29 अप्रैल 2016

ଦାସଙ୍କ ଦେହ ଭଲ ନାହିଁ!

୨୮ ଏପ୍ରିଲ୍ ୨୦୧୬। ମଧୁବାବୁ ଜୟନ୍ତୀ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଲା। ସ୍ୱାଭାବିକ ଭାବେ ମଧୁବାବୁଙ୍କ କର୍ମଭୂମି କଟକରେ ବି ବହୁ ସ୍ଥାନରେ ପାଳିତ ହେଲା। ହେଲେ ଇତିହାସକୁ କଳଙ୍କିତ କଲା ରାଜ୍ୟ ଶାସକ ଦଳ ବିଜୁ ଜନତା ଦଳ ଲିଗାଲ ଫ୍ରଣ୍ଟ୍‌ର କାର୍ଯ୍ୟକ୍ରମ। ଯେଉଁଠି ଚିଟଫଣ୍ଡ‌୍ ତଦନ୍ତ କମିଶନ ଅଧ୍ୟକ୍ଷ ନ୍ୟାୟମୂର୍ତି ମଦନମୋହନ ଦାସଙ୍କ ବିବୃତି କେବଳ ଗଣମାଧ୍ୟମ ପ୍ରତିନିଧି ନୁହେଁ, ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ସେ କହିଥିଲେ, ‘‘ଲୋଭଗ୍ରସ୍ତ ହୋଇ ଚିଟଫଣ୍ଡ‌ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏତେଦିନ ଯାଏଁ ମୁଁ ବୁଝିପାରୁନି ଏଥିରେ ସରକାରଙ୍କର ଭୂମିକା କ’ଣ? ଜଣେ ଲୋକ  ଆର ଲୋକକୁ ବିଶ୍ୱାସ କରି ପଇସା ଦେଲା, ଚୁକ୍ତି କଲା, ଚୁକ୍ତିରେ ଯଦି ଗୋଟିଏ ପାର୍ଟି ଫେଲ‌୍ କଲା, ତେବେ ଅନ୍ୟ ପକ୍ଷ ଆଇନର ପରିସର ଭିତରେ ଆସି ତାର ଅର୍ଥ ଆଦାୟ କରିବ। ଏଥିରେ ସରକାରଙ୍କର କି ଦାୟିତ୍ୱ ରହିଲା ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ? କିଛି ଲୋକଙ୍କ ଦ୍ୱାରା ଏତେ ସଂଖ୍ୟକ ଲୋକ ପ୍ରତାରଣାର ଶିକାର ହୋଇଛନ୍ତି, ସେଥିପାଇଁ ସରକାର ଏହାକୁ ଦୁର୍ବିପାକ ଭଳି ଗ୍ରହଣ କରି ସେମାନଙ୍କୁ କିଛି ପରିମାଣର କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ  ନେଇପାରିବେ। ବାତ୍ୟା କ୍ଷତିପୂରଣ ଭଳି ସରକାର କାହାକୁ ୫ହଜାର  କି ୧୦ ହଜାର ଟଙ୍କା ଦେଇ ପାରିବେ। ସେମାନେ ନିବେଶ କରିଥିବା ଟଙ୍କା କାହିଁକି ସରକାର ଫେରସ୍ତ କରିବେ? ଏଥିରେ ବହୁ ସମସ୍ୟା ଉପୁଜିବ।...’’ ଏଭଳି ଅପରିପକ୍ୱ ମନ୍ତବ୍ୟ ଯୋଗୁ ଲକ୍ଷଲକ୍ଷ ଜମାକାରୀଙ୍କ ମଧ୍ୟରେ ବିରକ୍ତି ଓ କ୍ରୋଧ ସୃଷ୍ଟି ହୋଇଛି।

ଓଡ଼ିଅାରେ ଏକ ଆପ୍ତବାକ୍ୟ ଅଛି - ‘‘୭ଖଣ୍ଡ ରାମାୟଣ ସରିଲାଣି, ଅଥଚ ସୀତା ପୁରୁଷ କି ନାରୀ ଜଣା ନାହିଁ!’’ ଏମ‌୍.ଏମ୍. ଦାସଙ୍କ କ୍ଷେତ୍ରରେ ସେୟା ହିଁ ହୋଇଛି। ଓଡ଼ିଶାର ସଂସ୍କୃତି ବୋଇଲେ ଜଗନ୍ନାଥ ସଂସ୍କୃତି। ଏଥିରେ ମଦନମୋହନ ଶବ୍ଦର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ସିଏ ହେଉଛନ୍ତି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା। କିନ୍ତୁ ଇଏ ମଦନମୋହନ ପୂରା ଅଚଳି ଟଙ୍କା। ଇଏ ବିଜ୍ଞାନର ଛାତ୍ର ହୋଇଥିବାରୁ କିଛି ବୈଜ୍ଞାନିକ ଉପାୟରେ ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି ଯାହା ଅନୁମାନ କରାଯାଉଥିଲା, ସବୁ ବ୍ୟର୍ଥ ଯାଇଛି। 

କଟକୀ କଥାବାର୍ତାର ଏକ ସାଧାରଣ ଉକ୍ତି ହେଉଛି, ‘‘ତମ ଦିହ ଭଲ ନାଇଁକି?’’  କୌଣସି ଅାଚରଣରେ ବ୍ୟତିକ୍ରମ ଲକ୍ଷ୍ୟ କଲେ ଖାଣ୍ଟି କଟକିଆମାନେ ଏଭଳି କହିଥାଆନ୍ତି। ଏହା ପ୍ରଶ୍ନ ଭଳି ପଚାରା ଯାଉଥିଲେ ବି ଏହାର ଉତ୍ତର ଜରୁରୀ ନାହିଁ। କାରଣ ପ୍ରଶ୍ନକର୍ତା ଜାଣିଥାଅାନ୍ତି ଯେ ସାମନାରେ ଥିବା ବ୍ୟକ୍ତିଙ୍କର କିଛି ଗଡ଼୍‌ବଡ଼୍‌ ଅଛି, ତେଣୁ ସେ ଅସ୍ୱାଭାବିକ ଆଚରଣ କରୁଛନ୍ତି। ଏପ୍ରିଲ୍‌ ୨୮ ତାରିଖ ଘଟଣାରେ ମେ ମେ ଦାସଙ୍କର ଦିହ ଭଲ ନାହିଁ ବୋଲି ଜଣାପଡ଼ିଯାଉଛି। ସାଧାରଣତଃ ୬୦ ପୂରିଲା ପରେ ଅଥବା ଚାକିରିରୁ ଅବସର ନେବା ପରେ ଅନେକ ଲୋକଙ୍କର ଏକାଧିକ ବିକୃତି ଦେଖାଯାଇଥାଏ। ଯେମିତିକି ଟିକେ ଟିକେ କଥାରେ ଚିଡ଼ିଯିବା, ରସଗୋଲା-ଛେନାପୋଡ଼-ଛେନାଗଜା ଇତ୍ୟାଦି ଖାଇବାକୁ ଇଚ୍ଛା ହେବା, ଦୁନିଅାଯାକ ଲୋକ ଖରାପ ବୋଲି ଅନୁଭବ ହେବା ଇତ୍ୟାଦି। ତେଣୁ ଅବସରପ୍ରାପ୍ତ ଲୋକଙ୍କୁ କୌଣସି ପଦପଦବୀରେ ବସାଇବା ବେଳେ ଏହି ମନଃସ୍ଥିତି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଅବଶ୍ୟ ୮୦ ଟପିଗଲା ପରେ ଗୁଣ ଓ ଆଚରଣରେ ପୁଣି ସୁଧାର ଆସିବା ଲକ୍ଷ୍ୟ କରାଯାଇଥାଏ। ରାଜ୍ୟ ସରକାର ହୁଏତ ଜାଣିଜାଣି ଏଭଳି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ କମିଶନ-ଅଧ୍ୟକ୍ଷ ନିଯୁକ୍ତ କରିଥିବା ଏବେ ଧରା ପଡ଼ିଯାଇଛି। କର୍ପସ‌ ପାଣ୍ଠି ନାମରେ ଫାଙ୍କି ମାରିଥିବା ସରକାର ଯେ ଗୋଟାପଣେ କମିଶନଟାକୁ ମଧ୍ୟ ଫାଙ୍କି ମାରିଛନ୍ତି, ତାହା ବୁଝିହେଉଛି।

ମଞ୍ଚକୁ ଯିବା ପୂର୍ବରୁ ହୁଏତ ମିଜାଜ ରଙ୍ଗୀନ କରିବାକୁ ଟିକେ ରଙ୍ଗପାଣି ପକେଇ ଦେଇଥାଇପାରନ୍ତି। ତେଣୁ ବିଚାରପତି ମେ ମେ ଦାସଙ୍କ ବିବୃତି କ୍ଷମଣୀୟ କି ନୁହେଁ ତାହା ଏବେ ରାଜ୍ୟବାସୀ ବିଚାର କରିବେ। ରାଜ୍ୟରେ ବୋଧହୁଏ ଏହା ପ୍ରଥମ ଘଟଣା ହେବାକୁ ଯାଉଛି, ଯେଉଁଠି ଜଣେ ପୂର୍ବତନ ବିଚାରପତିଙ୍କ ବିରୋଧରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶିତ ହେବ ଏବଂ ସେ ନିଜ ପଦବୀରୁ ବିଦା ହେବେ। ଏହି ଖବର ଯଦି ଇଂଲିଶ୍ ଓ ହିନ୍ଦୀ ଗଣମାଧ୍ୟମରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଯାଇଥିବ, ତେବେ ଓଡ଼ିଶା ଓ ଓଡ଼ିଆଙ୍କୁ ସର୍ବଭାରତୀୟ ସ୍ତରରେ ହୀନ କରି ଦେଖିବାର ଧାରା ଜାରି ରହିବାର ବାଟ ଫିଟିଯିବ। 

ମଧୁବାବୁଙ୍କ ଜୟନ୍ତୀକୁ ‘ସ୍ୱାଭିମାନ ଦିବସ’ ରୂପେ ପାଳନ କରାଯାଉଥିବା ବେଳେ ଓଡ଼ିଶା ଓ ଓଡ଼ିଅାଙ୍କ ସ୍ୱାଭିମାନ ହାନି କଲେ ଜଣେ ଆଇନ ପଢୁଆ ବ୍ୟକ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା। ମଧୁବାବୁ ସ୍ୱର୍ଗରେ ଥାଇ ନିଶ୍ଚୟ ବ୍ୟଥିତ ହେଉଥିବେ। 

कोई टिप्पणी नहीं:

एक टिप्पणी भेजें