19 फ़रवरी 2016

ଜେଏନ୍‌ୟୁ ବନାମ ରେଭେନ୍‌ସା

କିଛି ଦିନ ତଳେ ଜେଏନୟୁ ବା ଜୱାହରଲାଲ୍‌ ନେହରୁ ବିଶ୍ଵବିଦ୍ୟାଳୟ (ଦିଲ୍ଲୀ) ହତା ଭିତରେ ଘଟିଥିବା ଏକ ଭାରତ ବିରୋଧୀ ସମାବେଶକୁ ନେଇ ଏବେ ଚାରିଆଡ଼େ ଚର୍ଚା। ଯାହାକି ଥମିବାର ନାମ ନେଉ ନାହିଁ! କେମିତି ଏହି ଘଟଣା ଘଟିଲା, ତାହା କେହି ଜାଣି ପାରୁ ନାହାନ୍ତି। ଦେଶର ରକ୍ଷାକବଚ ‘‘ଦିଲ୍ଲୀ ପୁଲିସ୍‌’’ର ଗୁଇନ୍ଦା ବିଭାଗ ତେଣେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଓ ଚେର ଖୋଜୁଥିବା ବେଳେ ଏଣେ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରମାନଙ୍କ ମଧ୍ୟରେ ଗୁଇନ୍ଦାଗିରି କରୁ ନାହିଁ। ତେବେ ବିଶ୍ଵବିଦ୍ୟାଳୟ ହତାରେ ଦେଶବିରୋଧୀ କାର୍ଯ୍ୟକଳାପ ଦେଶବାସୀଙ୍କୁ ସ୍ତବ୍‌ଧ କରି ଦେଇଛି। ଦେଶର ଶାସକଦଳ ବିରୋଧରେ ଖାସ୍‌ କିଛି ମୁଦ୍ଦା ପାଉ ନଥିବାରୁ କେତେକ ବିରୋଧୀ ଦଳ କେବଳ ‘‘ସଉତୁଣୀ ରାଣ୍ଡ ହେଉ’’ ଜିଦ୍‌ରେ ଏହି ଘଟଣାକୁ ତଥା ଗିରଫ ହୋଇଥିବା ଛାତ୍ରନେତାଙ୍କୁ ସମର୍ଥନ କରୁଛନ୍ତି। ଆଉ ଏକ ସୂତ୍ରରୁ ଦାବି କରାଯାଉଛି ଯେ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି, ସେମାନେ ବିଶ୍ଵବିଦ୍ୟାଳୟର ଛାତ୍ର ନୁହନ୍ତି। ତେବେ ଭାରତର ରାଜଧାନୀ ନଗରୀରେ ଥିବା ଦେଶର ଏକ ନମ୍ବର ଶିକ୍ଷାୟତନ (ସବୁଠୁ  ବେଶି ରିହାତି ପାଉଥିବାରୁ)ର ସୁରକ୍ଷା ବ୍ୟବସ୍ଥା ଢିଲା ହେଲା କିପରି? ତଥାକଥିତ କୁଳାଧିପତି ଓ କୁଳପତିଙ୍କ କିଛି ଉତ୍ତରଦାୟିତ୍ଵ ଅଛି କି? ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କର ଭୂମିକା କ’ଣ?

ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ବିଭିନ୍ନ ଅଭିଯୋଗ ଉପରେ ଏମିତି ବି ସଫେଇ ଦିଆଯାଇଥିଲା ଯେ PMO (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ସବୁ କାମରେ PM ଦାୟୀ ନୁହନ୍ତି। ଅର୍ଥାତ୍‌ ‘‘ଚଟୁ ଆମିଷ ବେଣ୍ଟ ନିରାମିଷ!’’ ଗୋଟିଏ ରାଜ୍ୟରେ ହୁଗୁଳା ଶାସନ ପାଇଁ ରାଜ୍ୟପାଳଙ୍କୁ ଦାୟୀ କରାଯାଇପାରିବ ନାହିଁ। କିନ୍ତୁ ଗୋଟିଏ ବିଶ୍ଵବିଦ୍ୟାଳୟରେ ହୁଗୁଳା ଶାସନ ପାଇଁ କୁଳାଧିପତି ଓ କୁଳପତି କାହିଁକି ଦାୟୀ ହେବେ ନାହିଁ? ସେମାନେ କ’ଣ ରାଜ୍ୟପାଳଙ୍କ ଭଳି ରବରଷ୍ଟାମ୍ପ ପଦବୀ ଅଭିଷିକ୍ତ?

ଅନ୍ୟ ପକ୍ଷରେ JNUର ଛାତ୍ରମାନେ ସାଧାରଣତଃ ଏକ ଭିନ୍ନ ଚିନ୍ତାଧାରା ସମ୍ପନ୍ନ ହେଉଥିବା ଲକ୍ଷ୍ୟ କରାଯାଏ। ଓଡ଼ିଶାରୁ ବି ପ୍ରାୟ ୫୦୦ ବିଦ୍ୟାର୍ଥୀ JNUରେ ପଢ଼ିଛନ୍ତି। କିନ୍ତୁ କେହି ବି ସାଧାରଣ ମଣିଷର ହୃଦୟ ଜିଣି ପାରି ନାହାନ୍ତି। ଏହା ଉପରେ ଅଧିକ ମନୋବୈଜ୍ଞାନିକ ଦୃଷ୍ଟିପାତ ନକରି ଆହୁରି ମଧ୍ୟ କୁହାଯାଇପାରିବ ଯେ ସେହି ଛାତ୍ରମାନଙ୍କୁ କୌଣସି ଘରୋଇ କମ୍ପାନୀ ଚାକିରି ଦେବାକୁ ପସନ୍ଦ କରନ୍ତି ନାହିଁ। କେବଳ ସରକାରମାନେ ହିଁ ଦରଦୀ ହୋଇ ସେମାନଙ୍କୁ ଚାକିରି ଦିଅନ୍ତି ଓ ମୁଣ୍ଡରେ ବସାନ୍ତି। ତଥାପି ଏମାନେ ଭିଡ଼କୁ ନୁହନ୍ତି। ଅର୍ଥାତ୍‌ ଦେଶର ବିକାଶ ଓ ପରିବର୍ତନରେ ଏମାନଙ୍କର ଖାସ୍‌ କୌଣସି ଅବଦାନ ନାହିଁ।  ଖାଇ ପିିଇ ମସ୍ତି କରିବାର ଏକ ହତା ହେଉଛି ଜେଏନ୍‌ୟୁ ହତା। ଯେଉଁମାନେ ପଢ଼ି ସାରି ଘରକୁ ବାହୁଡ଼ନ୍ତି, ସେମାନଙ୍କୁ ଗଣତନ୍ତ୍ର ଆଦୌ ଭଲ ଲାଗେ ନାହିଁ। ସେମାନେ ଖାଲି ଶାସନ ବ୍ୟବସ୍ଥାର ଛିଦ୍ର ଖୋଜି ବୁଲନ୍ତି। ବିଦ୍ରୋହ କରନ୍ତି। ବିରୋଧ କରନ୍ତି।

ଏତେ ମନ୍ତବ୍ୟ ଉଦ୍‌ଗାରିବା ପରେ ଟିକେ ମନେ ପକାଇ ଦେବାକୁ ଚାହିଁବୁ ଯେ ଜେଏନ୍‌ୟୁ ଏକ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ଆଉ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ। କିନ୍ତୁ ହାଇଦ୍ରାବାଦରୁ ମଣିଷ ବାହାରନ୍ତି ଏବଂ ଘରୋଇ କମ୍ପାନୀ ମଧ୍ୟ ସେମାନଙ୍କୁ ନିଜ ଟିମ୍‌ରେ ନେବାକୁ ପସନ୍ଦ କରନ୍ତି। ତେଣୁ ଜେଏନ୍‌ୟୁ ହତା ଭିତରେ ଦେଶର ବ୍ୟବସ୍ଥା ବିରୋଧୀ, ଦେଶ ବିରୋଧୀ କାର୍ଯ୍ୟକଳାପ ଆଦୌ ନୂଆ କଥା ନୁହେଁ। କିନ୍ତୁ ଚର୍ଚିତ ଘଟଣାଟି ଏକ ସୁଚିନ୍ତିତ ସୁଆୟୋଜିତ ରଣକୌଶଳର ଅଂଶବିଶେଷ। ଯଥେଷ୍ଟ ଜାଗା ଫାଙ୍କା ପଡ଼ିଛି ବୋଲି ବିଶ୍ଵବିଦ୍ୟାଳୟ ହତାରେ ଯଦି ସହରବାସୀଙ୍କ ମୁକ୍ତ ଯାତାୟତ ସବୁବେଳେ ହେବ, ବସ୍ତି ଗଢ଼ି ଉଠିବ। ପାଚେରୀ କଡ଼ରେ ବଜାର ଓ ବସ୍ତି ରହିବ, ତେବେ କେବେ ନା କେବେ ଅଘଟଣ ଓ ଦେଶବିରୋଧୀ ଘଟଣା ଘଟିବ। ତେଣୁ ପଠାଣକୋଟ ଅଘଟଣ ଭଳି ଜେଏନ୍‌ୟୁ  ହତା ଭିତରର ଘଟଣା ମଧ୍ୟ ଆମର ବିଶ୍ଵବିଦ୍ୟାଳୟ ହତାର ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। କାରଣ ଅସଲ ବଦ୍‌ମାସ୍‌ମାନେ ନିଜ ମୁହଁକୁ କପଡ଼ାରେ ଢାଙ୍କିଥିବା ବିଭିନ୍ନ ଚିତ୍ରରୁ ଦେଖିବାକୁ ମିଳୁଛି। ଘରୋଇ ବିଶ୍ଵବିଦ୍ୟାଳୟମାନେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରୁଥିବା ବେଳେ ସରକାରୀ ବିଶ୍ଵବିଦ୍ୟାଳୟରେ ଏତେ ଢିଲା ବ୍ୟବସ୍ଥା ଆଦୌ ସ୍ପୃହଣୀୟ ନୁହେଁ। ବିଶ୍ଵବିଦ୍ୟାଳୟରେ ପଶୁଥିବା ଅଣଛାତ୍ରମାନଙ୍କୁ ଯାଞ୍ଚ କରିବା ମଧ୍ୟ ଅନ୍ତେବାସୀ ଛାତ୍ରମାନଙ୍କର କାର୍ଯ୍ୟ ନୁହେଁ କି ଦାୟିତ୍ଵ ବି ନୁହେଁ। ତେଣୁ ବିଶ୍ଵବିଦ୍ୟାଳୟ ସୁରକ୍ଷାକୁ CISF ଭଳି କ୍ୟାଡ଼ର ଭିତ୍ତିକ କରାଯିବା ସହ ଏକ ସ୍ପଷ୍ଟ ନୀତି ଧାର୍ଯ୍ୟ ହେବା ଦରକାର।

ନିର୍ଦିଷ୍ଟ ପରିବେଶରେ ନିର୍ଦିଷ୍ଟ ଆଚରଣର ବିକାଶ ହେବା ମଧ୍ୟ ଭାରତୀୟ ଶାସ୍ତ୍ର ଓ କାହାଣୀମାଳାରେ ବର୍ଣନା କରାଯାଇଛି। ସେହି ଦୃଷ୍ଟିରୁ ଆମେ ରେଭେନ୍ସା କଲେଜ (ଯାହା ଏବେ ଏକ ଅଗ୍ରଣୀ ବିଶ୍ଵବିଦ୍ୟାଳୟ) କଥା ଏଠାରେ ଚର୍ଚାକୁ ଆଣିଛୁ। ଯଦିଓ ରେଭେନ୍ସା କଲେଜ ହେଉଛି, ଜେଏନ୍‌ୟୁର ଜେଜେବାପା ବୟସର ଏକ ଶିକ୍ଷାୟତନ। କିନ୍ତୁ ଏତେ ବର୍ଷ ଧରି ରେଭେନ୍ସା କଲେଜ୍‌ ଏକ ଆଦର୍ଶ ଅନୁଷ୍ଠାନ ହୋଇ ରହିଛି। କେବେ କଳଙ୍କିତ ହୋଇ ନାହିଁ। ଓଡ଼ିଶାର ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଏହି କଲେଜର ଛାତ୍ରଛାତ୍ରୀ ବୋଲି ଗର୍ବ କରନ୍ତି। ଏ ପ୍ରସଙ୍ଗରେ ଗତ ଶତାବ୍ଦୀରେ ଖବରକାଗଜଗୁଡ଼ିକରେ ମଧ୍ୟ ବିସ୍ତୃତ ଚର୍ଚା ହୋଇଛି। କହିବା ବାହୁଲ୍ୟ, ରେଭେନ୍ସା କଲେଜରେ ପଢ଼ିଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ଦେଶଗଠନରେ, ଦେଶର ବିକାଶରେ ଅବଦାନ ରହିଛି। ଭୂମିକା ରହିଛି। ଓଡ଼ିଶାର ପୂର୍ବତନ ରାଜଧାନୀ ତଥା ଏବେର ସାଂସ୍କୃତିକ ରାଜଧାନୀ କଟକରେ ଥିବା ଆଉ ଏକ ପୁରାତନ କଲେଜ କିନ୍ତୁ ବାଳୁଙ୍ଗା ଉତ୍ପାଦନ କେନ୍ଦ୍ରର କଳଙ୍କ ମୁଣ୍ଡାଇଛି। ତେଣୁ ହତାର ପରିପାଟୀ, ରଙ୍ଗ, ବିନ୍ୟାସ ଓ ସ୍ଥାପତ୍ୟ ତଥା ଅବସ୍ଥାନର ପ୍ରଭାବ, ତହିଁରୁ ଉତ୍ପନ୍ନ ବିଦ୍ୟାର୍ଥୀଙ୍କ ଉପରେ ଯେ ପଡ଼େ, ଏଥିରେ ସନ୍ଦେହ ନାହିଁ। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। କାରଣ କଲେଜ୍‌ଟି ଜଣେ ଇଂଗ୍ରେଜ ସାଇବଙ୍କ ନାମରେ ହୋଇଥିବା ବେଳେ ଭାରତୀୟଙ୍କ ନାମରେ ପୁନଃନାମିତ କରାଯିବାକୁ କଥା ଉଠିଛି। ହେଲେ ଆଜି ସୁଦ୍ଧା କେହି ତାହାକୁ କାର୍ଯ୍ୟକାରୀ କରିବାକୁ ସାହସ କରୁ ନାହାନ୍ତି, କାଳେ ଦଶନ୍ଧି ଦଶନ୍ଧିର ଏକ ଶୃଙ୍ଖଳିତ ଛାଞ୍ଚ କେଉଁଠି ବିଗିଡ଼ିଯିବ!

ଆମଦେଶର କଥାକୁହା ପ୍ରଧାନମନ୍ତ୍ରୀ ‘‘ମନ୍‌ କୀ ବାତ୍‌’’ ରେଡ଼ିଓରେ କହି ପାରୁଛନ୍ତି। ଯଦି ବିଶ୍ଵବିଦ୍ୟାଳୟର କୁଳପତିମାନେ କଥାକହି ଜାଣନ୍ତି, ସେମାନେ ମଧ୍ୟ ନିଜର ବିଦ୍ୟାର୍ଥୀମାନଙ୍କ ସହ କଥା ହୁଅନ୍ତୁ। ଏଥିପାଇଁ ଆମଦେଶରେ CRS (Campus Radio Station) FM ରେଡ଼ିଓ ବ୍ୟବସ୍ଥା ମଧ୍ୟ ରହିଛି। ସେହି ରେଡ଼ିଓର ନ୍ୟାୟ ସଙ୍ଗତ ବ୍ୟବହାର ହେବା ଦରକାର। ଯେଉଁଠି ଭାବବିନିମୟ (Interactive Communication) ମଧ୍ୟ ସମ୍ଭବ। କେବଳ ନାରାବାଜି ବା ଆକ୍ଷେପ ପ୍ରତିଆକ୍ଷେପରେ ଦେଶ ଚାଲି ପାରିବନି।

(ମନ୍ତବ୍ୟଗୁଡିକ ଲେଖକଙ୍କର ବ୍ୟକ୍ତିଗତ)
ବିମଳ ପ୍ରସାଦ, ଭୁବନେଶ୍ୱର