21 अप्रैल 2016

ଚମ୍ପୁଆରେ ସନା ସାମ୍ରାଜ୍ୟର ଉଚ୍ଛେଦ

୨୨ ଏପ୍ରିଲ୍‌ ୨୦୧୬, ଶୁକ୍ରବାର। ଓଡ଼ିଶା ଇତିହାସରେ ଯୋଡ଼ିପାରେ ଏକ ନୂଆ ଅଧ୍ୟାୟ। କାରଣ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମୁତାବକ ବିଶିଷ୍ଟ ଖଣିଜ ବ୍ୟବସାୟୀ, ବିତ୍ତଶାଳୀ ବ୍ୟକ୍ତି ତଥା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜବରଦଖଲ ଜମିକୁ ଦଖଲକୁ ନେବ ଓଡ଼ିଶା ପ୍ରଶାସନ। ସତରେ ଦଖଲକୁ ନେବ କି ଧର୍ମକୁ ଆଖିଠାର ଭଳି ସବୁ ଦେଣନେଣ ମୁତାବକ ହେବ, ତାହା ଦେଖିବାକୁ ଜନସାଧାରଣ ଯେତିକି ଉତ୍ସୁକ, ଟିଭି ଚ୍ୟାନେଲବାଲା ନିଜ କ୍ୟାମେରାରେ ତୋଳି ନେବାକୁ ସେତିକି ବ୍ୟଗ୍ର। ସନାତନ ବାବୁଙ୍କ ପାଖରେ ଟଙ୍କାର ଅଭାବ ନାହିଁ। ଯଦି ସେ ଏହି ବିଶ୍ଵାସରେ ଜବରଦଖଲ ଉଚ୍ଛେଦକୁ ସହଯୋଗ କରନ୍ତି। ଅର୍ଥାତ୍‌ ସମର୍ଥନ କରନ୍ତି। ତେବେ ଓଡ଼ିଶାରେ ଆଧ୍ୟାତ୍ମିକତାର ଅଭ୍ୟୁଦୟ ହେଲା ବୋଲି ବିବେଚନା କରାଯିବ ଏବଂ ସନାତନଙ୍କ ଲୋକପ୍ରିୟତା କେବଳ ଚମ୍ପୁଆରେ ନୁହେଁ, ସାରା ରାଜ୍ୟରେ ବଢ଼ିଯିବ। କିନ୍ତୁ ତାଙ୍କ ପାଖଲୋକମାନେ, ତୋଷାମଦିଆମାନେ, ଆଇନ ଉପଦେଷ୍ଟାମାନେ, ଚାମଚାମାନେ ଯେମିତି ଉପଦେଶ ଦେଇଥିବେ, ଖେଳ ସେମିତି ହେବ।

ପୂରା ଫିଲ୍ମଶୈଳୀରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି ଓଡ଼ିଶାର ଉତ୍ତର ସୀମାନ୍ତ ସହର ଚମ୍ପୁଆରେ। ଝାଡ଼ଖଣ୍ଡ ସୀମାକୁ ଲାଗିଛି। ଝାଡ଼ଖଣ୍ଡ ଏକଦା ଥିଲା ବିହାରରେ। ବିହାରରେ ବାହୁବଳ ଓ ବିତ୍ତବଳର ଶାସନ ଉପରେ ଅଧିକ ଆଲୋଚନା ଅନାବଶ୍ୟକ। ତେବେ ଯଦି ଠାକୁର ସାହାବଙ୍କ ଭଳି ହୁକୁମ ଚାଲେ, ତେବେ ଓଡ଼ିଶାରେ ବିହାରୀ ଢାଞ୍ଚାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ସନାତନଙ୍କ ସୁପୁତ୍ର ଏକ ଦାମ୍ପତ୍ୟ ଜୀବନ ଭୋଗ କରି ଗୋଟିଏ ଝିଅର ବାପା ହେବା ନେଇ ଜଣେ ମହିଳା ଦାବି କରୁଥିବା ବେଳେ ପୁଲିସଥାନାକୁ ସୁପୁତ୍ର ମହାକୁଡ଼ ଗଲେ ନାହିଁ। ବରଂ ତାଙ୍କ ପାଖକୁ ଆସିଲେ ଭୁବନେଶ୍ଵରରୁ ପୁଲିସ ଅଧିକାରିଣୀ। ଏହା ହିଁ ଠାକୁରଙ୍କ ହୁକୁମର ଏକ ପ୍ରାକ୍‌ ସୂଚନା। ସେହି ଭୁଲ୍‌ ପାଇଁ ସଂପୃକ୍ତ ପୁଲିସ୍‌ ଅଧିକାରିଣୀ ନିଲମ୍ବିତ ହେବେ ନାହିଁ। ଏଣେ ପୁଲିସ୍‌ ଅଧି୍କାରିଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଘଣ୍ଟ ଘୋଡ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଖୋଦ୍‌ ପ୍ରାଇଭେଟ୍‌ ଅଧିକାରୀ, ସନାତନଙ୍କୁ ଅଭୟ ଦେଉଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସୁପୁତ୍ରଙ୍କ ପ୍ରଥମ ଦାମ୍ପତ୍ୟ କ’ଣ ଟାଇମ୍‌ ପାସ୍‌ ଥିଲା କି ଆଇନଗତ ଥିଲା? ଏଥିନେଇ ରାଜ୍ୟର ମହିଳା ସଂଗଠନମାନେ ବା ମହିଳା କମିଶନ କେହି ବି ମୁହଁ ଖୋଲୁ ନାହାନ୍ତି। କଥାରେ ଅଛି: ପୁଳାଟଙ୍କା ଯାହାର, ସବୁ ବଳ ତାହାର। ତେଣୁ ଡିଏନ୍‌ଏ ଟେଷ୍ଟ ଭଳି ବିଜ୍ଞାନକୁ ବି ବେଖାତିର କରି ବେଫିକର ହୋଇ ବୁଲୁଛି ମହାକୁଡ଼ ପରିବାର। ଏହି ସବୁ ଦୃଶ୍ୟ ହେଉଛି ଅରାଜକତାର ନଗ୍ନ ଉଦାହରଣ।

ବର୍ଷେ ପରେ ସମସ୍ତେ ଭୁଲିଯାଇଥିବେ, ଏହି ଐତିହାସିକ ତାରିଖକୁ। ହେଲେ ଇଣ୍ଟରନେଟ୍‌ରେ ଅନୁସନ୍ଧାନଯୋଗ୍ୟ ହୋଇ ରହିଯିବ, ଏଇ କେତେ ଧାଡ଼ି ବିବୃତି ଓ ସୂଚନା।

ବନ୍ଦେ ଉତ୍କଳ ଜନନୀ।

कोई टिप्पणी नहीं:

एक टिप्पणी भेजें