03 फ़रवरी 2016

ଓଡ଼ିଶାର ସ୍ଵପ୍ନ ବନାମ ସୂଚନା ପ୍ରଯୁକ୍ତି

ଡକ୍ଟର ସାମ୍‌ ପିଟ୍ରୋଡ଼ାଙ୍କୁ ଓଡ଼ିଶା ସରକାର ପ୍ରଯୁକ୍ତି ଉପଦେଷ୍ଟା ରୂପେ ନିଯୁକ୍ତି ଦେବା ଖୁସିର କଥା। କିନ୍ତୁ ଓଡ଼ିଶା ଯେପରି ଗତାନୁଗତିକ ଭାବେ କୌଣସି ଆଳୁଦୋଷର ଶିକାର ନହେବ, ତାହା ପ୍ରତି ମଧ୍ୟ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କର ପ୍ରଥମ ଆଳୁଦୋଷ ହେଉଛି, ସଂପୃକ୍ତ ଉପଦେଷ୍ଟା ମହାଶୟଙ୍କୁ ଓଡ଼ିଶାରେ ରହିବା ଓ ବୁଲିବା ପାଇଁ ସୁଯୋଗ ନଦେବା। ଓଡ଼ିଶାଟା ଗୁଜରାଟ ବା ତାମିଲନାଡୁ ନୁହେଁ ଯେ ଏଠି ବଡ଼ ସ୍ୱପ୍ନ ଦେଖିହେବ। କାରଣ ସ୍ୱପ୍ନ ଦେଖିବା ପାଇଁ ମଧ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଯାହାକି ଓଡ଼ିଶାରେ ନାହିଁ। ସବୁ ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ ପହଞ୍ଚାଇବାର ପ୍ରତିଶ୍ରୁତିଟା ୧୦ ବର୍ଷର ପୁରୁଣାପାଠ ହୋଇ ସାରିଲାଣି। ହେଲେ ଆପଣ କେହି ଜାଣନ୍ତି କି କ’ଣ ପ୍ରଗତି ହୋଇଛି? ଘରୋଇ ଦୂରସଂଚାର କମ୍ପାନୀମାନେ ୩ଜି, ୪ଜି ସଂଯୋଗ ଦେଉଥିବା ବେଳେ ସେମାନଙ୍କୁ ପ୍ରୋତ୍ସାହିତ ନକରି ସାନି ଅଟକଳ କରି ଅର୍ଥ ଶ୍ରାଦ୍ଧ କରିବା ଏକ ଚାଲ୍‌ବାଜି ନୁହେଁ କି? 

ଡକ୍ଟର ସାମ୍‌ ପିଟ୍ରୋଡ଼ା ଯଦି ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ଦପ୍ତର ବୁଲି ଦେଖନ୍ତେ, ତେବେ ଜାଣି ପାରନ୍ତେ, ଆମର ସମସାମୟିକ ଭିତ୍ତିଭୂମି କ’ଣ ଅଛି ଏବଂ କିଭଳି ସ୍ଥିତିରେ ରହିଛି। ଓଡ଼ିଶାର ବିଭିନ୍ନ ବିଦ୍ୟାଳୟକୁ ହଜାର ହଜାର କମ୍ପ୍ୟୁଟର ବଣ୍ଟାଯାଇଛି। ସେଗୁଡ଼ିକ ଚଳନ୍ତି ଅବସ୍ଥାରେ ଅଛି ତ? ସତରେ ନିଜ ଠିକଣାରେ ଅଛି ତ? ଯଦି ଏଇ ଦୁଇ ପ୍ରଶ୍ନର ଉତ୍ତର ନକରାତ୍ମକ, ତେବେ ବିନା ଶିକ୍ଷକରେ ଗଣିତ, ବିଜ୍ଞାନ ପଢ଼ାଇବାର ପରିକଳ୍ପନା ଏକ ଧୃଷ୍ଟତା ନୁହେଁକି? ସବୁଠୁ ରୋଚକ କଥାଟି ହେଉଛି ଯେ ଓଡ଼ିଶାର କୌଣସି ୟୁନିଭର୍ସିଟି ବର୍ତମାନ ସୁଦ୍ଧା ସୂଚନାପ୍ରଯୁକ୍ତିକୁ ପ୍ରୟୋଗ କରି ନାହାନ୍ତି। ସବୁଠି କିରାଣୀ ପୋଷା ହେଉଛି। ଆଉ ଲୋକଙ୍କ ବିଶ୍ୱାସ ଆସିବା ପରେ ୧୦ ବର୍ଷିଆ ଯୋଜନା କିଭଳି ହେବ? କାରଣ ପ୍ରତି ମାସରେ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ଆବିଷ୍କାର ସ୍ଥାନ ନେଉଛି। ତେଣୁ ୧୦ ବର୍ଷିଆ ଯୋଜନା କେବଳ ଏକ ଆନୁମାନିକ ବ୍ୟୟଆକଳନ ହୋଇ ରହିବ। ସବୁଠୁ ବିଡ଼ମ୍ବନାର କଥାଯେ ସେହି ବୈଠକରେ “ରାଷ୍ଟ୍ରୀୟ ସୂଚନାବିଜ୍ଞାନ କେନ୍ଦ୍ର”(NIC)ର କୌଣସି ଅଧିକାରୀଙ୍କୁ ସାମିଲ କରାଯାଇନାହିଁ। ଦେଖିବାକୁ ରହିଲା, ଗତାନୁଗତିକ ଧାରାରେ ପଂଝାଏ କନ୍‌ସଲ୍‌ଟାଣ୍ଟ୍‌ ପୋଷା ହୋଇ ମୋଟା ମୋଟା ଡିପିଆର୍‌ ପ୍ରସ୍ତୁତ ହେବ କି ଅନ୍ୟ କିଛି ବାସ୍ତବ କାମ ହୋଇ ପାରିବ?

(ଆମ୍ଭର ଉପରୋକ୍ତ ବକ୍ତବ୍ୟର ଏକ ସଂପାଦିତ ରୂପ ଅଂଶ କିଛି ଦିନ ତଳେ ‘ନିତିଦିନ’ର ପ୍ଲାଟଫର୍ମରେ ପ୍ରକାଶ ପାଇଅଛି)

ଅବଶ୍ୟ ପଠନୀୟ:

कोई टिप्पणी नहीं:

एक टिप्पणी भेजें