25 जून 2016

ନାହାନ୍ତି ମଣିମାଳା, କଥା ରହିଲା କାଳକାଳ

୧୫ ଜୁନ୍ ୨୦୧୬, ବୁଧବାର। ଓଡ଼ିଶାରେ ଗଣମାଧ୍ୟମରେ ଏକ ଅଘଟଣ ଘଟିଲା। ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ମଣିମାଳା ଦେବୀଙ୍କ ଦେହାନ୍ତ ଖବର କେତୋଟି ଓଡ଼ିଆ ନ୍ୟୁଜ୍ ଟିଭି ଚ୍ୟାନେଲରେ ପ୍ରଚାରିତ ହେଲା। ପରଦିନ ଖବରକାଗଜରେ ବାହାରିଲା ଯେ ସେ ଗୁରୁତର ଅସୁସ୍ଥ ଅବସ୍ଥାରେ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିନାହାନ୍ତି। ତେବେ ଯାହା ଯାହା ସବୁ ହୋଇଯାଇଛି, ସେହି ଘଟଣା ଓ ତାହାର ଦିଗଗୁଡ଼ିକ ତଳେ ବିନ୍ଦୁୱାରୀ ଚର୍ଚା କରୁଛୁ:-

(୧) ଗୋଟିଏ ଚ୍ୟାନେଲରେ କ’ଣ ଗୋଟେ ଖବର breaking ରୂପରେ ଚାଲିଲେ ବା News Update ରୂପେ ଚାଲିଲେ, ତାହାକୁ ଅନ୍ୟ ଚ୍ୟାନେଲମାନେ ତୁରନ୍ତ ନକଲ କରିପକାନ୍ତି। ସେମାନଙ୍କ ଲକ୍ଷ୍ୟ ଥାଏ, ଆଗରେ ରହିବେ। ନିଜ ଉତ୍ସରୁ ଯାଞ୍ଚ ନକରି ଖବରକୁ Breaking, News Update ବା Tickerରେ ପକାଇଥାଅାନ୍ତି। ଏପରିକି ନିଜ ଉତ୍ସ ମଧ୍ୟ ପର ଚ୍ୟାନେଲର ପରଦାରୁ ଦେଖି ଖବରକୁ ଫୋନରେ ଡାକି ଦିଅନ୍ତି ନିଜ ଚ୍ୟାନେଲର ସଂପୃକ୍ତ ଡେସ୍କକୁ। କିନ୍ତୁ କୌଣସି ମୃତ୍ୟୁ ଖବରରେ ଏଭଳି ବିକଳିଆ ହୋଇ ନକଲ କରାଯାଏନାହିଁ। ଏହି ନୀତି (Ethics)ରୁ ବିଚ୍ୟୁତ ହୋଇଛନ୍ତି ଏକାଧିକ ଚ୍ୟାନେଲ। ଲାଗୁଥିଲା, ଜଣେ ଏତେ ବଡ଼ କଳାକାରଙ୍କ ମୃତ୍ୟୁ ହୋଇଯାଉ ବୋଲି ସତେ ଯେମିତି ଟିଭିବାଲା ଟାକି ବସିଥିଲେ! ତେବେ ଏହା ଧରାପଡ଼ିଗଲା ଯେ ଟିଭି ଚ୍ୟାନେଲରେ ଅପରିପକ୍ୱ କର୍ମୀମାନଙ୍କର ଗହଳି ଲାଗିଛି। ଟିଭିବାଲାଙ୍କର ନିଜ ଚ୍ୟାନେଲରେ ପ୍ରସାରିତ ଖବର ପ୍ରତି ଦାୟିତ୍ୱ ନାହିଁ କି ଉତ୍ତରଦାୟିତ୍ୱ (Accountability) ନାହିଁ।

(୨) ଏଭଳି ଦାୟିତ୍ୱହୀନତା ଓ ଉତ୍ତରଦାୟିତ୍ୱହୀନତା ପାଇଁ ସଂପୃକ୍ତ ଚ୍ୟାନେଲମାନେ କ୍ଷମା ପ୍ରାର୍ଥନା ମଧ୍ୟ କରି ନାହାନ୍ତି। ବୋଧେ ଭାବି ନେଇଛନ୍ତି, ମୁଦ୍ରଣ ମାଧ୍ୟମର printing mistake ଭଳି ଏହାକୁ ଲୋକେ (ପାଠକେ) ଚଳାଇନେବେ ଏବଂ କ୍ଷମା ପ୍ରାର୍ଥନା ଜରୁରୀ ନୁହେଁ। ଏହା ମଧ୍ୟ ଟିଭିବାଲାଙ୍କ ଦାୟିତ୍ୱହୀନ ଆଚରଣକୁ ଦୃଢ଼ କରିଛି।

(୩) ସବୂଠୁ ବଡ଼ ଲଜ୍ଜାଜନକ କଥା ଥିଲା, ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରରୁ ଶୋକବାର୍ତା। ଏ କଥା ସମସ୍ତେ ଜାଣନ୍ତି ଯେ ଭାରତର ଏକ ମାତ୍ର ବିସ୍ମୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ, ଯିଏକି ମୋବାଇଲ ଫୋନ‌୍ (ସ୍ମାର୍ଟଫୋନ‌୍ କହିଲେ ଭୁଲ୍ ହେବ) ବ୍ୟବହାର କରନ୍ତି ନାହିଁ। କାରଣ ତାଙ୍କର କୌଣସି ଯୋଗାଯୋଗ ମୋବାଇଲ ନମ୍ବର ନାହିଁ। ସେହି ଭଳି ସେ କୌଣସି ଟାବ୍ ବା ଲ୍ୟାପଟପ୍ କମ୍ପ୍ୟୁଟର ମଧ୍ୟ ବ୍ୟବହାର କରନ୍ତି ନାହିଁ। ତେଣୁ ନିଶ୍ଚିତ ରୂପେ ଏହା ତାଙ୍କର Twitter Handler ହିଁ ଟ୍ୱିଟ୍ କରିଛନ୍ତି। କିନ୍ତୁ ଏହା ନବୀନଙ୍କ ଜ୍ଞାତସାରରେ ହେବାର ଥିଲା। ଜୁନ୍ ୧୫ ତାରିଖ ରାତି ୮ଟାରେ ନବୀନଙ୍କ ଟ୍ୱିଟରରୁ ପଠାଯାଇଥିବା ଶୋକବାର୍ତା ପରବର୍ତୀ ସମୟରେ ଲିଭାଇ ଦିଆଯାଇଥ‌ିଲେ ସୁଦ୍ଧା କଥା ରହିଗଲା, କାଳକାଳକୁ।

(୪) କିଏ ଜୀବନ୍ତ କି ମୃତ, ତାହା କେବଳ ଜଣେ ଅଭିଜ୍ଞ ଡାକ୍ତର ହିଁ ଘୋଷଣା କରିବେ। ସେଥିପାଇଁ ଗଣମାଧ୍ୟମ ରିପୋର୍ଟରେ ଥାଏ- ‘‘ଡାକ୍ତର ତାଙ୍କୁ ମୃତ ଘୋlଷଣା କରିଥିଲେ।’’ ପୁଲିସବାଲା, ଗାଅାଁଲୋକ, ସାହିପଡ଼ିଶା ବା ତାନ୍ତ୍ରିକ କହିବେ ନାହିଁ କିଏ ମୃତ, କିଏ ଜୀବନ୍ତ। ଅବଶ୍ୟ ହାସପାତାଳବାଲା ମୃତଦେହକୁ ICUରେ/ ଭେଣ୍ଟିଲେଟରେ ପକାଇ ରଖି ଅଧିକ ରୁମ୍ ଭଡ଼ା ଅାଦାୟ କରିବାକୁ ନିନ୍ଦନୀୟ କାମ କରିଥିବାର ବହୁବାର ଅଭିଯୋଗ ହୋଇଛି। କିନ୍ତୁ ତାହା ଅର୍ଥ ନୁହେଁ ଯେ ଦାପ୍ତରିକ ଭାବେ ଜଣେ ଚିକିତ୍ସକ କାହାକୁ ମୃତ ଘୋଷଣା କରିବା ପୂର୍ବରୁ ତାଙ୍କୁ ମୃତ ବୋଲି ଖବର ପ୍ରଚାର କରାଯାଇପାରିବ। ଏପରିକି ମୃତ ବୋଲି ଡାକ୍ତର କାହାକୁ ଘୋଷଣା କରିଥିଲେ ବି ଶାସକୀୟ ସଂକଟ କାରଣରୁ ମଧ୍ୟ ସରକାରୀ ଭାବେ ମୃତ୍ୟୁ ଘୋଷଣା ବିଳମ୍ବିତ ହୋଇଥାଏ। ଯେମିତିକି ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପୂର୍ବାହ୍ଣରେ ହୋଇଥିଲେ ସୁଦ୍ଧା ଆକାଶବାଣୀ (AIR)ରେ ଘୋଷଣା ହୋଇଥିଲା ସନ୍ଧ୍ୟାରେ, ପୁତ୍ର ରାଜୀବ ଗାନ୍ଧୀ ନୂଅାଦିଲ୍ଲୀରେ ପହଞ୍ଚିବା ପରେ। ସେତେ ବେଳେ ଅବଶ୍ୟ ଘରୋଇ ଟିଭି ଚ୍ୟାନେଲ ନଥିଲା।

(୫) ଟିଭିରୁ ବିନା ଭିଡ଼ିଓବାଲା ପାଠ୍ୟ(Text)  ଖବର  ଦେଖି କିଛି ଚଳଚ୍ଚିତ୍ର ଜଗତର କଳାକାର ବି ପହଞ୍ଚିଥିଲେ ସଂପୃକ୍ତ ‘କର ହାସପାତାଳ’ରେ। କିନ୍ତୁ ଯେତେବେଳେ ସତସତିକା ପରଦିନ ଅର୍ଥାତ୍ ଜୁନ୍ ୧୬ ତାରିଖରେ ମଣିମାଳା ଦେବୀଙ୍କୁ ଡାକ୍ତର ମୃତ ଘୋଷଣା କଲେ, ସେତେବେଳେ କୌଣସି କଳାକାର ହାସପାତାଳକୁ ଆସିଲେ ନାହିଁ। ‘‘ଆଜି ପୁଣି କାଳେ ଠୋକର ଖାଇବେ ଭାବିକି କେହି ଆସିଲେ ନାହିଁ; କିନ୍ତୁ ଜଣେ ଗୁରୁତର ଅସୁସ୍ଥ ସାଥୀଙ୍କୁ ଦେଖିବା ପାଇଁ ହାସପାତାଳକୁ ଆସିବାରେ କୌଣସି ସମସ୍ୟା ନାହିଁ। ଅବଶ୍ୟ ବିଭିନ୍ନ କାରଣରୁ ହାସପାତାଳ କର୍ତୃପକ୍ଷ ହୁଏତ ରୋଗୀଶଯ୍ୟା ପର୍ଯ୍ୟନ୍ତ ଯିବାକୁ ଅନୁମତି ନଦେଇ ପାରନ୍ତି। ମାତ୍ର ପହଞ୍ଚିଥିଲେ ସର୍ବସାଧାରଣରେ ଏକ ସଦ୍ଭାବନା ସୃଷ୍ଟି ହୋଇଥାଅାନ୍ତା। ସମ୍ବେଦନଶୀଳତାକୁ ବୁଝିଥାଆନ୍ତେ ଲୋକମାନେ, ସମ୍ମାନ ବି କରିଥାଆନ୍ତେ କଳାକାର ସମାଜକୁ। ହେଲେ ସବୁ କିଛି ଗୁଡ଼ୁମ୍ ହୋଇଗଲା। 

(୬) ଏବେ ବି ଓଡ଼ିଆ ଚଳଚ୍ଚିତ୍ରର ନାୟିକମାନେ ଆମଦାନୀ ହେଉଛନ୍ତି କୋଲକାତାରୁ, ବଂଗରୁ। କହିବା କଥା ହେଲା, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆଦ୍ୟାବସ୍ଥାରେ ବଂଗୀୟ ବଂଶୋଦ୍ଭବମାନେ ହିଁ ସବୁ କ୍ଷେତ୍ରରେ ସ୍ମରଣୀୟ ଅବଦାନ ରଖିଯାଇଛନ୍ତି। ପରବର୍ତୀ କାଳରେ ଦକ୍ଷିଣୀ ପ୍ରଯୋଜକ, ନିର୍ଦେଶକ, ଟେକ୍ନିସିଆନ, କଣ୍ଠଶିଳ୍ପୀ, ନର୍ତକୀମାନଙ୍କର ମଧ୍ୟ ଅନେକ ଅବଦାନ ରହିଛି ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବାରେ। କଥାଟି ହେଲା ମଣିମାଳା ଦେବୀ ଥିଲେ ଜଣେ ବଂଗୀୟ ବଂଶୋଦ୍ଭବ। ସେ କେନ୍ଦ୍ରାପଡ଼ା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ। ତେବେ ମୃତ୍ୟୁ ପରେ ତାଙ୍କ ପୁଅଙ୍କ କ୍ଷୋଭକୁ ଶୁଣିଲେ ବା ପଢ଼ିଲେ, ପୂଜ୍ୟପୂଜାରେ ବିଶ୍ୱାସ ରଖୁଥିବା କୌଣସି ବି ନାଗରିକ ମୂକ ପାଲଟିଯିବେ। ଓଡ଼ିଶା କେବଳ ଖାଣ୍ଟି ଓଡ଼ିଆମାନଙ୍କୁ ନେଇ ଗଢ଼ା ହୋଇ ନାହିଁ କି ଆଗକୁ ବଢୁ ନାହିଁ। ଅନେକ ମାରୱାଡ଼ି, ଗୁଜରାଟୀ, ପଞ୍ଜାବୀ, ମରାଠୀ, ଏପରିକି ବିଦେଶୀ ଲୋକଙ୍କର ମଧ୍ୟ ଓଡ଼ିଶାର ବିକାଶରେ ଭୂମିକା ରହିଛି। ତେଣୁ ସେହି ବ୍ୟକ୍ତିତ୍ୱ ମାନଙ୍କ ପ୍ରତି ସମ୍ମାନବୋଧ ଓ ସମ୍ମାନ ଜ୍ଞାପନ ମଧ୍ୟ ଆମେ ଓଡ଼ିଆମାନେ ଶିଖିବା ଦରକାର। ଯାହା କି ମଣିମାଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା ନାହିଁ।

(୭) ଲେଖକ ଜଣେ ଗଡ଼ଜାତିଆ ହୋଇଥିବାରୁ ବିଶ୍ୱାସ କରେ ଯେ ବୋଧହୁଏ ଜେଜେମାଅା ବୟସର ମଣିମାଳା ଦେବୀଙ୍କ ଅଭିଶାପ ପଡ଼ିଗଲା ‘ଓଲିଉଡ଼୍’ (ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ) ଉପରେ। ଯାହା ଫଳରେ ଏକାଧିକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଏବେ ଚିଟ‌ଫଣ୍ଡ୍ ଠକେଇରେ ସଂପୃକ୍ତ ଥିବାର ଧରା ପଡ଼ିଥିବା ବେଳେ, ‘‘କାଷ୍ଟିଙ୍ଗ‌୍ କାଉଚ’’ କଳଙ୍କ ମଧ୍ୟ ଓଲିଉଡ଼୍ କୁ ଘାଣ୍ଟି ପକାଇଲାଣି। ଯାହାବି କଳଙ୍କ ଯୋଡ଼ି ହୋଇଯାଇଛି, ସବୁ ହୋଇଛି ଏଇ ୧୦ ଦିନରେ। ମୃତ୍ୟୁ ପରର ଜୀବନ ଉପରେ ଗବେଷଣା କରୁଥିବା ବିଜ୍ଞାନୀମାନେ ମାନନ୍ତି ଯେ ‘ଆତ୍ମା’ ବୋଲି ଗୋଟେ ଜିନିଷ ଅଛି। ତେଣୁ ଆମ୍ଭର ପରାମର୍ଶ ହେଉଛି - ଯାହା ହୋଇଗଲାଣି, ତାହାକୁ ଉପଶମ କରିବା ପାଇଁ ମଣିମାଳାଙ୍କ ଏକାଦଶାହ ଓ ଦ୍ୱାଦଶାହରେ ଯୋଗ ଦେଇ ବା ସ୍ୱତନ୍ତ୍ର ଉତ୍ସବ ଆଯୋଜନ କରି ଓଲିଉଡ ଲୋକମାନେ ହୋମଯଜ୍ଞ କରନ୍ତୁ। ହଜାର ହଜାର ଲୋକଙ୍କୁ ଭୋଜିଭାତ ଦିଅନ୍ତୁ। ନଚେତ ପୂର୍ବଓଡ଼ିଶାରେ ହୁଏତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବର୍ତମାନ ରୁଗ୍ଣ ହୋଇପଡ଼ିବ ଅକାଳରେ। ଯାହାକି ଓଡ଼ିଶା ସଂସ୍କୃତିର ଏକ ଅଙ୍ଗ ଅକାମୀ ହୋଇଗଲା ଭଳି କଥା ହେବ।

ସାମ୍ବାଦିକେ ମଧ୍ୟ ଅନୁତପ୍ତ ହୁଅନ୍ତୁ, ଦାୟିତ୍ୱସମ୍ପନ୍ନ ହୁଅନ୍ତୁ
ଆଉ ବେଳହୁଁ ପାଗ ବାନ୍ଧନ୍ତୁ, ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସମସ୍ତେ।  
ନମସ୍ତେ।

(ଲେଖକ ଜଣେ ସିନେସାମ୍ବାଦିକ ନୁହନ୍ତି। ତେବେ ଓଡ଼ିଶାକୁ ଭଲ ପାଆନ୍ତି...)