15 अप्रैल 2016

ବାରବାଟୀରେ ଆଇପିଏଲ୍‌-୯ର ମ୍ୟାଚ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ - ୨୦୧୬ର ୧୦ଟି ମ୍ୟାଚ୍‌ ମହାରାଷ୍ଟ୍ରରେ ହେବ ନାହିଁ। ମୁଖ୍ୟତଃ ମହାରାଷ୍ଟ୍ରରେ ଗୁରୁତର ମରୁଡ଼ି ସମସ୍ୟା ଲାଗି ରହିଥିବା ବେଳେ ଜଳସଂକଟ ଉତ୍କଟ ହେବାରେ ଲାଗିଛି। ଏଣୁ ଚଳିତ ଏପ୍ରିଲ୍‌ ମାସ ପରେ ମହାରାଷ୍ଟ୍ରରେ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରବାସୀ ବା ମରାଠୀମାନେ ଅସ୍ଥିରମନା ହୋଇନଥିବାରୁ ଏହି ନିଷ୍ପତ୍ତି ବଦଳିବାର ପ୍ରଶ୍ନ ଉଠୁ ନାହିଁ। ଏଣେ ଓଡ଼ିଶାରେ ମରୁଡ଼ି ହୋଇଥିଲେ ସୁଦ୍ଧା ଓଡ଼ିଶାର ଏକମାତ୍ର କ୍ରିକେଟ୍‌ ଷ୍ଟାଡ଼ିଅମ୍‌ ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ କରାଇବାର ଆବଶ୍ୟକତା ରହିଛି। କାରଣ କଟକରେ ଜଳସଂକଟ ନାହିଁ କି କଟକ ସହରରେ ମରୁଡ଼ି ହୋଇ ନାହିଁ। ଅନ୍ୟ ପକ୍ଷରେ ଯେଉଁ ଜଳ (ବୋତଲ ଫିଙ୍ଗା) ପାଇଁ ବାରବାଟୀ ଷ୍ଟାଡ଼ିଅମ୍‌ ତଥା ଓଡ଼ିଶା ନିନ୍ଦିତ ହୋଇଥିଲା, ସେହି ଜଳକୁ କେନ୍ଦ୍ର କରି ଏବେ ଓଡ଼ିଶା ନିଜର ହୃତ ସମ୍ମାନ ଫେରାଇ ଆଣିବାର ସୁଯୋଗ ଆସିଛି। ଭାରତ ଭଳି ଏକ କ୍ରିକେଟ୍‌ ପାଗଳ ଦେଶରେ ଓଡ଼ିଶାର ସ୍ଥାନ ବହୁତ ତଳକୁ ଚାଲିଯାଇଛି। ଏହାକୁ ଧ୍ୟାନ ଦେଇ ଅନ୍ୟୂନ ୪ଟି ମ୍ୟାଚ୍‌ ବାରବାଟୀ ଷ୍ଟାଡ଼ିଅମ୍‌ରେ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ତଥା ଓଡ଼ିଶା ସରକାର ତତ୍ପର ହେବା ଜରୁରୀ ହେଉଛି। ଓସିଏ ସଂପାଦକ ଆଶୀର୍ବାଦ ବେହେରା ବିବାଦୀୟ ହୋଇପଡ଼ିଥିଲେ ସୁଦ୍ଧା ବୋର୍ଡ଼ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇନ୍‌ ଇଣ୍ଡିଆ (ବିସିସିଆଇ)ର ସଦସ୍ୟ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ରଂଜୀବ ବିଶ୍ଵାଳଙ୍କ ପାଇଁ ଏହା ମର୍ଯ୍ୟାଦାର ପ୍ରସଙ୍ଗ। କାରଣ ବିସିସିଆଇର ସଦସ୍ୟତାକୁ ରଂଜୀବ ବିଶ୍ଵାଳ ଆଜି ସୁଦ୍ଧା ଏକ ଚାକିରି ଭଳି ଉପଭୋଗ କରି ଆସିଛନ୍ତି। ତାଙ୍କ ଦ୍ଵାରା ଓଡ଼ିଶାରେ କ୍ରିକେଟ୍‌ର କୌଣସି ବିକାଶ ହୋଇ ନାହିଁ କି କୌଣସି ଓଡ଼ିଆ କ୍ରିକେଟର୍‌ ଜାତୀୟ ଦଳରେ ସାମିଲ ହେବାର ସମ୍ଭାବନା ମଧ୍ୟ ନାହିଁ। ଓଡ଼ିଶାର ବିଚକ୍ଷଣ ନାଗରିକମାନେ ଏହି ମତ ଦେଇଛନ୍ତି/ ଦେଉଛନ୍ତି। ତେଣୁ ଏହାକୁ ଉଲ୍ଲେଖ କରିବାରେ ଆମ୍ଭର ଅଧଲାକର ସୁଦ୍ଧା ବାହାଦୂରୀ ନାହିଁ। ତେଣୁ ରଂଜୀବ ଯଦି ଅନ୍ୟୂନ ୪ଟି ମ୍ୟାଚ୍‌ ବାରବାଟୀରେ ଆୟୋଜନ କରାଇପାରିବେ, ତେବେ ସେ ନିଜର ସମ୍ମାନ ରକ୍ଷା ସହିତ ଉତ୍କଳ ଜନନୀର ସମ୍ମାନ ମଧ୍ୟ ରକ୍ଷା କରି ପାରିବେ।

ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏବେ ବି ‘‘କୋଲକାତା ପାଖରେ’’। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଲଜ୍ଜାଜନକ ପରିସ୍ଥିତି। ଏଥିରୁ ମୁକୁଳିବା ପାଇଁ ମହାରାଷ୍ଟ୍ର ଭଳି ଏକ ମହାରାଜ୍ୟର ମ୍ୟାଚ୍‌କୁ ଓଡ଼ିଶାରେ କରାଇ ଓଡ଼ିଶା କିଛିଟା ସୁନାମ ଆଣିବା ସହ ଅନ୍ୟ ରାଜ୍ୟବାସୀଙ୍କ ମନରେ ଓଡ଼ିଶା ପ୍ରତି ରହିଥିବା ଧାରଣାକୁ ବଦଳାଇପାରିବ। ଅବଶ୍ୟ ଓଡ଼ିଶାରେ ୪୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ନଗର ଗଢ଼ି ନପାରିବା ଏକ ପ୍ରଶାସକୀୟ ଲଜ୍ଜା। ଯାହାକି କୌଣସି ବଡ଼ ଧରଣର ମ୍ୟାଚ୍‌ ଆୟୋଜନ ବା ବଡ଼ କମ୍ପାନୀମାନଙ୍କର ଦପ୍ତର ଖୋଲିବା ଦିଗରେ ଆକର୍ଷଣ ହୋଇ ପାରୁ ନାହିଁ। ତାହା ସତ୍ତ୍ଵେ ବି ୫ ଅକ୍ଟୋବର ୨୦୧୫ର ‘ବାରବାଟୀ ଲଜ୍ଜା’ (ଭାରତ-ଦକ୍ଷିଣ ଆଫ୍ରିକା ୨୦-୨୦)କୁ ଦୂର କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମୌକା। ପ୍ରତିଟି ଆଇପିଏଲ୍‌ ଦଳରେ ବିଦେଶୀ ଖେଳାଳି ଥିବାରୁ ବିଶ୍ଵସ୍ତରରେ ମଧ୍ୟ ‘‘ବାରବାଟୀ ଲଜ୍ଜା’’ରୁ ମୁକ୍ତି ମିଳିବାର ନିଶ୍ଚିତ ସମ୍ଭାବନା ରହିଛି। 

ନିଜନିଜ ଭିତରେ ଓଡ଼ିଆମାନେ ଝଗଡ଼ାଝାଟିରେ ବ୍ୟସ୍ତ ରହୁଥିଲେ ସୁଦ୍ଧା ରାଜ୍ୟ ବାହାରେ ବା ଦେଶ ବାହାରେ ଉଦ୍ଧତ ହେବାର କୌଣସି ସାଂପ୍ରତିକ ବା ଐତିହାସିକ ପ୍ରମାଣ ନାହିଁ। ଏକ ସ୍ଵାଭିମାନୀ ଜାତି ଭାବରେ ଓଡ଼ିଆମାନଙ୍କର ନିର୍ମଳ ଭାବମୂର୍ତିର ପୁନଃପ୍ରତିଷ୍ଠାରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ଅବଶ୍ୟ ଦେବଦୂତ ଭଳି କାମ କରିବ। ଅନ୍ୟ ପକ୍ଷରେ ଓଡ଼ିଶାବାସୀଙ୍କ ସାଂସ୍କୃତିକ ଜୀବନକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ମନସ୍ତାପରୁ ମୁକ୍ତି ପାଇଁ ଏମାନେ ମନୋରଂଜନକୁ ମାଧ୍ୟମ କରିଥାଆନ୍ତି। ଏଣୁ ମରୁଡ଼ି-ମନସ୍ତାପରେ ଜର୍ଜରିତ ଓଡ଼ିଶାବାସୀଙ୍କ ପାଇଁ ମ୍ୟାଚ୍‌ ଦର୍ଶନ ନିଶ୍ଚୟ ସାନ୍ତ୍ଵନା ଆଣିଦେବ; ତାହା ଗ୍ୟାଲେରିରେ ହେଉ ଅବା ଗୃହରେ।

ଅନ୍ୟ ପକ୍ଷରେ ରାଜ୍ୟର ପ୍ରାଦେଶିକ ଦଳ (ବିଜେଡ଼ି) ଶାସିତ ସରକାର, କେତେ ପାରିବାର, ତାହା ମଧ୍ୟ  ପ୍ରମାଣିତ ହୋଇଯିବ ଅନ୍ୟୂନ ୪ଟି ମ୍ୟାଚ୍‌ ଆୟୋଜନ ଦ୍ଵାରା। ଏପରିକି ବିଭିନ୍ନ କାରଣରୁ ରାଜ୍ୟ ସରକାରଙ୍କର ବିଗିଡ଼ା ଭାବମୂର୍ତିକୁ ସଜାଡ଼ିବାର ଏକ ପ୍ରକୃଷ୍ଟ ସୁଯୋଗ ଆସିଛି ଓଡ଼ିଆ ନୂଆବର୍ଷରେ। ଆପଣ କ’ଣ ଭାବୁଛନ୍ତି ଟିକେ କୁହନ୍ତୁନା?

कोई टिप्पणी नहीं:

एक टिप्पणी भेजें