17 दिसंबर 2015

ଓଡ଼ିଆ ଭାଷା ସଂଗ୍ରାମ ସମିତି

ଭୁବନେଶ୍ୱର ଠାରେ ୧୭ ଡିସେମ୍ବର ୨୦୧୫ ସଂଧ୍ୟାରେ ‘‘ଓଡିଆଭାଷା ସଂଗ୍ରାମ ସମିତି’’ କାର୍ଯ୍ୟାଳୟରେ ସମିତିର ଏକ ଜରୁରୀ ବୈଠକରେ ୧୯୫୪ ଭାଷା ଆଇନ କଡାକଡି ଭାବରେ କାର୍ଯ୍ୟକାରି କରିବାକୁ ଜୋର୍‌ ଦିଆଯାଇଛି। ଏହି ଆଇନ କଡାକଡି ଭାବରେ କାର୍ଯ୍ୟକାରି ଉପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମିତି ସଦସ୍ୟମାନେ ସ୍ୱାଗତ କରିଛନ୍ତିତେବେ ଆବଶ୍ୟକ ନିୟମାବଳୀ ପ୍ରଣୟନ ଓ ଅଧିନିୟମସଂଶୋଧନ ନକଲେ ଏହି ଆଇନ କାର୍ଯ୍ୟକାରୀ ହେବା ଆଦୌ ସମ୍ଭବ ନୁହେଁ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଏବଂ ମିଳିତ ମନ୍ତ୍ରୀସ୍ତରୀୟ କମିଟିର ତୃତୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ଭାଷାଆଇନର ସଂଶୋଧନ ହେବ। ସମିତି ପ୍ରସ୍ତାବିତ ନିୟମାବଳୀର ପ୍ରବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଭାଷା ସଂଗ୍ରାମ ସମିତି ଆହ୍ୱାନ ଦେଇ ଏକ ପ୍ରସ୍ତାବ ଗ୍ରହଣ କରିଛି । ଅନ୍ୟ ଏକ ପ୍ରସ୍ତାବରେ ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ସଂପୂର୍ଣ୍ଣ ଅଧ୍ୟୟନ ଓ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିକୁ ଦୋହରାଯାଇଛି।

ଓଡିଶାରେ ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷା ଓଡିଆରେ କରିବା, ୨୦୧୬ରୁ ଖୋଲାଯିବାକୁ ଥିବା ମଡେଲସ୍କୁଲଗୁଡ଼ିକର ମାଧ୍ୟମ ଓଡିଆ ହେବା, ଶାସ୍ତ୍ରୀୟ ଓଡିଆର ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ରୀୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା  ଆଦି ସମ୍ପର୍କରେ ସରକାର ନିରବ ଅଛନ୍ତି। ସରକାରଙ୍କ ଅନ୍ୟ ନିଷ୍ପତ୍ତିଗୁଡିକ ସମିତିର ଦାବୀ ଅନୁରୂପ ହୋଇଛି। କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ ସରକାରୀ ଭାଷା ପ୍ରବର୍ତ୍ତନ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ସମିତି ପୂରାପୂରି ପ୍ରତ୍ୟାଖ୍ୟାନ କରିଛି । କାରଣ ଭାଷାଭିତ୍ତିକ ରାଜ୍ୟ ଓଡିଶା ତାର ମାତୃଭାଷାରେ ପ୍ରତ୍ୟେକ ଓ ସମସ୍ତ ସରକାରୀ କାମ ଚାଲିବାକୁ ୧୯୫୪ ଭାଷା ଆଇନରେ ସୁନିଶ୍ଚିତ କରାଯାଇ ସାରିଛି । ତେଣୁ ଅନ୍ୟାନ୍ୟ ରାଜ୍ୟର ଅନୁଶୀଳନ ଅନାବଶ୍ୟକ ଥିବାରୁ ଏହି ଟାଳଟୁଳ ନୀତି ବର୍ଜନ କରିବାକୁ ସମିତି ପରାମର୍ଶ ଦେଇଛି । ଓଡିଆ ଭାଷାରେ ଓଡିଶାଶାସନ ପାଇଁ ଓଡିଶା ସରକାର ଓ ଓଡିଆଭାଷା ସଂଗ୍ରାମ ସମିତି ସ୍ଵାକ୍ଷରିତ ଚୁକ୍ତି ଅନୁଯାୟୀ, ଗଠିତ ମନ୍ତ୍ରୀସ୍ତରୀୟ ନିଷ୍ପତ୍ତିମାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାରେ ସଂପୂର୍ଣ ଭାବରେ ପ୍ରତିଫଳିତ ହୋଇପାରି ନଥିବାରୁ ‘‘ଓଡିଆଭାଷା ସଂଗ୍ରାମ ସମିତି’’ ଦ୍‌ବେଗ ପ୍ରକାଶ କରୁଛି ।

ଏହି ଜରୁରୀ ବୈଠକରେ ସମିତି ଆବାହକ ଶଙ୍କର୍ଷଣ ପରିଡା ଅଧ୍ୟକ୍ଷତା କରିଥିଲେ। ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଡକ୍ଟର ନଟବର ଶତପଥୀ, ଶ୍ରୀଯୁକ୍ତ ସୁଭାଷ ପଟ୍ଟନାୟକ, ଡକ୍ଟର ସୁବ୍ରତ ପୃଷ୍ଟିଉମାକାନ୍ତ ରାଉତ, ପବିତ୍ର ମହାରଥା, ଦେବପ୍ରସାଦ ପରିଜା, ହେମନ୍ତ ରଥ, ଓ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଶଙ୍କର୍ଷଣ ପରିଡା, ଆବାହକ, ଓଡିଆଭାଷା ସଂଗ୍ରାମ ସମିତି
ଭ୍ରାମ୍ୟଭାଷ - ୯୪୩୭୦୩୪୫୫୦

कोई टिप्पणी नहीं:

एक टिप्पणी भेजें