12 मई 2016

ଅଲାଜୁକ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷଙ୍କ ଅଫ୍‌ଲାଇନ୍‌ ପ୍ରୀତି

୩ ମେ ୨୦୧୬, ମଙ୍ଗଳବାର ହ୍ୟାକ୍‌ ହେଲା www.utkaluniversity.ac.in ଏବଂ ୯ ମେ ୨୦୧୬, ସୋମବାର ହ୍ୟାକ୍‌ ହେଲା ଇ-ନାମଲେଖା ୱେବ୍‌ସାଇଟ୍‌। କିନ୍ତୁ ଏ ବ୍ୟବସ୍ଥାକୁ ତୁରନ୍ତ ସଜାଡ଼ିବା ପରିବର୍ତ୍ତେ ଅଫ୍‌ଲାଇନ୍‌ରେ ନାମଲେଖା ହେବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଦେଲେ। ୪ ବର୍ଷ ଧରି ଚାଲିଥିଲା ଅନ୍‌ଲାଇନ୍‌ ନାମଲେଖା ବ୍ୟବସ୍ଥା। ଏକ ସ୍ଵଚ୍ଛ ବ୍ୟବସ୍ଥା। ଯେଉଁଠି ଜଣେ ଯୋଗ୍ୟ ବିଦ୍ୟାର୍ଥୀ କେବଳ ଗୋଟିଏ ମହାବିଦ୍ୟାଳୟରେ ନାମଲେଖାଇ ପାରୁଥିଲା। କିନ୍ତୁ ଏବେ ଅଫ୍‌ଲାଇନ୍‌ ନାମଲେଖା ବ୍ୟବସ୍ଥା ଦ୍ଵାରା ଜଣେ ବିଦ୍ୟାର୍ଥୀ ୩ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ବନିପାରିବ। ଦୁର୍ନୀତି ହୋଇପାରିବ ଏବଂ କିରାଣି, ଚପରାଶି ସମେତ ଅଧ୍ୟାପକ, ଅଧ୍ୟକ୍ଷଙ୍କର ପକେଟ୍‌ ଗରମ ହୋଇପାରିବ। ଅର୍ଥାତ୍‌ ବିଜୁଳିବତୀ ଯୁଗରୁ ପୁଣି ଫେରିଯିବୁ ଲଣ୍ଠନ ଯୁଗକୁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସ୍ନାତକୋତ୍ତର ପରିଷଦ (ପିଜି କାଉନସିଲ) ଅଧ୍ୟକ୍ଷ ପ୍ରଫେସର ରଂଜନ କୁମାର ବଳ, ପରିଷଦ ବୈଠକରେ କହିଛନ୍ତି, ‘‘ଇ-ନାମଲେଖା ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇନାହିଁ। ୯ ମେ ୨୦୧୬ ସୋମବାର ଦିନ ୩ଟା ୩୯ରେ ହ୍ୟାକରମାନେ ହ୍ୟାକ୍‌ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ଇ-ନାମଲେଖା ୱେବ୍‌ସାଇଟ୍‌କୁ ବନ୍ଦ କରି ଦେଇଛୁ। ଏ ନେଇ କ୍ରାଇମ୍‌ ବ୍ରାଞ୍ଚକୁ ଜଣାଇଛୁ। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ କୌଣସି ତଥ୍ୟ ନଷ୍ଟ ହୋଇ ନାହିଁ। ସବୁ ସୁରକ୍ଷିତ ଅଛି। ଏବେ ସୁଦ୍ଧା ୧୩,୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।’’

ଏଥିରୁ ଜଣାପଡ଼ୁଛି ଯେ ପୁଣି ଅଫ୍‌ଲାଇନ୍‌ ନାମଲେଖା କରାଇବା ପଛରେ କିଛି ଅଭିସନ୍ଧି ରହିଛି। ହ୍ୟାକିଂ କେବଳ ଏକ ନାଟକ। କିନ୍ତୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୂରାଇଛନ୍ତି। ଏହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଅସଲ କଥା ହେଲା, ଏହା ଏକ ସରକାରୀ ବିଶ୍ଵବିଦ୍ୟାଳୟ ହୋଇଥିବାରୁ ଏହାର ୱେବ୍‌ସାଇଟ୍‌ର ସିକ୍ୟୁରିଟି ଅଡ଼ିଟ୍‌ ହେବା ନିଶ୍ଚିତ। କିନ୍ତୁ ସିକ୍ୟୁରିଟି ଅଡ଼ିଟ୍‌ରେ ଦେଢ଼ ଲକ୍ଷ ବା ଦୁଇଲକ୍ଷ ଟଙ୍କା ଖର୍ଚ ନକରି ଏବେ ସାରା ବିଶ୍ଵବିଦ୍ୟାଳୟ ତଥା ରାଜ୍ୟକୁ ନିନ୍ଦିତ କରିବାର ଉଦ୍ୟମ ଆରମ୍ଭ ହୋଇଛି। ଇ-ନାମଲେଖା ସାଇଟ୍‌ର କାର୍ଯ୍ୟ କରିଥିବା ଏକ ଘରୋଇ କମ୍ପାନୀ ପ୍ରାୟ ୪ଲକ୍ଷ ଟଙ୍କା ପ୍ରାପ୍ୟର ୮୦ ଭାଗ ନେଇସାରିଥିବା ବେଳେ ଏଭଳି ପରିସ୍ଥିତି କାହିଁକି ଉପୁଜିଲା ତାହା ଉପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କହୁନାହାନ୍ତି। ତେବେ ‘‘ଅଫ୍‌ଲାଇନ୍‌ ନାମଲେଖା’’ ରୂପକ ଗୋଳିଆପାଣିକୁ ୧୧ ମେ ୨୦୧୬ରେ ‘‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’’ (ABVP) ନିନ୍ଦା କରିଛି। ଏବିଭିପିର ବାଣୀବିହାର ନଗର ସଂଯୋଜକ ପ୍ରଭୁଦତ୍ତ ସାମଲ ହତା ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଫ୍‌ଲାଇନ୍‌ ନାମଲେଖାକୁ ବିରୋଧ କରିଛନ୍ତି।

ଅନ୍‌ଲାଇନ୍‌ରେ ନାମଲେଖାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ବିଫଳ ହୁଅନ୍ତି, ତେବେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅପଦସ୍ଥ ହେବା ସହ ବିଶ୍ଵବିଦ୍ୟାଳୟ ଉପରେ ବିଦ୍ୟାର୍ଥୀମାନଙ୍କ କ୍ରୋଧ ବହୁଗୁଣିତ ହୋଇଯିବ। ଏପଟେ ଦେଶର ଶ୍ରେଷ୍ଠ ୧୦୦ ବିଶ୍ଵବିଦ୍ୟାଳୟ ଭିତରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାନ ନପାଇବାରୁ ଅଭିଭାବକ, ଜନତା ତଥା ଛାତ୍ର ତାତିକି ଥିବା ବେଳେ ଅଫ୍‌ଲାଇନ୍‌ ନାମଲେଖାକୁ ପୁଣି ପ୍ରଶ୍ରୟ ଦେବାର ମସୁଧା କରି ରାଜ୍ୟରେ ଏକ ବିଶାଳ ଛାତ୍ର ଆନ୍ଦୋଳନକୁ ହୁଇସିଲ୍‌ ମାରି ଡାକିବା ଭଳି କଥା ହୋଇଛି।

ଜଣାପଡ଼ିଛି ଯେ ଉତ୍କଳ ବିଶ୍ଵବିଦ୍ୟାଳୟ ନାମଲେଖା ଡୋମେନ୍‌ର SSL (Security Socket Layer) ସାର୍ଟିଫିକେଟ୍‌ ନଥିଲା। ଯାହା ଫଳରେ ଏହାର ହ୍ୟାକିଂର ଆଶଙ୍କା ଉପୁଜିଥିଲା। ସେ ଯାହାବି ହେଉ, କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତାର ଶିକାର ମେଧାବୀ ବିଦ୍ୟାର୍ଥୀମାନେ ନହୁଅନ୍ତୁ।

ଖୁସୀର କଥା ଯେ ୫ ବର୍ଷ ଧରି ଚାଲିଥିବା +୨ ଶ୍ରେଣୀଗୁଡ଼ିକର ଇ-ନାମଲେଖା ୱେବ୍‌ସାଇଟ୍‌ର ରକ୍ଷଣାବେକ୍ଷଣ କରୁଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ଘରୋଇ କମ୍ପାନୀ CSM Technologies ଅଧିକ ସତର୍କତା ଅବଲମ୍ବନ କରିଛି। ଏପରିକି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହବନ୍ଧିତ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକରେ ନିର୍ବିଘ୍ନରେ ଇ-ନାମଲେଖା ହୋଇପାରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।

ଚଳିତ ବର୍ଷ, ଗତ ଶିକ୍ଷା ବର୍ଷର ଚୂଡ଼ାନ୍ତ ପରୀକ୍ଷାଫଳଗୁଡ଼ିକୁ ଏପ୍ରିଲ ମାସରେ ପ୍ରକାଶ କରି ଉତ୍କଳ ବିଶ୍ଵବିଦ୍ୟାଳୟ ସାରା ଦେଶରେ ଏକ ରେକର୍ଡ଼ କରିଥିଲେ ସୁଦ୍ଧା ସଂପ୍ରତି ଅଫ୍‌ଲାଇନ୍‌ ନାମଲେଖାକୁ ସୁଯୋଗ ଦେଲେ, ତାହା ନିଶ୍ଚିତ ରୂପେ ଏହାର NAAC ମାନ୍ୟତାକୁ ପ୍ରଭାବିତ କରିବ। ତେଣୁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବିଶ୍ଵବିଦ୍ୟାଳୟ ପରିଚାଳନାର ଦାୟିତ୍ଵ ଓ ନେତୃତ୍ଵ ଦିଆଯିବାର ଜରୁରୀ ଆବଶ୍ୟକତା ଦେଖା ଦେଇଛି। ନଚେତ୍‌ ରାଜ୍ୟର ସ୍ଵାଭିମାନ ଓ ସମ୍ମାନ ପ୍ରତି ଅଧିକ ବିପଦ ମାଡ଼ି ଆସିବ।