26 दिसंबर 2017

ଓଡ଼ିଆରେ ଓଡ଼ିଶା ଶାସନ – ରାଜ୍ୟ କ୍ୟାବିନେଟ୍ ମଙ୍ଗିଲା

ରାଜ୍ୟ କ୍ୟାବିନେଟ୍‌ ବୈଠକ ପ୍ରେସ୍‌ ଇସ୍ତାହାର

ଆଜି ୨୭ ଡିସେମ୍ବର ୨୦୧୭, ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ରେ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ୍‌ର ବୈଠକ ରାଜଧାନୀ ବାହାରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଆମ ମାତୃଭାଷା ଓଡ଼ିଆ ଭାଷାକୁ ସମୃଦ୍ଧ କରିବା, ସରକାରୀ କାର୍ଯ୍ୟ ଓ ପ୍ରଶାସନରେ ଭାଷାର ପ୍ରସାରଣ ବୃଦ୍ଧି କରିବା, ଏହାର ସମୃଦ୍ଧି ଓ ସଂରକ୍ଷଣ ସହିତ ବୃତ୍ତି ଓ ପ୍ରବୃତ୍ତିର ଭାଷା ଭାବରେ ଏହାକୁ ଅଧିକରୁ ଅଧିକ ଉପଯୋଗୀ କରାଇବା ତଥା ଭାଷା ଓ ସାହିତ୍ୟର ବିକାଶକୁ ଏକ ବୌଦ୍ଧିକ ସ୍ତରରେ ପହଞ୍ଚାଇବା ପାଇଁ କ୍ୟାବିନେଟ୍‌ ଆଜି ନିମ୍ନୋକ୍ତ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରିଅଛନ୍ତି:-

୧. ‘‘ପର୍ଯ୍ୟଟନ ଓ ସଂସ୍କୃତି’’ ବିଭାଗରୁ ସଂସ୍କୃତି ବିଷୟକୁ ପୃଥକ୍‌ କରାଯାଇ ‘‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’’ ନାମରେ ସ୍ୱତନ୍ତ୍ର ବିଭାଗ ଗଢ଼ାଯିବ।

୨. ବିବିଧତାରେ ପରିପୂର୍ଣ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପରିବର୍ତ୍ତନ ନିଶ୍ଚିତ କରିବା ପାଇଁ ଐତିହ୍ୟ କ୍ୟାବିନେଟ୍‌ ଗଠନ କରାଯିବ।

୩. ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ବିଭାଗଗୁଡ଼ିକ ନିର୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଧାରଣ କରିବେ। ଜିଲ୍ଲା, ରାଜସ୍ୱ ଡିଭିଜନ ଓ ରାଜ୍ୟ ସ୍ତରରେ ଏଥି ନିମନ୍ତେ ପ୍ରାଶାସନିକ ବ୍ୟବସ୍ଥା ୧ ଏପ୍ରିଲ୍‌ ୨୦୧୮ ଓଡ଼ିଶା ଦିବସ ଠାରୁ କାର୍ଯ୍ୟକାରୀ କରାଯିବ।

୪. ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଲଗାଯିବା ବାଧ୍ୟତାମୂଳକ କରିବା ପାଇଁ ‘‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ। ଏଥିରେ ଖିଲାପକାରୀଙ୍କୁ ଦଣ୍ଡର ବ୍ୟବସ୍ଥା ରହିବ। ଖିଲାପକାରୀଙ୍କ ବିରୋଧରେ ତଥ୍ୟ ଦାଖଲ କରିବା ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରଚଳନ କରାଯିବ, ଯାହା ଫଳରେ ଏହାର ଅନୁପାଳନ ନିଶ୍ଚିତ କରାଯାଇପାରିବ।
 

୫. ପ୍ରତି ୫ ବର୍ଷରେ ଥରେ ‘‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’’ ଆୟୋଜନ କରାଯିବ।

୬. ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ କୌଣସି ପାଉଣା ଦେବାକୁ ପଡ଼ିବ ନାହିଁ।

୭. ‘‘ବ୍ୟାସକବି ଫକୀରମୋହନ’’ ଛାତ୍ରବୃତ୍ତି ପ୍ରଦାନର ସର୍ତ୍ତ କୋହଳ କରାଯାଇ +୨ (ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ) ସ୍ତରରେ ଏବଂ +୩ (ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ) ସ୍ତରରେ ଓଡ଼ିଆ ବିଷୟରେ ଅଧିକ ମାର୍କ ରଖି ଉତ୍ତୀର୍ଣ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ପ୍ରଦାନ କରାଯିବ।

୮. ବିଶ୍ୱବିଦ୍ୟାଳୟ ମଂଜୁରୀ କମିଶନ ଢାଞ୍ଚାରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ।
 

୯. ଓଡ଼ିଆ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର (ପିଏଚ୍.ଡି.) ସଂଖ୍ୟା ବୃଦ୍ଧି କରାଯିବ ଏବଂ ଏହି ବୃଦ୍ଧି ଯୋଗୁ ଆବଶ୍ୟକ ପଡ଼ିଲେ ଓଡ଼ିଆ ଭାଷାରେ ପ୍ରାଧ୍ୟାପକ ସଂଖ୍ୟା ମଧ୍ୟ ବୃଦ୍ଧି ହେବ।

୧୦. ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ
ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କିତ କର୍ମଶାଳା ଆୟୋଜନ  କରାଯାଇ ସେଥିରେ ଉପସ୍ଥାପିତ ହୋଇଥିବା ପ୍ରବନ୍ଧଗୁଡ଼ିକୁ ପ୍ରକାଶିତ କରାଯିବ।
 

୧୧. ଓଡ଼ିଆ ଭାଷାର ସାହିତ୍ୟକୃତିଗୁଡ଼ିକୁ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ ତଥା ଅନ୍ୟ ଭାଷାର ସାହିତ୍ୟକୃତିଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ, ସହଭାଗିତା ଭିତ୍ତିରେ ବ୍ୟାପକ ଭାବରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

୧୨. ଓଡ଼ିଆ ଭାଷା ସାହିତ୍ୟକୁ ଅବିସ୍ମରଣୀୟ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ ବ୍ୟବସ୍ଥାର ଏକତ୍ରୀକରଣ କରାଯାଇ ଐତିହାସିକ ଗବେଷଣା, ଶିଶୁସାହିତ୍ୟ, ବିଜ୍ଞାନ ପୁସ୍ତକ, ଓଡ଼ିଆ ୱେବ୍‌ସାଇଟ୍‌, ଓଡ଼ିଆ ବ୍ଲଗ୍‌ ଲିଖନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ପୁରସ୍କାର ପ୍ରତିଷ୍ଠା କରାଯିବ। ଓଡ଼ିଆ ସଫ୍ଟୱେର ପ୍ରସ୍ତୁତିରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ତଥା ଅନୁଷ୍ଠାନ ମାନଙ୍କର ଭୂମିକା ଚିହ୍ନଟ କରାଯାଇ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯିବ।
 

୧୩. ପ୍ରତି ବର୍ଷ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ / ବୃହତ୍‌ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଆୟୋଜନ କରାଯିବ।

୧୪. ପ୍ରତି ଜିଲ୍ଲାରେ ଏକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯାଇ ତହିଁରେ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଏବଂ ଓଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟ ଭାଷାରେ ପୁରସ୍କୃତ ସାହିତ୍ୟ କୃତିଗୁଡ଼ିକୁ ପାଠକମାନଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ପାଠାଗାରଗୁଡ଼ିକୁ ପର୍ଯ୍ୟାୟକ୍ରମେ ‘‘ସ୍ମାର୍ଟ ପାଠାଗାର’’ରେ ପରିବର୍ତନ କରାଯିବ।

୧୫. ସମସ୍ତ ଉଚ୍ଚବିଦ୍ୟାଳୟରେ ପାଠାଗାର ସ୍ଥାପନ କରାଯାଇ ଏଥିରେ ଓଡ଼ିଆ ଏବଂ ଓଡ଼ିଆରେ ଅନ୍ୟ ଭାଷାରୁ ଅନୁବାଦିତ ପୁରସ୍କାରପ୍ରାପ୍ତ ପୁସ୍ତକ ଯୋଗାଇ ଦିଆଯିବ।

୧୬. ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ମାଧ୍ୟମରେ ଇଂରାଜୀ, ପରାସୀ, ଜର୍ମାନୀ, ଜାପାନୀ ଓ ସ୍ପେନୀୟ ଭାଷାରେ ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ।

୧୭. ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ‘‘ଓଡ଼ିଆ ଭାଷା କମିଶନ’’ ଗଠନ କରାଯିବ।

୧୮. ସର୍ବସାଧାରଣଙ୍କ ଠାରୁ ପ୍ରାପ୍ତ ଓଡ଼ିଆ ଚିଠି, ଅଭିଯୋଗ ପତ୍ର ଏବଂ ପତ୍ରାଳାପର ଉତ୍ତର ଓଡ଼ିଆ ଭାଷାରେ ଦିଆଯିବ। ରାଜ୍ୟ ଭିତରେ ସମସ୍ତ ସରକାରୀ ଉତ୍ସବ ଓଡ଼ିଆ ଭାଷାରେ ପରିଚାଳନା କରାଯିବ।

୧୯. ଅତିବଡ଼ୀ ଜଗନ୍ନାଥ ଦାସଙ୍କର ଜନ୍ମତିଥିରେ ରାଜ୍ୟ ସ୍ତରରେ, ତାଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଏବଂ ସାତଲହଡ଼ି ମଠ, ପୁରୀଠାରେ ପ୍ରତିବର୍ଷ ବିଭାଗ ଦ୍ୱାରା ... ମହାସମାରୋହରେ ପାଳିତ ହେବ। ଉଭୟ ପୀଠର ପୁନରୁଦ୍ଧାର କରାଯିବ।

୨୦. ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗିଗୁଡ଼ିକର ପୁନରୁଦ୍ଧାର ସଂଖ୍ୟା ଏବଂ ଦିଆଯାଉଥିବା ଅନୁଦାନ ପରିମାଣ ଦୁଇଗୁଣ ବୃଦ୍ଧି କରାଯିବ।

 (ପ୍ରେସ୍‌ ଇସ୍ତାହାରର ଅବିକଳ ସଂପାଦିତ ରୂପ।)

ବିମଳ ପ୍ରସାଦ, ୨୬ ଡିସେମ୍ବର ୨୦୧୭ (ମଙ୍ଗଳବାର); କଥା ହୁଅନ୍ତୁ: ୯୯୩୭୩୫୩୨୯୩

22 दिसंबर 2017

ଭୁବନେଶ୍ୱରରେ ମିଛ ଏଫ୍‌.ଏମ୍‌.ର କାୟା

ଆପଣ ଜାଣନ୍ତି କି - ଭାରତରେ ଭୁବନେଶ୍ୱର ଏକମାତ୍ର ରାଜ୍ୟ-ରାଜଧାନୀ ସହର, ଯେଉଁଠି ମୁଖ୍ୟ ରେଳଷ୍ଟେସନରେ ମାତ୍ର ୪ଟି ପ୍ଲାର୍ଟଫର୍ମ ଥିଲା। ଏଇ ମାତ୍ର ଦେଢ ବର୍ଷ ହେଲା ପ୍ଲାଟଫର୍ମ ସଂଖ୍ୟା ୬ରେ ପହଞ୍ଚିଛି ଏବଂ ୨୦୧୯ ଶେଷ ସୁଦ୍ଧା ପ୍ଲାର୍ଟଫର୍ମ ସଂଖ୍ୟା ୮ରେ ପହଞ୍ଚିବାର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିଭଳି ଭୁବନେଶ୍ୱର ପାଇଁ ତଥା ଭୁବନେଶ୍ୱରବାସୀଙ୍କ ପାଇଁ ସବୁଠୁ ଲଜ୍ଜାଜନକ କଥାଟି ହେଲା, ଏଠାରେ ଆକାଶବାଣୀର କୌଣସି କେନ୍ଦ୍ର ବା ଅନୁପ୍ରସାରଣ (ରିଲେ) କେନ୍ଦ୍ର ନାହିଁ। ଅନ୍ୟ କଥାଟି ଶୁଣି ଆପଣ ନିଶ୍ଚିତ ଚମକି ପଡ଼ିବେ, ତାହା ହେଲା - ଘରୋଇ FM ରେଡ଼ିଓ କେନ୍ଦ୍ରର ସଙ୍କେତ ପ୍ରସାରଣ କେବଳ ନିକଟତମ ଆକାଶବାଣୀ କେନ୍ଦ୍ରର ଟ୍ରାନସମିଶନ ଟାୱାରରୁ ହୋଇପାରିବ। ଅର୍ଥାତ୍ ସରକାରୀ ମିଡ଼ିୟମ ୱେଭ୍‌ ରେଡ଼ିଓ ଷ୍ଟେସନର ଟ୍ରାନସମିଶନ ଟାୱାରରେ ହିଁ ଘରୋଇ FM ଚ୍ୟାନେଲଗୁଡ଼ିକର ଟ୍ରାନପଣ୍ଡର ଝୁଲାଯାଇପାରିବ। ଆକାଶବାଣୀ କେନ୍ଦ୍ର ତଥା ତହିଁର ଟ୍ରାନସମିଶନ ଟାୱାର କେବଳ କଟକରେ ଥିବାରୁ ବିଭିନ୍ନ କାରଣରୁ ଏଫ୍.ଏମ୍‌. ରେଡ଼ିଓର ସିଗ୍‌ନାଲ ଭୁବନେଶ୍ୱର ସହରରେ ମଧ୍ୟ ପଶି ପାରୁ ନାହିଁ। କାରଣଗୁଡ଼ିକ ହେଲା- 
() ଏଫ୍‌.ଏମ୍‌. ଟ୍ରାନ୍‌ସପଣ୍ଡରଗୁଡ଼ିକ କଟକ ଟାୱାରରେ ଭୁଲ୍‌ ଉଚ୍ଚତାରେ ବସାଯାଇଥିବାରୁ ତାହାର ସଂକେତ ଯାଇ ଜଗତସିଂହପୁରର ବୋରିକିନା, କେନ୍ଦୁଝରର ସାହାରପଡ଼ା, ଢେଙ୍କାନାଳ ଜିଲ୍ଲାର ଭୁବନ ଆଦି ଦୂରବର୍ତୀ ଅଞ୍ଚଳରେ ପହଞ୍ଚୁଥିବା ବେଳେ ଭୁବନେଶ୍ୱରର ୧୫ ଲକ୍ଷ ଶ୍ରୋତାଙ୍କ ପାଖରେ ଅପହଞ୍ଚ; 
() ଓଡ଼ିଶାର ଏଫ୍.ଏମ୍‌. ଚ୍ୟାନେଲଗୁଡ଼ିକ ମାତ୍ର ୫ କିଲୋୱାଟ କ୍ଷମତା ସମ୍ପନ୍ନ, ଅଥଚ ଅନ୍ୟ ରାଜ୍ୟରେ ୧୦ କିଲୋୱାଟ କ୍ଷମତା ପାଇଁ ଲାଇସେନ୍ସ ଦିଆଯାଉଛି; 
() 3G ଓ 4G ଟେଲିକମ୍‌ ସିଗ୍‌ନାଲ ଦ୍ୱାରା ଏଫ୍‌.ଏମ୍‌. ରେଡ଼ିଓର ସିଗ୍‌ନାଲ ବାଧାପ୍ରାପ୍ତ ହେଉଛି; 
() କାଳ ସାଜିଛି ମୋଦି ଯୁଗର ମାଳମାଳ ଓ ଘରେ ଘରେ LED ଲାଇଟ୍‌। ଟ୍ରାନସମିଟର ଜ୍ଞାନକେୌଶଳରେ LED ବତୀ ସବୁ ନିର୍ମିତ ହୋଇଥିବାରୁ ତାହା ଏ ସଂକଟକୁ ଏବେ ମହରଗରୁ ନେଇ କାନ୍ତାରରେ ପକାଇଛି। 
() ମୋବାଇଲ ଡିଭାଇସ୍‌ଗୁଡ଼ିକରେ ଟ୍ୟୁନିଂ କରିବା ପାଇଁ କେତେକ ସର୍ବନିମ୍ନ ଜ୍ଞାନକୌଶଳକୁ ମଧ୍ୟ ସଂପୃକ୍ତ ରେଡ଼ିଓ ଷ୍ଟେସନ ପରିଚାଳନା କର୍ତୃପକ୍ଷମାନେ ଉପଯୋଗ କରିନାହାନ୍ତି। ତେଣୁ ଭୁବନେଶ୍ୱରରେ ମୋବାଇଲ ଫୋନ୍‌ ବ୍ୟବହାରକାରୀମାନଙ୍କ ପାଇଁ ଏଫ୍‌.ଏମ୍‌. ରେଡ଼ିଓର କୌଣସି ମହତ୍ତ୍ୱ ନାହିଁ। କାରଣ ମୋବାଇଲ ଫୋନ୍‌ରେ ଏଫ୍‌.ଏମ୍‌. ରେଡ଼ିଓ ଚ୍ୟାନେଲ୍‌ ଟ୍ୟୁନିଂ କରି ହେଉ ନାହିଁ। ଏଫ୍‌.ଏମ୍‌. ରେଡ଼ିଓରେ ସମ୍ବାଦ ନୁହେଁ, ବରଂ ପ୍ରସାରିତ ହୁଏ ସଂଗୀତ। ସହରର ବାସିନ୍ଦାମାନଙ୍କ ଜଂଜାଳମୟ ଦିନଚର୍ଯ୍ୟା ଭିତରେ ସଂଗୀତର କେତେ ଗୁରୁତ୍ୱ ରହିଛି, ତାହା ଭାରତ ସରକାର ବୁଝି ସାରିଛନ୍ତି ବୋଲି ‘‘ପ୍ରସାର ଭାରତୀ’’ ଜରିଆରେ ଘରୋଇ ଏଫ୍.ଏମ୍‌. ଚ୍ୟାନେଲକୁ ଦେଶବ୍ୟାପୀ ସୁଯୋଗ ଦେଇଛନ୍ତି।

ତେବେ ଅନ୍ୟ ଆହ୍ୱାନଗୁଡ଼ିକ ହେଉଛି - ଯେଉଁମାନେ ଏହି ହାସ୍ୟାସ୍ପଦ ସମସ୍ୟାଗୁଡ଼ିକୁ ବୁଝୁଛନ୍ତି, ସେମାନେ ଏହାର ପ୍ରତିକାର ପାଇଁ କିଛି ଉଦ୍ୟମ କରୁ ନାହାନ୍ତି। କଟକରେ ଓ କଟକ ସହରବାସୀଙ୍କର ସ୍ୱାଭିମାନ ଯୋଗୁ ରାଜଧାନୀର ଅଧା ଉପାଦାନ ଏବେ ବି କଟକରେ ଥିବା ବେଳେ ଭୁବନେଶ୍ୱରରେ ଓ ଭୁବନେଶ୍ୱରିଆଙ୍କର ଏବେ ସୁଦ୍ଧା ସ୍ୱାଭିମାନ ଗଜା ହୋଇନାହିଁ। ତେଣୁ କେମିତି ଏଫ୍.ଏମ୍‌. ରେଡ଼ିଓ ଶୁଣିବେ ଭୁବନେଶ୍ୱରବାସୀ? ଦେଖାଯାଉ କିଏ ବୁଝୁଛନ୍ତି ଏ ସମସ୍ୟାକୁ ଏବଂ କେଉଁ ନେତାଙ୍କ ମଗଜରେ ଢୁକୁଚି ଏଇ ସ୍ୱାଭିମାନ ଓ ସଂଗୀତର ଆହ୍ୱାନ!


ବିମଳ ପ୍ରସାଦ, ୯୯୩୭୩୫୩୨୯୩

17 नवंबर 2017

ଅଦିନମେଘ ଉଜାଡିଲା ୧୬ ଜିଲ୍ଲାର ଖରିଫ୍ ଧାନ

ଫଟୋ ସୌଜନ୍ୟ: ‘ସମ୍ବାଦ’
୧୧ ଓ ୧୨ ଅକ୍ଟୋବର ୨୦୧୪ର ଛାତିଥରା ହୁଡ୍‌ହୁଡ଼୍‌ ଝଡ଼ବତାସ କବଳରୁ ବଞ୍ଚିଗଲେ ଓଡ଼ିଶାର ମଣିଷମାନେ। ତଥାପି ବିପୁଳ କ୍ଷତି ହେଲା ଫସଲ, ବୃକ୍ଷସଂପଦ ଓ ପ୍ରାଣୀ ସମ୍ପଦର। ଲକ୍ଷାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ବାହାବା ନେଇଗଲା ଓଡ଼ିଶା ସରକାର। ଯାହାକି ପ୍ରକୃତରେ ଓଡ଼ିଶାର ଗଣମାଧ୍ୟମର ଭୂମିକା ଥିଲା। ୨୦୧୭ ଅକ୍ଟୋବରରେ ପଶ୍ଚିମ ଓଡ଼ିଶାରେ ଚକଡ଼ା କୀଟଙ୍କ ଉତ୍ପାତରେ ଧାନ ଫସଲ ଉଜୁଡ଼ି ଯାଇଥିବା ବେଳେ ୨୦୧୭ ନଭେମ୍ବର ୧୫-୧୬-୧୭ ତାରିଖର ଲଘୁଚାପ ବର୍ଷା ଯୋଗୁଁ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଧାନ ଫସଲ ବି ବର୍ବାଦ୍‌ ହୋଇଗଲା। ଓଡ଼ିଶା ପ୍ରଶାସନ  କେବଳ ଚାଷୀଙ୍କୁ ‘‘ଧାନ ବିଲରେ ଲୁଣ ପାଣି ଛିଞ୍ଚି ଦିଅ’’ ଘୋଷଣା କରି ଚୁପ୍‌ ବସିଗଲା। ଏବେ ସରକାରୀ କର୍ମଚାରୀମାନଙ୍କ ରବିବାର ଛୁଟିକୁ ବାତିଲ କରିଛି। ତୃତୀୟ ଶନିବାର ହୋଇଥିବାରୁ ରାଜ୍ୟ ପ୍ରଶାସନର ଛୁଟି ନଥିଲେ ସୁଦ୍ଧା ଶନିବାର ଛୁଟି ବାତିଲ ବୋଲି ମଧ୍ୟ ଟିଭି ଖବରରୁ ଶୁଣିବାକୁ ମିଳୁଛି !

ଧାନ କଟା ପୂର୍ବରୁ ୩ ଦିନ ବା ୪ ଦିନ ଲଗାଣ ବର୍ଷା ହେଲେ କିଭଳି କ୍ଷତି ହୁଏ, ତାହା ଏବେର ପ୍ରଶାସନ ବା ଶାସକଦଳ ବୁଝି ପାରିବନି। କାରଣ ଗରିବ ରାଜ୍ୟ ଓଡ଼ିଶାରେ ଆତ୍ମହତ୍ୟାଗୁଡ଼ିକ କେବଳ ଘରୋଇ କଳିରୁ ହେଉଥିବାରୁ, ଧାନ ଅମଳ ହୋଇ ଖଳାକୁ ନଆସିଲେ, କିଭଳି ଘରୋଇ କଳି ଉପୁଜିବ, ତାହା ଅବଶ୍ୟ ଜାଣିଥିବେ। ଏହି ବର୍ଷା ବିପର୍ଯ୍ୟୟ ଆସିବାର ୪ ଦିନ ଆଗରୁ ପାଣିପାଗ ଖବର ଦୁଇ ତିନିଟି ଖବରକାଗଜ ଛାପି ସାରିଥିଲେ। କିନ୍ତୁ ପ୍ରଶାସନର ସତର୍କ ବାଣୀକୁ ଟିଭିବାଲା ଗୁରୁତ୍ଵ ଦେଲେ ନାହିଁ। କାରଣ ଏ ବିପର୍ଯ୍ୟୟରେ ଜନହାନିର ଭୟ ନଥିଲା। ଏହାଛଡ଼ା ଟିଭି ଖବର ଚ୍ୟାନେଲଗୁଡ଼ିକୁ କିଭଳି ସରକାରୀ ବାର୍ତା ପ୍ରଚାର ପାଇଁ ବ୍ୟାବସାୟିକ ଭାବେ ବ୍ୟବହାର କରାଯାଇପାରିବ, ତାହାର କୌଣସି ବିଧିବଦ୍ଧ ନୀତି ଆଜି ସୁଦ୍ଧା ସରକାର ପ୍ରଣୟନ କରି ନାହାନ୍ତି। ସିଧା ଶବ୍ଦରେ କହିଲେ, ଟିଭି ଖବର ଚ୍ୟାନେଲକୁ ସିଧାସଳଖ ପାଉଣା ଦେଇ ସୂଚନା ପ୍ରଚାର କରିବାର କୌଣସି ବ୍ୟବସ୍ଥା ହୋଇନାହିଁ। ଏମିତି ବିଭିନ୍ନ କାରଣରୁ ହୁଡ଼୍‌ହୁଡ଼୍‌ ପୂର୍ବର କର୍ତ୍ତବ୍ୟନିଷ୍ଠ ଟିଭି ଗଣମାଧ୍ୟମ ଏଥର ଏ ବେଇମାନ ରାଜ୍ୟ ପ୍ରଶାସନକୁ ମାଗଣା ସେବା ଯୋଗାଇବାରୁ ବିରତ ରହିଲା। ହେଲେ କ୍ଷତି ସହିଲେ ଓଡ଼ିଶାର ହଜାର ହଜାର କୃଷକ ପରିବାର। ବର୍ଷାରେ ଶୋଇଯାଇଥିବା ଧାନଗଛରୁ ଆଉ ଧାନ ଅମଳ ହୋଇପାରିବ ନାହିଁ। ବରଂ ଝଡ଼ିପଡ଼ିଥିବା ଧାନ, ଆର ସନକୁ ବାଳୁଙ୍ଗା ହୋଇ ଠିଆ ହେବ। ନଚେତ୍‌ କେଣ୍ଡାରେ ଥାଇ ଗଜା ହୋଇଯିବ। ଆଉ ତା’ପରେ ପ୍ରତ୍ୟେକ କ୍ଷତିଗ୍ରସ୍ତ କୃଷକ ପରିବାରରେ ଯେଉଁ ଘରୋଇ କଳି ଉପୁଜିବ, ତାହାକୁ ବର୍ଣନା କରିବାକୁ ଆମ୍ଭ ପାଖରେ ଶବ୍ଦ ନାହିଁ। ଖରିଫ୍ ଧାନ ଫସଲ ଉଜୁଡି ଯାଇଥିବା ସଂପୂର୍ଣ ଓ ଆଂଶିକ କ୍ଷତିଗ୍ରସ୍ତ ୧୬ଟି ଜିଲ୍ଲା ହେଉଛି:- ଖୋର୍ଧା, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଓ କେନ୍ଦୁଝର ।

ଏକ ଅପାରଗ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଏବଂ କର୍ତ୍ତବ୍ୟ-ଅଜ୍ଞ ସୂଚନା ଓ ଲୋକସଂପର୍କ ବିଭାଗକୁ ମୁଣ୍ଡାଇଥିବା ଓଡ଼ିଶା ସରକାର ବଡ଼ ଧରଣର ଧୋକା ଖାଇବ। କାରଣ ମାତ୍ର ତିନି ସପ୍ତାହ ପୂର୍ବରୁ ୯୯ଟି ବ୍ଲକ୍‌ରେ ମରୁଡ଼ି ଘୋଷଣା ହୋଇଥିବା ବେଳେ ଏବେ ଅଦିନମେଘ ଦାଉ ସାଧିଛି। କେଉଁ ୯୯ଟି ବ୍ଲକ୍‌ରେ ମରୁଡ଼ି ହୋଇଛି, ତାହାର ତାଲିକା ପ୍ରଶାସନ ପାଖରେ ନାହିଁ କି କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ନାହିଁ। ବ୍ଲକ୍‌ଗୁଡ଼ିକର ନାମ ତାଲିକା ଓ ପଞ୍ଚାୟତଗୁଡ଼ିକର ତାଲିକା ପ୍ରକାଶ ନକରି ରାଜ୍ୟ ପ୍ରଶାସନ ଯେଉଁ ବିଚକ୍ଷଣ କାମଟି କରିଛି, ତାହାର ପରିଣତିରେ ଏଥର କେଉଁ ଆନ୍ତର୍ଜାତିକ ସଂଗଠନ ଟ୍ରଫି ଦେଇ ସମ୍ମାନିତ କରୁଛି, ତାହା ଦେଖିବାକୁ ରହିଲା।

ବିଜୁ ବାବୁ ତାଙ୍କ ଶେଷ ଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବହୁତ ଲୋକପ୍ରି୍ୟ ହୋଇଥିଲେ। ସେ କୌଣସି ବ୍ୟୁରୋକ୍ରାଟ୍‌ଙ୍କୁ ମୁଣ୍ଡରେ ବସାଉନଥିଲେ। ବରଂ ଶାସନ ଅବଧି ସରି ଆସିବା ବେଳକୁ ଦୁର୍ନୀତି ବିରୋଧରେ ପଦକ୍ଷେପ ନେବାକୁ ଯାଇ କହୁ କହୁ କହିଦେଲେ, ‘‘ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦିଅ’’। ବିଜୁ ବାବୁଙ୍କର ଜମାରୁ ହୋସ୍‌ ନଥିଲା ଯେ ସେଇମାନେ ହିଁ ଭୋଟ୍‌ ବେଳେ ପୋଲିଂ ଅଫିସର ଓ ପ୍ରିଜାଇଡ଼ିଂ ଅଫିସର ହୋଇ ନିର୍ବାଚନ ପରିଚାଳନା କରିବେ। ଶେଷରେ ଇତିହାସରେ ଏକ ନୂଆ ଘଟଣା ହେଲା, ଅମଲାମାନେ ମିଳିମିଶି ଏକ ଲୋକପ୍ରିୟ ଦଳକୁ ବିରୋଧୀ ଦଳ ବନେଇଦେଲେ। ତାଙ୍କରି ନାମରେ ଗଢ଼ା ହୋଇଥିବା ଏକ ରାଜନୀତିକ ଦଳ କ୍ରମାଗତ ୪ଥର କ୍ଷମତାରେ ରହି ବ୍ୟୁରୋକ୍ରାଟ୍‌ମାନଙ୍କୁ ଗେଲବସର କରି ରଖିଥିଲେ ସୁଦ୍ଧା ଆଗାମୀ ଭୋଟ୍‌ରେ ଅଫିସର ନୁହେଁ, ଜନସାଧାରଣ ଆଣିବେ ଐତିହାସିକ ପରିବର୍ତନ। ଆଉ ଯଦି ଏ ପରିବର୍ତନ ସମ୍ଭବ ନହୁଏ, ତାହା ମଧ୍ୟ ହେବ ବ୍ୟୁରୋକ୍ରାଟୀୟ କାରସାଦି ଓ ଇଭିଏମ୍‌ ଗଣିତର ବିଶାଳ ବିଜୟ।

ତେବେ ମରୁଡ଼ି ଘୋଷଣା ନାମରେ କୃଷକ ଓ ସାମ୍ବାଦିକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବର୍ଷ ବର୍ଷ ଧରି ଠକି ଚାଲିଥିବା ଶାସକଦଳର ଫୁଟାଣିକୁ ଧୋଇନେବ କି ଏଇ ଲଘୁଚାଷ ବର୍ଷା?

ବିମଳ ପ୍ରସାଦ, ୯୯୩୭୩୫୩୨୯୩

29 सितंबर 2017

ମୁଖ୍ୟମନ୍ତ୍ରୀ ନବୀନଙ୍କ ଦାବିପତ୍ରରେ ତ୍ରୁଟି

ସେପ୍ଟେମ୍ବର ୨୮ ତାରିଖର ‘ସମ୍ବାଦ’ରେ ବାହାରିଛି - ‘‘ଗଡ଼କରୀ, ଗୋଏଲଙ୍କୁ ଭେଟିଲେ ନବୀନ’’ ଏବଂ ସମ୍ବାଦ ଶିରୋନାମା ରହିଛି ‘‘ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ୍‌’’। ସେହି ଖବରକୁ sambad.inରୁ ନକଲ କରି ଆମ୍ଭ ମନ୍ତବ୍ୟର ତଳେ ମଧ୍ୟ ଅବିକଳ ଲେପନ କରିଅଛୁ। ତାହାର ୱେବ୍‌ ଲିଙ୍କ୍‌ ହେଉଛି:-  http://sambad.in/india-and-beyond/rajdhani-express-to-run-via-sambalpur-2674/

ଏଥିରେ ଏତେ ମାତ୍ରାରେ ତଥ୍ୟ ପ୍ରମାଦ ଅଛି ଯେ କୌଣସି ସଚେତନ ଓଡ଼ିଆଙ୍କ ମୁଣ୍ଡ ତଳକୁ ହୋଇଯିବ। ‘‘କେନ୍ଦ୍ର ଦାୟୀ’’ ବାହାନା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ରରେ ଏତେ ସଂଖ୍ୟକ ତ୍ରୁଟି ରହିଥିବାରୁ, ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ବିଭାଗର(ପୂର୍ତ ବିଭାଗ ଅଧୀନରେ ଓଡ଼ିଶା ଭିତରର ଜାତୀୟ ରାଜପଥ) କାର୍ଯ୍ୟଗୁଡ଼ିକ ଉପରେ ଅଜ୍ଞ ବୋଲି ପ୍ରମାଣିତ ହୋଇଯାଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ସେହି ଦାବିପତ୍ର ଲେଖିଥାଆନ୍ତି, ତେବେ ସେ ମଧ୍ୟ ଅନଭିଜ୍ଞ ଅଟନ୍ତି। କାରଣ ଓଡ଼ିଶାରେ କ୍ରମାଗତ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଉଲ୍ଲେଖଯୋଗ୍ୟ ନେତାଙ୍କୁ ତ ଆମେ ଏତେ ସହଜରେ ଦୋଷ ଦେଇପାରିବା ନାହିଁ।  ତାଙ୍କ ପାଇଁ ଅତି କମ୍‌ରେ ତିନି ଜଣ IAS ଅଧିକାରୀ ଏବଂ ପୁଞ୍ଜା ପୁଞ୍ଜା ଦକ୍ଷ OAS ଅଧିକାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ତଥାପି ଏତେ ତ୍ରୁଟି ହେଉଛି କାହିଁକି? ଅଣଓଡ଼ିଆ ଅଧିକାରୀମାନେ ହୁଏତ ଓଡ଼ିଶାର ଭୂଗୋଳ, ଇତିହାସ ଓ ସଂସ୍କୃତି ଜାଣି ନଥାଇପାରନ୍ତି। ହେଲେ, ଓଡ଼ିଆ ଅଧିକାରୀମାନେ କ’ଣ କରୁଥିଲେ? କେନ୍ଦ୍ର ଦାୟୀ, କେନ୍ଦ୍ର ଦାୟୀ ଚିତ୍କାର କରୁଥିବା ଏକ ରାଜ୍ୟ ସରକାର, ରାଜ୍ୟ ପାଇଁ ଦାଖଲ କରୁଥିବା ଦାବିପତ୍ରରେ ଏତେ ତ୍ରୁଟି କାହିଁକି ରହିଲା? କିଏ ଏହାର ଉତ୍ତର ଦେବ? ଏଭଳି ତ୍ରୁଟିପୂର୍ଣ ଦାବିପତ୍ର ଦାଖଲ ଦ୍ୱାରା ଓଡ଼ିଶା ପ୍ରତି ସର୍ବଭାରତୀୟ ସ୍ତରରେ କ’ଣ, ସମ୍ମାନ ବଢ଼ିଥିବ? ୨୦୧୫ ଏପ୍ରିଲ୍‌ ମାସରୁ ଜାତୀୟ ରାଜପଥଗୁଡ଼ିକର ପୁନର୍ଗଠନ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କେମିତି ଜାଣି ପାରିଲା ନାହିଁ?

ଏବେ ଦେଖିବା ସେହି ତ୍ରୁଟିଗୁଡ଼ିକ ସବୁ କ’ଣ? ଯାହା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ରରେ ଲେଖାଥିଲା:-
୧. ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନମ୍ବର ୨୦୩ (ଠିକ୍‌ ନମ୍ବର ହେଉଛି ୩୧୬)
୨. ରିମୂଳୀ-ରାଜମୁଣ୍ଡା ଜାତୀୟ ରାଜପଥ ନମ୍ବର  ୨୧୫ (ଠିକ୍‌ ନମ୍ବର ହେଉଛି ୫୨୦)
୩. କଟକ - ଅନୁଗୁଳ ଜାତୀୟ ରାଜପଥ ନମ୍ବର ୨୪ (ଠିକ୍‌ ନମ୍ବର ହେଉଛି ୫୫)
୪. ବାରକୋଟ - ପାନପୋଷ ଜାତୀୟ ରାଜପଥ ନମ୍ବର ୨୭ (ଠିକ୍‌ ନମ୍ବର ହେଉଛି ୧୪୩)
୫. ଚଣ୍ଡିଖୋଲ-ଡୁବୁରି-ତାଳଚେର ଜାତୀୟ ରାଜପଥ ନମ୍ବର ୨୦୦ (ଠିକ୍‌ ନମ୍ବର ହେଉଛି ୫୩) ଆଉ ଏହା ହେଉଛି ଓଡ଼ିଶାର ଦୀର୍ଘତମ ଜାତୀୟ ରାଜପଥ। କାରଣ ଏହାର ପ୍ରାୟ ୫୨୪ କିଲୋମିଟର କେବଳ ଓଡ଼ିଶାର ସୀମା ଭିତରେ ରହିଛି। ଏ ସଂକ୍ରାନ୍ତରେ ମୋର ଏକ ବ୍ଲଗ୍‌ ମଧ୍ୟ ରହିଛି - ଓଡ଼ିଶାରେ ଜାତୀୟ ରାଜପଥ  https://odiapila.blogspot.in/2016/02/nh-in-odisha.html

ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ
ଗଡ଼କରୀ, ଗୋଏଲଙ୍କୁ ଭେଟିଲେ ନବୀନ
By Sambad On Sep 28, 2017

ନୂଆଦିଲ୍ଲୀ : ଭୁବନେଶ୍ୱର ଓ ଦିଲ୍ଲୀ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ ଖୁବଶୀଘ୍ର ସମ୍ବଲପୁର ଦେଇ ଚଳାଚଳ କରିବ। ଆଜି ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋଏଲ। ଦିଲ୍ଳୀରେ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଗୋଏଲଙ୍କୁ ଭେଟି ଏହି ଦାବି ଜଣାଇଥିଲେ। ଖୋର୍ଦ୍ଧାରୁ ମୁମ୍ବାଇ ଭାୟା ସମ୍ବଲପୁର ଦେଇ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍‌ ଚଳାଚଳ ଏବଂ ହାଓ୍ଵଡ଼ା ଜନଶତାବ୍ଦୀକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଭୁବନେଶ୍ୱର ଷ୍ଟେସନ୍‌ ସମେତ ରାଜ୍ୟର ୧୧ଟି ରେଳଷ୍ଟେସନ୍‌ର ବିକାଶ ସହିତ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ଲାଇନ୍‌ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପାରଳାଖେମୁଣ୍ଡି ଓ କାଶିନଗର ରେଳଷ୍ଟେସନ୍‌ର ପୁନଃ ନିର୍ମାଣ, ତଥା ଅନ୍ୟାନ୍ୟ ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାମ ତୁରନ୍ତ ସାରିବାକୁ ନବୀନ ଅନୁରୋଧ କରିଥିବା ପ୍ରକାଶ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗୋଏଲ ଏମ୍‌ସିଏଲ୍‌ ପ୍ରସଙ୍ଗ ଉଠାଇଥିଲେ। ଠିକାଦାରମାନଙ୍କୁ ଟେଣ୍ଡର ପ୍ରକ୍ରି୍ରୟାରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ଉଚିତ୍‌ ବୋଲି ପୀୟୂଷ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ସିଏଲ୍‌ରେ କୋଇଲା ଉତ୍ପାଦନ କିପରି ପ୍ରଭାବିତ ନହୁଏ ସେହି ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ରାଜ୍ୟରେ ରହିଥିବା ଅନେକ ଅସଂପୂର୍ଣ୍ଣ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ରାଜପଥ ୨୦୩ ଅନ୍ତର୍ଗତ ଚନ୍ଦନପୁର ନିକଟରେ ଥିବା ରେଲେଓ୍ଵ ଓଭରବ୍ରିଜ୍‌ ଏବଂ ୯ କିଲୋମିଟର ଦୀର୍ଘ ବିଶିଷ୍ଟ ବାଇପାସ୍‌ (ମଙ୍ଗଳାହାଟରୁ ଷ୍ଟର୍ଲିଂ ରିସୋର୍ଟ ପର୍ଯ୍ୟନ୍ତ)ର କାମ ଶୀଘ୍ର ସାରିବା ପାଇଁ ସେ ଦାବି କରିଥିଲେ। ଏହାଛଡ଼ା ରେମୁଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୧୫ ପ୍ରସସ୍ତୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ସହିତ କଟକ-ଅନୁଗୁଳ ଜାତୀୟ ରାଜପଥ ୨୪, ବାରକୋଟ-ପାନ୍‌ପୋଷ ଜାତୀୟ ରାଜପଥ ୨୭, ଚଣ୍ଡିଖୋଲ-ବାଲେଶ୍ୱର ଜାତୀୟ ରାଜପଥ ୧୬ ଏବଂ ଚଣ୍ଡିଖୋଲ-ଡୁବୁରୀ-ତାଳଚେର ଜାତୀୟ ରାଜପଥ ୨୦୦ର ଟେଣ୍ଡର ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବାକୁ ଦାବି ଜଣାଇଥିଲେ। ଭୁବନେଶ୍ୱର ଖଣ୍ଡଗିରି ଏବଂ ଗୋହିରା ଛକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୃଢ଼ ଦାବି ଜଣାଇଥିଲେ। ଏହା ସହିତ ଓଡ଼ିଶାର ୧୨ଟି ରାସ୍ତାକୁ ଜାତୀୟ ରାଜପଥ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏହି ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଇବା ସହିତ ଜଙ୍ଗଲ ମଞ୍ଜୁରି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସେ ନବୀନଙ୍କୁ ପରାମର୍ଶ ଦେଇଥିଲେ।

ଆମ୍ଭ ମନ୍ତବ୍ୟର ଉପସଂହାର 
ଏଥିପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ତ୍ସନାର ପାତ୍ର ଅଟନ୍ତି। କାରଣ ତାଙ୍କରି ଅଧୀନରେ ଥିବା ପୂର୍ତ ବିଭାଗର ୱେବ୍‌ସାଇଟ୍‌ରେ ମଧ୍ୟ ଏସବୁ ତଥ୍ୟ ରହିଛି। ତେଣୁ ସେ ସ୍ମାରକପତ୍ର ଲେଖିଲା ବେଳେ ହୁଏତ ପୂର୍ତ ବିଭାଗ ସହ ପରାମର୍ଶ କରି ନାହାନ୍ତି। ତଥାପି ଶାସକ ଦଳର ପ୍ୟାନେଲିଷ୍ଟ୍‌ ଓ ମୁଖପାତ୍ରମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାସ୍ପୋଟିଆ ବିବୃତି ଦେବେ। ଏମିତି ଠକାମି କରି ସେମାନେ କେତେ ଦିନ ଆଉ ଓଡ଼ିଶାର ଭାଗ୍ୟବିଧାତା ହୋଇରହିବେ??

ବିମଳ ପ୍ରସାଦ, ୯୯୩୭୩୫୩୨୯୩

22 सितंबर 2017

ଏୟାର ଓଡ଼ିଶା ଜୀଇଁଛି

ଓଡ଼ିଆ ମାଲିକାନାରେ ଏକ ବିମାନ ପରିବହନ କମ୍ପାନୀ ଗଢ଼ା ହେବା କ’ଣ ଛୋଟିଆ କଥା? ଓଡ଼ିଶା ଭିତରେ ଭୁବନେଶ୍ୱରରୁ ରାଉରକେଲା, ବ୍ରହ୍ମପୁର, ଜୟପୁର ଭଳି ଭାରତର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡ଼ିବାର ପ୍ରୟାସ କରିଥିଲା। କମ୍ପାନୀର ନାମ ଏୟାର ଓଡ଼ିଶା। ଏକ ସର୍ବଭାରତୀୟ କମ୍ପାନୀର ନାମରେ ‘ଓଡ଼ିଶା’ ଶବ୍ଦ ରହିବା ବି ଭାରି ଗର୍ବର କଥା ମୋ’ ପାଇଁ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପାଇଁ ‘ଓଡ଼ିଶା’ର ପ୍ରିୟ ପ୍ରତିଶବ୍ଦ ଥିଲା ‘କଳିଙ୍ଗ’। ବ୍ୟାଙ୍କ୍‌ ଅଫ୍‌ କଳିଙ୍ଗ ହେଉ ଅବା କଳିଙ୍ଗ ରେଜିମେଣ୍ଟ୍‌ର ସ୍ୱପ୍ନ। କିମ୍ବା ନିଜେ ପ୍ରଚଳନ କରିଥିବା କଳିଙ୍ଗ ପୁରସ୍କାର ହେଉ। ସେ ସେଇ ନାମରେ ବିଭିନ୍ନ ପରିକଳ୍ପନା କରିଥିଲେ। ନିଜେ ଜଣେ ପାଇଲଟ୍‌ ହୋଇଥିବାରୁ କଳିଙ୍ଗ ଏୟାରଲାଇନ୍ସ ନାମରେ ଏକ ବିମାନ କମ୍ପାନୀ ମଧ୍ୟ ଗଢ଼ିଥିଲେ​ ୧୯୪୭ରେ। ତାହାର ମୁଖ୍ୟାଳୟ ଥିଲା କୋଲକାତାରେ ଏବଂ ସଂଚାଳନ ସମାପ୍ତ ହୋଇଥିଲା ୧୯୬୫ରେ। ତାହା ପ୍ରତିଷ୍ଠା ହେବାର ପ୍ରାୟ ୭୦ ବର୍ଷ ପରେ ମାର୍ଚ ୨୦୧୭ରେ ବିମାନ ଉଡାଣର ଅନୁମତି ପାଇ, ଠିଆ ହୋଇଥିଲା ଆଉ ଏକ ବିମାନ ପରିବହନ କମ୍ପାନୀ ଏୟାର ଓଡ଼ିଶା ଆଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ଼୍‌। ଯାହାର ମୁଖ୍ୟାଳୟ ଭୁବନେଶ୍ୱରରେ। ଏତେ ବର୍ଷ ପରେ ପୁଣି ଜଣେ ଓଡ଼ିଆ ଉଦ୍ୟୋଗୀ ଏକ ବିମାନ ପରିବହନ କମ୍ପାନୀ ଗଢ଼ିଥିବାରୁ ବିଜୁବାବୁ ସ୍ୱର୍ଗରେ ଥାଇ ଖୁସି ହେଉଥିବେ। ଆଶିର୍ବାଦ ବି କରୁଥିବେ ନିଶ୍ଚୟ। ବୋଧ ହୁଏ ସେଇଥିପାଇଁ ‘ଏୟାର ଓଡ଼ିଶା’ ବଞ୍ଚିଛି। ଶୁଣିଲି ୟା ଭିତରେ ତାହା ସର୍ବଭାରତୀୟ ସ୍ତରରେ ନିଜର ସ୍ଥିତି ଦୃଢ଼ କରିଛି। କିନ୍ତୁ ନାନା ବାହାନା କରି ଓଡ଼ିଶା ସରକାର ସେହି କମ୍ପାନୀର ମାଲିକମାନଙ୍କୁ ବନ୍ଧେଇବା ସହ ସେହି କମ୍ପାନୀର ବେପାର ବନ୍ଦ କରିଦେଇଥିଲା। ଆଉ ରାଜ୍ୟ ଶାସକ ଦଳର ନେତାମାନଙ୍କ ମଗଜରେ ଥିବା ଅସହିଷ୍ଡୁତା ହିଁ ବିକାଶର ମାପକାଠି ବୋଲି ଆମେ ମଧ୍ୟ ରାଜି ହେବାକୁ ବାଧ୍ୟ ହୋଇଥିଲୁ। 


ବିଜୁ ବାବୁ ଓଡ଼ିଶାରେ ମାତ୍ର ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ତାଙ୍କ ସୁପୁତ୍ର ପପୁ ଏବେ ୪ ଥର ମୁଖ୍ୟମନ୍ତ୍ରୀ ହୋଇ ବାପାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ସତ କହିଲେ, ଆଗାମୀ ନିର୍ବାଚନରେ ସେ ହାରିଯିବା ପରେ କ’ଣ ଆପଣ ସେମିତି ମନେ ପକାଇବେ, ଏବେ ଯେମିତି ବିଜୁବାବୁଙ୍କୁ ଝୁରି ହେଉଛନ୍ତି? ଅବଶ୍ୟ ବିଜୁ ବାବୁଙ୍କ ଅନ୍ତେ ଜନ୍ମ ହୋଇଥିବା ପିଲାଏ, ନବୀନଙ୍କୁ ନିଜନିଜର ଶ୍ରେଷ୍ଠ ନେତା ମାନି ପାରନ୍ତି। କିନ୍ତୁ କ୍ଷମତା ଚାଲିଗଲା ପରେ କ’ଣ ଆଉ ସେ ଗ୍ରହଣୀୟ ବା ପ୍ରାସଙ୍ଗିକ ହୋଇ ରହିବେ? ଏକଦା ୧ ନମ୍ବର ମିଡ଼ିଆ ‘ସମ୍ବାଦ’ ଲେଖିଥିଲା - ‘‘ମୃତ୍ୟୁ ପରେ ବି ଅଧିକ କ୍ଷମତାଶାଳୀ ବିଜୁ ବାବୁ।...’’ ମୃତ୍ୟୁ ଦୂରେ ଥାଉ, କ୍ଷମତା ଦୂରେଇଗଲା ପରେ ପରେ ନବୀନ ଅପ୍ରାସଙ୍ଗିକ ହୋଇ ପଡ଼ିବେ। ଏହା କହିବାର ଉଦ୍ଦେଶ୍ୟ ହେଲା - ‘ଏୟାର ଓଡ଼ିଶା’ ଗଢ଼ିବା ପାଇଁ ଝଡ଼ଝଂଜାକୁ ସହି ପାରିଥିବା ରାଧାମଉସାଙ୍କ ଦାୟାଦମାନେ ବରଂ ବେଶି ମନେ ରହିବେ।

କଟକିଆ-ପୁରିଆ ବଡ଼ ଅଫିସରମାନେ ଏବେ ବି କୋରାପୁଟ-କଳାହାଣ୍ଡି ଯିବାକୁ ମଙ୍ଗୁ ନାହାନ୍ତି। କାରଣ ସେଠାରୁ ଘରକୁ ଫେରିବାକୁ ୨ଦିନ ଲାଗି ଯାଉଛି। ଏବେକା ସମୟର ଏକ ଏକ୍ସପ୍ରେସ୍‌ ଟ୍ରେନ୍‌, ବିଶ୍ୱଭ୍ରମଣ କରି ୧୫ ଘଣ୍ଟା ପରେ ଭୁବନେଶ୍ୱରରୁ ଯାଇ କଳାହାଣ୍ଡିର ସୀମା ମାଡ଼ୁଛି। ଯଦିଚ ସମ୍ବଲପୁର-ବଲାଙ୍ଗୀର ଦେଇ ମାତ୍ର ୧୦ ଘଣ୍ଟାରେ କଳାହାଣ୍ଡିର ସଦର ମହକୁମା ଭବାନୀପାଟଣାରେ ବି ପହଞ୍ଚିହେବ। ଖୋର୍ଧା-ବଲାଙ୍ଗୀର ରେଳପଥ ଖୋଲିଗଲେ ମାତ୍ର ସାଢ଼େ ୬ଘଣ୍ଟାରେ ସେଇ ସହରରେ ପହଞ୍ଚି ହେବ। ମାତ୍ର ବିମାନ ସୁବିଧା ହୋଇଥିଲେ ଆମେ ୟୁରୋପୀୟ ଆମେରିକୀୟ ରାଷ୍ଟ୍ରର ସମକକ୍ଷ ହେବାର ଏକ ପ୍ରକ୍ରିୟା ଆରମ୍ଭ ହୋଇଥାଆନ୍ତା। ଆଉ ୨ ଦିନରେ ନୁହେଁ। ବରଂ ୨ ଘଣ୍ଟାରେ କଳାହାଣ୍ଡିରୁ କଟକ ଆସି ନିଜର ​‌ଗାଁ ବା ସାନ ସହରରେ ପହଞ୍ଚି ହୋଇଥାଆନ୍ତା। ତେଣୁ କଟକିଆ-ପୁରିଆ ବଡ଼ ଚାକିରିଆମାନେ ଆଉ କୋରାପୁଟ-କଳାହାଣ୍ଡିକୁ ଅପହଞ୍ଚ ଇଲାକା ଭାବି ନଥାଆନ୍ତେ। ବର୍ଷକ ଆଗରୁ ଟିକଟ କାଟିଲେ ଅଧାଦାମ୍‌ରେ ଟିକଟ ମିଳିବାର ସ୍କିମ୍‌ ବି ଚାଲୁ ହୋଇଥାଆନ୍ତା। ପରିବର୍ତନ ତଥା ବିକାଶର ୟେ କିଛି ଝଲକ ମାତ୍ର। ହେଲେ ସବୁ କିଛି ଫୁ ହୋଇଗଲା ଶାସକ ଦଳର ଅସହିଷ୍ଣୁତା ପାଖରେ। ଗଣମାଧ୍ୟମରେ ଏମିତି ରିପୋର୍ଟ ବାହାରିଲା ଯେ ଆମକୁ ଲାଗିଲା, ଯେମିତି ‘ଏୟାର ଓଡ଼ିଶା’ ବିମାନ କମ୍ପାନୀ, ଜନସାଧାରଣଙ୍କର ଚିଟ୍‌ଫଣ୍ଡ୍‌ ଟଙ୍କା କେଇ କୋଟି ନେଇକି ବୁଡ଼େଇ ଦେଇଚି!!! ବ୍ୟାଙ୍କ୍‌ରୁ ପୁଳାଏ ଟଙ୍କା ଖାଇକି ପାଟି ପୋଛି ଦେଇଛି!! 

ଆଧୁନିକ ଭାରତର ଇତିହାସକୁ ଲକ୍ଷ୍ୟ କଲେ, ଦେଖାଯାଏ ଯେ ସଂକଟ କାଳରେ ଓକିଲ ଓ ସାମ୍ବାଦିକ ମାନେ ହିଁ ଆହ୍ୱାନର ମୁକାବିଲା ପାଇଁ ଠିଆ ହୁଅନ୍ତି। ସାହା ହୁଅନ୍ତି। କିନ୍ତୁ ‘‘ଏୟାର ଓଡ଼ିଶା’’ କ୍ଷେତ୍ରରେ ସେମାନେ ନିରବ ରହିବାରୁ ଲାଗିଲା ଯେ ସତରେ ଓଡ଼ିଶାର ସବୁ ଓକିଲ ଓ ସାମ୍ବାଦିକ, ବିଜଦ ପକେଟ୍‌ରେ ହିଁ ଅଛନ୍ତି??

ଏହି ଉଦ୍ୟୋଗଟି ପାଇଁ କେହି ଜଣେ ରାଧା ମଉସା(ରାଧାକାନ୍ତ ପାଣି)ଙ୍କୁ ଏଭଳି ବିଜୁବାଦୀ ସ୍ୱପ୍ନର ସୌଦାଗର ରୂପେ ଜନତା ଶ୍ରେୟ ଦିଅନ୍ତି।  ଏକଦା ଓଡ଼ିଶାର ଏକମାତ୍ର ମାର୍କାଦିଆ ଉଦ୍ୟୋଗୀ ବଂଶୀଧର ପଣ୍ଡା ଯାହା କରି ପାରି ନଥିଲେ, ଏବେ ରାଧା ମଉସା କରି ଦେଖାଇଲେ। ‘ଏୟାର ଓଡ଼ିଶା’ ଏକ ସର୍ବଭାରତୀୟ କମ୍ପାନୀ ହୋଇଥିବାରୁ ଗର୍ବ ଲାଗୁଛି। ଏବେ ଖୋଜିବା ଓ ସାମ୍ନାକୁ ଆଣିବାର ଅଛି କିଏ ସେ ରାଧା ମଉସା...ଯାହାଙ୍କ ଝୁଙ୍କ ପାଇଁ ଆଜି ‘ଏୟାର ଓଡ଼ିଶା’।

12 अगस्त 2017

ମହାନଦୀ ଜଳ ସଂକଟର ସମାଧାନ ଅଛି - ଜାଣି ନିଅନ୍ତୁ

୨୦୧୬ ଏପ୍ରିଲ୍‌ରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଜଳସଂପଦ ମନ୍ତ୍ରୀ ବ୍ରିଜ୍‌ମୋହନ ଅଗ୍ରୱାଲଙ୍କ ଭିତରେ ଜାଗରିତ ନୈତିକତା ଯୋଗୁ ହିଁ ଆଜି ମହାନଦୀ, ଲକ୍ଷ ଲକ୍ଷ ଓଡ଼ିଆ ନାଗରିକ ଭିତରେ ଏକ ମୁଦ୍ଦା ପାଲଟିଯାଇଛି। ମଧ୍ୟପ୍ରଦେଶ ଠାରୁ ଅଲଗା ହୋଇ ଏକ ନୂଆ ରାଜ୍ୟର ମର୍ଯ୍ୟାଦା ପାଇ ନଥିଲେ, ହୁଏତ ‘ଛତିଶଗଡ଼’ ପାଇଁ ଜଳ ବା ନଦୀ ଏତେ ଗୁରୁତ୍ୱପୂର୍ଣ ହୋଇ ପଡ଼ି ନଥାଆନ୍ତା। ପଛୁଆ ଅଞ୍ଚଳର ବିକାଶ ପାଇଁ ନୂଆ ରାଜ୍ୟ ଗଠନ ଯୋଗୁଁ ସେଠାକାର ନେତା ଓ ମନ୍ତ୍ରୀମାନେ ଜଳସଂପଦର ପରିଚାଳନା ଉପରେ ଯେଉଁ ବିଶେଷ ଦୃଷ୍ଟିନିକ୍ଷେପ କଲେ, ତାହାର ଫଳ ସ୍ୱରୂପ ଆଜି ଓଡ଼ିଶା ରାଜନୀତିରେ ଚିନ୍ତା ପ୍ରକାଶ ପାଇଛି। ହେଲେ ସମାଧାନର କୌଣସି ଖାସ୍‌ ପନ୍ଥା କାହା ପାଖରେ ନାହିଁ। ଆମେ ଏଠାରେ କିଛି ଖାସ୍‌ ସମାଧାନ ପନ୍ଥା ଉପସ୍ଥାପନ କରିଛୁ। ସେହି କ୍ରମରେ ନଜର ପକାଇବା ମହାନଦୀ ତଥା ହୀରାକୁଦ ବନ୍ଧର ଅତୀତ, ବର୍ତମାନ ଓ ଭବିଷ୍ୟତ ଉପରେ।

ମହାନଦୀ ଓଡ଼ିଶାର ବଡ଼ ନଦୀ। ସରକାରୀ ପାଠ୍ୟପୁସ୍ତକରେ ଏମିତି ଏକ ବାକ୍ୟ ଆମେ ପଢ଼ିଛୁ। କିନ୍ତୁ ପାଠ୍ୟପୁସ୍ତକ ପ୍ରଣେତାମାନେ ସମ୍ଭବତଃ ଆଦୌ ସଚେତନ ନଥିଲେ ଯେ ଓଡ଼ିଶାର ଗଂଜାମ ଜିଲ୍ଲାରେ ଏକ ନଦୀର ନାମ ‘ବଡ଼ନଦୀ’। ଯାହାକି ଋଷିକୂଲ୍ୟା ନଦୀର ମୁଖ୍ୟ ଉପନଦୀ। ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ବର୍ଷ ବର୍ଷ ଧରି ସେହି ବାକ୍ୟକୁ ପଢ଼ିପଢ଼ି କେମିତି ହଜମ କରିଥିବେ, କେମିତି ବୁଝିଥିବେ, ଥରେ ଚିନ୍ତା କରନ୍ତୁ ତ? ବଡ଼ ନଦୀ ଓ ବଡ଼ନଦୀ ମଧ୍ୟରେ ଲିଖନରେ ଯେଉଁ ମାମୁଲି ଫରକ ଅଛି, ତାକୁ କ’ଣ ଶିକ୍ଷକମାନେ ସହଜରେ ବୁଝାଇ ଦେଇଥିବେ? ଯାହାବି ହେଉ, ଏହା ବିଦ୍ୟାର୍ଥୀଙ୍କ ମଗଜକୁ ପ୍ରତାରିତ କରିବାର ଏକ ଉଦ୍ୟମ। ଏବେ ମହାନଦୀ ଆଉ ଏକ ବଡ଼ଧରଣର ନଦୀଜଳ ସଂକଟର ପ୍ରସଙ୍ଗ ହୋଇଯାଇଛି। ଓଡ଼ିଶାବାସୀଙ୍କୁ ଘାରିଛି ଯେ ହୀରାକୁଦ ବନ୍ଧ ହୋଇଛି, ମହାନଦୀ ଉପରେ; ଏହି ନଦୀର ବେଶି ପରିମାଣର ଜଳକୁ ଯଦି ଉପରମୁଣ୍ଡର ରାଜ୍ୟ ଛତିଶଗଡ଼ ଅଟକାଇ ରଖିନିଏ, ତେବେ ଓଡ଼ିଶା ଚଳିବ କେମିତି?

ଦେଶ ସ୍ୱାଧୀନ ହେବା ପୂର୍ବରୁ ସମ୍ବଲପୁର ସହର ପାଖରେ ହୀରାକୁଦ ବନ୍ଧ ପାଇଁ ପରିକଳ୍ପନା ହୋଇଥିଲା। ୧୫ ମାର୍ଚ ୧୯୪୬ରେ ତତ୍କାଳୀନ ଓଡ଼ିଶା ଗଭର୍ନର ସାର ହାଥୋର୍ନ ଲୁଇସ୍‌ ଏହାର ଶୁଭ ଦେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁ ପୁଣି ତାହାର କଂକ୍ରିଟ୍‌ ବନ୍ଧର ଶୁଭ ଦେଇଥିଲେ ୧୨ ଏପ୍ରିଲ୍‌ ୧୯୪୮ରେ। ୧୯୫୩ ବେଳକୁ ବନ୍ଧ କାମ ସରିଯାଇଥିଲେ ବି ୧୩ ଜାନୁଆରି ୧୯୫୭ରେ ପୁଣି ନେହରୁ ତହିଁର ଉଦ୍‌ଘାଟନ କରିଥିଲେ। ଏହି ବହୁମୁଖୀ ବନ୍ଧରୁ ଶକ୍ତି ଉତ୍ପାଦନ ଓ କ୍ଷେତକୁ ସେଚଜଳ ଯୋଗାଣ ପୂରା ଦମ୍‌ରେ ସମ୍ଭବ ହୋଇଥିଲା ୧୯୬୬ ମସିହାରେ। ଆଉ ସେବେଠୁ ଏହି ବନ୍ଧ ପାଲଟି ଯାଇଛି ଓଡ଼ିଶାର ଜୀବନରେଖା। ୭୪୩ ବର୍ଗ କିଲୋମିଟର ବିଶିଷ୍ଟ ବିଶାଳ ଜଳଭଣ୍ଡାରର ସେଚାଞ୍ଚଳ ହେଉଛି ୨୩୫୫ ବର୍ଗ କିଲୋମିଟର। ଏବେ ବାସ୍ତବରେ କେତେ ଅଞ୍ଚଳ ବା ଚାଷକ୍ଷେତ ସେଚିତ ହୋଇପାରୁଛି, ତାହାର ସମୀକ୍ଷା କରିବାର ଘୋର ଆବଶ୍ୟକତା ରହିଛି। ସବୁଠୁ ବଡ଼ କଥା ହେଉଛି, ଏଠାରୁ ଉତ୍ପାଦିତ ହେଉଥିବା ୩୪୭ ମେଗାୱାଟ୍‌ ବିଦ୍ୟୁତ୍‌। ଜଳ ସଂକଟ ରହିଲେ, ବିଦ୍ୟୁତ୍‌ ଉତ୍ପାଦନ କମିଯାଉଥିବାରୁ ଓଡ଼ିଶାରେ ବିଦ୍ୟୁତ୍‌ ସଂକଟ ମଧ୍ୟ ବଢ଼ିଯାଉଛି।

ଏହି ବହୁମୁଖୀ ବନ୍ଧ ପ୍ରକଳ୍ପର ଅନ୍ୟ ଅବଦାନଗୁଡ଼ିକ ହେଉଛି ବନ୍ୟା ନିୟନ୍ତ୍ରଣ, ମାଛ ଉତ୍ପାଦନ, ପାନୀୟ ଜଳଯୋଗାଣ ଓ ଶିଳ୍ପଗୁଡ଼ିକୁ ଜଳଯୋଗାଣ। କିନ୍ତୁ ବିଭିନ୍ନ କାରଣରୁ ହୀରାକୁଦ ବନ୍ଧ ଏହାର ମୂଳ ଉଦ୍ଦେଶ୍ୟ ‘‘ବନ୍ୟା ନିୟନ୍ତ୍ରଣ’’ରେ ଗୋଟାପଣେ ବିଫଳ ହୋଇଛି। ବରଂ ତଳ ମୁଣ୍ଡରେ ନିରନ୍ତର ଭାବରେ ନିୟମିତ ବ୍ୟବଧାନରେ ବନ୍ୟା ସୃଷ୍ଟି କରିବାରେ ମୁଣ୍ଡବିନ୍ଧା ପାଲଟିଛି ଏହି ହୀରାକୁଦ ବନ୍ଧ। ବନ୍ଧରୁ ପାଣି ନଛାଡ଼ିଲେ, ବନ୍ଧ ଭାଙ୍ଗିଯିବ। ତେଣୁ ବନ୍ଧର ସୁରକ୍ଷା ପାଇଁ ତଳମୁଣ୍ଡରେ ବନ୍ୟା କରାଇବା ଏକ ସରକାରୀ ବ୍ୟବସ୍ଥା ପାଲଟିଯାଇଥିଲା। ଏବେ ବିପୁଳ ପରିମାଣରେ ଜଳକୁ ବାନ୍ଧି ରଖିବା ବା ଅନ୍ୟ ଉଦ୍ଦେଶ୍ୟରେ ଗଚ୍ଛିତ ରଖିବା ଓ ଦିଗ ପରିବର୍ତନ କରିବାରେ ଛତିଶଗଡ଼ ସରକାର ସଫଳ ହୋଇଛି। ମହାନଦୀର ଉପରମୁଣ୍ଡରେ  ଥିବା ଛତିଶଗଡ଼ର ଉପନଦୀଗୁଡ଼ିକରେ ଓ ଖୋଦ୍ ମହାନଦୀ ଉପରେ ୩୦ରୁ ଅଧିକ ବିଭିନ୍ନ ପ୍ରକଳ୍ପ ସଂପୂର୍ଣ ହୋଇ କାର୍ଯ୍ୟକ୍ଷମ ରହିଛି। ସେଥିରେ ଅଛି ଆଡ଼ିବନ୍ଧ, ଡାଇଭର୍ସନୱେର, ବ୍ୟାରେଜ୍‌, ବନ୍ଧ, ଇନ୍‌ଟେକ୍‌ୱେଲ୍‌ ଆଦି ଭଳିକି ଭଳି ଜଳ ସଂଚୟ ଓ ଜଳ ପରିଚାଳନା ପ୍ରକଳ୍ପ। ତେବେ ସେଗୁଡ଼ିକ କୃଷିକ୍ଷେତର ସେଚନ ଅପେକ୍ଷା ଶିଳ୍ପ ପ୍ରତିଷ୍ଠାନକୁ ଜଳଯୋଗାଣ ଉଦ୍ଦେଶ୍ୟରେ ନିର୍ମିତ ହୋଇଛି। ଓଡ଼ିଶା ଅପେକ୍ଷା ଛତିଶଗଡ଼ର ସାଧାରଣ ନାଗରିକଙ୍କର ସ୍ୱର ଅତି ଦୁର୍ବଳ ହୋଇଥିବାରୁ ସେମାନେ କୃଷିକ୍ଷେତ ସେଚନ ଉପରେ ଦାବି କରି ପାରୁ ନାହାନ୍ତି। ଏଣେ ଓଡ଼ିଶାର ବିଭାଗୀୟ ପ୍ରଶାସକ ଓ ମନ୍ତ୍ରୀମାନଙ୍କ ଚରମ ଅବହେଳା ଯୋଗୁ ଖରାଦିନେ ମହାନଦୀ ଶଯ୍ୟା ଶୁଖିଲା ପଡ଼ୁଛି।

ତେବେ ବଡ଼ କଥାଟି ହେଉଛି ଛତିଶଗଡ଼ର ଯେଉଁ ମନ୍ତ୍ରୀ ଓଡ଼ିଶା ଇତିହାସରେ ଗୁରୁତ୍ୱପୂର୍ଣ ହୋଇପଡ଼ିଛନ୍ତି, ସେ ନିଜେ ହିଁ ନିଜ ବକ୍ତବ୍ୟରେ ସମାଧାନର ସୁରାକ ଛାଡ଼ିଛନ୍ତି। ସେ କହିଥିଲେ ଯେ ‘‘ମହାନଦୀ କେ ସାରେ ପାନି ସମୁନ୍ଦର ମେ ଚଲା ଜାତା ହୈ’’। ଏହାକୁ ଓଡ଼ିଶାରୁ ହାଉହାଉ ହେଉଥିବା ନେତାମାନେ ବୁଝିବାକୁ ଚାହୁନାହାନ୍ତି। ଏବେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ନିର୍ଦେଶ କ୍ରମେ ଛତିଶଗଡ଼ରେ ମହାନଦୀ ଅବବାହିକାରେ ହେଉଥିବା ନୂଆ ପ୍ରକଳ୍ପଗୁଡ଼ିକର ନିର୍ମାଣ ବନ୍ଦ ରହିଛି। ଏହା ସମେତ ସମାଧାନର ପନ୍ଥା ଥିଲେ ସୁଦ୍ଧା ଓଡ଼ିଶାର ଶାସକଦଳ ଏହାକୁ ଆଳ କରି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ରଣନୀତି ଧାର୍ଯ୍ୟ କରିଥିବାରୁ ଜଳବିବାଦର ସମାଧାନ ଶୀଘ୍ର ହୋଇଯାଉ ବୋଲି ଚାହୁ ନାହିଁ। କାରଣ ଓଡ଼ିଶା ସରକାରଙ୍କର ବା ଶାସକଦଳର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଏବେ ବି କୌଣସି ୱେବ୍‌ସାଇଟ୍‌ରେ ନାହିଁ। ଏପରିକି ସୋସିଆଲ ମିଡ଼ିଆରେ ସକ୍ରିୟ ହେବାର କଥା ଦେଉଥିବା ଓଡ଼ିଶା ସରକାର ତଥା ଶାସକ ଦଳ କୌଣସି ଆଭିମୁଖ୍ୟ ପ୍ରକଟ କରୁ ନାହିଁ। ସବୁ ପାଣି ସମୁଦ୍ରକୁ ନଯାଇ କିଭଳି ସଂଚିତ, ଗଚ୍ଛିତ ଓ ପରିଚାଳିତ ହୋଇ ସ୍ଥଳଭାଗରେ ରହିପାରିବ, ତାହା ଉପରେ ଓଡ଼ିଶା ସରକାରଙ୍କର କୌଣସି ଯୋଜନା ନାହିଁ। ତେଣୁ ମହାନଦୀ ଉପରେ କୌଣସି ଇଂଜିନିୟରିଂ ନିର୍ମାଣ କାର୍ଯ୍ୟ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣେ ୨୦୦୬ ମସିହାରୁ ୨୦୧୭ ମସିହା ମଧ୍ୟରେ ଏତେ ପରିମାଣରେ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ସରକାର କରିଛି ଯେ ଓଡ଼ିଶାର ସଂପୃକ୍ତ ବିଭାଗର ପାରିଲାପଣିଆ ଓ ସଫଳତା କଥା ଭାବିଲା ‌ବେଳକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଲଜ୍ଜା ଲାଗୁଛି। ଗତ ୧୮ ବର୍ଷ ମଧ୍ୟରେ ନବୀନ ସରକାର କିଛି ହେଲେ ଆଖିଦୃଶିଆ କାର୍ଯ୍ୟ ମହାନଦୀ ଉପରେ କରି ନାହିଁ।

ଯଦି ମହାନଦୀ ହେଉଛି, ଓଡ଼ିଶାର ଜୀବନ ରେଖା; ତେବେ ଏହାର ୮୦ ଭାଗ ଜଳ କାହିଁକି ସମୁଦ୍ରକୁ ବହିଯାଉଛି? ଏ ପ୍ରଶ୍ନକୁ ବୁଝିବାକୁ ଅନେକ ଚିନ୍ତାଶୀଳ ଓଡ଼ିଆଙ୍କର ମଗଜ ନାହିଁ। ତେଣୁ ମନ୍ତ୍ରୀ (ନିଜେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ଜଳସଂପଦ ବିଭାଗ ନିଜ ହାତରେ) ଓ ପ୍ରଶାସକ ମଧ୍ୟ ଏ ପ୍ରସଙ୍ଗରେ ନିରବ। ବଡ଼ ସମସ୍ୟାଟି ହେଉଛି ମହାନଦୀ ଶଯ୍ୟା ପୋତି ହୋଇପଡ଼ିଲାଣି। ତେଣୁ ହୀରାକୁଦ ବନ୍ଧର ୧୫ଟି କବାଟ ଯଦି ବର୍ଷାଋତୁରେ ଖୋଲିଦିଆଯାଉଛି, ତାହା ବି ତଳମୁଣ୍ଡରେ ବନ୍ୟାର କାରଣ ପାଲଟିଯାଉଛି। ନଦୀ ଶଯ୍ୟାକୁ ଜଳପ୍ରବାହ ପାଇଁ ମୁକ୍ତ ରଖିବା ପାଇଁ ବିଭାଗ ବା ସରକାର ଆଦୌ ଚିନ୍ତା ବି କରି ନାହାନ୍ତି। ନଦୀଶଯ୍ୟାରୁ ବାଲି ସଫା କରିବା ପାଇଁ ବିବିଧ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇ ସ୍ଥଳଭାଗରେ ଥିବା ହଜାରହଜାର ଏକରର ଖାଲଜାଗାକୁ ପୋତାଯାଇପାରନ୍ତା। ୨୦୦୯-୧୦ରେ ଭାରତର ପଡ଼ୋଶୀ ଦେଶ ମାଲଡିଭିସ୍‌ (ମାଳ ଦ୍ୱୀପ) ଆମ ଓଡ଼ିଶାକୁ ବାଲି ମାଗୁଥିଲା। ସେଠାରେ ସମୁଦ୍ର ଜୁଆର ପ୍ରକୋପରେ ସ୍ଥଳ ଭାଗ କ୍ଷତିଗ୍ରସ୍ତ ହେଉଥିବାରୁ, ତାହାକୁ ପୋତିବା ପାଇଁ ବାଲି କିଣିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଓଡ଼ିଶା ସରକାର ସେହି ପ୍ରସ୍ତାବକୁ ଆଦୌ ବୁଝି ପାରିଲେ ନାହିଁ।

ଶ୍ରୀମଦ୍‌ଭଗବତ ଗୀତା ଜ୍ଞାନ ଅନୁସାରେ ଯାହା ହେଉଛି ଭଲ ହେଉଛି, ଯାହା ହେବ ତାହା ମଧ୍ୟ ଭଲ ହେବ...। ଏହାକୁ କିପରି ଭରସାକୁ ନିଆଯାଇପାରିବ? କ’ଣ ଦମ୍‌ ଅଛି ଏଭଳି ପୁରାଣ କଥାରେ, ଆଜିକାଲିର ରାଜନୀତିର ପାଉଆ ଯୁଗରେ? ତଳ ବିନ୍ଦୁଗୁଡ଼ିକୁ ଧ୍ୟାନ ଦେଲେ ଆମେ ବୁଝି ପାରିବା:-

(୧) ମହାନଦୀ ଉପରମୁଣ୍ଡରେ ସବୁ ଜଳକୁ ଛତିଶଗଡ଼ ଅଟକାଇ ଦେଇ ଓଡ଼ିଶା ପାଇଁ ଏକ ସଂକଟ ସୃଷ୍ଟି କରିଛି ବୋଲି ଆମ ଭିତରେ ଭୂତ ପୂରାଯାଊଛି। ଆଉ ଏଥିରେ ସାମିଲ ହୋଇଛନ୍ତି ନିର୍ଦିଷ୍ଟ ଭାବେ ବିଜୁ ଜନତା ଦଳର କିଛି ରାଜନେତା। ପ୍ରଥମେ ଏହି ଭୂତକୁ ନିଜ ମୁଣ୍ଡରୁ ବାହାର କରି ଆଧ୍ୟାତ୍ମିକ ଚେତନାର ବଶବର୍ତୀ ହେବାକୁ ପଡ଼ିବ।

(୨) ମଧ୍ୟପ୍ରଦେଶ ରାଜ୍ୟରେ ଏକ ଅବହେଳିତ ଅଞ୍ଚଳ ହୋଇ ରହିଥିବା ବେଳେ ଓଡ଼ିଶା ସୀମାରେ ମହାନଦୀ ଜଳର ପରିଚାଳନା ପାଇଁ ହୀରାକୁଦ ବନ୍ଧର ପରିକଳ୍ପନାକୁ ସାକାର କରାଯାଇଥିଲା। କିନ୍ତୁ ସମୟଚକ୍ରରେ ବିକାଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପୁନର୍ଗଠନ କରିବାକୁ ଯାଇ ଛତିଶଗଡ଼ ସୃଷ୍ଟି ହେଲା ୧ ନଭେମ୍ବର ୨୦୦୦ ମସିହାରେ। ଜଳ, ଜମି, ଜଙ୍ଗଲ ଓ ଜନତାଙ୍କୁ ବାଦ୍‌ କରି ବିକାଶର ସ୍ୱପ୍ନ ଦେଖାଯାଇ ନପାରେ। ତେଣୁ ମହାନଦୀ ଉପରମୁଣ୍ଡ ଅବବାହିକାର ଜଳକୁ ଅଟକାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ଛତିଶଗଡ଼ ପାଖରେ। ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ, ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ।

(୩) ହୀରାକୁଦ ବନ୍ଧ ଜଳଭଣ୍ଡାରର ୨୭ ଭାଗ କେବଳ ବାଲି ଓ କାଦୁଅରେ ପୋତିହୋଇପଡ଼ିଛି। ତେଣୁ ଜଳର ଯେଉଁ ଉଚ୍ଚତା କୁହାଯାଉଛି, ତାହା ଏକ ପ୍ରତାରଣା। ସେହି ବାଲି ଓ କାଦୁଅକୁ କିଭଳି କଢ଼ାଯାଇପାରିବ, ତାହା ଉପରେ ଓଡ଼ିଶାର ବିଭାଗୀୟ ପଣ୍ଡିତ ଓ ରାଜନେତାମାନେ କ’ଣ ଚିନ୍ତା କରିଛନ୍ତି? ଯଦି କରି ନାହାନ୍ତି, ତେବେ ଛତିଶଗଡ଼ର ଡଜନ ଡଜନ ପ୍ରକଳ୍ପ ହିଁ ଏ କ୍ଷେତ୍ରରେ ଏକ ଆଶ୍ୱାସନା ହୋଇପାରିବ। ମାର୍ଚ, ଏପ୍ରିଲ୍‌ ଓ ମେ ୩ ମାସ କିଭଳି ରାତିରେ କାମ କରି ଏହି ବିଶାଳ ଜଳଭଣ୍ଡାରର ରକ୍ଷଣାବେକ୍ଷଣ କରାଯାଇପାରିବ, ତାହା ଉପରେ ଚିନ୍ତା କରିପାରିବାର ସମ୍ଭାବନା ସୃଷ୍ଟି ହୋଇଛି।

(୪) ଏ କଥା ସତ ଯେ ଛତିଶଗଡ଼ର ଜଳଯାତନାର ସକାରାତ୍ମକ ଦିଗଟି ହେଉଛି, ଓଡ଼ିଶାର ମହାନଦୀ ତଳମୁଣ୍ଡରେ ଆଉ ଘୋଷିତ ବନ୍ୟା ସୃଷ୍ଟି ହେବ ନାହିଁ। ମୁଖ୍ୟତଃ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ଆଉ ମହାନଦୀ କାରଣରୁ ବନ୍ୟା ହେବ ନାହିଁ। ଏହି ବନ୍ୟା ପାଇଁ ଯେଉଁ ଦୁର୍ନୀତି, କିଳାପୋତେଇ ହେଉଥିଲା, ତାହା ଆଉ ହେବ ନାହିଁ। ବିଶେଷତଃ ବନ୍ୟା ଜଡ଼ିତ ପ୍ରାକ୍‌ପ୍ରସ୍ତୁତି କ୍ରମରେ ବାଲିବସ୍ତା ଜମା କରିବାର ନାଟକବାଜିରୁ ଆଉ ଜଳନିଷ୍କାସନ (ଜଳସଂପଦ) ବିଭାଗର ଅଧିକାରୀମାନେ ପକେଟ ଗରମ କରିପାରିବେ ନାହିଁ। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ନାମରେ ମଧ୍ୟ କୋଟିକୋଟିର ଜାଲିଆତି ହୋଇପାରିବ ନାହିଁ କି ହେବାର ଆବଶ୍ୟକତା ପଡ଼ିବ ନାହିଁ।

(୫) ପୋତି ହୋଇ ପଡ଼ିଥିବା ମହାନଦୀ ଶଯ୍ୟାରୁ  ବାଲି ସଫା କରିବା ପ୍ରକଳ୍ପ ଦ୍ୱାରା ରାଜ୍ୟର ହଜାର ହଜାର ଶ୍ରମିକ ଓ ମଧ୍ୟବିତ୍ତ ପରିବାରଙ୍କୁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ମହାତ୍ମା ଗାନ୍ଧୀ ନରେଗା ସ୍କିମ୍‌ର ଦୁର୍ନୀତି ବଳରେ ରାଜ୍ୟରେ ଠୁଳ ହୋଇଥିବା ଶହଶହ ଆର୍ଥମୋଭର ମେସିନ୍‌ଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ଲଗାଯାଇପାରିବ। ଏପରିକି ଖଣି ବନ୍ଦ ଯୋଗୁ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ହଜାର ହଜାର ଟ୍ରକ୍‌ ଓ ଟ୍ରକ୍‌ ଜାତୀୟ ମାଲବାହୀ ଯାନଗୁଡ଼ିକ ପାଇଁ କାମ ଯୋଗାଡ଼ ହୋଇ ପାରିବ।

(୬) ମହାନଦୀ ଶଯ୍ୟାରୁ ବାଲିଗୁଡ଼ାକୁ ଉଠାଇ ଦେବା ଦ୍ୱାରା ଯେଉଁ ଖାଲ ସୃଷ୍ଟି ହେବ ତାହା କ’ଣ ହେବ? ସେଇଠି ଜଳ ମହଜୁଦ ରଖାଯିବ ଏବଂ ଏକ ସମନ୍ୱିତ ଯୋଜନା ବଳରେ ନଦୀର ଅଧିକରୁ ଅଧିକ ଜଳକୁ ସମୁଦ୍ରକୁ ବହିଯିବାରୁ ବାରଣ କରାଯିବ। ଏକାଧିକ ବ୍ୟାରେଜ୍‌ କରାଯିବାର ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ସାକାର କରିବାର ସହଜ ଉପାୟ ସମ୍ଭବ ହୋଇପାରିବ।

(୭) ବ୍ୟାପକ ପରିମାଣର ଯେଉଁ ବାଲି ଓ କାଦୁଅ ବାହାରିବ ନଦୀ ଶଯ୍ୟାରୁ ତାହା ସତରେ କ’ଣ କେଉଁଠି କାମରେ ଲାଗିପାରିବ? ତାହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରାଯାଇପାରିବ। ବିଭିନ୍ନ ନିର୍ମାଣ କାମ ପାଇଁ ଦଲାଲଙ୍କ ଠାରୁ ବାଲି ସଂଗ୍ରହ ନକରି ସେହି ସଂଗୃହିତ ବାଲି ଚାଲାଣ ପାଇଁ ‘‘ଯୋଗାଣ ଜଂଜିର’’ ବିକଶିତ କରିବାକୁ ହେବ। ରାଜ୍ୟର ପଥରଖାଦାନ ଓ ଅନ୍ୟାନ୍ୟ କାରଣରୁ ଖାଲୁଆ ଥିବା ସ୍ଥାନଗୁଡ଼ିକୁ ଓ ଘାଇଗୁଡ଼ିକୁ ପୋତିବାରେ ତଥା ନଦୀର ଦୁଇ କୂଳେ ମାଳବନ୍ଧ ନିର୍ମାଣରେ ସେଇ ବାଲିକୁ ବ୍ୟବହାର କରାଯାଇପାରିବ। ସମସ୍ତଙ୍କୁ ପକ୍କାଘର ଯୋଗାଣର ସ୍ୱପ୍ନ ପୂରଣରେ ସେହି ବାଲି ସହାୟକ ହେବ। ବିଶେଷତଃ ବିପର୍ଯ୍ୟୟ ପ୍ରବଣ ୮ଟି ଜିଲ୍ଲାରେ ସୁଲଭ ମୂଲ୍ୟରେ ବାଲି ଓ ଅନ୍ୟ ନିର୍ମାଣ ସାମଗ୍ରୀ କାଳେ କାଳେ ଜରୁରୀ। ସେହି ଜିଲ୍ଲାଗୁଡ଼ିକ ହେଉଛି:- ଗଂଜାମ, ଖୋର୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।

(୮) ମହାନଦୀର ସମଗ୍ର ଶଯ୍ୟା କେବଳ ଜଳ ସଂଚୟ ପାଇଁ ବ୍ୟବହାର ହେବ । ମହାନଦୀକୂଳିଆ କୌଣସି ଗାଆଁରେ ପେୟ ଜଳ ବା ସେଚ ଜଳ ସଂକଟ ଯେପରି ରହିବ ନାହିଁ, ତାହା ପ୍ରତି ଧ୍ୟାନ ଦେଇ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ।

(୯) ତେବେ ଏ କଥା ସୁନିଶ୍ଚିତ କରିବାକୁ ହେବ ଯେ ଛତିଶଗଡ଼ ସରକାର ଆଉ କୌଣସି ନୂଆ ପ୍ରକଳ୍ପ କରିବେ ନାହିଁ କି କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବେ ନାହିଁ।

(୧୦) ମାତ୍ର ୧୦ ବର୍ଷ ମଧ୍ୟରେ ପ୍ରାୟ ତିନି ଡଜନ ଜଳଭଣ୍ଡାରଣ ଓ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ଜଳସଂପଦ ବିଭାଗ ଯେଭଳି କାର୍ଯ୍ୟକ୍ଷମ କରିପାରିଲା, ସେହିଭଳି ଓଡ଼ିଶାର ଜଳସଂପଦ ବିଭାଗ ମଧ୍ୟ ଉପରୋକ୍ତ ପରିକଳ୍ପନାଗୁଡ଼ିକୁ ସାକାର କରିବାକୁ ହେବ। ଓଡ଼ିଶାରେ ବହୁସଂଖ୍ୟକ ଜଳସଂପଦ ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଲିଛି ଯେ ଚାଲିଛି। ସରିବାର ନାମ ନାହିଁ। ୟା ତା ଉପରେ ଦୋଷ ନଲଦି ତାହାର ଉତ୍ତରଦାୟୀ ଅଧିକାରୀ/ ଯନ୍ତ୍ରୀମାନେ ଭୁଲ୍‌ ସ୍ୱୀକାର କରିବା ସହ ରେକଡ଼ିଂ ହେଉଥିବା ଭିଡ଼ିଓ କ୍ୟାମେରା ସାମ୍ନାରେ ସର୍ବସାଧାରଣରେ କାନ ଧରି ବସ୍‌ଉଠ୍‌ ହେବା ଜରୁରୀ। ସେଇ ନିର୍ଲଜ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଛତିଶଗଡ଼ରେ ପ୍ରଶିକ୍ଷଣ ଦେବା ଦରକାର। ଅବଶ୍ୟ ସେଚ ପ୍ରକଳ୍ପର ସବୁଠୁ କଷ୍ଟକର କାର୍ଯ୍ୟଟି ହେଉଛି - କେନାଲ ବ୍ୟବସ୍ଥା ସୁନିଶ୍ଚିତ କରିବା। ଯାହାକି ଛତିଶଗଡ଼ ଜଳସଂପଦ ବିଭାଗ ମଧ୍ୟ ସଫଳତାର ସହ ସାରି ନାହିଁ। ହେଲେ ଜଳଭଣ୍ଡାରଣ ବ୍ୟବସ୍ଥାକୁ ସଫଳ କରିଛି। ଅନ୍ତତଃ ଓଡ଼ିଶାର ଯନ୍ତ୍ରୀ/ଅଧିକାରୀମାନେ ସେତିକି କରିପାରିଲେ, ଅବଶିଷ୍ଟ ଉଦ୍ଦେଶ୍ୟ ସବୁକୁ ଉଠା ସେଚନ ବା ବିଶାଳ ପମ୍ପ୍‌-ପାଇପ୍‌ ବ୍ୟବସ୍ଥା ଜରିଆରେ ସମ୍ଭବ କରାଯାଇପାରିବ।

ମୁଦ୍ରଣ ଗଣମାଧ୍ୟମମାନେ ଏହି ପ୍ରବନ୍ଧ ଓ ପ୍ରସ୍ତାବକୁ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ସହଯୋଗ କରିବାକୁ ନିବେଦନ।

ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

20 अप्रैल 2017

IRCTC ଟିକେଟିଂରେ ତଥାପି ଶୁଳ୍କ ଲାଗୁଛି

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ର କେନ୍ଦ୍ର ବଜେଟ୍‌ରେ ରେଳବାଇ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ଆପଣ ଜାଣନ୍ତି। ତାହା ହେଉଛି ଅନ୍‌ଲାଇନ୍ ଟିକେଟ୍‌ ବୁକିଂ (ସ୍ପଷ୍ଟ ଭାଷାରେ ହେଲା IRCTC.co.inରେ ଟିକେଟ ବୁକିଂ) କଲେ, ଆଉ ଅତିରିକ୍ତ ଟିକସ ଦେବାକୁ ପଡ଼ିବ ନାହିଁ। ଏହି ଅତିରିକ୍ତ ଟିକସ ଦୁଇ ପ୍ରକାର ଥିଲା। ୧. ପ୍ରତିଟି ଅନ୍‌ଲାଇନ୍‌ ପୈଠ ପାଇଁ ବ୍ୟାଙ୍କ୍‌ ୧୦ ଟଙ୍କା କାଟି ନେଉଥିଲା ଏବଂ ୨. ପ୍ରତିଟି ବୁକିଂ ପାଇଁ ଆଇଆର୍‌ସିଟିସି ୧୧ଟଙ୍କା ୫୦ ପଇସା ସେହି ଟିକେଟ୍ ଦାମ୍‌ ସାଙ୍ଗରେ କାଟିକି ନେଇଯାଉଥିଲା।

ଡିଜିଟାଲ ପୈଠ ବା ଅଣନଗଦ(cashless) ପୈଠ ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ବଜେଟ୍‌ ନୀତିରେ ସାମିଲ ହେଲା। କିନ୍ତୁ ଏବେ କେବଳ ବ୍ୟାଙ୍କ୍‌ବାଲା ୧୦ ଟଙ୍କା ନେଉ ନାହାନ୍ତି। କିନ୍ତୁ ଆଇଆର୍‌ସିଟିସି ଦିନକ ପରେ କାଟି ନେଉଛି ୧୧ଟଙ୍କା ୫୦ ପଇସା। ପୂର୍ବରୁ ଏମିତି ଥିଲା ଯେ ବ୍ୟାଙ୍କ୍‌ ନେଉଥିବା ୧୦ଟଙ୍କାଟା ଟିକଟ କାଟିବାର ଦିନକରୁ ତିନିଦିନ ମଧ୍ୟରେ କଟୁଥିଲା, ଯାହାକି ଟିକଟ କଟା ବିଲ୍‌ ସାଙ୍ଗରେ ବାହାରୁ ନଥିଲା। ଏବେ ସେମିତି ୧୧ଟଙ୍କା ୫୦ ପଇସା କଟୁଛି, ଟିକଟ କାଟିବାର ଦିନକ ପରେ। ଅର୍ଥାତ୍‌ ଆପଣ ଯଦି ୬୧୫ଟଙ୍କାର ଟିକଟ କରିଛନ୍ତି ଏବଂ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସେତିକି ଟଙ୍କା କଟିଛି ବୋଲି ଖୁସି ହୋଇଯିବେ। ହେଲେ ଦିନକ ପରେ କଟିଯିବ ଆହୁରି ୧୧ଟଙ୍କା ୫୦ ପଇସା। ଯଦି ବିଭିନ୍ନ ସ୍ଥାନକୁ ନିୟମିତ ରେଳଯାତ୍ରା କରୁଥିବା ଜଣେ ବ୍ୟକ୍ତି ମାସକୁ ୨୦ଥର ଅନ୍‌ଲାଇନ୍‌ ବୁକିଂ କରିବେ, ତେବେ ସେ କେବଳ ଆଇଆର୍‌ସିଟିସିକୁ ଗଣିବେ ୨୩୦ ଟଙ୍କା। ଏହା ସରକାରୀ ଶୋଷଣର ଏକ ନୂଆ ତରିକା।

ଅନ୍‌ଲାଇନ୍ ଟିକେଟିଂର ସୁବିଧା ହେଲା - ହଜାର ହଜାର ବୁକିଂ-କିରାଣୀକୁ ପୋଷିବାକୁ ପଡ଼ିବନି। ବୁକିଂ କାଉଣ୍ଟର ନାମରେ ବିଶାଳ କୋଠାର ଆବଶ୍ୟକତା ନାହିଁ। ତେଣୁ ଅତିରିକ୍ତ ଟିକସ ନବସାଇ, ମୂଳ ଦରରେ ଟିକଟ ବିକିବା ଦ୍ୱାରା ଅଫ୍‌ଲାଇନ୍‌ ବା କାଉଣ୍ଟର ବୁକିଂ ଉପରୁ ଚାପ କମିଯିବ। ଏହା ସହ ସରକାରଙ୍କ ରାଜସ୍ୱ ବଢ଼ିବ। କିନ୍ତୁ ସରକାର ଦୁଇ ନାବରେ ଗୋଡ଼ ଦେଇକି ଜନତାଙ୍କୁ କାହିଁକି ଭୂତେଇବାକୁ ନିଷ୍ପତ୍ତି ନେଲେ ତାହା ମୁଁ ବୁଝିପାରୁ ନାହିଁ। ଆପଣ କ’ଣ ବୁଝୁଛନ୍ତି? ଟିକେ କୁହନ୍ତୁ।


ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

25 फ़रवरी 2017

ଆମର ମାଗଣାଖିଆ ଅଭ୍ୟାସ !

ଜଣେ ଅନ୍ଧ ଭିକାରୀ ଭିକ୍ଷା ମାଗି ମାଗି ରାଜାଙ୍କ ଦରବାରରେ ପହଞ୍ଚିଗଲା। ରାଜାଙ୍କର ତା ଉପରେ ଦୟା ଆସିଲା, ରାଜା ପ୍ରଧାନମନ୍ତ୍ରୀକୁ କହିଲେ - "ଏହି ଭିକାରୀଟି ଜନ୍ମାନ୍ଧ ନୁହେଁ। ଇଏ ଠିକ୍‌ ହୋଇପାରିବ, ୟାକୁ ରାଜବୈଦ୍ୟ ପାଖକୁ ନେଇଚାଲ।" (ଦୁହେଁ ତାକୁ ଧରିକରି ନେଇଗଲେ।) 

ସନ୍ଥକବି ଭୀମଭୋଇ*
ବାଟରେ ରାଜାଙ୍କୁ ମନ୍ତ୍ରୀ କହିଲେ "ମହାରାଜ ଆପଣଙ୍କୁ ଏକାନ୍ତରେ ମୁଁ କିଛି କହିବାକୁ ଚାହୁଁଛି।" ଦୁହେଁ ଭିକାରୀକୁ ସେହିଠାରେ ବସାଇ ଟିକେ ଦୂରକୁ ଗଲେ। ମନ୍ତ୍ରୀ କହିଲେ "ହେ ମହାରାଜ ଏ ଭିକାରୀଟିର ଶରୀର ସୁସ୍ଥ ସବଳ, ଯଦି ଏହାର ଆଖିରେ ଜ୍ୟୋତି ଫେରି ଆସିବ, ତେବେ ୟାକୁ ଆପଣଙ୍କର ସବୁ ଭ୍ରଷ୍ଟାଚାର ଦେଖାଯିବ। ଆପଣଙ୍କର ସମସ୍ତ ଥାଟପାଟ ଆଉ ବଦଖର୍ଚ୍ଚ ଦେଖାଯିବ। ଆପଣଙ୍କର ରାଜମହଲର ବିଳାସବ୍ୟସନ ଆଉ ଆପଣଙ୍କ ରାଣୀହଂସପୁରର ଚାକଚକ୍ୟ ପାଇଁ ହେଉଥିବା ଖର୍ଚ୍ଚ ବି ଦେଖାଯିବ।"
 
ୟାକୁ ଆହୁରି ମଧ୍ୟ ଦେଖାଯିବ ଯେ ପ୍ରଜାମାନେ କେମିତି ଭୋକଉପାସରେ ଡହଳବିକଳ ହେଉଛନ୍ତି। ମରୁଡି ହୋଇଥିବାରୁ ଫସଲ ଉତ୍ପାଦନ ଭଲ ହୋଇନାହିଁ । ଆପଣଙ୍କ ସୈନିକମାନେ କେମିତି ଜୋର ଜବରଦସ୍ତ ଚାରିଗୁଣା ଖଜଣା ଆଦାୟ କରୁଛନ୍ତି; ରାଜମହଲର ଖର୍ଚ୍ଚ ବୃଦ୍ଧି କାରଣରୁ ରାଜକୋଷ ଶୂନ୍ୟ ହେଇଯାଉଛି; ଯାହାର ଭରଣା ଆମେ ସେନା ଆଉ କର୍ମଚାରୀଙ୍କ ଦରମାରୁ କାଟି କରୁଛେ, ଯଦ୍ଦ୍ୱାରା ହଜାର ହଜାର ସୈନିକ ଓ କର୍ମଚାରୀ ବେରୋଜଗାର ହୋଇଛନ୍ତି ।

ଏହାର ଆଖି ଠିକ୍‍ ହେଇଗଲା ପରେ ଏ ଭିକାରୀଟି ସମସ୍ତଙ୍କ ପରି ରୋଜଗାର ମାଗିବ, ଆଉ ଆପଣଙ୍କର ବିରୋଧୀ ହୋଇଯିବ। ମୋ’ କଥା ମାନନ୍ତୁ, ଇଏ ତ ଆପଣଙ୍କୁ କେବଳ ଦୁଇ ଓଳି ଖାଦ୍ୟ ହିଁ ମାଗୁଛି। ତାକୁ ଆପଣ ରାଜମହଲରେ ବସାଇ ମାଗଣାରେ ସକାଳେ ଆଉ ସନ୍ଧ୍ୟାରେ ଖାଲି ଖାଇବାର ବନ୍ଦୋବସ୍ତ କରିଦିଅନ୍ତୁ, ଆଉ ଦିନସାରା ବୁଲିବାକୁ ଛାଡି ଦିଅନ୍ତୁ।  ଇଏ ରାଜ୍ୟସାରା ବୁଲିବୁଲି ଆପଣଙ୍କର ଗୁଣଗାନ କରିବ - ରାଜା ବହୁତ ନ୍ୟାୟବନ୍ତ, ବହୁତ ଦୟାବାନ, ପରୋପକାରୀ ଇତ୍ୟାଦି ଇତ୍ୟାଦି। ଏମିତି ସେ ମାଗଣାରେ ଖାଇଲେ ଆପଣଙ୍କ ପ୍ରତି ବିପଦଟା ଟଳିଯିବ, ଆଉ ଆପଣ ଲମ୍ବା ସମୟ ଧରି ଶାସନ ଗାଦିରେ ରହିପାରିବେ ।"

ରାଜାଙ୍କ ମନକୁ ମନ୍ତ୍ରୀଙ୍କ କଥା ଛୁଇଁଲା, ସେମାନେ ଅନ୍ଧପାଖକୁ ଆସିଲେ ଆଉ ଦୁହେଁ ତାକୁ ଉଠେଇକି ରାଜମହଲକୁ ନେଇଆସିଲେ । ବର୍ତ୍ତମାନ ଅନ୍ଧଟି ରାଜ୍ୟସାରା ବୁଲିବୁଲି
ରାଜାଙ୍କର ଗୁଣଗାନ କରୁଛି। ହେଲେ ତାକୁ ଜଣାନାହିଁ ଯେ ରାଜା ତା’ ସହ କେତେବଡ ଧୂର୍ତ୍ତତା କରିଛନ୍ତି, ଛଳନା କରିଛନ୍ତି। ସେ ଠିକ୍ ହୋଇ ସ୍ୱୟଂ ରୋଜଗାର କରି ନିଜ ଆଖିରେ ସଂସାରର ଆନନ୍ଦ ଅନୁଭବ କରି ପାରିଥାନ୍ତା । ଏହି ଅବସ୍ଥା ବର୍ତ୍ତମାନ ଆମ ରାଜ୍ୟ ସରକାର କରୁଛନ୍ତି, ଆମକୁ ମାଗଣାରେ, ଶସ୍ତାରେ ଖାଦ୍ୟ ଦେଇ କର୍ମକୁଢି କରୁଛନ୍ତି; ହେଲେ ଆମ ଆଖିର ଜ୍ୟୋତି (ଉଚିତ ଶିକ୍ଷା ଓ ରୋଜଗାର) ଦେଉ ନାହାନ୍ତି। କାରଣ ଆଖିର ଜ୍ୟୋତି ପାଇଗଲେ,  ଆମେ ଜନତା ଦେଖି ପାରିବା ସରକାରର ଭ୍ରଷ୍ଟାଚାର, ନେତା ଓ ମନ୍ତ୍ରୀଙ୍କର ଦୁର୍ନୀତି, ଲାଞ୍ଚ, ଚୋରି, ଅର୍ଥ ହଡପ ଆଉ ଗୁଣ୍ଡାଗିରି, ସରକାରୀ କଳର ଶୋଷଣ ଆଉ ଗରିବ ଉପରେ ଅନ୍ୟାୟ, ଅତ୍ୟାଚାର । ଏବଂ ଆମେ ସେ ଅନ୍ଧ ପରି ତାଙ୍କର ଗୁଣଗାନ କରିବୁଲୁଛେ  ଯେ ସରକାର ଆମକୁ ମାଗଣାରେ ଚାଉଳ ଦେଲେ, ସାଇକେଲ ଦେଲେ, ଛତା, ଚପଲ, କମ୍ବଳ ଦେଲେ, ଲାପ୍‍ଟପ୍ ଦେଲେ, ଅଣ୍ଡା ଦେଲେ ।

ଆମେ ଏକଥା ଚିନ୍ତା କରନ୍ତେ ନାହିଁ, ଯଦି ଆମକୁ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସରକାର ଦିଅନ୍ତେ ତେବେ ତାଙ୍କର ମାଗଣା ଖୈରାତ ଆବଶ୍ୟକ ହୁଅନ୍ତା ନାହିଁ। ଆମେ ସ୍ଵତଃ ଏସବୁ କିଣି ପାରନ୍ତେ। ନିଜକୁ ଯୋଗ୍ୟ ବୋଲି ଗର୍ବ ଅନୁଭବ କରନ୍ତେ। ହେଲେ କ’ଣ ହେବ ଆମେ ତ ଅନ୍ଧ ! କେବଳ ମାଗଣା କିଏ କ’ଣ ଦେଲା ସେଇଟା ହିଁ
ଆମକୁ ଦେଖାଯାଉଛି ।

(ସୌ‌ଜନ୍ୟ: ହ୍ୱାଟ୍‍ସ୍ଆପ୍‍)

* ସନ୍ଥକବି ଭୀମଭୋଇ ନିଜକୁ ଅଂଧ ବୋଲି ଦାବି କରିଛନ୍ତି। କିନ୍ତୁ ତାଙ୍କ କୃତିଗୁଡିକୁ ପଢ଼ିବା ପରେ କେହି ବି ବିଶ୍ୱାସ କରିପାରନ୍ତି ନାହିଁ ଯେ ସେ ବାସ୍ତବରେ ଦୃଷ୍ଟିହୀନ ଥିଲେ, କି ନିଜକୁ ଅଜ୍ଞାନୀ ରୂପେ ଅଂଧ ବିବେଚନା କରୁଥିଲେ!

ବ୍ଲଗରଙ୍କ ଟିପ୍ପଣୀ: ଏଭଳି ଲେଖାକୁ କହନ୍ତି ବିକାଶ ସାହିତ୍ୟ। ଯେଉଁ ଅଜ୍ଞାତ ଲେଖକମାନେ ନିଷ୍ଠାର ସହ ଏଭଳି ମୌଳିକ ବିଷୟ ଲେଖି ସାମାଜିକ ମାଧ୍ୟମରେ ଛାଡୁଛନ୍ତି, ସେମାନଙ୍କୁ କୃତଜ୍ଞତା ଜଣାଉଛି। ପୁରସ୍କାର ଲୋଭରେ ଗଦାଗଦା ଅବୋଧ୍ୟ କବିତା, ଉପନ୍ୟାସ, ଗଳ୍ପ ନଲେଖି, ଲେଖାଳିମାନେ ଏମିତି ଲେଖନ୍ତେ କି... ସେମାନଙ୍କର ପୁଣ୍ୟ ହୁଅନ୍ତା।

- ବିମଳ ପ୍ରସାଦ