12 अप्रैल 2016

ତାତି ଓ ତେନ୍ତୁଳି

୨୦୧୬ ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ଵର ସହରର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ହୋଇ ୫୦ ବର୍ଷର ରେକର୍ଡ଼ ଭାଙ୍ଗିଛି। ସାରା ରାଜ୍ୟରେ ଉଚ୍ଚତମ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସର୍ବନିମ୍ନ ତାପମାତ୍ରା ବି ପ୍ରାୟତଃ ୩୦ ଡିଗ୍ରୀ ରହିଛି। ତାପମାତ୍ରାକୁ ସମ୍ଭାଳିବା ପାଇଁ ଯଥେଷ୍ଟ ଗଛ ନଥିବା ବେଳେ ରାଜ୍ୟରେ ରାଜପଥ ସଂପ୍ରସାରଣ, ଶିଳ୍ପ ପ୍ରତିଷ୍ଠା ଓ ଖଣିଖାଦାନ ପାଇଁ କୋଟି କୋଟି ଗଛ କଟା ହୋଇଯାଇଛି। କିନ୍ତୁ ସେହି ଅନୁସାରେ ଗଛ ଲଗାଯାଇ ନାହିଁ। ଛାୟା ପ୍ରଦାୟକ ବର ଓ ଅଶ୍ଵତ୍ଥ ଭଳି ଗଛ ମଧ୍ୟ କମିବାରେ ଲାଗିଛି। ତେବେ ଗ୍ରୀଷ୍ମପ୍ରଧାନ ଭାରତବର୍ଷରେ ତାତିକୁ ସମ୍ଭାଳିବା ପାଇଁ ବିକଳ୍ପ ତଥାପି ରହିଛି। ସେହି ବିକଳ୍ପ ଆମକୁ ଦେଇଛି ପ୍ରକୃତି। ସବୁଠୁ ସହଜ ଓ ସୁଲଭ ଉପାୟଟି ହେଉଛି ତେନ୍ତୁଳିପାଣି। କିନ୍ତୁ ଦିନକୁ ଦିନ ତେନ୍ତୁଳି ଦୁର୍ଲଭ ହେବାରେ ଲାଗିଛି। ତେନ୍ତୁଳି ଏକ ଲଘୁ ବନଜାତ ଦ୍ରବ୍ୟ ବା ଅଣକାଷ୍ଠ ବନଜାତ ଦ୍ରବ୍ୟ(NTFP) ହିସାବରେ ଗ୍ରାମପଞ୍ଚାୟତ ନିୟନ୍ତ୍ରଣକୁ ଆସିବା ପରେ ବେଶି ଅବହେଳାର ଶିକାର ହୋଇଛି। ଏପରିକି ତେନ୍ତୁଳି ଗଛ ମଧ୍ୟ ରାଜ୍ୟରେ ଦୁର୍ଲଭ ହୋଇଗଲାଣି। ତେନ୍ତୁଳି ଗଛ ସହରରେ ଆଦୌ ଦେଖାଯାଉନଥିବା ବେଳେ ଗ୍ରାମାଞ୍ଚଳରେ ଅପହଞ୍ଚ ହୋଇଗଲାଣି। 

ତାତି ବୋଇଲେ ମଣିଷ ଶରୀରର ବର୍ଧିଷ୍ଣୁ ତାପମାତ୍ରା (Temperature)। ତାହା ବାହ୍ୟ ତାପମାତ୍ରା ବୃଦ୍ଧି କାରଣରୁ ହେଉ ଅବା ସଂକ୍ରମଣ ବା ରୋଗାକ୍ରାନ୍ତ ଶରୀର କାରଣରୁ ତାତି ବଢ଼ିଥାଏ। ଏହାକୁ ନିୟନ୍ତ୍ରଣ କରିବାର ଏକ ବିଶ୍ଵସନୀୟ ଦେଶୀ ବ୍ୟବସ୍ଥା ହେଲା ତେନ୍ତୁଳି ପାଣି। ଏହି ଦୁର୍ଲଭ ଯୁଗରେ ସେହି ତେନ୍ତୁଳିପାଣି କିଛି ପେଟକୁ ଯିବାର ଏକମାତ୍ର ମାଧ୍ୟମ ଥିଲା ଗୁପ୍‌ଚୁପ୍‌। ଜାଣତରେ ହେଉ ଅବା ଅଜାଣତରେ ହେଉ, ତାହାରି ମାଧ୍ୟମରେ ୫ରୁ ୫୦ ବର୍ଷ ବୟସର ସବୁ ମଣିଷ ଗୁପ୍‌ଚୁପ୍‌ ଖାଇ କିଛି ତେନ୍ତୁଳି ପାଣି ମଧ୍ୟ ଖାଇବାର ସୁଯୋଗ ନେଉଥିଲେ। ହେଲେ, ଏବେ କାମଳ ରୋଗର କାୟା ବିସ୍ତାର ହେଉଥିବାରୁ ତାହାକୁ ପ୍ରଶାସନ କଡ଼ାକଡ଼ି ବନ୍ଦ କରି ଦେଇଛନ୍ତି। ଏହା ବନ୍ଦ ହେବାର ଆବଶ୍ୟକତା ମଧ୍ୟ ଥିଲା। କିନ୍ତୁ ଲୋକମାନେ ଜାଣି ରଖିବା ଦରକାର ଯେ ଘରେ ଗଙ୍ଗାପାଣି, ମହୁ, ଘିଅ, ଆଚାର ସାଇତି ରଖିବା ଯେମିତି ଏକ ସମ୍ପନ୍ନ ଘରର ଲକ୍ଷଣ। ଘରେ ପୁରୁଣା ତେନ୍ତୁଳି ସାଇତି ରଖିବା ମଧ୍ୟ ସେହିଭଳି ଏକ ସମ୍ପନ୍ନ ଘରର (ପରିବାରର)  ଲକ୍ଷଣ। ଆଜିକାଲି ବବିଭିନ୍ନ ମହିଳା ସ୍ଵୟଂ ସହାୟକ ଦଳ ଏତେ ସଫାସୁତରା କରି, ଏପରିକି ମଂଜି ଛଡ଼ାଇ, ଜରି ପ୍ୟାକେଟରେ ତେନ୍ତୁଳି ବିକୁଥିଲେ ସୁଦ୍ଧା ଅନେକଙ୍କ ଘରେ ତେନ୍ତୁଳି ଦେଖିବାକୁ ମିଳୁ ନାହିଁ। ଏହା କ’ଣ ସରକାରୀ ବିଜ୍ଞାପନ ନବାହାରିବାର ଦୋଷ କି ପାଠ୍ୟପୁସ୍ତକରେ ଶିକ୍ଷା ଦିଆନଯିବାର ଦୋଷ।

ଦକ୍ଷିଣ ଭାରତରେ ବିଶେଷତଃ ଶୀତ ଋତୁ ନଥିବା ତାମିଲନାଡୁରେ ତେନ୍ତୁଳି ପାଣି ହିଁ ଜୀବନ। ତାମିଲନାଡୁରେ ୨ଟି ବର୍ଷା ଋତୁ ଓ ମଝିରେ ଲମ୍ବା ଗ୍ରୀଷ୍ମଋତୁ। ତେଣୁ ବର୍ଷ ସାରା ତେନ୍ତୁଳିପାଣିକୁ ଚାରୁପାଣି ରୂପରେ ବା ବିବିଧ ଖାଦ୍ୟ ରୂପରେ ଗ୍ରହଣ କରିଥାଆନ୍ତି ତାମିଲମାନେ। ବର୍ଷଯାକ ହାରାହାରି ୨୫ ଡିଗ୍ରୀରୁ ୪୦ ଡିଗ୍ରୀ ତାପମାତ୍ରା ବ୍ୟବଧାନ ମଧ୍ୟରେ ରହୁଥିବା ତାମିଲନାଡୁବାସୀଙ୍କ ପାଇଁ ତେନ୍ତୁଳିପାଣି ଏକ ନିତିଦିନିଆ ଖାଦ୍ୟରେ ପରିଣତ କାହିଁକି ହୋଇଛି? ଅନ୍ତତଃ ଏଇ ପ୍ରଶ୍ନ ନିହାତି ଆସିବା କଥା ୫ ମାସ ଗ୍ରୀଷ୍ମରେ ସନ୍ତୁଳି ହେଉଥିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମନରେ। ଅବଶ୍ୟ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳର ଲୋକଙ୍କୁ ଏହି ତେନ୍ତୁଳି ଖିଆ ଶିଖାଇବା ଦରକାର ନାହିଁ। କିନ୍ତୁ କଂକ୍ରିଟ୍‌ ଜଙ୍ଗଲରେ ବଞ୍ଚୁଥିବା ପ୍ରାଣୀମାନଙ୍କ ପାଇଁ ଏହା ବେଶ୍‌ ଜରୁରୀ। ଏୟାରକଣ୍ଡିସନରର ଉପସ୍ଥିତି ଯେତେ ବଳିଷ୍ଠ ହେଲେ ସୁଦ୍ଧା ଦାମୀ ହସପିଟାଲର ଭିଡ଼ କାହିଁକି ସେହି ସ୍ଥାନରେ ଦେଖିବାକୁ ମିଳୁଛି। ଏୟାରକଣ୍ଡିସନର ଏକ ପ୍ରାକୃତିକ ସମାଧାନ ନୁହେଁ। କିନ୍ତୁ ତେନ୍ତୁଳି, ପଖାଳ, ଦହିପଣା, ବେଲପଣା, ଲେମ୍ବୁପଣା ହେଉଛି ଗୋଟିଏ ଗୋଟିଏ ପ୍ରାକୃତିକ ଓ ସର୍ବକାଳୀନ ସମାଧାନ। ଗଂଜାମ ଜିଲ୍ଲାର ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ବର୍ଷ ସାରା ଏଭଳି ପଣା ବିକ୍ରି ହେଉଥିବା ଦେଖିବାକୁ ମିଳେ। ତେବେ ଏ କଥା ସ୍ୱୀକାର୍ଯ୍ୟ ଯେ ଦକ୍ଷିଣ ଭାରତୀୟ (South Indian) ଖାଦ୍ୟରେ ତେନ୍ତୁଳିପାଣି ନିଶ୍ଚିତ ରହିଥାଏ।

ତେନ୍ତୁଳିକୁ ଇଂଲିଶ୍‌ରେ ତାମାରିଣ୍ଡ୍‌ (Tamarind), ହିନ୍ଦୀରେ  ଇମ୍‌ଲୀ କୁହାଯାଉଥିବା ବେଳେ ଓଡ଼ିଆରେ କୟାଁ ବା କଇଁଆ ମଧ୍ୟ କୁହାଯାଇଥାଏ। ଏହାର ଉଦ୍ଭିଦବିଜ୍ଞାନ ନାମ ହେଉଛି ତାମାରିଣ୍ଡସ୍‌ ଇଣ୍ଡିକା (Tamarindus indica)। ଇଣ୍ଡିକା ଅର୍ଥ ଏହା ମୂଳତଃ ଇଣ୍ଡିଆ ବା ଭାରତ ଉପମହାଦେଶର ଏକ ବୃକ୍ଷ ପ୍ରଜାତି। ଭାରତ ଓ ଭାରତୀୟଙ୍କ ଉପକାର ପାଇଁ ଏହା ପ୍ରକୃତିର ଦାନ। ତେଣୁ ତେନ୍ତୁଳିକୁ ଖାଦ୍ୟର ଏକ ଅଂଶବିଶେଷ କରିବା ପାଇଁ ଡାଲିରେ ତେନ୍ତୁଳି ପଡୁଥିଲା, ରନ୍ଧା ଖଟାରେ ତେନ୍ତୁଳି ପଡୁଥିଲା, ଦେଶୀ ଆଚାରରେ ତେନ୍ତୁଳିର ରସ ମିଶାଯାଉଥିଲା। ତେନ୍ତୁଳି ରସ ଓ ବେସରରେ ମାଛ ରନ୍ଧା ଯାଉଥିଲା। ନଚେତ୍‌ ତେନ୍ତୁଳି ଓ ରସୁଣର ଏକ ସ୍ଵତନ୍ତ୍ର ଗିନା ରହୁଥିଲା ଭାତ ଥାଳି ପାଖରେ। ଆଜିକାଲି ବଜାରରେ କାଚଜାର୍‌ରେ ବିକ୍ରି ହେଉଥିବା ଆଚାରରେ ତେନ୍ତୁଳି ବଦଳରେ ରହିଛି କୃତ୍ରିମ ଅମ୍ଳ ଭିନେଗାର (Vinegar)। ତେଣୁ ମଣିଷର ହାତପାଆନ୍ତାରୁ ତେନ୍ତୁଳି ରସ ଦୂରକୁ ଚାଲି ଯାଉଛି।

ପୂର୍ବକାଳରେ ଜମିଦାରିଆ ଲୋକମାନେ ଯେଉଁ ବୃକ୍ଷସଂପଦର ମାଲିକ ବୋଲି ଗର୍ବ କରୁଥିଲେ, ତହିଁରେ ଆମ୍ବ, ପଣସ, ନଡ଼ିଆ ଭଳି ଲୋଭନୀୟ ଫଳବୃକ୍ଷ ସହିତ ତେନ୍ତୁଳିଗଛ ବି ଗଣା ହେଉଥିଲା। ଆଜିକାଲି ଜମିବେପାର ଏମିତି କିମିଆ କରିଛି ଯେ ଗଛ ହଣା ହୋଇ ଜାଗା ବିକ୍ରି ହେଉଛି। ଆଉ କିଣିବା ଲୋକେ ସେଠାରେ ଏକ ବା ଏକାଧିକ ବେଡ଼୍‌ରୁମ୍‌ ଓ ବାଥ୍‌ରୁମ୍‌ କରୁଛନ୍ତି। 

ଏବେ ଏପ୍ରିଲ୍‌ ମାସରେ ଦିନ ବେଳେ ଯେଭଳି ଅଗ୍ନିବର୍ଷୀ ଖରା ହେଉଛି, ତାହାକୁ ସମ୍ଭାଳିବା ପାଇଁ କେବଳ ଶରୀର ଉପରେ ଛାୟା, ଛତା, ଛାତ ବା ଛପର ସହ ଖାଦ୍ୟରେ ଯେଉଁ ଉପାଦାନ ରହିବା କଥା, ସେଥିରୁ ପ୍ରଧାନ ଦ୍ରବ୍ୟଟି ହେଉଛି ତେନ୍ତୁଳି। ପୁଷ୍ପବତୀ କିଶୋରୀ ବା ରଜସ୍ଵଳା ନାରୀମାନେ ଅସ୍ୱାସ୍ଥ୍ୟ ଜନିତ ଅରୁଚି ଛଡ଼ାଇବାର ମୂଳ ଉପାଦାନଟି ହେଉଛି ତେନ୍ତୁଳି। ଏସବୁ ପାଇଁ ଆଜିକାଲି ସମାଲୋଚକମାନେ କହିଲେଣି, ସହରର ସବୁଠୁ ଅନାଲୋଚିତ ତଥା ପରିଚିତ ବ୍ୟକ୍ତି ହେଉଛନ୍ତି ଗୁପ୍‌ଚୁପ୍‌ବାଲା। ଗୁପ୍‌ଚୁପ୍‌ ସାଙ୍ଗରେ ଯେଉଁ ପାଣି ରହିଥାଏ, ତାହାର ମୁଖ୍ୟ ଉପାଦାନ ହେଉଛି ତେନ୍ତୁଳିପାଣି

ଆମ ରାଜ୍ୟ ସରକାର ‘ଆହାର କେନ୍ଦ୍ର’ ଖୋଲି ଶସ୍ତାରେ ଖାଇବାକୁ ଦେବା ଏକ ଜନମଙ୍ଗଳକାରୀ ପଦକ୍ଷେପ। ହେଲେ ସୁଲଭ ମୂଲ୍ୟ ଗୁପ୍‌ଚୁପ୍‌ ବିକ୍ରୟ କେନ୍ଦ୍ର ମଧ୍ୟ ତାହା ସହିତ ଖୋଲାଯିବାର ଆବଶ୍ୟକତା ରହିଛି। ଯଦି ଏହାକୁ ବୁଝିବାରେ ପ୍ରଶାସକଗଣ ଓ ବିଶେଷଜ୍ଞଗଣ ଅସୁବିଧାରେ ପଡୁଛନ୍ତି, ତେବେ ଜଳବାୟୁ ପରିବର୍ତନ ପ୍ରସ୍ତୁତି, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିଖାଦ୍ୟ କମିଶନ ଗଠନ ସବୁ ଏକ ପ୍ରହସନ ବୋଲି ବୁଝିବାକୁ ହେବ। 

ଇଣ୍ଟରନେଟ୍‌ରୁ ଅନ୍ୟ ଦେଶର ରିପୋର୍ଟ ନକଲ କରି ଜଳବାୟୁ ପରିବର୍ତନ ପାଇଁ ରାଜ୍ୟର ଦଲିଲ୍‌ ପ୍ରସ୍ତୁତ କରୁଥିବା ପ୍ରଶାସକ ଓ ବିଶେଷଜ୍ଞମାନେ ଯେ ରାଜ୍ୟବାସୀଙ୍କ ସହ ବିପଜ୍ଜନକ ଖେଳ କରୁଛନ୍ତି, ତାହା ଏଭଳି ଘଟଣାରୁ ସାବ୍ୟସ୍ତ ହୋଇଯିବ। ଆହାର କେନ୍ଦ୍ର ଆରମ୍ଭ ବେଳେ ମଧ୍ୟ ଆମ୍ଭେ ଏଭଳି ବ୍ଲଗ୍‌ ମାଧ୍ୟମରେ ଗରମ ଭାତ ବଦଳରେ ପଖାଳ ପରିବେଷଣ ଉପରେ ଯୁକ୍ତି ବାଢ଼ିଥିଲୁ। ଏହା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ବିମଳ ପ୍ରସାଦ, ଭୁବନେଶ୍ଵର