29 अगस्त 2016

ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣର ଗୁଢ଼କଥା

୨୦୧୨ ମସିହାରେ ହୋଇଥିବା ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ଯେଉଁ ବିଭ୍ରାନ୍ତି ଥିଲା, ଏବେ ସେଇ ବିଭ୍ରାନ୍ତି ଆରମ୍ଭ ହୋଇଗଲାଣି। ରାଜ୍ୟ ନିର୍ବାଚନ ଆୟୋଗ ହେଉ ଅବା ଉପଖଣ୍ଡ/ଜିଲ୍ଲା ସ୍ତରରେ ଉପଜିଲ୍ଲାପାଳମାନେ ହୁଅନ୍ତୁ, ସବୁ ଦପ୍ତର କିଛି କିଛି ବିଭ୍ରାନ୍ତି ଛାଡ଼ି ଦେଉଛନ୍ତି ସରକାରୀ ସ୍ତରରୁ। ଓଡ଼ିଶାର କର୍ମରତ ସାମ୍ବାଦିକମାନଙ୍କର ଅଧିକ ଜ୍ଞାନ ଆହରଣ ପାଇଁ ସମୟ ନଥିବାରୁ, ସେହି ବିଭ୍ରାନ୍ତି ସିଧାସଳଖ ପ୍ରକାଶ ପାଇଯାଉଛି ବିଭିନ୍ନ ଗଣମାଧ୍ୟମରେ। ଆଉ ଏହାର ଶିକାର ହେଉଛି ଆମ ସମାଜ ଓ ଶିକାର ହେଉଛନ୍ତି ରାଜ୍ୟର ନାଗରିକଗଣ। ପ୍ରଥମେ ଜାଣି ରଖିବା ଯେ ପଞ୍ଚାୟତ ନିର୍ବାଚନ ଓ ସହର ସ୍ଵାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ଆୟୋଜନ କରିବାଟା ‘‘ରାଜ୍ୟ ନିର୍ବାଚନ ଆୟୋଗ’’ଙ୍କ କାର୍ଯ୍ୟ। ରାଜ୍ୟର ‘‘ମୁଖ୍ୟ ନିର୍ବାଚନ ଅଧିକାରୀ’’(CEO)ଙ୍କ କାର୍ଯ୍ୟ ହେଉଛି ବିଧାନସଭା, ଓ ଲୋକସଭା ନିର୍ବାଚନ ଆୟୋଜନ କରିବା। (ରାଜ୍ୟସଭା ନିର୍ବାଚନକୁ ବିଧାନସଭା ପରିସରରେ ଆୟୋଜନ କରିଥାଏ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ।) ଏ ସମସ୍ତଙ୍କ ଉପରେ ରହିଛି ‘‘ଭାରତର ନିର୍ବାଚନ ଆୟୋଗ’’ (ECI)

ଆମ ରାଜ୍ୟର ଆଇନକାନୁନ, ନିୟମାବଳୀ ସବୁ ଇଂଲିଶ୍‌ରେ ହୋଇଥିବା ବେଳେ ବିଭିନ୍ନ ଦପ୍ତର/ ଅଧିକାରୀ / କର୍ତୃପକ୍ଷ ବା ଆୟୁକ୍ତ (କମିଶନର) ଯେଉଁ ନିର୍ଦେଶନାମା, ନିଷ୍ପତ୍ତିନାମା ବା ଚିଠି ଜାରି କରିଥାଆନ୍ତି, ତାହା ମଧ୍ୟ ଇଂଲିଶ୍‌ରେ ହୋଇଥାଏ। ଏକ ବିଦେଶୀ ଭାଷାରେ ଭଳିକି ଭଳି ଅର୍ଥ ବାହାର କରି ସେହି ହାକିମ ବା ବ୍ୟୁରୋକ୍ରାଟ୍‌ମାନେ ଜନସାଧାରଣଙ୍କୁ ଭୂତେଇ ଥାଆନ୍ତି। ତାହାକୁ ସାମ୍ବାଦିକମାନେ ମଧ୍ୟ ବିନା ପ୍ରଶ୍ନରେ ରିପୋଟିଂ କରିଦିଅନ୍ତି ଓଡ଼ିଆରେ। ଉଦାହରଣତଃ ଯେଉଁ ଆସନଟି ‘ମହିଳା’ଙ୍କ ପାଇଁ ସଂରକ୍ଷିତ, ତାହା ଗଣମାଧ୍ୟମରେ ପ୍ରକାଶ ପାଇଥିବ ‘‘ସାଧାରଣ ବର୍ଗ ମହିଳା’’। ଇଂଲିଶ୍‌ ବିଜ୍ଞପ୍ତିରେ ମଧ୍ୟ ବ୍ୟବହାର ହୋଇଥାଏ General Women ଶବ୍ଦ। ଯାହାକି ସବୁଠୁ ବେଶି ବିଭ୍ରାନ୍ତିକର। ଗତ(୨୦୧୨) ନିର୍ବାଚନ ବେଳକୁ ଏଭଳି ପ୍ରଶ୍ନ ଉଠାଇଥିଲୁ। କିନ୍ତୁ ଜଣେ ବ୍ୟୁରୋକ୍ରଟ୍‌ ସଫେଇ ଦେଲେ ଯେ ‘ଜେନେରାଲ’ ଅର୍ଥ ହେଲା ‘ସାଧାରଣ’, ଅର୍ଥାତ୍ କେହି ବି ପ୍ରାର୍ଥୀ ହୋଇପାରିବେ। ହେଲେ ସତ କହନ୍ତୁ ତ ST, SC, OBC, SCBC ପରେ General (ବା ସଂକ୍ଷେପରେ Gen) ନାମକ ଏକ ବର୍ଗ ବା Category ବିଷୟରେ ଆମେ ସମସ୍ତେ ସଚେତନ ଅଛୁ କି ନାହୁଁ? ବିଭିନ୍ନ ଫର୍ମରେ ଏଭଳି ଶବ୍ଦ ସବୁ ଆଡ଼େଣି (oblique) ଦେଇ ଲେଖାଯାଇଥାଏ ଏବଂ ଗୋଟିଏ ଚାରିକୋଣିଆ ଘର ଭିତରେ ନିଜର ଠିକ୍‌ ବର୍ଗକୁ ଲେଖିବାକୁ ପଡ଼ିଥାଏ ବା ନିର୍ଧାରିତ ଚିହ୍ନ ଦେବାକୁ ପଡ଼ିଥାଏ। ଅସଲ କଥାଟି ହେଲା ନିର୍ବାଚନ ଆଇନର ଭାଷାରେ ମଧ୍ୟ ଏହି ଭୁଲ୍‌ ଶବ୍ଦଟି ରହିଯାଇଛି। ଯାହାକି ଅସଂରକ୍ଷିତ ବା Unreserved ହେବା କଥା। ଅନ୍ୟ ଶବ୍ଦରେ କହିଲେ ଗୋଟିଏ ଇଂଲିଶ୍‌ ଶବ୍ଦକୁ ଦୁଇଟି ଅର୍ଥରେ ବ୍ୟବହାର କରାଯାଇଥିବାରୁ ଓଡ଼ିଆରେ ଅନୁବାଦ କଲା ବେଳେ ତାହାକୁ ‘ସାଧାରଣ’ ଲେଖିଲେ କିଛି ମାତ୍ରାରେ ବୋଧଗମ୍ୟ ହୁଅନ୍ତା। କିନ୍ତୁ ଗଣମାଧ୍ୟମ (ବିଶେଷତଃ ମୁଦ୍ରଣ ଗଣମାଧ୍ୟମ) ତାହାକୁ ‘ସାଧାରଣ ବର୍ଗ’ ଲେଖିଦେବା ଦ୍ଵାରା ସବୁକିଛି ଖଇଚା ହୋଇଯାଉଛି। କାରଣ ଯେଉଁ ଆସନଟି ସାଧାରଣଙ୍କ ପାଇଁ ସେଠାରେ ସାଧାରଣ ବର୍ଗର ନୁହେଁ, ବରଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ମହିଳା ବା କୌଣସି ଜାତିର ମହିଳା ମଧ୍ୟ ପ୍ରାର୍ଥୀ ହୋଇପାରିବେ। କିନ୍ତୁ ଭୁଲ ବ୍ୟାଖ୍ୟା ଯୋଗୁ ସେଠାରେ କେବଳ ସାଧାରଣ ବର୍ଗର ପୁରୁଷମାନେ ହିଁ ପ୍ରାର୍ଥୀ ହେଉଛନ୍ତି। ସେହି ଭଳି ‘‘ସାଧାରଣ ମହିଳା’’ ଆସନରେ କେବଳ ‘‘ସାଧାରଣ ବର୍ଗର ମହିଳା’’ ହିଁ ପ୍ରାର୍ଥୀ ହେଉଛନ୍ତି। ଏହା ଏକ ବିଡ଼ମ୍ବନା ନୁହେଁ କି?

ଆଇନର ଭୁଲ୍ ବ୍ୟାଖ୍ୟା ଯୋଗୁ ଦଳିତ ଓ ନିଷ୍ପେସିତ ମଣିଷମାନଙ୍କ ଉତ୍‌ଥାନ ହୋଇ ପାରୁ ନାହିଁ। ମୁଷ୍ଟିମେୟ ଲୋକଙ୍କ ପାଖରେ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଯାଉଛି। ଭାରତରେ କୌଣସି ରାଜ୍ୟରେ ଲୋକସଂପର୍କ ବିଭାଗ ନଥିବା ବେଳେ ଆମ ରାଜ୍ୟରେ ବ୍ରିଟିଶ ଅମଳରୁ ଲୋକସଂପର୍କ ବିଭାଗ ରହିଛି ଏବଂ ତାହା ସହିତ ସୂଚନା ବିଭାଗ ଏକାକାର ହୋଇ ଗୁନ୍ଥି ହୋଇ ରହିଛି। ଅର୍ଥାତ୍ ଲୋକଙ୍କ ମଧ୍ୟରେ ସୂଚନା ବିତରଣ ଏବଂ ସଚେତନତାର ପ୍ରସାର ତଥା ବିଭ୍ରାନ୍ତି ଦୂରୀକରଣ ପାଇଁ ‘‘ସୂଚନା ଓ ଲୋକସଂପର୍କ ବିଭାଗ’’ ରହିଛି। ହେଲେ କିଛି ଅପଦାର୍ଥ ଅଧିକାରୀଙ୍କ ହାତରେ ଏହାର ନେତୃତ୍ଵ ରହିଥିବାରୁ, ଏଥରର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକ ସଶକ୍ତୀକରଣ କ୍ଷେତ୍ରରେ ଏହି ବିଭାଗ କିଛି କରିପାରିବ ବୋଲି ଆମ୍ଭର ଭରସା ପାଉନି।

ବୃହତ୍ତର ଜନସ୍ଵାର୍ଥ ଦୃଷ୍ଟିରୁ ଏହି ସୂଚନାଗୁଡ଼ିକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଓ ପଞ୍ଚମ ସ୍ତମ୍ଭ କୁହାଯାଉଥିବା ନାଗରିକ ସଂଗଠନମାନେ ପ୍ରସାର କରିବାକୁ ନିବେଦନ। ଏହି ଲେଖାର ପୁନଃପ୍ରକାଶ ପାଇଁ ଲେଖକଙ୍କର (ଆମ୍ଭର) କୌଣସି ଅନୁମତି ଅନାବଶ୍ୟକ। ତେବେ ଆଉ ଏକ ନିବେଦନ ହେଲା ସଂପୃକ୍ତ ଶବ୍ଦ ଦୁଇଟିକୁ ଓଡ଼ିଆ ଗଣମାଧ୍ୟମାନେ ଯଥାକ୍ରମେ ‘ଅସଂରକ୍ଷିତ’ ଓ ‘ଅସଂରକ୍ଷିତ ମହିଳା’ ଲେଖିବାକୁ/ କହିବାକୁ ନିବେଦନ।

 ବିମଳ ପ୍ରସାଦ, ଭୁବନେଶ୍ଵର, bimal.odisha@yahoo.in