18 जुलाई 2016

କଅଣ ଶିଖାଇଲା ନଗଡ଼ା ଶିଶୁ ମଡ଼କ

ନଅଙ୍କ ଦୁର୍ଭିକ୍ଷର ୧୫୦ତମ ବର୍ଷ ପୂର୍ତି ଅବସରରେ ଯାଜପୁର ଜିଲ୍ଲାର ତଥା କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ସୀମାବର୍ତୀ ବଣୁଆ ଅଞ୍ଚଳରେ ଥିବା ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଗାଅାଁ ସେଇ ସ୍ମୃତିକୁ ଜୀବନ୍ତ କରି ଦେଇଛି। 

ଏହା ଭିତରେ ଆମେ ବେଶ୍ ସଭ୍ୟ ହୋଇଛୁ। ସ୍ୱାଧୀନତା ପାଇଛୁ। ବିକଶିତ ହୋଇଛୁ। ସଡ଼କ ଯୋଗାଯୋଗ ଓ ବାର୍ତ୍ତା ଯୋଗାଯୋଗ କ୍ଷେତ୍ରରେ ଶିଖରକୁ ଉଠିଛୁ। ପାରମ୍ପରିକ ଖାଦ୍ୟ ଛାଡ଼ି ଚାଓମିନ୍, ଚିକେନ୍ ରୋଲ୍, ପିଜା, ବର୍ଗର ଇତ୍ୟାଦି ଖାଇକି ଆଧୁନିକ ହୋଇଛୁ। ଅାଉ ଇଂଲିଶ୍ ଚୋବେଇକି ସେତିକି ସ୍ମାର୍ଟ ବି ହୋଇଛୁ। ହେଲେ ସବୁ କିଛି ଗର୍ବ ଭାଙ୍ଗିଗଲା ଯେବେ ନଗଡ଼ା ଗାଅାଁର ଜୁଅାଙ୍ଗ ଆଦିମ ଜନଜାତି ପରିବାରଗୁଡ଼ିକର ୧୯ ଜଣ ଶିଶୁ, ପୁଷ୍ଟି-ଦୁର୍ଭିକ୍ଷ (Nutrition Famine)ର ଶିକାର ହେଲେ। ଶିକାର ହେଲେ ଅର୍ଥ, ମରିଗଲେ। ଏବେ ସିଧାସଳଖ ବିନ୍ଦୁୱାରୀ ଚର୍ଚା କରିବା ଏହାର ବିଭିନ୍ନ ଦିଗ ଉପରେ...

(୧) ଅତିରିକ୍ତ ପୁଷ୍ଟି ଯୋଗାଣ ପାଇଁ ଉଦ୍ଦିଷ୍ଟ ସମନ୍ୱିତ ଶିଶୁ ବିକାଶ ସେବା (ICDS) ତଥା ଏହାର ଅଙ୍ଗନୱାଡ଼ି କାର୍ଯ୍ୟକ୍ରମ ଯେ ଅଭାବୀ ଗାଅାଁ ଓ ଜନବସତିରେ ପହଞ୍ଚି ପାରି ନାହିଁ, ଏହା ପ୍ରମାଣିତ ହୋଇଗଲା।

(୨) ଅପପୁଷ୍ଟି ପ୍ରବଣ ଅଞ୍ଚଳ ଚିହ୍ନଟ ପାଇଁ ଯେତେ ଯାହା ଅାଜି ସୁଦ୍ଧା କୁହାଯାଉଥିଲା, ସବୁ ମିଛ। ଏହା ବି ଧରାପଡ଼ିଗଲା। ଆଉ ରାଜ୍ୟରେ ଏବେ ବି ଶହଶହ ଗାଅାଁ ଅପହଞ୍ଚ ହୋଇ ରହିଛି, ତାହା ପୁଣି ବିକଶିତ ଯାଜପୁର ଓ କଟକ ଜିଲ୍ଲାରେ, ତାହା ବି ଜଣାପଡ଼ିଗଲା।

(୩) ପୁଷ୍ଟି ପରିଚାଳନା ଉପରେ ବିଭିନ୍ନ ବୈଷୟିକ ସହାୟତା ଓ ରଣକୌଶଳଗତ ସହାୟତା ଯୋଗାଇବା ପାଇଁ ତିନି ଦଶନ୍ଧିରୁ ଅଧିକ କାଳ ହେଲା ଭୁବନେଶ୍ୱରରେ ଦପ୍ତର ଖୋଲି ବସିଥିବା UNICEF ମଧ୍ୟ ଏକ ନିକମା ସଂସ୍ଥା ବୋଲି ଯାହା ଚର୍ଚା ହେଉଥିଲା, ତାହା ସ୍ପଷ୍ଟ ହୋଇଗଲା।

(୪) ତଥାପି ପୁଷ୍ଟି ପରିଚାଳନାର ଅଭାବ ପୂରଣ ପାଇଁ ୨୧ ଡିସେମ୍ବର ୨୦୧୫ରେ ଓଡ଼ିଶା ସରକାରଙ୍କ ସହ Wipro କମ୍ପାନୀ (ଅଜୀମ୍ ପ୍ରେମଜୀ ଫାଉଣ୍ଡେସନ) ଏକ MoU (ବୁଝାମଣା) ସ୍ୱାକ୍ଷର ରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଉପସ୍ଥିତିରେ ୱିପ୍ରୋ ଗୃପ୍ ଅଧ୍ୟକ୍ଷ ଅଜୀମ୍ ପ୍ରେମଜୀ ଏକ ୩୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ସ୍ୱାକ୍ଷର କରିଥିଲେ। ସେହି ପ୍ରକଳ୍ପର ନାମ ଥିଲା APPI(Azim Premji Philanthropic Initiatives) ଏବଂ ୮ରୁ ୧୦ ବର୍ଷ ଯାଏଁ ଓଡ଼ିଶାରୁ ଅପପୁଷ୍ଟି ଦୂରୀକରଣ ଏବଂ ମହିଳାଙ୍କ ବିକାଶ ଉପରେ କାର୍ଯ୍ୟ କରିବାର ଲକ୍ଷ୍ୟ ରହିଥିଲା। ଏହା ଭିତରେ ୬ ମାସରୁ ବେଶି ସମୟ ଗଡ଼ିଗଲାଣି। କିଏ କହିପାରିବେ ତାହାର ସାଂପ୍ରତିକ ରୂପରେଖ?

(୫) ରାଜ୍ୟରୁ ଅପପୁଷ୍ଟି ଦୂରୀକରଣ ପାଇଁ ଅଜୀମ୍ ପ୍ରେମଜୀ ସହଯୋଗର ହାତ ବଢ଼ାଇଥିବାରୁ ଆମ ମୁଖ୍ୟମନ୍ତ୍ରୀ ବେଶ୍ ଗଦଗଦ ବି ହୋଇପଡ଼ିଥିଲେ ବି ସେତେବେଳେ। କିନ୍ତୁ ଜଣେ ବେପାରୀ, ଯେବେ ଯାହା ବି କରିବେ, ସେଥିରେ ତାଙ୍କର ମୁନାଫା ଉଠାଇବାର ଅଭିସନ୍ଧି ଯେ ରହିଥାଏ, ତାହା ଏବେ ଜଣାପଡ଼ିଯାଉଛି।

(୬) ନଅଙ୍କ ଦୁର୍ଭିକ୍ଷ ଥିଲା ଖାଦ୍ୟ ଦୁର୍ଭିକ୍ଷ (Food-Famine)। ହେଲେ ଏବେ ବହୁ ମାତ୍ରାରେ ଦେଖାଦେବ ପୁଷ୍ଟି ଦୁର୍ଭିକ୍ଷ (Nutrition-Famine)। ଚାଉଳ କିଲୋ ଟଙ୍କାଏ, ଲୁଣ କିଲୋ ୧୦ ଟଙ୍କା ଏବଂ ଡାଲି କିଲୋ ଦେଢ଼ଶ ଟଙ୍କାରେ ଜୀବନଟା କେତେ ପୁଷ୍ଟିମୟ, ତାହା ବୁଝାଇବା ଅନାବଶ୍ୟକ। ଲୋକଙ୍କୁ ନିକମା କରି ଏକ ସ୍ଥାଣୁ ସମାଜ ଗଠନ ପାଇଁ ଯେଉଁ ବ୍ୟାକୁଳତା, ଏଥିପାଇଁ କେବଳ ‘‘କେନ୍ଦ୍ର ଦାୟୀ’’ ନୁହେଁ, ରାଜ୍ୟ ସରକାର ବି ସମ ପରିମାଣରେ ପାପରେ ଭାଗୀ।

(୭) ବଣ ପାହାଡ଼ ଘେରା ନଗଡ଼ା ଗାଅାଁକୁ ଯିବାକୁ ଯଦି ଭୟ ଲାଗୁଛି, ତେବେ ପୁଷ୍ଟିହୀନତାର ନଗ୍ନ ଉଦାହରଣ ଦେଖିବାକୁ ଦାରିଂବାଡ଼ି ଆସନ୍ତୁ। ଶୀତ ଦିନ ଅାସୁଛି। ଆପଣଙ୍କ ପର୍ଯ୍ୟଟନ ବି ହୋଇଯିବ। ସେତେବେଳକୁ ଗାଅାଁ ରାସ୍ତାରୁ କାଦୁଅ ବି ଶୁ‌ଖି ଯାଇଥିବ। କ୍ୟାମେରା ନଆଣିଥିଲେ ବି ନିଜ ମୋବାଇଲ ଫୋନ‌୍ କ୍ୟାମେରାରେ ତୋଳି ନେଇ ପାରିବେ ଶହଶହ ପୁଷ୍ଟିହୀନ ଶିଶୁଙ୍କ ଦୁବଲା ପତଳା ଶରୀରର ଫଟୋ। ‘‘କଦଳୀ ବିକା, ଯାତରା ଦେଖା’’ ଏକ ସଙ୍ଗେ ହୋଇଯିବ। କ’ଣ ଅାସିବେ ନା?

(୮) ଓଡ଼ିଶାରେ ପୁଷ୍ଟି ଥଇଥାନ କେନ୍ଦ୍ର (Nutrition Rehabilitation Centre)ଗୁଡ଼ିକ ସହରାଞ୍ଚଳରେ ଥିବା ବେଳେ ତାହାର ଭୌଗୋଳିକ ଅବସ୍ଥିତି ସୂଚନା (GIS- Geographical Information System)ର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରଭାବିତ ଶିଶୁର ମାଆଙ୍କୁ ସୂଚନା ଦେବା ପାଇଁ କୌଣସି ନାଗରିକ କୈନ୍ଦ୍ରିକ ଢାଞ୍ଚାର ବ୍ୟବସ୍ଥା ହୋଇନାହିଁ।

(୯) ସବୁଠୁ ନିନ୍ଦନୀୟ ସ୍ଥିତି ହେଲା ଯେ ଏଭଳି ଘଟଣା ପାଇଁ କେହି ଉତ୍ତରଦାୟୀ (Accountatbility) ନୁହନ୍ତି। ICDS ସୁପରଭାଇଜରଙ୍କୁ ଫିକର ନାହିଁ କି CDPOଙ୍କୁ ଫିକର ନାହିଁ। ରବିବାର ଛୁଟିଦିନଟା ମାରା ହୋଇଯିବ ବୋଲି ସରକାରୀ କର୍ମଚାରୀଙ୍କ ଦଳ ଶନିବାର ଅଧାବାଟ ଯାଇ ବାହୁଡ଼ି ଅାସିବାଟା ଏକ ବିପଜ୍ଜନକ ଛଳନା ନୁହେଁ କି?

(୧୦) ସେ ଗ୍ରାମବାସୀଙ୍କର ଭୁଲ ହେଲା, ସେମାନେ ଅାଇନକାନୁନ ଜାଣୁ ନାହାନ୍ତି, ଅାଦିବାସୀବହୁଳ ଅନୁସୂଚିତ ଜିଲ୍ଲାରେ ବସବାସ ନକରି ଏକ ସାଧାରଣ ବର୍ଗର ଜନସଂଖ୍ୟା ବହୁଳ ଜିଲ୍ଲାରେ ବାସିନ୍ଦା ହୋଇଛନ୍ତି। ଏଭଳି କେତେ ହଜାର ଅାଦିବାସୀ ଗାଅାଁର ଲୋକଙ୍କୁ ଅାଦିବାସୀ ବିକାଶ ବିଭାଗର ସୁବିଧା ଯୋଗାଇବା ପାଇଁ ଯେତେ ଦାବି ହେଉଥିଲେ ବି ପ୍ରଶାସନର ନିଦ ଭାଙ୍ଗୁ ନାହିଁ।

(୧୧) ନଅଙ୍କ ଦୁର୍ଭିକ୍ଷ ବେଳର ଯଥେଷ୍ଟ ତଥ୍ୟ ଓ ଫଟୋଚିତ୍ର ନାହିଁ ବୋଲି ଦୁଃଖ କରୁଥିବା ଚିନ୍ତାଶୀଳମାନେ ନଗଡ଼ାର ୧୯ ଜଣ ମୃତ ଶିଶୁଙ୍କ ସମେତ ମୃତ୍ୟୁ ଅପେକ୍ଷାରେ ଥିବା ଅନ୍ୟ ଶିଶୁମାନଙ୍କ ଫଟୋ ଉଠାଇ ବଢ଼ିଆ ଡକ୍ୟୁମେଣ୍ଟ ବନାଇ ପାରିବେ। ଭିଡ଼ିଓ ଉଠାଇକି କେତେ କ’ଣ କରି ବିଦେଶରେ ବିକି ପାଣ୍ଠି ଓ ପ୍ରକଳ୍ପ ଅାଣି ପାରିବେ। କେହି କଲେଣି କି ସମସ୍ତେ ଶୋଇଛନ୍ତି? ଏହି ବିନ୍ଦୁଟିକୁ ଗମ୍ଭୀରତାର ସହ ବୁଝନ୍ତୁ ଅବା ହାଲୁକା ଭାବରେ, ହେଲେ ପଦକ୍ଷେପ ଜରୁରୀ।

(୧୨) ଶିଶୁମାନଙ୍କ ପୁଷ୍ଟିହୀନତାର ସ୍ତର ଯାଞ୍ଚ କରିବା ପାଇଁ ଯେଉଁ କାର୍ଡ଼ ବ୍ୟବହାର କରାଯିବା କଥା, ତାହାର ପ୍ରୟୋଗ ଓଡ଼ିଶାରେ ଦେଖିବାକୁ ମିଳୁ ନାହିଁ (ଏଇ ଚିତ୍ରରୁ ଦେଖନ୍ତୁ)। କେବଳ ଓଜନ ଯନ୍ତ୍ରରେ ଶିଶୁର ଓଜନ ମାପ କରି ଅନୁମାନ ଲଗାଉଛନ୍ତି ସଂପୃକ୍ତ ସରକାରୀ କର୍ମୀମାନେ। ପୁଷ୍ଟିହୀନ ରୂପେ ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ ଗୋଟିଏ ବିନ୍ଦୁରୁ ଅନୁଚାଳନା (Monitoring from a single point) ପାଇଁ କୌଣସି ସଫ୍ଟୱେର ମଧ୍ୟ ଅାଜି ସୁଦ୍ଧା ନାହିଁ ଓଡ଼ିଶାରେ। ତଥାପି ଦାମୀ ଦାମୀ ସଭା ସମ୍ମିଳନୀ ଓ ବିମର୍ଶ ହୋଇଚାଲିଛି।

(୧୩) ‘‘ଓଡ଼ିଆ ଜାତିର ଜୀବନଗାଥା’’ ନାମରେ ଏକ ସମ୍ବାଦପତ୍ରରେ ସ୍ତମ୍ଭ ଲେଖୁଥିବା ଜଣେ ବରିଷ୍ଠ ନାଗରିକ ଏକଦା ସେଥିରେ କ୍ଷୋଭ ପ୍ରକାଶ କରିଥିଲେ ଯେ ନଅଙ୍କ ଦୁର୍ଭିକ୍ଷ ଉପରେ ଯଥେଷ୍ଟ ସାହିତ୍ୟ ଓଡ଼ିଆରେ ନାହିଁ। କିନ୍ତୁ ଓଡ଼ିଶାର ଅନାବୃଷ୍ଟି, ମରୁଡ଼ି, ଚିଟଫଣ୍ଡ‌୍ ମହାଠକେଇ, ନଗଡ଼ା ଶିଶୁ ମଡ଼କ ଉପରେ ସେ ନିଜେ କିଛି ସାହିତ୍ୟ ସୃଷ୍ଟି କଲେଣି କି? ଏହା ସତ ଯେ ଏହା ଉପରେ ସେ ଚିନ୍ତା ବି କରି ନାହାନ୍ତି। ରାଜତନ୍ତ୍ରରେ ସାହିତ୍ୟ ଥିଲା Time Pass କରିବାର ଏକ ମାଧ୍ୟମ। ଏବେ ଗଣତନ୍ତ୍ର ତଥା ଅାଧୁନିକ ବିଶ୍ୱରେ ବି ସାହିତ୍ୟ ହୋଇ ରହିଛି ଅାତ୍ମତୃପ୍ତି ହାସଲର ମାଧ୍ୟମ। ତେଣୁ କିଛି କାଳ୍ପନିକ କଥାବସ୍ତୁକୁ ନେଇ ସୃଷ୍ଟି ହେଉଛି କିଛି କବିତା, କାବ୍ୟ, ଗଦ୍ୟ ବା ନାଟକ। ସାହିତ୍ୟ ଏବେ ବି କଳ୍ପନାର ସାମିଅାନାରୁ ମୁକୁଳି ନ‌ଥିବା ବେଳେ ସତ୍ୟର ପ୍ରତିବେଦନ, ସାହିତ୍ୟିକଙ୍କ ଠାରୁ ଆଶା କରିବାଟା ଗଣମାଧ୍ୟମରେ ଏକ ବିଭ୍ରାନ୍ତିକର ଆଭିମୁଖ୍ୟ ନୁହେଁ କି?

(୧୪) ଶହଶହ Expert ଓ Consultantଙ୍କୁ ନେଇ କୋଟି କୋଟି ଟଙ୍କା ଉଡୁଥିଲେ ସୁଦ୍ଧା ଆଦିବାସୀବହୁଳ ଅଞ୍ଚଳରେ ଶିଶୁମାନେ ମରି ଗଡ଼ୁଛନ୍ତି ପୁଷ୍ଟିହୀନତାରେ। କିଛି ଦିନ ତଳେ ଆମ୍ଭେ କାହା ପାଇଁ ଖାଦ୍ୟ ଆୟୋଗ ଶିରୋନାମାରେ ଏଭଳି ବ୍ଲଗ୍ ଲେଖି ବର୍ଷିଥିଲୁ ରାଜ୍ୟର ପ୍ରଥମ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ାଙ୍କ ଉପରେ। କାରଣ ସେ ଜଣେ ଆଦିବାସୀ ତଥା ସେବାନିବୃତ୍ତ IAS ଅଧିକାରୀ।

(୧୫) ପାହାଡ଼ିଅା, ବଣୁଆ ଅଞ୍ଚଳରେ ଏକ ପ୍ରାକୃତିକ ପୁଷ୍ଟି ପରିଚାଳନାକାରୀ ଖାଦ୍ୟ ହେଉଛି ମାଣ୍ଡିଆ ପେଜ। ପ୍ରଶାସନ ଏହାକୁ ଅଣଦେଖା କରି ଭାତ ଖୋଇବା ପାଇଁ ଟଙ୍କାକିଆ ଚାଉଳ ଯୋଗାଣ କରିବା ସହ ଓ ଧାନ ଚାଷକୁ ପ୍ରୋତ୍ସାହିତ କରି ଚାଲିଲା। ଫଳରେ ମାଣ୍ଡିଆରୁ ମୁହଁ ଫେରାଇବାକୁ ଲାଗିଲେ ଆଦିବାସୀ। କିନ୍ତୁ ବାରମ୍ବାର ଦାବି କରିବା ପରେ ସରକାରଙ୍କ ଚେତା ପଶିଛି। ଅଥଚ ୭ଟି ପାହାଡ଼ିଅା ଜିଲ୍ଲାରେ ୫ ବର୍ଷରେ ମାତ୍ର ୬୫ କୋଟି ଟଙ୍କା ବିନିଯୋଗରେ ମାଣ୍ଡିଆ ଚାଷର ପୁନରୁଦ୍ଧାର ଯୋଜନା କରିବାଟା ଏକ ଅପରିପକ୍ୱତା ନୁହେଁ କି?

ଭୋଟ‌୍ ରାଜନୀତିରେ ପରିଚାଳିତ ହେଉଥିବା ଏ ବ୍ୟବସ୍ଥା ଏକ ଖଜୁରୀ ଗଛ, ଯାହା ମୂଳରୁ ପାହାଚ ପାହାଚ। ପୁଣି ଅାଉ କେବେ। ଅାପଣ ବି କିଛି କୁହନ୍ତୁ ନା!

ବିମଳ ପ୍ରସାଦ, ଭୁବନେଶ୍ୱର