05 नवंबर 2016

ମାଲକାନଗିରି ମହାମାରୀକୁ ଉପାୟ ଅଛି

୫୭ ଦିନରେ ମଲେଣି ୮୯ ଶିଶୁ। ୨୦୧୬ ମସିହାରେ ସେପ୍ଟେମ୍ବର ମାସରୁ ଏବେ ହେଲାଣି ନଭେମ୍ବର। ମାଲକାନଗିରି ଜିଲ୍ଲାରେ ଅଜଣା ଜ୍ୱରରେ ମରୁଥିବା ଏହି ଶିଶୁମାନଙ୍କର ସଂଖ୍ୟା ଚୂଡ଼ାନ୍ତ ନୁହେଁ। ସରକାରୀ ଓ ବେସରକାରୀ ଭାବେ ତଥା ବିଭିନ୍ନ ଗଣମାଧ୍ୟମ ଯେଉଁ ତଥ୍ୟ ରଖୁଛନ୍ତି, କୌଣସିଥିରେ ମେଳ ନାହିଁ। କିନ୍ତୁ ଏ କଥା ସତ ଯେ ୭୫ଜଣରୁ ଅଧିକ ସଂଖ୍ୟକ ଆଦିବାସୀ ଶିଶୁ ଏହି ଅଜଣା ଜ୍ୱରରେ ଶବ ହୋଇସାରିଛନ୍ତି। ନିଜ ଛୁଆର ଶବକୁ ଦୁଇ ହାତରେ ଧରି ଡାକ୍ତରଖାନାରୁ ବାହାରୁଥିବା ବେଳର ଦୃଶ୍ୟ ଦେଖୁଥିବା ଟିଭି ଦର୍ଶକମାନେ ଅମଣିଷ ପାଲଟିଯାଇଛନ୍ତି। କାରଣ ସଂଖ୍ୟାଧିକ ଟିଭି ଦର୍ଶକ ହେଉଛନ୍ତି ଅଣଆଦିବାସୀ ଏବଂ ଏବେ ସୁଦ୍ଧା କେହି ଜଣେ ବି ଅଣଆଦିବାସୀ ଶିଶୁ ମରି ନାହାନ୍ତି। ଜଣେ ହେଲେ କେହି ମୁସଲମାନ ନୁହନ୍ତି କି ଧମର୍ମାନ୍ତରିତ କ୍ରିଷ୍ଟିଆନ୍‌ ପରିବାରର ଶିଶୁ ନୁହନ୍ତି। ତେଣୁ ଅପ୍ରକାଶ୍ୟ ଭାବେ ଏ ରାଜ୍ୟ ଧରି ନେଲାଣି ଯେ ଏମାନେ ମଲେ କେତେ, ଗଲେ କେତେ? ଏଠାରେ ‘କେତେ’ର ଅର୍ଥ ‘‘ପରବାୟ ନାହିଁ’’। ସେହି ଶିଶୁମାନେ କୌଣସି ଉଚ୍ଚ ଜାତିର ହୋଇଥିଲେ ବା ଉଲ୍ଲିଖିତ ଦୁଇ ଧର୍ମର ହୋଇଥିଲେ, ଏତେ ବେଳକୁ ଖବର ଏକ ବିଶ୍ଵବ୍ୟାପୀ ଖବର ହୋଇଥାଆନ୍ତା। ଗଜପତି, କନ୍ଧମାଳ ବା ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିଲେ, ବିଦେଶରୁ ବଢ଼ିଆ ବଢ଼ିଆ ବିଶେଷଜ୍ଞ ଡାକ୍ତର ଓ ଡାକ୍ତରୀ ଦଳ ଆସି ଡେରା ପକାଇଥାଆନ୍ତେ। ଏ ଅଭିଯୋଗ ଓ ଅଭିମାନ ପ୍ରକାଶ କରିବାରେ କିଛି ମୂଲ୍ୟ ନାହିଁ ଏବେ। 

୩ ନଭେମ୍ବର ୨୦୧୬, ଗୁରୁବାର ସଂଖ୍ୟାରେ ‘ନିତିଦିନ’ ତା’ର ‘ପ୍ଲାଟଫର୍ମ’ ପୃଷ୍ଠାରେ ପ୍ରକାଶ କରିଛି ଆଦିବାସୀଙ୍କ ଦୁର୍ଭାଗ୍ୟ ନା ସରକାରୀ ଅପାରଗତା। ଏହି ମତାମତ ଭିତ୍ତିକ ପୃଷ୍ଠାରେ ସ୍ଵାସ୍ଥ୍ୟ ବିଭାଗର ଜଣେ ଉପନିର୍ଦେଶକ ଡାକ୍ତର ମଦନମୋହନ ପ୍ରଧାନ ସ୍ପଷ୍ଟ କରିଛନ୍ତି ଯେ ଏହି ଶିଶୁମଡ଼କର କାରଣ ପାଇଁ ନିର୍ଦିଷ୍ଟ ଔଷଧ ନାହିଁ। ପ୍ରକାଶିତ ତାଙ୍କର ସଂପୂର୍ଣ ବକ୍ତବ୍ୟକୁ ପଢ଼ିଲେ ଆପଣ ଜାଣିପାରିବେ, ବାସ୍ତବତା। ସେ କହିଛନ୍ତି, ‘‘ଏହା ଏକ ଅଜଣା ଜ୍ୱରର ପ୍ରକୋପ। ଏହି ରୋଗକୁ ଚିହ୍ନଟ କରିବା ଏବେସୁଦ୍ଧା ସମ୍ଭବ ହୋଇ ନାହିଁ। ସେହି ଅଜଣା ଜ୍ୱର ଭିତରୁ ଜାପାନୀ ଏନ୍‌ସେଫାଲାଇଟିସ୍‌(JE) ଗୋଟିଏ। ଗତ ମାସକ ଭିତରେ ଯେତିକି ଶିଶୁଙ୍କ ମୃତ୍ୟୁ ଘଟିଛି, ତହିଁରୁ ମାତ୍ର ତିନି ଭାଗରୁ ଭାଗେ JE ଯୋଗୁ ଘଟିଛି। ଅନ୍ୟମାନଙ୍କ କ୍ଷେତ୍ରରେ ଭୂତାଣୁ ଚିହ୍ନଟ ହୋଇ ପାରି ନାହିଁ। ତାହାକୁ କୁହାଯାଉଛି ଏଇଏସ୍‌ (Acute Encephalitis Syndrome) ବା ଉତ୍କଟ ପ୍ରଦାହ ଲକ୍ଷଣ। ପାଣିପାଗରେ ପରିବର୍ତନ ହେଲେ, ଏପରି ଭୂତାଣୁ ନଷ୍ଟ ହେବେ। କିନ୍ତୁ ଆମେ ଏଥିପାଇଁ ଅଧିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛୁ। ଉତ୍ତରପ୍ରଦେଶ ଓ ବିହାରରେ ଗ୍ରହଣ କରାଯାଉଥିବା ବ୍ୟବସ୍ଥାକୁ ଅନୁକରଣ କରିବାକୁ ଚେଷ୍ଟା କରୁଛୁ। ଫଳରେ ଆସନ୍ତା ବର୍ଷ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ।

ଜେଇ, ମଶାଙ୍କ ଦ୍ଵାରା ବ୍ୟାପିଥାଏ। ଏଥିଲାଗି ସଚେତନତା ସୃଷ୍ଟି କରାଯାଉଛି। ମାଲକାନଗିରିରେ ରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ଵତନ୍ତ୍ର ICU ବ୍ୟବସ୍ଥା କରାଯାଇଛି। ଯେହେତୁ ଏ ରୋଗ ପାଇଁ କୌଣସି ଔଷଧ ନାହିଁ, ତେଣୁ ଆମେ କେବଳ ସପୋଟିଭ୍‌ ଚିକିତ୍ସା ବ୍ୟବସ୍ଥାକୁ ଆପଣାଉଛୁ। ଏହି ଶିଶୁ ICU ସ୍ଥାପନ ଦ୍ୱାରା ଅତି କମ୍‌ରେ ୧୫ ଜଣ ଶିଶୁଙ୍କ ଜୀବନ ବଞ୍ଚିପାରିଛି। କିନ୍ତୁ ଏହି ଆଇସିୟୁ ସବୁଦିନ ଚାଲିପାରିବା ନେଇ ସଂଶୟ ରହିଛି। ଏବେ ବିଭିନ୍ନ ହସପିଟାଲରୁ ସ୍ପେଶାଲିଷ୍ଟଙ୍କୁ ସେଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଆଗକୁ ଆଉ ଏକମାସ ଯାଏ ଆମେ ଏପରି ଆଇସିୟୁ ବ୍ୟବସ୍ଥା କରୁଛୁ। କିନ୍ତୁ ସବୁଦିନିଆ ଆଇସିୟୁ ପାଇଁ ସରକାର ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ବ୍ୟବସ୍ଥା କରିବା ଦରକାର। ଜେ.ଇ.ର ଏକ ମାତ୍ର ସୁରକ୍ଷାକବଚ ପ୍ରତିଷେଧକ ଟିକା ହୋଇଥିବାରୁ ଆମେ ରାଜ୍ୟର ୪ଟି ପ୍ରଭାବିତ ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ଯାଉଛୁ। କେନ୍ଦୁଝର, ମୟୂରଭଂଜ, ଯାଜପୁର ଓ ମାଲକାନଗିରିର ୧ରୁ ୧୫ ବର୍ଷର ଶିଶୁ ଓ କିଶୋରମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ।’’

ଜଣାଶୁଣା ସମୀକ୍ଷକ ଓ ସାମ୍ବାଦିକ ସୁଧୀର ପଟ୍ଟନାୟକଙ୍କ ବକ୍ତବ୍ୟ ମଧ୍ୟ ସେହି ପୃଷ୍ଠାରେ ପ୍ରକାଶ ପାଇଛି। ସେ କହିଛନ୍ତି, ‘‘ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଧର୍ମକୁ ଆଖି ଠାର। ସରକାରୀ ନୀତି ଓ ଶାସନ କଳକୁ ସେହି ଅଞ୍ଚଳର ଲୋକମାନେ ପ୍ରଭାବିତ କରି ପାରନ୍ତି ନାହିଁ। ଏଣୁ ସରକାର ଜରୁରୀକାଳୀନ ସ୍ଥିତି ଘୋଷଣା କରି ବ୍ୟବସ୍ଥା କରନ୍ତୁ। ଏହି ରୋଗ ପାଇଁ କୌଣସି ଏଲୋପାଥିକ ଔଷଧ ବାହାରି ନାହିଁ। ହେଲେ ହୋମିଓପାଥିକ ଔଷଧ ବାହାରିଛି।  ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଏପରି ରୋଗର ବ୍ୟାପ୍ତିକୁ ଲକ୍ଷ୍ୟ ଏହି ଔଷଧ ବାହାର କରାଯାଇଛି। ଭାରତ ସରକାରଙ୍କ ଆୟୁଷ ବିଭାଗ ଏହାକୁ ସ୍ଵୀକାର ମଧ୍ୟ କରିଛି। ଏହା ହିଁ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେବ। କେବଳ ସ୍ଵାସ୍ଥ୍ୟ ସଚିବ ବା ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଘନଘନ ପରିଦର୍ଶନ ଦ୍ଵାରା ମାଲକାନଗିରିର ସ୍ଵାସ୍ଥ୍ୟବସ୍ଥା ବଦଳିଯିବ ନାହିଁ। ବରଂ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସହାୟତା ନେବା ଦରକାର। ଏତେ ଦିନ ଧରି ଧ୍ୟାନ ଦେଇ ନଥିବାରୁ ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳ ନୁହନ୍ତି ବୋଲି ପ୍ରମାଣିତ ହେଉଛି।’’

ଉପରୋକ୍ତ ମତାମତ ଭିତରେ ବାସ୍ତବ ସମସ୍ୟା ଓ ବାସ୍ତବ ସମାଧାନର ଚିତ୍ର ଛପି ରହିଛି। ଏକଥା ସତ ଯେ ଶିଶୁମାନଙ୍କୁ ଭିନ୍ନ ଜଳବାୟୁକୁ ଅଣାଯିବା ଦରକାର ଏବଂ ହୋମିଓପାଥି ଚିକିତ୍ସା ହେବା ଦରକାର। ଏଥିପାଇଁ ଆମର ପ୍ରସ୍ତାବଗୁଡ଼ିକ ବିନ୍ଦୁୱାରୀ ନିମ୍ନରେ:-

(୧) ଏହାକୁ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ବା ବିପର୍ଯ୍ୟୟ ଘୋଷଣା କରି ସମସ୍ତ ୮୯ ଜଣ ମୃତକ କେଉଁ କେଉଁ ବ୍ଲକ୍‌ର ବାସିନ୍ଦା , ତାହା ଚିହ୍ନଟ କରାଯାଉ।

(୨) ପ୍ରଭାବିତ ବ୍ଲକ୍‌ର ଆଦିବାସୀ ଗାଆଁଗୁଡ଼ିକର ୧ରୁ ୧୫ ବର୍ଷ ବୟସର ଶିଶୁ ଥିବା ପରିବାରମାନଙ୍କୁ ତୁରନ୍ତ ସ୍ଥାନାନ୍ତର (Evacuation) କରାଯାଉ।

(୩) ଭିନ୍ନ ଏକ ଜଳବାୟୁକୁ ଆଣିବାର ଥିବାରୁ ସେମାନଙ୍କ ପାଇଁ ଗଂଜାମ ଜିଲ୍ଲାର ରଂଗେଇଲୁଣ୍ଡା ବ୍ଲକ୍‌ ଏବଂ ଖୋର୍ଧା ଜିଲ୍ଲାର ଚିଲିକା ବ୍ଲକ୍‌ରେ ଅସ୍ଥାୟୀ ଥଇଥାନ ଶିବିର ଖୋଲାଯାଉ।

(୪) ସ୍ଵତନ୍ତ୍ର ରେଳଗାଡ଼ିରେ ଜଗଦଲପୁର ବା କୋରାପୁଟ ଷ୍ଟେସନରୁ ସିଧା ବ୍ରହ୍ମପୁର ଓ ଚିଲିକା ଷ୍ଟେସନକୁ ଅଣାଯାଉ। କିଏ କେଉଁ ଶିବିରରେ ରହିବେ, ତାହା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିର କରି ଅନ୍‌ଲାଇନ୍‌ ଡାଟାବେସ୍‌ କରାଯାଉ।

(୫) ଏହି ଦୁଇ ସ୍ଥାନ ସମୁଦ୍ରକୂଳିଆ ଓ ସ୍ଵାସ୍ଥ୍ୟକର ଜଳବାୟୁ ହୋଇଥିବାରୁ ଏବଂ ଜରୁରୀ ସହଯୋଗ ପାଇଁ ଉଭୟ ସ୍ଥାନରେ ଭାରତୀୟ ସେନାର ସ୍ଥାୟୀ ଶିବିର ଥିବାରୁ ରାଜ୍ୟ ସରକାରଙ୍କୁ ସ୍ଵେଚ୍ଛାସେବୀ ଯୋଗାଡ଼ ପାଇଁ ନୟାନ୍ତ ହେବାକୁ ପଡ଼ିବ ନାହିଁ।

(୬) ତୁରନ୍ତ ମାଲକାନଗିରିରୁ ଭଳିକି ଭଳି ଏଲୋପାଥିକ ଚିକିତ୍ସକ ଦଳ, କେନ୍ଦ୍ରୀୟ ଦଳ ଇତ୍ୟାଦିଙ୍କ ଗହଳି ଭାଙ୍ଗି ନିଜ ନିଜ ସ୍ଥାନକୁ ଫେରାଇ ଦିଆଯାଉ।

(୭) ଅସ୍ଥାୟୀ ଥଇଥାନ ଶିବିରରେ ନୂଆ ଜାଗା ଓ ନୂଆ ଜଳବାୟୁ ସଂସ୍ପର୍ଶରେ ଆସିବା ତଥା ଜୀବନରେ ପ୍ରଥମ କରି ରେଳଗାଡ଼ିରେ ବସିବା ଦ୍ଵାରା ମାନସିକ ଭାବେ ୧୦୦% ସୁସ୍ଥ ହୋଇଯାଇଥିବେ, ସଂଖ୍ୟାଧିକ ଶିଶୁ। 

(୮) ରେଳଗାଡ଼ି ପର୍ଯ୍ୟନ୍ତ ଓ ରେଳଗାଡ଼ିରୁ ଶିବିର ପର୍ଯ୍ୟନ୍ତ ପରିବହନ ପାଇଁ ଘରୋଇ ବସ୍‌ମାଲିକ ସଂଘ (ମାଲକାନଗିରି, କୋରାପୁଟ, ଗଂଜାମ ଓ ଖୋର୍ଧା ଜିଲ୍ଲାର) ସହ ସରକାରୀ ଭାବେ କଥାବାର୍ତା କରାଯାଉ। ଏଭଳି ବିପଦ ବେଳରେ ସହଯୋଗ କରିବାକୁ ପ୍ରତ୍ୟେକ ବସ୍‌ ମାଲିକ ଏକ ପୁଣ୍ୟ କାମ ବୋଲି ବିବେଚନା କରିବେ। ଓଡ଼ିଶାରେ ମଣିଷପଣିଆ ବଞ୍ଚିଛି। କେବଳ ଯାହା ଅଭାବ ରହିଛି ଯୋଗାଡ଼ିଆ ନେତୃତ୍ଵର।

(୯) ଚିଲିକା ଓ ରଂଗେଇଲୁଣ୍ଡାରେ ଅସ୍ଥାୟୀ ଶିବିରକୁ ରାଜଧାନୀରୁ ଚଟ୍‌କିନା ଯାଇ ସମୀକ୍ଷା କରିପାରିବେ ସ୍ଵୟଂ ମୁଖ୍ୟମନ୍ତ୍ରୀ ଏବଂ ଦେଶ ବିଦେଶର ବିବିଧ ବ୍ୟକ୍ତି ମଣ୍ଡଳୀ ଓ ବଦାନ୍ୟ (Charitable) ସଂସ୍ଥାର ପ୍ରତିନିଧି ମଣ୍ଡଳୀ।

ଏହା ଆମ୍ଭର ଏକ ବାହାଦୂରିଆ ଚିନ୍ତନ ନୁହେଁ। ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମହାମାରୀ ପରିଚାଳନା ଏହି ଢାଞ୍ଚାରେ ହୋଇଥାଏ। ଆମ୍ଭେ କେବଳ କିଛି ସ୍ପଷ୍ଟ ଓ କ୍ରିୟାଯୋଗ୍ୟ (Actionable) ପରାମର୍ଶ ଏଠାରେ ରଖିଛୁ। ବୁଝିବାରେ ବା କାର୍ଯ୍ୟକାରୀ କରିବାରେ ପ୍ରଶାସନ ଅସୁବିଧା ଅନୁଭବ କଲେ, ସହଯୋଗ ପାଇଁ ଆମ୍ଭେ ପ୍ରସ୍ତୁତ ଅଛୁ।

ଖୋଦ୍‌ ସ୍ଵାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର କୈଳାଶ ଦାସ ‘ଓଡ଼ିଶା ସନ୍‌ଟାଇମ୍‌ସ୍‌’କୁ କହିଛନ୍ତି ଯେ ମାଲକାନଗିରିରେ ଜେ.ଇ. ଏବେ ନିୟନ୍ତ୍ରଣାଧୀନ ରହିଛି। ଏଭଳି ବିବୃତିରେ ଭରସା କରିବାର ବେଳ ଗଡ଼ିଯାଇଛି। କାରଣ ସ୍ଵାସ୍ଥ୍ୟ ସଚିବ ମଧ୍ୟ ଏଭଳି ଗୋଲାପୀ ଛବି ଦେଖାଇଥିଲେ, ତାଙ୍କ ପରିଦର୍ଶନରୁ ଫେରିଲା ପରେ। ଅଥଚ ତାଙ୍କ ବିବୃତି ପରେ ଆହୁରି ୫୦ ଶିଶୁଙ୍କ ଜୀବନ ଗଲାଣି। ମାଲକାନଗିରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପାଇଁ ଏବେ ବାସ୍ତବ ପଦକ୍ଷେପ ନେବାର ସମୟ ଆସିଛି। 

ଯଦି ମାଥିଲି ବ୍ଲକ୍‌ ଦାନିଗୁଡ଼ା ଗାଆଁର ସୁଦର୍ଶନ ପଡ଼ିଆମି ଓ ଇର୍‌ମେ ପଡ଼ିଆମିଙ୍କ ୬ବର୍ଷୀୟା ଝିଅ ଶାନ୍ତି ପଡ଼ିଆମିଙ୍କ ଜୀବନ ବଞ୍ଚାଇ ନହୁଏ ଏବଂ ଏହି ଦମ୍ପତି ଆତ୍ମହତ୍ୟା କରନ୍ତି, ତେବେ ଏହା ସାରା ବିଶ୍ଵରେ ଏକ ନିନ୍ଦନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ପଡ଼ିବ। ଏହି ଦମ୍ପତିଙ୍କର ୨ଟି ଛୁଆଙ୍କ ଜୀବନ ଏହି ମହାମାରୀରେ ଯାଇ ସାରିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଉ ଏହା ହିଁ ହେଉଛି କୌଣସି ମାଲକାନଗିରିଆଙ୍କ ପ୍ରଥମ ଚାପ ପ୍ରଶାସନ ଉପରେ। ଦାନିଗୁଡ଼ାର ଶାନ୍ତି ଚାଲିଗଲେ, ତାହା ୧୦୦ଟି ଦାନ ମାଝୀ ଲଜ୍ଜାକୁ ବଳିଯିବ! ଶାନ୍ତି ପଡ଼ିଆମିଙ୍କ ମାଆବାପାଙ୍କ ବିଷ ପିଇ ଆତ୍ମହତ୍ୟା କରିବାର ଧମକ ଯେ ଏହି ଲେଖକକୁ ବିଚଳିତ କରିଛି ଏବଂ ଆଖିରେ ଲୁହ ଭରି ଦେଇଛି, ତାହା ନୁହେଁ, ହୁଏତ ଆପଣଙ୍କୁ ବି ବିଚଳିତ କରୁଥିବ ଏବଂ ନାଗରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କ ଭିତରର ମଣିଷପଣିଆକୁ ଦୋହଲାଇ ଦେଉଥିବ।

ବିମଳ ପ୍ରସାଦ, ଭୁବନେଶ୍ଵର, କଥା ହେବାକୁ: ୯୯୩୭୩୫୩୨୯୩