21 अप्रैल 2016

ନଗରବିକାଶର ନେତା ଜାନକୀବଲ୍ଲଭ

୨୧ ଏପ୍ରିଲ୍‌ ୨୦୧୫, ଗୁରୁବାର। ନିଜର ପୂର୍ବତନ କର୍ମକ୍ଷେତ୍ରରେ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ଜାନକୀବଲ୍ଲଭ ପଟ୍ଟନାୟକ। ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜାନକୀବଲ୍ଲଭ ଓରଫ ଜେବିଙ୍କ ବିୟୋଗ ହତବାକ୍‌ କରିଦେଇଥିଲା ତାଙ୍କ ପ୍ରଶଂସକମାନଙ୍କୁ ଓ ନିନ୍ଦୁକମାନଙ୍କୁ। କାରଣ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ମଧ୍ୟ ଥିଲା ଏକ ଆନୁଷ୍ଠାନିକ ମୁହୂର୍ତ୍ତ, ଯେଉଁଠି ସେ ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ’ର ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଥିଲେ। ଲାଗୁଥିଲା ଏହି ସାରସ୍ଵତ ସାଧକ ନିଜ ଜୀବନ ଓ ପ୍ରାଣ ଉପରେ ବି ନିୟନ୍ତ୍ରଣ ରଖିଥିଲେ। ଜୀବନର ଗୋଟିଏ ବି ମୁହୂର୍ତ୍ତ ଅବସର ନଥିଲା କି ରୋଗବ୍ୟାଧିରେ ଛଟପଟ ହୋଇ ନଥିଲେ। ସବୁ ଶାସ୍ତ୍ର ଓ ଲୋକବିଶ୍ଵାସକୁ ମିଛ କରି ଓ ପଛ କରି ସେ ପ୍ରମାଣ କରି ଦେଇଗଲେ ଯେ ସେ ହିଁ ସତ୍ୟ ଓ ସେ ହିଁ ଯୁଗପୁରୁଷ। ଆଜି ୨୧ ଏପ୍ରିଲ ୨୦୧୬ରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ମନେ ପଡ଼ୁଛି, ତାଙ୍କର ମୁଖ୍ୟମନ୍ତ୍ରୀ ଜୀବନର ଏକ ଅନାଲୋଚିତ ଅଧ୍ୟାୟ।

୧୯୯୫ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ଓଡ଼ିଶାର ପୂର୍ବତନ ରାଜଧାନୀ କଟକ ଓ ସାଂପ୍ରତିକ ରାଜଧାନୀ ଭୁବନେଶ୍ଵରର ବିକାଶ ପାଇଁ କଠୋର ପଦକ୍ଷେପ ନେଇଥିଲେ। କଟକରେ ଗଢ଼ିଥିଲେ ଅଭିନବ ବିଡ଼ାନାସୀ/ନୂଆ କଟକ ବା ମର୍କତନଗର। ଭୁବନେଶ୍ଵରରେ ଶାନ୍ତି ଫେରାଇ ଆଣିଥିଲେ ସତ୍ୟନଗରରେ। ଆଉ ଗଢ଼ାଇଥିଲେ ଶିଖରଚଣ୍ଡିନଗର। ଯାହାକି ପଟିଆ-କଳାରାହାଙ୍ଗ ଅଞ୍ଚଳରେ ଏକ ବିଶାଳ ଟାଉନ୍‌ସିପ୍‌ ନିର୍ମାଣର ମୂଳଦୁଆ ଭଳି କାମ କରିଛି। ଏକଦା ସତ୍ୟନଗର ଭଳି ଏକ ସଂକୁଚିତ ଅଞ୍ଚଳରେ ଅସହ୍ୟ ହୋଇପଡ଼ିଥିଲା ବସ୍ତିବାସୀଙ୍କ ଦୌରାତ୍ମ୍ୟ ଓ ଉତ୍ପାତ। କୌଣସି ସଭ୍ୟ ମଣିଷ ପାଇଁ ବଞ୍ଚିବା କଷ୍ଟକର ହେଉଥିବା ବେଳେ ଜାନକୀବଲ୍ଲଭ କଡ଼ା ପଦକ୍ଷେପ ନେଇ ବସ୍ତି ଉଚ୍ଛେଦ କଲେ। ବସ୍ତିବାସୀଙ୍କୁ ନ୍ୟାୟ ମଧ୍ୟ ଦେଲେ। ପ୍ରତ୍ୟେକ ଗୃହମୁଖ୍ୟଙ୍କୁ ପ୍ଲଟ୍‌ ଯୋଗାଇବାର ବ୍ୟବସ୍ଥା କଲେ ଶିଖରଚଣ୍ଡୀ ପାହାଡ଼ ପାଖରେ। ସେଥିପାଇଁ ସେହି ଆବାସିକ ଅଞ୍ଚଳର ନାମ ହେଲା ଶିଖରଚଣ୍ଡିନଗର। ଭୁବନେଶ୍ଵରକୁ ଏକ ବସ୍ତିମୁକ୍ତ ସମ୍ପନ୍ନସହର ନିର୍ମାଣ ଦିଗରେ ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ସ୍ଵପ୍ନକୁ ସମ୍ମାନ ଦେବାର ବ୍ୟଗ୍ରତା ଯେଉଁଭଳି ଭାବରେ ପଛକୁ ପଛ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଥିଲା। ସେଥିରୁ ଜାନକୀବଲ୍ଲଭ ବି ବାଦ୍‌ ଯାଇ ନଥିଲେ। ତେବେ ଆଜି ତାରିଖରେ ସମୀକ୍ଷା କଲେ ଏହା ଜଳଜଳ ଜଣାପଡ଼ିଯାଉଛି ଯେ ସେ ହିଁ ଥିଲେ ପୂର୍ବସୂରୀଙ୍କ ପରିକଳ୍ପନାକୁ ସମ୍ମାନ ଦେଉଥିବା ଶେଷ ମୁଖ୍ୟମନ୍ତ୍ରୀ।

ପରମ୍ପରା-ଭାଇଚାରା-ଦହିବରାଙ୍କ ସହର କଟକରେ ୫୨ବଜାର ଓ ୫୩ଗଳି ଭିତରେ ଅଣନିଃଶ୍ଵାସୀ ହୋଇପଡ଼ିଥିବା କଟକିଆମାନଙ୍କ ପାଇଁ ଏକ ନୂଆକଟକ ପରିକଳ୍ପନାର ସାକାର ରୂପକାର ଥିଲେ ଜାନକୀବଲ୍ଲଭ। କଂକ୍ରିଟ୍‌ ଘରର ମାୟାରେ ପଡ଼ିଥିବା ପ୍ରତ୍ୟେକ କଟକିଆଙ୍କ ଭିତରେ ଆଶାର ସଂଚାର କରିଥିଲେ ଅଭିନବ ବିଡ଼ାନାସୀ ବା ନୂଆକଟକ ବା ମର୍କତନଗର ପ୍ରତିଷ୍ଠା କରି। ୧୯୯୫ ମସିହା ବେଳକୁ ଅଧିକାଂଶ କଟକିଆ ଘରମାଲିକ ହୋଇସାରିଥିଲେ ଭୁବନେଶ୍ଵରରେ। କେହି କେହି ସ୍ଥାୟୀ ଭାବେ ଭୁବନେଶ୍ଵରକୁ ବି ଆସିସାରିଥିଲେ। ଅନ୍ୟମାନେ ନିଜ ଘରକୁ ଭଡ଼ାରେ ଲଗାଇଥିବା ବେଳେ କଟକର ସଂକୁଚିତ ଘର ଭିତରେ ରହିବାର ମାୟାକୁ ଛାଡ଼ି ପାରୁନଥିଲେ। ଏସବୁ ଭାବନା ଇତିହାସ ପାଲଟିଯାଇଥିଲା ନୂଆକଟକର ପ୍ରଶସ୍ତ ସିଧାସଳଖ ଚଉଡ଼ା ରାସ୍ତା। ମନଲାଖି ଘରଡିହ ସହ ନଈକୂଳିଆ ଧୀର ପବନ। ଏସବୁକୁ ଛାଡ଼ିକି କାହାର ବା ଯିବାକୁ ମନ ହେବ! କଟକିଆଙ୍କ ପାଇଁ ଏକ ନୂଆ ଆଭିଜାତ୍ୟର ସନ୍ତକ ପାଲଟିଗଲା ମର୍କତନଗରର ବିଭିନ୍ନ ସେକ୍ଟରରୁ କୌଣସିଥିରେ ଗୋଟିଏ ଘରଡିହ ବାଛି କିଣିବାର ଓ ତାହା ଉପରେ କଂକ୍ରିଟ୍‌ ଘର ବନାଇବାର। ଭାରତୀୟ ପରମ୍ପରାରେ ଘରଟା ଜାପାନ ଭଳି ତୁଚ୍ଛ ନୁହଁ। ଏଠି ଘରର ଏକାଧିକ ଭାବାର୍ଥ ଏବଂ ଘର ହିଁ ଭାରତୀୟଙ୍କ ପାଇଁ, ଏପରିକି ସମୁଦ୍ରକୂଳିଆ ରାଜ୍ୟ ଓଡ଼ିଶା ପାଇଁ ଏକ ଗୁରୁତ୍ଵପୂର୍ଣ ସମ୍ପତ୍ତି। ମର୍କତନଗରରେ ଘରଡିହ ପାଇବା ସବୁ କଟକିଆଙ୍କର ସ୍ଵପ୍ନ। ଏବେ ସେ ସ୍ଵପ୍ନର ରୂପରେଖ ବଦଳିଛି। ଅନ୍ତତଃ କୌଣସି ମହଲାରେ ଘରଖଣ୍ଡେ କିଣିବାକୁ ବା ଭଡ଼ାରେ ରହିବାକୁ କଟକିଆଙ୍କ ଭିତରେ ବ୍ୟଗ୍ରତା ରହିଛି। ଏଭଳି ଏକ ଅଭିନବ ବାସୋପଯୋଗୀ ସ୍ଥାନ ଯଦି ମୁମ୍ବାଇରେ ହୋଇଥାଆନ୍ତା, ଏହାର ନାମ ବୋଧହୁଏ ହୋଇଥାଆନ୍ତା Kathjori Reclamation। ଦୁଃଖର କଥା ଯେ ଏହି ବିସ୍ତୃତ ଆବାସିକ ଅଞ୍ଚଳକୁ ଲୋକମାନେ ସିଡ଼ିଏ (CDA) କହୁଛନ୍ତି ଓ ଲେଖୁଛନ୍ତି। ଏପରିକି CDA Phase-2 ନାମରେ ଏକ ଥାନା ମଧ୍ୟ ପ୍ରତିଷ୍ଠା ହୋଇଛି। ନୂଆ ପିଢ଼ିର ମଣିଷମାନଙ୍କର ଭାବିବାକୁ ସମୟ ନାହିଁ। ଯଦି ବି କେହି କେବେ ଭାବିଲା, ସେ ନିଶ୍ଚୟ ପୁରୁଣା ପିଢ଼ିକୁ ଗାଳି ଦେବ, ଗୋଟିଏ ଅଞ୍ଚଳର ନାମ CDA କିପରି ହେଲା କହି। ଆଉ ସ୍ଵର୍ଗରେ ଥାଇ ଜାନକୀବଲ୍ଲଭ ବି ମନଊଣା କରୁଥିବେ ଯେ ତିନି ତିନିଟି ନାମ କ’ଣ ପାଇଁ କଟକିଆଙ୍କୁ ଊଣା ହେଲା ଯେ ଏକ ସଂକ୍ଷିପ୍ତନାମକୁ ଅଞ୍ଚଳର ନାମ କରିଦେଲେ! CDA ଅର୍ଥ Cuttack Development Authority, ଯାହାକି ଏକ ସରକାରୀ ସଂସ୍ଥା। ସେହି ସଂସ୍ଥା ସମଗ୍ର କଟକ ନଗର ପାଇଁ କାର୍ଯ୍ୟ କରୁଛି, କେବଳ ନୂଆକଟକ ପାଇଁ ନୁହେଁ। ଯାହାବି ହେଉ ଓଡ଼ିଶାର ପୁରୁଣା ରାଜଧାନୀ କଟକର ଏହି କାଳଜୟୀ ଅବଦାନରୁ ଏହା ସ୍ଵଷ୍ଟ ଯେ ଜାନକୀବଲ୍ଲଭ ପ୍ରକୃତରେ ମାଟିର ମୂର୍ତ୍ତିକାର

ଆଉ ଭୁବନେଶ୍ଵରକୁ ଯଦି ବସ୍ତିମୁକ୍ତ କରିବାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀମାନେ ମନ ଦେଇଥାଆନ୍ତେ, ତେବେ ଆଜି ଭୁବନେଶ୍ଵର ଏକ Sex Racketର ସହର ରୂପେ ଅପବାଦ ମୁଣ୍ଡାଇନଥାଆନ୍ତା। ଭୋଟ୍‌ ବ୍ୟାଙ୍କ୍‌ ଲାଳସାରେ ରାଜଧାନୀ ଭୁବନେଶ୍ଵରକୁ ବସ୍ତିବହୁଳ ସହର କରି ଗଢ଼ିତୋଳିଥିବା ରାଜନେତାମାନେ ଇତିହାସକୁ ଧୋକା ଦେଇ ଚାଲିଛନ୍ତି। ଏହାର ସମାଧାନ ପାଇଁ ଜାନକୀବଲ୍ଲଭମାନେ ବାରମ୍ବାର ଜନ୍ମ ହୁଅନ୍ତୁ। ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ତାଙ୍କ ଅମରାତ୍ମା ପାଖରେ ଏତିକି କାମନା।