17 मार्च 2016

ସଡ଼କ, ବିଜୁଳି, ପାନୀୟଜଳ ଓ ଭାଜପା


(ପ୍ରଥମ ପ୍ରକାଶ: ‘ସମ୍ବାଦ’, ୧୯ ଜାନୁଆରି ୨୦୦୪, ସୋମବାର, ସଂପାଦକୀୟ ପୃଷ୍ଠା, ପୃଷ୍ଠାଙ୍କ ୬)

ଦେଶରେ ଆଜି ସୁଦ୍ଧା ଭୋଟ୍‌ ଜିଣିବାକୁ ରାଜନୀତି ଚାଲିଆସିଛି। ଏହି କ୍ରମରେ ଭାଜପା ଏବେ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ଭାରତବାସୀଙ୍କ ସମର୍ଥନ ଓ ସହୃଦୟତା ଠୁଳାଇବାକୁ ଉଦ୍ୟମ ଆରମ୍ଭ କରିଛି। ସବୁଠୁ ଉତ୍ସାହପ୍ରଦ ପ୍ରସଙ୍ଗଟି ହେଲା – ବିକାଶର ସମସାମୟିକ ପରିଭାଷାରେ ଭାରତରେ ସଡ଼କ, ବିଜୁଳି ଓ ପାନୀୟଜଳର ସମସ୍ୟା ଦୂର କରିବା ବା ଏଗୁଡ଼ିକର ସୁଗମ ଓ ସୁଲଭ ଉପଲବ୍ଧି ପାଇଁ ନିର୍ମାଣ କାର୍ଯ୍ୟ ସଂପନ୍ନ କରିବା। ଏଥିପାଇଁ ଭାଜପାର ସ୍ଲୋଗାନ୍‌ ଆରମ୍ଭ ହୋଇଯାଇଛି। ବିସ୍ମୟର କଥା ଯେ ସ୍ଵାଧୀନ ଭାରତର କୌଣସି ରାଜନେତା ବା ରାଜନୀତିକ ଦଳ ଆଜି ସୁଦ୍ଧା ଏହି ପ୍ରସଙ୍ଗଗୁଡ଼ିକୁ ଏକତ୍ରିତ ଭାବେବ ଅଥବା ସର୍ବପ୍ରଧାନ ଭାବେ ଦେଖି ନଥିଲେ। ଅବଶ୍ୟ ମହାତ୍ମା ଗାନ୍ଧୀ ତାଙ୍କ ଗ୍ରାମ ସ୍ଵରାଜ ଦର୍ଶନରେ ଏ ପ୍ରସଙ୍ଗଗୁଡ଼ିକ ଉପରେ ବେଶ୍‌ ସ୍ପଷ୍ଟ ମତ ରଖିଛନ୍ତି। ‘‘ଗରିବୀ ହଟାଓ’’, ‘‘ହଜାରେ ଦିନରେ ହଜାରେ ଶିଳ୍ପ’’, ‘‘ଖଟିଖିଆ ସର୍ବହରା ଦିନମୁଜରିଆଙ୍କ ସ୍ଵାର୍ଥ ରକ୍ଷା’’, ‘‘ମାଆକୁ ସମ୍ମାନ, ଗାଆଁକୁ କାମ’’, ‘‘ଆଦିବାସୀ ଓ ଦଳିତ ବର୍ଗର ପ୍ରଗତି’’, ‘‘ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା’’, ‘‘ତୃଣମୂଳର ଅଭ୍ୟୁତ୍‌ଥାନ’’ ପ୍ରଭୃତି ଅନେକ ସ୍ଲୋଗାନ ଓ ଅନେକ ଦର୍ଶନ ଏବେ ଉପରୋକ୍ତ ତିନିଟି ପ୍ରସଙ୍ଗ ନିକଟରେ ମଳିନ ପଡ଼ିଯାଇଛି। ଅତୀତର ସ୍ଲୋଗାନ୍‌ ଓ ଦର୍ଶନଗୁଡ଼ିକ କେବଳ ଆବେଗପ୍ରବଣ ଥିଲା ଏବଂ ନିର୍ଦିଷ୍ଟ ବର୍ଗକୁ ଧ୍ୟାନ ଦେଉଥିଲା। କିନ୍ତୁ ସଡ଼କ, ବିଜୁଳି ଓ ପାନୀୟଜଳ ସବୁ ବର୍ଗର (ଧନୀ-ଗରିବ, ସବର୍ଣ-ଅସବର୍ଣ, ପାଠୁଆ-ଅପାଠୁଆ, ନାରୀ-ପୁରୁଷ, ଶିଶୁ-ବୃଦ୍ଧ ସମସ୍ତଙ୍କର) ଅଭାବବୋଧ ଓ ଆବଶ୍ୟକତାକୁ ପ୍ରତିନିଧିତ୍ଵ କରୁଛି। ଅବଶ୍ୟ ୫୭ ବର୍ଷର ଏକ ରାଷ୍ଟ୍ରରେ ନାଗରିକମାନଙ୍କ ପାଇଁ ତିନିଟି ସର୍ବନିମ୍ନ ଆବଶ୍ୟକତାକୁ ସ୍ଲୋଗାନ୍‌ କରିବା ଦ୍ଵାରା ଯେତିକି ଗର୍ବ ଲାଗିବ, ସଭ୍ୟ ରାଷ୍ଟ୍ରର ସମାଲୋଚକମାନଙ୍କ ପାଖରେ ନିଜକୁ ସେତିକି ଲଜ୍ଜିତ ହେବାକୁ ପଡ଼ିବ। ଅନ୍ୟ ପକ୍ଷରେ ଏତେ ବର୍ଷ ଧରି ଶାସକମାନେ କ’ଣ କରୁଥିଲେ ବୋଲି ହୁଏତ ନବଦାୟାଦମାନେ ପ୍ରଶ୍ନ କରିବାକୁ ସାହସ ପାଇଯିବେ।

ସହରବାସୀଙ୍କ ପାଇଁ ସଡ଼କ, ବିଜୁଳି, ପାନୀୟଜଳ ପ୍ରସଙ୍ଗକୁ ବୁଝିବାରେ ଅସୁବିଧା ନାହିଁ। କିନ୍ତୁ ମଫସଲର ମଣିଷଙ୍କ ପାଇଁ ଏହାର ପରିଭାଷାରେ ସାମାନ୍ୟ ସଂଶୋଧନ ଆବଶ୍ୟକ। ଗ୍ରାମବାସୀମାନଙ୍କ ପାଇଁ ସନଖ, ବିଜୁଳି, ପାନୀୟଜଳ ସହ ସେଚଜଳ ଆବଶ୍ୟକ। ସେଚଜଳ କିଣିବାକୁ ଚାଷୀ ପ୍ରସ୍ତୁତ। କିନ୍ତୁ ଯଥା ସମୟରେ ଓ ଯଥେଷ୍ଟ ପରିମାଣରେ ସେଚଜଳ ଯୋଗାଣ ଆବଶ୍ୟକ। ସବ୍‌ସିଡ଼ିରେ ସାର ଓ ପୋକମରା ଯୋଗାଣ ଅଥବା ମାଗଣାରେ ବିହନ ଯୋଗାଣ ଅପେକ୍ଷା ସେଚଜଳୀ ପ୍ରାଧାନ୍ୟ ଏକ ନମ୍ବର। ଏପରିକି କୃଷି ଋଣ ପ୍ରଦାନ ବା କୃଷି ଋଣ ଛାଡ଼ ମଧ୍ୟ ସେତେ ଗୁରୁତ୍ଵପୂର୍ଣ ନୁହେଁ। ଏ କଥାକୁ ସବୁ ଦଳର ରାଜନେତା ବୁଝିନେବା ଆବଶ୍ୟକ। ଅନ୍ୟ ପକ୍ଷରେ ବିଜୁଳି ବା ଇଲେକ୍ଟ୍ରିସିଟି ଯୋଗାଣଏବେ ସୁଦ୍ଧା ଗ୍ରାମାଞ୍ଚଳରେ ସହଜଲବ୍ଧ ଓ ସହଜସାଧ୍ୟ ହୋଇ ନାହିଁ। ଗ୍ରାମାଞ୍ଚଳରେ ବିଜୁଳି ସଂକ୍ରାନ୍ତ ସମସ୍ୟାଗୁଡ଼ିକୁ ଆପଣମାନେ ବେଶ୍‌ ଭଲ ଭାବେ ଜାଣନ୍ତି। ଏଥିପାଇଁ ବିକଳ୍ପ ଶକ୍ତି ଉତ୍ସଗୁଡ଼ିକୁ ପ୍ରୟୋଗସାଧ୍ୟ କରିବାର ଆବଶ୍ୟକତା ରହିଛି।

ଆକାଶପଥ, ଜଳପଥ, ଏପରିକି ରେଳପଥକୁ ପ୍ରୟୋଗ କରିବା ଦିଗରେ ବିଜ୍ଞାନ ଯେତେ ଆଗେଇଲେ ବି ସଡ଼କପଥକୁ ଏଡ଼ାଇ ଯିବାର କୌଣସି ସ୍ଥାୟୀ ସୂତ୍ର ବାହାରି ନାହିଁ। ବବିକଶିତ ଦେଶମାନେ ସଡ଼କପଥର ପ୍ରୟୋଗ କରିବାରେ ସଫଳ ହୋଇଥିଲେ ସୁଦ୍ଧା ସଡ଼କପଥର ଗୁରୁତ୍ଵକୁ ଏଡ଼ାଇ ପାରି ନାହାନ୍ତି। କିନ୍ତୁ ଆମ ଦେଶରେ ପରିସ୍ଥିତି ସଂପୂର୍ଣ ଭିନ୍ନ। ଏଠାରେ ସଡ଼କ ହିଁ ସମୃଦ୍ଧିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ବିଳମ୍ବରେ ହେଲେ ସୁଦ୍ଧା ଦେଶର କେତେକ ରାଜନେତାକୁ ମୁଣ୍ଡକୁ ଏକଥା ବେଶ୍‌ ଭଲ ଭାବବରେ ଢୁକିଛି। ଏହା ହିଁ ଦେଶ ପାଇଁ ଶୁଭସଂକେତ। ବିକାଶ ସହ ସଂଶ୍ଳିଷ୍ଟ ଅନେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟ ଘରୋଇ ସଂସ୍ଥାମାନେ କରୁଥିବା ବେଳେ ନିଜ ଖର୍ଚରେ ସଡ଼କ ନିର୍ମାଣ ଓ ସଡ଼କ ରକ୍ଷଣାବେକ୍ଷଣ ଅନ୍ୟ କେହି କରୁ ନାହାନ୍ତି। ଏହି କାର୍ଯ୍ୟଗୁଡ଼ିକ ବିଲ୍‌କୁଲ୍‌ ସରକାରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ହୋଇ ରହିଆସିଛି। ଏଣୁ ସଡ଼କ ନିର୍ମାଣ ଦିଗରେ ସରକାରଙ୍କ ସୁଚିନ୍ତିତ ହସ୍ତକ୍ଷେପ ଓ ପଦକ୍ଷେପ ଜରୁରୀ ହୋଇ ରହିଛି।

ଗ୍ରାମାଞ୍ଚଳରେ ସଡ଼କର ପରିଭାଷା ମାମୁଲି ଓ ଭିନ୍ନ ହେଲେ ମଧ୍ୟ ନିର୍ଦିଷ୍ଟ ଭାବେ ଏକାଧିକ ସଡ଼କ ନିର୍ମାଣ ସ୍କିମ୍‌ ପ୍ରଚଳନ କରାଯାଇ ଏ ଦିଗରେ ପପ୍ରଗତି ଓ ପରିବର୍ତନ ଆଣିବାକୁ ଉଦ୍ୟମ ଚାଲିଛି। କେତେକ ସଫଳତା ମଧ୍ୟ ମିଳିଲାଣି। ଏ କ୍ଷେତ୍ରରେ ଏକ ବୃହତ୍‌ କାର୍ଯ୍ୟକ୍ରମ ହେଲା ‘‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’’। ଓଡ଼ିଶାରେ ଏହି କାର୍ଯକ୍ରମଟି ବିଫଳ ହୋଇଥିଲେ ମଧ୍ୟ ଶାସକଦଳଗୁଡ଼ିକର ରାଜନେତାମାନଙ୍କର ନିଘା ନାହିଁ। ରାଜନୀତିକ ସଚେତନତା ସୃଷ୍ଟି କରୁଥିବା କୌଣସି ଅଣରାଜନୀତିକ ସଂଗଠନ ଯଦି ଓଡ଼ିଶାରେ ସକ୍ରିୟ ହୋଇଉଠିବେ, ତେବେ କଥା ସରିଯିବ। ଉକ୍ତ ସଡ଼କ ନିର୍ମାଣ ସ୍କିମ୍‌ଟିରେ ଗତାନୁଗତିକ ଭାବେ ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରିକା ଚାଲୁ ରହିଛି। ଏହା ଆଢୁଆଳରେ ପ୍ରଶାସକ-ପ୍ରତିନିଧି(ରାଜନେତା)ମାନଙ୍କ ଅପକର୍ମକୁ ମଧ୍ୟ ଆଖି ବୁଜିଦେଇ ହେବ ନାହିଁ। ଏହି କାର୍ଯ୍ୟରେ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଥିଲେ ମଧ୍ୟ କେଉଁଠି ସ୍ଵାଭିମାନର ସ୍ଵର ଶୁଣାଯାଉ ନାହିଁ। 

ଆଜିକାଲି ସଡ଼କର ପ୍ରୟୋଗ ଓ ସଡ଼କ ଉପରେ ଆମର ନିର୍ଭରଶୀଳତା କେତେ ଓ କିପରି, ଏକଥା କୌଣସି ଅଧମ ବା ନିର୍ବୋଧକୁ ମଧ୍ୟ ବୁଝାଇବା ଅନାବଶ୍ୟକ। ଆଜିକୁ ୧୦ ବର୍ଷ ତତଳେ କେତେ ଜଣ ବନ୍ଧୁଙ୍କ ସହ ଏକ ଜୋରଦାର ବିତର୍କ ହୋଇଥିଲା। ଦେଶରେ ବିକାଶର ସୂଚକଗୁଡ଼ିକୁ ଶିକ୍ଷା, ସ୍ଵାସ୍ଥ୍ୟ, ପୌଷ୍ଟିକତା, ଦୂରସଂଚାର, ବନ୍ୟସଂପଦ ଇତ୍ୟାଦିରେ ମାପ କରାଯାଉଥିବା ବେଳେ ସଡ଼କ ଯୋଗାଯୋଗ ପ୍ରସଙ୍ଗକୁ ସମସ୍ତେ ଭୁଲି ଯାଉଥିଲେ। କିନ୍ତୁ ଦେଶର ପରିସ୍ଥିତିକୁ ଦେଖି କେତେଜଣ ଯୁକ୍ତି ବାଢ଼ିଥିଲୁ ଯେ କେବଳ ପକ୍କା ଓ ଚିକ୍କଣ ସଡ଼କ କରାଯାଇପାରିଲେ, ଦେଶବାସୀଙ୍କ ସାମାଜିକ-ଶୈକ୍ଷିକ-ମାନସିକ-ବୌଦ୍ଧିକ-ଅର୍ଥନୀତିକ-ବାଣିଜ୍ୟିକ-ସାଂସ୍କୃତିକ ବିକାଶ ନିହାତି ସହଜ ହୋଇଯିବ। ଉଦାହରଣ:(୧) ପାଠପଢ଼ିବା ପାଇଁ ପ୍ରତି ଗାଆଁରେ ସ୍କୁଲ୍‌ ବସାଇବା ଅନାବଶ୍ୟକ ଓ ଅସମ୍ଭବ। ବରଂ ସଡ଼କ ଓ ସ୍କୁଲ୍‌ ବସ୍‌ ହିଁ ପ୍ରକୃଷ୍ଟ ସମାଧାନ। (୨) ଚିକିତ୍ସା ପାଇଁ ପ୍ରତି ପଞ୍ଚାୟତରେ ଡାକ୍ତରଖାନା ବସାଇବା ଖର୍ଚବହୁଳ ଓ ଅବାଂଛିତ। ସଡ଼କ ଓ ଆମ୍ବୁଲାନ୍‌ସ୍‌ ହିଁ ଉପଯୁକ୍ତ ସମାଧାନ। ଏପରି ଅନେକ ବାସ୍ତବ ପନ୍ଥାକୁ ଆମେ ଅଙ୍ଗେ ନିଭାଉଥିଲେ ସୁଦ୍ଧା ସେଗୁଡ଼ିକ ଉପରେ ଗଭୀର ଓ ଗମ୍ଭୀର ଭାବେ କେବେ ଭାବି ନାହୁଁ। ଭାଜପା ଏବେ ସଡ଼କ, ବିଜୁଳି ଓ ଜଳକୁ ସ୍ଳୋଗାନ୍‌ କରିବାକୁ ସ୍ଥିର କରି ରାଜ୍ୟବାସୀଙ୍କ ଭିତରେ ଏକ ନବଜାଗରଣ ଆଣିବାକୁ ପ୍ରୟାସ କରୁଛି। 

ସଡ଼କ, ପାନୀୟଜଳ କଥା କହିଲା ବେଳେ କୌଣସି ସଭ୍ୟ ନାଗରିକ ମନକୁ ପରିମଳ ପ୍ରସଙ୍ଗ ଛାଏଁ ଆସିଯାଏ। ପରିମଳ ସମସ୍ୟାର ସମାଧାନ କରିବା ଏବେ ଉଭୟ ସହର ଓ ମଫସଲ ପାଇଁ ଏକ ବଡ଼ ଆହ୍ଵାନ। ଖୁବ୍‌ ଶୀଘ୍ର ହୁଏତ ଏହି ମୌଳିକ ଓ ସାର୍ବଜନୀନ ସମସ୍ୟା ପ୍ରତି ଶାସକ ଓ ନୀତିପ୍ରଣେତାମାନେ ସଚେତନ ହୋଇଯିବେ।

ଲେଖକ: ବିମଳ ପ୍ରସାଦ

कोई टिप्पणी नहीं:

एक टिप्पणी भेजें