23 जुलाई 2016

ନଗଡ଼ା ନଅଙ୍କ ଓ ନେତାଙ୍କ ନଖରାମି

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ପାହାଡ଼ୀ ଗାଁ ନଗଡ଼ାରେ ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ଖବରକୁ ‘ସମ୍ବାଦ’ର କାଳିଆପାଣି ପ୍ରତିନିଧି ରବି ପାଣି ନିରନ୍ତର ରିପୋର୍ଟିଂ କଲା ପରେ ବିଭିନ୍ନ ମହଲରେ ଚେତା ପଶିଲା। ଏପରିକି ଦେଶ ବିଦେଶରୁ ଗବେଷକମାନେ ଆସିବା ପୂର୍ବରୁ ଅସଲ କାରଣକୁ ମଧ୍ୟ ସମ୍ବାଦ ଅନୁସନ୍ଧାନ କରି ଜଣାଇ ଦେଇଛି। ୨୧ ଜୁଲାଇ ୨୦୧୬ରେ ସେହି ସମ୍ବାଦପତ୍ର ନଗଡ଼ାର ବିଗିଡ଼ା ଚିତ୍ରକୁ ସ୍ପଷ୍ଟ କରିଛି। ଘରେ ଘରେ ବାଲ୍ୟ ବିବାହ ଯୋଗୁ ୩୭ ପରିବାରରେ ୧୬୧ ପିଲା ଏବଂ ୩୫ ବର୍ଷରେ ବି ଜେଜେମାଆ ପାଲଟିଛନ୍ତି ଅନେକ ମହିଳା। ଅଳ୍ପ ବୟସରେ ବିବାହ ଓ ଗର୍ଭଧାରଣ ଯୋଗୁ ଶିଶୁମାନେ ଜନ୍ମରୁ ହିଁ ରୁଗ୍‌ଣ ହୋଇ ଏନ୍ତୁଡ଼ିଶାଳରେ ଗଡ଼ିଛନ୍ତି। ସେଇ ରିପୋର୍ଟ ସହ ପ୍ରକାଶ ପାଇଛି ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀଙ୍କ ମନ୍ତବ୍ୟ। ସେ ନିଜ ବିଭାଗର ଦୁର୍ବଳତା ଘୋଡ଼େଇବାକୁ ଯାଇ ଦୋଷ ଲଦିଛନ୍ତି ନଗଡ଼ା ଗାଆଁର ଜୁଆଙ୍ଗ ଜନଜାତି ଉପରେ। ସେ କହିଛନ୍ତି ଯେ ୨୪ ପରିବାରରେ ଅଛି ୧୨୨ ଛୁଆ ଏବଂ ଗୋଟେ ଗୋଟେ ପରିବାରରେ ୮ରୁ ୯ ଛୁଆ। ସେମାନେ ପାହାଡ଼ ଉପରେ ରହୁଛନ୍ତି। ତଳକୁ ଆସୁ ନାହାନ୍ତି। ତେଣୁ ସ୍ଵାସ୍ଥ୍ୟସେବା ପାଉ ନାହାନ୍ତି। ତେବେ ଅନ୍ୟ ମୌଳିକ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ଦେଇନାହାନ୍ତି ମନ୍ତ୍ରୀ ମହୋଦୟା।

(୧) ଲଜ୍ଜାଜନକ କଥା ଯେ ପୂର୍ତ ବିଭାଗ ମଧ୍ୟ ରହିଛି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ତେଣୁ ନଗଡ଼ା ହେଉ ଅବା ଗୁମୁଡ଼ୁମାହା। ସେଠାକୁ ରାସ୍ତା ନଖୋଲିବାର ସବୁ ପାପ ମୁଣ୍ଡାଇଛନ୍ତି ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

(୨) ଲୋକମୁଖରେ ପୁରୁଷ ପୁରୁଷ ଧରି ଚଳି ଆସିଥିବା ଏକ ପ୍ରବାଦ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ତାହା ହେଲା ପୁରୀ ବ୍ରାହ୍ମଣ, କଟକ କରଣ, ଭଦ୍ରକ ପଠାଣ, କନ୍ଧମାଳ ପାଣ ଓ ଯାଜପୁର ସର୍ବସାଧାରଣ। ଯାଜପୁରରେ କୌଣସି ନିର୍ଦିଷ୍ଟ ଜାତି ବା ବର୍ଗ ନୁହେଁ, ବରଂ ସମସ୍ତେ ପ୍ରତାପୀ ଓ ପ୍ରଭାବଶାଳୀ ନିଜ ନିଜ ବାଗରେ। ଧାବିକା ଦୂତୀ ଚାନ୍ଦଙ୍କ ଠାରେ ନାରୀତ୍ଵ କମ୍‌ ଅଛି ବୋଲି ଯେତେବେଳେ କଳଙ୍କ ଲାଗିଥିଲା। ସେତେବେଳେ କୌଣସି ରାଜନେତା ବା ସ୍ଥାନୀୟ ଲୋକପ୍ରତିନିଧି ବାହାରି ନଥିଲେ ଦୂତୀଙ୍କୁ ସାହସ ଦେବା ପାଇଁ। ଦୂତୀଙ୍କୁ ଜଣେ ବ୍ୟକ୍ତି ଭାବେ ବିବେଚନା କରି ହୁଏତ ଆମ୍ଭ ଭଳି ଅନେକ ରାଜ୍ୟବାସୀ ସେହି ପରିସ୍ଥିତିକୁ ସହି ଯାଇଥିବେ। କିନ୍ତୁ ନଗଡ଼ାର ଶିଶୁମଡ଼କ ପ୍ରସଙ୍ଗରେ ବି କୌଣସି ସ୍ଥାନୀୟ ଲୋକ ପ୍ରତିନିଧି ନିଜର ଉତ୍ତରଦାୟିତ୍ଵ ସାବ୍ୟସ୍ତ ନକରି ସେହି ବର୍ଷବର୍ଷର ପ୍ରବାଦକୁ ପ୍ରମାଣିତ କରିବସିଛନ୍ତି।

(୩) ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ପ୍ରୀତିରଂଜନ ଘଡ଼େଇ ଏ ରାଜ୍ୟ ଭିତରେ ଥିଲେ କି ବିଦେଶରେ ମଉଜ କରୁଥିଲେ, କେହି ଜାଣି ପାରିଲେ ନାହିଁ।

(୪) ନଅଙ୍କ ଦୁର୍ଭିକ୍ଷର ୧୫୦ତମ ବର୍ଷ ପୂର୍ତି ଯେ ଯାଜପୁର ଜିଲ୍ଲାରେ ସ୍ମାରକୀ ପାଲଟିବ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଥିବା ବେଳେ ପ୍ରସଙ୍ଗଟି ଏକ ଗାଆଁର କଥା ହୋଇଥିବାରୁ ଏଥିରେ ଜିଲ୍ଳାପରିଷଦର ଭୂମିକା ସ୍ପଷ୍ଟ ଭାବେ ରହିଥିଲା। ଚୁପ୍‌ ଚାପ୍‌ ଟାଇମ୍ ପାସ୍ କରିଚାଲିଥିବା ନିର୍ବାଚିତ ନାୟକମାନଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂଜିନିୟର ସୁଶାନ୍ତ ମିଶ୍ର। ଏକ ITI ଚଳାଉଥିବା ତଥା ଛୋଟମୋଟ ଠିକାଦାର କାମ କରୁଥିବା ଏହି ନେତା ଜଣକ ରାଜ୍ୟବାସୀଙ୍କ ପାଖରେ ସଂପୂର୍ଣ ଅପରିଚିତ ଓ ନିରୀହ ମଧ୍ୟ। କାରଣ ଅମରଲଡୁ ବାଣ୍ଟୁଥିବା ପୂର୍ବତନ ମନ୍ତ୍ରୀଙ୍କ ଇସାରାରେ ସେ ବାଟ ଚାଲୁଥିବାରୁ  ନିଜର କର୍ତବ୍ୟ ଓ ଉତ୍ତରଦାୟିତ୍ଵ ପ୍ରତି ଆଦୌ ନିଘା ରଖନ୍ତି ନାହିଁ। ଏପରିକି ନିଜ ନାଲିବତୀ ଗାଡ଼ିର ମହତ୍ଵ ମଧ୍ୟ ଜି.ପ. ସଭାପତି ମହାଶୟ ନିଜ ନିୟନ୍ତ୍ରଣରେ ରଖିନାହାନ୍ତି। ୟାଙ୍କ ଘର ବି ସେଇ ମାସଡ଼ା ଗାଅାଁରେ, ଯେଉଁଠି ପୂର୍ବତନ ମନ୍ତ୍ରୀ ମହୋଦୟାଙ୍କ ଘର।

(୫) ସଚେତନ ରାଜ୍ୟବାସୀଙ୍କ ଭାଗ୍ୟ ଭଲ ଯେ  ସେହି ଜିଲ୍ଲାର ସେହି ପୂର୍ବତନ ମନ୍ତ୍ରୀ କହିନାହାନ୍ତି - ‘‘କାଇଁ ନଗଡ଼ା ଗାଆଁ ସାରା ଲୋକ ଅମର ଲଡ଼ୁ ଖାଇ ଦୋଉନାହାନ୍ତି, ସେମାନଙ୍କ ପିଲାଛୁଆ ଆଉ କେହି ମରିବେନେଇଁ।’’

(୬) ଭାରତ ସରକାର ଯାଜପୁର ଲୋକସଭା ଆସନକୁ ସଂରକ୍ଷିତ କରିଛନ୍ତି ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ। ଏହି କ୍ରମରେ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା ଜଣେ ଜିଲ୍ଲା ପରିଷଦ ସଦସ୍ୟା ରୀତା ତରାଇଙ୍କୁ। ସେ ଲୋକସଭାକୁ ନିର୍ବାଚିତ ହେବା ପରେ ମଧ୍ୟ ନିଜଠୁ ଜିଲ୍ଲାପରିଷଦ ସଦସ୍ୟର ଛାପଟା ଛଡ଼େଇ ନାହାନ୍ତି। କାରଣ ସେ ଜିଲ୍ଲାର ଜଣେ ବିଧାୟକଙ୍କୁ ଏବେ ବି ମୁଣ୍ଡିଆ ମାରନ୍ତି। ବୋଧହୁଏ ସେଇ ବିଧାୟକଙ୍କ ବାପାଙ୍କ ଦୟାରୁ ସେ ଟିକେଟ ପାଇ ନୂଆଦିଲ୍ଲୀ ଦରବାରକୁ ଯାଇଛନ୍ତି ବୋଲି। ସେ ଯାଜପୁରକୁ ସାରାଦେଶ ପାଇଁ ପ୍ରତିନିଧିତ୍ଵ କରୁଥିବା କଥା ପ୍ରତି ତାଙ୍କର ହେତୁ ନାହିଁ। ସଂସଦର ମୌସୁମୀ ଅଧିବେଶନର ଯଥେଷ୍ଟ ପୂର୍ବରୁ ନୂଆଦିଲ୍ଲୀରେ ଡେରା ପକାଇଥିବାରୁ ନଗଡ଼ାର ବିଗିଡ଼ା ଚିତ୍ର ଉପରେ ତାଙ୍କର ନଜର ନାହିଁ କି ସେ ଏଥିପାଇଁ ବିବ୍ରତ ବି ହୋଇ ନାହାନ୍ତି। ସେ ଯୁଆଡ଼େ ଯାଉଛନ୍ତି ଧର୍ମଶାଳା ବିଧାୟକଙ୍କ ସହ ଯାଉଛନ୍ତି। ଅନ୍ୟ ପକ୍ଷରେ ନିଜ ଅନ୍ତରଙ୍ଗ ଘରଲୋକଙ୍କୁ ନିଜର ବ୍ୟକ୍ତିଗତ ସହାୟକ (PA) ରୂପେ ନିଯୁକ୍ତ କରିଥିବାରୁ, ସମ୍ଭବତଃ ତାଙ୍କ ହିସାବକୁ ଆସିଲା ନାହିଁ ନଗଡ଼ା ନଅଙ୍କ ଏକ ଚିନ୍ତାଜନକ ସଂକଟ ବୋଲି।

(୭) ରାଜ୍ୟ ସରକାର ବି ଖଂଜି ଦେଇଥିଲେ ଏହି ଅନୁସୂଚିତ ଜାତି ବହୁଳ ଜିଲ୍ଲାକୁ ସେଇ ବର୍ଗର ଜଣେ ଜିଲ୍ଲାପାଳ ସତ୍ୟକୁମାର ମଲ୍ଲିକଙ୍କୁ। ଅଗଷ୍ଟ ୨୦୧୬ରେ ସେ ଅବସର ନେଉଥିବାରୁ ନଗଡ଼ା ପ୍ରସଙ୍ଗରେ ସେ ମୁଣ୍ଡ ପୂରାଇଲେ ନାହିଁ। ବରଂ ନୀରବ ରହିବାକୁ ଶ୍ରେୟ ମଣିଲେ। ଅବସର ପରବର୍ତ୍ତୀ ସୁବିଧା ସୁଯୋଗଗୁଡ଼ିକୁ ନିଷ୍କଣ୍ଟକ ଭାବେ ହାସଲ କରିବା ଚକ୍କରରେ ଫାଇଲ ସଜାଡ଼ିବାରେ ବ୍ୟସ୍ତ ରହିଲେ। 

(୮) ଆମ୍ଭେ ଆଗରୁ ବହୁବାର କହିଛୁ ଯେ ଆମର କୌଣସି ପଡ଼ୋଶୀ ରାଜ୍ୟରେ ଏମିତି ରାଜସ୍ୱ ଗାଅାଁ ନାହିଁ, ଯାହାର ଜନସଂଖ୍ୟା ୧୦୦, ୨୦୦ ବା ୩୦୦। ଲଜ୍ଜାଜନକ କଥା ହେଲା ୧୦୦ରୁ କମ‌୍ ଜନସଂଖ୍ୟା ବିଶିଷ୍ଟ ରାଜସ୍ୱଗ୍ରାମ ମଧ୍ୟ ଓଡ଼ିଶାରେ ରହିଛି। ଆଉ ଏଭଳି ଗାଅାଁଗୁଡ଼ିକ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ, ପାହାଡ଼ ସନ୍ଧିରେ ଅବା ଦୁର୍ଗମ ବଣୁଆ ଅଞ୍ଚଳରେ ଗଢ଼ି ଉଠିଛି। ଯେଉଁ ସରକାର ସହର ଛାତି ଉପରୁ ଜବରଦଖଲ ଉଚ୍ଛେଦ କରି ପାରୁନି, ସେ ଜଙ୍ଗଲିଅା ଜାଗାର ଲୋକଙ୍କୁ ଥଇଥାନ କ’ଣ କରିବ!

(୯) ପଡ଼ୋଶୀ ରାଜ୍ୟଗୁଡ଼ିକରେ ୧୦୦୦ରୁ କମ‌୍ ଜନସଂଖ୍ୟା ବିଶିଷ୍ଟ ଗାଅାଁ ଦେଖିବାକୁ ମିଳେ ନାହିଁ, ତାହା ଅାଦିବାସୀ ଜନବସତି ହେଉ ଅବା ଦଳିତ୍ ମାନଙ୍କର। ଯେତେ ଦକ୍ଷ ପ୍ରଶାସନ ଓ ପ୍ରଶାସକ ହେଲେ ବି ଏତେ ସାନ ସାନ ଗାଅାଁକୁ ସବୁ ସୁବିଧାସୁଯୋଗ ସୁନିଶ୍ଚିତ କରାଇବା ଦୁରୁହ ବ୍ୟାପାର। ପ୍ରଶାସନ ଯଦି ବସତି ପରିଚାଳନା (Habitation Management) ନୀତି ଲାଗୁ ନକରିବ, ତେବେ ଅସୁବିଧା ଏମିତି ଲାଗି ରହିବ।

(୧୦) ଆମ ରାଜ୍ୟ ସରକାରଙ୍କର ଆଉ କୌଣସି ଗବେଷଣା ବିଭାଗ କାମ କରୁ ନାହିଁ। ଅବଶ୍ୟ ଭୁବନେଶ୍ୱର CRPF ଛକରେ ଚକାଚକ୍ ନାମଫଳକ ଲଗାଇଥିବା SCSTRTI ନାମକ ଏକ ସଂସ୍ଥା ରହିଛି। ଏହାର ପୂରାନାମ Scheduled Caste Scheduled Tribe Research & Training Institute, ଆଉ ଓଡ଼ିଆରେ ଅନୁବାଦ କଲେ ଏହି ନାମଟା ହେବ - ଅନୁସୂଚିତ ଜାତି ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ। 

(୧୧) ବିଭାଗ ନାମରୁ Tribal ବା ଆଦିବାସୀ ଶବ୍ଦ ଉଠାଇ ST Development (ଅନୁସୂଚିତ ଜନଜାତି ବିକାଶ) ବିଭାଗ କରାଯାଇଥିଲେ ବି ସେଥିରେ ଆହୁରି ପୁଳାଏ ଶବ୍ଦ ମିଶାଇ ବିଭାଗକୁ ଖେଚେଡ଼ି କରାଯାଇଥିବାରୁ ବିଭାଗର focus ବିଗିଡ଼ି ଯାଉଛି।

(୧୨) ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ଯେଉଁଭଳି ଦୋଷ ଲଦିଛନ୍ତି ନଗଡ଼ା ଗାଅାଁଲୋକଙ୍କ ଉପରେ ସେ ନିଜେ ମଧ୍ୟ ସଚେତନ ହୁଅନ୍ତୁ ଯେ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ପାତ୍ରପଡ଼ା ବ୍ଲକ‌୍‌ର ଆଦିମ ଜନଜାତିମାନେ କିଭଳି ଦିନ କାଟୁଛନ୍ତି! ପାତ୍ରପଡ଼ାର ‘ତୁମ୍ବା’ ଓ ‘ବୁରାତାଲ’ ନାମକ ଦୁଇଟି ଅନୁସୂଚିତ ଅଞ୍ଚଳ ଗ୍ରାମପଞ୍ଚାୟତ। ଯାହା ଏବେ ବି ବ୍ଲକ୍ ମୁଖ୍ୟାଳୟ ସହ ସଡ଼କପଥରେ ସଂଯୁକ୍ତ ହୋଇନାହିଁ। ସେଠାର ସ୍ୱାସ୍ଥ୍ୟସେବା ସରକାର ନୁହେଁ, ବରଂ ସମାଜସେବୀ ସଂସ୍ଥା ଚଳାଉଛନ୍ତି।

(୧୩) ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା ବ୍ଲକ୍ ଗୁଡ଼ିକରେ ୫୦ରୁ ବେଶି ଗାଅାଁ ଏଭଳି ଅଛି, ଯେଉଁଠି ଅାଦିବାସୀ ଲୋକମାନେ ବିକ୍ଷିପ୍ତ ଭାବେ ଜନବସତି ଗଢ଼ି ରହୁଛନ୍ତି। ଗତ ଅର୍ଧଶତାବ୍ଦୀ ମଧ୍ୟରେ ଶ୍ରମିକ ଭାବେ କାମ କରିବାକୁ ମୟୂରଭଂଜ, କେନ୍ଦୁଝର ଓ ଝାଡ଼ଖଣ୍ଡ(ତତ୍କାଳୀନ ବିହାର)ରୁ ଆସି ସ୍ଥାୟୀ ବାସିନ୍ଦା ପାଲଟିଯାଇଛନ୍ତି। ‘‘ଯାଜପୁର ସର୍ବସାଧାରଣ’’ ହୋଇଥିବାରୁ ଯେଉଁ ସହାବସ୍ଥାନ ବଜାୟ ରଖିଛନ୍ତି, ତାହା ପ୍ରଶଂସନୀୟ। ଗବେଷଣା ବିଭାଗ ନଥିବାରୁ ଅସଲ ଚିତ୍ର ଜାଣି ପାରୁ ନାହାନ୍ତି ଅଣଓଡ଼ିଆ ପ୍ରଶାସକ। ତଥାପି ନେତା ମନ୍ତ୍ରୀ ବାହାସ୍ପୋଟ ମାରୁଛନ୍ତି ରାଜ୍ୟର ବିକାଶ କରିବେ!

(୧୪) ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ହୋଇ ପାରାଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି ଆଦିବାସୀ ଜନବସତି ଠାକୁ ଠା, ଶତାଧିକ ଗାଅାଁ। ସରକାରଙ୍କ ପାଖରେ ଠୋସ୍ Database ନାହିଁ। ଅଥଚ ମୟୂରଭଂଜ, କେନ୍ଦୁଝରର ଶହଶହ ଘରେ ତାଲା ଝୁଲୁଛି। କେତେକ ତାଲାପକା କବାଟରେ ଉଇ ଲାଗିଗଲାଣି। କାରଣ ପେଟପାଟଣା ପାଇଁ ଘରଛାଡ଼ିଥିବା ସେହି ପରିବାରମାନେ ନିଜର ପାରମ୍ପରିକ ପରବ ପାଳିବାକୁ ବି ସେଇ ଖାଲି ଘରକୁ ଫେରୁ ନାହାନ୍ତି। ବେଶି କଲବଲ ହେଉଛନ୍ତି ଭଦ୍ରକରେ ବସ୍ତି ଗଢ଼ି ଦଶନ୍ଧି ଦଶନ୍ଧି ଧରି ମୁଣ୍ଡଗୁଂଜିଥିବା ଜନଜାତି ଜନତା।

ଏଥରକ ଏତିକି ଆହୁରି ବହୁତ କଥା ଆଉ କେବେ।

ବିମଳ ପ୍ରସାଦ, bimal.odisha@yahoo.in