13 मार्च 2016

‘‘ଆମ ଓଡ଼ିଶା’’ ଓ ଓଡ଼ିଆ ଭାଷା


(ମ୍ବାଦ, ଭୁବନେଶ୍ଵର, ୪ ଅ୍ଟୋବର ୧୯୯୮, ରବିବାର, ୃଷ୍ଠା-୪ ‘ଆପଣଙ୍କ ପୃଷ୍ଠା’ରୁ)

ଯେକୌଣସି ମହତ କାର୍ଯ୍ୟ ପାଇଁ ଉଦ୍ୟୋକ୍ତାଙ୍କର ନିଜର ସମ୍ବଳ ନଥିଲେ କିଂବା କାର୍ଯ୍ୟର ସମର୍ଥକ ଓ ସହାୟକ ନଥିଲେ, ସେଥିପାଇଁ ପୃଷ୍ଠପୋଷକ ବା ପ୍ରାୟୋଜକ ଦରକାର ହୁଅନ୍ତି। ଏ ପରିପ୍ରେକ୍ଷୀରେ ଆମ ଓଡ଼ିଶା ଆନ୍ଦୋଳନ ଉଲ୍ଲେଖନୀୟ ଭାବେ ସଫଳ। ବ୍ୟାସକବି ଫକୀରମୋହନଙ୍କ ଠାରୁ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ପର୍ଯ୍ୟନ୍ତ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ଠାରୁ ଆଜିର କଂପ୍ୟୁଟର ଲିପି ପ୍ରଣେତାମାନଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ଓ ଅନେକ ପ୍ରୟାସ ଆଦୌ ବା ଆଶାଜନକ ସମର୍ଥନ ଓ ସହଯୋଗ ନପାଇ ବିଫଳ ହୋଇଛି। ଆମ ଓଡ଼ିଶା ନାମରେ ଡ. ତ୍ରିପାଠୀ ଓ ସମ୍ବାଦ ପରିବାରର ନିଷ୍ଠାପର ଉଦ୍ୟମ ପଛରେ ଓଡ଼ିଶାର ସହସ୍ରାଧିକ ବ୍ୟକ୍ତିଙ୍କର ସହଯୋଗ ଓ ସମର୍ଥନ ଥିବାରୁ ଫଳସ୍ଵରୂପ ଏହି ଆନ୍ଦୋଳନ ଦ୍ଵାରା ଓଡ଼ିଆ ଭାଷା ଓ ଲିପିରେ ଅଭୂତପୂର୍ବ ସଂସ୍କାର ଆସିପାରିବ। କିନ୍ତୁ ପ୍ରାଶାସନିକ ସହଯୋଗ ଓ ସରକାରୀ ଆଇନ ପ୍ରଣୟନ ବିନା ସବୁ ପ୍ରକାର ସଂସ୍କାର କେବଳ ଇତିହାସ ପୃଷ୍ଠାରେ ରହିବ ସିନା ସବୁଦିନିଆ ଉପକାରରେ ଲାଗିବ ନାହିଁ। 

ଅଳ୍ପଦିନ ତଳେ ଭୁବନେଶ୍ଵରର ସୂଚନାଭବନ(ଏବେର ଜୟଦେବଭବନ)ଠାରେ ଆମ ଓଡ଼ିଶାର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ପ୍ରତିଶ୍ରୁତି ପ୍ରଣିଧାନଯୋଗ୍ୟ। ଆମ ମୁଖ୍ୟମନ୍ତ୍ରୀ ଆଗରୁ ଦୁଇଟି ଅବଧି ପୂରଣ କରି ସାରିଛନ୍ତି। ସେତେବେଳେ ସେ ଓଡ଼ିଆ ଭାଷାରେ ପ୍ରାଶାସନିକ କାଗଜପତ୍ର କରିବା ଉପରେ ଜୋର ଦେଇଥିଲେ ଏବଂ ଆଂଶିକ ସଫଳ ହୋଇଥିଲେ। ମାତ୍ର ସେତେବେଳେ ଆମ ଓଡ଼ିଶାର ଜନ୍ମ ହୋଇ ନଥିଲା। ଏଥର ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ସେ ପୁରୁଣା ନିଷ୍ପତ୍ତିର ପୁନରାବୃତ୍ତି କରିବା ସହ ଓଡ଼ିଆ ଭାଷାର ପ୍ରୟୋଗକୁ କଡ଼ାକଡ଼ି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସୁଖର କଥା ଯେ ଏବେ ଆମ ଓଡ଼ିଶା ଭଳି ଏକ ଆନ୍ଦୋଳନ କାର୍ଯ୍ୟ କରୁଛି ଏବଂ ଏହାର ଅନେକଗୁଡ଼ିଏ ସଂସ୍କାର ପଛରେ ହଜାର ହଜାର ବୁଦ୍ଧିଜୀବୀ, ପଣ୍ଡିତ, ଶିକ୍ଷିତ ଓ ଭାଷାବିଜ୍ଞାନୀମାନଙ୍କ ସମର୍ଥନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଲିପି ଓ ଭାଷା ସଂସ୍କାର ପାଇଁ ଆଇନ ପ୍ରଣୀତ ହେଲେ, ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ ହେବେ। 

ପ୍ରଥମ ଦଫାରେ ଆମ ଓଡ଼ିଶା ତରଫରୁ ଓଡ଼ିଆ ଭାଷାରେ ବ୍ୟବହୃତ ଅନୁନାସିକ୍ୟ ଯୁକ୍ତାକ୍ଷରଗୁଡ଼ିକର ଉଚ୍ଛେଦ ପାଇଁ ଚାଲିଥିବା ଉଦ୍ୟମ ସ୍ଵାଗତଯୋଗ୍ୟ। ମୋଟ ୨୦ଟି ବର୍ଗ୍ୟ ଅନୁନାସିକ୍ୟ ଯୁକ୍ତାକ୍ଷର ମଧ୍ୟରୁ ଙ୍କ ଅକ୍ଷରଟି ଉଠାଇବା ଆଦୌ ବିଜ୍ଞାନସମ୍ମତ ନୁହେଁ। ଅବଶିଷ୍ଟ ୧୯ଟି ଅନୁନାସିକ୍ୟ ଯୁକ୍ତାକ୍ଷରର ସମଦାୟ ବ୍ୟବହାର ଯେତିକି, କେବଳ ଙ୍କର ବ୍ୟବହାର ସେଗୁଡ଼ିକ ଠାରୁ ଯଥେଷ୍ଟ ବେଶି। ଙ୍କ ଏକ ବିଭକ୍ତିସୂଚକ ଶବ୍ଦାଂଶ। ତେଣୁ ଏହାର ଉଚ୍ଛେଦ କରିବାକୁ ଯାଇ, ମୂଳ ଶବ୍ଦର ଶେଷ ଅକ୍ଷର ପରେ ଅନୁସ୍ଵାର ଯୋଗ କରି ‘କ’ ଲେଖିବାଟା  ଯୁକ୍ତିସମ୍ମତ ନୁହେଁ କି ବିଜ୍ଞାନ ସମ୍ମତ ମଧ୍ୟ ନୁହେଁ। ଏହି ଙ୍କ ଯୁକ୍ତାକ୍ଷରଟିକୁ ଉଚ୍ଛେଦ କରାଯାଇପାରିବ ନାହିଁ। ଏଥିପାଇଁ କେତୋଟି ଉଦାହରଣ ଦେଲେ ସହଜରେ ବୁଝିହେବ:-
୧. ‘‘ରବି ସିଂଙ୍କ କବିତାରେ ସାମ୍ୟବାଦୀ ଚିଂତାଧାରା’’କୁ ‘‘ରବି ସିଂଂକ…’’ ବା ‘‘ରବି ସିଂକ…’’ ଲେଖିବାଟା ନିହାତି ଅବାନ୍ତର;
୨. ସୁଂଦରନାରାୟଣ(ଡାଲୁ)ଙ୍କ ଘରକୁ ମୁଁ ଆସଂତାକାଲି ଯିବି। ଏ ବାକ୍ୟଟିକୁ ‘‘ସୁଂଦରନାରାୟଣଂ(ଡାଲୁ)କ….’’ ବା ‘‘ସୁଂଦରନାରାୟଣ(ଡାଲୁ)ଂକ…’’ ଲେଖିବାଟା ନିହାତି ଅସୁବିଧାଜନକ ଓ ଅବାନ୍ତର। କେବଳ ଏତିକି ନୁହେଁ, ‘ଙ୍କ’ ଅକ୍ଷରଟି ଓଡ଼ିଆ ବ୍ୟାକରଣ ସହ ସଂଶ୍ଳିଷ୍ଟ ଥିବାରୁ ଏପରି ପ୍ରୟୋଗ ଅସମୀଚୀନ। ଏଣୁ ଅଂକ, ଶଂକର, ଢାଂକୁଣି ଲେଖିବା ଦ୍ଵାରା ଓଡ଼ିଆ ଭାଷା ହୁଏତ ଜଟିଳ ହୋଇପାରେ। ସୁତରାଂ ‘ଙ୍କ’ର ଉଚ୍ଛେଦ ଅନାବଶ୍ୟକ ଓ ଅସଂଭବ। ଙ୍ଖ ଠାରୁ ମ୍ଭ ପର୍ଯ୍ୟନ୍ତ ୧୯ଟି ଅନୁନାସିକ୍ୟ ଯୁକ୍ତାକ୍ଷରର ଉଚ୍ଛେଦ ସମ୍ଭବ ଓ ଜରୁରୀ।

ଖି, ଥି, ଧି (ବି.ଦ୍ର. ଏବେର ଆଣ୍ଡ୍ରଏଡ଼୍‌ ଡିଭାଇସ୍‌ରେ ଏହି ଇ’କାର ତିନିଟି ଠିକ୍‌ ଦେଖାଯିବ) ଏବେ ବି କଂପ୍ୟୁଟରୀକୃତ ଓଡ଼ିଆ ଲିପିରେ ଚାଲୁ ରହିଛି। xxxx ଓଡ଼ିଆ ଲିପିରେ ଏକ ବଡ଼ ବିଡ଼ମ୍ବନା ୱ। ଅବର୍ଗ୍ୟ ‘ବର ଲିଖନ ଶୈଳୀ କୁଆଡ଼େ ଲୁଚିଯିବାରୁ ସେହି ସ୍ଥାନରେ ଏଭଳି ଏକ ଅକ୍ଷର ୧୫ ବର୍ଷ ହେଲା (ରଚନାକାଳ ୧୯୯୮ ମସିହାକୁ) ସୃଷ୍ଟି ହୋଇଛି। କଂପ୍ୟୁଟରରେ ଏହି ଅକ୍ଷରଟି ‘‘ଓ+୍‌+ବ’’ରୁ ସୃଷ୍ଟି ହୁଏ। ଅର୍ଥାତ୍‌ ଏକ ଯୁକ୍ତାକ୍ଷର ବା ଫଳାଯୁକ୍ତ ଅକ୍ଷର। ଯାହାକି ବିଜ୍ଞାନସମ୍ମତ ନୁହେଁ। ଅବର୍ଗ୍ୟ ‘ବ’ର ଲିଖନ ଶୈଳୀର ପୁନରୁଦ୍ଧାର ହେଲେ ବା ନୂଆକରି ସ୍ଥିର କରାଗଲେ ଅଥବା ‘‘ଖ, ଥ, ଧ’’ରେ ଇ’କାର ପାଇଁ ଯେଉଁ ମାତ୍ରା ବ୍ୟବହୃତ ହେଉଛି, ତାହାକୁ ଉଚ୍ଛେଦ କରି ସେଠାରେ ଅବର୍ଗ୍ୟ ‘ବ’କୁ ଅବସ୍ଥାପିତ କରାଯାଇପାରନ୍ତା।

ଏତେ ସବୁ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ନିଦରୁ ଉଠାଇବା ନିହାତି ଜରୁରୀ। ଏଥିପାଇଁ ଲୋକସଚେତନତା ବ୍ୟାପକ ହେବା ଆବଶ୍ୟକ। ଲୋକସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମକୁ ହିସାବକୁ ନେଲେ ସର୍ବାଧିକ ପ୍ରତିଶତ ଲୋକଙ୍କୁ ଏହାଦ୍ଵାରା ସଚେତନ କରିବା ସମ୍ଭବ ନୁହେଁ। କାରଣ ଓଡ଼ିଶାରେ ଗଣମାଧ୍ୟମର ବ୍ୟବହାର ବେଶ୍‌ ନଗଣ୍ୟ।

ପୁନଶ୍ଚ ମୁଷ୍ଟିମେୟ ବୁଦ୍ଧିଜୀବୀ ମତ ଦେଇଛନ୍ତି ‘‘ଭାଷାରେ କ’ଣ ପେଟ ପୂରିବ?’’ ଅର୍ଥାତ୍‌ ଆମ ରାଜ୍ୟରେ ‘ପେଟ ପୂରିବା’ଟା ଏକମାତ୍ର ଓ ପ୍ରଧାନ ସମସ୍ୟା, ଯାହାର ସମାଧାନ ଅନ୍ୟ କୌଣସି ସମସ୍ୟାର ସମାଧାନ ପୂର୍ବରୁ ହେବା ଆବଶ୍ୟକ। ଏତେ ସଂଶୟ ବାହାରେ ଗୋଟିଏ ପ୍ରକୃଷ୍ଟ ବାଟ ହେଉଛି – ନୂଆ ଶିକ୍ଷା ବର୍ଷ ପ୍ରାରମ୍ଭରେ ଲିପି ଶିକ୍ଷା ପାଇଁ ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାକେନ୍ଦ୍ରଗୁଡ଼ିକରେ ଚାଲୁଥିବା ବହିଗୁଡ଼ିକର ସଂଶୋଧିତ ସଂସ୍କରଣର ପ୍ରକାଶନ। ଏଥିପାଇଁ ଆମ ଓଡ଼ିଶାର ସହସ୍ରାଧିକ ସଦସ୍ୟଙ୍କର ଦାବି ଉପସ୍ଥାପନ ଅନାବଶ୍ୟକ।

ଚିଠି ପଠାଳି: ବିମଳ ପ୍ରସାଦ, ଭୁବନେଶ୍ଵର                                              (ସମ୍ବାଦରେ ପ୍ରକାଶିତ ଚିଠିଟିର ସଂପାଦିତ ଅଂଶ)