09 अप्रैल 2016

ନଳକୂଅର ପାଣି ଓ ନିକମା ପ୍ରଶାସନ

ମାର୍ଚ ୨୦୧୬ରେ ଓଡ଼ିଶା ସରକାର, ସଚିବାଳୟ ବୈଠକ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଦେଲେ ଯେ ‘‘ସବୁ ନଳକୂଅ ମରାମତି’’ କରି କାର୍ଯ୍ୟକ୍ଷମ କରିଦେବେ। ଆଜି ୯ ଏପ୍ରିଲ୍‌ ୨୦୧୬ ସୁଦ୍ଧା କେତେଟି ନଳକୂଅ ମରାମତି ସରି କାର୍ଯ୍ୟକ୍ଷମ ହୋଇଛି? ଏ ପ୍ରଶ୍ନର ଉତ୍ତର କେହି ଦେଇ ପାରିବେ ନାହିଁ। ‘କାର୍ଯ୍ୟପାଳିକା’ କଥାରେ ଥେଇଥେଇ ହେଉଥିବା ଓଡ଼ିଶାର ‘ବ୍ୟବସ୍ଥାପିକା’ ସଦସ୍ୟମାନେ ଜମାରୁ ଭିଡ଼କୁ ନୁହନ୍ତି।  ଓଡ଼ିଶାରେ ଜଳସଂକଟ ଦୂର ପାଇଁ ବିଂଶ ଶତାବ୍ଦୀର ୭୦ ଦଶକରେ ଯେଉଁ ନଳକୂଅ ଖୋଳିବା ପରମ୍ପରା ଆରମ୍ଭ ହୋଇଥିଲା, ତାହାର ଭଲ ଓ ମନ୍ଦ ଦିଗଗୁଡ଼ିକ ଉପରେ ବ୍ୟବସ୍ଥାପିକା ବା କାର୍ଯ୍ୟପାଳିକା କେହି ସଚେତନ ଥିବା ଭଳି ପ୍ରତୀତ ହେଉନାହିଁ। କାରଣ, ରାଜ୍ୟର ହଜାର ହଜାର ନଳକୂଅର ବାସ୍ତବ ଗଭୀରତା ଯେତିକି, ଦାପ୍ତରିକ କାଗଜପତ୍ରରେ ସେଗୁଡ଼ିକର ଗଭୀରତା ଢେର୍‌ ବେଶି। ଯାହା ବି ହେବ, କାଗଜପତ୍ର ବାହାରେ ତ କାମ ହୋଇ ପାରିବ ନାହିଁ। ୪୦୦ ଫୁଟ୍‌ ଗଭୀର ଖୋଳାଯାଇଛି ବୋଲି ରିପୋର୍ଟ ହୋଇସାରିଥିବା ବେଳେ ତାହା ବାସ୍ତବରେ ୧୫୦ ଫୁଟ୍‌ ଖୋଳାଯାଇଥିବାରୁ ଯଦି ପାଣି ଆସୁନାହିଁ, ତାହାକୁ କିଭଳି ୪୦୦ ଫୁଟ ଖୋଳି ପ୍ରଶାସନ ପୁଣି ଅର୍ଥ ବ୍ୟୟ କରି ପାରିବ? ଆମ ରାଜ୍ୟର ଅଡ଼ିଟ୍‌ ବ୍ୟବସ୍ଥା କ’ଣ ଏତେ ଢିଲା?

ଅନ୍ୟ ପକ୍ଷରେ ୧୫ ଦିନ ଅବା ୨୫ ଦିନ ଭିତରେ ରାଜ୍ୟ ଯାକର ନଳକୂଅ ମରାମତି କରିବା ଭଲି ମିସ୍ତ୍ରୀଦଳ କ’ଣ ଓଡ଼ିଶାରେ ଅଛନ୍ତି? ଯଦି ବି ଅଛନ୍ତି ବୋଲି ପ୍ରଶାସକେ ବାହାସ୍ଫୋଟ ମାରନ୍ତି, ତେବେ ବର୍ଷା ଋତୁ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୦ ତାରିଖ ସୁଦ୍ଧା କ’ଣ ନଳକୂଅଗୁଡ଼ିକର ମରାମତି କାମ ସରି ଯାଇଥିବ? ଏସବୁ ଅତି ସାଧାରଣ ପ୍ରଶ୍ନ। କିନ୍ତୁ କେବଳ ଫୁଟାଣି ମାରିବା ବ୍ୟତୀତ ଠୋସ୍‌ ଜବାବ କୌଣସି ପ୍ରଶାସକ ଦେଇ ପାରିବେ ନାହିଁ। ଅସଲ କଥା ହେଲା ଚଳିତ ମାସ ସୁଦ୍ଧା କେତେଟି ନଳକୂଅ ଓଡ଼ିଶାରେ ଅଛି, ତାହାର ଠିକ୍‌ ତଥ୍ୟ ମଧ୍ୟ ରାଜ୍ୟ ପ୍ରଶାସନ ପାଖରେ ନାହିଁ। ଗତ ୪୫ ବର୍ଷ ମଧ୍ୟରେ ଓଡ଼ିଶାର ଗ୍ରାମୀଣ ଜନଜୀବନରେ ନଳକୂଅ (ଓଡ଼ିଶାର କିଛି ଅଞ୍ଚଳରେ ବୋରିଂ ବା ଟିବଲ ନାମରେ ପରିଚିତ) ବା ହ୍ୟାଣ୍ଡ୍‌ପମ୍ପ୍‌ ଏକ ଗୁରୁତ୍ଵପୂର୍ଣ ସ୍ଥାନ ଦଖଲ କରିଛି। ବିବାଦ, ବିଦ୍ଵେଷ, ପ୍ରେମ, ପ୍ରତାରଣା ଓ ପରିଚୟର ସାକ୍ଷୀ ପାଲଟିଛି ଏଇ ନଳକୂଅ। ନିରୀହ ଗାଉଁଲି ଲୋକଙ୍କୁ ଜଟିଳ ରୋଗବ୍ୟାଧିର ଶିକାର କରାଇଛି ଏଇ ନଳକୂଅ। ଏଇ ରୋଗବ୍ୟାଧି କଥାଟିର ମୂଳ କାରଣ ହେଲା ନଳକୂଅରେ ବ୍ୟବହୃତ ନିକୃଷ୍ଟମାନର ଧାତୁ। ଧାତୁ ବୋଇଲେ ମୁଖ୍ୟତଃ ଲୁହା। ଯାହା କଳଙ୍କଯୁକ୍ତ। ଅର୍ଥାତ୍‌ କଳଙ୍କମୁକ୍ତ ନୁହେଁ। ଓଡ଼ିଶାରେ ସରକାରୀ-ବେସରକାରୀ ହୋଇ ଡଜନେ ଲୁହା କାରଖାନା ଥିଲେ ସୁଦ୍ଧା କୌଣସି ଠାରେ କଳଙ୍କମୁକ୍ତ ଲୁହା ନିର୍ମାଣ ହେଉନାହିଁ। ଏପରିକି ଚମ୍ଭା ପ୍ରଶାସକମାନେ ମଧ୍ୟ ନଳକୂଅରେ କଳଙ୍କମୁକ୍ତ ଧାତବ ସାମଗ୍ରୀ ପ୍ରୟୋଗ ଉପରେ ଚିନ୍ତା କରି ନାହାନ୍ତି। ଓଡ଼ିଶାରେ ରସ (ଆଲୁମିନିୟମ୍‌) କାରଖାନା ମଧ୍ୟ ଦେଶର ତଥା ଏସିଆର ଅଗ୍ରଣୀ କାରଖାନା ବୋଲି କୁହାଯାଉଛି। ଅଥଚ ଲୁହା ଓ ରସର ମିଶ୍ରଧାତୁରେ ଯେଉଁ କଳଙ୍କମୁକ୍ତ ଦୀର୍ଘସ୍ଥାୟୀ ତଥା ରୋଗମୁକ୍ତ ଜଳଯୋଗାଣ ଯନ୍ତ୍ର ସୁନିଶ୍ଚିତ କରାଯାଇପାରିବ, ତାହା ଉପରେ ମଧ୍ୟ କୌଣସି ମନ୍ତ୍ରୀ କି ଯନ୍ତ୍ରୀ ମୁଣ୍ଡ ଖେଳାଇ ନାହାନ୍ତି। ସେହିଭଳି ଜଳ ପରୀକ୍ଷା (Water Monitoring) ଉପରେ ମଧ୍ୟ ସଂପୃକ୍ତ ଅଧିକାରୀମାନେ ଜୋର୍‌ ଦେଇ ନାହାନ୍ତି। ବରଂ ୨୫ ବର୍ଷ ପରେ ତାହା ମନେ ପଡ଼ିଛି ଏବଂ ସମୟକ୍ରମେ ରିପୋର୍ଟ ଦିଆଯାଇଛି ଯେ ନଳକୂଅର ପାଣି ହିଁ ସବୁଠୁ ବିପଜ୍ଜନକ। ସବୁ ଜାଣିବା ପରେ ଲୋକମାନେ କେବଳ ଶୌଚ, ଗୋଡ଼ଧୁଆ ଓ ବାଡ଼ିପଟ ବାସନମଜା ପାଇଁ ନଳକୂଅ ପାଣି ବ୍ୟବହାର କରୁଛନ୍ତି। ଅଥଚ ପାଠ୍ୟପୁସ୍ତକରେ ଆମେ ପଢ଼ି ସାରିଥଲୁ - ନଳକୂଅର ପାଣି ପିଇବ ନିତି ଆଣିଏତେ କଥା ପରେ ବି କିଛି ନିକମା ପ୍ରଶାସକଙ୍କ କଥାରେ ସରକାରୀ ଘୋଷଣା ହେଲା ଯେ ସବୁ ନଳକୂଅ ମରାମତି କରିଦେବେ, ଏଇ ଖରା ଋତୁରେ!

ଶିକ୍ଷା ଓ ସୂଚନା ହାସଲରେ ବ୍ୟକ୍ତିଗତ ସ୍ତରରେ ଲୋକଙ୍କ ଶକ୍ତି ବୃଦ୍ଧି ଘଟୁଥିଲେ ସୁଦ୍ଧା ପ୍ରଶାସନ, ଲୋକଙ୍କୁ ଭକୁଆ ବନେଇବାକୁ ତଥାପି ସାହସ କରୁଛି। ଏହା ହିଁ ବିଡ଼ମ୍ବନା।

୨୦୧୬ ଏପ୍ରିଲ୍‌ ୭ ତାରିଖରେ ପଞ୍ଚାୟତିରାଜ ବିଭାଗ ଓ ଗ୍ରାମ ଉନ୍ନୟନ ବିଭାଗ ଜଳଜନିତ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଏକ ଦେୟମୁକ୍ତ ଦୂରଭାଷ ନମ୍ବର ଜାରି କରିଛନ୍ତି। ତାହା ହେଉଛି ୧୮୦୦୩୪୫୬୭୭୦ ଅଥବା ୧୫୫୩୩୫। ଯାହାକି ସକାଳ ୧୦ଟାରୁ ୫ଟା ମଧ୍ୟରେ କେବଳ କାର୍ଯ୍ୟ କରିବ। କିନ୍ତୁ ଏହି ନମ୍ବରଦ୍ଵୟକୁ ଯେତେବେଳେ କଲ୍‌ କଲେ ମଧ୍ୟ The network is congested ଉତ୍ତର ମିଳୁଛି। ଲୋକଙ୍କୁ ପଟି ମାରିବା ପାଇଁ ପ୍ରଶାସକମାନେ ଏହିଭଳି ତାଲିମ ପାଇଛନ୍ତି! ଦେଖାଯାଉ, ସହିଷ୍ଣୁ ଓଡ଼ିଶାବାସୀ କେତେ ଦିନ ଯାଏ ଆହୁରି ସହିବେ କି ବିପ୍ଳବ କରିବେ? ସବୁଠୁ ହାସ୍ୟାସ୍ପଦ କଥାଟି ହେଲା ସକାଳ ୧୦ରୁ ସଂଧ୍ୟା ୫ଟା ମଧ୍ୟରେ କଲ୍‌ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେବା। ଦେୟମୁକ୍ତ ଦୂରଭାଷରେ କଲ୍‌ ଗ୍ରହଣ କରିବା ପାଇଁ ୧୬ଘଣ୍ଟାର କର୍ମଚାରୀ ରଖିବାକୁ ଦମ୍‌ ନଥିବା ଏକ ପ୍ରଶାସନ ୨୪ ଘଣ୍ଟା ମଧ୍ୟରେ ସମାଧାନର ପ୍ରତିଶ୍ରୁତି ଦେବାଟା ଏକ ସ୍ପଷ୍ଟ ଧୋକାବାଜି ନୁହେଁ କି?

ଏବେ ସହରାଞ୍ଚଳ ଜଳ ସଂକଟ ଓ କାମଳ ବ୍ୟାପିବା ପ୍ରସଙ୍ଗକୁ ଯିବା। ଗତ ବର୍ଷ(୨୦୧୫) ମଧ୍ୟ କାମଳ ରୋଗ ତାହାର କମାଲ ଦେଖାଇଥିଲା ସମ୍ବଲପୁର ଓ କଟକରେ। ଏ ବର୍ଷ(୨୦୧୬) କଟକ ଓ ଭୁବନେଶ୍ଵରରେ କାମଳ ମାତିଛି। ସହରାଞ୍ଚଳରେ ବି ମୂଳକାରଣ ସେଇ କଳଙ୍କଯୁକ୍ତ ଲୁହାପାଇପ୍‌ରେ ଜଳଯୋଗାଣ। କୋଟିକୋଟି ଟଙ୍କାର ଜଳଯୋଗାଣ ବ୍ୟବସ୍ଥା ହେଉଛି। ଅଥଚ ମନ୍ତ୍ରୀ ଓ ଯନ୍ତ୍ରୀମାନଙ୍କର ଜ୍ଞାନବିଜ୍ଞାନ କୁଆଡ଼େ ଉଡ଼ିଯାଉଛି? ନର୍ଦମା ଓ ଜଳଯୋଗାଣ ପାଇପ୍‌ ସାଙ୍ଗ ହୋଇ ଲୋକଙ୍କ ଘରପାଖରେ ସେବା ଯୋଗାଉଛନ୍ତି। ଯାହାକୁ ଆମେ ଶରୀରରୁ ତ୍ୟାଗ କରୁଛୁ, ତାକୁ ପୁଣି ପରୋକ୍ଷରେ ଶରୀରରେ ଗ୍ରହଣ କରୁଛୁ। ଏହା ହିଁ ବିିବିଧ ରୋଗର କାରଣ ହେଉଛି। 

ଗତ ବର୍ଷ ଆମେ ଲେଖିଥିଲୁ ଯେ କାମଳକୁ କେବଳ ଆୟୁର୍ବେଦୀୟ ଚିକିତ୍ସା , ଅଥଚ ପ୍ରଶାସନ ତାହାକୁ ଅବହେଳା କରିଚାଲିଛି। ଦୁଇ ଦିନ ତଳେ ଏକ ଅଗ୍ରଣୀ ସମ୍ବାଦପତ୍ରରେ କଟକର ଜଣେ ଡାକ୍ତର ଲେଖିଥିଲେ କାମଳ ରୋଗ ବିଷୟରେ। ଅଥଚ ସେ ଲେଖିନଥିଲେ ଯେ ଏଥିପାଇଁ କୌଣସି ଡାକ୍ତରୀ ଔଷଧ ନାହିଁ ବୋଲି। ଏପରିକି ଲେଖିବାକୁ ଭୁଲି ଯାଇଥିଲେ ଯେ କାମଳ ପ୍ରତିଷେଧକ ନାମରେ ଯେଉଁ ୪୦୦ ଟଙ୍କିଆ ଟିକା ସବୁ ବିକ୍ରି ହୋଇଛି, ସେଗୁଡ଼ିକ ଠକାମି ଥିଲା ବୋଲି। ହେପାଟାଇଟିସ୍‌ ବି ଟିକା ନାମରେ ହଜାର ହଜାର କୋଟି ଟଙ୍କାର ଟିକା ବିକ୍ରୀ ହୋଇସାରିଛି। ଏବେ ଯଦି ସାହସ ଅଛି, ସେହି କମ୍ପାନୀମାନେ ଓ ପାଷାଣ୍ଡ ଡାକ୍ତରମାନେ କହନ୍ତୁ, କେଉଁ ଟିକା ନେଲେ ବସ୍ତିବାସୀ ଆଉ କାମଳ ଆକ୍ରାନ୍ତ ହେବେ ନାହିଁ। ଆମ୍ଭେ ନିଶ୍ଚିତ ଯେ କେହି ବାହାରିବେ ନାହିଁ। କାରଣ ଲୋକଙ୍କର ଗୋଟାଏ ବି ମାଡ଼ ତଳେ ପଡ଼ିବ ନାହିଁ।

ନଳକୂଅ ପାଇଁ ଅବା ପାଇପ‌୍ ଜଳଯୋଗାଣ ପାଇଁ ପିଭିସି (PVC) ପାଇପ୍ ହିଁ ସର୍ବୋତ୍କୃଷ୍ଟ ବୋଲି କହନ୍ତି, ପ୍ରଖ୍ୟାତ ସମାଜସେବୀ ତଥା ଜଳଯୋଗାଣ ବିଶେଷଜ୍ଞ ଜୋ ମାଡ଼ିଆଥ୍। ତାହାକୁ ସେ ‘ଗ୍ରାମ ବିକାଶ’ ସଂଗଠନ ଜରିଅାରେ ହଜାରେରୁ ଅଧିକ ଗ୍ରାମରେ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ତେବେ ପିଭିସି, ଲୁହାର ଗୋଟାପଣେ ବିକଳ୍ପ ନୁହେଁ। ତେଣୁ ଚାଳନ ଓ ରକ୍ଷଣାବେକ୍ଷଣ (Operation & Maintenance) ତତ୍ତ୍ୱ ପ୍ରତି ଧ୍ୟାନ ଦେବାକୁ ହେବ। ଯାହାକି ଆଜି ସୁଦ୍ଧା ଓଡ଼ିଶାରେ ସମ୍ଭବ ହୋଇନାହିଁଁ। ତେଣୁ ପ୍ରଶାସନକୁ ପୁରୁଣାକାଳିଅା ଅଭ୍ୟାସ ଛାଡ଼ିବାକୁ ହେବ। ସେହିଭଳି ଜଳ ଉତ୍ସ ପାଇଁ କେବଳ ଭୂପୃଷ୍ଠ ଜଳ (Surface Water) ଉତ୍ତମ। ଏଥିପାଇଁ ଆଡ଼ିବନ୍ଧ ବା ବ୍ୟାରେଜ୍ ହିଁ ସର୍ବୋତ୍ତମ ସାଧନ। ଯାହାର ଜଳକୁ ସହଜରେ ଉପଚାର(Treatment) କରାଯାଇପାରିବ। 

ମୌଳିକ ଭାବେ ଚିନ୍ତା କରନ୍ତୁ। ଆମେ ଆମକୁ ସୁରକ୍ଷା ଦେଇ ପାରିବା।

ବିମଳ ପ୍ରସାଦ, ଭୁବନେଶ୍ଵର

कोई टिप्पणी नहीं:

एक टिप्पणी भेजें