28 जून 2016

ଇ-ରେଜିଷ୍ଟ୍ରେସନ ଲଣ୍ଠଣ: ୨୦୧୦ ପରେ ୨୦୧୬

ଇ-ଷ୍ଟାମ୍ପିଂ ଓ ଇ-ରେଜିଷ୍ଟ୍ରେସନର ଲଣ୍ଠନ ଦେଖାଇଲେ ଓଡ଼ିଶା ସରକାର। ୨୭ ଜୁନ୍ ୨୦୧୬ରେ କଟକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ରାଜ୍ୟସ୍ତରୀୟ ସଭାରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେହିଭଳି ଇ-ରେଜିଷ୍ଟ୍ରେସନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଏହି ବ୍ୟବସ୍ଥା ଦ୍ୱାରା ଜନସାଧାରଣ ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କ ଷ୍ଟାମ୍ପ୍ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଦେୟ ଦାଖଲ କରିପାରିବେ। ତେବେ ପୂର୍ବ ପରି ଷ୍ଟାମ୍ପ ଭେଣ୍ଡର ଓ ଫ୍ରାଙ୍କିଙ୍ଗ ମେସିନ ବ୍ୟବସ୍ଥାରେ ଷ୍ଟାମ୍ପ ବିକ୍ରି ବ୍ୟବସ୍ଥା ମଧ୍ୟ ଚାଲୁ ରହିବ ବୋଲି ରାଜସ୍ୱ ମନ୍ତ୍ରୀ ଘୋଷଣା କରିଛନ୍ତି। ଶିଳ୍ପ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ରଖିଛନ୍ତି ଯେ କମ୍ପ୍ୟୁଟରୀକରଣ ଜରିଆରେ ସରକାରୀ କାର୍ଯ୍ୟ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ସପ୍ତମ ସ୍ଥାନ ଅଧିକାର କରିଛି। ଷ୍ଟକ୍ ହୋଲଡିଂ କର୍ପୋରେସନ ନାମକ ମୁମ୍ବାଇର ଏକ କମ୍ପାନୀ ଦାୟିତ୍ୱ ନେଇ ଏହି eRegistrationeStamping ବ୍ୟବସ୍ଥାର ପ୍ରଚଳନ କରାଇଛି। କଟକ, ଭୁବନେଶ୍ୱର ଓ ରାଉରକେଲାର ଉପନିବନ୍ଧକଙ୍କ ଦପ୍ତରରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ପର୍ଯ୍ୟାୟକ୍ରମେ ଏହା ରାଜ୍ୟର ୧୮୫ଟି ନିବନ୍ଧନ ଦପ୍ତରରେ ଲାଗୁ କରାଯିବ।

ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ରାଜସ୍ୱ ମନ୍ତ୍ରୀ, ଓଡ଼ିଶା
ତେବେ ଏହି ବ୍ୟବସ୍ଥା ବାସ୍ତବରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ୨୦୧୦ରେ ତତ୍କାଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅମଳରେ। ୬ ଜାନୁଆରି ୨୦୧୦ରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ଶୁଭାରମ୍ଭ କରିଥିଲେ, ମନ୍ତ୍ରୀଙ୍କ ଉପସ୍ଥିତିରେ। ୬୪ ପ୍ରକାର ଦସ୍ତାବିଜର ସହଜ, ସଟୀକ ଓ ସହଳ ପ୍ରସ୍ତୁତି ସମୟକ୍ରମେ ୧୭୭ଟି ଉପନିବନ୍ଧନ ଦପ୍ତରରେ ହୋଇପାରିବ ବୋଲି କହିଥିଲେ। ବକ୍ତବ୍ୟରେ ନବୀନ ବାବୁ ଆହୁରି କହିଥିଲେ ଯେ ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ଏବଂ ଇଣ୍ଟଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ମିଳିତ ଭାବେ ଗଢ଼ିଥିବା eGovernance Services Limited ଏହି ଇ-ରେଜିଷ୍ଟ୍ରେସନ ସେବା ଯୋଗାଇବ। ଏହି ବ୍ୟବସ୍ଥା ଦ୍ୱାରା ଏକ କଂପ୍ୟୁଟରଭିତ୍ତିକ ପରିବେଶରେ, ଜନସାଧାରଣ ଅଧଘଣ୍ଟାରେ ଜମିବାଡ଼ି କାଗଜାତର ପଞ୍ଜୀକରଣ କରି ବିକ୍ରୀ ଦସ୍ତାବିଜ ପାଇପାରିବେ ଏବଂ ମାତ୍ର ମିନିଟକରେ ମାଲିକାନା ହସ୍ତାନ୍ତର ପ୍ରମାଣପତ୍ର ପାଇପାରିବେ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା।

କୁଆଡ଼େ ଗଲା ସେ ପ୍ରତିଶ୍ରୁତି? ଗଣମାଧ୍ୟମବାଲା ବି କେମିତି ଭୁଲିଗଲେ ଏତେ ସବୁ ଫିକର? ଏତେ ନିକଟ ଇତିହାସକୁ ଫାଙ୍କି ମାରିକି ଗୋଟେ ସରକାର ବାହାବା ନେଇ ଚାଲିଛି। ଅଥଚ ଲୋକମାନେ ଅାଁ କରିକି ସବୁ ଦେଖୁଛନ୍ତି! 

କିନ୍ତୁ ଏତେ ବର୍ଷ ଧରି ଜମିବାଡ଼ି ପଞ୍ଜୀକରଣରେ ଯେଉଁ ଦୁର୍ନୀତି ଚାଲିଥିଲା, ତାହା ବନ୍ଦ ହେବ କି ଜାରି ରହିବ, ତାହା ଉପରେ କେହି ବକ୍ତା ସେଦିନ କଟକରେ କିଛି କହିନାହାନ୍ତି। ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପ୍ରସଙ୍ଗ ମଧ୍ୟ କେହି ଉଚ୍ଚାରଣ କରି ନାହାନ୍ତି। ୨୦୧୦ର ସେହି ବ୍ୟବସ୍ଥା କାହିଁକି ବନ୍ଦ ହେଲା? କିରାଣୀମାନଙ୍କ ଉପୁରି ଆୟ ବନ୍ଦ ହୋଇଯିବାରୁ ସେମାନେ ବିଦ୍ରୋହ କଲେ ଏବଂ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଥିଲେ। ଏବେ ପୁଣି ଯେଉଁ ବ୍ୟବସ୍ଥା ହୋଇଛି, ତାହାକୁ ମଧ୍ୟ ବନ୍ଦ କରିଦେବେ। କାରଣ ଏହା ଏକମାତ୍ର ସରକାରୀ କାରବାର, ଯେଉଁଥିରେ ସାମିଲ ଥିବା ଦୁର୍ନୀତିରେ ଜନସାଧାରଣ ସଂପୃକ୍ତ। ଅର୍ଥାତ୍ ସାଧାରଣଜନତା ସଚ୍ଚୋଟ ନୁହନ୍ତି। ଜମି ବିକିଲାବାଲା ସରକାରୀ ଧାର୍ଯ୍ୟ ଦର ଠାରୁ ବହୁତ ବେଶି ଟଙ୍କାରେ ବିକୁଥିଲେ ସୁଦ୍ଧା କିଣିଲାବାଲା ସରକାରଙ୍କୁ କମ୍ ଟିକସ ଦେବା ଉଦ୍ଦେଶ୍ୟରେ ଦୁର୍ନୀତି କରେ। ଏହା ସମସ୍ତେ ଜାଣନ୍ତି। ଏହାକୁ ଭିତ୍ତି କରି କିରାଣୀ ଓ ଦଲାଲମାନେ ଏମିତି ଜାଲ ବିଛାଇବେ ଯେ ଲୋକମାନେ Offline ବ୍ୟବସ୍ଥାକୁ ଫେରିଯିବାକୁ ବାଧ୍ୟ ହେବେ। ହୁଏତ ଗତାନୁଗତିକ ରୀତିରେ Link Failର ଦ୍ୱାହି ମଧ୍ୟ ଦେଇ ପାରନ୍ତି।

କେବଳ ସଫ୍ଟୱେର ତିଆରି କରି ଚାଲୁ କରିଦେଲେ, ବ୍ୟବସ୍ଥାରେ ସୁଧାର ଆସେ ନାହିଁ। ଏଥିପାଇଁ ବ୍ୟବହାରକାରୀମାନଙ୍କ ଅଭ୍ୟାସ ଭାଙ୍ଗିବା ସହ ସେମାନଙ୍କ ଗତାନୁଗତିକ ଢାଞ୍ଚା ଓ ଅାଚରଣ ପରିବର୍ତନ (Behavioural Change) ଲୋଡ଼ା ହୋଇଥାଏ। ଏଠାରେ ବ୍ୟବହାରକାରୀ ବୋଇଲେ ଉପନିବନ୍ଧନ ଦପ୍ତରଗୁଡ଼ିକର କିରାଣୀ, ଚପରାଶିମାନେ ପରମ ବଦମାସ୍। ସେମାନଙ୍କୁ ଛଟେଇ, ବାଧ୍ୟତାମୂଳକ ଅବସର ପ୍ରଦାନ ବା ଅନ୍ୟ ନିକମା ବିଭାଗରେ ଚାକିରି ଶେଷ ପର୍ଯ୍ୟନ୍ତ ଥଇଥାନ କରାଯିବା ଦରକାର। ଯୁବସୁଲଭ ଉତ୍ସାହ ଥିବା ପ୍ରଗତିଶୀଳ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେଇ କଡ଼ା ନିରୀକ୍ଷଣ ମଧ୍ୟରେ କାର୍ଯ୍ୟନିବିଷ୍ଟ କରାଯାଇପାରେ। ଯିଏ ରସଗୋଲା ପ୍ରତିଦିନ ଖାଉଥିଲା, ତା’ ପାଟିରୁ ନିଶ୍ଚୟ ସେହି ସମୟରେ ଲାଳ ଗଡ଼ିବ, ତେଣୁ କଡ଼ା ନିରୀକ୍ଷଣ ଦରକାର ଏବଂ ଏହା କରି ପାରିବା ପାଇଁ କିଛି ସଚ୍ଚୋଟ ବ୍ୟକ୍ତି ମଧ୍ୟ ଦରକାର। ସଚ୍ଚୋଟ ବ୍ୟକ୍ତି ପାଇବା କଷ୍ଟକର ହେଲେ ସୁଦ୍ଧା ଏକ ପରମ୍ପରା ସୃଷ୍ଟି ହେଲେ, ସବୁ କିଛି ହୋଇପାରିବ। ପଡ଼ୋଶୀ ପଶ୍ଚିମବଂଗରେ ନୂଆ ନୂଆ ବିକଳ୍ପ ସଫଳ ହୋଇଚାଲିଥିବା ବେଳେ ଭାରତର ପ୍ରଥମ ରାଜ୍ୟ (ସପ୍ତମ ନୁହେଁ) ଓଡ଼ିଶାରେ କାହିଁକି ନହେବ?

ଦେଖିବାକୁ ରହିଲା ଓଡ଼ିଶାର କେଉଁ କେଉଁ ମୁଦ୍ରଣ-ଗଣମାଧ୍ୟମ ମନେ ପକାଇକି ନିଜନିଜ ସଂପାଦକୀୟ ଲେଖରେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି!

कोई टिप्पणी नहीं:

एक टिप्पणी भेजें