11 अप्रैल 2016

ସ୍ଥାନ ନାମର ଅସଙ୍ଗତି ହଟିପାରିବ

ଭାରତ ସାରା ସ୍ଥାନର ନାମଗୁଡ଼ିକରେ ସଂଶୋଧନ ଚାଲିଥିବା ବେଳେ ଓଡ଼ିଶାରେ ଏହା ବେଶ୍‌ ପଛେଇ ଯାଇଛି । ୨୦୧୧ ନଭେମ୍ବରରେ ସଂବିଧାନ ସଂଶୋଧନ ଅଧିନିୟମ ବଳରେ କେବଳ ରାଜ୍ୟର ନାମ ଓ ପ୍ରାଦେଶିକ ଭାଷାର ନାମ ସଂଶୋଧିତ ହୋଇଛି । ହେଲେ, ରାଜ୍ୟ ସରକାରଙ୍କ ଶହ ଶହ ଦପ୍ତରର ଫଳକରେ, ୱେବ୍‌ସାଇଟ୍‌ରେ, ଡୋମେନ୍‌ ନେମ୍‌ରେ ଏବେ ବି ଓରିଶା (Orissa) ଓ ଓରିୟା (Oriya) ଲେଖା ଅଛି ଓ ଲେଖା ଚାଲିଛି । ପ୍ରକୃତରେ ଏହି ସାଂବିଧାନିକ ସଂଶୋଧନକୁ ଗ୍ରହଣ କରିବା ପାଇଁ ଦେଶର ସଂବିଧାନକୁ ଆଉ ଥରେ ବଦଳାଇବାକୁ ପଡ଼ିବ ନାହିଁ। 

୧୯୯୨ ମସିହା ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଶୁକ୍ରବାର ଠାରୁ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ବଢ଼ି ୧୭ ହୋଇଥିଲା । କୋରାପୁଟରୁ ଅଲଗା ହୋଇ ନବରଙ୍ଗପୁର (Nabarangapur) ଜିଲ୍ଲା ଗଠିତ ହୋଇଥିଲେ ବି ରୋମାନ ଲିପିରେ Nowrangapur,  Nawarangapur ଆଦି ଲେଖାଯାଉଥିବା ଦେଖିବାକୁ ମିଳୁଛି । ଏପରିକି ଖୋଦ୍‌ ସରକାରୀ ହାକିମହୁକୁମା ଏଭଳି ଲେଖୁଛନ୍ତି । ସରକାରୀ ଚିଠିପତ୍ରରେ ଓ ଦଲିଲ୍‌ରେ ଏଭଳି ଲେଖା ଦେଖିବାକୁ ମିଳୁଛି । 

ସେହିଭଳି ବିଜୁ ବାବୁଙ୍କ ଜିଲ୍ଲାପୁନର୍ଗଠନ ନିଷ୍ପତ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୧୯୯୩ ଏପ୍ରିଲ୍‌ ପହିଲା ଗୁରୁବାର, ଉକ୍ରଳ ଦିବସ ଠାରୁ କଳାହାଣ୍ଡିରୁ ଅଲଗା ହୋଇ ଜନ୍ମ ନେଇଥିବା ନୂଆପଡ଼ା ଜିଲ୍ଲାର ନାମ ମଧ୍ୟ ରୋମାନ ଲିପିରେ Nuapada ହୋଇସାରିଛି । ଏହାକୁ ଲେଖିବାରେ ଆଜିକାଲି ବିଶେଷ ତ୍ରୁଟି ପରିଦୃଷ୍ଟ ହେଉ ନଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭାଗ ଓ ଦପ୍ତରରେ କିଭଳି ଏହା ଗ୍ରହଣୀୟ ହୋଇପାରିବ, ସେଥିନେଇ ରାଜ୍ୟ ପକ୍ଷରୁ କୌଣସି ଉଦ୍ୟମ ହୋଇ ନାହିଁ। ତେଣୁ ଡାକଘର ଓ ରେଳବାଇ ଏବେ ବି Nawapara Nawapara Road ଲେଖୁଛନ୍ତି । ଜିଲ୍ଲା ମୁଖ୍ୟାଳୟ ନୂଆପଡ଼ା କ୍ରମେ ଏକ ସହରର ମାନ୍ୟତା ପାଇବା ସହ ଏହାର ପରିପାଟୀରେ ଅଭିବୃଦ୍ଧି ଘଟିଛି। ତଥାପି ସ୍ଥାନୀୟ ରେଳଷ୍ଟେସନର ନାମ ନୱାପାରା ରୋଡ଼୍‌ (Nawapara Road) ହୋଇ ରହିଛି । ଯାହାକି ନିଶ୍ଚିତ ରୂପେ ନୂଆପଡ଼ା (Nuapada) ହେବା କଥା । ଅବଶ୍ୟ ଏଭଳି ହେଲେ, ଷ୍ଟେସନ୍‌ କୋଡ଼୍‌ NPD ଅପରିବର୍ତିତ ରହିବ । ଏହା ଉପରେ ନୂଆପଡ଼ା ଜିଲ୍ଲାର ବାସିନ୍ଦା ତଥା ଜଣାଶୁଣା ସମାଜସେବୀ ଅଜିତ ପଣ୍ଡାଙ୍କ ନେତୃତ୍ଵରେ ନୂଆପଡ଼ା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆସରିଥିଲେ ବି ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇ ନାହାନ୍ତି।

ନିୟମ ଅନୁସାରେ ରେଳବାଇ ସଂକ୍ରାନ୍ତ କୌଣସି ପ୍ରକାର ସଂଶୋଧନ ପ୍ରସ୍ତାବକୁ ଜିଲ୍ଲାର ପ୍ରାଶାସନିକ ମୁଖ୍ୟ ସେହି ଅଞ୍ଚଳର ରେଳବାଇ ଡିଭିଜନାଲ ମ୍ୟାନେଜର(DRM)ଙ୍କୁ ଲେଖିଲେ ତାହା ତୁରନ୍ତ କାର୍ଯ୍ୟକାରୀ ହୋଇ ପାରିବ। ଜନସାଧାରଣ ସିଧାସଳଖ ଏଭଳି ପ୍ରସଙ୍ଗରେ ରେଳବାଇକୁ ଲେଖିଲେ, ତାହା ବିଚାର୍ଯ୍ୟ ହେବ ନାହିଁ। ସେହିଭଳି ଡାକଘରର ନାମ ପରିବର୍ତନ ବା ସଂଶୋଧନ ସଂକ୍ରାନ୍ତରେ ଜିଲ୍ଲାର ପ୍ରାଶାସନିକ ମୁଖ୍ୟ ଚିଂଠି ଲେଖିବେ ରାଜଧାନୀରେ ଥିବା ମୁଖ୍ୟ ମହାଡାକପାଳ (CGPO)ଙ୍କୁ।

ତେଣେ ଯାଜପୁର ଜିଲ୍ଲାର ବ୍ୟାସନଗର (Vyasanagar) ସହରରେ ଥିବା ରେଳଷ୍ଟେସନର ନାମ ଏବେ ବି ଯାଜପୁର କେଉଁଝର ରୋଡ଼୍‌ (Jajpur Keonjhar Road) ହୋଇ ରହିଛି । ଯଦିଓ ରେଳ ଟିକଟରେ ଏହାକୁ ଯାଜପୁର କେ. ରୋଡ଼୍‌ ଲେଖାଯାଉଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ସହରର ପୁରୁଣା ନାମ ଯାଜପୁରରୋଡ଼୍‌, ଯାହାକି ମୂଳତଃ ଷ୍ଟେସନ ନାମକରଣରୁ ଉଦ୍ଧୃତ ହୋଇଥିଲା । ତେବେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶେଷ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯ ଜୁନ୍‌ ୧୯୯୮ ଶୁକ୍ରବାର ଠାରୁ ରାଜ୍ୟ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବ୍ୟାସନଗର ପୌରପାଳିକା  ହୋଇସାରିଛି। କିନ୍ତୁ ୧୭ ବର୍ଷ ପରେ ବି ସରକାରୀ ଫଳକ, ଡାକଠିକଣା, ଯାତ୍ରୀଗାଡ଼ିର ଗନ୍ତବ୍ୟ-ଫଳକରେ ଯାଜପୁର ରୋଡ଼୍‌ ଲେଖା ଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜସ୍ଵ ବିଭାଗ ମଧ୍ୟ ‘ବ୍ୟାସନଗର’ ନାମକୁ ରାଜସ୍ଵ ଦଲିଲରେ ସ୍ଥାନ ଦେଇ ସାରିଛି। ରାଜସ୍ଵ ବିଭାଗର ଦଲିଲ୍‌କୁ ସରକାରୀ ଭାବେ ମାନକ (Standard) ବିବେଚନା କରାଯାଉଥିବାରୁ ଆଉ କିଛି ସମସ୍ୟା ନାହିଁ। ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ଅବହେଳା ଯୋଗୁ ଲୋକମାନେ ୧୫ ବର୍ଷ ପରେ ମଧ୍ୟ ଯାଜପୁର ରୋଡ଼୍‌ ନାମରେ ଅଟକି ଯାଇଛନ୍ତି। କିନ୍ତୁ ରାଜସ୍ଵ  ଏକାଧିକ ଐତିହାସିକ ଓ ପୌରାଣିକ ତତ୍ତ୍ୱ ଆଧାରରେ ସହରର ନାମ ‘ବ୍ୟାସନଗର’ ବିବେଚନା କରି ୩୫ ବର୍ଷ ତଳୁ ‘‘ବ୍ୟାସନଗର କଲେଜ’’ ଗଢ଼ି ଉଠିଥିବା ବେଳେ ‘‘ବ୍ୟାସନଗର ହାଇସ୍କୁଲ୍‌’’ ଓ ‘‘ବ୍ୟାସନଗର ଉପ୍ରା ସ୍କୁଲ୍‌’’ ମଧ୍ୟ ପ୍ରତିଷ୍ଠିତ ହୋଇଛି। ସମୟ କ୍ରମେ ରାଜ୍ୟର ସର୍ବବୃହତ୍‌ ଶିଳ୍ପାଞ୍ଚଳ କଳିଙ୍ଗନଗର ମଧ୍ୟ ଏ ସହରର ଅଂଶବିଶେଷ ହୋଇସାରିଛି। ତେଣୁ ପ୍ରାସଙ୍ଗିକତା ଦୃଷ୍ଟିରୁ ଯାଜପୁର କେଉଁଝର ରୋଡ଼୍‌ ଷ୍ଟେସନର ନାମ ବ୍ୟାସନଗର ବା କଳିଙ୍ଗନଗର (ଶିଳ୍ପାଞ୍ଚଳକୁ ଆକର୍ଷିତ କରିବାକୁ) ହେବା ସହ ଷ୍ଟେସନ୍‌ କୋଡ୍‌ ମଧ୍ୟ ବଦଳିବାର ଜରୁରୀ ଆବଶ୍ୟକତା ରହିଛି । ତେବେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିବା ଆଇନଜୀବୀ ଜିତେନ୍ଦ୍ର ପ୍ରତିହାରୀ କହନ୍ତି ଯେ ଉତ୍ତରପ୍ରଦେଶରେ ବାରାଣାସୀ ଓ ମୁଗଲସରାଇ ମଧ୍ୟରେ ବ୍ୟାସନଗର ନାମରେ ଛୋଟିଆ ଷ୍ଟେସନଟିଏ ଥିବାରୁ ରେଳବାଇର ନିୟମ ପ୍ରକାରେ ଏହି ନାମରେ ଦେଶରେ ଆଉ ଏକ ଷ୍ଟେସନ ହୋଇପାରିବ ନାହିଁ। ପ୍ରାୟ ୧୦ ବର୍ଷ ହେଲା  ‘କେନ୍ଦୁଝରଗଡ଼’(Kendujhargarh) ଷ୍ଟେସନ୍‌ ହୋଇସାରିଥିବାରୁ ‘‘ଯାଜପୁର କେଉଁଝର ରୋଡ଼୍‌’’ ଷ୍ଟେସନ୍‌ର ନାମ ନିଶ୍ଚିତ ବଦଳିବା କଥା। ଏଥିପାଇଁ ସ୍ଥାନୀୟ ଲୋକେ କାମ ଆରମ୍ଭ କରି ଦେଇଥିବା ଖୁସିର କଥା। ଏହି ନାମ ସଂଶୋଧନ ଅଧିକ ବିଳମ୍ବିତ ହେଲେ, ନୂଆ ପିଢ଼ି କେବେ ନା କେବେ ନିଶ୍ଚୟ ପୂର୍ବଜମାନଙ୍କୁ ନିନ୍ଦା କରିବେ । ଅନ୍ୟ ପକ୍ଷରେ, କେନ୍ଦୁଝର(Kendujhar) ଠିକ୍‌ ଶବ୍ଦ ହୋଇଥିବା ବେଳେ ବ୍ରିଟିଶ ଅମଳର ଇଂଲିଶ୍‌ ବନାନ ଅନୁସାରେ ଓଡ଼ିଆରେ ଏବେ ମଧ୍ୟ କେଉଁଝର(Keonjhar) ଲେଖାଯାଉଛି । ସେହିଭଳି ରାଜ୍ୟର ଅନ୍ୟ ଏକ ରେଳଷ୍ଟେସନର ନାମ ‘ବ୍ରହ୍ମପୁର'(Brahmapur) ଥିବା ବେଳେ ସହର ଭିତରେ ବ୍ରହ୍ମପୁର, ବରହମ୍‌ପୁର (Berhampur) ଲେଖା ଥିବା ଦେଖିବାକୁ ମିଳୁଛି । ଏହା ଅନ୍ୟ ରାଜ୍ୟରୁ ଆଗତ ନାଗରିକ, ବିଦେଶୀ ଓ ପର୍ଯ୍ୟଟକଙ୍କୁ ଭ୍ରମରେ ପକାଉଛି । ଆମ ଲୋକଙ୍କର ଓ ପ୍ରଶାସନର ଲେଖାଲେଖିରେ କୌଣସି ସ୍ଥିରତା ଓ ଶୃଙ୍ଖଳା ନଥିବା ସେମାନଙ୍କୁ ପ୍ରତୀତ ହେଉଛି ।

ଆଧୁନିକ ଓଡ଼ିଶାରେ ନୂଆ ନାମକରଣ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ରହିଛି କାମାକ୍ଷାନଗର(ଢେଙ୍କାନାଳ), ଭଂଜନଗର (ଗଂଜାମ),  କବିସୂର୍ଯ୍ୟନଗର (ଗଂଜାମ) ଓ ଗୋପବନ୍ଧୁନଗର (ମୟୂରଭଂଜ)। ପରିତାପର ବିଷୟ ଯେ କବିସୂର୍ଯ୍ୟନଗରକୁ ଏବେ ବି ଲୋକମାନେ ‘ବୋଇରାଣୀ’ କହୁଛନ୍ତି ଏବଂ କଥାବାର୍ତାରେ ବ୍ୟବହାର କରୁଛନ୍ତି। କେତେକ ଯାତ୍ରୀବାହୀ ଗାଡ଼ିର ଫଳକରେ ମଧ୍ୟ ବୋଇରାଣୀ ଲେଖାଥିବା ଦେଖିବାକୁ ମିଳୁଛି। ବସ୍‌ କର୍ମଚାରୀମାନେ ମଧ୍ୟ ଯାତ୍ରୀଙ୍କୁ ଡାକିବା ପାଇଁ ବୋଇରାଣୀ ବୋଇରାଣୀ ପାଟି କରୁଛନ୍ତି।

‘ବଲାଙ୍ଗୀର’ ଓ ‘ବଲାଙ୍ଗିର’ ମଧ୍ୟ ଲେଖା ଯାଉଥିବା ବେଳେ ରୋମାନ ଲିପିରେ Bolangir ଓ Balangir ମଧ୍ୟ ଲେଖାଯାଉଥିବା ଦେଖିବାକୁ ମିଳୁଛି । କେଉଁଟି ଠିକ୍‌ ଓ କେଉଁଟି ଭୁଲ୍‌ ତାହା କିଏ ଧାର୍ଯ୍ୟ କରିବ?

ଦେଶରେ ଗୁଆହାଟୀ, ବଡ଼ୋଦରା, ତିରୁଅନନ୍ତପୁରମ୍‌, ବାରାଣାସୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଆଦି ସ୍ଥାନର ନାମ ଉଭୟ ଭାରତୀୟ ଲିପି ଓ ରୋମାନ ଲିପିରେ ଔପଚାରିକ ଭାବେ ସଂଶୋଧିତ ହୋଇ ବ୍ୟବହୃତ ହେଉଥିବା ବେଳେ, ଓଡ଼ିଶାର
Cuttack, Balasore, Bissam Cuttack, Rairakhol, Salipur ଆଦି ସ୍ଥାନର ନାମ ଯଥାକ୍ରମେ Katak (କଟକ), Baleshwar (ବାଲେଶ୍ୱର), Bhishma Katak (ଭୀଷ୍ମ କଟକ), Redhakhol (ରେଢ଼ାଖୋଲ), Salepur (ସାଲେପୁର) ରୂପେ ରୋମାନ ଲିପିରେ କରାଯିବାର ଆବଶ୍ୟକତା ରହିଛି । ଏହି ସଂଶୋଧନ ପାଇଁ କେବଳ ରାଜ୍ୟ ସରକାର ନିଜର ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ଘୋଷଣା କରି ସମ୍ଭବ କରିପାରିବେ । ଏଥିପାଇଁ ସଂସଦୀୟ ପଦକ୍ଷେପର ଆବଶ୍ୟକତା ନାହିଁ କି ସମ୍ବିଧାନ ସଂଶୋଧନର ଆବଶ୍ୟକତା ନାହିଁ ।

ସେହିଭଳି ଭୁବନେଶ୍ୱର, ରୋମାନ ଲିପିରେ Bhubaneshwar ହେବା କଥା । ଏଭଳି ବନାନ ସାଧାରଣତଃ ଓଡ଼ିଶା ବାହାରର ଲୋକଙ୍କ ଲେଖାରେ, ପ୍ରାଶାସନିକ କାଗଜପତ୍ରରେ ଏବଂ ୱେବ୍‌ସାଇଟ୍‌ରେ ବିପୁଳ ସଂଖ୍ୟାରେ ଦେଖିବାକୁ ମିଳୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ କେଉଁ କାଳରୁ ଏହା Bhubaneswar ହୋଇ ରହି ଯାଇଛି । ଏଣେ ଭୁବନେଶ୍ୱର ନଗର ପରିସୀମାରେ ନିର୍ମାଣାଧୀନ ଏକ ଅତ୍ୟାଧୁନିକ ରେଳଷ୍ଟେସନର ନାମ ଭୁବନେଶ୍ୱର ନିଉ (Bhubaneswar New) ରୂପେ ରେଳବାଇ ସ୍ଥିର କରି ନେଇଛି । କିନ୍ତୁ ଏହା ଭବିଷ୍ୟତରେ ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ ଆଘାତ କରିବ । ତେଣୁ ଉପଯୁକ୍ତ ଶବ୍ଦ ଚୟନ କରି ଭୁବନେଶ୍ୱର ନିଉ ବଦଳରେ କୌଣସି ସାଂସ୍କୃତିକ, ଐତିହାସିକ ବା ମହାପୁରୁଷଙ୍କ ନାମକୁ ନେଇ ତହିଁର ନାମକରଣ କରାଯିବା ଆବଶ୍ୟକ । ଯେପରିକି, ସେହି ଷ୍ଟେସନଟି ଔପଚାରିକ ଭାବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ନୂଆ ନାମକରଣ ସରିବ । ଏ ସମସ୍ତ ପ୍ରସଙ୍ଗରେ ନାଗରିକ ସଂଗଠନ ଓ  ରାଜ୍ୟ ସରକାରଙ୍କ ଆଶୁ ପଦକ୍ଷେପ ସର୍ବାଦୌ ବାଞ୍ଚନୀୟ ।

(ଏହି ପ୍ରବନ୍ଧର ଏକ ମାମୁଲି ଅଂଶ ‘ସମ୍ବାଦ’ର ‘ଅଭିମତ’ ସ୍ତମ୍ଭରେ ୭ ଏପ୍ରିଲ୍‌ ୨୦୧୬ ଗୁରୁବାର ପ୍ରକାଶ ପାଇଛି)

ବିମଳ ପ୍ରସାଦ, ୯୯୩୭୩୫୩୨୯୩