09 फ़रवरी 2016

ବିଧୁର ବିପିନ ଓ ବିଧବା ମମତା - ଏକ ନିରୁତା ଦାମ୍ପତ୍ୟ


ପ୍ରେମ ନୁହେଁ କେବଳ ବିବାହର ବନ୍ଧନ। ବରଂ ଏହା ତ୍ୟାଗ ଓ ତପସ୍ୟାର ନିଦର୍ଶନ। ଏଭଳି ବିବୃତିକୁ ସତ ପ୍ରମାଣିତ କରିଛନ୍ତି କୋରାପୁଟର ବିପିନ ଓ ମମତା। ମମତାଙ୍କ ମଥାରେ ନାହିଁ ବିପିନଙ୍କ ସିନ୍ଦୁର ଅଥବା ମମତାଙ୍କ ଗର୍ଭରୁ ସନ୍ତାନ। ତଥାପି ଦୁହେଁ ଏକାଠି ଓ ଏକପ୍ରାଣ। କେମିତି ସମ୍ଭବ ୟେ?

ଏକ ଶୀତୁଆ ଅପରାହ୍ଣରେ ଢେଙ୍କାନାଳ ସହରର ଶ୍ୟାମାଚରଣପୁର ଷ୍ଟେସନରେ ଭେଟ ହୁଏ ବିପିନ ଓ ମମତାଙ୍କ ସହ। ଭିଡ଼ ଭିତରେ ବାରି ହୋଇ ପଡୁଥିଲେ ଦିହେଁ। ଦାରିଦ୍ର୍ୟ ଭିତରେ ବି ଉଭୟଙ୍କ ମୁହଁରେ ନାହିଁ ଏତେ ଟିକେ ବିରସର ଛାପ। ନିଜର କିଛି ଘରକରଣା ସାମଗ୍ରୀ ଓ ଜରିପାଲର ଘର ଭିତରେ ଦିହେଁ ଥିଲେ ବେଶ୍‌ ଆଶ୍ଵସ୍ତ। ସେମାନଙ୍କ ସହ କଥା ହୁଅନ୍ତେ, ବିପିନ ବେଶ୍‌ ଆତ୍ମସନ୍ତୋଷର ସହ କହିଲେ, ‘‘ଆମେ ବାହା ହୋଇନୁ। ହେଲେ ତା’ଠୁ ବି ଅଧିକ ଆମ ଭିତରେ ଥିବା ସଂପର୍କ।’’ ତାଙ୍କ ବଖାଣରୁ ଜଣାପଡ଼ିଲା ଯେ ପ୍ରାୟ ୨୨ ବର୍ଷ ତଳେ ବିପିନଙ୍କ ବିବାହ ହୋଇଥିଲା ସୁନ୍ଦରଗଡ଼ର ଏକ ଆଦିବାସୀ ପରିବାରରେ। ଖୁବ୍‌ କମ୍‌ ଦିନ ଭିତରେ ଦୁଇ ପୁଅ ଓ ଦୁଇ ଝିଅଙ୍କ ବାପା ହେଲେ ସେ। ହସଖୁସିରେ ସଂସାର ଚାଲିଥିଲା। ହଠାତ୍‌ କେଉଁ ରୋଗରେ ପଡ଼ି ସ୍ତ୍ରୀ ବୀଣା ଆରପାରିକୁ ଚାଲିଗଲେ। ମାଆଛେଉଣ୍ଡ ହୋଇଗଲେ ପିଲାଏ। ଏମିତି ଦୁଇ ବର୍ଷ ବିତିବା ପରେ ପଡ଼ୋଶୀ ଗାଆଁର ମମତାଙ୍କ ସହ ଭେଟ ହୁଏ ବିପିନଙ୍କର। ମମତା ଜଣେ ନିଃସନ୍ତାନ ବିଧବା। ଆଦିବାସୀ ସମାଜରେ ବିଧବାମାନଙ୍କୁ ଡାହାଣୀ ଆଖ୍ୟା ଦେଇ ନିର୍ଯାତନା ଦିଆଯାଏ। ମମତାଙ୍କ ସହ ତାହା ହିଁ ହେଉଥିଲା। ଶାଶୂଘରର ଏମିତି ଗଂଜଣା ଭିତରେ ବିପିନଙ୍କ ସହାନୁଭୂତି ପାଆନ୍ତି ମମତା। ଉଭୟଙ୍କ ଭିତରେ ସଂପର୍କ ମଧୁର ଓ ମଜବୁତ ହୋଇଉଠେ। ବିପିନ ଶେଷରେ ମମତାଙ୍କୁ ନିଜର ଘରଣୀ କରି ନିଅନ୍ତି। ମାନେ, ନିଜ ଘରକୁ ନେଇ ଆସନ୍ତି। ହେଲେ ଏଥିରେ ଅସହିଷ୍ଣୁ ହୋଇ ଉଠନ୍ତି ଗାଆଁଲୋକେ ଏବଂ ଏ ଦିହିଁଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୁଅନ୍ତେ, ଏକ ନିଛାଟିଆ ବେଳାରେ ଦିହେଁ ଗାଆଁ ଛାଡ଼ି ଚାଲି ଆସନ୍ତି ଢେଙ୍କାନାଳ।

ନିଜ ପିଲାଙ୍କୁ ଭୁଲି ନାହାନ୍ତି ଏ ଦମ୍ପତି। ଷ୍ଟେସନରୁ ଜରି ଗୋଟାଇ ତାହାକୁ ଚୌଦ୍ଵାର ପ୍ଲାଷ୍ଟିକ୍‌ ଡିପୋରେ କିଲୋପ୍ରତି ୧୫ ଟଙ୍କାରେ ବିକ୍ରି କରନ୍ତି। ଏଥିରୁ ଯାହା ପାଆନ୍ତି, ଘରକୁ ପଠାନ୍ତି। ଇତି ମଧ୍ୟରେ ବଡ଼ ଝିଅକୁ ବିହା ଦେଲେଣି। ପିଲାଟୁକେଲଙ୍କ ସୁଖ ପାଇଁ ବିପିନ ମମତା ବିବାହ କଲେ ନାହିଁ। ସମାଜ ହୁଏତ ଏ ଦାମ୍ପତ୍ୟର ପରିଭାଷା ଖୋଜି ବୁଲୁଥିବ। ହେଲେ ବିପିନ ମମତା ଖୋଜୁଛନ୍ତି ଜୀବିକା ଓ ଜୀଇଁବାର ରାହା।


(ସୌଜନ୍ୟ: ‘ପ୍ରମେୟ’, ଭୁବନେଶ୍ଵର, ୮ ଫେବୃଆରି ୨୦୧୬, ସୋମବାର)

कोई टिप्पणी नहीं:

एक टिप्पणी भेजें