27 जून 2018

ଜଳସଂପଦ ରାଜନୀତିର ଖେଳଣା-ମନ୍ତ୍ରୀ ନିରଂଜନ !

ଆପଣଙ୍କର ମନେ ଥାଇପାରେ ଚଳିତ ବର୍ଷ(୨୦୧୮) ଏପ୍ରିଲ ୧୬ ତାରିଖରେ କୋଲକାତା ଠାରେ ହୋଇଥିଲା ପ୍ରଥମ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଞ୍ଚଳିକ ଜଳସଂପଦ ସମ୍ମିଳନୀ। ଉଦ୍ଦେଶ୍ୟ ଥିଲା, ଆଭ୍ୟନ୍ତରୀଣ ଓ ଆନ୍ତଃରାଜ୍ୟ ନଦୀ ଉପତ୍ୟକା ସମସ୍ୟାଗୁଡ଼ିକୁ ଆପୋଷ ଆଲୋଚନା ଜରିଆରେ ସମାଧାନ କରିବା। ଏଥିରେ ଭାଗ ନେଇଥିଲେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଂଗର ଜଳସଂପଦ ମନ୍ତ୍ରୀ ଓ ସେମାନଙ୍କର ସଚିବମାନେ। ଏଥିରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏବଂ କେନ୍ଦ୍ର ଜଳ ଆୟୋଗ (Central Water Commission) ଅଧ୍ୟକ୍ଷ ଯୋଗ ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଲା, ଏହି ସମ୍ମିଳନୀରେ ଓଡ଼ିଶାର ଜଳସମ୍ପଦ ମନ୍ତ୍ରୀ ଯୋଗ ଦେଇ ନଥିଲେ। ବରଂ ସେଠାକୁ ପ୍ରତିନିଧି କରି ପଠାଯାଇଥିଲା ଜଣେ ପୂର୍ବତନ ମନ୍ତ୍ରୀ ତଥା ଏବେର ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ। କିନ୍ତୁ ଦେଢ଼ ମାସ ତଳୁ (୩ ମାର୍ଚ ୨୦୧୮) ଜଳସଂପଦ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳି ନଥିଲା। ତେବେ ନିରଂଜନଙ୍କୁ ମନ୍ତ୍ରୀ କରାଯାଇଛି କାହିଁକି? ସେ କ’ଣ ଏକ ଖେଳଣା ମାତ୍ର?

ରାଜ୍ୟର କୌଣସି ସଚେତନ ନାଗରିକଙ୍କୁ ଏହା ଅଡ଼ୁଆ ଲାଗିଲାନି କି କୌଣସି ଗଣମାଧ୍ୟମକୁ ମଧ୍ୟ ଏହା ଆନ୍ଦୋଳିତ କଲା ନାହିଁ। ରାଜ୍ୟର ଶାସକ ଦଳ ସବୁ ଗଣମାଧ୍ୟମକୁ ନିଜ ପକେଟ୍‌ରେ ପୂରାଇ ସାରିଥିବାରୁ ତଥା ସାମ୍ବାଦିକମାନଙ୍କୁ ଆପ୍ୟାୟିତ କରି ରଖିଥିବାରୁ ଏହା କାହାରି ମନରେ ପ୍ରଶ୍ନବାଚୀ ବି ସୃଷ୍ଟି କଲା ନାହିଁ କି ଏବେ ବି କରି ନାହିଁ।

ଓଡ଼ିଶାର ଏବେକାର ବଡ଼ ଜଳସଂପଦ ମୁଦ୍ଦା ହେଉଛି - ମହାନଦୀ ଜଳ। ଆଉ ମହାନଦୀକୂଳିଆ ଯୁବକ ହେଉଛନ୍ତି ସ୍ୱୟଂ ଜଳସଂପଦ ମନ୍ତ୍ରୀ ନିରଂଜନ। ଅଥଚ ତାଙ୍କୁ ସେହି ସମ୍ମିଳନୀକୁ ପଠାନଯାଇ ପଠାଯାଇଥିଲା ସୂର୍ଯ୍ୟନାରାୟଣଙ୍କୁ। ନିରଂଜନଙ୍କ ଉପରେ କ’ଣ ଭରସା ପାଇଲା ନାହିଁ? ନିରଂଜନ ଓକିଲକୁ ସୂର୍ଯ୍ୟନାରାୟଣ ବି ଓକିଲ। ଉଭୟେ ଯୁକ୍ତି କରିବାରେ ଏବଂ ଇଂଲିଶ୍‌ କହିବା ଲେଖିବାରେ ମାହିର। କେଉଁ ବିଶେଷ ଯୋଗ୍ୟତା ପାଇଁ ସୂର୍ଯ୍ୟନାରାୟଣଙ୍କୁ ପ୍ରତିନିଧି କରାଗଲା ସେଇ ଆଞ୍ଚଳିକ ସମ୍ମିଳନୀରେ। ଅନ୍ୟ ରାଜ୍ୟରୁ ସତସତିକା ମନ୍ତ୍ରୀମାନେ ଆସିଥିବା ବେଳେ ଓଡ଼ିଶାରୁ ଯାଇଥିଲେ ଜଣେ ପ୍ରତିନିଧି। ଏହି ଶାସକୀୟ ବିକାର ଉପରେ ଅନ୍ୟ ରାଜ୍ୟର ଧାରଣା କ’ଣ ହୋଇଥିବ ତାହା ଅନୁଧ୍ୟାନ ସାପେକ୍ଷ।

ଆମ୍ଭଙ୍କୁ ସବୁଠୁ ବେଶି ଆନ୍ଦୋଳିତ କରୁଥିବା ପ୍ରଶ୍ନଟି ହେଉଛି. ଯଦି ନିରଂଜନ ପୂଜାରୀ ଜଣେ ଅଯୋଗ୍ୟ ବିଧାୟକ, ତେବେ ତାଙ୍କୁ ଜଳସଂପଦ ଭଳି ଏକ ଓଜନିଆ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପଦବୀ ଦିଆଯାଇଛି କାହିଁକି? ସେଇ ସମାନ ତାରିଖ (୩ ମାର୍ଚ ୨୦୧୮)ରେ ଅନ୍ୟ ଏକ ଓଜନିଆ ବିଭାଗ ‘‘ପୂର୍ତ ବିଭାଗ’’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଟେକି ଦେଇଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାନ୍ଧରେ। ଆପଣଙ୍କୁ ଲାଗୁନି କି ପଶ୍ଚିମ ଓଡ଼ିଶା ପ୍ରତି ରାଜଧାନୀର ନିକୃଷ୍ଟ ଆଚରଣ?

ରାଜ୍ୟବାସୀ ଏମିତି କଥାକୁ ଭୁଲି ଯାଆନ୍ତି ଏବଂ ଦଶ ବର୍ଷ ପରେ ପୁଣି କେହି ଏହା ଉପରେ ସ୍ତମ୍ଭ ଲେଖିଲେ ବା ପୁସ୍ତକ ଲେଖିଲେ, ସେତେବେଳେ ଶୀତଳଗୃହ ମଧ୍ୟରେ ଗରମ ହେବାରେ ସଭାସଦ୍‌ମାନେ ଆନନ୍ଦ ପାଆନ୍ତି! କ’ଣ ଏମିତି ଚାଲିଥିବ ଏ ରାଜ୍ୟ?

ପାକିସ୍ତାନ ରାଜନୀତିରେ ଯେମିତି କଶ୍ମୀର ଏକ ଭୋଟ୍‌ ବ୍ୟାଙ୍କ୍‌। ଓଡ଼ିଶାର ଶାସକଦଳ ପାଇଁ ସେମିତି ମହାନଦୀ ଜଳ ମୁଦ୍ଦା ଏକ ଭୋଟ୍‌ ବ୍ୟାଙ୍କ୍‌ ହୋଇପଡ଼ିଛି। କାଳେ ନମ୍ର ସ୍ୱଭାବର ଯୁବ ମନ୍ତ୍ରୀ ନିରଂଜନ କୌଣସି ସମାଧାନ ପନ୍ଥାରେ ରାଜି ହୋଇଯିବେ - ସମ୍ଭବତଃ ଏହି ଆଶଙ୍କାରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ଖେଳଣା ଭଳି ବ୍ୟବହାର କରି ଥାଇପାରନ୍ତି। କାରଣ ମହାନଦୀ ଜଳ ସମସ୍ୟା ସମାଧାନ ହୋଇଗଲେ, ଶସ୍ତା ଭୋଟ୍‌ବ୍ୟାଙ୍କ୍‌ ପାଇଁ ୮ରୁ ୧୦ଟି ଜିଲ୍ଲା ସକାଶେ ଆଉ କିଛି ମୁଦ୍ଦା ରହିବ ନାହିଁ।

ମନ୍ତ୍ରୀଙ୍କ କଥାକୁ ବିଭାଗୀୟ ସଚିବମାନେ ଖାତିର କରୁ ନାହାନ୍ତି - ଏ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତେବେ କୋଲକାତାରେ ହୋଇଥିବା ପୂର୍ବାଞ୍ଚଳ ରାଜ୍ୟର ଜଳସଂପଦ ସମ୍ମିଳନୀର ବିକୃତିକୁ ଲକ୍ଷ୍ୟ କଲେ, ଓଡ଼ିଶାର ସରକାରୀ ଔଦ୍ଧତ୍ୟର ମାତ୍ରା କେଉଁଠି ପହଞ୍ଚିଲାଣି, ତାହା ଜଳଜଳ ଦେଖାଯାଉଛି। କିନ୍ତୁ ଓଡ଼ିଶା ସରକାର କେବଳ ଗୋଟିଏ କଥା ଧରିଛି ଯେ ସବୁ ଜଳ, ଉପର ମୁଣ୍ଡରେ ଛତିଶଗଡ଼ ଅଟକାଇ ଦେଇଛି। ତେଣୁ ଓଡ଼ିଶାରେ ନଦୀଜଳ ପରିଚାଳନା ପୂରା ଅକାମୀ ହୋଇଯାଇଛି।