20 फ़रवरी 2016

ମ୍ୟାଲେରିଆ ଯମ ଯମୁନାମଣି


ସେଦିନ ୨୦୧୬ ଫେବ୍ରୁଆରି ୭ ତାରିଖ ରବିବାର। NISER (ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ) ଭୁବନେଶ୍ଵରର ନବନିର୍ମିତ ହତା ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଯାଉଥିବା ବେଳେ ସ୍ଵୟଂ ପ୍ରଧାନମନ୍ତ୍ରୀ ଯୋଡ଼ହସ୍ତରେ ଯମୁନାଙ୍କୁ ଓଳଗି ହୋଇଥିଲେ। ଆଉ ଯମୁନାଙ୍କୁ କହିଥିଲେ, ‘‘ଆପଣଙ୍କୁ ଭାରତର ସମସ୍ତେ ଜାଣନ୍ତି।’’

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ସଜନାଗଡ଼ ପଞ୍ଚାୟତର ତେଣ୍ଡା ରାଜସ୍ଵ ଗ୍ରାମ ଶିଆଳଲଟି ପଡ଼ାସାହିରେ ‘ଆଶା’ କର୍ମୀ ଯମୁନାମଣି ସିଂଙ୍କ ଘର। ଭୂମିଜ ଆଦିବାସୀ। ବୟସ ୩୦ ଛୁଇଁ ନାହିଁ। ସ୍ଥାନୀୟ କନ୍ୟାଶ୍ରମରେ ପଢ଼ିଛନ୍ତି ନବମଶ୍ରେଣୀ ଯାଏଁ। ଓଡ଼ିଆ ସାଙ୍ଗକୁ ଆଦିବାସୀ ଭାଷା ଜାଣନ୍ତି, ବୁଝନ୍ତି ଓ କହନ୍ତି। ହିନ୍ଦୀ ବି ବୁଝିପାରନ୍ତି। ତାଙ୍କର ଇଚ୍ଛା ଥିଲା, ପଢ଼ିବା ବୟସରେ ସାଇକେଲଟିଏ ଥିଲେ, ସେ ନିଜେ ସାଇକେଲ ଚଳେଇ ଆହୁରି ପଢ଼ିଥାଆନ୍ତେ। ଏବେ ବି ସେହି ଇଚ୍ଛା ଅଛି।

ଆଦିବାସୀ ବହୁଳ ଶିଆଳଘାଟି ପଡ଼ାଗାଁର ଲୋକେ ଅଳ୍ପ ସାକ୍ଷର। ଲୋକସଂଖ୍ୟା ପ୍ରାୟ ୬୬୦। ବଣପାହାଡ଼ ଘେରା ଏହି ଗାଆଁଟି କୁଳଡିହା ଅଭୟାରଣ୍ୟ ଭିତରେ ଅବସ୍ଥିତ। ଏହି ଦୁର୍ଗମ ଗାଆଁଟି ଦାରିଦ୍ର୍ୟ ପ୍ରପୀଡ଼ିତ ଓ ମ୍ୟାଲେରିଆ ପ୍ରବଣ। ପାଖରେ ଘାଗରା ନଈ, ଚାଖି ମହାଦେବ ଓ ସାତପୁଆହୁଡ଼ି ପାହାଡ଼। ଗ୍ରାମଦେବୀ ମାଆ ପାଟମୁଣ୍ଡୀ ଓ ମାଆ କାଳୀ। ଏ ଶତାବ୍ଦୀରେ ବି ସ୍ଥାନୀୟ ଲୋକେ ଦିହପା’ ଦେଖାଇବାକୁ ଗୁଣିଗାରେଡ଼ିର ଶରଣ ପଶୁଥିଲେ। ଭଲ ହୋଇଯିବା ପାଇଁ ଛେଳି ଓ କୁକୁଡ଼ା ବଳି ଯାଚୁଥିଲେ।

୨୦୦୮ ମସିହାରେ ଆଶା (Accredited Social Health Activist) ଭାବେ ବଛା ହୋଇ ତାଲିମ ନିଅନ୍ତି ଯମୁନା। ୨୦୧୦ରେ ନିଯୁକ୍ତି। ଶିଆଳଘାଟି, ବାରୁଡ଼ିସାହି, ମୁଣ୍ଡଗୁରାସାହି ଓ ସାତଘାଟିରେ କାମ କରନ୍ତି। ଲଢ଼େଇ ଆରମ୍ଭ କରନ୍ତି ଗର୍ଭବତୀଙ୍କ ସମସ୍ୟା, ଜ୍ଵର, ତରଳଝାଡ଼ା, ମ୍ୟାଲେରିଆ, ମାଆ ଓ ଶିଶୁ ମୃତ୍ୟୁ, ଯକ୍ଷ୍ମା, ଡେଙ୍ଗୁ ଓ ଏଡ଼୍‌ସ୍‌ ବିରୋଧରେ। ପ୍ରସୂତୀ ବେଦନା ବା ରୋଗବ୍ୟାଧିର ଖବର ପାଇଲେ ସେ ଶୋଇବା ଜାଗାରୁ ଉଠି ଧାଇଁଯାଆନ୍ତି। ଦିନ ବେଳା ହୋଇଥିଲେ ନିଜେ ସାଇକେଲ ଚଳେଇ। ଆଉ ରାତିରେ ଚାଷୀ ଓ ଶ୍ରମିକ ସ୍ଵାମୀ ଦେବେନ୍ଦ୍ର ସିଂ ସହ ସାଇକେଲରେ। ଆଉ କେବେ ବହଳ ଅନ୍ଧାର କାଟିବାକୁ ସାହାଯ୍ୟ ନିଅନ୍ତି ଟର୍ଚଆଲୁଅ, ମୋବାଇଲ୍‌ଫୋନ୍‌ ଅବା ହାର୍କିନ୍‌ ଆଲୁଅର। ସାପ, ସରୀସୃପ, ହେଟା ବା ହାତୀକୁ ଖାତିର ନକରି ମାଡ଼ି ଚାଲିଥାଆନ୍ତି। ସାଙ୍ଗରେ ଥାଏ ପାଣିବୋତଲ, ଔଷଧ ମୁଣି, ଓ ପରୀକ୍ଷା ଯନ୍ତ୍ରପାତି।

ସେ ରାଣ ଖାଇଛନ୍ତି ନିଜ ଗାଆଁକୁ ଓ ସମ୍ଭବ ହେଲେ ପାଖଆଖ ଗାଆଁକୁ ମ୍ୟାଲେରିଆମୁକ୍ତ କରିବେ। କେବି ବି ଯେମିତି ମ୍ୟାଲେରିଆରେ ମରିବେନି। ମ୍ୟାଲେରିଆମାନେ ସେ ବୁଝିଛନ୍ତି ଓ ବୁଝାନ୍ତି – Mal Air ମାନେ ଖରାପ ପବନ। ଯାହାର କାରଣ ବାଜେ ପାଣି। ଅପରିଷ୍କାର ଅପରିଚ୍ଛନ୍ନ ରହଣି। ଔଷଧବୁଡ଼ା ମଶାରି ନଟଙ୍ଗେଇ ଶୋଇବା। ଗୋଷ୍ଠୀ ଜୀବନରେ ନିଧି ବୁଢ଼ାର ସ୍ଵାସ୍ଥ୍ୟ ସଚେତନତା ନପଶିବା। ଠିକ୍‌ ସମୟରେ ଡାକ୍ତରଖାନାକୁ ବା ଡାକ୍ତର ପାଖକୁ ନଯିବା। ଠିକଣା ସମୟରେ ଔଷଧ ନଖାଇବା। ଏହି ସବୁ ପ୍ରାଥମିକ ସଚେତନତା, ପ୍ରତିଷେଧକ ଓ ଉପଚାର କଥା ସେ କହିବୁଲନ୍ତି ଗାଆଁ ସାହିରେ। ପହିଲେ ପହିଲେ ବିରୋଧ ହୁଏ। ଦିନକୁ ଦିନ ଲୋକମାନେ ତାଙ୍କ ସେବାପରାୟଣତାରେ ଖୁସି ହୋଇ ବଦଳିବାକୁ ଲାଗନ୍ତି। ତାଙ୍କର ଡାକ ନାମ ଗାଆଁଯାକର ଶ୍ରଦ୍ଧା ନାମ ପାଲଟିଯାଏ ପାକିନି ଦିଦି।

୨୦୧୪ରେ ତାଙ୍କ କର୍ମକ୍ଷେତ୍ରରେ ଚିହ୍ନଟ ହୋଇଥିଲେ ୩୫ ଜଣ ମ୍ୟାଲେରିଆ ରୋଗୀ। ଯାହା ୨୦୧୫ରେ ଖସି ଆସିଥିଲା ୧୭କୁ। ସେମାନଙ୍କ ମଧ୍ୟରୁ ଜଣେ ବି ମୃତ୍ୟୁ ମୁଖରେ ପଡ଼ିନଥିଲେ। ତାଙ୍କ ଗାଆଁରେ ଯିଏବି ଯେଉଁଠି, ଯାହା ଘରେ ପୀଡ଼ିତ ଥାଆନ୍ତି, ସେଠାରେ ଯମୁନା ନିଜେ ପହଞ୍ଚିଯାଆନ୍ତି। ରୋଗ ଓ ରୋଗୀ ପାଖକୁ ଯାଆନ୍ତି। ସେମାନଙ୍କୁ ନିଜ ପାଖକୁ ଡକାଇ ପଠାନ୍ତି ନାହିଁ। ଆଗେ ମିଶନ୍ତି, ବସନ୍ତି। ତା’ପରେ ପଚାରନ୍ତି। ଔଷଧ, ପାଣି, ଖାଦ୍ୟ, ଜ୍ଵର, ଝାଡ଼ା, ମ୍ୟାଲେରିଆ, ଦୁଇଟି ପିଲା ଭିତରର ବ୍ୟବଧାନ ଆଦି କଥା। ସେ କହନ୍ତି – ପ୍ରକୃତ ସ୍ଵାସ୍ଥ୍ୟସେବା ଓ ଯତ୍ନର ମୂଳମନ୍ତ୍ର ଅନୌପଚାରିକ ଆଳାପର ଆଧାରଶିଳାଟିଏ ବସାଇବା। ଷାଠିଏ ଦଶକରେ ଏହା ହିଁ ଥିଲା ଚୀନ୍‌ରେ ମାଓ-ସେ-ତୁଙ୍‌ଙ୍କର ସାଂସ୍କୃତିକ ବିପ୍ଳବର ଅବିଚ୍ଛେଦ୍ୟ ଅଙ୍ଗ। ଉଦ୍ଦେଶ୍ୟ ଥିଲା ପାଶ୍ଚାତ୍ୟ ଶିକ୍ଷିତ ଡାକ୍ତରମାନେ ଗାଆଁ ଗଣ୍ଡାକୁ ଯିବାକୁ ଅମଙ୍ଗ ହେଲେ, ଚାଷୀଙ୍କ ପାଖକୁ ଯିବାକୁ ଅରାଜି ହେଲେ, ଚାଷୀମାନଙ୍କୁ ଅଧିକ ଦକ୍ଷ ଓ ପ୍ରାସଙ୍ଗିକ ଡାକ୍ତରରେ ପରିଣତ କରିବା।

ଏପ୍ରିଲ-ମେ-ଜୁନ୍‌ ମାସର ଟାଣଖରାକୁ ଖାତିର ନକରି, ଦାନ୍ତ ନଘଷି ପାକିନି ଦିଦି କାମକୁ ବାହାରି ଯାଆନ୍ତି। ରୋଗୀର ସେବା କଥା ଉଠିଲେ ସିଏ ଭୋକଶୋଷ ଭୁଲିଯାଆନ୍ତି। ବାପା ଶ୍ୟାମସୁନ୍ଦରଙ୍କ ପ୍ରେରଣା ଓ ସ୍ଵାମୀଙ୍କ ସମର୍ଥନ ଏବଂ ଅନ୍ୟମାନଙ୍କ ଉତ୍ସାହ ତାଙ୍କ ମନୋବଳକୁ ବହୁଗୁଣିତ କରିଦିଏ। ସ୍ଥାୟୀ କର୍ମଚାରୀଙ୍କ ନିର୍ଭରଯୋଗ୍ୟ ଦରମା କିମ୍ବା ମହାବିଶାରଦଙ୍କ ବିଚକ୍ଷଣ ବୁଦ୍ଧିର ବଳ ତାଙ୍କ ପାଖରେ ଖୋଜିବା ଅନୁଚିତ। ହେଲେ ନିଜ କାଣ୍ଡଜ୍ଞାନ ବଳରେ ସିଏ ଆଶା କରନ୍ତି ଭାରତବର୍ଷରେ ଓଡ଼ିଶା ଏକନମ୍ବର ହୋଇପାରିବ। ଆଉ ଏଥିପାଇଁ ଲୋଡ଼ା କାମ। ତାଙ୍କର ତ୍ୟାଗପୂତ କର୍ତବ୍ୟନିଷ୍ଠା ହିଁ ରାଜ୍ୟର ହଜାରହଜାର ‘ଆଶା’ଙ୍କୁ ରାଜ୍ୟର ଆଶା ଓ ଭରସାରେ ରୂପାନ୍ତରିତ କରିବାର ବାଟ ଦେଖାଇବ। ମ୍ୟାଲେରିଆ ନିରାକରଣ ପାଇଁ କୋଟିକୋଟି ଟଙ୍କାର ଗବେଷଣାରୁ ପ୍ରାୟ କିଛି ଫଳ ମିଳୁ ନଥିବା ବେଳେ ଯମୁନାମଣି କେବଳ ଜନସଚେତନତା ଓ ନିଜର ନିରବଚ୍ଛିନ୍ନ ସହାୟତାକୁ ଅସ୍ତ୍ର କରି ବେଶ୍‌ ସଫଳ ହୋଇପାରିଛନ୍ତି।


ଲେଖକ: ଅଧ୍ୟାପକ ଅଭିରାମ ବିଶ୍ଵାଳ, ଗୌରୀନଗର, ଭୁବନେଶ୍ଵର (ସୌଜନ୍ୟ: ପ୍ରମେୟ, ୧୯.୦୨.୨୦୧୬, ଶୁକ୍ରବାର)