29 जनवरी 2016

ଶ୍ରୀକ୍ଷେତ୍ର ପୁରୀରେ ଇସ୍କନ୍‌ ମନ୍ଦିରର ପ୍ରାସଙ୍ଗିକତା

ପ୍ରସ୍ତାବିତ ଇସ୍କନ ମଂଦିର ପୁରୀ
ପୁରୀରେ ପ୍ରସ୍ତାବିତ ଇସ୍କନ୍‌ ମନ୍ଦିରକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା। ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ସେଠାରେ ଆଉ ଏକ ପ୍ରତିସ୍ପର୍ଦ୍ଧୀ ମନ୍ଦିର ନିର୍ମାଣର ପ୍ରାସଙ୍ଗିକତା ଏକ ବିତର୍କର ବିଷୟ। ପୁରୀର ସିପସରୁବାଲି ମୌଜାର ଯେଉଁ ଜମିରେ ଇସ୍କନ୍‌ ପକ୍ଷରୁ ମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣର ପ୍ରସ୍ତାବ ରହିଛି, ତହିଁରୁ ୮.୪୩ ଏକର ଜମି ସରକାରଙ୍କର ସଂପତ୍ତି ବୋଲି ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇଛି। ସେହି ରିପୋର୍ଟ ଅନୁସାରେ ସେଥିରୁ ମାତ୍ର ୧.୫୬ ଏକର ଜମି ଏଯାଏ ସରକାରଙ୍କ ଖାତାକୁ ଫେରିଛି ଏବଂ ବାକି ୬.୮୭ ଏକର ଜମି ନେଇ ମାମଲା ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଅଛି। ସେହି ଜମିର ଉପଯୋଗ ଉପରେ ଉଚ୍ଚନ୍ୟାୟାଳୟ ରହିତାଦେଶ ମଧ୍ୟ ଦେଇଛନ୍ତି। ବ୍ରିଟିଶ୍‌ ଇଣ୍ଡିଆର ତତ୍କାଳୀନ କଲେକ୍ଟର ଚାର୍ଲସ୍‌ ଗ୍ରୋମ୍‌ଙ୍କ ରିପୋର୍ଟ ଅନୁସାରେ ସେହି ସିପସରୁବାଲି ମୌଜା ଥିଲା ଶ୍ରୀଜଗନ୍ନାଥଙ୍କର ମାହାଲ। ଅନ୍ୟ ଏକ ରିପୋର୍ଟ ଅନୁସାରେ ’ଇସ୍କନ୍‌’ର ପ୍ରସ୍ତାବିତ ମନ୍ଦିରାଦି ନିର୍ମାଣ ପାଇଁ ଚିହ୍ନିତ ଜମିରୁ ପ୍ରାୟ ୧୮ ଏକର ହେଉଛି ଶ୍ରୀଜଗନ୍ନାଥଙ୍କର ସଂପତ୍ତି। ଯାହାକି ଗିରିସ୍ଵାମୀ ନାମକ ଏକ ମଠର ମାଲିକାନାରେ ଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏକ ସଦ୍ୟତମ ରାୟ ଅନୁଯାୟୀ ଏପରି ଭୂସମ୍ପତ୍ତିକୁ ମଠମାନେ ନିଜର ସମ୍ପତ୍ତି ଭାବରେ ବିକିପାରିବେ ନାହିଁ।

ଗୋଟିଏ ସରକାରୀ ହିସାବ କହେ, ଏଯାଏ ସାରା ଓଡ଼ିଶାର ୨୩ଟି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ହୋଇଥିବା ଜମିର ପରିମାଣ ୬୦,୨୫୯ ଏକର ୬୨୫ ଡେସିମିଲ। ସେଥିରୁ ୩୧ ମାର୍ଚ ୨୦୧୫ ସୁଦ୍ଧା ୩୦,୨୩୧ ଏକର ୨୦୫ ଡେସିମିଲ ଜମି ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଆସିଥିଲା। ୩୦ ନଭେମ୍ବର ୨୦୧୫ ସୁଦ୍ଧା ଆଉ ୨୬୯୬ ଏକର ୫୬୫ ଡେସିମିଲ ଜମି ଆସିଛି। ଏବେ ବି ସାରା ଓଡ଼ିଶାରେ ୨୭,୩୩୧ ଏକର ୮୫୫ ଡେସିମିଲ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥାଇ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଆସି ପାରି ନାହିଁ। କେବଳ ପୁରୀ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କର ୧୭,୦୭୧ ଏକର ୨୧୨ ଡେସିମିଲ ଜମି। ଯହିଁରୁ ଏଯାଏ ୭୫୭୪ ଏକର ୨୩୬ ଡେସିମିଲ ଜମି ଅନ୍ୟମାନଙ୍କ ଜବରଦଖଲରେ ରହିଛି। ଏହା ଆମର ନୈତିକତାହୀନତା ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିହୀନତାର ଲକ୍ଷଣ ନୁହେଁ କି?

ଆମ ସମାଜ ଓ ଜୀବନରେ ନୈତିକତାର ଜାଗରଣ ଦିନେ ନବାକ୍ଷରୀ ଭାଗବତ କରିଥିଲା। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜରିଆରେ ‘ଭାଗବତ’ ଥିଲା ଓଡ଼ିଆ ଭାଷାର ଏକ ଶକ୍ତି ପରୀକ୍ଷା। ଏ ପ୍ରସଙ୍ଗରେ ସୁସାହିତ୍ୟକ ସୁରେନ୍ଦ୍ର ମହାନ୍ତି କହିଥିଲେ, ‘‘ଓଡ଼ିଶା ଇତିହାସର ଘୋର ଅନ୍ଧକାର କାଳରେ ..... ଭାଗବତ ହୋଇଥିଲା ଏ ଜାତିର ସଂରଚକ ଓ ସଂଗଠକ।’’ ମାତ୍ର ଜଗନ୍ନାଥ ଦାସଙ୍କ ସାଧନାପୀଠ ସାତଲହଡ଼ି ମଠ ବି ଏବେ ଜବରଦଖଲକାରୀଙ୍କ କବଳରେ। ତଥାପି ରାଜ୍ୟ ସରକାର ରାଜ୍ୟବ୍ୟାପୀ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଘୋଷଣା କରି ତୁନି ବସିଛନ୍ତି।

(୨୯ ଜାନୁଆରି ୨୦୧୬ରେ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ଅସିତ୍‌ ମହାନ୍ତିଙ୍କ ‘‘ଜଗନ୍ନାଥ ହେ! ସବୁ ମାଗୁଅଛି ତୋତେ...’’ର ସଂପାଦିତ ଅଂଶ)


ଆମ୍ଭର ମନ୍ତବ୍ୟ: 

ଜଗନ୍ନାଥ ହେ! ସବୁ ମାଗୁଅଛି ତୋତେ... ଶିରୋନାମାଟି ବେଶ୍‌ ଭଲ କଥା କହିଛି। ଅର୍ଥାତ୍‌ ମହାପ୍ରଭୁଙ୍କ ଅସରନ୍ତି ଭଣ୍ଡାରରୁ ମାଗିବାର ଅଧିକାର ଭକ୍ତର ରହିଛି। କାରଣ, ଏବେ ଦେଶରେ ଗଣତନ୍ତ୍ର ଚାଲିଛି। ଜଗନ୍ନାଥ ପରମ୍ପରାରେ ରାଜତନ୍ତ୍ର, ଏକ ପ୍ରତୀକ ମାତ୍ର। ଯଦିଓ ମନ୍ଦିର ପ୍ରଶାସନ ନାମରେ ଗଣତନ୍ତ୍ର ହିଁ ସେହି ରାଜତନ୍ତ୍ରକୁ କବ୍‌ଜା କରି ସାରିଛି। ଆଉ, ଆଧୁନିକ ଧର୍ମର ପୀଠଗୁଡ଼ିକରେ ସମ୍ପତ୍ତି ଠୁଳ ହେଉ ନଥିବା ବେଳେ ଭାରତର ହିନ୍ଦୁ ମନ୍ଦିରଗୁଡ଼ିକରେ ଏତେ ଧନ(ସ୍ଥାବର ହେଉ କି ଅସ୍ଥାବର) ଠୁଳ ହେବାଟା କେଉଁ ଗାଣତନ୍ତ୍ରିକ ମୂଲ୍ୟବୋଧର ପ୍ରତିନିଧିତ୍ଵ କରୁଛି?

ଶ୍ରୀଜଗନ୍ନାଥ କାଳେ ଆଦିବାସୀଙ୍କ ମାହାପୁରୁ। ଦୁଃଖର କଥା ଯେ ସେହି ଆଦିବାସୀମାନେ ଏବେ ପାରମ୍ପରିକ ଧର୍ମବିଶ୍ଵାସକୁ ପରିହାର କରି ପରଧର୍ମକୁ ଗ୍ରହଣ କରିବା ସହ ଆଧୁନିକ ଜୀବନଶୈଳୀ ଆପଣାଇ ସାରିଛନ୍ତି। ଏପରି କାହିଁକି କଲେ ପ୍ରଶ୍ନର ଉତ୍ତରରେ ଛତିଶଗଡ଼ ଓଡ଼ିଆ ଭାଷୀ ଅଞ୍ଚଳର ଜଣେ ଧର୍ମାନ୍ତରିତ ଆଦିବାସୀଙ୍କ ଉତ୍ତର ଥିଲା - ‘‘ମନ୍ଦିରକୁ ବୁଲାକୁକୁର ପଶି ପାରୁଛନ୍ତି, ଅଥଚ ଆମେ ମଣିଷମାନେ ପଶି ପାରୁ ନଥିଲୁ! କିନ୍ତୁ ଏବେ ଆମ ପ୍ରାର୍ଥନାଗୃହରେ ଯେଉଁଠି କ୍ଲିଣ୍ଟନ୍‌ କି କାମରୁନ୍‌ ବସିପାରିବେ, ସେଇଠି ଆମର କେହି ମଳିମୁଣ୍ଡିଆ କୃଷକ ମଧ୍ୟ ବସି ପ୍ରାର୍ଥନା କରିପାରୁଛି।’’

ରାଜ୍ୟର ହଜାର ହଜାର ଘର (ପରିବାର) ଭୂମିହୀନ ଓ ଗରିବ ହୋଇଥିବା ବେଳେ ମହାପ୍ରଭୁ ଏତେ ଧନୀ ହେବା ଦ୍ଵାରା ରାଜ୍ୟର ବା ରାଜ୍ୟବାସୀଙ୍କର କେଉଁ ହିତ ସାଧିତ ହେଉଛି? ଶ୍ରୀମନ୍ଦିରର ଭଳିକି ଭଳି ସେବାୟତମାନେ ବିପୁଳ ଧନ ଠୁଳ କରିବା ସହ କାଣିଆଙ୍ଗୁଠି ମୋଟର ସୁନାଚେନ୍‌ ବା ବ୍ରେସଲେଟ୍‌ ପିନ୍ଧିବା ଦ୍ଵାରା ରାଜ୍ୟର କେଉଁ ବିପର୍ଯ୍ୟୟ ପ୍ରଶମିତ ହେଉଛି ?

ଭୂସଂସ୍କାର ବଳରେ ବିପୁଳ ଜମିକୁ ଭୂମିହୀନ କୃଷକଙ୍କ ମଧ୍ୟରେ ବାଣ୍ଟିଦେବା ଉଚିତ ହେବ ନାହିଁ କି? ଏ ପ୍ରସଙ୍ଗରେ ସାମ୍ୟବାଦୀ ନେତାମାନେ ନିରବ ରହିବାଟା ସେମାନଙ୍କ ଦୋମୁହାଁ ନୀତିର ପରିଚୟ ଦେଉ ନାହିଁ କି?

ଭାରତୀୟ ସଭ୍ୟତାର ସମସାମୟିକ ଅନ୍ୟ ସଭ୍ୟତାର ମୂଳ ଧର୍ମ, କ୍ରମେ କ୍ରିଷ୍ଟିଆନ୍‌ ଓ ଇସଲାମକୁ ପରିବର୍ତିତ ହୋଇଥିବା ବେଳେ ଭାରତରେ ହିଁ ହିନ୍ଦୁ ଧର୍ମ ବଞ୍ଚି ରହିଛି। ବାସ୍ତବରେ ହିନ୍ଦୁ ଏକ ଉଦାର ଓ ନିରପେକ୍ଷ ଧର୍ମ ହୋଇଥିଲେ ବି ପ୍ରାଚୀନ ହିନ୍ଦୁପୀଠଗୁଡ଼ିକରେ ଅଣହିନ୍ଦୁମାନଙ୍କ ପ୍ରବେଶ ନିଷେଧ କଡ଼ାକଡ଼ି ରହିଛି। ‘ଇସ୍କନ୍‌’ ଭଳି କେତେକ ସଂଗଠନ ଏଭଳି କଠୋରପନ୍ଥୀ ନିଷେଧାଦେଶକୁ ଉଠାଇଦେବା ସହ ହିନ୍ଦୁବାଦର ଏକ ସାର୍ବଜନୀନ ପରିଭାଷା ଉପସ୍ଥାପନ କରିଛନ୍ତି। ଶ୍ରୀମନ୍ଦିର ସେବାୟତଙ୍କ ଦୋଷ, ଦୁର୍ଗୁଣ, ଔଦ୍ଧତ୍ୟ ଓ ବଟିମଗା ପ୍ରବୃତ୍ତି ଯୋଗୁ ଅନେକ ଭକ୍ତ ନିଜର ଧାର୍ମିକ ଭାବନାର କସରତ ପାଇଁ ବିକଳ୍ପ ଧର୍ମପୀଠର ସନ୍ଧାନ କରୁଥିବା ବେଳେ ଇସ୍କନ୍‌ର ଶ୍ରୀକୃଷ୍ଣ ବଳରାମ ମନ୍ଦିର ହିଁ ତାହା ପରିପୂରଣ କରିବ। ଏହି ବିଶ୍ଵାସ କ’ଣ ଆପଣଙ୍କ ଭିତରେ ଆସୁ ନାହିଁ ? 

ନିବେଦକ: ବିମଳ ପ୍ରସାଦ