07 जनवरी 2016

ଓଡ଼ିଆଏ ରୁଟି ବି ଖାଆନ୍ତି

ଆଜି(୭ ଜାନୁଆରି ୨୦୧୬) ଏକ ଖବରକାଗଜରେ ବାହାରିଛି ଯେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ମନ୍ତ୍ରୀ ରାମବିଳାସ ପାଶ୍‌ୱାନ୍‌ଙ୍କୁ ଭେଟି ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି ଗହମ ଦିଅନି, ଚାଉଳ ଦିଅ। ଆପାତତଃ ୨୦ ବର୍ଷ ତଳେ ଏହିଭଳି ଏକ ଯୋଗାଯୋଗ କରିବାକୁ ଯାଇ ପଶ୍ଚିମ ଓଡ଼ିଶାର ଛାମୁଆ କଂଗ୍ରେସ ନେତା ତଥା ତତ୍କାଳୀନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକ ସେଇ ସମାନ କଥା କହି ନିନ୍ଦିତ ହୋଇଥିଲେ। ସେତେବେଳେ ଗଣମାଧ୍ୟମ ଲେଖିଥିଲା, ଓଡ଼ିଆଏ ରୁଟି ବି ଖାଆନ୍ତି। ତେଣୁ ମାନ୍ୟବର ସାଂସଦଙ୍କ ବିବୃତିକୁ ସେତେବେଳେ ଭର୍ତ୍ସନା କରାଯାଇଥିଲା। ଏବେ ମାନ୍ୟବର ରାଜ୍ୟ ମନ୍ତ୍ରୀ ତାହାକୁ ଦୋହରାଇ, ବାହାଦୂରୀ କାମ କରିଛନ୍ତି କି? ଲାଗୁଛି ନୂଆ ପିଢ଼ିର ସାମ୍ବାଦିକଙ୍କ ହାତରେ ଚାଲିଥିବା ଏବେର ଓଡ଼ିଶା ଗଣମାଧ୍ୟମ ବୋଧହୁଏ ଏ ପ୍ରସଙ୍ଗକୁ ଅଣଦେଖା କରିବ। ପାକଳ ପିଢ଼ିର ସାମ୍ବାଦିକମାନେ ଅଣଧନ୍ଦାରେ ବ୍ୟସ୍ତ ଥିବାବେଳେ ଅସଲ କଥାକୁ କହିବାର ବପୁ ରଖି ନଥିବା ଭଳି ଲାଗୁଛି।

ପ୍ରକାଶିତ ଖବର ସଂଲଗ୍ନ ଫଟୋରେ ମନ୍ତ୍ରୀ ରାମବିଳାସଙ୍କୁ ମନ୍ତ୍ରୀ ସଂଜୟ ଫୁଲତୋଡ଼ା ଦେବା ବେଳେ ରାଜ୍ୟର ଖୋଦ୍‌ ଖାଦ୍ୟ ଓ ଯୋଗାଣ ଶାସନସଚିବ ଉପସ୍ଥିତ ଥିବା ଦେଖାଯାଉଛି। କ’ଣ ସେ ମଧ୍ୟ ଜାଣନ୍ତି ନାହିଁ ଯେ ଓଡ଼ିଆମାନେ ରୁଟି ମଧ୍ୟ ଖାଆନ୍ତି! ଆଜିକାର ଭେଜାଲ ଓ ସଙ୍କର ଯୁଗରେ ଆଉ ଦେଶୀ ବିହନ ନାହିଁ। ଆଉ ସଙ୍କର ବିହନରୁ ଉତ୍ପାଦିତ ଧାନର ଚାଉଳରୁ ନିରୁତା ଶ୍ଵେତସାର ହିଁ ମିଳୁଛି। ଯାହାକି ରକ୍ତଶର୍କରା ଭଳି ବିଭିନ୍ନ ରୋଗର କାରଣ ହେଉଛି। ତେଣୁ ରୁଟି ଖାଇବାର ରୁଚି ଓଡ଼ିଶାରେ ବଢ଼ିବା ଦରକାର। ରୁଟି, ଯାହାକି ଗହମରୁ ତିଆରି ଅଟାରେ ପ୍ରସ୍ତୁତ ହୋଇଥାଏ। ଡାକ୍ତରମାନେ କୌଣସି ରକ୍ତଶର୍କରା ପୀଡ଼ିତ ବ୍ୟକ୍ତିଙ୍କୁ ରୁଟି ଖାଇବାକୁ ପରାମର୍ଶ ଦିଅନ୍ତି ଏବଂ ଅତି ବେଶିରେ ବେଳାଏ ଭାତ ଖାଇବାକୁ ସାବଧାନ କରାଇ ଦେଇଥାଆନ୍ତି।

ମାଣ୍ଡିଆକୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ଲୋକଙ୍କୁ ପୂର୍ବ-ଉପକୂଳ ଓଡ଼ିଶାର ଲୋକମାନେ ତାଚ୍ଛଲ୍ୟ କରିଥାଆନ୍ତି। ଏବେ ବି ପୁରୀ ସହରର କିଛି ବ୍ୟକ୍ତି, ଗଂଜାମ ଜିଲ୍ଳାବାସୀଙ୍କୁ ମାଣ୍ଡିଆ ବୋଲି ସମ୍ବୋଧନ କରନ୍ତି। ଯଦିଓ ଏବେର ଗଂଜାମ ଜିଲ୍ଲାରେ ପାତ୍ରପୁର ଓ ସୋରଡ଼ା ଭଳି କେତୋଟି ବ୍ଲକ୍‌ର ହାତଗଣତି ପଞ୍ଚାୟତର ଲୋକଙ୍କ ବ୍ୟତୀତ ଆଉ କେହି ମାଣ୍ଡିଆ ଖାଉ ନାହାନ୍ତି। ବରଂ ଦିଟଙ୍କିଆ ଓ ଟଙ୍କିକିଆ ଚାଉଳର ଭୋଟ୍‌ ରାଜନୀତି କାରଣରୁ ରାଜ୍ୟରେ ଭାତଖିଆଙ୍କ ସଂଖ୍ୟା ବଢ଼ିଛି। ଭାତ, ଯାହା ଚାଉଳରୁ ତିଆରି ହୋଇଥାଏ। ୨୦ ବର୍ଷ ତଳେ ସରଳିଆ ଶରତ ବାବୁଙ୍କ ନୂଆଦିଲ୍ଲୀ ବିବୃତିରେ ସରଳତା ଓ ଅଜ୍ଞତା ଥିଲା। କିନ୍ତୁ ଏବେର ରାଜ୍ୟ ମନ୍ତ୍ରୀଙ୍କ ବିବୃତିରେ ଯେ ନିଚ୍ଛକ ଭୋଟ୍‌ ରାଜନୀତି ଅଛି, ଏ କଥା ନିଶ୍ଚୟ କିଛି ତଥ୍ୟାଭିଜ୍ଞ ଓ ବୁଦ୍ଧିବାଦୀ ଚର୍ଚା କରିବେ।

ଓଡ଼ିଶାରେ ପୁଷ୍ଟିହୀନତା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ସେଥିପାଇଁ ଅଜୀମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ୩୦୦ କୋଟି ଟଙ୍କାର ଏକ ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମ ପାଇଁ ୨୦୧୫ ଶେଷ ସପ୍ତାହରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣା ସ୍ଵାକ୍ଷର କରିଛନ୍ତି। ଅବଶ୍ୟ ଓଡ଼ିଶାର ମନ୍ତ୍ରୀମାନଙ୍କୁ ଓ ସଚିବମାନଙ୍କୁ ଖାଦ୍ୟ ଓ ପୁଷ୍ଟି ମଧ୍ୟରେ ସଂପର୍କ କେତେ ଓ ନିବିଡ଼ତା କେତେ, ସେହି ପାଠ ପଢ଼ାଇବାକୁ ପଡ଼ିବ ନାହିଁ। ବରଂ ଆମ୍ଭେ ଏତିକି କହିବାକୁ ଚାହୁ ଯେ ମାଣ୍ଡିଆ ପେଜ ବଦଳରେ ଭାତ ନୁହେଁ, ବରଂ ଭାତ ବଦଳରେ ରୁଟି ଖାଇବା ରୁଚିକୁ ପ୍ରସାର କରିବାର ଜରୁରୀ ଆବଶ୍ୟକତା ରହିଛି।

ମହାଭାରତର ସଂଜୟଙ୍କୁ କୁହାଯାଏ ବିଶ୍ଵର ପ୍ରଥମ ବ୍ରଡ଼୍‌କାଷ୍ଟ୍‌ ସାମ୍ବାଦିକ। ମନ୍ତ୍ରୀ ସଂଜୟ ସାମ୍ବାଦିକ ନହେଲେ ବି ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିଷ୍ଠାତା। ତେଣୁ ଖାଦ୍ୟ-ପୁଷ୍ଟି-ସ୍ଵାସ୍ଥ୍ୟ, ସେହି ଭଳି ଅଟା ଓ ଅଣ୍ଡା ଆଦିର ଗୁରୁତ୍ଵ ଓ ମହତ୍ତ୍ଵ ବୁଝିବା ନିହାତି ଦରକାର।

ବିମଳ ପ୍ରସାଦ, ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें