26 मई 2016

ନିଃସର୍ତ୍ତ ରାଜଭକ୍ତିର ଶପଥ


୨୦୧୬ ମେ ମାସରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମାତ୍ର ଗୋଟିଏରେ ବିଜୟୀ ହୋଇଥିଲେ ସୁଦ୍ଧା ଏହି ଦଳର ତୁଙ୍ଗନେତାମାନେ ବେଶ୍ ଖୁସୀ। କାରଣ ଜାତୀୟ କଂଗ୍ରେସ ମେଣ୍ଟ କରି ସୁଦ୍ଧା ବିପୁଳ ପରାଜୟ ବରଣ କରିଛି। କଂଗ୍ରେସମୁକ୍ତ ଭାରତବର୍ଷ ଗଠନର ଦିନ ପାଖେଇ ଆସୁଥିବା ହୃଦବୋଧ କରି ଭାଜପା ନେତାମାନେ ଖୁସୀ ଅଛନ୍ତି। ରାଜନୀତି କରିବାକୁ ଭାଜପାକୁ ଅନ୍ୟ ଦଳର ନେତାଏ ଯେତେ ଛିଛା କଲେବି ଏହା ଯେ ରାଷ୍ଟ୍ର ସ୍ୱାର୍ଥର ପ୍ରହରୀ, ତାହା ସେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇ ନଦେଇ ପ୍ରମାଣ କରିସାରିଛି। କେରଳ, ତାମିଲନାଡୁ ଓ ପଶ୍ଚିମବଂଗରେ କଂଗ୍ରେସ ପରାସ୍ତ ହୋଇଛି। କ୍ରମାଗତ ଚଉଠ ଶତାବ୍ଦୀ ଧରି ପଶ୍ଚିମବଂଗରେ ବାମପନ୍ଥୀ ଦଳ ସରକାରରେ ବିରୋଧୀ ଗାଦି ସମ୍ଭାଳିଥିବା ଜାତୀୟ କଂଗ୍ରେସର ଏପରି ଅଧୋଗତି ହେଲା ଯେ ଶେଷରେ ନିଜ ବଇରିକୁ ବନ୍ଧୁ (ମେଣ୍ଟ) କରି ନିର୍ବାଚନ ଲଢ଼ିଲା। ତଥାପି ହାରିଗଲା। ସୂଚନାଦୀପ୍ତ ବଂଗୀୟ ମତଦାତାମାନେ ଠିକ୍ ବୁଝିଥିଲେ ନିର୍ବାଚନର ଖେଳକୁ। ତେଣୁ କଂଗ୍ରେସ ମାତ୍ର ୪୪ଟି ଆସନ ରଖିବାରେ ସମର୍ଥ ହୋଇଛି। ତେବେ ୨୫ ମେ ୨୦୧୬ରେ କୋଲକାତାରେ ଭାରତୀୟ ଗଣତନ୍ତ୍ରରେ ଏକ ନୂଆ ଘଟଣା ଘଟିଛି। ପଶ୍ଚିମବଂଗ ପ୍ରଦେଶ କଂଗ୍ରେସର ସଭାପତି ଅଧୀର ରଂଜନ ଚୌଧୁରୀ ନିଜ ଦଳର ୪୪ ଜଣ ବିଧାୟକଙ୍କ ଠାରୁ ନିଃସର୍ତ୍ତ ରାଜଭକ୍ତିର ଶପଥ (swearing unqualified allegiance) ଆଦାୟ କରି ନେଇଛନ୍ତି । ୧୦୦ ଟଙ୍କିଆ ଷ୍ଟାମ୍ପ୍ ପେପରରେ ସ୍ୱାକ୍ଷରିତ ଏହି ଲିଖିତ ପ୍ରତିଶ୍ରୁତି (undertaking) ଏବେ ସାରା ଦେଶରେ ଗୁଂଜରଣର କାରଣ ହୋଇଛି। ହୁଏତ ତାମିଲନାଡୁର ଆମ୍ମାଙ୍କ ନିର୍ଭର ପ୍ରତିଶ୍ରୁତି ଅପେକ୍ଷା ଅଧୀରଙ୍କ ଏହି ଲିଖିତ ପ୍ରତିଶ୍ରୁତି ଆଦାୟ ଘଟଣା ସାରା ଦେଶରେ ରାଜନୀତିକ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଯିବ। କଂଗ୍ରେସ ବିଧାୟକମାନେ ଲେଖି ଦେଇଛନ୍ତି ଯେ ସେମାନେ ନିଃସର୍ତରେ ସୋନିଆଜୀ ରାହୁଲଜୀଙ୍କ ପ୍ରତି ରାଜଭକ୍ତି ପ୍ରଦର୍ଶନ କରିବେ। ଦଳବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ହେବେ ନାହିଁ। ଯଦି ଦଳ ଛାଡ଼ନ୍ତି, ତେବେ ତୃଣମୂଳ କଂଗ୍ରେସରେ ମିଶିବେ ନାହିଁ। କି ଲୋକହସା କଥା? ଇଏ କ’ଣ ସେଇ ଜାତୀୟ କଂଗ୍ରେସ ଯାହାର ରାଷ୍ଟ୍ରୀୟ ନେତା ଥିଲେ ନେତାଜୀ ସୁଭାଷ?


୪୪ ବିଧାୟକଙ୍କ ସତ୍ୟପାଠରୁ ଆମେ ଓଡ଼ିଶାର ସଚେତନ ନାଗରିକମାନେ ଏୟା ବୁଝିବା ଯେ ଜାତୀୟ କଂଗ୍ରେସ ଆଉ ଭିଡ଼କୁ ନୁହଁ। ସେଠି ଗଣତନ୍ତ୍ର ନାହିଁ କି ବ୍ୟକ୍ତି ସ୍ୱାଧୀନତା ନାହିଁ। ଓଡ଼ିଶାରେ ବିଜୁ ଜନତା ଦଳର ୨୦ ବର୍ଷର କଳା ଶାସନକୁ ଟକ୍କର ଦେବାକୁ କ’ଣ ଏ ଜାତୀୟ କଂଗ୍ରେସ ପାରିବ? ଯଦି ନପାରିବ, ତେବେ ଆମ୍ଭ ମତରେ ବେଳହୁଁ ପାଗ ଭିଡ଼ନ୍ତୁ ଓଡ଼ିଶାର ଛାମୁଆଁ କଂଗ୍ରେସିଆମାନେ। ଗଢ଼ନ୍ତୁ ଆଉ ଏକ କଂଗ୍ରେସ ରାଜ୍ୟସ୍ତରରେ। ମାନେ ନିଚ୍ଛକ ପ୍ରାଦେଶିକ ଦଳ। ଏବେ ପରା ପ୍ରାଦେଶିକ ଦଳର ଫୁଲ୍ ଗ୍ଲାମର ଚାଲିଛି! କଂଗ୍ରେସ ଠାରୁ ଏମିତି ଆଶା କରିବାର ଅର୍ଥ ହେଲା ଓଡ଼ିଶା ଭାଜପା ଜମାରୁ ସଂଗଠନ ପ୍ରତି ଧ୍ୟାନ ନଦେଇ କେବଳ ସୁନେଲି ସ୍ୱପ୍ନରେ ଘୂରି ବୁଲୁଛି। ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ୨୦୧୯ରେ ଯଦି ପୁଣି କ୍ଷମତା ଦଖଲ କରିବ, ସେଥିପାଇଁ ନବୀନଙ୍କ ଭିନ୍ନ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିବା ଦରକାର। ଓଡ଼ିଶାବାସୀ ପୁଣିଥରେ ୯ ଜୁନ୍ ୧୯୮୦ ତାରିଖର ପୂର୍ବସ୍ଥିତିକୁ ଫେରିବାକୁ ଚାହାନ୍ତି ନାହିଁ। ଏହା ଆପଣ ଜାଣନ୍ତି। ସମସ୍ତେ ଜାଣନ୍ତି। ଜାନକୀବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ଆରମ୍ଭରୁ ୧୯୮୦ ମସିହାରୁ ଏଯାବତ୍ ଓଡ଼ିଶାରେ ସ୍ଥିର ଶାସନର ପରମ୍ପରା  ଜାରି ରହିଛି। ସତ କଥାଟି ହେଲା ଓଡ଼ିଶାବାସୀ ରାଷ୍ଟ୍ରପତି ଶାସନକୁ ଜମାରୁ ପସନ୍ଦ କରନ୍ତି ନାହିଁ। କାରଣ ୧୯୬୧ (୨୫ ଫେବୃଆରିରୁ ୨୩ ଜୁନ୍), ୧୯୭୧ (୧୧ଜାନୁଆରିରୁ ୩ ଏପ୍ରିଲ), ୧୯୭୩-୭୪ (୩.୩.୭୩ରୁ ୬.୩.୭୪), ୧୯୭୬ (୧୬ରୁ ୨୯ ଡିସେମ୍ବର), ୧୯୭୭ (୩୦ ଏପ୍ରିଲରୁ ୨୬ ଜୁନ୍), ୧୯୮୦ (୧୭ ଫେବୃଆରିରୁ ୯ ଜୁନ୍) ଏହିଭଳି ୬ ଥର ଓଡ଼ିଶା ଭୋଗିଛି ରାଷ୍ଟ୍ରପତି ଶାସନ। ଗଣତନ୍ତ୍ରରେ ରାଷ୍ଟ୍ରପତି ଶାସନକୁ କେହି ପସନ୍ଦ କରନ୍ତି ନାହିଁ। ତେବେ ଏଭଳି ସ୍ଥିର ଶାସନ ଦେବାକୁ ଓଡ଼ିଶାରେ କଂଗ୍ରେସ ଓ ଭାଜପା ପ୍ରସ୍ତୁତ କି? ବିଶେଷଜ୍ଞମାନେ ଏହି ୪୦ ବର୍ଷର ସ୍ଥିର ଶାସନକୁ (୨୦୧୯କୁ ପୂରିବ ୪୦) ନେଇ ବେଶି ଚିନ୍ତିତ।

ଟିଭି ମାଧ୍ୟମ ପ୍ରତି ଓଡ଼ିଶାର ମୁଦ୍ରଣ ମାଧ୍ୟମ ଯେତେ ଆଙ୍ଗୁଠି ଦେଖାଇଲେ ସୁଦ୍ଧା ସେଇ ଟିଭି ମାଧ୍ୟମ ହିଁ ଓଡ଼ିଶାର ଜନମତକୁ ପ୍ରଭାବିତ କରି ଚାଲିଛି। କାରଣ ୫ଟଙ୍କା ଦେଇ ଯିଏ ଦିନକୁ ଖଣ୍ଡେ ଖବରକାଗଜ କିଣି ପାରୁ ନାହିଁ, ସେ ଦିନକୁ ୧୦ଟଙ୍କା ଖର୍ଚ କରି ଟିଭି କେବୁଲରେ ପ୍ରିମିଅମ୍ ପ୍ୟାକ‌୍ ଦେଖୁଛି। ୫ ଛାଡି ୧୦ଟଙ୍କା ଯାଚିଲେ ବି ଯେଉଁ ଜାଗାରେ ଖବରକାଗଜ ପହଞ୍ଚିବାର ପ୍ରଶ୍ନ ଉଠୁନାହିଁ, ସେଠାରେ ପହଞ୍ଚୁଛି ଟିଭି ସିଗନାଲ୍। ଲେଖିପଢ଼ି ଜାଣି ନଥିଲେ ବି ଟିଭିରୁ ଖବର ଓ ଆଲୋଚନା ବୁଝିପାରୁଛନ୍ତି ସମସ୍ତ ଓଡ଼ିଆ ଓ ଅଣଓଡ଼ିଆ ନାଗରିକ। ଏକଦା ଓଡ଼ିଶାରେ ମୁଦ୍ରଣ ମାଧ୍ୟମକୁ ନୂଆ ପରିଭାଷା ଦେଇଥିବା ସୌମ୍ୟରଂଜନ ପଟ୍ଟନାୟକ ଏବେ ଓଡ଼ିଶାବାସୀଙ୍କ ଟିଭି ଦେଖା ରୁଚି ଓ ସଉକକୁ ନୂଆ ପରିଭାଷା ଦେବାକୁ ବଜାରକୁ ଓହ୍ଲାଇଛନ୍ତି। ଓଡ଼ିଆ ଟିଭି ଯେ ଜନମତର ବାହକ, ଏଇ ସ୍ପନ୍ଦନକୁ ଠିକ‌୍ ବୁଝିପାରି ୨୦୧୭ ସୁଦ୍ଧା ଓଡ଼ିଶାର ସବୁ ବ୍ଲକ୍ ମୁଖ୍ୟାଳୟରେ ଇଷ୍ଟର୍ନ ମିଡ଼ିଆ ଡିଜିଟାଲ କେବୁଲ ସଂଯୋଗ ପହଞ୍ଚାଇବାକୁ ପଣ କରିଛନ୍ତି। ଏମିତି ଟିଭି କେବୁଲ ସେବା ଆରମ୍ଭ କରି ଓଡ଼ିଶାର ଏକମାତ୍ର ବୃହତ୍ ଶିଳ୍ପପତିଙ୍କ ବ୍ୟବସାୟ କେବଳ ବଡ଼ ସହରଗୁଡ଼ିକରେ ସୀମିତ ରହିଥିବା ବେଳେ ତାହାକୁ ଏକ ଶୀତଳ ଆହ୍ୱାନ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ତଥା ପୂର୍ବତନ ଭାଜପା ନେତା ସୌମ୍ୟବାବୁ। ଏକଦା ତାମିଲନାଡୁର ଏକ ପରିବାର ଟିଭି କେବୁଲ ବେପାର କରୁ କରୁ ରାଜ୍ୟ ରାଜନୀତିକୁ ନିଜ ହାତମୁଠାରେ ରଖିବା ସହ କେନ୍ଦ୍ର ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଥିଲେ। ସମ୍ଭବତଃ ସେଇ ଗୁଟି ଗଡ଼ାଇବାକୁ ଯାଉଛନ୍ତି ସୌମ୍ୟବାବୁ। ପଡ଼ୋଶୀ ପଶ୍ଚିମବଂଗରେ ଭାରତୀୟ ଗଣତନ୍ତ୍ରକୁ ସତ୍ୟପାଠ କରିବାକୁ ପଡ଼ିଥିବା ବେଳେ ଓଡ଼ିଶାରେ ‘‘ଓଡ଼ିଆରେ ଓଡ଼ିଶା ଶାସନ’’ର ଅଧ୍ୟାଦେଶ ଆଗାମୀ ଦିନରେ ଜନମତକୁ ଭୁଲାଇ ପାରୁଛି କି, ରାଜନୀତି ପଶାପାଲିରେ ନୂଆ ଗୁଟି ଗଡୁଛି, ତାହାକୁ ନାଗରିକ ମହଲ ଟାକି ବସିଛନ୍ତି।