ କୋଲକାତା ଠାରେ ସେ କହିଥିଲେ ଡିସେମ୍ବର ମାସରୁ ଏହାର ପୂର୍ଣାଙ୍ଗ ଉତ୍ପାଦନ ଆରମ୍ଭ ହେବ । କେବଳ ବେଦପ୍ରକାଶ ନୁହନ୍ତି, ତାଙ୍କ ପୂର୍ବରୁ MMTCର ପୂର୍ବତନ CMD ଏଚ୍.ଏସ୍. ମାନ୍‌ ୨୦୧୧ ଏପ୍ରିଲ ମାସରେ କହିଥିଲେ, ଖୁବଶୀଘ୍ର ୧୮୫୫ କୋଟି ଟଙ୍କା ନିବେଶ କରାଯାଇ ନୀଳାଚଳ ଇସ୍ପାତର ୨ୟ ପର୍ଯ୍ୟାୟ ସଂପ୍ରସାରଣ ହେବ ଏବଂ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ସେହିବର୍ଷ ଦ୍ୱିତୀୟାର୍ଧରୁ ନିଜସ୍ୱ ଖଣିରୁ ଉତ୍ପାଦନ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ଚାରିବର୍ଷ ବିତିଗଲା ହେଲେ ସେ ଦେଖାଇଥିବା ସ୍ୱପ୍ନ ପୂରଣ ହେଲା ନାହିଁ । ୨୦୧୪ ଡିସେମ୍ବରରେ MD ଜି.ଏସ୍. ଗିଲ୍ ମଧ୍ୟ ମୁଖ୍ୟ ଶାସନସଚିବଙ୍କୁ ଭେଟି ଉତ୍ପାଦନ କ୍ଷମତା ୬ ନିୟୁତ ଟନ୍‌କୁ ବୃଦ୍ଧି ପ୍ରସ୍ତାବ ସଂକ୍ରାନ୍ତରେ କହିିଥିଲେ। କିନ୍ତୁ ସେସବୁ ବିବୃତି କାର୍ଯ୍ୟରେ ପରିଣତ ହେଲାନାହିଁ। ଏହି ପରିପ୍ରେକ୍ଷୀରେ ବେଦପ୍ରକାଶଙ୍କ ବିବୃତିକୁ ସହଜେ ଗ୍ରହଣ କରି ହେଉନାହିଁ।

ନୀଳାଚଳ ଇସ୍ପାତର ରୋଲିଂ ମିଲ୍ ଓ SMS ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେଲେ ଏହାର ଉତ୍ପାଦନ ଖର୍ଚ ହ୍ରାସ ପାଇବ ନାହିଁ । ଏହା ସମନ୍ୱିତ ଇସ୍ପାତ ଶିଳ୍ପ ରୂପେ ବିକଶିତ ହେଲେ ଏବଂ ଏହାର ନିଜସ୍ୱ ଖଣି (ଉନ୍ନତମାନ ୬୫ ଭାଗ ଲୁହା ଅଂଶ)ରୁ ଉତ୍ତୋଳନ କରାଗଲେ ଯାଇ ଏହା ଲାଭାକାରୀ ଶିଳ୍ପରେ ପରିଣତ ହୋଇପାରିବ। ନଚେତ ନୀଳାଚଳ ଇସ୍ପାତରେ ତାଲା ଝୁଲିବା ନିଶ୍ଚିତ। ଶେଷରେ ଏହି ଯୌଥ ଉଦ୍ୟୋଗକୁ ଆଦାନୀ, ଅମ୍ବାନୀ ଭଳି ବେପାରୀଙ୍କୁ ଭେଟି ଦିଆଯିବାର ଆଶଙ୍କାକୁ ଏଡାଇ ହେବନାହିଁ ବୋଲି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ମତିଗତିରୁ ଆଭାସ ମିଳୁଛି ବୋଲି ଏହାର ଶ୍ରମିକ ନେତାଏଁ କହୁଛନ୍ତି। ବର୍ତମାନ ସଂସ୍ଥାର ଆର୍ଥିକ ସ୍ଥିତି ଗମ୍ଭୀର। SMS ପାଇଁ ଆବଶ୍ୟକ କଂଚାମାଲ୍ ଖର୍ଦି କରିବା, ବ୍ଲାଷ୍ଟ ଫର୍ଣ୍ଣେସର କ୍ୟାପିଟାଲ୍ ମରାମତି କି କୋକ୍ ଓଭାନ୍‌ରେ ଆବଶ୍ୟକ ନୂଆ ବ୍ୟାଟେରି ପାଇଁ ଆବଶ୍ୟକ ଅର୍ଥ ନାହିଁ । ଏହାର ଆଧୁନିକୀକରଣ ସକାଶେ କେଉଁଠୁ ବିପୁଳ ରାଶିର ପୁଞ୍ଜି ଆସିବ ସେନେଇ MMTC ନିକଟରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଅପରପକ୍ଷରେ ସମ୍ପ୍ରସାରଣ ନେଇ ଶ୍ରୀ ବେଦପ୍ରକାଶ କୌଣସି ନିର୍ଦିଷ୍ଟ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇ ନାହାନ୍ତି ବୋଲି କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ । ଏଣୁ ସମ୍ପ୍ରସାରଣ ନେଇ ଅହେତୁକ ବିଳମ୍ବ ନୀଳାଚଳ ଇସ୍ପାତ ପାଇଁ କାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି ।

कोई टिप्पणी नहीं:

एक टिप्पणी भेजें